Unknown

 

 

 

 

 

 

 

 

 

 

 

କେତୋଟି ସବୁଜପତ୍ର

ଶ୍ରୀମତୀ ବନଜ ଦେବୀ

 

ନିଜକଥା

 

କେତୋଟି ‘ସବୁଜ ପତ୍ର’ ଗଳ୍ପ ସଂକଳନର ଗଳ୍ପଗୁଡ଼ିକ ୧୯୬୫ ରୁ ୭୧ ମସିହା ଭିତରେ ଲିଖିତ । ଏ ଗୁଡ଼ିକ ଝଙ୍କାର, ସମାବେଶ, ଜନ-ସାହିତ୍ୟ ଓ କଥା ବିଚିତ୍ରାରେ ପ୍ରକାଶିତ । ଏହାକୁ ପ୍ରକାଶ କରିବା ନିମିତ୍ତ ମୋର ଶୁଭକାଂକ୍ଷୀଣୀ ଶ୍ରୀମତୀ କଲ୍ୟାଣୀ ଘୋଷ ଅନେକ ପ୍ରୟାସ କରିଥିଲେ ମଧ୍ୟ ପ୍ରକାଶକମାନଙ୍କ ଉଦାସୀନତା ନେଇ ତାହା ସମ୍ଭବ ହୋଇ ପାରି ନଥିଲା ।

 

ଅନେକ ଦିନ ମୋ’ ପାଖରେ ପଡ଼ିରହିଲା ପରେ ପରିଶେଷରେ ‘ଅଗ୍ରଦୂତ’ ସେହି ସଂକଳନଟିକୁ ପ୍ରକାଶ କରିଥିବାରୁ ମୁଁ ତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି ।

 

କେତୋଟି ସବୁଜ ପତ୍ର ମୋର ମନର କିଞ୍ଚିତ ସବୁଜିମାକୁ ବହନ କରିଛି ମାତ୍ର । ଏହା ପ୍ରଥମ ଗଳ୍ପ ସଂକଳନ ହୋଇଥିବାରୁ ଅନେକ ତୃଟୀ ବିଚ୍ୟୁତି ଥିବା ଅସ୍ୱାଭାବିକ ନୁହେଁ । ସେଥିପାଇଁ କ୍ଷମା ଚାହୁଁଛି ।

 

ବାଙ୍କୀ

ବିନୀତ

ତା ୨ । ୧୨ । ୭୬

–ଲେଖିକା-

Image

 

 

 

 

 

 

 

 

 

 

 

ଉତ୍ସର୍ଗ

 

ମୋ ବୋଉ ହାତରେ……..

 

ବନଜ

 

ସୂଚୀପତ୍ର

 

୧.

ଜଳ ଓ ତୃଷ୍ଣା

୨.

ନେପଥ୍ୟେ

୩.

ଦୂର ବନଭୂମି

୪.

ମନ-ଚକୋର

୫.

ପଥ ଓ ପଥିକ

୬.

ଲୟ କିଲୟ

୭.

ଅଶ୍ରୁ ମୁଖୀ

୮.

ନଦୀ ନାମ ନିରଞ୍ଜନା

୯.

ନିର୍ଯ୍ୟାସ

୧୦.

ଉପାଖ୍ୟାନ

୧୧.

ଧୂସର ଆକାଶ

Image

 

ଜଳ ଓ ତୃଷ୍ଣା

 

ଆଦିଗନ୍ତ ଜ୍ୟୋତ୍ସ୍ନାର ଯାଦୁକରୀ ସ୍ପର୍ଶରେ ସମ୍ମୋହିତ ହୋଇ ରହିବା ପରେ ଦିବସର ଐଶ୍ଵର୍ଯ୍ୟଶାଳୀ ସୂର୍ଯ୍ୟର ରୌଦ୍ରରେ ବଞ୍ଚିବାର ଅନେକ ପ୍ରେରଣା, ଅନେକ ସାର୍ଥକତା ପାଇଲା ପରେ ମଧ୍ୟ ମନ ଯେମିତି ବେଳେ ବେଳେ କେଉଁ ଏକ ଛାଇ ଆଲୁଅ ଘେରା ମହଳଣ ସଞ୍ଜର ଆକାଶରେ,ଏକ ନିରୋଳା ନକ୍ଷତ୍ରର ନୀଳ ଚାହାଣୀଟି ଲାଗି ଏକାନ୍ତ ଆକୁଳ ହୋଇ ଉଠେ ଏବଂ ମନେହୁଏ ସାମାନ୍ୟ ହେଲେହେଁ, ଏଇ ମୁହୂର୍ତ୍ତରେ ଚାହିଁବା ହିଁ ଆସାମାନ୍ୟା, ଠିକ୍ ସେମିତି ଏକ ଛୋଟ ଅଥଚ ନଛାଡ଼ୋବନ୍ଧା ଅଧୀର ଆକୁଳତାର ବେଦନା, ଏକ ଅନବଦ୍ୟ ମୁହୂର୍ତ୍ତର ବଳୟର ମନସ୍ୱିନୀର ମନକୁ ବଳୟିତ କରି ରଖେ । ଯୁଗପତ୍ ଏକ ଅଜ୍ଞାତ ଅଶ୍ରୁ ଓ ଅନ୍ୱେଷଣ ଆବେଗ ତାକୁ ଉନ୍ମୁଖ କରିଦିଏ । ସେହି ମୁହୂର୍ତ୍ତରେ ତା’ର ମନେହୁଏ; ଏ ଆକାଶଭରା ଜ୍ୟୋତ୍ସ୍ନା, ଦିବସ ଭରା ଝଲମଲ ରୌଦ୍ର ଛଡ଼ା, ଆଉ କିଛି ସେ ଚାହେଁ, ଆଉ କିଛି ସେ ଚାହେଁ, ଯିଏ ସ୍ନିଗ୍‍ଧ ଓ ଉଜ୍ଜଳ, ଯିଏ କେବଳ ନିବିଡ଼ଭାବେ, ନିରୋଳାଭାବେ ତାର । ଯିଏ କି ତାର ସ୍ପର୍ଶ ଉନ୍ମୁଖ ପ୍ରାଣରେ ଏକ ମଧୁର ସ୍ପର୍ଶ ଦେଇ ପାରିବ । ସେହି ମୁହୂର୍ତ୍ତରେ ମନସ୍ୱିନୀର ମନେ ହୁଏ, ଆକାଶ ଓ ପୃଥିବୀର ସମସ୍ତ ଆବରଣ ସେ ପ୍ରସ୍ତ ପ୍ରସ୍ତ କରି ଖୋଲି ପକାନ୍ତା । କେଉଁଠି ସେ ପାଅନ୍ତା ତାର ଗଭୀରତାର ପରିପୂରକ । କେବଳ ଏ ଅତୃପ୍ତ ଆକୁଳତା; ଏତିକି ତ ନୁହେଁ, ନିଜ ଉପରକୁ ବି ତୀକ୍ଷ୍‍ଣ ତୀର ପରି ଲେଉଟି ଆସେ । ତାର ଆହୁରି ଇଚ୍ଛା ହୁଏ । ନିଜର ଶାଢ଼ୀ ବ୍ଲାଉଜ ସମେତ ଏଇ କ୍ଷୟିଷ୍ଣୁ ଦେହକୁ ବି ସେ ଟୁକୁରା ଟୁକୁରା କରି ପକାନ୍ତା । ନିଜର ମନର ସବୁ ଆବରଣ ସତୁ ରେଖା, ରଙ୍ଗ, ଚିତ୍ରକୁ ଚିରି, ଲିଭାଇ, ତାକୁ ଦିଗମ୍ୱରୀ କରି ସେ ଦେଖନ୍ତା, କେତେ ଅତଳରେ କେତେ ଗହୀରରେ ସେହି ନୀଳ ଚାହାଣୀର ଝିକିମିକି ତାରାଟି ? ଯିଏ ସମୟେ ସମୟେ ତାରି ସ୍ଥିତିକୁ ସୂଚେଇ ଦେଇ, ପ୍ରଲୋଭିତ କରି ଛପି ଯାଉଚି, ତାକୁ ନିଜ ଭିତରୁ ସେହି ଦିଗମ୍ବରୀ ମନ ଭିତରୁ କେଉଁଠୁ ହେଲେ ବାହାର କରି ଆଣନ୍ତା-ତା’ ପ୍ରମୁଖରେ ନିଜକୁ ଉତ୍ସର୍ଗ କରି କହନ୍ତା, ମତେ ଜୀବନାନ୍ତା ପ୍ରଲୁବ୍‌ଧ କରି ରଖ ।

 

ଦୈନନ୍ଦିନ ଜୀବନର ସହ ଓ ଅଶ୍ରୁ ଓ ଦୁଃଖ କଷ୍ଟରେ ଜର୍ଜରିତ ଅସୁସ୍ଥ ମନର ଏ ଏକ କରୁଣ ବିପର୍ଯ୍ୟୟ ଆଦୌ ନୁହେଁ । ବର° ଏହା ସେହି ଅଶାନ୍ତ ମନର ଏକାନ୍ତ ଶାନ୍ତି-ଅନ୍ଵେଷଣଧର୍ମୀ ଏକ ଚରମ ଭାବାନ୍ତର ବା ରୂପାନ୍ତର । ଅନେକ ସମୟରେ ଏହି ଭାବାନ୍ତରର ମୂଳ ସତ୍ତାକୁ ସମୀକ୍ଷା କରି ବସେ ମନସ୍ଵିନୀ । ମନ ପ୍ରାଣ ଓ ମସ୍ତିଷ୍କ ଦେଇ ଉପଲବ୍‌ଧି କରିବାକୁ ଚେଷ୍ଟା କରେ । ମାତ୍ର ପାରେନା । ଆଉଟା ରୂପା ପରି ଜ୍ୟୋତ୍ସ୍ନାରେ ମନୁଷ୍ୟର ମନ ଯଦି ମୁଗ୍‌ଧ ହୁଏ ତେବେ ତାର କ’ଣ ଅଛି ଭୂମିକା ? ଫୁଲର ସୁବାସ ଯଦି ମନକୁ ପୁଲକିତ କରେ ତା’ର କ’ଣ ଅଛି ଆଦ୍ୟ-କଥନୀ ? ସ୍ରୋତର ପ୍ରବହମାନତା ଭିତରେ ତରଙ୍ଗ ଯଦି ନିଜକୁ ହଜେଇ ବସେ, ତେବେ ତାର କୌଣସି ବ୍ୟାଖ୍ୟା ନାହିଁ, ସମୀକ୍ଷା ନାହିଁ, ସେତ ଚିରନ୍ତନ : ମନସ୍ଵିନୀ ନିଜ ସିଦ୍ଧାନ୍ତରେ ନିଜେ ମୁଗ୍‌ଧ ହୁଏ । ନିଜକୁ ମୁହୂର୍ତ୍ତକ ଲାଗି ହରେଇ ବସି କି ନୂଆ ଭାବରେ ସେ ଆବିଷ୍କାର କରେ । ସେହି ଭାବାନ୍ତରର କୋମଳଛାୟା ତାର ସ୍ନିଗ୍‌ଧ ଚେତନାରେ ଯେଉଁ ଅପୂର୍ବ ମାୟାଲୋକ ରଚନା କରିଯାଏ, ତାକୁ ଚାହିଁ ଚାହିଁ ସେ ଭାବେ—ଜୀବନ ଆବର୍ଜନା ନୁହେଁ, ଏହି ଅକିଞ୍ଚିତକର ଜୀବନ ଏକ ନିର୍ଜୀବ ବିନ୍ଦୁ ପରି ମୂକ ବି ନୁହେଁ । କେଡ଼େ ବିପୁଳ ସେ । ସ୍ତରେ ସ୍ତରେ ତାର କଳ୍ପଲୋକର ଅବିଦିତ ରହସ୍ୟ । ସେ ରହସ୍ୟ କଣ ଭେଦ କରି ହେବ ସତେ ? ସେଇଆକୁ ଭେଦ କରିବାକୁ ଯାଇ ନର ହେଇଚି ମହାପ୍ରାଣର କବି । ପ୍ରେମିକା ନାରୀ ପିଙ୍ଗଳା ହୋଇଚି ମହା ପ୍ରେମିକା ।

 

ମନସ୍ଵିନୀ ଜଣେ ନାରୀ । ସଂସାରର ଦୁଃଖ, ଜଞ୍ଜାଳରେ କ୍ଷତ, ବିକ୍ଷତ ଏକ ଅକିଞ୍ଚନ ନାରୀ, ଯାହାକୁ ଗିଳି ଦେବାକୁ ମୃତ୍ୟୁ ଟାକି ବସିଚି; ଧ୍ଵଂସ କରି ଦେବାକୁ ଝଡ଼ ଉନ୍ମୁଖ ହୋଇ ଉଠିଛି; ଯିଏ ଅହୋରାତ୍ର ଏକ ତୈଳାକ୍ତ ବୃତ୍ତର ପରିଧିରେ ଘୂରି ଘୂରି ଗତାନୁଗତିକ, ବିଷଣ୍ଣ ଓ କ୍ଳାନ୍ତ । ଚତୁଃପାର୍ଶ୍ଵରେ ସ୍ଵାମୀ, ପୁତ୍ର କନ୍ୟା, ପରିଜନବର୍ଗଙ୍କର ଅସୁମାରି ଦାନ ପ୍ରତିଦାନର ଘେରଉ ଭିତରେ ବନ୍ଦୀ ହୋଇ କେବଳ ଶୁଣେ “ଆମର ଦାବୀ ପୂର୍ଣ୍ଣ କର ।” ଶୁଣୁ ଶୁଣୁ ତା’ର ଗାତ୍ରଦାହ ହୁଏ ଯେମିତି-। ଆଖିରେ ଅଶ୍ରୁ ଜାଗେ; ଇଚ୍ଛାହୁଏ ନିଜକୁ ଖଣ୍ଡ ଖଣ୍ଡ କରି କାଟି, ସେମାନଙ୍କ ପ୍ରସାରିତ ହାତରେ ଫିଙ୍ଗି ଦେବାପାଇଁ । କିନ୍ତୁ ପରମୁହୂର୍ତ୍ତରେ ସେ ପ୍ରକୃତିସ୍ଥ ହୁଏ । କ’ଣ ସେ କରୁଚି ? ରାଗୁଚି କାହିଁକି ସେ ? ଭାବପ୍ରବଣତା କ’ଣ ଏତେ ଅନ୍ଧ ? ସେ ତ ସୁନ୍ଦର ଚିନ୍ମୟ । ମନସ୍ଵିନୀ ଶାନ୍ତହୁଏ । ପ୍ରକୃତିସ୍ଥ ମନର ମାୟା ତାକୁ ପ୍ରଲୁବ୍‌ଧ କରାଏ । ଯାହାକୁ ସେ ଗଢ଼ି ସେହି ସଂସାରରୁ ପିଲାମାନଙ୍କଠାରୁ, ସ୍ଵାମୀଠାରୁ ନିଜକୁ ଅଲଗା କରି ଭାବିପାରେନା ସେ ମୋଟେ । ବରଂ ତାର ଇଚ୍ଛାହୁଏ, ସେଇ ଅଶ୍ରୁ ଅନାଟନର ସଂସାର ଭିତରୁ, ସ୍ଵାମୀ ସୁରଞ୍ଜନର ବାହୁଧରି ସେ ଟାଣି ଆଣନ୍ତା, ତାର ଚେତନାର ସେହି ସ୍ନିଗ୍‌ଧ ମାୟାଲୋକ ଭିତରକୁ । କହନ୍ତା, ଆସନା, ଖୋଜିବା ସେହି ନୀଳ ତାରାଟିର ଝିକିମିକି ଚାହାଣୀକୁ । ଟିକିନିଖି କରି ଜୀବନକୁ ଗଢ଼ିବା ଓ ସଂପାତିବାହିଁ କ’ଣ ଜୀବନର ପରମ ଲକ୍ଷ୍ୟ ? ଏମିତି ଅପନୟରେ ବି ଅନେକ ଶାଶ୍ଵତ ଆନନ୍ଦ ଅଛି । ସେତ ଏକ ନିଭୃତ ସଂଚୟ । କେହି ଦେଖିବେ ନାହିଁ ସେହି ସଂଚିତ ଐଶ୍ଵର୍ଯ୍ୟା ନ ଦେଖନ୍ତୁ ।

 

ମନସ୍ୱିନୀର ଏହି ଆକୁଳ ଅଧୀର ଅଥଚ ଏକାନ୍ତ ଆନ୍ତରିକ ଆହ୍ୱାନକୁ ସୁରଞ୍ଜନ ଯଦି ନଶୁଣନ୍ତୁ ତେବେ ସେ କଣ ତାଙ୍କର ଦୋଷ ? ସେ ତ ଏହି ଯୁଗର ଏହି ସଭ୍ୟତାର ଓ ତଥାକଥିତ ସମାଜର ପ୍ରତିନିଧି । ଜୀବନକୁ ସେ ଚିହ୍ନନ୍ତି ଟିକିନିଖି କରି । ଅନୁଧ୍ୟାନ କରନ୍ତି ତିଳ ତିଳ କରି ସେ ଯେତିକି ସାମାଜିକ, ସେତିକି ସାଂସାରିକ । ସେ ପିତା, ସ୍ୱାମୀ, ଗୃହସ୍ଥ । ସେଥିପାଇଁ ଜୀବନ ଚାରିପାଖରେ ସୁନ୍ଦର ପ୍ରାଚୀନ ରଚନା କରିଚନ୍ତି ପ୍ରାଣାଧିକ ପୁତ୍ରକନ୍ୟା ଓ ଅନୁଗତା ପତ୍ନୀର ନିରାପତ୍ତା ଲାଗି । ତଥାପି ସେ ଅତୃପ୍ତ । ନିରାପତ୍ତାର ଏହି ପ୍ରାଚୀର ତାଙ୍କର ସୁନ୍ଦର ଓ ଦୃଢ଼, ତଥାପି ତାହାକୁ ଆହୁରି ସୁନ୍ଦର ଓ ଆହୁରି ସୁଦୃଢ଼ କରିବାକୁ ସେ ଇଚ୍ଛା କରନ୍ତି । ଆଉ ସେଥିପାଇଁ ତ ଆବଶ୍ୟକ ସର୍ବପ୍ରଥମେ ଅର୍ଥନୈତିକ ସୁଦୃଢ଼ତା । ଆଜି ଯେଉଁ ମନୁଷ୍ୟ ପୃଥିବୀର ଏମାଟିର ଶିଥିଳ କରି ଚନ୍ଦ୍ରଲୋକରେ ନିଜର ସଂସ୍ଥାପନ ପାଇଁ ବ୍ୟାକୁଳ ହୋଇଥାଏ, ତେବେ ତ ଦେଖିବାକୁ ହେବ, ସେ କେତେ ସ୍ୱଚ୍ଛଳ । ତାର ଅର୍ଥନୈତିକ ଭିତ୍ତି ଭୂମି କେଡ଼େ ସୁଦୃଢ଼ । ତାର ଜୀବନ ଯାତ୍ରାକୁ ଅର୍ଥ କରିଚି କେଡ଼େ କ୍ଷିପ୍ର, କେଡ଼େ ଗତିଶୀଳ । ଆମପରି ଋଣଭାରରେ ସେ ଅବନତ ନୁହେଁ । ପୁରଜନଙ୍କର ବିଶ୍ୱାସ ଦୃଢ଼ ହୁଏ । ସ୍ୱଚ୍ଛଳ ଜୀବନକୁ ଆହୁରି ସ୍ୱଚ୍ଛଳତାରେ ଝଲମଲ କରି ରଖିବାକୁ ତାଙ୍କର ଇଚ୍ଛା ବଳବତ୍ତର ହୁଏ । ସେଥିଲାଗି, ନିଜକୁ ଗଢ଼ନ୍ତି ସେ ବସି । ଅଧିକ ଅର୍ଥ ଉପାର୍ଜନର ପରିକଳ୍ପନା କରନ୍ତି । ମନସ୍ୱିନୀକୁ ପାଖରେ ବସାଇ ତାଙ୍କର ଉଦ୍ଦେଶ୍ୟ ଓ ଆଶାକୁ ଭୁରି ଭୁରି ବୁଝେଇ ବସନ୍ତି । ସ୍ୱପ୍ନରେ ଦେଖାନ୍ତି, ଆଗାମୀ କାଲିର ସେ ବି ଜଣେ ଧନାଢ଼୍ୟ ବ୍ୟକ୍ତି ।

 

ସୁରଞ୍ଜନର ଏହି କଥା ଶୁଣିଲା ବେଳେ ମନସ୍ୱିନୀ ତା’ ମନର କବାଟ ଝରକା ସବୁ କିଳି ଦେଇ, ନିଜକୁ ଏକ ରୁଦ୍ଧ ଅସହାୟତା ଭିତରେ ଅଧୀର କରି ରଖେ । ସେ ଜାଣେ, ସେ ଏମିତି ରୁଦ୍ଧ ହୋଇଯିବ ସିନା, ସୁରଞ୍ଜନ କେବେହେଁ ଏ କବାଟ ଝରକା ଖୋଲିବ ନାହିଁ, ସେ ଖୋଲି ଜାଣନ୍ତି ନାହିଁ । ମନସ୍ୱିନୀର ବାହାରର ଏଇ ରୂପ, ଚେହେରା, ଗୀତ ସଂଳାପକୁହିଁ ତ ସେ ସଂପୂର୍ଣ୍ଣ ମନସ୍ୱିନୀ ବୋଲି ଭାବି ଆସିଚନ୍ତି । ତାର ମନର ଅବରୁଦ୍ଧ କକ୍ଷରେ, ବିପୁଳ ପୃଥିବୀର ଊର୍ଦ୍ଧ୍ଵକୁ, ସତଷ୍ଣ ନୟନରେ ଚାହିଁ ରହି ମନସ୍ୱିନୀର ଆଉ ଏକ ଅଂଶ ଯେ ଏକ ଅବକ୍ଷୟ ବେଦନାରେ ଅସ୍ଥିର ହୋଇ ଉଠିଚି, ଏ କଥା ସୁରଞ୍ଜନ କେମିତି ଜାଣନ୍ତେ ? ବାହାରେ ଯଦି ରାତାରାତିର ସାଗର ସାଗର ଜ୍ୟୋସ୍ନା ଅଜାଡ଼ି ହୋଇ ପଡ଼େ, ତେବେ କ’ଣ ସମସ୍ତଙ୍କ ମନରେ ଜୁଆର ଉଠିବ ନାଁ ଉଠିପାରେ ? ମନସ୍ୱିନୀର ଇଚ୍ଛାହୁଏ, ନିଜକୁ ମୁକ୍ତ କରି ସୁରଞ୍ଜନକୁ କହନ୍ତା, ସୃଷ୍ଟିର ଏକ ମଧୁ କଲ୍ଲୋଳକୁ ତମେ ରୂପେଲି ଫ୍ରେମରେ ବାନ୍ଧିରଖି ଡ୍ରଇଂରୁମ୍‍ କାନ୍ଥରେ ମାରିବାକୁ ଚାହିଁ ? କଲ୍ଲୋଳ ତ ସାଗର ଲୋଟିବ, ସମୀରରେ ଚହଲିବ, ଜ୍ୟୋସ୍ନାରେ ଉତ୍‍ଫୁଲ୍ଲ ହେବ । ଆସ ତମେ, ହାତଧର ମୋର, ମତେ ଟିକିଏ ସଖ୍ୟ, ଟିକିଏ ସାହାରା ଦିଅ, ତୁମକୁ ବେଢ଼ି ମୁଁ ଊର୍ଦ୍ଧ୍ଵକୁ ଉଠିବି ।

 

ମନସ୍ଵିନୀର ଏହି କଥା ସୁରଞ୍ଜନ ଯେମିତି ବୁଝନ୍ତି ନାହିଁ, ବୁଝିବାକୁ ଚେଷ୍ଟା କରନ୍ତି ନାହିଁ, ହୁଏତ ବୁଝି ଜାଣନ୍ତି ନାହିଁ । ମନସ୍ଵିନୀ ଠିକ୍ ସେମିତି ତାଙ୍କର ଅର୍ଥନୀତି, ଜୀଵନ ନୀତି, ସମାଜନୀତିର ବହୁ ବହୁ ଉପସର୍ଗ ବୁଝି ପାରେ ନାଁ ବୁଝିବାକୁ ଟିକିଏ ଆଗ୍ରହ ବି ପ୍ରକାଶ କରେ ନାଁ ଅଥଚ ଦୁହେଁ ଏକତ୍ର ରହନ୍ତି । କି ନିବିଡ଼ତା ଅଛି ଦୁହିଁଙ୍କର । ସୁରଞ୍ଜନର ଟିକିଏ ମଳିନ ମୁଖ ମନସ୍ଵିନୀ ଯେମିତି ସହି ପାରେନା, ମନସ୍ଵିନୀର ଟିକିଏ ଅସୁସ୍ଥତାରେ ସୁରଞ୍ଜନ ସେମିତି ଅତ୍ୟନ୍ତ ଚିନ୍ତିତ ହୋଇପଡ଼ନ୍ତି । ସେ ଯଦିଓ ଜାଣନ୍ତି, ମନସ୍ଵିନୀ ଆଦୌ ଭଲ ଗୃହିଣୀ ନୁହେଁ, ଯଦିଓ ମାଆ ହୋଇଚି, ତଥାପି ଆଦୌ ସୁମାତା ନୁହେଁ, ସଂସାରକୁ କିପରି ଐଶ୍ୱର୍ଯ୍ୟମଣ୍ଡିତ କରିବାକୁ ହୁଏ, ଏ ନିଷ୍ଠା ଯଦିଓ ତାର ଆଦୌ ନାହିଁ, ତଥାପି ମନସ୍ଵିନୀର ଟିକିଏ କ’ଣ ହେଲେ ସେ ବ୍ୟସ୍ତ ହୋଇ ଉଠନ୍ତି । ତାଙ୍କୁ କିଏ କହିଥିଲା, ତୁମର ପତ୍ନୀ କଷ୍ଟ ଅଛି । ସେହି କଥାଟା ତାଙ୍କ ମନରେ ଖୁବ୍ ସ୍ପଷ୍ଟ ହୋଇଅଛି । ସେଥିଲାଗି ମନସ୍ଵିନୀର ଦେହ ଟିକିଏ ଖରାପ ହେଲେ ସେ ଆଉ ନିଜକୁ ସମ୍ଭାଳି ପାରନ୍ତି ନାହିଁ । ଏ ଅଧା ବାଟରେ ମନସ୍ଵିନୀ ଯଦି ସତକୁ ସତ ତାକୁ ଛାଡ଼ି ଦେଇ ଯାଏ, ତେବେ ସତେ କଣ ସେ ଆଉ ଏ ପିଲାଙ୍କୁ ଧରି ସଂସାରରେ ତିଷ୍ଠି ପାରିବେ । ସୁରଞ୍ଜନ ବିକଳ ହୁଅନ୍ତି । ମନସ୍ଵିନୀର ରୋଗଣା ଦେହକୁ ଯଥାସମ୍ଭବ ଜାବୁଡ଼ି ଧରନ୍ତି । ସୁରଞ୍ଜନର ଏହି ଆଲିଙ୍ଗନ ଭିତରେ ମନସ୍ଵିନୀ ବୁଝେ, ଖୁବ୍ ବୁଝେ ସ୍ୱାମୀର ଏହି ଆବେଗର ଅତଳ ବିନ୍ଦୁଟି କେଉଁଠି ?

 

ଏମିତି ଦିନଗଡ଼ି ଯାଏ । ବର୍ଷ, ମାସ, ବି ଗଡ଼ିଯାଏ । ଦୁହିଁଙ୍କର ଜୀବନଯାତ୍ରା, ଗଡ଼ିଚାଲେ ଠିକ୍ ସ୍ଵାଭାବିକ ରୀତିରେ । କେହି କାହାପଥରୁ ବିଚ୍ୟୁତ ହୁଅନ୍ତି ନାହିଁ । ତରଳ ବୟସ ପରିପୂର୍ଣ୍ଣ ହୁଏ । ପିଲାମାନେ ବଡ଼ ହୁଅନ୍ତି । ଗୋଟିଏ ସଂପୂର୍ଣ୍ଣ । ସଂସାର ସୁଖର ନିଶ୍ଚୟ, ସେଠି ମନସ୍ତାପ ନାହିଁ, ମଳିନତା ନାହିଁ, ଅଛି କେବଳ ଟିକିଏ ଫାଙ୍କ୍, ଏଇ ଫାଙ୍କଟା ମନସ୍ଵିନୀ ବୁଝେ । ସୁରଞ୍ଜନ ନୁହେଁ । ସୁରଞ୍ଜନ ଜାଣେ, ସେ ତ ମନସ୍ଵିନୀର ଆତ୍ମା ଭିତରେ ଆଶ୍ରୟ ନେଇଛି, ଆଉ ମନସ୍ଵିନୀ ସ୍ଵଗତୋକ୍ତି କରେ ଏତିକି ନୁହେଁ, ଆହୁରି ପାଖକୁ, ଆହୁରି ପାଖକୁ ଆସ । ମୁଁ ତ ହାତ ବଢ଼ାଇଚି, ଅଥଚ ତମେ, ଆସି ପାରୁନା । ଏତେ ବର୍ଷ ପରେ ବି, ମୋର ଅତି ପାଖକୁ ଆସି ଜାଣିଲ ନାହିଁ, କାହିଁକି, କାହିଁକି ।

 

ନିଜ ପାଟିରେ ନିଜେ ଚମକିଗଲା ମନସ୍ଵିନୀ । ମନର କଥାଗୁଡ଼ାକ କେଡ଼େ ପାଟିରେ ସେ କହି ବସିଚି । ସେ ଚାରି ଆଡ଼କୁ ସନ୍ତର୍ପଣରେ ଚାହିଁଲା, କେହି ଶୁଣି ନାହିଁ ତ ? ନାଁ କେହି ନାହିଁ, ପିଲାମାନେ ସ୍କୁଲ ଯାଇଚନ୍ତି, ସୁରଞ୍ଜନ ଯାଇଚନ୍ତି ଅଫିସକୁ । ଘରର ସଂପୂର୍ଣ୍ଣ ନୀରବତା ହିଁ ମନସ୍ଵିନୀର କଥାର ଏକମାତ୍ର ଶ୍ରୋତା ।

 

ମନସ୍ୱିନୀ ଦୀର୍ଘଶ୍ଵାସ ଛାଡ଼ି ବାହାରକୁ ଚାହିଁଲା । ସମାପ୍ତ ମଧ୍ୟାହ୍ନର ଶୋଷାବଶେଷ, ଗୈରିକ ଫୁଲର ପାଖୁଡ଼ା ବୁଣି ବୁଣି, ଆସ୍ତେ ଆସ୍ତେ କମ୍ର ହୋଇ ଉଠୁଚି ଏଣେ ତେଣେ ସର୍ବତ୍ର ଏକ ନାରଙ୍ଗୀ ପ୍ଲାବନ ।

 

ଝରକା ବାଟେ ଦିଶୁଚି, ଗୈରିକ ରୌଦ୍ରରେ, ସଦ୍ୟସ୍ନାତ୍ ଏକ ଚଉଖୁଣ୍ଟିଆ ଆକାଶ ଓ ତା ଛାତିରେ ଅଦୂରର ବରୁଣେଇର ଶ୍ୟାମ ଶିଖର । ସତେକି ସେହି ଚଉଖଣ୍ଟିଆ ଆକାଶର କାଗଜରେ ଅଠାମାରି କେହି ବରୁଣାଇର ଶ୍ୟାମ ଶୀର୍ଷାଂଶକୁ ଜଡ଼େଇ ରଖିଚି । ବରୁଣେଇର ଅଙ୍ଗଭରା ଶ୍ୟାମଳିମା ଢେଉ ଭାଙ୍ଗୁଚି । ତାର ବନ୍ଧୁର କକ୍ଷ, ବୃହତ୍ ବୃହତ୍ ବୃକ୍ଷଲତା ସବୁ ଦୂର ଦୂରାନ୍ତକୁ ଏକ ନୀଳ ଭେଲ୍‌ଭେଟ୍‌ର ଚନ୍ଦ୍ରାତପ ପରି, ନାରଙ୍ଗୀ ଖରାରେ ଝଲମଲ କରୁଚି ।

 

ସମ୍ମୁଖରେ, ଖୋର୍ଦ୍ଧାର ରାଜପଥରେ, ଲାଗିଗଲାଣି ଅପରାହ୍ନର କୋଳାହଳ । ପାଉଁରୁଟି ବିସ୍କୁଟବାଲାଠାରୁ ଆରମ୍ଭ କରି, ସାଢ଼େ ଛଣିଆ ଫେରିବାଲାର ଡାକ ଓ ଅସଂଖ୍ୟ ରିକ୍‌ସା, ଶଗଡ଼, ସାଇକେଲଠୁ ଆରମ୍ଭ କରି ସୁଦୃଶ୍ୟ ଫିଆଟ୍ ପର୍ଯ୍ୟନ୍ତ, ଲାଗି ରହିଚି ଏକଇ ଯାତ୍ରାର ବେଗ ଓ ଆଶାର ଆବେଗ । ଉନ୍ନତ୍ତ ମନୁଷ୍ୟର ସ୍ରୋତ ଧାଇଁ ଚାଲିଚି । କେଉଁଠି ତାର ଲକ୍ଷ୍ୟ ? ଚରମ ଲକ୍ଷ୍ୟ-? ଏଡ଼େ ଅଶାନ୍ତ, ଦ୍ଵନ୍ଦ, ପ୍ରତିଯୋଗିତା ଓ ଅନ୍ଧ ପଦଯାତ୍ରାର ସମାପ୍ତି କେଉଁଠି ?

 

ମନସ୍ୱିନୀ ଚାହିଁଥିଲା ବାହାରକୁ ସେମିତି । ସହସା ତା’ ଆଖିରେ ପଡ଼ିଲା ଅଦୂରର ବରଗଛ ମୂଳରେ, ସେଇ ଛୋଟ କୁଡ଼ିଆଟି । ଏଇ କୁଡ଼ିଆଟିକୁ ସେ ଦେଖି ଆସୁଚି ବହୁଦିନୁ । ତଥାପି ଆଜି ତା’ ଆଖିରେ ସେ କାହିଁକି କେଜାଣି ଏକ ଵିଶେଷ ରୂପ ନେଇଗଲା । ମନସ୍ୱିନୀ ଜାଣେ, ତାର ମନ ବଡ଼ ଅଦ୍ଭୁତ । ବେଳେବେଳେ ସାମାନ୍ୟ ଜିନିଷକୁ ଅସାମାନ୍ୟ କରି ଭାବି ବସେ-। ମୁହୂର୍ତ୍ତର ଜ୍ଜ୍ୱଳା, ଆବେଗ ଓ ସ୍ପନ୍ଦନ । ଆଜି ମନସ୍ଵିନୀର ସେହି କୁଡ଼ିଆରୁ ଦୃଷ୍ଟି ଫେରିଲା ନାହିଁ । ସେଇ ଛୋଟ ସଂକୀର୍ଣ୍ଣ କୁଡ଼ିଆଟି । ଯାହାର କାନ୍ଥ ନାହିଁ କି ଖୁଣ୍ଟ ବି ନାହିଁ । ସଂପୂର୍ଣ୍ଣ ଭୂମିରୁ ତା’ର ଚାଳଟି ଉଠିଚି । ମାତ୍ର ଚାରିଫୁଟ ଉଚ୍ଚ । ତା’ ଭିତରେ କେତେ ଛିଣ୍ଡା ଗଣ୍ଠିଲି ଓ ବୁଜୁଳା, ଭଙ୍ଗା ଦଦରା ଟିଣର ବାସନ, କଳା କିଟିକିଟି ହାଣ୍ଡି କୁଣ୍ଢେଇ କେତେଟା । ଗୋଟିଏ ରୋଗଣା, କୁଷ୍ଠରୋଗୀ ନରୀର ଅପୂର୍ଣ୍ଣ ସଂସାର, ଏଇ ନୁଆଁଣି ଚାଳଟି । ବର୍ଷ ବର୍ଷ ଧରି ଖରା, ଶୀତ ବର୍ଷାରେ, ସେ ଏହି ଗଛ ମୂଳର ଚାଳିଆରେ ରହିଚି । ସେ ଭିକ ମାଗେ । ସେହି ବାର ମିଶା ଚାଉଳ ଗଣ୍ଡାକ, ଏଇ କୁଡ଼ିଆରେ ଫୁଟେଇ ଖାଏ । ଯୌବନ ମଉଳିଛି ସତ, ତଥାପି ବୟସ ଅଛି । ସେଇ ରୋଗ । ମୁହଁ ଓ ଗୋଡ଼କୁ ଈଷତ୍ ବିକୃତ କରି ଦେଇଚି । ମହାକାଳର ସେ ବି ଅଣୁଟିଏ । ପାଖୁଡ଼ା ଝଡ଼ି ପଡ଼ୁଚି ଗୋଟି ଗୋଟି ହୋଇ । ତଥାପି ସେ କହୁଚି ଅବା, ହେ ମହାକାଳ, ମୋର ସ୍ପର୍ଶ ନିଅ । ମନସ୍ୱିନୀ ସେମିତି ଚାହିଁଥିଲା । ସେଇ ରୋଗଣା ସ୍ତ୍ରୀ ଲୋକଟି ଚାଳିଆରେ ତାଟି ଆଉଜେଇ ଦେଇ, ପାଖ ଦୋକାନରେ ବସି ମାଟି ଓଳିରେ ଚା’ଖାଉଚି, ହାତରେ ପତ୍ର ଠୁଙ୍ଗାରେ କିଛି ଜଳଖିଆ-। ଚା’ ଖାଉ ଖାଉ ସେ ଦେଖୁଚି, ସାମ୍ନା ପ୍ରାଚୀରରେ ମରା ଯାଇଥିବା ସିନେମା ପୋଷ୍ଟରର ସେହି ଅର୍ଦ୍ଧନଗ୍ନ ନାରୀର ଚେହେରାଟାକୁ, ଯିଏ କି ତାର ପ୍ରେମିକର ବାହୁବଳୟ ଭିତରେ ଜଡ଼ି ରହିଛି-

 

ମନସ୍ୱିନୀ ଦେଖୁଥାଏ, ସେହି ପୋଷ୍ଟରକୁ ଆଉ ସେହି କୁଷ୍ଠରୋଗୀ ସ୍ତ୍ରୀ ଲୋକଟିକୁ । ଚା’ଖିଆ ସାଙ୍ଗରେ, ଆଖି ବି ଯେମିତି ପିଉଥିଲା, ସେହି ଅଧା ନଙ୍ଗଳା ଆଲିଙ୍ଗନାବଦ୍ଧା ସ୍ତ୍ରୀଟିକୁ । ମନସ୍ୱିନୀ ଏଥର ସେଇ ଛବିଟାକୁ ନିଠେଇ ଚାହିଁଲା । ସନ୍ତରଣ କରି ସଦ୍ୟ ଫେରିଚି ନାୟିକାଟି ସହ-। ତେଣୁ ପୋଷାକ ଖୁବ୍ ସଂକ୍ଷିପ୍ତ । ଛିଃ ଛିଃ, କଣ ସତେ ହେଲା ମଣିଷର ରୁଚି । ବିଡ଼ି, ସିଗାରେଟଠାରୁ ଆରମ୍ଭ କରି ତେଲ, ସାବୁନ, ଏପରିକି ମଟର, ଟ୍ରକର ପାର୍ଟସ ସବୁର ପ୍ରଚାର ଲାଗି ମଧ୍ୟ ଲୋଡ଼ା ହେଉଚି ନାରୀର ଦେହ । ବିଜ୍ଞାପନ ଯେତିକି ବିପୁଳ ହେଉଚି, ସେହି ବିଜ୍ଞାପନରେ, ନାରୀର ନଗ୍ନତା ହେଉଚି ସେତିକି ବିପୁଳତର ଆଉ ସିନେମା…..ସେଠାରେ ମଧ୍ୟ ପ୍ରେମ ନାମରେ ଅଛି କେବଳ ନଗ୍ନ ଦେହର ଉପଯାଚନା…

 

ମନସ୍ୱିନୀ ନିଜର ଭାବନାରେହିଁ ନିମଗ୍ନ ଥିଲେ । ହଠାତ୍ କାହା ଡାକରେ ସେ ପ୍ରକୃତିସ୍ଥ ହେଲା । ଝରକା ବାହାରୁ ଦୃଷ୍ଟି ଫେରାଇ ଘର ଭିତରକୁ ଚାହିଁଲା ।

 

ସ୍କୁଲଫେରା ଝିଅ ଆସୁଚି । ବହିତକ ଖଟ ଉପରେ ଫୋପାଡ଼ି ଦେଇ ସେ କହିଲା….ମା, ମୋ କଣ୍ଢେଇ ଲାଗି ଫ୍ରକ୍ ତିଆରି କଲ ? ତମେ ନିତି ଠକୁଚ ।

 

ମନସ୍ୱିନୀ ହସିଲା…ତା’ବହିତକ ଗୋଟାଏ ରଖି କହିଲା ଆଜି ପାରିଲି ନାହିଁ । କାଲି ନିଶ୍ଚୟ । ନିଶ୍ଚୟ ।

 

ଝିଅର ମନ ମଉଳି ଗଲା । ସେ ବଡ଼ ହେଲାଣି । ତେଣୁ ସମ୍ୟକ ଜ୍ଞାନ ଆସିଚି । ବିରକ୍ତ ନ ହୋଇ ଚୁପ କରି ସେ ଅଭିମାନରେ ଚାଲିଗଲା । ତା’ପରେ ପରେ, ଦୁମ୍ ଦୁମ୍ ହୋଇ ଧାଇଁ ଆସିଲା ପୁଅ । ମନସ୍ୱିନୀକୁ କୁଣ୍ଢେଇ ଧରି ଆଗ ସେ ଘିର ଘିର ହୋଇ ବହେ ବୁଲିଗଲା । ତା’ପରେ କହିଲା, ମା, ମୋ ସାଇକେଲ କଥା ବାପାଙ୍କୁ କହିଲ ?

 

ମନେ ନାହିଁରେ, ଆଜି କହିବି ନିଶ୍ଚୟ ।

 

ସବୁଦିନ ତମେ ଖାଲି ଆଜି ଆଜି ହଉଚ । ମୁଁ ଆଜି କିଛି ଖାଇବିନି ଯାଃ– । ଦୁଷ୍ଟ ଟୋକା ମନସ୍ୱିନୀ ହାତରୁ ନିଜକୁ ଖସେଇ ନେଇ ଚାଲିଗଲା । ଧମକ୍ ଦେଇଗଲା-ସାଇକେଲ ନ ଆସିଲେ ସେ ଖାଇବନି ।

 

ମନସ୍ୱିନୀ ସେମିତି ଠିଆ ହୋଇଥାଏ, ପୁଅ ଓ ଝିଅ ଚାଲିଗଲେ, ନ ଖାଇବାର ଧମକ ଦେଇ । ଯା’ନ୍ତୁ ହଁ, ଯା’ନ୍ତୁ ସେମାନେ ଆଜି ଓପାସରେ । ଟିକକ ପରେ ସେ ଆସିବେ । ତାଙ୍କର ଅଭିଯୋଗ ଆରମ୍ଭ ହେବ, ମୋ ପଞ୍ଜାବୀ ଟିକେ ଇସ୍ତ୍ରୀ କଲୁନି ? ପ୍ୟାଣ୍ଟରେ ବୋତାମ ନାହିଁ । ଏଠି ବହିଗୁଡ଼ାକ ଉଇ ଲାଗି ଗଲାଣି; କିଛି ଦେଖୁନାହିଁ, କେମିତି ମ ? ସେ ବି ଚାଲିଯିବେ, ନ ଖାଇବାର ଧମକ ଦେଇ । ବେଶ୍ ଯା’ନ୍ତୁ, ସମସ୍ତେ । ସେ ଆଉ କାହାକୁ ଖୁସାମତ କରି ପାରିବନି ? ସମସ୍ତଙ୍କ ପାଇଁ ସେ । ଆଉ ତା’ ପାଇଁ କେହି ନୁହଁ ? ଆଜି ସେ ଋଷିବ, ଅଭିମାନ କରିବ, ବାପ ପୁଅ ଝିଅ ମିଶି ରାନ୍ଧନ୍ତୁ ନାଁ । ତାଙ୍କର ସବୁଦିନେ, ଆଜି ତାର ଦିନେ ।

 

ରୋଷେଇ ଘରେ କଣ ଠୁଣ୍‌ଠାଣ ଶୁଭୁଚି, ମନସ୍ୱିନୀ ଜାଣେ । ନ ଖାଇବାର ଧମକ ଦେଇ ମଧ୍ୟ ପୁଅ ଝିଅ କେବେହେଁ ତାଙ୍କର ଧମକ ପାଳନ କରି ପାରନ୍ତି ନାହିଁ । କିଛି ସମୟ ପରେ ମନକୁ ମନ ବାଢ଼ି ଆଣି ସେମାନେ ଖାଇ ଦିଅନ୍ତି । କିନ୍ତୁ ସୁରଞ୍ଜନ–ସେ କେବେ ମନକୁ ଆଣି ଖାଇବେ ନାହିଁ । ପାଣି ଗ୍ଲାସେ ବି ସେ ଆଣି ହାତରେ ପିଇ ପାରିବେନି । ସେଥିପାଇଁ, ଆଜିଯାଏ କେବେହେଁ ଦିନେ ମନସ୍ୱିନୀ ଅଭିମାନ କରି ପାରିନାହିଁ । କିନ୍ତୁ ଆଜି, ଆଜି ସେ ନିଶ୍ଚୟ କରିବ । ଆଜି ସେ ନିଶ୍ଚୟ ସୁରଞ୍ଜନଙ୍କୁ ଓପାସ ରଖିଦବ । ନିଶ୍ଚୟ ।

 

ସୁରଞ୍ଜନର କଥା ଭାବୁ ଭାବୁ, ସହସା ସେ ଯେ ଆସି ପହଞ୍ଚି ଯିବେ, ଏହା ମନସ୍ୱିନୀର ଧାରଣା ନ ଥିଲା । ତାର ସମସ୍ତ ଭାବନା ଯବନିକା ଦେଇ, ମଚମଚ ସେ ଆସି ମନସ୍ୱିନୀ ପାଖରେ ବସି ପଡ଼ିଲେ । ଖୁବ ଦୟନୀୟ ସୁରରେ କହିଲେ…ଭୀଷଣ ଭୋକ । ଖାଇବାକୁ କଣ କରିଛ ?

 

ସୁରଞ୍ଜନର ଅଫିସ ଫେରନ୍ତା ଶୁଖିଲା ମୁହଁ ଦେଖି, ମନସ୍ୱିନୀର ସବୁ ଅଭିମାନ ଆପେ ଆପେ ଧୋଇ ହୋଇଗଲା । ସେ ବ୍ୟସ୍ତ ହୋଇ କହିଲା, ମୋ ରାଣ, ରାଗନା, ଆଜି କିଛି କରି ପାରିନି । ଚୂଡ଼ା ଖାଇଦିଅ ।

 

ସୁରଞ୍ଜନ ରାଗିଲେ ନାହିଁ । ଏମିତି କିଛି ସାମାନ୍ୟ ଅସୁବିଧା ପାଇଁ ତାଙ୍କର ଖୁବ୍‍ ଉଦାରତା ଅଛି । ମନସ୍ୱିନୀ ଯଦି କିଛି ନ କରିପାରେ ସେ ଚଳେଇ ନିଅନ୍ତି । ମନସ୍ୱିନୀ ଯଦି ଗୃହ କର୍ମରେ ଅବଶ ହୋଇପଡ଼େ ସେ ତାକୁ ସାହାଯ୍ୟ କରି ବସନ୍ତି । ବୋଧେ ସେଇଟା ତାଙ୍କର ଅଭ୍ୟାସ । ପ୍ରାଚୀନ ଅଭ୍ୟାସ ।

 

ଅବଶେଷରେ ଚୂଡ଼ା କଦଳୀ ଚିନି ଓ କ୍ଷୀର ସମ୍ମିଶ୍ରଣରେ ସୁରଞ୍ଜନଙ୍କର ଅପରାହ୍ନର ଜଳଖିଆ ପ୍ରସ୍ତୁତ ହେଲା ।

 

ସୁରଞ୍ଜନ ଖାଉଥିବାବେଳେ ପାଖରେ ବସି, ମନସ୍ୱିନୀ ପଚାରିଲା-ଆଜି ସନ୍ଧ୍ୟାରେ ତମର କିଛି କାମ ନାହିଁ ତ ?

 

କାହିଁକି ?

 

“ଆଜି ଚାଲ, ବରୁଣେଇ ଆଡ଼େ ବୁଲିଯିବା । ସେଇ ନିର୍ଜନ ଉପତ୍ୟକାରେ ଜ୍ୟୋସ୍ନାର ଉତ୍ସବ ଦେଖିବା ।

 

ସୁରଞ୍ଜନ ପାଟି କରି ହସି ଉଠିଲେ…କହିଲେ, କି ରୁଚି ତମର ମନି । ଡିସେମ୍ବର ଶୀତରେ ଥରି ଥରି ତମେ ଜ୍ୟୋସ୍ନାର ଉତ୍ସବ ଦେଖିବ ? ଲୋକେ ତମକୁ ପାଗଳ କହିବେ ନାହିଁ ?

 

ହସି ହସି ମନସ୍ଵିନୀ କହିଲା, ମଜାତ ସେଇଠି । ଶୀତ ଆମକୁ ଡରାଉଥିବ, ଆଉ ଆମେ ତାଠୁ ରକ୍ଷା ପାଇବାକୁ ଚେଷ୍ଟା କରୁଥିବା । ମୁଁ ମୋର ସ୍କାର୍ଫକୁ ଭିଡ଼ି ଧରୁଥିବି । ତମେ ବି ଦୁଇବାହୁ ଛାତିରେ ଛନ୍ଦି, ଶୀତକୁ କିଞ୍ଚିତ ପ୍ରତିରୋଧ କରାଉଥିବ ୟାଠାରୁ କଣ ବେଶୀ ମଜା, ଘରେ ଦୁଆର ଝରକା କିଳି, ରେଜେଇ ତଳେ ଶୋଇ ରହିବାରେ ?

 

ସୁରଞ୍ଜନ ମୁଣ୍ଡ ହଲେଇଲେ, ନାଁ, ଏ ପ୍ରସ୍ତାବ ଗୃହୀତ ହେବ ନାହିଁ । ସଂନ୍ଧ୍ୟାରେ ବହୁତ କାମ ।

 

ତା’ପରେ ସେ ହାତଧୋଇ ମୁହଁ ପୋଛୁ ପୋଛୁ କହିଲେ ଜାଣ, ଏ ଭିତରେ ଗୋଟିଏ କେଶ୍ ମୋ ହାତକୁ ଆସିବ । ସେଇଟା ଏକ ଖୁଣୀ ମାମଲାର କେଶ୍ । ଆସାମୀ ଖୁନ୍ କରିଛି । ବଳିଷ୍ଠ ପ୍ରମାଣ ଅଛି । ସାକ୍ଷୀ ଅଛନ୍ତି । ତେବେ ବି ସେ ମୁକ୍ତି ଚାହେଁ, ଅର୍ଥବଳରେ । ମୋ ପାଖରେ ସେ ଗାଡ଼ିଧରି ପଡ଼ିଗଲା । ତାକୁ ରକ୍ଷା କରିବାଲାଗି ଆପ୍ରାଣ ଚେଷ୍ଟା କରିବି ବୋଲି ପ୍ରତିଶ୍ରୁତି ଦେଇଚି । ତା’ର ଡିଗ୍ରୀ ହେଲେ ସେ କ’ଣ ଦେବ ଜାଣ ? ମୋଟା ଅଙ୍କର ଟଙ୍କା । ତା’ଛଡ଼ା ପ୍ରତିଷ୍ଠା ବି ମୋର ଆସିଯିବ । ଭଲ ଓକିଲଭାବେ ନାଁ ହୋଇଯିବ, ଧାଡ଼ି ଲଗାଇ ଲୋକ ମୋ ଦୁଆରକୁ ଆସିବେ । ପଇସା ଆସିବ, ପ୍ରତିଷ୍ଠା ଆସିବ, ସମ୍ମାନ ଆସିବ–ଏ ସବୁ ଚାହଁ ନା ତୁମେ ?

 

“ନିର୍ଲିପ୍ତଭାବେ ଉତ୍ତର ଦେଲା ମନସ୍ଵିନୀ, ଏତେ ଟିକେ ବି ନୁହେଁ ।

 

‘ଏଥର ସୁରଞ୍ଜନ ମନସ୍ଵିନୀକୁ ସିଧାହୋଇ ଚାହିଁ କହିଲେ, ତମର ସ୍ଵାମୀଙ୍କର ଐଶ୍ୱର୍ଯ୍ୟ, ସମ୍ମାନ, ଉନ୍ନତି ତମେ ଚାହଁନା ?

 

“ମନସ୍ଵିନୀ ମଉଳା ହସ ହସି କହିଲା, କୁହ ପଛେ ମତେ ସ୍ୱାର୍ଥପର, ମାତ୍ର ଯେଉଁ ପ୍ରତିଷ୍ଠା, ଐଶ୍ୱର୍ଯ୍ୟ ମତେ ସବୁଠୁ ବେଶୀ ବଞ୍ଚିତ କରିବ, ମୁଁ ତାକୁ ଚାହିଁବି କାହିଁକି ?

 

ମୁଁ ତମକୁ ବଞ୍ଚନା କରୁଚି । ଏ କଥା ତମେ କହି ପାରୁଛ ?

 

ମନସ୍ୱିନୀ କହିଲା, ଜାଣେ, ତମେ ମତେ ସଂପୂର୍ଣ୍ଣ କରିଚ, ମାତ୍ର ଏଇଟା ସବୁ କିଛି ନୁହେଁ-। ମୋ କଣ୍ଠର ତୃଷା ପାଇଁ ତମେ ସୁବାସିତ ପାନୀୟର ବ୍ୟବସ୍ଥା କରିବାକୁ ଚାହୁଚ; ମାତ୍ର ମୁଁ ଯେ ସ୍ୱଚ୍ଛ ପାଣି ମନ୍ଦାଏ ପାଇଁ ଆକୁଳ, ତମେ ତା ଜାଣନା । ତମେ ଚାହୁଚ ହରରଙ୍ଗୀ ଆଲୋକରେ ମୋର ନୟନତୃପ୍ତି କରାଇବ । ମୁଁ ଚାହେଁ ବିନ୍ଦୁଏ ଜ୍ୟୋତ୍ସ୍ନା….ମାତ୍ର ।

 

ମନସ୍ୱିନୀକୁ ହଲେଇ ଦେଇ ସୁରଞ୍ଜନ କହିଲେ, ଠିକ୍ ତମେ କଣ ଚାହଁ ମନି ? କ’ଣ ଚାହଁ ?

 

ମନସ୍ୱିନୀ ଏହାର ଉତ୍ତର ଦେଲାନି । ଠିକ୍ ସେ କ’ଣ ଚାହେଁ । ଆଃ… କେମିତି କହି ବୁଝେଇ ପାରନ୍ତା ହେଲେ ସୁରଞ୍ଜନକୁ । ତାର ନିଭୃତ ମନ ଓ ସେ ମନର ଗତି ରୀତି, ଆବେଗ, ଖିଆଲର ସେହି ସପ୍ତବର୍ଣ୍ଣି ଫଗୁଣର ସମସ୍ତ କ୍ଷୁଧା ତୃଷାକୁ ସତେ ଯଦି ସେ ସୁରଞ୍ଜନ ଆଗରେ ମେଲେଇ ଦେଇ ଭିକ୍ଷା ମାଗି ପାରନ୍ତା…କଣିକାଏ ଜ୍ୟୋତ୍ସ୍ନା…ଗୋଟିଏ ତରଙ୍ଗ ।

 

ମନସ୍ୱିନୀ ନିରୁତ୍ତର ରହି ଝରକାବାଟେ…ବରୁଣେଇ ଶୀର୍ଷରେ ଉକୁଟି ଉଠିଥିବା ଆନତ ସଂଧ୍ୟାର ବର୍ଣ୍ଣଛଟାକୁ ଚାହିଁ ରହିଥିଲା ।

 

ମନସ୍ୱିନୀର ଅନ୍ୟମନସ୍କତା ଦେଖି ସୁରଞ୍ଜନ କହିଲେ…ଜାଣେ, ତମେ ମୋଟେ ମତେ ଭଲ ପାଅନା । ତମେ ଭାରି ରହସ୍ୟମୟୀ ।

 

ସୁରଞ୍ଜନର ଏହି କଥାରେ ମନସ୍ୱିନୀ ହସିଲା…ସେ ଜାଣେ ଅବଶେଷରେ ସୁରଞ୍ଜନ ଏହାହିଁ କହିବ । ସେ କହିଲା, ଏତେ ବର୍ଷ ଏକାଠି ରହିବା ପରେ ମଧ୍ୟ, ଆମେ ଯଦି ପରସ୍ପରକୁ ବୁଝି ନ ପାରୁ ସେ ଆମର ବଡ଼ ଅପାରଗତା । ସ୍ତ୍ରୀର ଭଲ ପାଇବା, ମାଟି ପରି ସତ୍ୟ, ଶକ୍ତ ଓ ଚିରନ୍ତନ । ମାତ୍ର ମୁଁ ଏତିକି ଚାହେନା-ମୁଁ ଚାହେଁ ସେଇ ମାଟି ଉପରେ କିଛି ସବୁଜ ତୃଣ-ଗୁଚ୍ଛ-ଉପରେ ଟିପି-ଟିପି ଶିଶିର ନିର୍ଯ୍ୟାସ…ଆଉ ସେଇ ସ୍ୱଚ୍ଛ-ଶିଶିର-ଦର୍ପଣରେ ସୂର୍ଯ୍ୟର-ଆତ୍ମ-ନିବେଦନ । କି ସୁନ୍ଦର । କହିଲ ଭଲା, ଶିଶିର କଣାରେ ସୂର୍ଯ୍ୟ ଭିଜିଯାଏ, ନାଁ ସୂର୍ଯ୍ୟ ଦେହରେ, ଶିଶିର-କଣା ଭିଜେ ?

 

ହୋ, ହୋ, ହୋଇ ସୁରଞ୍ଜନ ହସି ଉଠିଲା । କହିଲେ, ଗୁଡ଼ାଏ ବାଚାଳ ଶବ୍ଦ ଛଡ଼ା, ତମ କଥାରୁ ଆଉ କିଛି ମୁଁ ବୁଝୁନି । ମୋର ସମୟ ବି କମ । ମୁଁ ଏଥର ଯାଏ ?

 

ଅପଲକ, ସ୍ତବ୍‌ଧ ଦୃଷ୍ଟିରେ ଚାହିଁଲା ମନସ୍ୱିନୀ । ସେ ବାଚାଳ ? କଥାଗୁଡ଼ାକ ତାର ପ୍ରଳାପ ? କିଛି ନୂଆ କଥା ନୁହେଁ, ଏ ଆଘାତ, ଏ ଉପେକ୍ଷା, ତାର ଚିରଦିନର । ଦେହସୁହା ହୋଇଛି; ମନ କ୍ଷତି ବିକ୍ଷତ ହୋଇଚି । ସେ କହିଲା…ହଁ ତମେ ଏଥର ଯାଅ, ତମେ ଯାଅ ।

 

ମନସ୍ୱିନୀର ମୁହଁକୁ ଥରେ ଚାହିଁ…ଅନୁମତି ପାଇଲା ପରେ ଖୁସି ମନରେ ସୁରଞ୍ଜନ ଚାଲିଗଲେ । ତାଙ୍କ ଯିବା ପଥକୁ ଚାହିଁଥିଲା ମନସ୍ଵିନୀ । କେତେ ଏକା ସେ ସତେ, କେତେ ଏକା ! ସୁରଞ୍ଜନ ଖୁସି ମନରେ ଚାଲିଗଲେ । ମନସ୍ୱିନୀର “ହ–ତମେ ଯାଆ”ର ସେହି ଝୁଲନ୍ତ ପରଦାକୁ ଅପସାରି, ସେହି କୋଠରୀ ଭିତରେ ପଶିଲେ ନାହିଁ ତ, ଦେଖିଲେ ନାହିଁ ତ ସେହି ନୀରବ ନିଭୃତ ବୀଣାଟିକୁ….ଯିଏ, ଏକ ମଧୁ-ମୂର୍ଚ୍ଛନା ଢାଳିବା, ଲାଗି, ଏକ କୁଶଳୀ ଶିଳ୍ପୀକୁ ଚାହିଁ ବସିଛି । ସୁରଞ୍ଜନ ସତେ କିଛି ବୁଝି ପାରେନା…. ?

 

ମନସ୍ୱିନୀ ଦୀର୍ଘଶ୍ୱାସ ଛାଡ଼ିଲା । ନିଜକୁ ଭାରି ଅପମାନିତ ମନେ ହେଲା । ସେ ଗୁଣୁଗୁଣୁ ହୋଇ କହିବାକୁ ଲାଗିଲା-ବେଶ୍ ତମେ ଯାଅ, ତମେ ଯାଅ । ମୁଁ ଏକା, ତେଣୁ ମୁଁ ଏକାହିଁ ଯିବି । ଶୂନ୍ୟାଶ୍ରୟୀ ଲତା ମୁଁ । ଶୂନ୍ୟକୁ ବେଢ଼ି ମୁଁ ଊର୍ଦ୍ଧ୍ଵମୁଖୀ ହେବି । ନିଶ୍ଚୟ ! ନିଶ୍ଚୟ !

 

ତା’ପରେ ସେ ଧୀରେ ଧୀରେ, ସେଇ ଅଯତ୍ନ ବେଶରେ, ସେଇ ଶାଢ଼ିରେ, ଧୀରେ ଧୀରେ ଘରୁ ବାହାର ହୋଇଗଲା । ସେମିତି ଗୁଣୁ ଗୁଣୁ ହେଉଥିଲା…..ଶୂନ୍ୟାଶ୍ରୟୀ ଲତା ମୁଁ । ଶୂନ୍ୟକୁ ବେଢ଼ି ଊର୍ଦ୍ଧ୍ଵମୁଖୀ ହେବି, ଊର୍ଦ୍ଧ୍ଵମୁଖ୍ୟ ହେବି ।

 

ସନ୍ଧ୍ୟା ଗଡ଼ି ଯାଇଥିଲା । ରାସ୍ତାର ଧାରେ ଧାରେ ବତୀଖୁଣ୍ଟଗୁଡ଼ିକ ଜଳି ଉଠିଥିଲେ । ସନ୍ଧ୍ୟାର କୋଳାହଳ ଲାଗି ରହିଥିଲା । ରାଜପଥରେ ଚାଲୁଚାଲୁ ମନସ୍ୱିନୀ ଭାବୁଥିଲା ସୁରଞ୍ଜନର କହିବା ଅନୁସାରେ, ଲୋକେ ତାକୁ ପାଗଳ ଭାବୁଥିବେ, ଭାବନ୍ତୁ, ଲୋକେ କହୁଥିବେ, ହେଇ ଦେଖ୍, ସୁରଞ୍ଜନ ମହାନ୍ତିର ସ୍ତ୍ରୀ ସନ୍ଧ୍ୟାରେ ଏକା ଏକା କେମିତି ବରଣାଇ ଆଡ଼େ ଧାଇଁଛି । ପାଗଳ ନାଁ କ’ଣ ?

 

କାହିଁକି ? କାହିଁକି ଏ ଆକ୍ଷେପ ? ମୁଁ କ’ଣ ଖାଲି ସୁରଞ୍ଜନର ସ୍ତ୍ରୀ ? ବୁବୁ ଓ ବିବିର ମା-? କାହାର ଝିଅ ? ଏତିକି କ’ଣ ମୋର ପରିଚୟ ? ଉପରେ ଦିଗନ୍ତ ବିସ୍ତୃତ ଆକାଶ ଅଛି; ତଳେ ମାଟି ଅଛି; ଏ ଚନ୍ଦ୍ର, ତାରା, ଜ୍ୟୋତ୍ସ୍ନା,–ତା’ର ପରିଚୟ କ’ଣ ? ସବୁ ତ ବିଶ୍ଵନିୟନ୍ତାଙ୍କର ସୃଷ୍ଟି-। ସେଇ ମହାସାଗରର ମୁଁ ଏକ କ୍ଷୁଦ୍ର ଜଳକଣା ମୁଁ ବି ତ ଜ୍ୟୋସ୍ନାରେ ଫେଣ୍ଟି ହୋଇ ରହିଯିବି, ସମୀରରେ ଶୀତ୍‌କାର ହୋଇ ରହିବି, ତମେ ମତେ ବାରଣ କରୁଚ କାହିଁକି-?

 

ସତକୁ ସତ ଚମକି ପଡ଼ି ଚାହିଁଲା ମନସ୍ୱିନୀ-ସାମ୍ନାରେ ତା’ର ପଡ଼ୋଶୀ ଯଶୋବନ୍ତ । ସେ ଫେରିବାଲା; ସାଢ଼େ ଛ’ଣିଆ ଜିନିଷ ସବୁ ଠେଲାରେ ଧରି ବିକ୍ରି କରେ । ସେ ତା’ ଠେଲାଧରି ଠିଆ ହୋଇଚି ଓ ସେଇ ବରଗଛ ମୂଳର କୁଷ୍ଠରୋଗୀ ସ୍ତ୍ରୀଟି ସହ ବଚସା ଆରମ୍ଭ କରି ଦେଇଚି ।

 

ମନସ୍ୱିନୀକୁ ଦେଖି ଯଶୋବନ୍ତ କହିଲା, ଦେଖ ମା, ଏ ମାଇକିନା ଏଡ଼େ ବଜ୍ଜାତ୍, ମୋଠୁ ହଳେ କାନଫୁଲ ନେଲା, ଗୋଟାଏ ବାସ୍ନା ତେଲ ଶିଶି ନେଲା, ଗୋଟାଏ ହେୟାର ପିନ୍ ନେଲା । ଅଥଚ ପଇସା ଦଉନି ।

 

ବାଧା ଦେଇ ସ୍ତ୍ରୀଲୋକଟି କହିଲା, କି ମିଛ କହୁଚୁରେ ? ସବୁ ପଇସା ଦେଲି, ଚାରଣା ବାକି ରହିଲା, କାଲି ଦେଇ ଦେବି ବୋଲି ତ କହୁଚି । ମୁଁ କ’ଣ କୁଆଡ଼େ ଯାଉଚି କି ? ମୁଁ ତ ଏଇଠି ଅଛି । ମା’ କ’ଣ ମତେ ଦେଖି ନାହାନ୍ତି ? ଚାରଣା ପଇସା କାଲି ଦେଇ ଦେବି, ତଥାପି ପରତେ ଯାଉନୁ ।

 

ଯଶୋବନ୍ତ ଖତେଇ ହେଲା–କାଲି ଦେଇ ଦେବି କାଲି… ! ଭିକ ମାଗିବ, ଦୁଆର ଦୁଆର । ତହିଁକି ଏଡ଼େ ସଉକି । ମୁଁ କାଲି ଫାଲି କିଛି ଜାଣେନା ମତେ ଅବି ପଇସା ଦେଇଦେ । ମୋ ଜିନିଷ ମୁଁ ତୋଠୁ ଫେରେଇ ନେବିନି, ତୁଟା ରୋଗିଣା ମଣିଷ !

 

ମନସ୍ୱିନୀ ଏ କଥାରେ ବଡ଼ ଅପ୍ରତିଭ ହୋଇଗଲା । ଛା’ଣିଆ ସେଇ ଚକ୍ ଚକ୍ କାନଝୁମୁକା ଓ ହେୟାର ପିନ୍‍କୁ ବଡ଼ ଲୋଲୁପ ଦୃଷ୍ଟିରେ ଦେଖୁଚି କୁଷ୍ଠରୋଗୀ ସ୍ତ୍ରୀଟି । ଆର ହାତରେ ମୁଠେଇ ଧରିଚି ଶସ୍ତା ବାସ୍ନା ତେଲର ଶିଶିଟିକୁ-କେଡ଼େ ସରାଗରେ । ସେ ଯଶୋବନ୍ତକୁ ଚାହିଁ କହିଲା–ଶୁଣ, କାଲି ଚାରଣା ପଇସା ତମେ ଆମ ଘରୁ ନେଇଯିବ, ଏଇନେ ମୋ ପାଖେ ପଇସା ନାହିଁ । ତାକୁ ଛାଡ଼ି ଦିଅ ।

 

ଯଶୋବନ୍ତ ଏ କଥାରେ କେମିତି ଅପ୍ରତିଭ ହେଲା ତାକୁ ଚାହିଁ । ହସି କହିଲା ମନସ୍ୱିନୀ, ଠିକ୍ ଅଛି । କାଲି ସକାଳେ ଆସ ! ତା’ ପରେ ସେ ସ୍ତ୍ରୀଲୋକଟିକୁ ଚାହିଁ କହିଲା, ଯା’ ତୋ ଘରକୁ ଯା’ ।

 

ରୋଗିଣା ସ୍ତ୍ରୀଟି ହସି ହସି ମନଖୁସିରେ ଚାଲିଗଲା ।

 

ତାକୁ ଚାହିଁ ଚାହିଁ ମନସ୍ୱିନୀ ନିଜ ବାଟରେ ଆଗେଇଲା । ସାମ୍ନାରେ ବିରାଟ ପ୍ରାନ୍ତରେ । ଏଇଠି ବସିଲେ ସଂପୂର୍ଣ୍ଣ ବରୁଣେଇ ଦିଶିବ । ଆଜି ସେ ଜ୍ୟୋସ୍ନାରେ ପୋତି ହୋଇ ପଡ଼ିଛି ।

 

ହଠାତ୍ ସେଇଠି, ବସିବାକୁ ମନ ହେଲା, ଆଉ ବସି ପଡ଼ିଲା ମନସ୍ୱିନୀ; ମଥା ଉପରେ ଶୀତ ରାତିର କାକର ଝରି ଓଢ଼ଣାକୁ ଈଷତ୍ ଆର୍ଦ୍ରକରି ସାରିଲାଣି । ଜ୍ୟୋସ୍ନାର ଆଲୋକ ଭିତରେ, ଶିଶିର-ଗୁଣ୍ଡାଗୁଡ଼ିକ, କର୍ପୂର ଗୁଣ୍ଡପରି ଫେଣ୍ଟି ହୋଇ ଯାଉଚି । ଏକ ବିସୃତ ଚାନ୍ଦୁଆ ପରି ଜ୍ୟୋସ୍ନା ଘେରି ରହିଚି ଚଉଦିଗ । ତା’ ଭିତରେ ବୁଡ଼ି ଯାଉଚି ଏଇ ସହର, ଏଇ ବନଭୂମି, ଏଇ ପ୍ରାନ୍ତରର ପ୍ରତି ଦୁବ ଲୋମକୂପ ଦେଇ ଧରିତ୍ରୀ ଯେମିତି ପିଉଚି ତା’ର ନିର୍ଯ୍ୟାସ । ମନସ୍ୱିନୀ ମୁହଁ ଟେକି ଚାହିଁଲା, ସାମ୍ନାରେ, ପ୍ରାୟ ନିକଟରେ, ବରୁଣାଇର ଶ୍ୟାମଳ ଐଶ୍ଵର୍ଯ୍ୟ । ଅଭିଭୂତ ଅବା ତା’ର ନିସ୍ପନ୍ଦ ଶରୀର । ତା’ର ସବୁ ଲତା, ପାଦପ, ତୃଣ, ପତ୍ରର, ସ୍ତର ସ୍ତରକୁ ଅତିକ୍ରମ ଜ୍ୟୋତ୍ସ୍ନାର ଏଇ ନିବିଡ଼ ପ୍ଲାବନ, ତା’ର ପ୍ରସ୍ତର ଆତ୍ମାର ଅତଳ ଗହ୍ୱରକୁ ଛଳ ଛଳ କରି ଦଉଚି ଅବା । ମନସ୍ୱିନୀ ଅପଲକ ଆଖିରେ ଚାହିଁଥିଲା, ଏ ବରୁଣେଇର ପ୍ରସ୍ତ ପ୍ରସ୍ତ ଅବଗୁଣ୍ଠନ କ୍ରମେ କ୍ରମେ ଖୋଲି ଯାଉଚି । ଏହି ରଜତ ସ୍ରୋତରେ ଆଉ ଏକ ସ୍ରୋତ ଆସି ମିଶିଯାଉଚି । ମନସ୍ୱିନୀର ମନରେ ଅଭୂତପୂର୍ବ ଶିହରଣ ଜାଗିଉଠିଲା । ତା’ର ମନେ ହେଲା, ଠିକ୍ ଏଇ ବରୁଣେଇ ପରି, ତାର ମନର ସବୁ ଆବରଣ ଖୋଲି ଯାଉଚି ଆସ୍ତେ ଆସ୍ତେ । ଆସ୍ତେ ଆସ୍ତେ ବିଗଳିତ ହୋଇ ଉଠୁଛି ତା’ର ସମସ୍ତ ସତ୍ତା; ଆଉ ତା ମନର ଗଭୀର ଅତଳର ସେଇ ଯେଉଁ ଝିକିମିକି ତାରାଟି, ଏଇ ଜ୍ୟୋତ୍ସ୍ନା…ର…ମହା…ଚେତନା ଭିତରେ ବିଛୁରିତ ହୋଇ ତାକୁ ଯେମିତି ତୋଳି ନଉଚି, ଆହ୍ଲାଦରେ ।

 

ନିଜକୁ ଏକ ଅଭିଭୂତ ତନ୍ମୟତା ଭିତରେ ଆଖିବୁଜି ବୁଡ଼େଇ ରଖିଲା ମନସ୍ୱିନୀ । ପରେ ଯେତେବେଳେ ସେ ପ୍ରକୃତିସ୍ଥ ହେଲା ସେତେବେଳେ ତା’ର ଦେହ, ମନ, ପ୍ରାଣ ସବୁ ଜ୍ୟୋତ୍ସ୍ନା ଛଳ ଛଳ । ସେ ଉଠି ପଡ଼ିଲା । ଆଜି ସୁରଞ୍ଜନକୁ କହିବ, କହିବ-ମୋର ଆନନ୍ଦର ବିପୁଳତା ଭିତରେ, ତମକୁ ବି ପାଏ ମୁଁ । ବିପୁଳ ଭାବରେ; ତମେ କେବେ ଏମିତି ପାଅ ମତେ ?

 

ମନସ୍ୱିନୀ ସୁରଞ୍ଜନ ପାଖରେ, ନିଜକୁ ବ୍ୟକ୍ତ କରିବାକୁ ବ୍ୟସ୍ତ ହୋଇ ଉଠିଲା । ସେ କ୍ଷିପ୍ର ପଦକ୍ଷେପରେ ଫେରିବାର ରାସ୍ତା ଧରିଲା ।

 

ସେହି ଜ୍ୟୋତ୍ସ୍ନା ଚର୍ଚ୍ଚିତ ରାଜପଥ ଉପରେ ଜ୍ୟୋତ୍ସ୍ନା ଭିତରେ ପହଁରିଲା ପରି-ଘର ସଂସାର କରିଥିବା, ଛୁଆ ପିଲାର ମା’ ହୋଇଥିବା, ତିରିଶ ଏକ୍‌ତିରିଶ୍ ବର୍ଷର ସେହି ଅଧାପାଗଳ ନାରୀଟି ଚାଲିଗଲା ଚୁପ୍ ହୋଇ ।

 

ଯାଉ ଯାଉ କାହାର ଅସ୍ପଷ୍ଟ ସଙ୍ଗୀତରେ ସେ ଫେରି ଚାହିଁଲା; ଠିକ ସଙ୍ଗୀତ ନୁହେଁ, ଗୋଟିଏ ଗୁଣୁ ଗୁଣୁ ଗୀତର ସୁର । ତା’ ପଥର ଏକ ପାର୍ଶ୍ୱରେ, ସେଇ ଝଙ୍କା ବରଗଛ ମୂଳେ, ସେଇ କୁଡ଼ିଆ ସାମ୍ନାରେ, ତିଳ ତଣ୍ଡୁଳିତ ଜ୍ୟୋତ୍ସ୍ନାର ଔଜ୍ଜଲ୍ୟ ଭିତରେ ସେଇ କୁଷ୍ଠରୋଗୀ ସ୍ତ୍ରୀଟି ଗୋଡ଼ ଲମ୍ବାଇ ବସି ସିନେମାର କି ଗୋଟେ ଗୀତ ବଡ଼ ଆହ୍ଲାଦରେ ଗାଇ ଚାଲିଛି । ସଦ୍ୟ କିଣିଥିବା, ବାସ୍ନା ତେଲରେ, ମୁଣ୍ଡକୁ କରିଛି ଜରଜର । ତା ଉପରେ ସେହି ହେୟାରପିନ ଓ କାନର ସେଇ ଝୁମୁକା । ପରିଷ୍କାର ଜହ୍ନ ଆଲୁଅରେ ସବୁ ଜକଜକ ଦିଶୁଛି । ଛୋଟ ଏକ ଦର୍ପଣ ଉପରେ, ନିଜ ମୁହଁକୁ ନୁଆଁଇ ଦେଇ, ସେ ଖୁସିରେ ଗୀତ ଗାଉଚି । କ୍ରମେ କ୍ରମେ ତା’ର ଗୀତର ସୁର, ଆହୁରି ଆହୁରି ଲଘୁ ହୋଇ ଯାଉଚି ।

 

ଟିକେ ଠିଆ ହେଲା ମନସ୍ଵିନୀ । ସେଇ ସ୍ତ୍ରୀ ଲୋକଟିର ଖୁସିର ସେହି ଭାବାବେଶକୁ ବେଶ୍ ଲକ୍ଷ୍ୟ କଲା ସେ । ପରେ, ଦୃଷ୍ଟି ଫେରାଇ ନିଜ ଗତିକୁ କ୍ଷିପ୍ର କଲା । ତା’ ଆଖିରେ ସ୍ପଷ୍ଟ ଦିଶୁଥିଲା ଅର୍ଥ ଓ ପ୍ରତିଷ୍ଠା ପାଇଁ ଏକାନ୍ତ ଯତ୍ନଶୀଳ ସୁରଞ୍ଜନର ସେହି ଚିନ୍ତାନ୍ଵିତ ଉଦାସ ମୁହଁ ଖଣ୍ଡିକ-

Image

 

ନେପଥ୍ୟେ

 

ଆମ୍ଭମାନଙ୍କର ସମ୍ପର୍କ ଥିଲା ଦେବମନ୍ଦିର ସଦୃଶ ପବିତ୍ର । ସ୍ନେହ ଶ୍ରଦ୍ଧା ଓ ଆନ୍ତରିକତାର ନିଷ୍ଠା ଥିଲା ଏକ ସନ୍ଧ୍ୟା ଦୀପର ଔଜ୍ଜ୍ୱଲ୍ୟ ଭଳି ମହାନ୍ । ପରସ୍ପରର ବିଶ୍ଵାସବୋଧ ଥିଲା ଇସ୍ପାତ ପରି ଶକ୍ତ । ଏକ ଐକାନ୍ତିକୀ ଜ୍ୟୋସ୍ନା ରାତିର ମାୟା ନେଇ, ଆମେ ତ ପରସ୍ପରକୁ ଆକର୍ଷଣ କରୁଥିଲୁ । ଜୀବନପଥରେ ଏକାତ୍ମ ହୋଇ ଭିନ୍ନ ନ ହେବାକୁ ଆମେ ତ ଥିଲୁ ପ୍ରତିଶ୍ରୁତ ।

 

କିନ୍ତୁ କାଲି ଯାହା ଥିଲା, ଆଜି ଠିକ୍ ତାହା ନାହିଁ । କାଲିର ସେହି ଦେବମନ୍ଦିରରେ ଆଜି କେଉଁଠି ଏକ ତିଳାକୃତିର ନିରୀହ ପାପଟିଏ ତା’ର ଅନ୍ଧକାରକୁ ଧରି ଛମ ଛମ ହେଉଛି । କାଲିର ନିର୍ଭୀକ ବିଶ୍ଵାସବୋଧରେ ଆଜି କେମିତି ଭୀରୁତାର ପ୍ରଚ୍ଛନ୍ନ ଆବରଣ । ଆଜି କେମିତି ସବୁ ଅସ୍ପଷ୍ଟ, ଝାପ୍‌ସା, ନିରସ, ଶ୍ରୀହୀନ ।

 

ଏହି ବିପର୍ଯ୍ୟୟର ଉପକଣ୍ଠ ସାମାନ୍ୟ ଘଟଣା ନୁହେଁ । କାଲିର ରାତ୍ରି ଓ ଆଜି ଏଇ ସକାଳର ବ୍ୟବଧାନ ସାତ ଆଠଘଣ୍ଟା ସମୟ ମଧ୍ୟ ନୁହେଁ । ସେ ସମ୍ଭବତଃ ବିନା ମେଘରେ ଏକ ଦାରୁଣ ବଜ୍ରପାତ । ସେ ବଜ୍ରପାତ କଅଣ ନ କରିଛି ? ଦଗ୍‌ଧ କରି ଦେଇଚି ଏକ ପ୍ରସ୍ଫୁଟିତ ଫୁଲବନ, ସେ ନିଃସ୍ୱ କରି ଦେଇଚି ଏକ ଦରିଦ୍ର ମାଳାକାରକୁ । ସର୍ବୋପରି ଏକ ଉଦୀୟମାନ ଯୁବକର ଉଜ୍ଜ୍ୱଳ ବ୍ୟକ୍ତିତ୍ଵ ଉପରେ ଏକ ନାଲି ଅକ୍ଷରର ନୋଟିସ୍ ଝୁଲାଇ ଜଳତ୍‍ପାଇଁ ଲେଖି ଦେଇଚି Caution ।

 

କିଏ ବିଶ୍ଵାସ କରିବ ଯେ ସେଇ ହତଭାଗ୍ୟ ଯୁବକ ମୁଁ ? ମୁଁ ହେମକାନ୍ତ ଦାସ । ସମାଜରେ ମୁଁ ସୁପରିଚିତ । କବିଭାବରେ ମୋର ଖ୍ୟାତି ସର୍ବଜନ ଆଦୃତ । ମୋର କୃତିତ୍ୱ ବିଶ୍ଵବିଦ୍ୟାଳୟର ଆଲୋକସ୍ତମ୍ଭ । ମୁଁ ସଂଯତ, ମାର୍ଜିତ, ନମ୍ର, ହେମକାନ୍ତ ଦାସ—କିଏ ବିଶ୍ଵାସ କରିବ ଯେ—ମୁଁ ଅପରାଧ କରିଛି ? ଅସାମାଜିକ ଅପରାଧ । ମୁଁ ବିଶ୍ଵାସଘାତକତା କରିଛି ମୋର ପରମ ହିତାକାଙ୍‍କ୍ଷୀ, ଅନ୍ନଦାତା, ଆଶ୍ରୟଦାତା ରାୟ ଚୌଧୁରୀଙ୍କ ପ୍ରତି । ସେ ଅପରାଧ ଉଦ୍‍ଘାଟିତ ହୋଇଛି ସାମାନ୍ୟ ଏକ ପରିଚାରକଦ୍ଵାରା ।

 

ମୁଁ ଅପରାଧ କରିଛି ! ନିଦାରୁଣ ବେଦନା ଓ ନିରୁପାୟ ହତାଶାରେ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡ଼ିଲାବେଳେ ଏହା ସ୍ୱୀକାର ନ କରିବା ଛଡ଼ା ମୋର ଅନ୍ୟ ପନ୍ଥା ନାହିଁ; କିନ୍ତୁ ସତେ କ’ଣ ମୋର କିଛି ବିକଳ୍ପ ଥିଲା ? ସତେ କ’ଣ ଏକପଶୁବୃତ୍ତି ମୋତେ ସଂପୂର୍ଣ୍ଣ ଗ୍ରାସ କରିଥିଲା; କିନ୍ତୁ ଘଟଣାଚକ୍ରରେ ମୁହିଁ ତ ହେଲି ଦୋଷୀ ! ଅପରାଧୀ । ମତେ ଏହା ମାନିବାକୁ ହିଁ ହେଲା ।

 

“ମୁଁ ଜାଣେ ଏ ରାତି ପାହିବା ମାତ୍ରେ, ଏ ଘଟଣା ଛପି ରହିବ ନାହିଁ, ରହି ପାରିବ ନାହିଁ । ଅପବାଦ ତ ନିଆଁପରି ଚାହୁଁ ଚାହୁଁ ସର୍ବତ୍ର ଚରିଯିବ । ଏ କଥା ମଧ୍ୟ ତୁଣ୍ଡକୁ ତୁଣ୍ଡ ଡେଇଁ ଡେଇଁ ସର୍ବତ୍ର ବ୍ୟାପିଯିବ । କେବଳ ରାୟଚୌଧୁରୀ ପରବାରବର୍ଗ ନୁହେଁ; ବାହାରେ ସମସ୍ତେ ଏହା ଜାଣିବେ । ମୋର ବନ୍ଧୁ ବାନ୍ଧବୀ ସହକର୍ମୀ ସମସ୍ତେ । ରାଜରାସ୍ତାରେ ସବୁଦିନ ପରି ମୁଁ ଆଉ ମୁଣ୍ଡ ଟେକି ବୀର ଦର୍ପରେ ଚାଲି ପାରିବି ନାହିଁ । ମୋରି ଆଡ଼କୁ କଣେଇ ଚାହିଁ ସମସ୍ତେ ଠରାଠରି ହେବେ ହସାହସି ହେବେ । ମୋତେ ଦେଖିଲେ ଟୁପ୍‌ଟାପ୍ କଥାବାର୍ତ୍ତା ଆରମ୍ଭ ହୋଇଯିବ । କେହି କେହି କହିବେ, ହେଇ, ଏଇ ଲୋକଟା ହେମକାନ୍ତ ଦାସ । ସେ ଅମୁକ ଅମୁକ କରିଥିଲା । ରାୟଚୌଧୁରୀ ଘର ଦୁଧ ଦେଇ ସାପ ପୋଷିଥିଲେ ।

 

ଓଃ, ଏତେ ବଡ଼ ଦୁର୍ନାମ ମୋରି ଭାଗ୍ୟରେ ଲେଖାଥିଲା ? ମୁଁ ଜାଣେ; ମୋର କ୍ଷତକୁ ଲିଭାଇବାପାଇଁ, ମୋର ଅନ୍ତରଙ୍ଗ ବନ୍ଧୁ କେଇଜଣ ଆସି ମତେ ସାନ୍ତ୍ୱନା ଦେବେ । ପିଠି ଆଉଁସି କହିବେ, ଛି; ଏଇ ସାମାନ୍ୟ ଘଟଣାପାଇଁ ଏତେ ଭାବୁଚୁ ? ୟେ’ ତ ସଚରାଚର ଘଟୁଚି । ଆଜିକାଲି ଅନେକ ବଡ଼ ବଡ଼ ଅପରାଧ ମଧ୍ୟ ଅପରାଧ ବୋଲି ଧରା ଯାଉନାହିଁ । ଉଠ୍ । ଧୂଳି ଝାଡ଼ । ଫୁର୍ତ୍ତି ହୁଅ । ମୋର ବନ୍ଧୁ ମତେ ବୁଝେଇବେ, ବହଲେଇବେ, ମାତ୍ର ମୁଁ ପାରିବି କି ? ପିଲାଦିନୁ ମୁଁ ମନସର୍ବସ୍ୱ ମଣିଷ । ମୋର ଚିନ୍ତାଧାରା ଭିନ୍ନ । ମୁଁ ତ ବୁଝେ ଅପରାଧ ହିଁ ଅପରାଧ । ବଡ଼ ଯେତିକି, ସାନ ମଧ୍ୟ ସେତିକି । ଅପରାଧ ଏକ ମାନସିକ ବିପନ୍ନତା, ଏକ ମାନସିକ ବିଚ୍ୟୁତି ଓ ବିକୃତ । ପିଲାଦିନୁ ମୁଁ ଯେମିତି ବ୍ୟାୟାମ କରି ମୋର ଦେହକୁ ପୁଷ୍ଟ କରିଛି, ସେମିତି ମନକୁ ପୁଷ୍ଟ କରିଚି ମୋର ଚିନ୍ତାଧାରା ଦେଇ । ମୋର ମନକୁ ମୁଁ ଯତ୍ନ କରି ଗଠନ କରିଚି, ଶୃଙ୍ଖଳିତ କରିଚି । ଛବି ଆଙ୍କିଲା ପରି ମୁଁ ତ ତାକୁ ଆଙ୍କି ଦେଇଚି । ମୋର କଳ୍ପନାର ଐଶ୍ଚର୍ଯ୍ୟରେ, ସେ ସବୁବେଳେ ସୁନ୍ଦର, ସ୍ୱଚ୍ଛ ଓ ଚିକ୍ ଚିକ୍ । ଆଜି ଛବିଶ ବର୍ଷର, ସେହି ଉଜ୍ଜ୍ୱଳ ମନରେ ମୁଁ ଏ ଅପବାଦର କଳଙ୍କକୁ କେମିତି ସହିବି ? କେମିତି ବୋହିବି ?”

 

ମୁଁ ଜାଣେ ସେମାନେ ଅତି ଭଲଲୋକ । ସେମାନଙ୍କର ସ୍ନେହ ଶ୍ରଦ୍ଧା ଓ ସହୃଦୟତାକୁ ବର୍ଣ୍ଣନା କଲାଭଳି ଭାଷା ମୋର ନାହିଁ । ମୁଁ ଷୋଳବର୍ଷ ଧରି ତାଙ୍କ ସହ ଚଳିଛି । ତାଙ୍କର ସ୍ନେହ ସୁଧା ଆକଣ୍ଠ ପାନ କରିଚି । ତାଙ୍କରି ଅନ୍ନରେ ପ୍ରତିପାଳିତ ହୋଇଚି । ଏକ କଥାରେ ମୁଁ ତ ତାଙ୍କରି ଦ୍ୱାରା ମଣିଷ ହୋଇଚି । ମୁଁ ଜାଣେ ସେମାନେ ମୋର ଅପରାଧକୁ ଏଡ଼େଇ ଯିବେ, ସତେ କି କିଛି ଘଟିନାହିଁ–ଏଇପରି ବ୍ୟବହାର କରିବେ । ଅନ୍ତରରେ ଘୃଣା କଲେ ମଧ୍ୟ ବାହାରେ ସେ କିଛି କହି ପାରିବେ ନାହିଁ । ସେମାନେ ନୀରବ ରହିଯିବେ । ଉଦାରତାରେ ମୋର ଦୋଷକୁ ଘୋଡ଼େଇ ଦେବେ । ତାଙ୍କର ସବୁ ଦୟା, କ୍ଷମା, ସହୃଦୟତା ଭିତରେ ମୋର ଅଗ୍ନି ହୁ ହୁ ହୋଇ ଜଳି ଉଠିବ । ସେମାନେ ତାକୁ କେହି ଲିଭାଇ ପାରିବେ ନାହିଁ । ମୁଁ କ’ଣ ପାରିବି ? ନିନ୍ଦା ଓ କୁତ୍ସା ଲାଗି ମୋର ଘୃଣା ତୀବ୍ର । ସେମାନଙ୍କର ଉଦାରତା ମୋର ଅସହ୍ୟ ଆଉ ମୋର ରାଶି ରାଶି ଭୂଲୁଣ୍ଠିତ ସ୍ଵପ୍ନ ?

 

ସେଇ ସ୍ଵପ୍ନର ଶବାଧାରକୁ କାନ୍ଧରେ ନେଇ ଅସହାୟ ହୋଇ ଆଜି ଏଇ ଅତି ପ୍ରତ୍ୟୁଷରେ, ମୁଁ ବଗିଚାର ଏକାନ୍ତରେ ଠିଆ ହୋଇଛି । ଅଶ୍ରୁରେ ମୋର ଆଖି ଅନ୍ଧ । ସେହି ରାଶି ରାଶି ଅଶ୍ରୁଫୁଲ, ହୃଦୟର ଗଭୀର ଶ୍ରଦ୍ଧା ଓ ସମ୍ମାନକୁ ସେଇ ନିରକ୍ତ ଶବାଧାର ଉପରେଢ଼ାଳି ଦେଲାବେଳେ ମୋର ବିଦଗ୍‌ଧ ଆତ୍ମା ବିଳାପ କରି ଉଠୁଛି ! ସତେ କ’ଣ ମୁଁ ଅପରାଧ କରିଚି ? ତେବେ ମନ କ’ଣ ? ପ୍ରେମ କ’ଣ ? ଜୀବନ କ’ଣ ?

 

ମୋ ମନର ଗୋଟାଏ ପାଖେ ବିବେକର ଦଂଶନ, ଆଉ ଗୋଟାଏ ପାଖେ ପ୍ରାଣର ବଜ୍ର ଗମ୍ଭୀର ଆହ୍ଵାନ । ପ୍ରେମର ସଂଜ୍ଞା କ’ଣ ? ମନର ସାର୍ଥକତା କ’ଣ ? ଜୀବନର ସୌରଭ କ’ଣ ।

 

ଜୟା, ତମେ କ’ଣ ଆଜି ଏଇ ପ୍ରଶ୍ନର ଉତ୍ତର ମତେ ଦେଇ ପାରିବ ଦେଇ ପାରିବ ? ମୋର ଅପରାଧର କେତେ ବଡ଼ ଏକ ଉଜ୍ଜ୍ୱଳ ନେପଥ୍ୟ ବ୍ୟର୍ଥତାରେ, ଟୋପା ଟୋପା ହୋଇ ଝରି ନଷ୍ଟ ହୋଇ ଯାଉଚି । ତମେ ତା’ ଜାଣି ପାରିବ ? ପାରିବ ?

 

ତା-ତମେ ପାରିବ ନାହିଁ । ତମେ କେବେ ଜାଣି ପାରିବ ନାହିଁ । ତମ ଆଖିରେ ଯେ’ ଜୀବନର ଦୂରନ୍ତ ସ୍ଵପ୍ନ । ତମ ଆଖିରେ ଦୂର ଆକାଶର ନୀଳ ଛାଇ । ତମେ ପାଦତଳର ଦଳିତ ମୃତ୍ତିକାର ଆକୁଳ ଆହ୍ଵାନ ଶୁଣି ପାରିବ ନାହିଁ ।

 

ଯେଉଁଠି ମୋ ପାଇଁ କିଛି ନାହିଁ, ସେଇଠି ମୁଁ ଯାଇ ଠିଆ ହେବି । ମୋର ନିର୍ଜନ ସୃଷ୍ଟିର ସମାଧି ଉପରେ, ଟୋପା ଟୋପା ଅଶ୍ରୁ ଢାଳି ଦେଲାବେଳେ; ମୋର ଆକୁଳ ଶୋକଗୀତ ମୁଁ ଏକାହିଁ ଶୁଣିବି । ମୋର ମୃତ ସ୍ଵପ୍ନର ଉଷ୍ମ-ଶଯ୍ୟାରେ ମୁଁ ରଚିବି ଏକାକୀ ନିଶି ବାସର ।

 

ଜୟା, ମୁଁ କେଡ଼େ ଅସହାୟ ଦେଖି ପାରୁଛ ?

 

ଖୁବ୍ ପିଲାଦିନୁ ମୁଁ ତମକୁ ଦେଖିଚି । ସେଇ ମୃଦୁ ଚପଳ କୈଶୋର ବୟସରୁ । ଯେତେବେଳେ ଫ୍ରକ୍ ପିନ୍ଧ, ଡବଲ ବେଣୀ ଛାଡ଼ି, ସ୍ଲିପିଙ୍ଗ ନେଇ ତମେ ଡେଇଁଥିଲ । ସେଇଦିନୁ ମୁଁ ତମକୁ ଚାହିଁଛି…ଚାହିଁଛି…ଚାହିଁଛି ଯେ ସେ ଚାହିଁବାରେ ଆଉ ପଲକ ପଡ଼ିନାହିଁ । କେତେବେଳେ ତମେ ଫ୍ରକ୍ ଛାଡ଼ି ଶାଢ଼ି ପିନ୍ଧିଲ, ସ୍କୁଲଛାଡ଼ି କଲେଜ୍ ଯାଇଚ, ଚପଳତା ଛାଡ଼ି ଗମ୍ଭୀର ହୋଇଚ, ତମର ସବୁ ପରିବର୍ତ୍ତନର ଅଙ୍ଗ ରାଗକୁ ସାଉଁଟି ନେଇ ମୋର ଦୃଷ୍ଟି ଗାଢ଼ ହୋଇଚି ।

 

ତା’ପରେ ଦିନେ ଅଚାନକ, ନିର୍ଜନ ଫଗୁଣ ମଧ୍ୟାହ୍ନରେ, ଅଳସ ମୁହୂର୍ତ୍ତରେ ଦମକାଏ ଦକ୍ଷିଣା, ପବନପରି ମୋ’ ମନର ସବୁ କବାଟ ଝରକାକୁ ସଶବ୍ଦେ ମେଲେଇ ଦେଇ, ସେ କୋଠରୀକୁ ପଶି ଆସିଲେ । ଅଳି କଲାପରି ଗେହ୍ଲେଇ କହିଲ, ମତେ ଟିକିଏ ଜାଗା ଦିଅ, ମୁଁ ଏଇଠି ରହିବି । ଆଃ ତମେ ସତେ ସେ କଥା କହିଥିଲ ? ମୋ ମନର ସବୁ କାନ୍ଥବାଡ଼ ତ ତାହାହିଁ ଶୁଣିଲା । ମୁଁ ଉଲ୍ଲସିତ ହେଲି, ମୁଁ ରୋମାଞ୍ଚିତ ହେଲି । ତା’ପରେ ସବୁ କବାଟ ଝରକା ବନ୍ଦ କରିଦେଲି । ତମେ ମୋ’ ମନରେ ବନ୍ଦୀ ହେଲ ! ମୁଁ କି କେବେ ଭାବିଥିଲି ତମେ ମୋର ସବୁ ପ୍ରାଚୀର ଡେଇଁ ଚାଲିଯିବ ଫାଙ୍କିଦେଇ !

 

ତା’ପରେ ତମକୁ ନେଇ ଯାଇଚି ଦୂରକୁ…କେତେ ଦୂରକୁ । ଦିଗ୍‌ବଳୟର ନୀଳରେଖାରେ, ନିଶାନ୍ତ ନକ୍ଷତ୍ରର ଟିପା କପାଳରେ ମାରି, ରୂପର ରୋଷଣୀ ଜାଳି, ତମେ ହୋଇଚ ମୋ ପ୍ରେମର ଅଭିସାରିକା । ଜ୍ୟୋତ୍ସ୍ନାର ହଂସୁଲି ଶଯ୍ୟାରେ, ସୁଆଇ ତମକୁ ଶୁଣେଇଚି, ଏଇମନର କେତେ ଆକୁଳ ବେହାଗ ।

 

ମୁଁ କବି । ମୋର ଜୀବନରେ ଅର୍ଦ୍ଧେକ ବାସ୍ତବ,ଅର୍ଦ୍ଧେକ କଳ୍ପନା । ସେଇ କଳ୍ପନାରେ ମୁଁ ତମକୁ ସଜାଡ଼ିଛି ଅପୂର୍ବ କରି । ଆଙ୍କି ଦେଇଚି ମୋ’ ପ୍ରେମର ଗାଢ଼ ରଙ୍ଗ ଦେଇ, ରାଶିରାଶି କବିତା ଲେଖିଚି । ଏ ଉନ୍ମୁକ୍ତ ହୃଦୟକୁ ମେଲେଇ ଦେଖିଚି, ସେଠି ଯେ ସ୍ତୂପସ୍ତୂପ କୁସୁମଶସ୍ୟ–ତା’ର ସୁଗନ୍ଧ ଉଛୁଳି ଢେଉ ଭାଙ୍ଗିଛି । ତା’ର ପାଖୁଡ଼ା ସମୀରରେ ଆନ୍ଦୋଳିତ ହୋଇଚି । ମୁଁ ମନଭିତରେ ନିରବତାରେ ଅସ୍ଥିର ହୋଇଚି, ଏ ପର୍ଦ୍ଦା ଉଠିବ କେବେ ?

 

ସେ ପର୍ଦ୍ଦା ଆଉ ଉଠି ନାହିଁ । ତମେ ନିଜେ କେବେ ଆସି ଉଠେଇ ଦେଇନାହିଁ । ନିଜକୁ ପ୍ରକାଶ କରିବା ପାଇଁ ମୁଁ ଉନ୍ମୁଖ ହୋଇ ଉଠିଚି । କେତେ କଳ୍ପନା କରି ଭାଙ୍ଗିଛି । କେତେ ସାହସ ଠୁଳ କରି ହରାଇ ବସିଛି । କେତେ ଆଳ ଦେଖାଇ, ସୁଯୋଗ ନେଇ ପାଖକୁ ଯାଇଚି । ମୁଁ ପାଖକୁ ଗଲେ ତମେ ଗମ୍ଭୀର ହୋଇଚ, ମୁଁ ତମକୁ ଚାହିଁଲେ, ତମେ ତଳକୁ ଚାହିଁଛ । ମୋ’ ଭିତରେ ମଣିଷ ମୂକ ହୋଇଚି । ହତାଶାରେ ଭାଙ୍ଗି ପଡ଼ୁଛି ।

 

କାଲି ରାତି, ହଁ, କାଲି ରାତି । ସୁଯୋଗ ପାଇ ନିଜକୁ ପ୍ରକାଶ କରିବାକୁ ମୁଁ ଅସମ୍ଭବଭାବେ ବ୍ୟାକୁଳ ହୋଇ ଉଠିଲି । ଉପର ମହଲା ଥିଲା ନିର୍ଜନ । ଅସରାଏ ବର୍ଷା ପରେ ଜହ୍ନ ଉଠିଥିଲା । ସେଇ ଭିଜା ଭିଜା ଜୋସ୍ନା ଦୋତାଲାର ନିଜନ ବାଲକୋନି ଉପରେ, କୋଟି କମ ହୋଇ ବଞ୍ଚିଯାଇଥିଲା । ତମେ ତମ ପଢ଼ାଘରେ କ’ଣ ଗୋଟାଏ କରୁଥିଲ । ମୁଁ ଜାଣେ ତମେ ଆଦୌ ପଢ଼ୁ ନ ଥିଲ । ମୁଁ ଜାଣି ଜାଣି ଆସି ତମ ରୁମ୍ ସାମ୍ନା ସୋଫା ଉପରେ ବସି ରହିଲି, ଯେମିତି ତମେ ମତେ ସହଜରେ ଜାଣିବ ଓ ଦେଖିବ-ବୁଝିବ ଯେ ଘର ନିର୍ଜନ ଥିଲାବେଳେ ମୁଁ କାହିଁକି ଆସି ତମ ରୁମ୍ ତମ ସାମ୍ନାରେ ବସିଚି । ତମେ ଯେମିତି ବୁଝିବ ଯେ ଖାଲି ଖାଲି ମୁଁ ବସିନାହିଁ । ଗୋଟାଏ ବିଶେଷ ଉପଲକ୍ଷ୍ୟ ନେଇ ମୁଁ ବସିଚି ।

 

ନ ଜାଣିଲା ପରି ବସିଲି । ଜହ୍ନକୁ ଦେଖିଲି, ବର୍ଷା ଧୂଆ ମାଟିକୁ ବି ଦେଖୁଥିଲି । ଭିତରେ ଭିତରେ ନିଜକୁ ପ୍ରସ୍ତୁତ କରୁଥିଲି । କେତେବେଳେ ତମେ ଆସି ମୋ ସାମ୍ନାରେ ହେଲ । ଠିଆ ହେଲ ମୋର କଳ୍ପନାର ସବୁ ରଙ୍ଗ ନେଇ । ହଠାତ୍ ତମକୁ ଏତେ ପାଖରେ ଦେଖି ମୋର ଆଖି ଝଲସି ଗଲା । ମୁଁ ହାତ ଧରି ତମକୁ ପାଖକୁ ଟାଣିଆଣି ପାରିଲି ନାହିଁ କିମ୍ବା ଆଗରୁ ଭାବି ଆସିଥିବା ପଦିଏ କଥା ମଧ୍ୟ ଉଚ୍ଚାରଣ କରି ପାରିଲି ନାହିଁ । କେବଳ ହାଁ କରି ତମକୁ ଚାହିଁ ରହିଲି । ମୋର ଭୀରୁତା ମୋର ସବୁ ଆବେଗକୁ ଢାଙ୍କି ପକାଇଲା ।

 

ଶେଷରେ ହଠାତ୍ କେମିତି କେଜାଣି, କହିଦେଲି ତମର ବିବାହ କଥା, ତମର ମନ ପରଖିବାପାଇଁ । ମୋର କାମନାକୁ ତମ ତୁଣ୍ଡରୁ ଶୁଣିବାପାଇଁ, ଆଉ ସେଇ ପଦକରେ ତମେ କାନ୍ଦିଲ–କାନ୍ଦିଲ ଯେ ଆଉ ତୂନୀ ହେଲ ନାହିଁ । ମୁଁ ଆଶ୍ଚର୍ଯ୍ୟ ହେଲି । ମୁଁ ତ ଭାବିଥିଲି, ମୋ କଥା ଶୁଣୁ ଶୁଣୁ ତମେ ସବୁ ଆବରଣ ଫିଙ୍ଗିଦେବ ଆଉ କହିବ ହେମ ଭାଇ, ମୁଁ କେବଳ ତମକୁ ଚାହେଁ, ଆଉ କାହାକୁ ନୁହଁ ।

 

ତମେ କିଛି ବି କହିଲ ନାହିଁ, ବେଶୀ ବେଶୀ କାନ୍ଦିଲ । ତା’ପରେ ତମରି ମୁହଁର ରଙ୍ଗ ବଦଳିଲା । ଓଠ କଂପିଲା । ଭୂରୁ କୁଞ୍ଚିତ ହେଲା, ମୁଁ ସବୁ ପଢ଼ିଲି, ସବୁ ବୁଝିଲି । ମୁଁ ଭଲଭାବେ ଜାଣିଲି ତମେ କାହାକୁ ଭଲପାଅ । ଭୀଷଣଭାବେ ଭଲପାଅ । ଆଜିପର୍ଯ୍ୟନ୍ତ ତମର ସବୁ ଅନ୍ୟମନସ୍କତା କେବଳ ତା’ରି ପାଇଁ ! ମନଚାଷ କରିବା ଯାହାର ବେଉଷା, କୋଟିଏ ହୃଦୟର ବ୍ୟଥା ବେଦନାରେ ଯାହାର କାରବାର ସେ ତମ ଭଳି ସରଳା ଝିଅର ମନ ବୁଝି ପାରିବ ନାହିଁ ? ମୁଁ ସବୁ ଠିକ୍ ବୁଝିଲି । ସବୁ ଜାଣିଲି । ମୋ ଛାତି ବିଦୀର୍ଣ୍ଣ ହୋଇଗଲା । ମୁଁ ଉତ୍ତେଜିତ ହୋଇ ଉଠିଲି, ମୋର ଶ୍ଵାସକ୍ରିୟା ଦ୍ରୁତ ଗତି ନେଲା । ମୁଁ ତମକୁ ଆହୁରି ଦେଖିଲି । ବ୍ୟାକୁଳ ହୋଇ କହିଲି–କିଏ ସେ ଭାଗ୍ୟବାନ ? କିଏ ସେ ?

 

ତମେ ଲଜ୍ଜାରେ ଲାଲ ହେଲ । ସେ ନାଲିମା ତମର ସାରା ଦେହରେ ଚହଟିଗଲା । ତମେ ତଳକୁ ମୁହଁ ପୋତିଲ, ନମ୍ର ଭାବରେ ମୋତେ ସାହାଯ୍ୟ ମାଗିଲ । ମୁଁ ମୋର ଦୀର୍ଘଶ୍ୱାସକୁ ଚାପିରଖି ତମକୁ କଥା ଦେଲି । କଥା ଦେଲି ଯେ ମୁଁ ତମକୁ ରକ୍ଷା କରିବି । ତମର ଇଛା ବିରୁଦ୍ଧରେ ବିବାହକୁ ମୁଁ ବନ୍ଦ କରି ଦେବି ।

 

ମୁଁ ଜାଣେ ତମେ ମତେ ବିଶ୍ୱାସ କଲ । ତମ କାନ୍ଦିଲା ମୁହଁରେ ହସ ଚହଟିଲା । ସେଇ ହସ, ଠିକ୍ ସେଇ ହସ, ଯାହାକୁ ମୁଁ ତମ ଓଠରେ ମାଖି ଦେଇଥିଲି, କଳ୍ପନାରେ । ମୁଁ ଚଞ୍ଚଳ ହେଲି । ମୋ’ ମନ ଦୋହଲି ଉଠିଲା । ନିର୍ଜ୍ଜନତାର ଏତେ ଲୋଭ ମୁଁ ସମ୍ବରଣ କରିପାରିଲି ନାହିଁ । ମୁଁ ନିଜକୁ ଭୁଲିଲି; ମୁଁ ବିବେକ ଭୁଲିଲି । ମୁଁ ଜାଣିଲି ଯେ ତମେ ଅନ୍ୟର ପ୍ରେମିକା । ତଥାପି ମୁଁ ଭୁଲ୍ କଲି ।

 

ଯେତେବେଳେ ମୁଁ ପ୍ରକୃତିସ୍ଥ ହେଲି ସେତେବେଳେ ବାରଣ୍ଡା ସାରା ଉଜ୍ଜଳ ବିଜୁଳି ଆଲୋକ ଝଲସି ଉଠିଲାଣି । ହଠାତ୍ ଏତେ ଔଜ୍ଜ୍ଵଲ୍ୟ ମୋର ଆଖି, ମନ, ମସ୍ତିଷ୍କକୁ ଝଲସାଇ ଦେଲା ! ନିଜ ଭିତରେ ନିଜକୁ ମୁଁ ସାଉଁଟି ନେଇ ଚମକି ଉଠିଲି । ମୋର ଛାତି ଦପ୍ ଦପ୍ ହୋଇ କମ୍ପି ଉଠିଲା ଏତେ ଜୋରରେ ଯେ ସେତିକି ସ୍ପନ୍ଦନ ବନ୍ଦ ହୋଇ ଯିବ ! ଲଜ୍ଜାରେ ଶୋଚନାରେ ସନ୍ତର୍ପଣରେ ମୁଁ ତମକୁ ଚାହିଁଲି । ତମେ ମୋ’ଠୁ ଅଳ୍ପ ଛଡ଼ାରେ ବସି ମତେ ହିଁ ଚାହିଁଥିଲ । ପରିଷ୍କୃତ ବିଜୁଳି ଆଲୋକ ତମ ମୁହଁକୁ ଆହୁରି ସ୍ପଷ୍ଟ କରିଥିଲା । ତମ ଆଖିରେ ବିହ୍ୱଳ ଦୃଷ୍ଟି । ଓଠ କ’ଣରେ ଉତୁରି ଉଠୁଥିବା ମତୁଆଲା ହସ । ସତେକି ତମ ମନ ଭିତରର ଘନୀଭୂତ ହୋଇ ଉଠୁଥିବା ସେଇ ପ୍ରଚଣ୍ଡ ସ୍ଵପ୍ନ ତମର ମନର ବନ୍ଧ ଡେଇଁ, ସାରା ଦେହରେ ନିଶା ପରି ସଞ୍ଚରି ଯାଉଛି ।

 

ତମେ ମୋ ହାତଧରି କୋମଳ କଣ୍ଠରେ କହିଲ, ହେମ ଭାଇ, ବେଳ ହେଲାଣି, ଉଠ, ଖାଇବାକୁ ଯିବା ।

 

ମୁଁ ତମକୁ ମୁହଁ ଟେକି ଚାହିଁ ପାରିଲି ନାହିଁ । ତମର କୋମଳ ହାତମୁଠା ଭିତରେ ମୋ’ ହାତଟି ମଲା ମଣିଷ ହାତପରି ନିସ୍ତେଜ ହୋଇଗଲା । ତମେ ମୋ’ ହାତରେ ମୃଦୁ ଚାପ ଦେଇ ପୁଣି ଖାଇବା କଥା ମନେ ପକାଇଲ । ତମର ହାତର ଏହି ସ୍ପର୍ଶରେ ମୁଁ ଆଉ ଭୁଲନ୍ତି କାହିଁକି ? ତମର ପ୍ରସନ୍ନତା, ତମର ବିହ୍ୱଳିତା ଦେଖି ମୁଁ ବେଶ୍ ବୁଝିଲି….ଜାଣିଲି ଯେ ତମେ ମତେ ଭୁଲାଉଚ, ମତେ ବହଲାଉଚ । ସତେକି ଏ ଭିତରେ କିଛି ଘଟି ନାହିଁ, ଏଇଆ ସୂଚେଇବାକୁ ତମେ ମତେ ପୁଣି ସବୁ ଦିନର ହସ ଖୁସିକୁ ଟାଣୁଚ । ମୋ’ ଅପରାଧକୁ ଘୋଡ଼େଇ ପକେଇବାକୁ ଏତେ ହସୁଚ କାହିଁକି ନାଁ-। ମୋ ପାଖରେ ତମର ଏକ ଚରମ ପ୍ରାପ୍ତିର ଆଶା ଅଛି, ମୁଁ ତମକୁ କଥା ଦେଉଚି ଯେ ରକ୍ଷା କରିବି । ସମ୍ଭବତଃ ତମର ପ୍ରେମିକ ହାତରେ ତମକୁ ଅର୍ପଣ କରିଦେବି । ସେଇ ଆଶାରେ ତମେ ମୋର ଦୋଷ ଘୋଡ଼େଇ ଦଉଚ, ମାତ୍ର ମୁଁ କି ପାରିବି ? ତମ ପରି ଏଡ଼େ ମନ ଖୋଲା ହସ ହସି ପାରିବି ?

 

ଜୟା, ଆଜି ମୋର କେତେ ବଡ଼, କେତେ ଦିନର ଗୋଟାଏ ମସ୍ତବଡ଼ ସ୍ୱପ୍ନ ଟୁକୁରା ଟୁକୁରା ଭାଙ୍ଗି ଛିନ୍‍ଛତ୍ର ହୋଇଯାଇଚି । ପାହାଚ ପାହାଚ ଚଢ଼ି ଦଶହଜାର ଫୁଟ ଉଚ୍ଚର ଦେବୀ ମନ୍ଦିରକୁ ଆସି ଦେଖିଚ, ବହୁ ପୂର୍ବରୁ ଆଉ ଜଣେ ଆସି ପୂଜା ଦେଇ ଯାଇଛି । ସେଠି ଯେ ମୋର ସ୍ଥାନ ନାହିଁ, ନାହିଁ । ମୁଁ ଫେରିଯିବି ଶୂନ୍ୟ ହାତ ଶୂନ୍ୟ ମନରେ ।

 

ଜୟା, ତମେ ମତେ କ୍ଷମା କର । ମୋର ଦୋଷ ତମେ କୈଶୋରର ସେହି ସ୍ନେହ ଗୁଣରେ ଭୁଲିଯାଅ । ମୁଁ ଆଜି ପ୍ରତିଜ୍ଞା କରୁଛି, ତମପାଇଁ ସବୁ ସୁବିଧା କରିଦେବି । ତମେ କେମିତି ତମର ପ୍ରେମିକ ସହ ସୁଖର ନୀଡ଼ ରଚିବ ସେଥିପାଇଁ ମୁଁ ଆପଣା ଚେଷ୍ଟା କରିବି । ମୁଁ ତୁମକୁ ଆଶୀର୍ବାଦ କରିବି । ଏମିତି ଆଶୀର୍ବାଦ କୌଣସି ପ୍ରେମିକ, ତା’ର ପ୍ରେମିକାର ବିବାହୋତ୍ସବରେ କରି ନ ଥିବେ । ତା’ପରେ ମୁଁ ଫେରିଯିବି ବହୁ ଦୂରକୁ । ଏ ନିର୍ଲ୍ଲଜ ମୁହଁ ଦେଖିବାକୁ, ତମେ ଆଉ ପାଇବ ନାହିଁ । ଜୟା, ଯାଉଛି, ବିଦାୟ ! ଦେଖା ନ ହେଲେହେଁ, ତମପାଇଁ ସବୁ ବ୍ୟବସ୍ଥା କରିଦେବି-। ସବୁ ସବୁ ! ଜୟା ! ତମେ ଖୁସି ରହ ।

 

(୨)

 

ଆଜିଯାଏଁ ସେହି ରୁଦ୍ଧ କକ୍ଷରେ ମୁଁ ତ ଥିଲି ବନ୍ଦିନୀ । ଚଉପାଶରେ ମୋର ଘେରି ରହିଥିଲା ଜଡ଼ତାର ଘନ ଆବରଣ । ହୃଦୟର ସକଳ ସ୍ପନ୍ଦିତ ଭାଷା ଅନ୍ଧକାରରେ ରହି ରହିଯାଇଥିଲା ଅବ୍ୟକ୍ତ । ମୁକ୍ତ ଆଲୋକ, ମୁକ୍ତ ପବନ ପାଇଁ ମୁଁ ବ୍ୟାକୁଳଭାବେ ଚିତ୍କାର କରୁଥିଲି । ମୋର ପ୍ରିୟତମ ସୂର୍ଯ୍ୟପାଇଁ ମୁଁ ତ ତୋଳି ଧରିଥିଲି ମୋର ସମସ୍ତ ମନପ୍ରାଣ ।

 

କିନ୍ତୁ ସେଇ କାଲି ଆଉ ଆଜି ନାହିଁ । ସେଇ ଅନ୍ଧକାର ଆଜି ଦାନ୍ତ ନିକୁଟି ମତେ ଖତେଇ ହଉନାହିଁ । ତମେ ମୋର ରୁଦ୍ଧ ବତାୟନ ଉନ୍ମୁକ୍ତ କରି ତମର ସମସ୍ତ ଉଜ୍ଜ୍ୱଳ କିରଣ ମୋ’ ଉପରେ ଅଜାଡ଼ି ଦେଇଚ । ତମେ ଟାଙ୍ଗି ଦେଇଚ ସୁନେଲି ଖରାର ତୋରଣ । ଭରି ଦେଇଚ ଏକ ମହାର୍ଘ ସିଂହାସନ ! ଆଗାମୀ କାଲି ସେହି ସିଂହାସନରେ ତ ଆମର ହେବ ଅଭିଷେକ ।

 

ମୁଁ ଜାଣେ ସବୁବନ୍ଧନର ମୁକ୍ତି ଥାଏ, ସବୁ ରାତ୍ରିର ପ୍ରଭାତ ଥାଏ, ସବୁ ପ୍ରତୀକ୍ଷାର ଶେଷଥାଏ । ସେହି ଆଶାରେ ତ ମୁଁ ବର୍ଷ ବର୍ଷ ଧରି, କେତେ ଖରାବର୍ଷା ଅବଲମ୍ବନହୀନ ପଥରେ, ବିଶ୍ୱାସର କ୍ଷୀଣ ଦୀପଟିଏ ଜାଳି ଏତେବାଟ ଆଗେଇ ଆସିଚି । ସେଇ ଭରସାରେ ମୁଁ ତ କେତେ ନିଦାଘରେ ଦଗଧ ଦିନରାତିରେ ଅବରୁଦ୍ଧ କକ୍ଷରେ, ରୁଦ୍ଧ ନିଃଶ୍ଵାସରେ ବିତେଇଦେଇଚି । ମୁଁ ଜାଣେ, ତମେ ଦିନେ ନାଁ ଦିନେ ଆସିବ ମୋର ଆକାଶ ଭଙ୍ଗା ବୃଷ୍ଟି ହୋଇ । ମୋ’ର ଜୀବନରେ ଦେବ ନିବିଡ଼ ପ୍ଲାବନ । ସେଇ ପ୍ଲାବନ ହେବ ଆମ ଦୀର୍ଘ ଜୀବନର ବନ୍ଧନ, ଅବଲମ୍ବନ ।

 

ଆଜି ଏହି ନିଶାନ୍ତରେ ଘରର ସମସ୍ତେ ନିଦ୍ରାରେ ଅଚେତନ ହୋଇ ପଡ଼ିଥିବାବେଳେ, ମୋ’ ଆଖିରେ ସାରା ରାତି ନିଦ୍ରା ନାହିଁ । ଆବେଗ ଓ ଉଦ୍‌ବେଗ କେବଳ ନୁହେଁ, ଏକ ଉନ୍ମାଦନା ମଧ୍ୟ ମୋର ସମଗ୍ର ଚେତନାକୁ ଉଚ୍ଛାଟ କରି ରଖିଚି । କାନ ପାଖରେ ଗୁଣୁ ଗୁଣୁ ହୋଇ ଗୁଞ୍ଜନ ତୋଳୁଛି । ତମରି ସେହି ପଦେ କଥା ‘ମୁଁ କଥା ଦଉଚି, ରକ୍ଷା କରିବି !

 

ହେମଭାଇ, କେମିତି ମୁଁ ତମକୁ କୃତଜ୍ଞତା ଜଣେଇବି । କେମିତି ତମର ଏ ଅଖଣ୍ଡ ଋଣ ପରିଶୋଧ କରିବି । ଯଦି ମୋର ସମସ୍ତ ଅଶ୍ରୁ ନିଃଶେଷ କରି ମୁଁ ତମର ପାଦ ପ୍ରକ୍ଷାଳନ କରି ପାରିବି ! ଯଦି ମୁଁ ନିଜକୁ ପ୍ରକାଶ କରି, ତମ ପାଦତଳେ ମୃତ୍ତିକାରେ, ବର୍ଷାପରି ଭିଯିଯାନ୍ତି…

 

କେମିତି କହିବି…କେମିତି ପ୍ରକାଶ କରିବି ? ମତେ ତମେ କ’ଣ କେବେ ଜାଣି ପାରିବ…କେବେ ଜାଣିପାରିବ ଯେ ଗୋଟାଏ ଝିଅ ଏତେ ଭୀଷଣଭାବେ ଭଲ ପାଇପାରେ ? ଟୋପା ଟୋପା କରି ନିଜକୁ ନିଃଶେଷ କରିପାରେ….ତମେ କ’ଣ ଜାଣିବ… ? ଜାଣିଥିଲେ ତମେ ଏତେ ବିଳମ୍ବ କରିଥାନ୍ତ କି ?

 

ଖୁବ୍ ପିଲାଦିନୁ ମୁଁ ତମକୁ ଆମ ଘରେ ଦେଖିଚି । ମୋ ଭାଇଙ୍କର ବନ୍ଧୁ ହିସାବରେ ତମେ ତ ଆମଘରେ ଜଣେ ହୋଇ ଯାଇଚ । କାହିଁକି ମୋର ବୋଉ ତମକୁ ଏତେ ଶ୍ରଦ୍ଧା କରୁଥିଲେ-? ଭାଇଙ୍କଠାରୁ ତମକୁ ତ ସେ କେବେହେଁ ଭିନ୍ନ ମନେ କରୁ ନ ଥିଲେ । ସେଇ ଦାବୀରେ ତୁମେ ହଷ୍ଟେଲ ଛାଡ଼ି ଆମଘରେ ରହିଥିଲ । ତୁମର ସବୁ ଦାୟିତ୍ୱ ହସି ହସି ବାପା ବହନ କରିଥିଲେ-

 

କୈଶୋରର ସେହି ଷଷ୍ଠ, ସପ୍ତମ ଶ୍ରେଣୀଠୁ ଆମେ କେତେ ସାଙ୍ଗ ହୋଇଚେ । ତମ ପିଠିରେ ନାଉ ହୋଇ କେତେ ଝୁଲିଛି । କୋଳିଖାଇ ତମ ଉପରକୁ ମଞ୍ଜି ଫିଙ୍ଗିଛି । ଥଟ୍ଟା ତାମସାରେ ତମ ମୁହଁରେ ଅବିର ବୋଳିଛି । ତମେ ମୋ ବେଣୀ ଝିଙ୍କି ଚାପୁଡ଼ା ମାରି ଖତେଇ ହୋଇ କେତେ ପ୍ରତିଶୋଧ ? ନେଇଚି ।

 

କିଏ ଜାଣିଥିଲା…କୈଶୋରର ସେହି ଚାରୁ ଚପଳତା ଯୌବନରେ ଏକ ଅସହ୍ୟ ନୀରବତା ହୋଇ ମତେ ଦଗ୍‍ଧ କରିବ । କିଏ ଜାଣିଥିଲା ଦୁଇଟି ଚଞ୍ଚଳ, ଅସ୍ଥିର, ଦୁଷ୍ଟ ବାଳକ ବାଳିକା ଦିନେ ପରସ୍ପର ପ୍ରତି ଏତେ ମୂକ, ଏତେ ଗମ୍ଭୀର ହୋଇ ଉଠିବେ ।

 

ତମେ କଲେଜ୍ ଗଲ । ମୁଁ ବି ତ ଫ୍ରକ୍ ଛାଡ଼ି ଶାଢ଼ିପିନ୍ଧି ସାରିଥିଲି । ବର୍ଷ ବର୍ଷ ଧରି ତମେ କୃତିତ୍ୱର ସହ ପାଶ୍ କରିଗଲ । ତମେ କବି ହେଲ । ଶହ ଶହ କବିତା ଲେଖି ଛପାଇଲ, ଛାତ୍ର ଜୀବନରୁ ତମର କବି ପ୍ରତିଭା ଫୁଲର ସୁବାସ ପରି ଚହଟି ଗଲା । ସମସ୍ତେ ତମକୁ ପ୍ରଶଂସା କଲେ । ତମର ଦର୍ଶନ ପାଇଁ, ଆମଘରେ ଏତେ ଲୋକ ଗହଳି ହେଲା ।

 

ଏତେ କୋଳାହଳ ଭିତରେ କେମିତି ମୁଁ ନୀରବ ରହୁଥିଲି ଏତେ ? ତମର ପ୍ରଶଂସା ଶୁଣି ମୁଁ ଖୁସିରେ ଫାଟି ପଡ଼ୁଥିଲି; କିନ୍ତୁ ତମ ପାଖକୁ ଯାଇ ଅଭିନନ୍ଦନ ଜଣାଇବାକୁ ମୋ ପାଟି ଖନିମାରି ଯାଉଥିଲା । ବହୁ ଚେଷ୍ଟାକରି ମଧ୍ୟ ତମ ପାଖକୁ ମୁଁ ଯାଇପାରୁ ନ ଥିଲି, ନିଶ୍ଚିନ୍ତରେ ହସି ଅନାସକ୍ତ ଖୁସିରେ କହିପାରୁ ନ ଥିଲି । ସମ୍ଭବତଃ ମୋ ଭିତରେ କିଛି ଏକ ଥିଲା…କିଛି ଏକ ସଂଗୋପନରେ ଥିଲା, ଯାହାପାଇଁ ତମ ପାଖକୁ ମୁଁ ଯାଇପାରୁ ନ ଥିଲି । ତମ ସାମ୍ନାରେ ଠିଆ ହୋଇ ପାରୁ ନ ଥିଲି । ଅକାରଣ ଲଜ୍ଜା ମତେ ଢାଙ୍କି ରଖିଥିଲା, ଆଉ ତମ ଭିତରେ କ’ଣ ସତେ ସେମିତି କିଛି ଏକ ଥିଲା ମୋ ଲାଗି ? ତମେ କାହିଁକି ମୋ ପାଖରେ ଆଦୌ ସହଜ ହୋଇ ପାରୁ ନ ଥିଲ ?

 

ତମକୁ ଦେଖିଚି ଦୂରରୁ, ବଡ଼ ସଂତର୍ପଣରେ, ବଡ଼ ସଂଗୋପନରେ । ତମେ ଯେତେବେଳେ ତମର ପଢ଼ାଘରର ଦକ୍ଷିଣପଟ ଝରକା ପାଖରେ ଚୁପ୍ ହୋଇବସି ଓଠରେ କଲମଚାପି, ଦୂର ଆକାଶକୁ ବିହ୍ଵଳ ଦୃଷ୍ଟିରେ ଚାହିଁ ରହୁଥିଲ । ତମର ଅନେକ ପଛରେ ରହି, ତମ ମୁହଁର ସେହି ବିହ୍ଵଳତାକୁ ଆଞ୍ଜୁଳା ଆଞ୍ଜୁଳା ସାଉଁଟି ଆଣି ମୁଁ ମୋର ମନରେ ଜମେଇ ରଖୁଥିଲି । ମୁଁ କ’ଣ କେବେ ଭାବିଥିଲି ଦିନ ଦିନର ସେଇ ସାଉଁଟା ଚିଜ ଦିନେ ମୋ ମନ ଭିତରେ ଏକ ଶୁଭ୍ର ମାର୍ବଲର ସୁର୍ତ୍ତି ହୋଇ ମୋଠାରୁ ପୂଜା ପାଇବାକୁ ଜିଦ୍ ଧରି ବସିବ ।

 

ଅନେକ ଥର ଦେଖିଚ, ତୁମେ ମତେ ଏକ ଆଖିରେ ଚାହିଁ ରହିଚ । ଏମିତି ଥକ୍‌କା ହୋଇ ଚାହିଁଚ ଯେ ସେଥିରେ ଆଉ ପଲକ ପଡ଼ୁନାହିଁ । ମୋ ଆଖିରେ ଆଖି ପଡ଼ିବା ମାତ୍ରେ ତମେ ଦୃଷ୍ଟି ଫେରାଇ ନେଇଚ; କିନ୍ତୁ ତମେ କ’ଣ ଜାଣିବ, ତମର ସେହି ଅସଂଖ୍ୟ ଗୋପନ ଚାହାଣି...କେତେବେଳେ ଫୁଲମାଳ ହୋଇ ମୋ ମନ ମଣ୍ଡନ କରିଚି, କେତେବେଳେ ତୀକ୍ଷ୍‌ଣ ତୀର ମତେ ବିକ୍ଷତ କରିଚି ।

 

ତମେ କବି । ଶହ ଶହ କବିତା ଲେଖି ତମେ ପତ୍ରିକାରେ ଛପାଇଚ । ଜଗତ ଜାଣିଚି, ପଢ଼ିଚି; କିନ୍ତୁ କେତେ କବିତା ଲେଖିଛି ମୁଁ ମନେ ମନେ । କେତେ ଚିଠି ଲେଖିଚି ମୁଁ ଖାଲି ମନେ ମନେ । କେତେ ଆହ୍ଵାନ ଦେଇଚି ସେହି ମନେ ମନେ । କେତେଥର କହିଚି ହେମଭାଇ, ତମେ ଆସି ଏ ଅବଗୁଣ୍ଠନ ଖୋଲିଦିଅ ! ନିଜକୁ ଆଉ ଯେ ମୁଁ ବନ୍ଦୀ କରି ରଖି ପାରୁନାହିଁ ।

 

ତମେ ଭୀରୁ ! ଦୁର୍ବଳ ! କାପୁରୁଷ ! ତମେ କେବେ ଇସାରା ଦେଇନାହଁ । ତମେ କେବେ ମୁହଁ ଖୋଲି କହିନାହଁ, ଜୟା, ମୁଁ ହାତ ବଢ଼ାଇଚି, ଆସ, ଚାଲିଆସ ।

 

ହେମ ଭାଇ, ପ୍ରେମ କ’ଣ ଏତେ ମୂକ ?

 

ନାର୍ବସଲଭ ଲଜ୍ଜା ଓ ଅଭିମାନରେ, ଅବ୍ୟକ୍ତ ବେଦନାର ଅଶ୍ରୁରେ ଭାଙ୍ଗି ପଡ଼ି ମୁଁ ଦୀର୍ଘଶ୍ଵାସ ଛାଡ଼ିଛି । କୋଟିଏ ହୃଦୟର ବ୍ୟଥା ବେଦନା ନେଇ ଯିଏ ଲେଖୁଚି, ଗୋଟିଏ ଝିଅର ମନ ତା’ ପାଖରେ ରହି ଯାଉଚି ଏତେ ଅବୋଧ୍ୟ ?

 

ମୁଁ ଅଭିମାନ କରିଛି; କିନ୍ତୁ ଏ ମନକୁ ମାରି ପାରୁନାହିଁ । ପୁରାଣ ଓ ଉପନ୍ୟାସର ଶହ ଶହ ଦୃଷ୍ଟାନ୍ତ ମୋର ମନ ବିଶ୍ୱାସକୁ ଦୃଢ଼ କରିଚି । ମୋର ପ୍ରଗାଢ଼ ବିଶ୍ଵାସ ହୋଇଚି ଯଦି ମୋର ପ୍ରେମ ଦୃଢ଼ ଥିବ, ସେ ଅବଶ୍ୟ ତୁମ ମୁଖରେ ଭାଷା ଫଟେଇବ ।

 

ବର୍ଷ ପରେ ବର୍ଷ ବିତିଗଲା । କେତେ ବର୍ଷ ? ଜାଣିଚ ତମେ ? ମୁଁ ଯାଣିଛି । ତମେ ତମର ଭୀରୁତା କାଟି ପାରିନାହିଁ । ମୁଁ ମୋର ନାରୀସୁଲଭ ଲଜ୍ଜା ଛାଡ଼ି ପାରିନାହିଁ । ତମର ସେହି ଚାହାଣି ମୋର ହୋଇଛି ଏତିକି ଦୂର୍ବୋଧ୍ୟ ।

 

କାଲି ରାତି ? ହଁ, କାଲି ରାତି, କିଏ ଜାଣିଥିଲା, ସେହି ରାତ୍ରିରେ ମୋର ଆକାଶ ଝଲସାଇ ସୂର୍ଯ୍ୟ ଆସିବ । ଆଠଦିନ ହେବ ଭାଇ ଚାଲି ଯାଇଥିଲେ କଲିକତା । ସନ୍ଧ୍ୟାରେ ବାପା ଓ ବୋଉ ଚାଲିଗଲେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ । ଏତେ ବଡ଼ ନିର୍ଜନ ଉପରେ ମହଲାରେ କେବଳ ତମେ ଓ ମୁଁ ।

 

ପଢ଼ା ଘରେ ମୁଁ ବହି ଖୋଲି ବସି ରହିଲି । ଆଉ ତମେ…ତମେ ଠିକ୍ ମୋ ପଢ଼ା ଘର ସାମ୍ନାରେ ଆସି ବସିଲ । ବର୍ଷା ଧୂଆ ରାତିରେ, ଜହ୍ନ ଆଲୁଅ ଅଭଗୁଣ୍ଡା ପରି ସର୍ବତ୍ର ବୁଣି ଯାଇଥିଲା-। ତମ ମୁହଁରେ ସେ ଅଭ୍ର ଲାଗି ଚିକ୍ ଚିକ୍ କରୁଥିଲା । ବହି ଆଢ଼ୁଆଳରୁ ମୁଁ ତମକୁ ବାରମ୍ବାର ଦେଖିଥିଲି । ପଢ଼ିତ ପାରିଲି ନାହିଁ ମୋଟେ । ଅବଶେଷରେ ଯାଇ ତମ ପାଖରେ ଠିଆ ହେଲି । କେତେବେଳକେ ତମେ କହିଲ ‘ବସ’ !

 

ବସିଲି ତମ ପାଖରେ, ଅଳ୍ପ ଦୂରତ୍ତ୍ଵ ରଖି । କେତେକ ମାମୁଲି କଥାବାର୍ତ୍ତା ପରେ ତମେ କହିଲ–ବସନ୍ତ (ମୋଭାଇ) କାହିଁକି କଲିକତା ଯାଇଚି ତମେ ଜାଣ ?

 

ଭାଇ କାହିଁକି କଲିକତା ଯାଇଛନ୍ତି ସେ କଥା ତ ମୁଁ ଜାଣି ନ ଥିଲି ।

 

ତମେ ପୁଣି କହିଲ….ସେ ଯାଇଚି ତମ ପାଇଁ ପାତ୍ର ଦେଖି !

 

କ’ଣ ? ଛାତିରୁ ମୋର ନିଆଁ ଖସିପଡ଼ିଲା । ମୁଁ ତମ ପାଖକୁ ଘୁଞ୍ଚି ଆସି କହିଲି–ସତ-?

 

ତମେ ଅଳ୍ପ ହସିଲ । କହିଲି ହଁ, ସତ, ସେ ପିଲାଟି କଲିକତାରେ ସର୍ଭିସ କରେ । ଖୁବ୍ ଧନୀ । ପାତ୍ର ପସନ୍ଦ ହେଲେ ଏ ଭିତରେ ତମର ବିବାହ ହେବ ।

 

ସତେ କି ମୁଁ ଆକାଶରୁ ଖସି ପଡ଼ିଲି । ମୋ ପାଟିରୁ କଥା ବାହାରିଲା ନାହିଁ । ମୋ ଅଜାଣତରେ ଏତେ କଥା ଘଟି ଯାଇଚି ? ଭାବୁ ଭାବୁ ମତେ ସବୁଆଡ଼େ ଅନ୍ଧାର ଦିଶିଲା, ଅଚାନକ ଏତେ ବଡ଼ ଆଘାତ ପାଇଁ ମୁଁ ତ ଜମା ପ୍ରସ୍ତୁତ ନ ଥିଲି ! ତେବେ, ତେବେ ସେହି ଶୁଭ୍ର ମାର୍ବଲର ମୂର୍ତ୍ତିକୁ ମୁଁ ଆଉ କେଉଁଠି ଥୋଇବି ହେମଭାଇ ? ମୋ ଆଖିରେ ଅଶ୍ରୁ ଫାଟି ପଡ଼ିଲା ଦୁଇ ହାତରେ ମୁହଁ ଗୁଞ୍ଜି ମୁଁ କାନ୍ଦି ଉଠିଲି ।

 

ତମେ ମୋ ପାଖକୁ ଘୁଞ୍ଚି ଆସିଲ, କହିଲ, ଜୟା, ତମର କ’ଣ ଏ ବିବାହରେ ଇଚ୍ଛା ନାହିଁ ?

 

ନା-ନା-ନା ! ମୁଁ ଜୋରରେ, ଉତ୍ତେଜନାରେ ଥରି ଥରି ଉଠିଥିଲି । ବିଦ୍ରୋହ ପାଇଁ ମୋ ସାହସ ଠୁଳ ହୋଇଥିଲା ?

 

ତମେ ମୋର ଆଉ ଟିକିଏ ପାଖକୁ ଆସି କହିଲ, ଜୟା ତମେ କ’ଣ କାହାକୁ ଭଲ ପାଅ-?

 

ତମର ଏ ପ୍ରଶ୍ନରେ ମୁଁ ଲାଜରେ ମୁହଁ ପୋତିଲି । ପର କ୍ଷଣରେ ମୋର ଅଭିମାନ ଫାଟି ପଡ଼ୁଥିଲା । ଏତେ ଦିନ, ବର୍ଷ ଧରି ବି ତମେ ଜାଣିଲ ନାହିଁ ହେମ ଭାଇ, ତମେ ପୁଣି ମନ ନେଇ କବିତା ଲେଖ । ମୋର ହଠାତ୍ ଇଚ୍ଛା ହେଲା, ସବୁ ଲଜ୍ଜା ଫିଙ୍ଗି ଦେଇ ତମ ଛାତିରେ ମୁହ ରଖି କହିବି, ହେମଭାଇ, ମୋର ସର୍ବକାଳର ସାମ୍ମୁଖ୍ୟ ଯେ ତମେ, ତମେ, ତମେ ?

 

ଅନ୍ତରର ଏହି ଉଦ୍‌ବେଳିତ ଶବ୍ଦ ତରଙ୍ଗ କିନ୍ତୁ ସଂପୂର୍ଣ୍ଣ ଅନୁଚ୍ଚାରିତ ରହିଗଲା । ତମେ ପୁଣି କହିଲ, ସେହି ପୂର୍ବର ପ୍ରଶ୍ନ । ତଳକୁ ମୁହଁ ପୋତି ମୁଁ କହିଲି ହଁ ।

 

ସେତେବେଳକୁ ତମେ ପ୍ରାୟ ମୋ ଦେହକୁ ଲାଗି ବସି ସାରିଥିଲ । ମୋ ଆଖିର ଅଶ୍ରୁ ହାତରେ ପୋଛି ଦଉ ଦଉ ତମେ କ’ଣ ଭାବୁଥିଲ କେଜାଣି । ହଠାତ୍ କହିଲ । ଜୟା, ସେ କିଏ ? କିଏ ?

 

କ’ଣ କହନ୍ତି ମୁଁ ଏହାର ଉତ୍ତର ? ମୁଁ ଜାଣିଲି, ତମେ ମତେ ପରୀକ୍ଷା କରୁଛ । ନିଜର ମନ କଥାଟା ମୋ ମୁହଁରୁ ଶୁଣିବାକୁ ଚାହୁଁଛି । ତମର ଏହି ଜାଣିସିଆଣିଆ କୌତୁକ ମତେ ବେଶ୍ ଲାଗୁଥିଲା । ମୁଁ ବି କୌତୁକ କରନ୍ତି; ମୁଁ ବି ତୁମର ମନ ବିଡ଼ିବାକୁ ଆଉ କାହାର ନାଁ କହି ଦିଅନ୍ତି । କିନ୍ତୁ କେଜାଣି ତା’ ପାରିଲି ନାହିଁ । ତମର ଦୁଇ ହାତ ମୁଠେଇ ଧରି ଆର୍ତ୍ତ ସ୍ଵରରେ କହିଲି, ହେମ ଭାଇ, ତମେ ମତେ ରକ୍ଷା କର ।

 

ତା’ ପରେ ତା’ ପରେ ହଠାତ୍ ତମେ ମତେ ଆଲିଙ୍ଗନରେ ଛାତିରେ ବାନ୍ଧି ରଖିଲ । ଅନେକ ଦିନର ରୁଦ୍ଧ ମୌସୁମୀ ଚହଲି ଉଠିଲା । ମୁଁ ତ ଭିଜିଗଲି ସଂପୂର୍ଣ୍ଣ । ମୋର ମନ ପ୍ରାଣ ଆର୍ଦ୍ର ହୋଇ ଉଠିଲା । ତମ ମୁହଁକୁ ଚାହିଁ ନ ପାରି ତମ ଛାତିରେ ମୁଁ ସେମିତି ଜଡ଼ି ରହିଲି । କେତେବେଳେ ଆଖି ଖୋଲି ଦେଖିଲି, ତମେ ମୋ ମୁହଁକୁ ଛାତିରେ ଧରି ସାଉଁଳି ସାଉଁଳି କହୁଚ, ଚୁପ୍ ଚୁପ୍ କରି, ତମକୁ ରକ୍ଷା କରିବି, କଥା ଦଉଚି, ରକ୍ଷା କରିବି । ତା’ ପରେ ଗୁଣୁଗୁଣୁ ହୋଇ ତମେ ଆଉ କେତେ କ’ଣ କହିଲ । ମୋ ମୁହଁ ଉପରେ ମୁହଁ ରଖି କେତେଗୁଡ଼ାଏ ମୁହୂର୍ତ୍ତ ସେମିତି ବିତିଗଲା । ହଠାତ୍ କେହି ଆସି ବାରଣ୍ଡାରେ ସ୍ପିଚ୍‍ ଟିପି ଆଲୋକ ଜାଳିଦେଲା । ଚମକି ପଡ଼ି ଆମେ ଦୁହେଁ ପରସ୍ପରଠାରୁ ବିଚ୍ଛିନ୍ନ ହୋଇ ଦେଖିଲୁ, ସାମ୍ନାରେ ଠିଆ ହୋଇଚି ପୁଝାରୀ ଅଭିରାମ ।

 

ସତେ କି କିଛି ଦେଖିନାହିଁ । ସେମିତି ନ ଜାଣିଲା ଭଙ୍ଗୀ କରି ଅଭିରାମ କହିଲା–ଦେଈ, ବେଳ ହେଲାଣି ଖାଇବ ଆସ । ମୋ ଉତ୍ତରକୁ ଅପେକ୍ଷା ନ କରି ସେ ଫେରିଗଲା ।

 

ସେ ଚାଲିଗଲା ପରେ ମୁଁ ତମ ପାଖକୁ ଆସିଲି । ତମ ମୁହଁକୁ ସ୍ପଷ୍ଟ ଚାହିଁଲି, କେଉଁଠୁ ମୋର ଏତେ ସାହାସ ଆସିଲା କେଜାଣି ! ତୁମେ ତଳକୁ ମୁହ ପୋତି ବସିଥିଲ । ତମର ସୁନ୍ଦର ଉଜ୍ଜ୍ୱଳ ବିହ୍ୱଳ ମୁହଁରେ ବିଷର୍ଣ୍ଣତାର କଳାଛାଇ ଢାଙ୍କି ଯାଇଥିଲା । ତମର ଆଖି ଉଦ୍‌ଗତ ଅଶ୍ରୁରେ ଛଳ ଛଳ ହୋଇ ଉଠୁଥିଲା । ସମ୍ଭବତଃ ତମେ ଡରି ଯାଇଥିଲ । ପୁଝାରୀ ଆମକୁ ଏମିତିଭାବେ ଦେଖିଗଲା ବୋଲି ତମେ ଆଶଙ୍କାରେ ଅଧୀର ହୋଇ ଉଠୁଥିଲ ହେମ ଭାଇ, ତମେ ଏତେ ଭୀରୁ । ଏତିକିରେ ତମେ ଏତେ ଡରିଗଲ ? ତମେ ଟିକେ ବି ଜାଣିଲ ନାହିଁ, ପୁଝାରୀ ଦେଖିବାଟା ହିଁ ଆମର ବିପୁଳ ବିଜୟ । ତମର ହାତଧରି ଉଠାଇ, ଖାଇବାକୁ ଡାକିଲି । କେତେ ନୀରବ ଅନୁନୟ ଜଣାଇଲି । ମୁହଁ ଟେକି ତମେ ଥରେ ବି ଚାହିଁଲ ନାହିଁ ମତେ । ହାତ ଖସାଇ ଚାଲିଗଲ ଶୋଇବା ଘରକୁ । ଅବାକ୍ ହୋଇ ତମକୁ ଚାହିଁଲି । ଛିଃ, ତମେ ଏତେ ଦୁର୍ବଳ । ମିଛରେ ଭାଙ୍ଗି ପଡ଼ୁଛି । କାଲି ସକାଳୁ ବୋଉ ଯଦି ମତେ କିଛି ପଚାରେ, ମୁଁ ସ୍ପଷ୍ଟ କହିଦେବି ସବୁ । ତମର ଭରସା ପାଇଲା ପରେ ମୁଁ ଆଉ କାହାକୁ ଡରିବି ? ମୁଁ ଆଉ କାହିଁକି ନିଜକୁ ଲୁଚାଇ ରଖିବି ?

 

କାଲି ସକାଳୁ ପୁଝାରୀ ନିଶ୍ଚୟ କାହାକୁ ଏ କଥା କହିଦବ । ତୁଣ୍ଡରୁ ତୁଣ୍ଡ ହୋଇ ଏହା ବୋଉ ଜାଣିବାକୁ ଡେରି ହବନି । ହେ ଭଗବାନ୍ ! ଏ କଥା ବୋଉ ଜାଣୁ, ବାପା ବି ଜାଣନ୍ତୁ । ସମସ୍ତଙ୍କର ଏ କଥାରେ ଫୁଲଚନ୍ଦନ ପଡ଼ୁ ।

 

ହେମ ଭାଇ, ଦମ୍ଭ ଧର । ବୋଉକୁ ମୁଁ ସବୁ କହିବି । କାହିଁକି ତମେ ଏଡ଼େ ଭାଙ୍ଗିପଡ଼ୁଚ-? ବୋଉ ମୋର କେବେ ଅରାଜି ହେବ ନି । କହିଁକି ହେବ ? ତମେ କ’ଣ ଅଯୋଗ୍ୟ, ଅସୁନ୍ଦର, ଅଜାତି ? ତମେ ଖାଲି ମୋ ହାତ ଧର, ଦୃଢ଼ କରି ଧର । ତମ ହାତ ଧରି ମୁଁ ସବୁ ବିଘ୍ନ ଲଙ୍ଘନ କରିଯିବି ।

 

ଆମର ପ୍ରୀତିର ପୂର୍ବାଶାରେ ଅରୁଣୋଦୟ ଆଉ ଡେରି ନାହିଁ । ତା’ପରେ, ତା’ପରେ ଝଲମଲ ଖରା । ଆମେ ଆଗେଇ ଯିବା । ସ୍ଵର୍ଗ ଆମର ଛୋଟ ଏକ ନୀଡ଼ । ତମେ କବିତା ଲେଖିବ । ମୁଁ ଆବୃତ୍ତି କରିବି । ତମ ହାତରେ ଦେବି କଲମ । ସୃଷ୍ଟିପାଇଁ ଦେବି ପ୍ରେରଣା । ତମ ଦୃଷ୍ଟିରେ ବୋଳିବି ଅବିର । ତମ ରଥର ସାରଥୀ ହେବି ମୁଁ ।

 

ହେମ ଭାଇ…ଆଃ ଏତେ ସ୍ଵପ୍ନ ମୁଁ ଯେ ଦେଖିପାରୁ ନାହିଁ…ତୁମେ ଏଇନା କ’ଣ ମୋରିପରି ସାରା ରାତି ଉଜାଗର ରହି ଏମିତି ସ୍ଵପ୍ନ ଦେଖୁଥିବି…

 

ତମେ କ’ଣ ପୁଣି ମନଖରାପ କରୁଥିବ… ? ଆଶଙ୍କାରେ ଅସ୍ଥିର ହେଉଥିବ ? ଛି, ତମେ ଏତେ ଭୀରୁ !

Image

 

ଦୂର ବନଭୂମି

 

ଦୀର୍ଘ ସାତବର୍ଷର ବ୍ୟବଧାନ ପରେ ବଡ଼ ଭଉଣୀ ସୁଭଦ୍ରା ପରିବାରରେ ସଂପୃକ୍ତ ହେବାର ଅଳ୍ପ କେଇଟି ଦିନ ଭିତରେ ସୁଲତାର ଆଉ ବୁଝିବାକୁ ବାକି ରହିଲା ନାହିଁ ଯେ ଅପା ତାର ବିବାହିତ ଜୀବନରେ ଯାଥାର୍ଥରେ ସୁଖୀ ହୋଇଛି । ଏଇ କଥାଟା ଉପଲବ୍‌ଧ କରିବା ପାଇଁ ତା’ ଅପାର ଐଶ୍ଵର୍ଯ୍ୟ ଅପେକ୍ଷା ଭିଣେଇ ରାଜୁ ଭାଇଙ୍କର ପତ୍ନୀ ପ୍ରୀତିଟା ତା’ନିକଟରେ ମୁଖ୍ୟ କାରଣ ହୋଇ ପଡ଼ିଥିଲା ।

 

ସୁଲତା ମନରେ ଆନନ୍ଦ ଜନ୍ମିଲା–ଏ ଆନନ୍ଦ ଅନ୍ତରାଳରେ ଅନ୍ୟଏକ ଆନନ୍ଦ ଅତି ପ୍ରଚ୍ଛନ୍ନ ଭାବେ ଆତ୍ମଗୋପନ କରିଥିଲା-ତା’ ହେଉଚି ରାଜକିଶୋରଙ୍କର ତା’ ପ୍ରତି ଅକଳନ ସ୍ନେହ ସୌହାର୍ଦ୍ଦ୍ୟ ଓ ତା’ ପିଲାମାନଙ୍କ ପ୍ରତି ଅକୃତ୍ରିମ ବାତ୍ସଲ୍ୟ ଯାହା କି ଏତେ ମାତ୍ରାରେ ବୃଦ୍ଧି ପାଇବ ବୋଲି ସୁଲତାର ସ୍ୱପ୍ନରେ ବି ଧାରଣା ନ ଥିଲା ।

 

ଆଜିକୁ ସାତବର୍ଷ ତଳେ ତାର ବିବାହ ବାସରେ ରାଜକିଶୋରଙ୍କ ସହ ତାର ସାକ୍ଷାତ୍ ହୋଇଥିଲା । ତା’ ପରେ ପରେ ରାଜକିଶୋର ଦୀର୍ଘଦିନ କାର୍ଯ୍ୟଭାର ବହନକରି ଦୁରରେ ରହି ଆସିଚନ୍ତି । ଏଇ ଅଳ୍ପ କେଇଦିନ ହେବ ଏଇ ଛୋଟ ସହରକୁ ସେ ବଦଳି ହୋଇ ଆସିଛନ୍ତି । ସୁଲତାଙ୍କ ଧାରଣା ଥିଲା ରାଜକିଶୋର ଧନୀ ପିତାର ସନ୍ତାନ ଓ ଜଣେ ପ୍ରଥମ ଶ୍ରେଣୀର ହାକିମ । ଆଭିଜାତ୍ୟ ଓ କ୍ଷମତାର ଅହମିକା ନେଇ ତାକୁ ହୀନଦୃଷ୍ଟିରେ ଦେଖିବା ଆସ୍ଵାଭାବିକ ନୁହେଁ । ମାତ୍ର ଏଇ ଧାରଣା ତାର ଅଳ୍ପଦିନ ଭିତରେ ନିଶ୍ଚିହ୍ନ ହୋଇଗଲା । ସେ କ୍ରମେ କ୍ରମେ ବୁଝିଲା ରାଜୁଭାଇ କେବଳ ଧନର କ୍ଷମତାରେ ବଡ଼ଲୋକ ନୁହଁନ୍ତି, ସେ ମନରେ, ପ୍ରେମରେ, ସବୁଥିରେ ବଡ଼ ଲୋକ ।

 

ରାଜକିଶୋରଙ୍କର ସମସ୍ତ ଗୁଣରୁ ଯେଉଁ ଅଂଶଟି ସୁଲତାର ମନରେ ଗଭୀର ପ୍ରଭାବ ପକାଇଥିଲା, ତା’ ହେଉଚି ତାଙ୍କର ଅତିମାତ୍ରାରେ ପତ୍ନୀପ୍ରୀତି । ନିଜ ସ୍ତ୍ରୀ ସୁଭଦ୍ରାକୁ ସେ କେତେ ଭଲ ପାଉଥିଲେ, ସନ୍ତାନ ପରି କେତେ ତାର ସେବାଯତ୍ନ ନେଉଥିଲେ ଏହାର ଅନେକ ଛୋଟବଡ଼ ନିଦର୍ଶନ ସୁଲତା ପାଇ ଯାଇଥିଲା ।

 

ବହୁ ଶଙ୍କା ଓ ଲଜ୍ଜା ନେଇ ସେ ଦିନେ ସୁଭଦ୍ରା ଘରେ ଅତିଥି ହୋଇଥିଲା ଅପାର ଆକର୍ଷଣ ତାକୁ ଯେତିକି ଆତୁର କରିଥିଲା ରାଜୁଭାଇଙ୍କର କ୍ଷମତା ତାକୁ ସେତିକି ମାତ୍ରାରେ ବିଦ୍ରୁପ କରିଥିଲା । ମାତ୍ର ଏଇସବୁ ମାନସିକ ଦ୍ଵନ୍ଦକୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ କରି ରାଜକିଶୋର ତାକୁ ଯେଉଁ ସ୍ନେହ ଓ ଆନ୍ତରିକତାରେ ମୁଗ୍‌ଧ କରି ଦେଇଗଲେ ତାହା ଯଥାର୍ଥରେ ସୁଲତାର ଭୁଲିବାର ନୁହେଁ । ସେ ମୁଗ୍‌ଧ ଦୃଷ୍ଟିରେ ରାଜୁଭାଇଙ୍କୁ ଚାହିଁ ରହି ତାଙ୍କର ଅକୃତ୍ରିମ ହସ କୌତୁକକୁ ପ୍ରାଣ ଭରି ଉପଭୋଗ କଲାବେଳେ ଭାବୁଥିଲା, ଭଗବାନ କି ଉପାଦାନରେ ରାଜୁଭାଇଙ୍କୁ ଗଢ଼ିଛନ୍ତି ! ଅପୂର୍ବ ତାଙ୍କର କଥାର ଚାତୁରୀ, ଅତୁଳନୀୟ ଭାବେ ରସମୟ ତାଙ୍କର ମନ; ଶରତର ଆକାଶ ପରି ନିର୍ମଳ ତାଙ୍କ ହୃଦୟ । ଏଇ ଗର୍ଵ ଅହଙ୍କାରହୀନ ମଣିଷକୁ ସ୍ଵାମୀରୂପେ ପାଇ ଅପା ଯେ ପ୍ରକୃତରେ କେଡ଼େ ସୁଖୀ ହୋଇଚି ସୁଲତା ଏହା କଳନା କରି ପାରୁ ନ ଥିଲା ।

 

କେତୋଟି ମୁହୂର୍ତ୍ତ ଏମିତି ସ୍ନେହାଳାପ ଓ ହାସ୍ୟାଳାପରେ କଟିଯିବାପରେ ରାଜକିଶୋର ସ୍ଵହସ୍ତରେ ଏମାନଙ୍କ ପାଇଁ ଅନେକ ଖାଦ୍ୟର ଆୟୋଜନ କଲେ । ପୂଜାରୀ, ଚାକର ଥାଉ ଥାଉ ଟେବୁଲ ଉପରେ ନିଜେ ଖାଦ୍ୟ ପରିବେଷଣ କରି ଯେତେବେଳେ ସୁଲତା ଓ ସୁବୋଧକୁ ଖାଇବାକୁ ଅନୁରୋଧ କଲେ ସେତେବେଳେ ସୁଲତା କହିଲା, ଆମ ଦୁହିଁଙ୍କ ପାଇଁ ବହୁତ ଖାଦ୍ୟ ବାଢ଼ିଚ, ମାତ୍ର ତମ ଦୁହିଁଙ୍କର କାହିଁ ?

 

ରାଜକିଶୋର ସୁଲତାକୁ ବୁଝାଇଦେଲେ, ତମେ ଜାଣନା ଯେ ତମ ଅପାଙ୍କର ଏ ପ୍ରକାର ଖାଦ୍ୟରେ ଆଦୌ ଭାଗ ନ ଥାଏ । ସେ ପୂରା ମାତାଜୀ-ମାସରେ କୋଡ଼ିଏ ଦିନ ତାଙ୍କର ଓଷା ବ୍ରତ କରି ନିରାହାର ଓ ଜଳାହାରରେ ବିତେ । ଆଜି ସେମିତି କିଛି ଏକ ବ୍ରତ ଯୋଗୁ ସକାଳୁ ସେ କିଛି ଖାଇନାହାନ୍ତି । ସେ ଖାଇଲା ପରେ ମୁଁ ଖାଇବି ଯେ ।

 

ରାଜକିଶୋରଙ୍କ ଏ କଥାରେ ସୁଲତା ବିସ୍ମିତ ହେଲା । ଏ ବିସ୍ମୟ ଅପାର ନିରାହାର ଓ ବ୍ରତ ପାଇଁ ନୁହେଁ । ସେ ଜାଣେ ନଅବର୍ଷର ବିବାହିତ ଜୀବନରେ ସନ୍ତାନଟିଏ ପାଇନାହିଁ ବୋଲି ଅପାର ଏ ସେବା ଓ ବ୍ରତ । ମାତ୍ର ଓଷାକରି ସେ ସକାଳୁ କିଛି ଖାଇନାହିଁ ବୋଲି ରାଜୁଭାଇ ଯେ ଏପର୍ଯ୍ୟନ୍ତ କିଛି ଖାଇନାହାନ୍ତି, ଏହା ତାକୁ ଅତି ବିସ୍ମିତ କରୁଥିଲା । ହିନ୍ଦୁ ଘରର ସ୍ତ୍ରୀ ସ୍ଵାମୀ ନ ଖାଇଲାଯାଏ ଖାଦ୍ୟ ଗ୍ରହଣ କରନ୍ତି ନାହିଁ । ମାତ୍ର ସ୍ତ୍ରୀ ନ ଖାଇଲା ଯାଏ ସ୍ଵାମୀ ଯେ ଖାଏନି, ସୁଲତା ଯେମିତି ଏହା ପ୍ରଥମ ଦେଖୁଚି । ନିଜ ସ୍ଵାମୀ ସୁବୋଧ କଥା ଦୂରେଥାଉ, ଆଉ କେହି ଯେ ପତ୍ନୀ ପ୍ରେମରେ ଏତେ ନିଷ୍ଠା ଦେଖାଇଥିବେ ଏହା ଯେମିତି ବିଶ୍ଵାସ ହେଲାନି । ସେ କହିଲା–ଉପାସ ବୋଲି କିଛି ତ ଖାଇବ, ଆଗ ତା’ ଖାଇବାର ବନ୍ଦୋବସ୍ତ କର ।

 

ସୁଲତାର ଏ କଥାରେ ରାଜକିଶୋର ତା’ ମୁହଁକୁ କିଛି ସମୟ ଚାହିଁ ଈଷତ୍ ହସି କହିଲେ–ତାଙ୍କ ଖାଦ୍ୟର କିଛି ବନ୍ଦୋବସ୍ତ ହୁଏନା ଲତା, ଜଳ ଓ ଫଳ ବ୍ୟତୀତ ଅନ୍ୟ କିଛି ସେ ଖାଆନ୍ତି ନାହିଁ । ମାସକେ କୋଡ଼ିଏ ଦିନ ଏମିତି ଓପାସ କରି ନିଜ ଉପରେ ସେ କି ନିର୍ମମ ଅତ୍ୟାଚାର ଚଳେଇଛନ୍ତି । କହୁ କହୁ ରାଜକିଶୋରଙ୍କ କଣ୍ଠ ଭାଙ୍ଗି ପଡ଼ିଲା….ଟିକିଏ ନୀରବ ରହି ସେ ପୁଣି କହିଲେ, ସାତବର୍ଷ ତଳର ସେ ଚେହେରା…ଆଃ…ସେ ରୂପ ଆଜି କାହିଁ ?

 

ଏକଥା ରାଜକିଶୋର କହିଲାବେଳେ ସୁଲତା ଦେଖିଲା ସୁଭଦ୍ରାର ମୁହଁ ବିରକ୍ତ ହୋଇ ଉଠିଆ । ଆଉ ତାର ସେଇ ଲଜ୍ଜାଭରା ମୁଖକୁ କି ପିପାଶାଭରା ଆଖିରେ ରାଜୁଭାଇ ଚାହିଁ ରହିଛନ୍ତି-। ରାଜୁଭାଇଙ୍କର ସେ ଚାହାଣୀକୁ ଲକ୍ଷ୍ୟ କଲାବେଳେ ସୁଲତା ଛାତିରେ ଏକ କମ୍ପନ ଖେଳିଗଲା…ନିଜ ସ୍ୱାମୀ କଥା ଭାବୁ ଭାବୁ । ତାର ମନେପଡ଼ିଲା ନାହିଁ କେଉଁ ନିର୍ଜନ ରାତିର ନୀରବ କକ୍ଷରେ ସୁବୋଧ ଆଖିର ଏ ଚାହାଣୀ ସେ ଲଭିଚି କି ନାଇଁ ।

 

ସୁଲତା ଦୀର୍ଘଶ୍ଵାସ ଛାଡ଼ିଲା । ରାଜକିଶୋର ବାରମ୍ବାର ଅନୁରୋଧ କରି ଶାଳୀ ଓ ଶଢ଼ୁଙ୍କୁ ଭୁରି ଭୋଜନ ଖୁଆଇ ନିଜେ ସେହି ପ୍ରଚଣ୍ଡ ଖରାରେ, ଖାଲି ପେଟରେ ପତ୍ନୀ ପାଇଁ ଫଳ ଆଣିବାକୁ ବାହାରିଲେ । ଫେରି ନାନା ଆଦର ସ୍ନେହରେ ବଳେଇ ବଳେଇ ସୁଭଦ୍ରାକୁ ଯେପରି ଖୁଆଇଲେ, ତାହା ସୁବୋଧ ମନରେ କି ଧାରଣା ଆଣିଥିବ କେଜାଣି, ସୁଲତା ମନରେ କିନ୍ତୁ ଏକ ଗହୀରିଆ ଗାର ଟାଣି ଦେଲା ।

 

ଘରକୁ ଫେରି ସେ ସୁବୋଧକୁ କହିଲା–ରାଜୁଭାଇ ଭାରି ସ୍ନେହୀ ଲୋକ, ଭାରି ଅକପଟ ବ୍ୟବହାର, ନାଇଁ ?

 

ମୁରୁକି ହସି ସୁବୋଧ କହିଲା–ଟିକିଏ ସ୍ତ୍ରୈଣ ନୁହନ୍ତି କି ।

 

ଏକଥା ସୁଲତାର ସହ୍ୟ ହେଲା ନାହିଁ । ସେ ରାଗି କହିଲା–ସ୍ତ୍ରୀକୁ ଭଲପାଇ ତାର ସେବାଯତ୍ନ ନେବା କ’ଣ ସ୍ତ୍ରୈଣତା ? ରାଜୁଭାଇ ପ୍ରକୃତରେ ସ୍ତ୍ରୀକୁ ସମ୍ମାନ ଦେଇ ଜାଣନ୍ତି ।

 

ସୁବୋଧ ଆଉ କିଛି କହିଲା ନାହିଁ । କିନ୍ତୁ ସୁଲତା ଭାବୁଥିଲା ନିଜକୁ ସ୍ନେହ କରି ନ ଆସିଲେ ଅନ୍ୟର ସ୍ନେହକୁ ହୀନ ଦୃଷ୍ଟିରେ ଦେଖିବା କେବକ ଈର୍ଷାପରାୟଣତା ଏକଥା କିନ୍ତୁ ସେ ମୁହଁ ଖୋଲି ସୁବୋଧକୁ କହିପାରିଲା ନାହିଁ ।

 

(୨)

 

ସୁଲତାର ଓ ସୁଭଦ୍ରା…ଗୋଟିଏ ନଦୀର ଦୁଇଟି ଧାର… ! ଦୁହିଙ୍କର ଜୀବନ କିନ୍ତୁ ଭିନ୍ନମୁଖୀ ହୋଇଥିଲା । ସୁଭଦ୍ରା ଦେଖାଦେଇଥିଲା ଧନୀଘରର ଜଣେ ଉଚ୍ଚ ପଦସ୍ଥ ସରକାରୀ ହାକିମଙ୍କୁ । ପ୍ରଚୁର ଐଶ୍ୱର୍ଯ୍ୟ ଓ ସ୍ୱାମୀ ପ୍ରେମରେ ଏ ମର୍ତ୍ତରେ ବି ସେ ସ୍ୱର୍ଗର କଳ୍ପନା କରିଥିଲା ।

 

ସୁଲତାର ବିବାହ ହୋଇଥିଲା ଏକ ନିମ୍ନମଧ୍ୟବିତ୍ତ ପରିବାରର ପୁଅ ସୁବୋଧ ସହିତ । ପିଲାଦିନୁ ଦୁଃଖ ଦୈନ୍ୟରେ ମନ୍ଥିଚକଟି ହୋଇ ବାପାଙ୍କର ଋଣକରା ଟଙ୍କାରେ ମଣିଷ ହୋଇ ଯିଏ ଦୁଃସ୍ଥ ପରିବାରର ସକଳ ଦାୟିତ୍ୱ ମୁଣ୍ଡକୁ ତୋଳିଥିଲା ।

 

ସୁଲତାର ମନରେ ସ୍ୱର୍ଗର କଳ୍ପନା ନ ଥିଲା । ମନର କଳ୍ପନା ତା’ର ଛୋଟ ସଂସାରଟିକୁ ନେଇ ମୁଖର ହୋଇ ଉଠିଥିଲା । ନିଜର ସୁଖ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ନିଜର ସ୍ୱାମୀ, ଶାଶୁ ଓ ଶ୍ୱଶୁରଙ୍କୁ ସନ୍ତୁଷ୍ଟ କରିବା ତା’ ଜୀବନର ପରମ ବ୍ରତ ହୋଇ ପଡ଼ିଥିଲା । ସେଇମାନଙ୍କ ସୁଖ ଥିଲା ସୁଲତାର ସୁଖ ଓ ସୌଭାଗ୍ୟ । ସେଇ ସୌଭାଗ୍ୟରେ ସୁଲତା ଦୀର୍ଘ ସାତବର୍ଷ ଖୁସିରେ ଚଳିଥିଲା । ମାତ୍ର ସୁଭଦ୍ରା ପରିବାରର ସହ ମିଶିବା ଦିନୁ ତା’ ଆଖି ଆଗରେ ଯେପରି ଆଉ ଏକ ନୂତନ ଦୁନିଆର ଉନ୍ମୋଚନ ହୋଇଗଲା । ତାର ମନେହେଲା, ଜୀବନରେ ଅନେକମୁଖ୍ୟଅଂଶ ପ୍ରତି ସେ ଦୃଷ୍ଟି ଦେଇନାହିଁ । ଦୁନିଆର ଅନେକ ପାଇବା ଜିନିଷ ସେ ପାଇ ପାରିନାହିଁ । ନିଜକୁ ସେ କେବଳ ନିଃଶେଷ କରି ଦେଇଚି । କିନ୍ତୁ ଅନ୍ୟକୁ ନିଶେଷ କରି ନିଜକୁ ପୂର୍ଣ୍ଣ କରିବାକୁ ତ କେବେ ଚେଷ୍ଟା କରିନାହିଁ । ସାତବର୍ଷର ସେହି ସୌଭାଗ୍ୟ କ୍ରମେ ସୁଲତାକୁ ଦୁର୍ଭାଗ୍ୟ ପରି ପରିହାସ କଲା । ଅପା ତାର ସ୍ୱାମୀର ଆଦର ସୋହାଗରେ ଆକଣ୍ଠ ବୁଡ଼ି ସୁଖୀ ହୋଇଚି । ସେ କିନ୍ତୁ ସୁବୋଧର ଆଦର ପାଇନାହିଁ । ସ୍ନେହ ପାଇନାହିଁ । ତାକୁ ସୁଖୀ କରିବାରେ ସୁବୋଧର ଯତ୍ନ ନାହିଁ, ସେବା ନାହିଁ, ଆଗ୍ରହ ନାହିଁ । ସୁବୋଧ ସ୍ୱାର୍ଥପର ।

 

ସୁଲତାର ସ୍ଵଚ୍ଛ ସରଳ ମନ କି ଏକ ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲା । ପୂର୍ବପରି ଆନନ୍ଦରେ ସେ ନିଜକୁ ନିଜ ସଂସାରରେ ଉତ୍ସର୍ଗ କରିପାରିଲା ନାହିଁ । ପ୍ରତି ମୁହୂର୍ତ୍ତରେ ସୁବୋଧ ଠାରୁ ନିଜର ନ୍ୟାଯ୍ୟ ଦାବୀ ଜଣାଇବାକୁ ସେ ଆକୁଳ ହୋଇ ଉଠିଲା । ମାତ୍ର ଦେଖିଲା ସୁବୋଧ ପୂର୍ବପରି ଉଦାସୀନ । ପୂର୍ବପରି ଗମ୍ଭୀର ।

 

ସେଦିନ ସୁଭଦ୍ରା ଘରେ ଦୁହେଁ ନିମନ୍ତ୍ରିତ ହୋଇଥିଲେ । ଖିଆପିଆର ଧୁମ୍‌ଧାମ୍‌ ପରେ ଏକ ନିଭୃତ କକ୍ଷକୁ ସେମାନଙ୍କୁ ଡାକି ନେଇ ରାଜକିଶୋର କହିଲେ–ବୁଝିଲେ ସୁବୋଧ ବାବୁ, ଆପଣଙ୍କ ଅପାଙ୍କ ହାତର ଚମତ୍କାର ରାନ୍ଧଣାରେ ଏ ପେଟ ଥଣ୍ଡା ହେଲା । ବର୍ତ୍ତମାନ ତାଙ୍କ କଣ୍ଠର ଲଳିତ ମୂର୍ଚ୍ଛନାରେ ଏ ମନକୁ ଥଣ୍ଡା କରିବାର ଆୟୋଜନ ସେ କରନ୍ତୁ ।

 

ରାଜକିଶୋରଙ୍କର ଏ କଥାରେ ସୁଲତାର ମନ ଆଶ୍ଚର୍ଯ୍ୟ ଆନନ୍ଦରେ ଭରିଗଲା । ସେ କହିଲା–ତୁ ଆଜିଯାଏ ଗାଇବାର ଅଭ୍ୟାସ ରଖିଚୁ ନା ଅପା ?

 

ସୁଭଦ୍ରା ଏ ପ୍ରଶ୍ନର ଉତ୍ତର ଦେଲାନାହିଁ । ମିଳନ ମୁଖରେ ତାର କେବଳ ସଲ୍ଲଜତାର ରଙ୍ଗ ଲାଗିଥିଲା । ସୁଲତା ପ୍ରଶ୍ନର ଉତ୍ତର ଦେଇ ରାଜକିଶୋର କହିଲେ–ସେ କ’ଣ ପାରିଥାନ୍ତେ ? ତାଙ୍କୁ ଏକ ବିଶିଷ୍ଟ ସଙ୍ଗୀତ ଶିଳ୍ପୀ ଭାବେ ଗଢ଼ି ତୋଳିବାକୁ ମୋର କି ଗଭୀର ପ୍ରଚେଷ୍ଟା…ତାଙ୍କ ପଛରେ ଖୁବ୍ ଲାଗିଥିଲି । ଉଚ୍ଚାଙ୍ଗ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଦେବାପାଇଁ ଦୁଇ ଦୁଇ ଜଣ ଗୃହ ଶିକ୍ଷକ ନିଯୁକ୍ତ କରିଥିଲି । କିନ୍ତୁ ତମ ଅପାଙ୍କରେ ସେଥିର ମନ ନଥିଲା । ତଥାପି ଶାସ୍ତ୍ରୀୟ ସଙ୍ଗୀତ ନହେଲେ ମଧ୍ୟ ସୁଗମ ସଙ୍ଗୀତରେ ସେ ବେଶ୍ ପଟୁ ।

 

ରାଜକିଶୋରଙ୍କ କଣ୍ଠରୁ କି ଏକ ତପ୍ତିଭାବ ଝରି ପଡ଼ୁଥିଲା । ପତ୍ନୀର ପ୍ରତିଭା ଓ ଗୌରବରେ ସେ ଯେ ଗୌରବାନିତ୍ୱ ଏ କଥା ତାଙ୍କର ଉଜ୍ଜ୍ୱଳ ମୁଖ, ହସୋଜ୍ଜ୍ୱଳ ଆଖି ବେଶ୍ ସୂଚନା ଦଉଥିଲା । ତାଙ୍କର ବାରମ୍ବାର ସସ୍ନେହ ଅନୁରୋଧରେ ସୁଭଦ୍ରା ଦୁଇଟି ଓଡ଼ିଶୀ ଓ ଗୋଟିଏ ମୀରା ଭଜନ ଗାଇ ସମସ୍ତଙ୍କୁ ଆପ୍ୟାୟିତ କଲା ।

 

ସୁଭଦ୍ରା ଗୀତ ଶେଷ ହେବାପରେ ସୁବୋଧ କହିଲା, ବାସ୍ତବରେ ଭଲ ଗାଆନ୍ତି । ସାଧନା ରଖିଲେ ଆହୁରି ସୁଖ୍ୟାତି ପାଇବେ ।

 

ସୁବୋଧର ଏ କଥା ପରେ ରାଜକିଶୋର ସ୍ତ୍ରୀର ସୁଖ୍ୟାତି ଓ କଣ୍ଠଶୈଳୀକୁ ଭୂରି ଭୂରି ପ୍ରଶଂସା କଲାବେଳେ ସୁଲତା ତାଙ୍କ ମୁହଁକୁ ଗଭୀର ତୃପ୍ତିରେ ଚାହିଁ ରହିଥିଲା । ପତ୍ନୀର ପ୍ରତିଭାରେ ଶତମୁଖ ହୋଇ ଉଠିଛନ୍ତି ଏ ରାଜଭାଇ । କି ଗଭୀର ପ୍ରେମ ! କି ନିବିଡ଼ ଆନ୍ତରିକତା । ଏ ଯେମିତି ଆତ୍ମାର ଏକ କୁଳୁ କୁଳୁ ଛାନ୍ଦ । ଆବିଳତା ନାହିଁ, ମଳିନତା ନାହିଁ, ଅପା କି ଭାଗ୍ୟବତୀ ! ଐଶ୍ୱର୍ଯ୍ୟ, ପ୍ରେମ, ସୁଖ୍ୟାତି ଏକାବେଳେକେ ସେ ସବୁ ପାଇଚି ।

 

ସୁଲତାର ମନେପଡ଼ିଲା, ପାଶୋରା ଅତୀତ… ! ସେ ବି ଦିନେ ଗାଉଥିଲା-ନୂଆ ନୂଆ ରେଡ଼ିଓରେ ପ୍ରୋଗ୍ରାମ ପାଉଥିଲା–ସେଇ ସୁବର୍ଣ୍ଣ ଅତୀତକୁ ସେ ସାତବର୍ଷ ପଛରେ ଛାଡ଼ିଦେଇ ଆସିଚି । ଅନାଟନଭରା ଘରସଂସାରର ସୁବୋଧର ଜୀବନ ସଙ୍ଗୀତରେ ମଧୁ ମୂର୍ଚ୍ଛନା ତୋଳିବାର ସାଧନାକୁ ଜୀବନର ପରମ ବ୍ରତ ଭାବରେ ଗ୍ରହଣ କରି କଣ୍ଠ ସଙ୍ଗୀତର ସାଧନାକୁ ସେ ତିଳ ତିଳ ହତ୍ୟାକରିଚି । ଏଥିପାଇଁ ଉତ୍ସାହ ପ୍ରେରଣା ତ ଦୂରର କଥା, ସୁବୋଧର ସହାନୁଭୂତି ସେ କେବେ ଲଭିନାହିଁ । ସୁବୋଧ କେବେ ଜାଣିବାକୁ ଇଚ୍ଛା କରିନାହିଁ ସ୍ତ୍ରୀ ତାର ଗାଇ ଜାଣେ କି ନା । ଅଥଚ ସେଇ ସୁବୋଧ ଅପାର ସଙ୍ଗୀତକୁ ପ୍ରଶଂସା କରୁଛି । ସଙ୍ଗୀତର ମର୍ଯ୍ୟାଦା ଉପଲବ୍‌ଧି କରୁଚି ।

 

ସୁଲତାର ଛାତିରୁ ଦୀର୍ଘଶ୍ଵାସ ଉଠିଲା । ସୁଭଦ୍ରା ତା’ମୁହଁକୁ ଚାହିଁ କହିଲା–ଲତା ମଧ୍ୟ ସୁନ୍ଦର ଗାଉଥିଲା, ଏଥର ସେ ଗାଉ !!

 

ରାଜକିଶୋର ଉଚ୍ଛ୍ୱସିତ କଣ୍ଠରେ ଏ କଥାକୁ ସମର୍ଥନ କଲେ ।

 

ମାତ୍ର ସୁଲତା ଏ କଥାରେ ଆନନ୍ଦ ପାଇପାରିଲା ନାହିଁ । ବିଚଳିତ କଣ୍ଠରେ କହିଲା–ନାଁ, ନାଁ, ଗାଇବାର ଅଭ୍ୟାସ ମୋର ସାତବର୍ଷ ହେବ ନାହିଁ, ଅଭ୍ୟାସ ଥିଲେ ସିନା ଗାଇବି । ତା’ଛଡ଼ା ମୋ’ପରି ଗୋଟାଏ ସ୍ତ୍ରୀର ଗାଇବାର ଅଭ୍ୟାସ ରଖିବା ଏକ ହାସ୍ୟାସ୍ପଦ ଯୁକ୍ତି ଛଡ଼ା ଅନ୍ୟ କିଛି ନୁହେଁ । ସୁଲତାର କଣ୍ଠ ଅଭିମାନସିକ୍ତ ।

 

ରାଜକିଶୋର କିଛି ବୁଝିଲେ । କହିଲେ–ଅଭ୍ୟାସ ରଖିଲେ ସିନା ରହିବ ଲତା । ଏଥିପାଇଁ ସୁବୋଧବାବୁ କ’ଣ କିଛି ପ୍ରେରଣା ଦିଅନ୍ତି ନାହିଁ ? ଜାଣି ଜାଣି ପ୍ରତିଭାକୁ ହତ୍ୟାକରିବା ଠିକ ନୁହେଁ । ମୋ ମତରେ ଖାଇପିଇ ଜଞ୍ଜାଳ କରି ବଞ୍ଚି ରହିବା ପଶୁ ବଞ୍ଚିବା ସହ ସମାନ । ଆମେ ମଣିଷ । ଆମକୁ ଅନେକ କିଛି କରିବାକୁ ହେବ । ନିଜର ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ନିଜର ଓ ନିଜ ସ୍ତ୍ରୀ ବା ସ୍ୱାମୀର ଉଦ୍‌ଯୋଗ ଓ ଉତ୍ସାହ ନିତ୍ୟାନ୍ତ ଆବଶ୍ୟକ-ନୁହେଁ ସୁବୋଧ ବାବୁ ?

 

ରାଜକିଶୋରଙ୍କର ଏ କଥାର ସୁବୋଧ କିଛି ଉତ୍ତର ଦେଲାନାହିଁ । ନ ଶୁଣିଲା ପରି କିଛି ସମୟ ନୀରବ ରହିବା ପରେ ସେ ଘରକୁ ଯିବାପାଇଁ ପ୍ରସ୍ତୁତ ହେଲା । ସୁବୋଧକୁ ଘରକୁ ବାହାରିବା ଦେଖି ସୁଲତା ମନେ ମନେ ରାଗରେ ତାତି ଉଠିଲା । ସାଧାରଣ ସୌଜନ୍ୟତା ବି ଏ ଲୋକଟାର ନାହିଁ । ରାଜୁଭାଇଙ୍କ ପ୍ରଶ୍ନର ଉତ୍ତର ନଦେଇ ଘରକୁ ଯିବାକୁ ପ୍ରସ୍ତୁତ । ଛିଃ, ଛିଃ, ସୁଲତା ମନେ ମନେ ବିରକ୍ତ ହୋଇ ଉଠିଲେ ମଧ୍ୟ ଘରକୁ ନଯିବା ଛଡ଼ା ତାର ଉପାୟ ନଥିଲା ।

 

ସୁଭଦ୍ରା ସୁଖ୍ୟାତ ପାଇଚି । ପାଞ୍ଚଜଣରେ ନାଁ କରିଚି । ଜୀବନରେ ଆଉ କିଛି ନ ପାଇଲେହେଁ, ଗାଇବାର ଅଭ୍ୟାସ ରଖିଥିଲେ ସେ ବି ସୁଖ୍ୟାତ ପାଇଥାନ୍ତା । ରେଡ଼ିଓରେ ଗୀତ ଗାଇଥାନ୍ତା । କିନ୍ତୁ ଏଥିପାଇଁ ତାକୁ ପ୍ରେରଣା କେହି ଦେଇ ନାହଁ । ବଣମଲ୍ଲୀ ପରି ପ୍ରତିଭା ତାର ସୁବୋଧର ସଂସାରରେ ଝଡ଼ ପଡ଼ିଛି । ଐଶ୍ୱର୍ଯ୍ୟହୀନ, ପ୍ରେମହୀନ, ପ୍ରତିଭାହୀନ ଏକ ନୀରସ ଶୁଷ୍କ ଜୀବନ ଧରି ବଞ୍ଚିରହିବା ଛଡ଼ା ତା’ର ବିଶେଷତ୍ୱ କ’ଣ ଆଉ ଅଛି ? ସୁଲତାର ମନ ସୁବୋଧ ବିରୁଦ୍ଧରେ ବିଦ୍ରୋହ କରିଉଠିଲା ।

 

ରାତିରେ ଖାଇସାରି ବିଛଣାକୁ ଗଲାବେଳେ ସୁବୋଧ କହିଲା–ଗାଇବାର ଅଭ୍ୟାସ ତମେ କାହିଁକି ଛାଡ଼ିଦେଲ ଲତା ?

 

ସୁବୋଧର ଏ ପ୍ରଶ୍ନରେ ଆହତ ନାଗୁଣୀ ପରି ସୁଲତା କେବଳ ଫଁ ଫଁ ହୋଇ ଉଠିଲା । ଏ କଥାର ଉତ୍ତର ନଦେଇ ସେ ଛୋଟ ପୁଅଟିକୁ କୋଳରେ ଧରି ଶୋଇଯିବାର ଛଳନା କଲା ।

 

ସୁବୋଧ ପୁଣି ସୁଲତା ପାଖକୁ ଲାଗିଆସି ଯେତେବେଳେ ପୂର୍ବୋକ୍ତ ପ୍ରଶ୍ନ ତୋଳିଲା, ସେତେବେଳେ ରାଗିଉଠି ସୁଲତା କହିଲା–ଏତେଦିନକେ ମନେ ପଡ଼ିଲା–ନାଇଁ ? ହାଣ୍ଡି ଆଉ ଚୂଲିର ସାଧନା କରୁ କରୁ ତ ଜୀବନର ମୂଲ୍ୟବାନ ସାତବର୍ଷ କଟାଇ ଦେଲି । ସଙ୍ଗୀତର ସାଧନା କରିବାକୁ ଆଉ ବେଳ ପାଇଲି କେତେବେଳେ ?

 

ସୁଲତାକୁ ଶାନ୍ତି କରିବାର ଚେଷ୍ଟା କରି ସୁବୋଧ କହିଲା–ତମ ଅପା ପୁଣି କେମିତି ପାରିଲେ ?

 

ରାଗରେ ଏଥର ସୁଲତାର ଧୈର୍ଯ୍ୟଚ୍ୟୁତ ଘଟିଲା । ସେ କହିଲା, ଅପାର ସହ ମତେ ସମାନ କରିବାକୁ ତମର ଲଜ୍ଜା ଆସୁନାହିଁ ? ଅପାର କି ଜଞ୍ଜାଳ ଅଛି ? ପୁଝାରୀ ଚାକର, ପିଅନ ତାର ସବୁ କରିଯାନ୍ତି । ଏହାଛଡ଼ା ତା ପଛରେ ରାଜୁଭାଇଙ୍କର କି ପ୍ରଚେଷ୍ଟା । ମୋ ପାଇଁ ଏସବୁ କାହିଁ ? କହୁ କହୁ ସୁଲତା କାନ୍ଦି ପକାଇଲା । ସୁବୋଧ ତାକୁ ପାଖକୁ ଟାଣିଆଣି କହିଲା–ଛିଃ, ଏଥିପାଇଁ କାନ୍ଦୁଛ ଲତା ? ଜୀବନଟା କେବଳ ସାହିତ୍ୟ ସଙ୍ଗୀତ ସାଧନା ପାଇଁତ ଉଦ୍ଦିଷ୍ଟ ନୁହେଁ । ତମ ଅପାଙ୍କର ସନ୍ତାନ ନାହିଁ । ନିର୍ଜନ ଜୀବନରେ ବଞ୍ଚି ରହିବାପାଇଁ କିଛି ଅବଲମ୍ବନ ତ ଆବଶ୍ୟକ-। ଭଗବାନ ତମକୁ ପିଲା ତିନୋଟି ଦେଇଚନ୍ତି । ସେଇମାନଙ୍କର ସେବାଯତ୍ନ ନେଇ ସେମାନଙ୍କୁ ଉପଯୁକ୍ତ ମଣିଷ ଭାବେ ଗଢ଼ିତୋଳିବା କ’ଣ ଏକ ବିଶିଷ୍ଟ ସାଧନା ନୁହେଁ, ଏହାଠାରୁ କେଉଁଗୁଣରେ ତମର ଅପା ଭାଗ୍ୟବତୀ ?

 

ସ୍ନେହରେ ସୁବୋଧ ସୁଲତାର କପାଳ ସ୍ପର୍ଶ କଲା । ମାତ୍ର ସୁବୋଧଠାରୁ ନିଜକୁ ପୃଥକ୍ କରି ସୁଲତା ଭାବୁଥିଲା ଏ କେବଳ ମନରେଖା ସ୍ନେହ ମାତ୍ର ନିଚ୍ଛକ ପ୍ରତାରଣା !

 

(୩)

 

ଦିନ ଦିନ ହୋଇ ଯେତିକି ଦିନ ବିତିଲା, ସୁଲତାର ଅସହିଷ୍ଣୁ ମନ ସେତିକି ସୁଭଦ୍ରା ପରିବାର ଆଡ଼କୁ ଟାଣିହୋଇ ଗଲା । ଅହରହ ସୁଭଦ୍ରାର ଦାମ୍ପତ୍ୟ ଜୀବନର ହାସ୍ୟଚପଳ, ପ୍ରୀତିମଧୁର ଦୃଶ୍ୟଗୁଡ଼ିକ ମନେପଡ଼ି ତାକୁ ବିଧୁର କରିବାରେ ଲାଗିଲା । ଭାବୁ ଭାବୁ ସୁଲତାର ହାତରେ ଭାତ ଗାଳୁ ଗାଳୁ ପେଜ ପଡ଼ିଲା । ପରିବା କାଟୁ କାଟୁ ହାତ କାଟି ହୋଇଗଲା । ମାତ୍ର ରାଜୁଭାଇଙ୍କର ସ୍ତ୍ରୀ ପ୍ରତି ଆଦର ସୋହାଗକୁ ମନେ କରିବାର ଲୋଭକୁ ସେ ସମ୍ବରଣ କରିପାରିଲା ନାହିଁ ।

 

ସେଇ କଥାକୁ ମନେ କଲାବେଳେ ସୁଲତାର ଦୃଷ୍ଟି ଆପେ ଆପେ ନିଜ ଜୀବନ ଉପରକୁ ଖସି ଆସିଲା ସାତବର୍ଷ କାଳ ନିଜକୁ ସେ କେବଳ ନିଃଶେଷ କରି ଆସିଚି । ଦିନରାତି କରି କରି ସୁବୋଧକୁ ପୁଝାରୀ ଚାକର ଖର୍ଚ୍ଚ ରୁ ରକ୍ଷା କରିଚି । ନିଜର ଅନ୍ତର ଚିପୁଡ଼ି ସୁବୋଧକୁ ପ୍ରେମ ଦେଇଛି, ସେବା ଦେଇଛି । ମାତ୍ର ବିନିମୟରେ ପାଇଛି କ’ଣ ? ତିନୋଟି ପୁତ୍ରସନ୍ତାନ ବ୍ୟତୀତ ସାତବର୍ଷର ଘରକରଣା ଭିତରେ ସୁବୋଧ ତାକୁ ଆଉ କିଛି ଦେଇ ପାରିନାହିଁ । ପ୍ରେମ ନାହିଁ, ଆଦର ନାହିଁ, ସହାନୁଭୂତି ନାହିଁ । ଗଧ ପରି ଦିନସାରା ଖଟି ଖଟି ଅବଶ ହୋଇ ରାତିରେ ଶୋଇଗଲା ବେଳେ ସୁବୋଧ କେବେ ଆଦର କରି କହିନାହିଁ, ବଡ଼ କଷ୍ଟ ପାଉଚ ଲତା । କାହିଁକି ଏତେ କାମ କରୁଚ ? ଏଣିକି ମୁଁ ବି ତମକୁ କିଛି କିଛି ସାହାଯ୍ୟ କରିବି ।

 

ଛୁଆ ଜଞ୍ଜାଳରେ ବ୍ୟସ୍ତ ରହି ଯାଇତାଇ ଗଣ୍ଡାଏ ଖାଇଦେଲା ବେଳେ ସୁବୋଧ କେବେ ରାଜୁଭାଇ ପରି କହିନାହିଁ । ଆଉ ଗଣ୍ଡିଏ ଖାଅ ଲତା, ମୋ’ ରାଣଟି । ନଖାଇ ନପିଇ ଖାଲି କାମ କରି କରି ତମ ଚେହେରା କ’ଣ ହେଲାଣି ଦେଖିଲ । ଏଇସବୁ ଭାବି ଭାବି ସୁଲତାର ମନରେ ଏକ ଦାରୁଣ ବିପର୍ଯ୍ୟୟ ଆସିଲା । ତାର ନିବିଡ଼ ଭାବେ ହୃଦବୋଧ ହେଲା, ସୁବୋଧ ତାକୁ ପ୍ରକୃତରେ ଭଲପାଏ ନାହିଁ । ଆଜି ପର୍ଯ୍ୟନ୍ତ ଯାହାକୁ ସେ ସୁବୋଧର ପ୍ରେମ ବୋଲି ଭାବି ଆସିଥିଲା ତାହା ଏକ ନୀରସ ରୁକ୍ଷ କର୍ତ୍ତବ୍ୟବୋଧ ମାତ୍ର । ସେ ସ୍ନେହ ସମ୍ଭାଷଣ ଉହାଡ଼ରେ ସୁବୋଧର ପ୍ରାଣର ପିପସା, ଆକୁଳ ଆଗ୍ରହ ନାହିଁ । ରହିଚି ଟିକିଏ ଅନୁଗ୍ରହ ମାତ୍ର । ସୁଲତାର ମନେହେଲା ନିକାଞ୍ଚନରେ ସୁବୋଧକୁ ପ୍ରଶ୍ନ କରନ୍ତା, ସତେ ତମେ ମତେ ଭଲ ପାଅନା ? ତମ ପ୍ରେମ ଆଦର ପାଇବାର ଯୋଗ୍ୟ କ’ଣ ମୁଁ ନୁହେଁ । ଅହରହ ଏଇପରି ଅନ୍ୟମନସ୍କ ରହି କାର୍ଯ୍ୟରେ ବିଶୃଙ୍ଖଳା ଘଟିଲା । ଭାତ ଜାଉ ହେଲା, ଡାଲି ପୋଡ଼ିଗଲା । କେଉଁଦିନ ଅକାରଣରେ ପିଲାଙ୍କୁ ପିଟି ଦେଇଗଲା ।

 

ସୁଲତାର ଏହି କାମ ପରିବର୍ତ୍ତନକୁ ସୁବୋଧ ଲକ୍ଷ୍ୟକଲା । ମାତ୍ର ବୁଝି ପଚାରିବାକୁ ସମୟ ପାଇଲା ନାହିଁ । ଦୁଇ ଓଳି ଟିଉସନ ଓ ଅଫିସ କାର୍ଯ୍ୟ ପରେ ସୁଲତା ମନର ଖେଦ ବୁଝିବାକୁ ତାର ନିରୋଳା ଅବସର ନଥିଲା ।

 

ସେଦିନ ରାତିରେ ସୁବୋଧକୁ ପଚାରିବା ଲାଗି ସୁଲତା ଦୃଢ଼ସଂକଳ୍ପ ହୋଇ ପଡ଼ିଲା । ସନ୍ଧ୍ୟା ବେଳୁ ମନ ତାର ଉଚ୍ଛନ୍ନ ହୋଇଉଠିଲା–କୌଣସି ପ୍ରକାର ଗୃହ କର୍ମ ସମାପନ କରି ସେ ବିଛଣାକୁ ଯାଇ ଦେଖିଲା, ସୁବୋଧ ଶୋଇଯାଇଚି । ସେଦିନ ଆଉ ନିଦ୍ରତ ସୁବୋଧକୁ ଉଠାଇବା ଲାଗି ସୁଲତାକୁ ଦୁଃଖ ଲାଗିଲା ନାହିଁ । ସେ ସୁବୋଧର ଶଯ୍ୟାଧାରରେ ବସି ଡାକିଲା–ଶୁଣୁଚ ?

 

ସୁବୋଧ ଶୋଇନଥିଲା । ସୁଲତାର ଡାକରେ ସେ ଆଖିମେଲି ତା ମୁହଁକୁ ଚାହିଁଲା । ଝରକାବାଟେ ଆସୁଥିବା ଛାପିଛାପି ଚନ୍ଦ୍ରା ଲୋକରେ ସୁଲତାର ମଳିନ ମୁଖ ଚିକ୍‌ଚିକ୍‌ କରୁଚି । ଏଇ ମଳିନତାର ବି ଗୋଟାଏ ଶ୍ରୀ ଅଛି । ସୁବୋଧ ତାକୁ କିଛି ନ କହିବା ପୂର୍ବରୁ ହଠାତ୍ ତାର ବାହୁକୁ ଜଡ଼ାଇ ଧରି ସୁଲତା କହିଲା–ତମେ ସତରେ ମତେ ଭଲପାଅ ?

 

ସୁଲତାର ଏ ପ୍ରଶ୍ନରେ ସୁବୋଧ ଆଶ୍ଚର୍ଯ୍ୟ ହୋଇଗଲା । ସାତବର୍ଷର ଘର ସଂସାରରେ ତିନୋଟି ପିଲାର ମାଆ ହୋଇ ସାରି ଆହୁରି ତାର ଭଲପାଇବା ପ୍ରତି ସୁଲତାର ସନ୍ଦେହ ଅଛି ? ତାର ମନେପଡ଼ିଲା ଏଇ କେତେଦିନ ହେବ ସୁଲତାର ଖାପଛଡ଼ା ବ୍ୟବହାର । ସୁଲତାର ଏଇ ପରିବର୍ତ୍ତନ ବୁଝିବାକୁ ତାକୁ ବାକି ରହିଲା ନାହିଁ । ତାକୁ ଆଉ ବୁଝିବାକୁ ଡେରି ଲାଗିଲାନାହିଁ, ଯେ ସୁଭଦ୍ରାର ଦାମ୍ପତ୍ୟ-ଜୀବନ, ଐଶ୍ଵର୍ଯ୍ୟ ସୁଲତା ମନରେ ଅଗ୍ନି ସଂଯୋଗ କରିଛି । ରାଜକିଶୋରଙ୍କର ସ୍ତ୍ରୈଣତା ସୁଲତା ମନରେ ଏହି ପ୍ରଶ୍ନବାଚୀ ତୋଳିଚି–ଅଭିମାନ କରି ସେ ଦୃଢ଼ କଣ୍ଠରେ କହିଲା–ନାଁ-! ନାଁ-ନାଁ !! ସୁବୋଧଙ୍କର ଏହି ପଦିକ କଥା ନା, ସହସ୍ର ଶବ୍ଦରେ ଉଚ୍ଚାରିତ ହୋଇ ସୁଲତାକୁ ଯେମିତି ପରିହାସ କଲା । ସେ ଭାବି ନଥିଲା ଯେ ସତରେ ସୁବୋଧ ଏତେବଡ଼ କଥାଟାଏ କହି ପାରିବ । ହାତ ତାର ସୁବୋଧ ଅଙ୍ଗରୁ ଖସିଆସିଲା । ସେ କହିଲା, ସତେତ ଭଲପାଅନା ତମେ ! ସାତବର୍ଷ ମିଛରେ ମୁଁ ନିଜକୁ ସୁଖୀ ବୋଲି ଠକି ହେଇ ଆସିଲି । ଯେଉଁ ଜୀବନରେ ସ୍ଵାମୀର ପ୍ରେମ ନାହିଁ, ସ୍ନେହ ନାହିଁ, ସେ ଜୀବନ ତୁଚ୍ଛ, ନିରର୍ଥକ । କହୁ କହୁ ସୁଲତା କଇଁ କଇଁ ହୋଇ କାନ୍ଦି ଉଠିଲା-

 

ସୁଲତାର ଏହି କାନ୍ଦରେ ସୁବୋଧ ବିଚଳିତ ହୋଇଉଠିଲା । ସାତବର୍ଷ ପରେ ତାର ପ୍ରେମକୁ ଅବିଶ୍ୱାସ କରି ସୁଲତା ନିଜକୁ ଏତେ ତୁଚ୍ଛ ମଣିପାରେ ଏହା ଭାବି ମନ ତାର ଅଭିମାନରେ ଫାଟିପଡ଼ିଲା । ସେ କହିଲା, ଭଲ ପାଇବାଟା ହସ କୌତୁକରେ ପ୍ରକାଶ ପାଏନା ଲତା ! ଭଲପାଇବାଟା କହି ଜଣେଇହବା, ଦେଖେଇହବା ଜିନିଷ ନୁହେଁ । ଭଲପାଇବାଟା ନିର୍ଜନ ପ୍ରାଣର, ନିବିଡ଼ ଅନୁଭବର । ଏ କଥା ବି ତମକୁ ବୁଝେଇବାକୁ ହେବ ।

 

ସୁଲତା କିନ୍ତୁ ସେତେବେଳେକୁ ନିଜ ବିଛଣାରେ ଯାଇ ଫୁଲି ଫୁଲି କାନ୍ଦୁଥିଲା ।

 

ଅତି ଅପ୍ରତ୍ୟାଶିତ ଭାବେ ମା’ଙ୍କର ଅସୁସ୍ଥତାର ସମ୍ବାଦ ପାଇ ରାଜକିଶୋର ସ୍ତ୍ରୀ ସହ ଘରକୁ ବାହାରିଲେ । ଗଲାବେଳେ ସୁଲତା ବିଦାୟ ଦେବାକୁ ଯାଇଥିଲା । ବିଦାୟ ବେଳାରେ ଦୁଇ ଭଉଣୀ ଦୁହିଁଙ୍କୁ ଧରି ବହୁତ କାନ୍ଦିଲେ । ସୁଲତା ଅପେକ୍ଷା ସୁଭଦ୍ରା ଯେମିତି ସେ ମୁହୂର୍ତ୍ତରେ ଅତି ଆତୁର ହୋଇ ପଡ଼ିଥିଲା । ସୁଲତାର ପିଲାମାନଙ୍କୁ ଘନଘନ ଆଶ୍ଲେଷ ଦେଇ ସେ କହିଲା, ଲତା ଲୋ, ସେମାନଙ୍କୁ ଦେଖି ଜୀବନର ସବୁ ଦୁଃଖ ଭୁଲି ଯାଇଥିଲି । ଏଣିକି କେମିତି ସେ ନିର୍ଜନ ଗାଁରେ ଚଳିବି କହିଲୁ ? କେମିତି ମୋର ଦୁଃଖ ଭୁଲିବି ? ଏତିକି କହି ସୁଭଦ୍ରା କାନ୍ଦି ଉଠିଲା । ଗାଡ଼ି ବେଳ ହୋଇ ଯାଇଥିଲା–ଦୁହେଁ ଆଉ ଦୁହିଁଙ୍କୁ ବେଶୀ ସମୟ ଅଟକାଇ ପାରିଲେ ନାହିଁ । ଗାଡ଼ିରେ ବସି ବାରମ୍ବାର ପଛକୁ ଚାହିଁ ଅଦୃଶ୍ୟ ହେବାଯାଏ ସୁଭଦ୍ରା କାନ୍ଦୁଥିବାର ଲକ୍ଷ୍ୟକଲା ସୁଲତା-

 

ଗାଡ଼ି ଚାଲିଯିବା ପରେ ଦୀର୍ଘଶ୍ୱାସ ଛାଡ଼ି ସୁବୋଧ କହିଲା–ଅପାଙ୍କ ମନରେ କି ଏକ କ୍ଷତ ଥିବାର ଜଣାଯାଏ । ତା’ ନହେଲେ ସବୁବେଳେ ତାଙ୍କର ମଳିନ ମୁଖ, ବିଷର୍ଣ୍ଣ ଭାବ । ଆଜି ପୁଣି ଏତେ କାନ୍ଦ । ଭଉଣୀର ବିଚ୍ଛେଦରେ ଏତିକି ଅଧୀର ହୁଏ ?

 

ପୁଅକୁ କାଖେଇ ଆଗେଇ ଚାଲୁ ଚାଲୁ ସୁଲତା କହିଲା–ଅଃ, ଅପାଙ୍କ ଗୋଟାଏ ଦୁଃଖ କ’ଣ ? ତା’ ଠାରୁ ବଳି ସୁଖୀ ଦୁନିଆରେ କେହି ଅଛନ୍ତି ବୋଲି ମୋର ମନେ ହୁଏନା । ପିଲାଛୁଆ ନାହାନ୍ତି ବୋଲି ଆମ ପିଲାଙ୍କୁ ସେ ଆଦରି ଯାଇଥିଲା । ଛାଡ଼ିଗଲା ବେଳେ ଦୁଃଖ ଲାଗିବା ସ୍ଵାଭାବିକ ।

 

ସୁବୋଧ ଆଉ କିଛି କହିଲା ନାଇଁ । ଦୁହେଁ ଘରକୁ ଫେରିଲେ । ସୁଭଦ୍ରା ଚାଲିଗଲା ପରେ ସୁଲତା ପୁଣି ନିଜକୁ ନିଜ ସଂସାରରେ ମିଶାଇ ଦେଲା । ପୁଣି ସେହି ଦୁଃଖ ଦୈନ୍ୟ, ଅନାଟନକୁ ଆପଣାର କରି ନେବାକୁ ପଣ କରି ବସିଲା ।

 

ସେଇ ବ୍ୟସ୍ତତା ଭିତରେ ବେଳେବେଳେ ସୁଭଦ୍ରାର କଥା ମନେ ପଡ଼େ । ଅପା ଓ ରାଜୁଭାଇ ଆଜିଯାଏଁ ଚିଠି ଖଣ୍ଡେ ଦେଲେ ନାହିଁ କାହିଁକି ? କେମିତି ଅଛି ତା’ ଅପା ? ଦେହ କ’ଣ ଅସୁସ୍ଥ ହେଲା ? ଡାକକୁ ଚାହିଁ ଚାହିଁ ସୁଲତା ହତାଶ ହେଲା ।

 

ସେଦିନ ପାଇଲା ଅପ୍ରତ୍ୟାଶିତ ଖଣ୍ଡେ ଚିଠି । ସୁଭଦ୍ରାର ହସ୍ତାକ୍ଷର ଥିବା ଲଫାପା ଦେଖି ସେ ସୁବୋଧ ହାତରୁ ଚିଠି ଟାଣି ନେଇ ପଢ଼ିବାରେ ଲାଗିଲା । ଚିଠି ଥିଲା ଦୀର୍ଘ । ସେଥିରେ ଲେଖା ଥିଲା….

 

ଲତା ଲୋ, ମୋର ଭଲ ଖବର ଶୁଣିବାକୁ ଚିଠି ଦବାକୁ ତୁ ବାରମ୍ବାର କହିଥିଲୁ କିନ୍ତୁ ତୁ ମୋର ଭଲ ଖବର କ’ଣ ନଜାଣୁ ଯେ ମୁଁ କ’ଣ ଜଣାଇବି ଐଶ୍ୱର୍ଯ୍ୟମୟ ପରିବେଶ, ପ୍ରେମମୟ ଦାମ୍ପତ୍ୟ ଜୀବନ ଦେଖି ଏକା ତୁ ନୁହେଁ, ବାପା, ବୋଉ, ବନ୍ଧୁବାନ୍ଧବ ସମସ୍ତେ ଏହା ଭାବନ୍ତି ଯେ ମୁଁ କେତେ ମାତ୍ରାରେ ସୁଖୀ । ତମ ସମସ୍ତଙ୍କର ଏହି ଦୃଢ଼ ଧାରଣାକୁ ଭାଙ୍ଗି ମୁଁ କେମିତି ମୋ ଦୁଃଖ ଜଣାଇବି କହିଲୁ ?

 

ରାଜୁ ଭାଇଙ୍କ ପରି ସ୍ୱାମୀଟିଏ ପାଇଲେ ଯେ କୌଣସି ସ୍ତ୍ରୀ ଯେ ଇନ୍ଦ୍ର ଐଶ୍ୱର୍ଯ୍ୟ ତ୍ୟାଗ କରି ପଥପ୍ରାନ୍ତକୁ ସ୍ୱର୍ଗ ମଣିବ କଥା ତାଙ୍କର ସମସ୍ତ ଗୁଣକୁ ପ୍ରଶଂସା କରି ତୁ କହୁଥିଲୁ ନାଁ । ତୋ ପରି ସମସ୍ତେ ଏମିତି ତାଙ୍କର ଗୁଣକୁ ଅତୀବ ପ୍ରଶଂସା କରିଥାନ୍ତି । ତମ ସମସ୍ତଙ୍କର ଏଇ ବିପୁଳ ମତ ବିରୁଦ୍ଧରେ ମୁଁ ଏକା କି ଅଭିଯୋଗ ଆଣିବି କହିଲୁ ? କିଏ ବା ବିଶ୍ୱାସ କରିବ ମୋର ଏ ଅଭିଯୋଗ ।

 

ସେଇଥିପାଇଁ ବର୍ଷ ବର୍ଷ ଧରି ମୋର ଲୁହକୁ ଲୁଚାଇବାକୁ ଯାଇ ମୁ ହସିବାର ଛଳନା କରୁଚି । ଦୁଃଖକୁ ଘୋଡ଼ାଇ ରଖି ସୁଖୀ ହେଇଚି ବୋଲି ଜଣେଇ ଆସିଚି । ମାତ୍ର ଲତା ଲୋ, ଆଜି ମୁଁ ଆଉ ପାରୁ ନାହିଁ । ମୋର ସରଳ ଧୈର୍ଯ୍ୟ ଭାଙ୍ଗି ଯାଇଛି । ମନେ ହେଉଚି ମୁଁ ଆଜି ବଡ଼ ଦୁର୍ବଳ, ବଡ଼ ରୁଗ୍‌ଣ ଆଉ ତ ପାରିବି ନାହିଁ ।

 

ସୁଖ ବୋଲି ଯଦି କିଛି ଜାଣିଥାଏ ତା’ ହେଉଚି ବିବାହର ପ୍ରଥମ କେଇଟି ମାସ । ତା’ପରେ ଯାହା ଆସିଲା ତା’ ଦୁନିଆ ଆଖିରେ ଅତୁଳନୀୟା ସୁଖ ହେଲେ ହେଁ ମୋ ଆଖିରେ ଅସହନୀୟ ଦୁଃଖ ହୋଇପଡ଼ିଲା । ସଙ୍ଗୀତର ସାଧନା ରଖୁଥିଲି ବୋଲି ତୋ ରାଜୁଭାଇ ମତେ କମ୍ ଭତ୍ସନା କରୁ ନଥିଲେ । ଗୀତ ଗାଇବା ଯୋଗୁଁ ମୁଁ ନାନା ଗାୟକ, ବାଦକ ଓ ଅନୁଷ୍ଠାନମାନଙ୍କ ସହ ସଂପୃକ୍ତ ହୋଇ ରହୁଥିଲି । ଏହା ରାଜୁଭାଇ ସହିପାରୁ ନଥିଲେ ଓ ମୋର ଏଇ ସ୍ଵାଧୀନତା ଟିକକକୁ ସେ ପସନ୍ଦ କରିପାରୁ ନଥିଲେ । ତାଙ୍କୁ ଅନେକଥର ବୁଝାଇଚି, ମାତ୍ର ସେ ମୋର କୌଣସି କଥା ନଶୁଣି ଏଥିପାଇଁ ମତେ ନାନା ଲାଞ୍ଛନାରେ ବିକ୍ଷତ କରିଯାଇଛନ୍ତି । ମୋର ସମସ୍ତ ବାଦ୍ୟଯନ୍ତ୍ର ଭାଙ୍ଗିରୁଜି ଫିଙ୍ଗି ଦେଇଛନ୍ତି ଏପରିକି ମତେ ମାରିବାର ଧମକ ବି ଦେଇଚନ୍ତି । ସେଇ ଯନ୍ତ୍ରଣା ଭିତରେ ଦିନ କଟିଚି । ମାତ୍ର କୋଳକୁ ମୋର ପିଲାଟିଏ ଆସିନାହିଁ । ଏଥର ମାଡ଼ି ଆସିଚି ମୋର ଚରମ ଦୁର୍ଭାଗ୍ୟ । ରାଜୁଭାଇ ଓ ତାଙ୍କର ମା’ଙ୍କର ଅତ୍ୟାଚାର ଏଥର ମୋ ଉପରେ ହୋଇଚି ଦୁଇଗୁଣ । କେତେ ନିର୍ଜନ ରାତି, କେତେ ନିର୍ଜନ ଦ୍ଵିପ୍ରହରରେ ତାଙ୍କର ଅତ୍ୟାଚାରରେ ଅତିଷ୍ଠ ହୋଇ ମୁଁ କରିଛି ଅରଣ୍ୟ ରୋଦନ । ସେଇ ଯନ୍ତ୍ରଣାର ସାନ୍ତ୍ୱନା ସ୍ୱରୂପ ସଙ୍ଗୀତର ସାଧନା ମୋର ହୋଇଚି ଦୃଢ଼ । ଗହଣା ବିକ୍ରୟ କରି ପୁଣି କିଣିଚି ମୋର ବାଦ୍ୟଯନ୍ତ୍ର । ପିଲାଟି ପାଇଁ କରିଚି କେତେ ନିରାହର ବ୍ରତ ଓଷା ।

 

ତୋ’ ରାଜୁଭାଇଙ୍କର ନିଜର କ୍ଷମତା ପ୍ରତି ବଡ଼ ଲୋଭ ଓ ସମ୍ମାନ ଥିଲା । ନିଜର ଶିକ୍ଷାପ୍ରତି ବଡ଼ ଅଭିମାନ ଥିଲା; ତେଣୁ ତାଙ୍କର ସମସ୍ତ ଅତ୍ୟାଚାର ହେଉଥିଲା ନିର୍ଜନ ରାତି ଓ ନିର୍ଜନ ଦ୍ଵିପ୍ରହରରେ । ସାଇପଡ଼ିଶା ଦୂରେ ଥାଉ ଘରର ଚାକର ପୂଝାରୀ ମଧ୍ୟ ଏହା ଜାଣୁ ନଥିଲେ: କାରଣ ସେମାନଙ୍କ ସମ୍ମୁଖରେ ସେ ମୋ ପ୍ରତି ଏପରି ବ୍ୟବହାର କରୁଥିଲେ ଯେ, ଏପରି ମିଥ୍ୟାର ଆଶ୍ରୟ ନେଉଥିଲେ ଯେ, ଯା’ ଦ୍ଵାରା ତାଙ୍କର ସକଳ କୁକର୍ମ ଲୁଚିଯାଇ, ନିଜର ସୁନାମକୁ ଦୃଢ଼ କରୁଥିଲା ।

 

ତୁ କହିବୁ, ତାଙ୍କ କଥାର ପ୍ରତିବାଦ ମୁଁ କରିବି ନାହିଁ କାହିଁକି ? କିନ୍ତୁ କୃତ୍ରିମ ସ୍ନେହ ଅଭିନୟରେ ସେ ମୋ’ ପ୍ରତି ତାଙ୍କର ପ୍ରେମକୁ ଲୋକଚକ୍ଷୁରେ ଏପରି ସୁଦୃଢ଼ କରିଯାଇଥିଲେ ଯେ ତାଙ୍କ ବିରୁଦ୍ଧରେ କିଛି କହିବାକୁ ଯାଇ ବରଂ ମୁଁ ନିଜେ ଅପଦାର୍ଥ ଆଖ୍ୟାରେ ଉପହସିତ ହୋଇଥାନ୍ତି-। ତେଣୁ ମୁହଁ ଖୋଲି କେବେ ତାଙ୍କୁ ଧରାପକାଇବାର ଚେଷ୍ଟା କରି ନାହିଁ ।

 

ଆଜି ମୋର ସହିବାର ଶକ୍ତି ସୀମା ଟପିଚି । ଘରର ମାନସମ୍ମାନ ଇଜ୍ଜତକୁ ଦଳି ଯାହା ମୁଁ କରିବାକୁ ବସିଚି, ତା ଶୁଣିଲେ ସତେ କ’ଣ ତୁ ମତେ ଘୃଣା କରିବୁ ଲତା ?

 

ସୁଲତା ଆଉ ପଢ଼ି ପାରିଲା ନାହିଁ । ଅପା ତାର ଏତେ କଷ୍ଟରେ ଅଛି ? କିନ୍ତୁ କେବେ ସେ ମୁହଁଖୋଲି ତାକୁ କିଛି କହିନାହିଁ । ବରଂ ସେ ନିଜେ ସୁବୋଧ ତାକୁ ଭଲପାଏନା ବୋଲି କେତେ ଅଭିଯୋଗ ଆଣିଚି । କିନ୍ତୁ ସୁବୋଧ ତ କେବେ ତା’ ଉପରେ ଏମିତି ଅତ୍ୟାଚାର କରିନି, ଲାଞ୍ଛନା ଦେଇନି, ବର୍ଷ ବର୍ଷ ଧରି ଅପା ତାର ଏତେ କଷ୍ଟ ସହିଚି, କେତେ ଦୁଃଖରେ ଅଛି !

 

ସୁବୋଧ ହାତକୁ ଚିଠି ବଢ଼ାଇ ଦେଇ ସେ କହିଲା–ଛି, ଛି, ରାଜୁଭାଇ ଏମିତି ଲୋକ !

 

ସୁବୋଧ ହାତକୁ ଚିଠି ନେଇ ପଢ଼ିଲା । ପଢ଼ିସାରି କହିଲା–ପ୍ରତି ଜିନିଷ ଅତି ହୋଇଗଲେ ତାହା ଅବାନ୍ତର ଜଣାପଡ଼େ ଲତା ! ମୁଁ ଏହାହିଁ ପୂର୍ବରୁ ଭାବିଥିଲି । ତମ ରାଜୁଭାଇ ଏକା ନୁହେଁ, ଏମିତି ଅନେକ ସାଙ୍ଘାତିକ ଲୋକ ଅଛନ୍ତି, ଯେଉଁମାନେ ଖାଲି ସୁନାମ ଓ କ୍ଷମତା ଲୋଭରେ ନିଜର କୁପ୍ରକୃତିକୁ ଲୁଚାଇବାକୁ ଅତି ଆଶ୍ଚର୍ଯ୍ୟଭାବେ ଅଭିନୟ କରିପାରନ୍ତି, ଶୁଣିଲେ ଆଶ୍ଚର୍ଯ୍ୟ ହେବ । ଏଇମାନେ ହୋଇଥାନ୍ତି ସମାଜର ପ୍ରତିଷ୍ଠିତ ବ୍ୟକ୍ତି ।

 

ସୁବୋଧ ଏଇ କଥା କହିଲାବେଳେ ସୁଲତା ତାକୁ ସତଷ୍ଣ ଆଖିରେ ଚାହିଁ ରହୁଥିଲା । ତାର ମନେ ପଡ଼ି ଥିଲା ସୁବୋଧର ସେଦିନ କଥା–ଭଲପାଇବାଟା ହସ କୌତୁକରେ ପ୍ରକାଶ ପାଏନି ଲତା, ଭଲପାଇବାଟା ନିର୍ଜନ ପ୍ରାଣର, ନିବିଡ଼ ଅନୁଭବର ।

 

ସୁଲତାର ଇଚ୍ଛା ହେଲା ସୁବୋଧକୁ ଦୁଇ ବାହୁର ଆଶ୍ଲେଷରେ ବନ୍ଦୀ କରି–ତ’ ନିର୍ଜନ ବୁକୁର ସେହି ପ୍ରେମ ସ୍ପନ୍ଦିତ ଅଂଶକୁ କିପରି ଅନୁଭବ କରିପାରନ୍ତା କି !!

Image

 

ମନ-ଚକୋର

 

ଦୁହେଁ ଥିଲେ ସମବୟସୀ । ଦୁହିଁଙ୍କ ଶିକ୍ଷା ଓ ରୁଚିର ଗୋଟାଏ ନିବିଡ଼ ସାମ୍ୟଥିଲା । ସେଥିପାଇଁ ବୋଧହୁଏ ଅଳ୍ପ କେତୋଟି ଦିନ ଭିତରେ ଦୁହେଁ ଦୁହିଙ୍କୁ ବେଶ୍ ଆପଣାର କରି ନେଇଥିଲେ ।

 

ସେ ଦୁହେଁ କଳାବତୀ ଓ ନୀଳିମା । ନୀଳିମାର ବିବାହ ଏଇ ପାଞ୍ଚ ସାତ ମାସ ହେବ ହୋଇଚି । କଳାବତୀର ବିବାହ ଦୁଇବର୍ଷ ପୂରିଗଲାଣି । ତେଣୁ ସଦ୍ୟ ସ୍କୁଲ ଛାଡ଼ିଥିବା ଝିଅର ଯେଉଁ ଉଚ୍ଛୃଙ୍ଖଳ ଚପଳତା ନିଳିମା ପାଖରେ ଦେଖାଯାଏ, କଳାବତୀ ପାଖରେ ସେତକ ନାହିଁ ।

 

ଗୋଟିଏ କ୍ଵାଟର୍ସର ଦୁଇଟି ଖଞ୍ଜାରେ ଏହି ଦୁଇଟି ତରୁଣୀ, ନିଜ ନିଜର ସଂସାର ପାତି ଜୀବନର ସ୍ୱପ୍ନ ରଚନା କରିଥିଲେ । ନୀଳିମାର ସ୍ୱାମୀ ନିରଞ୍ଜନ ସବ୍ ଡେପୁଟି । କଳାବତୀର ସ୍ୱାମୀ ରତ୍ନାକର ହାଇସ୍କୁଲର ଶିକ୍ଷକ । ଦୁହେଁ ଯୁବକ । ଉଚ୍ଚ ଶିକ୍ଷିତ । ଦୁହିଁଙ୍କ ସଂସାରରେ, ଦୁଃଖ ଅନଟନ, ଅଶ୍ରୁକାରୁଣ୍ୟ ଟିକେ ହେଲେ ନାହିଁ । ତେଣୁ ଦୁହେଁ ହର୍ଷଚିତ୍ତ ।

 

ପ୍ରତ୍ୟହ ଦଶଟା ବେଳେ ନିରଞ୍ଜନ ଓ ରତ୍ନାକର ସ୍କୁଲ, ଅଫିସ ଚାଲିଗଲା ପରେ ଏଇ ଦୁଇ ସଖୀ ନିଜ ନିଜର ଗୃହ ଧନ୍ଦା ସମାପନ କରି ଏକତ୍ର ହୁଅନ୍ତି । ଦୁହିଁଙ୍କର ହସଖୁସୀ ଗପ କୌତୁକରେ ଦ୍ଵିପ୍ରହରଟା ପାଣିପରି କଟିଯାଏ ଢିଙ୍କିଶାଳରୁ ଢେଙ୍କାନାଳ ପର୍ଯ୍ୟନ୍ତ ଗପର ସ୍ରୋତ ମାଡ଼ି ଚାଲେ । ଯେତେବେଳେ ଧାଡ଼ି ଧାଡ଼ି ପିଲା ସ୍କୁଲରୁ ଫେରିବା ରାସ୍ତାରେ ଦେଖାଯାଏ, ସେତେବେଳେ ଚମକିଲାପରି କଳାବତୀ ଘରକୁ ଫେରେ । ସ୍ୱାମୀ ଫେରିବାର ସମୟ ଜାଣି ନୀଳିମା ମଧ୍ୟ କଳାବତୀକୁ ଆଉ ଅଟକାଇ ରଖିପାରେ ନାହିଁ ।

 

ଏହିପରି ପ୍ରତ୍ୟହ ଦଶଟା ବେଳେ ଦୁହେଁ ଏକତ୍ର ହୁଅନ୍ତି । ପ୍ରତ୍ୟହ ଚାରିଟା ବେଳେ ବିଚ୍ଛିନ୍ନ ହୁଅନ୍ତି । ଚାରିଟା ବେଳେ ରତ୍ନାକର ବୁଲିଗଲା ପରେ, କଳାବତୀର ନୀଳିମା ପାଖକୁ ଯିବାକୁ ଇଚ୍ଛାହୁଏ । ମାତ୍ର ନୀଳିମା ନିରଞ୍ଜନ ସାଙ୍ଗରେ ବୁଲି ଯାଇଥାଏ, ଯେଉଁଦିନ ଯାଇ ନ ଥାଏ, ସେଦିନ ନିରଞ୍ଜନ ଘରେ ଥାଏ ! ତେଣୁ କଳାବତୀ ଯାଇପାରେ ନାହିଁ ।

 

ଦିନ ଗଡ଼ି ଚାଲେ । ଦୁହିଙ୍କ ମନ ଦୁହିଙ୍କ ନିକଟକୁ ଲାଗି ଆସେ । ଦୁହେ ଦୁହିଙ୍କ ଜୀବନ ଆଭ୍ୟନ୍ତରକୁ ପଶି, ଅନେକ କିଛି ଦେଖିବାର, ଜାଣିବାର ଲୋଭକୁ ଅନୁଭବ କରନ୍ତି । ମାତ୍ର ସୌଜନ୍ୟବୋଧ ଦୁହିଁଙ୍କୁ ମୂଳ କରାଇ ରଖେ ।

 

ସେଦିନ ଦ୍ଵିପ୍ରହରରେ ଦୁହେଁ ଏକାଠି ହେଲେ । ଅନେକ କିଛି ମାମୁଲି କଥାବାର୍ତ୍ତା ପରେ, ନୀଳିମା ପଚାରିଲା, ଗୋଟିଏ କଥା ପଚାରିବି, କିଛି ଭାବିବୁ ନାହିଁ ତ ?

 

ନୀଳିମା ଯେ’ କି କଥା ପଚାରି ପାରେ, ଏକଥା ବୁଝି ନ ପାରି କଳାବତୀ ଅଭୟ ଦେଲା-

 

ନୀଳିମା ଏଥର ସ୍ମିତ ହସି କହିଲା, ରତ୍ନାକରବାବୁ ତମକୁ ଖୁବ୍ ଭଲପାନ୍ତି ନା ?

 

ନୀଳିମାର ଏ କଥାରେ କଳାବତୀ ଚମକି ପଡ଼ିଲା । ଏ ପ୍ରଶ୍ନର କି ଉତ୍ତର ଦେବ ସେ ଜାଣିପାରିଲା ନାହି । ରତ୍ନାକର ତାକୁ ଭଲପାଏ କି ନା ଏକଥା ଗବେଷଣା କରି ଜାଣିବାକୁ ସେ କେବେ ଚେଷ୍ଟା କରି ନାହିଁ । ଏଭଳି ପ୍ରଶ୍ନର ସ୍ଥିତି ଯେ ଥାଇପାରେ ଏହା ମଧ୍ୟ ତା’ର କଳ୍ପନାର ବାହାରେ ନୀଳିମାକୁ ଏହାର କୌଣସି ଉତ୍ତର ଦେଇ ନ ପାରି ସେ ଚୁପ୍ ରହିଲା ।

 

କଳାବତୀକୁ ଚୁପ୍ ରହିବାର ଦେଖି ନୀଳିମା ମୁହଁରେ ହସ ଚହଟିଲା । ସେ କହିଲା, ଓଃ ଲାଜ ଲାଗୁଚି ନା ! ମାତ୍ର ମୁଁ ତମର ସମବୟସୀ ପୁଣି ବନ୍ଧୁ !

 

କଳାବତୀ ଏଥର ମୁହଁ ଉଠାଇ କହିଲା–ନା, ଲାଜ ନୁହେ, ମାତ୍ର କି ଉତ୍ତର ଦେବି ଭାବିପାରୁ ନାହି । ଭଲ ପାଇବାର ସଂଜ୍ଞା କ’ଣ ମୁଁ ଜାଣି ନାହିଁ । କେବେ ବୁଝି ତଦ୍ଦ୍ୱାରା ଜୀବନକୁ ସମୀକ୍ଷା କରି ଦେଖିବାର ସୁଯୋଗ ପାଇ ନାହିଁ । ତେଣୁ ସେକଥା ମୁଁ କିଛି କହିପାରୁ ନାହିଁ ।

 

କଳାବତୀର ଏକଥାରେ ନୀଳିମା ସନ୍ତୁଷ୍ଟ ହେଲା ଭଳି ଜଣାଗଲା ନାହି । କଳାବତୀର କଥାଗୁଡ଼ିକ ତା’ ପାଖରେ ଏକାନ୍ତ ଦୁର୍ବୋଧ୍ୟ ରହିଗଲା । ସେ ଆଶା କରିଥିଲା କଳାବତୀ ଯାହା କହିବ, ସେଥିରେ ରଙ୍ଗ ଥିବ, ଛନ୍ଦ ଥିବ, ବିନ୍ୟାସ ଥିବ । ମାତ୍ର ରୋକଠୋକ୍ ପଦେ କଥାରେ କଳାବତୀ ତା’ର ସମସ୍ତ ଉତ୍କଣ୍ଠାକୁ ଶେଷ କରି ଦେଲା ।

 

ନିଜର କଥା ଶେଷ ହେଲା ପରେ, କଳାବତୀ ଏଥର ମୁଣ୍ଡ ଉଠାଇ ପ୍ରଶ୍ନ କଲା–ଏଥର ମୋ’ ପ୍ରଶ୍ନର ଉତ୍ତର ଦିଅ । ନିରଞ୍ଜନବାବୁ ତମକୁ କେମିତି ଭଲ ପାଆନ୍ତି ?

 

କଳାବତୀର ଏ ପ୍ରଶ୍ନରେ ନୀଳିମା କେମିତି ଉତ୍‌ଫୁଲ୍ଲ ହୋଇ ଉଠିଲା । ତା’ ଓଠରେ ଯେଉଁ ଛୋଟ ହସର ଫଲ, ମୁହଁରେ ଯେଉଁ ଫିକା ଲାଜର ରଙ୍ଗ ଉକୁଟି ଉଠି, ତା’ର ମୁଖର ସୋନ୍ଦର୍ଯ୍ୟକୁ ଦ୍ଵିଗୁଣ ବଢ଼ାଇ ଦେଇଗଲା, ସେତକ କଳାବତୀର ଆଖିରୁ ଛପି ପାରିଲା ନାହିଁ ।

 

ନୀଳିମା ଏଥର କଳାବତୀର ହାତଧରି ଟାଣିଲା–ଆସ ଘରେ ବସିବା, ବାହାରେ ଖୁବ୍ ଖରା ।

 

କଳାବତୀର ମନେହେଲା ନିରଞ୍ଜନବାବୁଙ୍କୁ ଭଲ ପାଇବା ବିଷୟରେ, ନିଳିମା ଅନେକ ତଥ୍ୟ ଯୋଗାଇବ । ସେଥିପାଇଁ ଘର ଭିତରକୁ ଏ ନିମନ୍ତ୍ରଣ ।

 

କଳାବତୀ ନୀଳିମା ଶୋଇବା ଘରେ ଗୋଟିଏ ଚେୟାରରେ ବସି ଘରସାରା ଦୃଷ୍ଟି ଖେଳାଇଲା ।

 

ଘରଟି ସୁସଜ୍ଜିତ । ତା’ର ପ୍ରତି କାନ୍ଥ କବାଟଠାରୁ ଆରମ୍ଭ କରି ଟେବୁଲ ରାକ୍‌ ସେଲ୍‌ଫରେ ଏକ କୁଶଳୀ ହାତର କୃତିତ୍ୱ ରହିଛି । କାନ୍ଥରେ ଅଛି ନାନା ରଙ୍ଗୀନ ଫଟ ସିନେରୀ । ଏହାଛଡ଼ା ବିଭିନ୍ନ ପୋଷକରେ ବିଭିନ୍ନ ପୋଜ୍‍ରେ ନୀଳିମା ଓ ନିରଞ୍ଜନଙ୍କର ନାନାପ୍ରକାର ତୈଳଚିତ୍ର । ଗୋଟିଏ କୋଣରେ ଧୂପଦାନୀରେ, ଚନ୍ଦନର ଧୂପକାଠି ଜଳିଜଳି ଶେଷ ହୋଇ ଆସୁଚି । କଳାବତୀର ମନେହେଲା ସତେକି ଏଇ ନୀଳ ପ୍ରକୋଷ୍ଠଟି ଏକ ରୋମାଣ୍ଟିକ୍ ଦୃଶ୍ୟ ପାଇଁ ପ୍ରତୀକ୍ଷମାଣ ରଙ୍ଗମଞ୍ଚ ।

 

କଳାବତୀର ହାତକୁ କିଛି ମସଲା ଦେଇ, ଲବଙ୍ଗଟିଏ କାମୁଡ଼ୁ କାମୁଡ଼ୁ କହିଲା ନୀଳିମା–ତମେ ମତେ କ’ଣ ପଚାରୁଥିଲ ନା ? ମାତ୍ର କ’ଣ ଯେ ଉତ୍ତର ଦେବି ।

 

କଳାବତୀ ମୁହଁ ଉଠାଇଲା– ! ନୀଳିମା ମୁହଁରେ ଏବେ ବି ସେଇ ଲାଜର ଇନ୍ଦ୍ରଧନୁ । ସେ କହିଲା–ତମକୁ ବି ଲାଜ ଲାଗୁଚି ! କହିବନି ?

 

ଏଥର ନୀଳିମା ଆରମ୍ଭ କଲା ଅଛିଣ୍ଡାଗପ… । ତା’ର କଥାଗୁଡ଼ାକ ଏକମନ, ଏକଲୟରେ ଶୁଣି ଯାଉଥାଏ କଳାବତୀ । ତାର ମନେ ହେଉଥାଏ ସେ ଯେମିତି ନିଳୀମାର ଦାମ୍ପତ୍ୟ ଜୀବନର ଏକ କ୍ୟାଟ୍‌ଲାଗ ଦେଖି ଯାଉଚି । ମାତ୍ର ସାତମାସର ଦାମ୍ପତ୍ୟ ଜୀବନରେ ଏତେଗୁଡ଼ାଏ ରୋମାଂଚକର ଘଟଣା ଯେ’ ଘଟିଯାଇଥାଏ, କଳାବତୀ ଆଶ୍ଚର୍ଯ୍ୟ ହେଉଥିଲା । ରାସ୍ତାରେ ସେମିତି କିଛି କୋଳାହଳ ହେଇ ନ ଥିଲେ ନୀଳିମା ଆହୁରି ଗପିଥାନ୍ତା । ଚମକି ପଡ଼ି କଳାବତୀ ଘରକୁ ଫେରିଲା ! ୪ଟା ବାଜିଗଲାଣି । ନୀଳିମାର ଗପ ଅଧା ରହିଲା–

 

ସେହିଦିନ ଚାରିଟା ବେଳେ, ରତ୍ନାକର ପାଇଁ ଜଳଖିଆ ତିଆରି କଲାବେଳେ, କଳାବତୀ ନିଜର ମନରେ କେମିତି ଏକ ଆଲୋଡ଼ନ ଅନୁଭବ କଲା । ନୀଳିମାର ସେହି କଥାଗୁଡ଼ାକ, ତା’ ମନରେ ଗୁରେଇ ତୁରେଇ ହେଉଥିଲା । ନାଟକର ଦୃଶ୍ୟ, ଉପନ୍ୟାସର ଘଟଣା ପରି, ବାସ୍ତବ ଜୀବନରେ ପ୍ରଣୟ ଯେ ଏତେ ଭାବମୟ, କଳାମୟ, ରୋମାଞ୍ଚକର ହୋଇ ଉଠିଥାଏ ଏହା ତାର ଧାରଣାର ଅତୀତ । ରତ୍ନାକରର ବାଟ ଚାହିଁବାକୁ ଦାଣ୍ଡଦ୍ୱାରକୁ ଚଲାବେଳେ କଳାବତୀ ଦେଖିଲା, ନୀଳିମା ଓ ନିରଞ୍ଜନ ବୁଲି ବାହାରିଚନ୍ତି । ନୀଳିମା କହେ ଚାରିଟା ବେଳେ ସେ ଜଳଖିଆ ତିଆରି କରେ ନାହିଁ, ସେମାନେ ବୁଲିଯାଇ ବାହାରେ ଖାଇ ନିଅନ୍ତି । କଳାବତୀ ଅନେକ ଥର ସେମାନଙ୍କୁ ଏକତ୍ର ବୁଲିଯିବାର ଦେଖିଚ । ମାତ୍ର ନୀଳିମାଠାରୁ ତାର ଦାମ୍ପତ୍ୟ ଜୀବନର ଏତେଗୁଡ଼ାଏ ଘଟଣା ଶୁଣିବା ପରେ, ଆଜିର ବୁଲିଯିବାଟା ଯେମିତି ଏକ ବିଶିଷ୍ଟ ଶିଳ୍ପର ଐଶ୍ୱର୍ଯ୍ୟ ନେଇ ଠିଆ ହୋଇଚି ।

 

ଅପେକ୍ଷାକୃତ ବିଳମ୍ବରେ ଫେରି ଜଳଖିଆ ଖାଇ, ରତ୍ନାକର ପୁଣି ବାହାରିଗଲା । ରତ୍ନାକର ଚାଲିଗଲା ପରେ କଳାବତୀ ପୁଣି ରାତି ପାଇଁ ରୋଷେଇ ଆୟୋଜନ ଲାଗିଗଲା । ମାତ୍ର ସବୁ ଥର ପରି ରତ୍ନାକରକୁ ରୁଚିକର ଭୋଜନ ଦେବା ଲାଗି ସେ ଯେମିତି ରୋଷେଇରେ ମନପ୍ରାଣ ଢାଳି ଦେଇଥାଏ, ଆଜି ଯେମିତି ତା’ ପାରିଲା ନାହିଁ ।

 

ନୀଳିମା ଓ ନିରଞ୍ଜନଙ୍କର ଅନେକଗୁଡ଼ାଏ ଯୁଗ୍ମଫଟ ସେ ଦେଖିଚି । ବିଭିନ୍ନ ଭଙ୍ଗୀରେ, ବିଭିନ୍ନ ସ୍ଥାନରେ । ସିନେମାର ଦୃଶ୍ୟପରି କି ସୁନ୍ଦର ସେ ଫଟଗୁଡ଼ିକ ଉଠିଚି । ରତ୍ନାକର ସହ ଏକତ୍ର ବସି ଫଟ ଉଠାଇବାର ପରିକଳ୍ପନା ଭ୍ରମରେ ସେ ଦିନେ ଆଣି ନାହିଁ । ରତ୍ନାକର ମଧ୍ୟ ଏହା କହିନାହିଁ । ମାତ୍ର କାହିଁକି ? ସେମାନେ କ’ଣ ଏମିତି ଫଟ ଉଠାଇ କାନ୍ଥରେ ମାଇଲେ ସୁନ୍ଦର ଦିଶନ୍ତା ନାହିଁ ?

 

କଳାବତୀ ଭାବୁଥିଲା–କି ସୁନ୍ଦର କଥା କହିଗଲା ନୀଳିମା–ନିରଞ୍ଜନ ତାକୁ ଭାରି ଭଲ ପାଆନ୍ତି । ମୁହୂର୍ତ୍ତକର ବିଚ୍ଛେଦ ତାଙ୍କୁ ଯୁଗ ବୋଲି ମନେହୁଏ । ନୀଳିମାକୁ କଷ୍ଟ ନ ଦେବା ପାଇଁ ମାସକେ ପନ୍ଦର ଦିନ ସେ ବାହାରେ ଖାଆନ୍ତି । ନୀଳିମାକୁ ସୁଖରେ ରଖିବା ପାଇଁ କେତେ ସୁନ୍ଦର ସୁନ୍ଦର ବ୍ୟବସ୍ଥା ସେ କରି ଦିଅନ୍ତି । ପ୍ରତ୍ୟେହ ବୁଲେଇ ନେବା, ସିନେମା ଦେଖାଇବା, ଇତ୍ୟାଦି ଇତ୍ୟାଦିରେ ସେ ନୀଳିମାକୁ ମନ୍ତ୍ର ମୁଗ୍‌ଧ କରି ରଖିଥାନ୍ତି । ସେମାନେ ପ୍ରଜାପତିପରି ସକାଳେ ସନ୍ଧ୍ୟାରେ ଉଡ଼ି ବୁଲନ୍ତି । ଜୋଛନା ବିତାନ ତଳେ ହୁଅନ୍ତି ପୁଣି ଚକୋର, ଚକୋରୀ ।

 

କଳାବତୀ ଦୀର୍ଘଶ୍ଵାସ ଛାଡ଼ିଲା । ଉପନ୍ୟାସର କଥାବସ୍ତୁ ଭଳି ନିରଞ୍ଜନର ପ୍ରେମକୁ ବେଶ ରୂପ ଶୈଳୀ ଭରି ନୀଳିମା ବ୍ୟକ୍ତି କରିଗଲା । ସେ କିନ୍ତୁ ରତ୍ନାକର ବିଷୟରେ କ’ଣ କହିଲା-? ଏବେ ବି ମନେ ପଡ଼ୁଚି ସେଇ ନୀରସ କଥାଗୁଡ଼ାକ । ଏବେ ବି ସେ ଜାଣି ପାରୁନାହିଁ ରତ୍ନାକର ତାକୁ ଭଲପାଏ କି ନାହିଁ, ରତ୍ନାକର ସହ ଦୁଇବର୍ଷ ସେ କଟାଇ ଆସିଲାଣି । ରତ୍ନାକର ଶାନ୍ତ, ଶିଷ୍ଟ, ଗମ୍ଭୀର । ଅଳ୍ପକଥା କହେ । ବିଶେଷ ହସିବା କଥା ନ ପଡ଼ିଲେ ହସେ ନାହିଁ । ସମୟ ଅପବ୍ୟୟ କରେ ନାହିଁ । ଜୀବନଟାକୁ ଏମିତି ରୁଟିନ ବନ୍ଧା କରିଚି ଯେ, ଟିକେ ବି ଫାଙ୍କ ନାହିଁ । ସେଇ ରତ୍ନାକର ତାର ସ୍ୱାମୀ । ଜରରେ ପଡ଼ିଲେ ବାର୍ଲିସାଗୁ କରି ଖାଇବାକୁ ଦିଏ । ଶାଢ଼ି ବ୍ଲାଉଜ ଚିରି ଗଲେ ଆଣିଦିଏ । ଦରମା ପାଇଁ ସବୁଟଙ୍କା ତା’ ହାତରେ ଧରାଇଦିଏ । ଆଉ, ଖାଇଲାବେଳେ ସେ ଯେତେବେଳେ ସବୁତକ ମାଛ ରତ୍ନାକର ପ୍ଲେଟରେ ଅଜାଡ଼ି ଦିଏ, ରତ୍ନାକର ପଚାରେ, ସବୁ ଦେଲ-? ତମ ପାଇଁ ରଖିଲ ନାହିଁ ? ରତ୍ନାକର ଜାଣି ଜାଣି କଳାବତୀ ପାଇଁ ସେ ମାଛ ଛାଡ଼ିଯାଏ । ଦୁଇବର୍ଷର ବିବାହିତ ଜୀବନରେ ଏଇ କଥାଗୁଡ଼ିକୁ ସଞ୍ଚୟ କରି ସେ ସନ୍ତୁଷ୍ଟ ହୋଇ ପାରିବ ଯେ’ ରତ୍ନାକର ତାକୁ ଭଲପାଏ ?

 

ସେଦିନ ରାତିରେ ଅନେକବେଳ ପର୍ଯ୍ୟନ୍ତ କଳାବତୀକୁ ନିଦ ହେଲା ନାହିଁ । ରତ୍ନାକର ପ୍ରକୃତରେ ତାକୁ ଭଲପାଏ କି ନାହିଁ, ଏହା ଜାଣିବାକୁ ସେ ଅତ୍ୟନ୍ତ ଆକୁଳ ହୋଇ ଉଠିଲା । ଏକ ରୁଦ୍ଧ ହାହାକାର ତାର ବୁକୁ ମନ୍ଥନ କରିବାକୁ ଲାଗିଲା । ସେ ଜାଣିଲା, ଏ ତାର ବିବାହିତ ଜୀବନର ପ୍ରଥମ ଅଶ୍ରୁ ।

 

(୨)

 

ନୀଳିମା ଯେତେବେଳେ ନିରଞ୍ଜନର ହାତଧରି, ବେଣୀ ହଲାଇ, କାନି ଝୁଲାଇ, ରାଜରାସ୍ତାରେ ଗପ ଯୋଡ଼ି ଯୋଡ଼ି ଆଗେଇ ଚାଲେ, ସେତେବେଳେ ସତରେ କଳାବତୀର ଇଚ୍ଛାହୁଏ, ସେ ଯଦି ଏମିତି ରତ୍ନାକର ସହ ବୁଲିଯାଇ ପାରୁଥାନ୍ତା, ଏମିତି ଟିକେ ହସଖୁସିରେ ଉଚ୍ଛ୍ୱସିତ ହୋଇ ଉଠନ୍ତା !

 

ଦୂରରୁ ରହି କଳାବତୀ ଏଗୁଡ଼ିକ ଲକ୍ଷ୍ୟକରେ । ଦୀର୍ଘଶ୍ଵାସ ଛାଡ଼େ । ରତ୍ନାକର ବୁଲି ଗଲାବେଳେ, ତା ସହ ଯିବାକୁ ଇଚ୍ଛା କରେ । ମାତ୍ର ରତ୍ନାକରର ଗମ୍ଭୀର ମୁହଁ ଦେଖିଲେ ତା’ ପାଟି ଆଉ ଫିଟେ ନାହିଁ । ରତ୍ନାକର ସବୁଦିନ ପରି ଏକା ଯାଏ, ରୋଷେଇ ଘରେ ଏକୁଟିଆ ବସି, କଳାବତୀ ଆଖିରୁ ଲୁହ ପୋଛି ଦିଏ ।

 

ରାତିରେ ବିଞ୍ଚିହୋଇ ପଡ଼ିଥିବା, ଜହ୍ନଆଲୁଅ ତଳେ, ଖୋଲା ଛାତ ଉପରେ ବସି, ଯେତେବେଳେ ନୀଳିମା ଓ ନିରଞ୍ଜନ କଥାବାର୍ତ୍ତା ହୁଅନ୍ତି କଳାବତୀ ସେତେବେଳେ ରୋଷେଇଘର ଚୁଲିମୁଣ୍ଡେ ବସିଥାଏ । ଦାଣ୍ଡଘରେ ଗୁଡ଼ିଏ ପିଲାଙ୍କୁ ଆବୋରି ବସି ରତ୍ନାକର ପଢ଼ାଉଥାଏ । କଳାବତୀକୁ ସନ୍ତୁଷ୍ଟ କରିବା ଲାଗି ସେ ନିରଞ୍ଜନ ପରି ପରିହାସରେ ଲାଗେନା କି ଉଚ୍ଛ୍ୱସିତ ଗଳ୍ପାଳାପରେ ଉତ୍‍ଫୁଲ୍ଲ ହୋଇ ଉଠେନା । ଏଭଳି ବ୍ୟତିକ୍ରମ କେବେ ଦେଖି ନାହିଁ କଳାବତୀ । ସ୍କୁଲ ଯିବା, ଫେରିଲେ ବୁଲିଯିବା ଓ ରାତ୍ରିରେ ଟିଉସନ୍ ଛଡ଼ା, ରତ୍ନାକର ଯେମିତି ଏ ଜୀବନରେ ଆଉ କିଛି ଜାଣେ ନାହିଁ ।

 

ସେଦିନ ରାତିରେ କଳାବତୀ ରତ୍ନାକରକୁ କହିଲା, ଆମର କ’ଣ ଅଭାବ ହେଉଚି ଯେ, ତମେ ଟିଉସନ କରୁଚ ? ସବୁବେଳେ ଏମିତି ପରିଶ୍ରମ କରି କରି ଦେହ କିପରି ଦିଶୁଚି କହିଲ ? ଏଣିକି ରାତିବେଳା ଟିଉସନ୍ ଛାଡ଼ିଦିଅ । ଆମର ଟଙ୍କା ଦରକାର ନାହିଁ ।

 

ଅଧାଖିଆ ହୋଇ ରତ୍ନାକର କଳାବତୀକୁ ଚାହିଁଲା । କହିଲା, ତମେ ଭାବୁଚ, ଏ ପିଲାମାନଙ୍କୁ ପାଠ ପଢ଼ାଇ ମୁଁ ଟଙ୍କା ଆଣୁଚି ? ଏମାନେ ସମସ୍ତେ ଗରିବ ଛାତ୍ର । ଏମାନଙ୍କୁ ବିଦ୍ୟାଦାନ କରି ମୁଁ ଅର୍ଥ ସଂଗ୍ରହ କରିବି ? ପ୍ରାରିଶ୍ରମିକ ବାବଦରେ ମୁଁ ତ ମାସିକ ଦରମା ପାଉଚି । ସେ ମୋର ଯଥେଷ୍ଟ । ପିଲାମାନଙ୍କୁ ଉପଯୁକ୍ତ ଶିକ୍ଷା ଦେଇ ମଣିଷ କରିବାଠାରୁ କି ଆଦର୍ଶ ଆଉ ବଡ଼ ହୋଇଅଛି, କହ ତ ?

 

ଟଙ୍କା ନନେଇ ମାଗଣା ଟିଉସନ୍ କରୁଥିବା ରତ୍ନାକର ମୁହଁକୁ କଳାବତୀ ସ୍ତବ୍‌ଧ ହୋଇ ଚାହିଁଥିଲା । ବିନା ପଇସାରେ ରାତି ଦଶଟା ବେଳଯାଏ, ପିଲାଗୁଡ଼ାକ ସାଙ୍ଗେ ବକର ବକର ହୋଇ କି ଲାଭ ପାଉଚି ରତ୍ନାକର । କଣ ସେ ଆଦର୍ଶର ଅର୍ଥ ? ସ୍ଵାମୀର ଆଦର୍ଶ କି ସବୁବେଳେ ସ୍ତ୍ରୀ ପାଖରେ ଯଥେଷ୍ଟ ହୋଇ ରହିପାରେ ?

 

କଳାବତୀ ରତ୍ନାକରକୁ ଆଉ କିଛି କହିଲା ନାହିଁ ! ତା’ କାମ ଶେଷ କରିବାରେ ସେ ଲାଗିଲା ।

 

ତା’ ପରଦିନ କଥା ପଡ଼ୁପଡ଼ୁ ନୀଳିମା କହିଲା, ସ୍ୱାମୀ ଏକ ଖେଳଣା । ତାକୁ ନେଇ ଚମତ୍କାର ଖେଳ ଖେଳି ହୁଏ । ନୁହେଁ କଳାବତୀ ?

 

ନୀଳିମାର ଏ କଥାରେ କଳାବତୀ ଆଶ୍ଚର୍ଯ୍ୟ ହୋଇଗଲା । ସ୍ୱାମୀ ଦେବତା ବୋଲି ସେ ଭକ୍ତି କରି ଆସିଚି । ସମ୍ମାନ ଦେଇଁଚି । ଖେଳଣା ବୋଲି ତ ଜାଣି ନାହିଁ ? ରତ୍ନାକରକୁ ସେ ଭକ୍ତିକରେ, ଭୟ କରେ ! ତା’ ଆଗରେ ମୁଣ୍ଡରୁ ଲୁଗା ଖସିଗଲେ, ସେ ସଙ୍କୋଚରେ ନଇଁଯାଏ । ନୀଳିମା କହୁଚି, ସ୍ୱାମୀ ଏକ ଖେଳଣା ।

 

ଏଥର ନୀଳିମା କହିଲା, ତମ ନିରଞ୍ଜନବାବୁ ବଡ଼ ମେଳାପି । ସ୍ୱାମୀ ଦେବତା ବୋଲି ପୂଜା ପାଇବାକୁ ସେ ଦାବୀ କରନ୍ତି ନାହିଁ । ବରଂ ପୂଜକର ଭୂମିକା ନେଇ ସେ ଖୁବ୍ ସଫଳ ହୋଇପାରନ୍ତି । ତେଣୁ ତାଙ୍କୁ ନେଇ ଛୋଟ ପିଲାଟି ପରି ଖେଳି ହୁଏ ।

 

କଳାବତୀ ହଠାତ୍ କହିଲା, ସେ ତମକୁ କେବେ ରାଗନ୍ତି ନାହିଁ, ନୀଳିମା ?

 

ନୀଳିମା ଈଷତ୍ ହସି କହିଲା, ଭାରୀ ଅଭିମାନୀ ସିଏ ! ଖୁବ୍ ରାଗନ୍ତି ଯେ । ସକାଳରେ ଶାଢ଼ି ଅପରାହ୍ନକୁ ବଦଳି ନଥିଲେ ସେ ଯେମିତି ରାଗନ୍ତି, ସକାଳର ଡବଲ ବେଣୀ, ସନ୍ଧ୍ୟାକୁ ସିନେମା ଷ୍ଟାଇଲରେ ବନ୍ଧା ନଗଲେ ସେ ସେମିତି ଖୁବ୍ ରାଗିଯାନ୍ତି । ତାଙ୍କୁ ସନ୍ତୁଷ୍ଟ କରିବାକୁ ମୁଁ ଦିନକୁ କେତେଥର ଯେ’ ବେଶ ବଦଳାଏ ତା’ ଠିକ୍ ନାହିଁ । ସେ କହନ୍ତି, ଯେ କୌଣସି ପୋଷାକରେ ମୁଁ ଭଲ ଦିଶେ ।

 

ଏତିକି କହି ନୀଳିମା ଚୁପ୍ ରହିଲା । ତାର ଉତ୍ତର ଦେବାକୁ କଳାବତୀ ପାଖରେ କୌଣସି କଥା ନଥିଲା । ସେ ନୀଳିମାକୁ ଦେଖୁଥିଲା, ସତେ ନୀଳିମା କି ସୁନ୍ଦର । ଭିନ୍ନ ଭିନ୍ନ ପୋଷାକ ତାକୁ ଆହୁରି ସୁନ୍ଦର କରି ତୋଳୁଛି । ସେଥିପାଇଁ ନିରଞ୍ଜନ ତାକୁ ଭଲପାନ୍ତି ? ହଁ, ହଁ, ତାହାହିଁ ଠିକ୍ ! ନୀଳିମା ସୁନ୍ଦରୀ ବୋଲି ନିରଞ୍ଜନ ତାକୁ ଭଲପାନ୍ତି ।

 

କଳାବତୀର ଛାତିରେ କେମିତି ଏକ ତୀର ଗଳିଗଲା ପରି ଲାଗିଲା । ବହୁଦିନର ଅନ୍ତର୍ଦ୍ୱନ୍ଦ୍ୱଟା ଯେମିତି ହଠାତ୍ ସ୍ଥିର ହୋଇଗଲା । ରତ୍ନାକର ଏହି ଗମ୍ଭୀର ଉଦାସୀନତାର ନିର୍ଦ୍ଦିଷ୍ଟ ଅର୍ଥ ସେ ଯେମିତି ହଠାତ୍ ଖୋଜି ପାଇଲା ।

 

ନୀଳିମା ଦେହର ଲାବଣ୍ୟ ତା’ ପାଖରେ ନାହିଁ । ନାଁଟି ସହ ନିବିଡ଼ ସାମ୍ୟ ରଖି, ଦେହର ରଙ୍ଗଟା ତା’ ପ୍ରତି ବଡ଼ ନିର୍ମମ ହୋଇଚି । ବଡ଼ ନିଷ୍ଠୁର ହେଇଚି ତା’ ପ୍ରତି ଏହି ରୂପହୀନ ସୌନ୍ଦର୍ଯ୍ୟହୀନ କଳେବର । ସେ ସୁନ୍ଦରୀ ନୁହେଁ । ଏହାଛଡ଼ା ରତ୍ନାକରର ଉଦାସୀନତାର କାରଣ ଆଉ କ’ଣ ହୋଇପାରେ । ସେଇଥିପାଇଁ ରତ୍ନାକର ତାକୁ ସାଙ୍ଗରେ ନିଏ ନାହିଁ । ହସ କୌତୁକରେ ଗପ କରି ସତତ ତାର ସାନ୍ନିଧ୍ୟ ଲୋଡ଼େ ନାହିଁ । ନାରୀର ରୂପ ପୁରୁଷକୁ ଚପଳ କରେ । ତାର ଯେ ରୂପ ନାହିଁ !

 

କଳାବତୀ ସେଦିନ ଏକ ମସ୍ତବଡ଼ ହାତଶାରେ ସ୍ତବ୍‌ଧ ହୋଇଗଲା । ଜୀବନ ତାକୁ ଦୁର୍ବିସହ ବୋଧହେଲା । ରତ୍ନାକର ଆଗରେ ଠିଆ ହେବାକୁ ତାର ସାହସ ହେଲା ନାହିଁ । ନିର୍ଜନରେ ସେ ଅଶ୍ରୁମୋଚନ କଲା ।

 

(୩)

 

କେତେଗୁଡ଼ିଏ ଦିନ ବିତିଗଲା ।

 

ନୀଳିମାର ଦିନଗୁଡ଼ିକ ଯେତିକି ସ୍ୱଚ୍ଛନ୍ଦରେ ବିତି ଯାଉଥାଏ, କଳାବତୀ ଭାବୁଥାଏ, ତା’ ଦିନଗୁଡ଼ିକ ସେତିକି ସ୍ଥିର ଓ ସ୍ଥବିର ହୋଇ ଉଠୁଚି । ସାଧାରଣ ବଞ୍ଚିବା ନାମ ନେଇ ସେ ବଞ୍ଚିଚି । ଏ ବଞ୍ଚିବାର କି ମୂଲ୍ୟ ରହିଚି ?

 

ନୀଳିମାକୁ ତୁଣ୍ଡ ଖୋଲି କଳାବତୀ କିଛି କହେନାହିଁ, ନୀଳିମା ଯଦି କେବେ କହେ, ତମେ ବୁଲିଯାଉନା କଳାବତୀ ? ତୁମକୁ ରତ୍ନାକରବାବୁ ସାଙ୍ଗରେ ନିଅନ୍ତି ନାହିଁ ? କଳାବତୀ ସାଙ୍ଗେ ସାଙ୍ଗେ ଏହାର ଏକ ସିଧା ଜବାବ ଦେଇଦିଏ—ମତେ ଭଲ ଲାଗେନି, ସେ ଡାକନ୍ତି ଯେ ମୁଁ ମନା କରେ ।

 

ଏହାପରେ ନୀଳିମା ଆଉ କିଛି କହେ ନାହିଁ । ଏକ ସାଙ୍ଘାତିକ ମିଥ୍ୟାର ଆଶ୍ରୟ ନେଇ କଳାବତୀ ନିଜକୁ ସାନ୍ତ୍ୱନା ଦିଏ । ମାତ୍ର ଏ ସାନ୍ତ୍ୱନା ତାର ପ୍ରାଣ ବୁଝେ କି ନା, ଯେମିତି ସେ ଏହା ଠିକ୍‌କରି ପାରେନା । ସେଦିନ କଥା କହୁ କହୁ ନୀଳିମା କହିଲା–ମୁଁ ଆମ ଘରକୁ ଯାଉଚି । କେବେ ଫେରିବି ଠିକ୍ ନାହିଁ । ତମେ ଚିଠି ଦବ ?

 

କଳାବତୀ ଆଶ୍ଚର୍ଯ୍ୟ ହେଲା–ତମେ ଗାଁକୁ ଯିବ ? କାହିଁକି ?

 

ତଳକୁ ମୁହଁପୋତି ନୀଳିମା ଉତ୍ତର ଦେଲା-ଦେହ ଭଲ ନାହିଁ । ଏକା ରହିବାକୁ ଭୟ ଲାଗୁଚି । ବୋଉ ଚିଠି ଲେଖିଚି, ଯିବି ଭାରି ।

 

କଳାବତୀ ବିସ୍ମିତ ହେଲା । ଏହା ଭିତରେ ନୀଳିମାର ଦେହ ଖରାପ ହେଲା ଭଳି ତ ସେ ଜାଣି ନାହିଁ । କଳାବତୀର ସନ୍ଦିଗ୍ଧ ଚକ୍ଷୁ ନୀଳିମାର ଦେହସାରା ଘୂରି ଆସିଲା । ନୀଳିମା ଆଖିର କ୍ଵଚିତ୍ ଲାଜ, ଓଠର ଚୋରାହସ, ଅନେକ କିଛି କହିଗଲା । ସେ ହସିଉଠି କହିଲା ଓଃ, ବୁଝିଲି । ଏ ତ ସୁଖବର । ପୁଅ ହେବ, ମିଠେଇ ଖୁଆଇବ ତ ?

 

ନୀଳିମା କହିଲା, ସେ କହନ୍ତି ପୁଅ ହେଲେ ପୂରା ସେରେ କ୍ଷୀରମୋହନ ଖୁଆଇବେ ।

 

ଆଉ ଝିଅ ହେଲେ ?

 

କାନମୋଡ଼ା, ଚାପୁଡ଼ା ।

 

ଦୁହେଁ ହସି ଉଠିଲେ !

 

ଅଳ୍ପ କେତୋଟି ଦିନ ପରେ ନୀଳିମା ତା’ ବାପଘରକୁ ଚାଲିଗଲା । ଯେଉଁ ଖଞ୍ଜାଟି ଅହରହ କଳ-କାକଳୀରେ ମୁଖରିତ ହୋଇ ଉଠୁଥିଲା, ସେଇ କେମିତି ନୀରବତାରେ ଖାଁ ଖାଁ କରି ଉଠିଲା । ନୀଳିମା ଚାଲିଗଲା ପରେ, ନିରଞ୍ଜନର ଉଦାସୀନତା କଳାବତୀର ଦୃଷ୍ଟିଗୋଚର ହେଲା । ସେ କେତେବେଳେ ଅଫିସ ଯାଉଛି, ଫେରୁଚି, ଖାଉଚି, ତାହା ଜଣାଗଲା ନାହିଁ ।

 

ଦିନେ ଝରକା ବାଟେ କଳାବତୀ ଦେଖିଲା, ଯେଉଁ ଘରଟା ସଜ୍ଜିତ ରଙ୍ଗମଞ୍ଚ ପରି ଦେଖାଯାଉଥିଲା, ତା’ ଆଉ ନାହିଁ । ସବୁ ହୋଇଛି ବିପର୍ଯ୍ୟସ୍ତ । କଳାବତୀ ବୁଝିଲା, ନିଳୀମାର ସାନ୍ନିଧ୍ୟ ପାଇ ଦିନେ ଯାହା ସୁନ୍ଦର ଥିଲା, ନୀଳିମାର ସାନ୍ନିଧ୍ୟ ହରାଇ ଆଜି ସବୁ ଅସୁନ୍ଦର ହୋଇ ଉଠିଚି । ନୀଳିମାର ବିଚ୍ଛେଦ ଯେମିତି ନିରଞ୍ଜନକୁ ଏ ଉଦାସୀନତା ଦେଇ ଯାଇଚି ।

 

ଆଉ ରତ୍ନାକର । କଳାବତୀର ମନେହେଲା, ରତ୍ନାକରର ନିତିଦିନିଆ ସ୍ଵଭାବ ନିରଞ୍ଜନ ସର୍ବସ୍ଵ ହୋଇଚି । ଦୁହିଁଙ୍କର ତଫାତ୍ ନାହିଁ ।

 

ନିରଞ୍ଜନର ସ୍ତ୍ରୀ ପାଖରେ ନାହିଁ । ସେ ଉଦାସୀନ ।

 

ରତ୍ନାକର ସବୁବେଳେ ଉଦାସୀନ ! ଯେହେତୁ ସେ ଥିବା ନଥିବା ସମାନ । କଳାବତୀର ମନଟା କେମିତି କ୍ରନ୍ଦନ କରି ଉଠିଲା ।

 

କିଛିଦିନ ପରେ ଟେଲିଗ୍ରାମ ପାଇ ନିରଞ୍ଜନ ଛୁଟି ନେଇ ଘରକୁ ଚାଲିଗଲେ । କଳାବତୀ ବୁଝିଲା–ନୀଳିମାର କ’ଣ ଟିଏ ହେଲା । ମାତ୍ର କ’ଣଟିଏ ହେଲା ଯେ ଜାଣିପାରିଲା ନାହିଁ ।

 

ଦିନେ ସ୍କୁଲ ଫେରନ୍ତା ଚା’ ଖାଇଲା ବେଳେ, ରତ୍ନାକର କହିଲା, ବଡ଼ ଦୁଃଖର କଥା, ପୁଅଟିଏ ପ୍ରସବ କରି ନିଳୀମା ମରିଗଲା ! ନିରଞ୍ଜନ ଚିଠି ଦେଇଚି ।

 

ନିଳୀମା ମରିଗଲା ?

 

କଳାବତୀ ହାତରୁ ଚା’ କପ୍‌ଟା ପଡ଼ି ଚୁନା ହୋଇଗଲା ।

 

ନୀଳିମାର ପୁଅ ହେଲେ ତାକୁ ପୂରା ସେରେ କ୍ଷୀରମୋହନ ଖୁଆଇବ ବୋଲି ନିରଞ୍ଜନ କହିଥିଲା । ଆଜି ନୀଳିମାର ପୁଅ ହୋଇଚି, ମାତ୍ର କ୍ଷୀରମୋହନ ଖାଇବାକୁ ନୀଳିମା ନାହିଁ ।

 

ପାଖାପାଖି ରହୁଥିବା ଦୁଇଟି ବାନ୍ଧବୀ ଭିତରେ ସ୍ନେହ, ପ୍ରୀତି ଯେଉଁ ନିବିଡ଼ତା ନେଇଥିଲା, ନୀଳିମାର ମୃତ୍ୟୁ ଖବର କଳାବତୀ ମନରେ ସେତିକି ଦୁଃଖର ଗଭୀରତା ଆଣିଦେଲା-। ଅନେକ ଦିନ ପର୍ଯ୍ୟନ୍ତ ସେ ନିଜକୁ ସ୍ଵାଭାବିକ ଅବସ୍ଥାକୁ ଫେରାଇ ଆଣି ପାରିଲା ନାହିଁ । ତାର ବାରମ୍ବାର ନିରଞ୍ଜନ କଥା ମନେ ପଡୁ଼ଥିଲା-ବିଚରା ନିରଞ୍ଜନର ଅବସ୍ଥା କ’ଣ ହୋଇଥିବ ? ସେ ନୀଳିମାକୁ କେତେ ଭଲପାଉ ଥିଲା । ତାକୁ ସେ କିପରି ଭାବେ ସହ୍ୟ କରିଥିବ-? ନୀଳିମାକୁ ଟିକେ ଜର ହେଲେ ସେ ଭୟରେ କାନ୍ଦି ପକାଏ, ଅଥଚ ଆଜି ତାର ମୃତ୍ୟୁରେ…ସେ କ’ଣ ଆତ୍ମହତ୍ୟା କରିଥିବ ? ଅଥବା ଘଟିଥିବା ମାନସିକ ବିକୃତି ? ନା-ନା-

 

କଳାବତୀର ସ୍ମୃତିର ପର୍ଦ୍ଦାରେ……ହଁ, ହଁ କହି ନୀଳିମାର ଚିତ୍ର ପାଟିକରି ଉଠେ-ମତେ ସେ ଭଲପାନ୍ତି । ମତେ ସେ କେତେ ଭଲପାନ୍ତି ।

 

କଳାବତୀ ଏମିତି ନିରଞ୍ଜନକୁ ସ୍ମରଣ କରେ । ନିରଞ୍ଜନକୁ ନଫେରିବାର ଦେଖି ସନ୍ଦେହ ତାର ଦୃଢ଼ୀଭୂତ ହୁଏ । ରତ୍ନାକରକୁ ପଚାରେ । ରତ୍ନାକର କହେ, ଛୁଟି ବଢ଼ାଇଚନ୍ତି ବୋଲି ଶୁଣିଚି, ଆଉ ତ କିଛି ଜାଣି ନାହିଁ ।

 

ଏମିତି ବିତିଗଲା ମାସେ, ଚାରିମାସ, ଛ’ ମାସ ।

 

ଦିନେ କଳାବତୀର ଉତ୍କଣ୍ଠାର ଶେଷ ହେଲା । ଉତ୍ତୀର୍ଣ୍ଣ ସନ୍ଧ୍ୟାର ଫିକା ଫିକା ଜହ୍ନ ଆଲୁଅରେ କଳାବତୀ ଆବିଷ୍କାର କଲା….ନିରଞ୍ଜନ ରିକ୍‌ସାରୁ ଓହ୍ଲାଉଚି,ସାଙ୍ଗରେ ଜଣେ ସ୍ତ୍ରୀଲୋକ-। କିଏ ହୋଇପାରେ ? ନିରଞ୍ଜନର ବୋଉ ? ଖୁଡ଼ୀ ? ଅପା ? କିଏ ହୋଇପାରେ ?

 

କଳାବତୀ ମନରେ ସନ୍ଦେହ ହେଲା । ସକାଳେ ସେ ସନ୍ଦେହ ପରିଷ୍କାର ହୋଇଗଲା । ରତ୍ନାକର କହିଲା, ଜାଣିଚ ? ନିରଞ୍ଜନବାବୁ ପୁଣି ବିବାହ କରିଚନ୍ତି । ପୁଅଟି ଭଲରେ ତା’ ଆଈ ପାଖରେ ଅଛି । ବଡ଼ ହେଲେ ଆସିବ ।

 

ରତ୍ନାକରର ଏକଥାକୁ ବିଶ୍ୱାସ କଲାବେଳେ କଳାବତୀର ଭାରୀ କଷ୍ଟ ହେଉଥିଲା । ତଥାପି ଏହା ସତ୍ୟ; ଦିନର ଆଲୋକ ଭଳି, ମୃତ୍ୟୁର ନିଶ୍ଚୟତା ଭଳି । ହଁ, ହଁ, ତା’ ଠାରୁ ଆହୁରି ବେଶି ସତ୍ୟ ।

 

ଯେଉଁ ଘରେ ନୀଳିମା ଆତଯାତ ହୋଇ ହସଖୁସିର ଉଚ୍ଛ୍ୱାସରେ ଫାଟି ପଡ଼ୁଥିଲା-ସେ ଘରେ କନକ ପୁଣି ଆତଯାତ ହେଲା । ପୁଣି ସେହି ନିର୍ଜନ ଘରେ, ନାରୀର କରକଙ୍କଣ ଧ୍ଵନି ଝୁଣୁ ଝୁଣୁ ହେଲା । ପୁଣି ସେଇ ଘରେ କଳାବତୀ କନକ ସହ ଗପ ଯୋଡ଼ି ବସିଲା-ଆନ୍ତରିକତା ସୃଷ୍ଟିକଲା । ଅଳ୍ପଦିନ ଭିତରେ ଦୁହେଁ ପୁଣି ଅନ୍ତରଙ୍ଗତା ସୃଷ୍ଟି କରି ବସିଲେ ।

 

ଦିନେ ଏକାନ୍ତରେ, ବହୁଦିନର କୌତୂହଳ ନେଇ କଳାବତୀ ପଚାରି ବସିଲା ତମକୁ ନିରଞ୍ଜନବାବୁ ଭଲପାନ୍ତି କନକ ?

 

ନୀଳିମା ଭଳି କନକ ମୁହଁରେ ମଧ୍ୟ ଲାଜ ଏକ ଅନୁପମ ରଙ୍ଗ ସୃଷ୍ଟି କରିଗଲା । କନକ କହିଲା, ମତେ ସେ ଖୁବ୍ ଭଲପାଆନ୍ତି । ସେ କହନ୍ତି, ନୀଳିମା ଅବଶ୍ୟ ମୋ’ ଠାରୁ ସୁନ୍ଦର ଥିଲା, ମାତ୍ର ସେ ଭଲ ଗୃହିଣୀ ନଥିଲା । ନୀଳିମା ଦିନେ ହେଲେ ତାଙ୍କୁ ଭଲକରି ଖାଇବାକୁ ଦେଇ ନାହିଁ । ସେ କହନ୍ତି, ମୋ ହାତରନ୍ଧା ତାଙ୍କୁ ଯେ କେଡ଼େ ଭଲ ଲାଗେ ।

 

କନକର ଏହି କଥାରେ କଳାବତୀ ବିସ୍ମିତ ହେଲା, କି ଆନନ୍ଦିତ ହେଲା ଜାଣିପାରିଲା ନାହିଁ । ତା’ମନରେ ଏକଥା ଏକ ଗହୀର ଦାଗ କାଟିଲା ପରି ଜଣାଗଲା–ତାର ଦୃଢ଼ ଧାରଣା ହେଲା, ପ୍ରଥମ ସ୍ତ୍ରୀକୁ ଭୁଲି, ଦ୍ଵିତୀୟ ସଂସାର କରି ଆଶ୍ଚର୍ଯ୍ୟଭାବେ ପୁରୁଷ ସୁଖୀ ହୋଇପାରେ । ଏହାଠାରୁ ବଳି ବି ସତ୍ୟ ଆଉ କିଛି ନାହିଁ ।

 

କିଛିଦିନ ପରେ ଏକ ଅଭାବିତ ଘଟଣା ଘଟିଗଲା–

 

ରତ୍ନାକର ସ୍କୁଲରୁ ଫେରି ଦେଖିଲା, ରୋଷେଇ ଘର କଡ଼ରେ ଦଉଡ଼ି ଲଗାଇ କଳାବତୀ ଆତ୍ମହତ୍ୟା କରିଚି ।

 

ରତ୍ନାକର ସେଦିନ ମୂର୍ଚ୍ଛା ଯାଇଥିଲା । କଳାବତୀ ଯେ ଏଭଳି ଭାବେ ଜୀବନକୁ ଶେଷ କରି ଦେବ ଏହା ଭାବି ସେ ଯେତିକି ଦୁଃଖିତ, ସେତିକି ଯଥେଷ୍ଟ ବିସ୍ମିତ ହୋଇ ଉଠୁଥିଲା । କଳାବତୀ ସହ ତାର ଏପରି ମତାନ୍ତର, ଏଭଳି ଦୁର୍ଘଟଣା ଘଟି ନାହିଁ ଯାହାକୁ ନେଇ କଳାବତୀ ଆତ୍ମହତ୍ୟା କରିପାରେ ।

 

ପୋଲିସ ଆସି ଘଟଣା ଅନୁସନ୍ଧାନ କରିଗଲା । କୌଣସି ତଥ୍ୟ ମିଳିଲା ନାହିଁ । ମୋ ମୃତ୍ୟୁରେ କେହି ଦାୟୀ ନୁହେଁ, ଏତିକି ଛଡ଼ା କଳାବତୀ ଆଉ କିଛି ଲେଖି ନଥିଲା ।

 

କଳାବତୀର ମୃତ୍ୟୁରେ ରତ୍ନାକର ଗଭୀର ଦୁଃଖରେ ମ୍ରିୟମାଣ ହୋଇ ଉଠିଲା । ତଥାପି ତାକୁ ଯେ ବଞ୍ଚିବାକୁ ହେବ, ଏହା ଭାବି ସେ ମନକୁ ସାନ୍ତ୍ୱନା ଦେବାକୁ ଲାଗିଲା ।

 

ଏମିତି ଅନେକ ଦିନ ବିତିଗଲା ।

 

ସେଇ ଘରେ ରତ୍ନାକର ଦିନ କଟେଇବାକୁ ଲାଗିଲା । ପାଖ ଘରେ ନିରଞ୍ଜନ ଓ କନକ ନିଜ ଜଞ୍ଜାଳରେ ବ୍ୟସ୍ତଥାନ୍ତି । ଦିନେ କନକ ନିରଞ୍ଜନକୁ କହିଲା, ରତ୍ନାକର ବାବୁ କଣ ଏମିତି ଏକା ଥିବେ ? କାହାକୁ ଆଣିବେନି ?

 

କନକକୁ ଉତ୍ତର ଦେଇ ନିରଞ୍ଜନ କହିଲା, ଘା’ ଶୁଖିଗଲେ ଦାଗଟା ଭୁଲି ହେଇଯାଏ । ସମୟ କ୍ରମେ ରତ୍ନାକର ବାଟକୁ ଫେରିବ ।

 

ସେଦିନ କିନ୍ତୁ ରତ୍ନାକରକୁ ପଚାରିବାକୁ ଇଚ୍ଛା ହେଲା । ରାତିରେ ରତ୍ନାକରର ଛାତ୍ରମାନେ ଫେରିଯିବାପରେ ସେ ରତ୍ନାକର ଘରେ ପହଞ୍ଚିଲା ।

 

ରତ୍ନାକର ବହି ପଢ଼ୁଥିଲା । ବହିଟି ରଖି ଦେଇ ନିରଞ୍ଜନକୁ ଗୋଟାଏ ଚେଆର ଦେଖାଇ ଦେଲା ।

 

ଦୁହେଁ ବସି କେତେବେଳଯାଏ ନାନାଆଡ଼ର ଗପ କଲେ । ହଠାତ୍ ନିରଞ୍ଜନ କହିଲା, ଗୋଟିଏ କଥା ପଚାରିବି, କିଛି ଭାବିବେ ନାହିଁ ।

 

ଅଳ୍ପ ହସି ରତ୍ନାକର କହିଲା, କହନ୍ତୁ !

 

ଛେପ ଢୋକି ନିରଞ୍ଜନ କହିଲା, କେତେଦିନ ଏମିତି ହାତରେ ରାନ୍ଧି ଖାଉଥିବେ ? ଘରୁ ବୋଉକୁ ଆଣିଲେ ଚଳନ୍ତା ନାଇଁ ?

 

ରତ୍ନାକର ହସିଲା, କହିଲା, ପ୍ରଥମେ ଅସୁବିଧା ଲାଗୁଥିଲା, ଆଜିକାଲି ବେଶ୍ ଆରେଇଲାଣି । ବୋଉକୁ ଏଦିନେ କାହିଁକି ହଇରାଣ କରିବି ?

 

ନିରଞ୍ଜନ ପୁଣି କହିଲା, ତେବେ ଆପଣ ଆଉ ବିବାହ କରିବେ ନାହିଁ ?

 

ରତ୍ନାକର ହସିଲା, କହିଲା, ବିବାହ କ’ଣ ଆଉ କରିବି ନିରଞ୍ଜନବାବୁ ? ଥରେ ବିବାହ ତ କରିଥିଲି, ସେ ସଂସାର ତ ରହିଲା ନାହିଁ ! ମନ ଭାଙ୍ଗିଗଲେ ଆଉ କଣ ଯୋଡ଼ି ହୁଏ !

 

ନିରଞ୍ଜନ ଆଶ୍ଚର୍ଯ୍ୟ ହେଲା, କହିଲା, ଆପଣଙ୍କ ଭବିଷ୍ୟତ ? ଆପଣ ନିଃସନ୍ତାନ । ବଂଶରକ୍ଷା ପାଇଁ ଆପଣଙ୍କ ପୁନର୍ବିବାହତ ଅବଶ୍ୟମ୍ଭାବୀ ।

 

ରତ୍ନାକର ନମ୍ର କଣ୍ଠରେ କହିଲା, ମତେ କ୍ଷମା କରିବେ ନିରଞ୍ଜନବାବୁ ! ଏଇ ସନ୍ତାନକୁ ନେଇ ଜୀବନରେ ବେଶ୍ ପ୍ରହସନ କରି ହୁଏ । ମୋର ସନ୍ତାନ ନାହିଁ, ତେଣୁ ଆପଣ କହୁଚନ୍ତି, ବିବାହ ଆବଶ୍ୟକ । ସନ୍ତାନ ଥିଲେ କହନ୍ତେ, ତାର ପ୍ରତିପାଳନ ପାଇଁ ତାର ଏକ ମାଆ ଆବଶ୍ୟକ-। ଏହା ସଚରାଚର ଘଟୁଚି । ତଥାପି ପୃଥିବୀରେ କେତେ ଉଦାର, ବିଚାରଶୀଳ ହୃଦୟ ଅଛି । ଯିଏ ନାରୀ ଓ ତାର ପ୍ରେମକୁ ସମ୍ମାନ ଦେଇ ଜାଣେ !

 

ନିରଞ୍ଜନ କ୍ଷୁବ୍‌ଧ ହେଲା ଭଳି ଜଣାଗଲା । କହିଲା, ବୁଝିଲ, କଳାବତୀକୁ ଆପଣ ଭଲପାଉଥିଲେ ! ନୀଳିମାକୁ ମୁଁ ବି ତ ଭଲପାଉଥିଲି, ତା’ ବୋଲି ଆପଣ କହିବେ, ମୁଁ ନୀଳିମାର ପ୍ରେମକୁ ଅସମ୍ମାନ କରିଚି ?

 

ନିରଞ୍ଜନର ହାତକୁ ଧରି ପକାଇ ରତ୍ନାକର ପୁଣି କହିଲା, ମୋତେ ପୁଣି କ୍ଷମା କରନ୍ତୁ ନିରଞ୍ଜନବାବୁ । ମୁଁ ଆଉ ଏକ କଥା କହିବି । ଆପଣ ସତେ ନୀଳିମାକୁ ପ୍ରାଣ ଦେଇ ଭଲପାଉଥିଲେ ? ମୋର ମନେହୁଏ ଆପଣ ତାର ସାନ୍ନିଧ୍ୟକୁ ଭଲପାଉଥିଲେ । ତେଣୁ ତାର ମୃତ୍ୟୁରେ ନାରୀ ସାନ୍ନିଧ୍ୟହୀନ ଜୀବନ ଆପଣଙ୍କର ଦୁର୍ବିସହ ହୋଇ ଉଠିଲା । ଆପଣ ବର୍ତ୍ତମାନ ପ୍ରତି ମୁହୂର୍ତ୍ତରେ କନକର ସାନ୍ନିଧ୍ୟ ପାଉଚନ୍ତି । କନକର ଜଞ୍ଜାଳ, ତାର ଅଶ୍ରୁ, ହସ, ଶୋକ, ସନ୍ତାପ ସବୁ ଆପଣଙ୍କ ଚତୁଃପାର୍ଶ୍ୱରେ, ଜାଲ ବିଛାଇଚି । ଏହା ଭିତରେ ଆପଣ ଯେ ନୀଳିମା ପ୍ରେମକୁ ସମ୍ମାନ ଦେବାକୁ ବେଳ ପାଉଚନ୍ତି ଏଥିରେ ମୋର ଘୋର ସନ୍ଦେହ ଜନ୍ମେ ନିରଞ୍ଜନବାବୁ ।

 

ନିରଞ୍ଜନ ଏ କଥାରେ ଅପ୍ରତିଭ ହେଲା ।

 

ରତ୍ନାକର ପୁଣି କହିଲା, ଏ ପୃଥିବୀରେ ବହୁ ପ୍ରକାରର ଲୋକ ଅଛନ୍ତି । ସେଇ ମଣିଷ ଭିତରେ ବହୁ ପ୍ରକାର ମନ ଲୁଚି ରହିଚି । ଯେଉଁ ସୃଷ୍ଟିଛଡ଼ା ଦଳଟା ଜୀବନ ଉପରେ ଏକ ଉଦାର ଦୃଷ୍ଟିପାତ ଦେଇ, ତାକୁ ମାଟି ପାଣି ପବନରେ ମିଶାଇ ଲୋଟାଇ ହଜାଇ ଦେଇପାରେ, ସେଇ ଦୁର୍ଭାଗା ଦଳରୁ ମୁଁ ଜଣେ । ମୋ ମନ ପ୍ରେମ ପ୍ରାଣ କେଉଁଥିରେ ଆବରଣ ନାହିଁ, କଳାବତୀ ପାଇଁ ମୋ ପ୍ରେମ ଥିଲା, ମୋ ଛାତି ଭିତରେ ଏବେ ବି ସେମିତି ଅଛି । ତାକୁ ତଡ଼ି ମୁଁ ଦ୍ଵିତୀୟ ସ୍ତ୍ରୀ ବରଣ କରିପାରିବି କେମିତି ? ମୋର ବଡ଼ ଦୁଃଖ, ଜୀବଦ୍ଦଶାରେ କଳାବତୀ ମତେ କେତେ ବଡ଼ ଭୁଲ୍ ବୁଝିଗଲା…

 

ରତ୍ନାକରର ଏତେଗୁଡ଼ାଏ କଥାକୁ ନିରଞ୍ଜନ ଆଗ୍ରହରେ ଶୁଣିଲା ପରି ଜଣାଗଲା ନାହିଁ । ମୁହଁରେ ତାର ବିରକ୍ତିବ୍ୟଞ୍ଜକ ଦୃଷ୍ଟି ବାରମ୍ବାର ବାହାରକୁ ନିକ୍ଷେପ କରୁଥିଲା । ରାତି କ୍ରମଶଃ ବଢ଼ୁଥିଲା, ନିରଞ୍ଜନ ଏହି ଉପେକ୍ଷା ଭାବ ଦେଖି ରତ୍ନାକର କହିଲା–ଯାଆନ୍ତୁ ନିରଞ୍ଜନବାବୁ, ରାତି କେତେ ହେଲାଣି, କନକ ଏକା ଅଛି ।

 

ବିନା ବାକ୍ୟ ବ୍ୟୟରେ ନିରଞ୍ଜନ ଉଠି ଚାଲିଗଲା । ସେ ଚାଲିଗଲା ପରେ ରତ୍ନାକର ପୁଣି ପଢ଼ି ବସିଲା–ପାରିଲା ନାହିଁ । ଘନଘନ ମନେପଡ଼ିଲା କଳାବତୀ । ପୋଲିସ ଦୃଷ୍ଟିର ଅନ୍ତରାଳରେ ଯେଉଁ ଚିଠିଟା କଳାବତୀର ରହି ଯାଇଥିଲା, ତାକୁ ସେ ଆଣି ପଢ଼ିବାକୁ ଲାଗିଲା–କଳାବତୀ ଲେଖିଥିଲା–

 

‘ଦିନେ ନିଳୀମା କହିଥିଲା, ସ୍ଵାମୀ ଏକ ଖେଳଣା, ତାକୁ ନେଇ ଚମତ୍କାର ଖେଳ ଖେଳି ହୁଏ । ଏକଥା ସତ ବୋଲି ମୁଁ କେବେ ଅନୁଭବ କରି ନାହିଁ । ନୀଳିମା ମରିଗଲା । କନକ ଆସି ସେ ସ୍ଥାନ ପୂରଣ କଲା-ସେ ମଧ୍ୟ କହିଲା, ନିରଞ୍ଜନ ମତେ ପାଇ ଖୁବ୍ ଖୁସୀ । ସେଦିନ ମୋର ମନେହେଲା, ସ୍ଵାମୀ ସ୍ତ୍ରୀର ଖେଳଣା ନୁହେଁ, ସ୍ତ୍ରୀ ସ୍ୱାମୀର ଖେଳଣା-ଖେଳଣା ପରି ସଜେଇ ସେ ଖେଳିବ, ଭାଙ୍ଗିଗଲେ, ହଜିଗଲେ, ନୂଆ କିଣି ଆଣିବ ।

 

ନିଳୀମା ପାଇଁ ନିରଞ୍ଜନର ଚପଳତା ଦେଖିଲା ପରେ, ତମର ଉଦାସୀନତା ମୋ ଆଖିରେ ବିଶେଷ ରୂପ ନେଲା–ଯେଉଁଦିନ ନିଳୀମାର ଶୂନ୍ୟସ୍ଥାନ ପୂରଣ କରି କନକ ନିରଞ୍ଜନକୁ ସୁଖୀ କରିପାରିଲା, ସେଦିନ ଭାବିଲି, ତମର ସୁଖମୟ ଭବିଷ୍ୟତ ପାଖରେ, ମୋ ପରି ଅସୁନ୍ଦରୀ ସ୍ତ୍ରୀର ପ୍ରାଣହାନି ଅତି ତୁଚ୍ଛ । ତମକୁ ସୁଖୀ କରିବାକୁ ଚେଷ୍ଟା କରିଚି, ତମେ ସୁଖୀ ହୋଇନାହଁ-ମୋ ମୃତ୍ୟୁ ପରେ ମନଲାଖି ସ୍ତ୍ରୀଟିଏ ଆଣି ସଂସାର କଲେ, ଅତୃପ୍ତ ଆତ୍ମା ଶାନ୍ତି ପାଇବ ।

 

ଚିଠିଟାକୁ ଦୁଇ ହାତରେ ଜାବୁଡ଼ି ଧରିଲା ରତ୍ନାକର । ଚିଠି ଭିତରେ ସତେ କି କଳାବତୀର ପୋଡ଼ି ପାଉଁଶ ହୋଇଯାଇଥିବା କଳେବରଟା ଜୀଇ ଉଠିଲା-ରତ୍ନାକରର ମନେହେଲା, କଳାବତୀ ମରି ନାହିଁ । ତା’ ଦୁଇବାହୁର ବନ୍ଧନୀ ଭିତରେ କଳାବତୀ ଏବେ ବି ରହିଯାଇଚି !!

 

ବାହାରେ ସେଇ ରାତ୍ରି–ସେଇ ଅନ୍ଧକାର ।

Image

 

Unknown

ପଥ ଓ ପଥିକ

 

ଜଗବଂଧୁଙ୍କ ଗୋଡ଼ ଆଜି ଆଉ ତଳେ ଲାଗୁନାହିଁ । ସେଇ ଅଧରାତ୍ରିରୁ ଉଠିଚନ୍ତି ଯେ, ଆଉ ବିଛଣା ଛୁଇଁ ନାହାନ୍ତି । ଖାଲି ଏପାଖ ସେପାଖ ଆନନ୍ଦରେ ଟହଲୁ ଟହଲୁ କେତେବେଳେ ସେଇ କଳା ମଚମଚ ଅନ୍ଧାର ରାତିଟା ଏକ ସୁନା ଝଲମଲ୍ ସକାଳ ହୋଇଯାଇଚି । ସେ ଖାଲି ତଳ ଉପର ପଚାଶଥର ଏପାଖ ସେପାଖ ହୋଇଚନ୍ତି । ଯାଉଚନ୍ତି ଆସୁଚନ୍ତି । ଏ ଯାଏଁ ପ୍ରଭାତ-ଅବକାଶ ବୋଲା ଯାଇନି । ସୂର୍ଯ୍ୟ ବନ୍ଦନା ପଢ଼ା ହୋଇନାହିଁ । ଫୁଲ ତୋଳା ହୋଇନାହିଁ । ଅଥଚ ସେହି ନିଜନ ବ୍ରାହ୍ମମୁହୂର୍ତ୍ତଟା ନିତିଦିନ ଭଳି ତାର ଦୁଇ ବାହୁ ପ୍ରସାରିତ କରି ଫେରି ଯାଇଚି । ବଗିଚାର ସେହି ନାନାବିଧ କୁସୁମଗୁଡ଼ିକ ସବୁଦିନର ଏକ ପରିଚିତ ଭଙ୍ଗୀରେ ନୀରବ ନିମନ୍ତ୍ରଣ ଜଣାଇଚନ୍ତି । ଦ୍ଵାର ମୁହଁରେ ପାଣିଢ଼ାଳି ଓ ଦାନ୍ତକାଠି ଏବେ ବି ଅବ୍ୟବହୃତ ରହିଚି ।

 

ଅବଶେଷରେ ସେ ଦିନଟା ଆଜି ଆସିଚି ଗତାନୁଗତିକ ଠିକ୍ ଏକ ନିର୍ଦ୍ଦିଷ୍ଟ ଭଙ୍ଗୀରେ । ଠିକ୍ ସେମିତି ଯଦିଓ ସୂର୍ଯ୍ୟ ଏକ ମସ୍ତବଡ଼ ସିନ୍ଦୁର ଟୋପା ପରି ଦିଶିଚନ୍ତି । ଖରା ତାର ରେଶମୀ ଅଞ୍ଚଳ ଛୁଆଁ ଇ ନେଇଚି ସର୍ବତ୍ର, ସକାଳର ପବନ ବହିଚି ମୃଦୁ ମୃଦୁ, ରାସ୍ତାକରର ଚା’ ଦୋକାନରେ ଚିରଦିନର ଗହଳ ଲାଗି ରହିଚି ଓ ମଝିରେ ମଝିରେ ପାଉଁରୁଟୀ ବିସ୍କୁଟ ବାଲାର ଡାକ ଶୁଭୁଛି । ତଥାପି ଏହି ସବୁଦିନିଆ ଖୋଳ ଭିତରୁ ଏକ ମହାର୍ଘ ମୁହର୍ତ୍ତ ଉଠି ତେଜିୟାନ ହୋଇଚି, ଏବଂ ଠିକ୍ ଛ’ ଟା ପଞ୍ଚଚାଳିଶ ମିନିଟରେ ତାର ବିଜୟ ଘୋଷଣା କରିଛି । ଏଇ ସବୁଦିନିଆ ବନ୍ଧନୀ ଭିତରେ ଏତେବଡ଼ ଏକ ଜ୍ୟୋତିର୍ମୟତା ଛପି ରହି ପାରୁନି କି ଜଗବନ୍ଧୁ ତାକୁ ଛପିବାକୁ ଦେବେ ନାହିଁ । ଆଃ…ଏ ନିମିଷଟାକୁ ସେ ଯଦି କାଚ ବନ୍ଧେଇ କରି ରଖିପାରନ୍ତେ ।

 

କଥା କଣ କି, ଆଜି ସକାଳ ଠିକ୍ ୬ଟା ପଞ୍ଚଚାଳିଶ ମିନିଟରେ ତାଙ୍କର ଗୋଟିଏ ନାତି ଭୂମିଷ୍ଠ ହୋଇଚି । ଅବଶ୍ୟ ଏମିତି ଏକ ନାତି ଭୂମିଷ୍ଠ ହେବା ତାଙ୍କର ଆଦୌ ନୂଆ କଥା ନୁହେଁ । ଆଜକୁ ଦଶ ବାର ବର୍ଷତଳେ, ବଡ଼ ଝିଅ କନକର ଗୋଟିଏ ପୁତ୍ର ସନ୍ତାନ ହୋଇ, ଆଜିଯାଏ ତାଙ୍କୁ ଅଜା ଡାକି ଆସୁଚି । ତାପରେ ପରେ ଅନ୍ୟ ତିନୋଟିଯାକ ଝିଅ ମିଶି ତାଙ୍କୁ ଏଯାଏ କେତେ ଯେ’ ନାତି ନାତୁଣୀ ଦେଲେଣି, ତା ବେଳେ ବେଳେ ସେ ହିସାବ କରି ପାରନ୍ତି ନାହିଁ । ସେମାନଙ୍କ ସହ ସେ ଖେଳନ୍ତି, ହସନ୍ତି । ତାଙ୍କୁ ସେ ସୁଖ ପାଆନ୍ତି ତଥାପି ମନେ ହେଉଚି ଆଜିର ଏହି ନାତି ହେବାଟା ଯେମିତି ସେ ସବୁଠାରୁ ସଂପୂର୍ଣ୍ଣ ଅନ୍ୟତମ । ଏହାହିଁ ଯେମିତ ସର୍ବୋପରି । ସେ ଅଜା ହୋଇଥିଲେ ମାତ୍ର ଜେଜେ ହୋଇନଥିଲେ । ତାଙ୍କର ଚାରି ଝିଅରେ ଏକମାତ୍ର ପୁତ୍ର ଦେବଦତ୍ତର ଆଜି ଗୋଟିଏ ପୁଅ ହୋଇଚି । ଏକଥା ଭାବିଲାବେଳକୁ ତାଙ୍କ ମନ ଆନନ୍ଦରେ ଗଦ୍ ଗଦ୍ ହୋଇଉଠୁଥିଲା । ଅର୍ଦ୍ଧ ରାତ୍ରିରେ ପୁତ୍ରବଧୂ ଯେତେବେଳେ ପ୍ରସବ ଯନ୍ତ୍ରଣାରେ ଅସ୍ଥିର ହେଉଥିଲେ ସେତେବେଳେ ସେ ତାଙ୍କର ଏକମାତ୍ର ଆରାଧ୍ୟ ଜଗନ୍ନାଥଙ୍କ ପାଖରେ ଆଣ୍ଠୁମାଡ଼ି ବସି ପ୍ରାର୍ଥନା କରିଥିଲେ, ହେ ଜଗନ୍ନାଥ, ଏ ପରମ୍ପରା ଭାଙ୍ଗ, ଭାଙ୍ଗ, ଏ ପୁରାତନ ଅଭିଶାପରୁ ମୋ ଦେବଦତ୍ତକୁ ରକ୍ଷା କର ।

 

ଶେଷରେ ଜଗନ୍ନାଥ ଶୁଣିଲେ । ତିନି ପୁରୁଷଧରି ଗଡ଼ି ଆସୁଥିବା ସେହି ପରମ୍ପରା ଭଙ୍ଗ ହେଲା । ସମସ୍ତଙ୍କର ଯେ ପ୍ରଥମରୁ ଖାଲି ମାଳମାଳ ଝିଅ ହେଉଥିଲେ ତା ଲୋପ ହେଲା । ଦେବଦତ୍ତଠୁ ନୂଆ ପରମ୍ପରା ସୃଷ୍ଟି ହେଲା । ଆଜି ସେ କଥା ଭାବିଲାବେଳକୁ ମନ ଆନନ୍ଦରେ ପୂରି ଉଠୁଚି । ଆଖି ଛଳଛଳ ହୋଇ ଉଠୁଚି, ଚାରିପୁରୁଷର ଏହି ଅସହନୀୟ ବିକଳ ଅନ୍ଧାର ଉପରେ ଆଜିର ସୌଭାଗ୍ୟ ଯେମିତି ଆଲୋକର ଜୟ ପତକା ହୋଇ ଉଡ଼ୁଚି ।

 

ଜଗବନ୍ଧୁ ତିନିଥର ଯାଇ ନବାଗତର ଦ୍ଵାରରୁ ଫେରି ଆସିଲେଣି । ଦେବଦତ୍ତ ସେ ଘରେ ଅଛି କି କଣ ଅଳ୍ପ ଅଳ୍ପ ପାଟିଶୁଭୁଚି । ଜଗବନ୍ଧୁ ପୁଣି ସେ ଦ୍ଵାର ମୁହଁରୁ ଫେରି ଆସିଲେ । ଦେବ ବୋଉଙ୍କଠାରୁ ସେ ଚଗଲା ଟୋକାଟାର ବିବରଣୀ ନେବାକୁ ହିଁ ହେବ । କାହାପରି ହୋଇଥିବ ? ମାମୁଁ ଘର ଚେହେରା ଆଣିଥିବ ନା ତାଙ୍କ ଘରର ଚେହେରା ଆଣିଥିବ । ସମସ୍ତେ କହନ୍ତି ଦେବଦତ୍ତର ନାକଟା ଠିକ୍ ତାଙ୍କ ନାକପରି । ଆଉ ଏ ବଗୁଲିଆ ଟୋକାଟା କଣ ତାଙ୍କର ଚିହ୍ନ ନ ନେଇ ଆସିଥିବ ? ହଁ, ହଁ, ସେ ଠିକ୍ ତାଙ୍କରି ପରି ହୋଇଥିବ । ଠିକ୍ ତାଙ୍କ ପରି । ସେ ଯେ ତାଙ୍କରି ପୁଅର ପୁଅ… । ତାଙ୍କରି ପୁଅର ପୁଅ । ଜଗବନ୍ଧୁ ବାରମ୍ବାର ମନକୁ ମନ ଏହି କଥା ଗୁଣି ହେଉଥିଲେ । ଆଉ ତାଙ୍କର ମନେହେଉଥିଲା…ଆଜି ତାଙ୍କର ସବୁ ଉଛୁଳି ପଡ଼ୁଚି । ସବୁ ପରିପୂର୍ଣ୍ଣ ହୋଇ ଉଠୁଚି ।

 

ଜଗବନ୍ଧୁଙ୍କର ଜୀବନ ଶୂନ୍ୟ ନୁହେଁ ଏକଥା ସେ ନିଶ୍ଚୟ ସ୍ଵୀକାର କରିବେ । ଜୀବନରେ ସେ ଯେ’ ବିଜୟୋଲ୍ଲାସ ଅନୁଭବ କରି ନାହାନ୍ତି ଏହା ମଧ୍ୟ ନୁହେଁ । ସାମାନ୍ୟ ଜଣେ କିରାଣୀରୁ ଉଠି ଉଠି ସେ ଯେଉଁଦିନ ଅଫିସ ସୁପରିଣ୍ଟେଣ୍ଡେଣ୍ଟ ହୋଇଥିଲେ, ସେ ଦିନ ସେ ଭାବିଥିଲେ ଯଥାର୍ଥରେ ସେ ହିଁ ବିଜୟୀ । ଚାଳଘର ଭାଙ୍ଗି କୋଠା କରି, ଛାତ ଉପରେ ଠିଆ ହୋଇ ଯେଉଁ ଦିନ ସେ ନୀଳଚକ୍ର ଦର୍ଶନ କରିଥଲେ ସେଦିନ ଭାବିଥିଲେ, ‘ଏ ମନ ଚାହୁଁ ଥାଏ ଯାହା, କାଳେ ପ୍ରାପତ ହୁଏ ତାହା ।’ ତାଙ୍କର ଅନେକ ଆଶା ପୂର୍ଣ୍ଣ ହୋଇଚି । ଏକାମାତ୍ର ପୁତ୍ର ଯେଉଁଦିନ ରେଲୱେରେ ଏକ ପ୍ରଥମ ଶ୍ରେଣୀରେ ଚାକିରୀ ପାଇଲା ସେ ଦିନ ସେ ନିଜକୁ ସହସ୍ରବାର ଧନ୍ୟ ମନେ କରିଥିଲେ ମାତ୍ର ଆଜି ମନେ ହେଉଚି, ଜୀବନର ପାହାଚେ, ପାହାଚେ ସଂଗ୍ରାମ କରି କରି ଗଢ଼ି ତୋଳିଥିବା ସେହି ବିଜୟ ମନ୍ଦିରର ଏ ଯେମିତି ଏକ ପ୍ରକାଣ୍ଡ ଦଧିନଉତି । ଆଜି ସେ ସମ୍ପୂର୍ଣ୍ଣ ! ସତରେ ସଂପୂର୍ଣ୍ଣ !!

 

ଜଗବନ୍ଧୁ କଠଉ ଠକ୍ ଠକ୍ କରି ତଳକୁ ଓହ୍ଲାଇ ଆସିଲେ । ବାଡ଼ିଦୁଆରେ ମେହେନ୍ତ୍ରାଣୀ ପାଣି ପାଇଁ ଚିତ୍କାର ଚିତ୍କାର କରୁଚି ଓ ଚାକରାଣୀ ଦୁଲି ମା’ ତା’ ସହ କ’ଣ ଝକର ଝକର ଲଗାଇଚି-। ଜଗବନ୍ଧୁ ତାଙ୍କର ବଚସା ଶୁଣିଥିଲେ । ସେମାନଙ୍କ ପାଖକୁ ଯାଇ ତାଙ୍କର କଥା ବନ୍ଦକରି ନିଜର ଏହି ଚରମ ଶୁଭ ସମ୍ବାଦ ତାଙ୍କୁ ଜଣାଇଲେ । କହିଲେ ଆଜିପରା ଦିନରେ କୌଣସି ପାଟିତୁଣ୍ଡ, ଅଶାନ୍ତ ସୃଷ୍ଟି କରନା । ଆଜି ବଡ଼ ଆନନ୍ଦର ଦିନ, ଆଜି ସମସ୍ତେ ଖୁସିହୁଅ, ମଉଜ କର । କହୁ କହୁ ସେ ଅକାରଣେ ହସି ଉଠିଲେ ।

 

ମେହେନ୍ତ୍ରାଣୀ ବୃଦ୍ଧ ଜଗବନ୍ଧୁଙ୍କୁ ଚାହିଁଲା । ତାଙ୍କ ଓଠରୁ ତ କେବଳ ନୁହେଁ, ସମଗ୍ର ଚେହେରାରୁ ହସଖୁସିର ବନ୍ୟା ଯେମିତି ବନ୍ଧଭାଙ୍ଗି ଝରି ପଡ଼ୁଚି । ଜଗବନ୍ଧୁଙ୍କୁ ଚାହିଁ ସେ କହିଲା, ବୁଢ଼ାବାବୁ, ନାତି ହୋଇଚି ମିଠେଇ କାହିଁ ?

 

ଏ କଥାରେ ଜଗବନ୍ଧୁ ଠୋ ଠୋ’ ଅବଜ୍ଞାର ହସ ହସି ଉଠିଲେ । ଶୁଣ, ୟା’ର କଥା ଶୁଣ-। ମୁଁ ମିଠେଇ ବାଣ୍ଟିବି ନାଇଁ ଯେ, ୟେ’ କହିବାକୁ ଯାଉଚି । ୟେ’ ରାମା ଶାମା ତ ମିଠେଇ ବାଣ୍ଟୁଚନ୍ତି ଆଉ ମୁଁ….ମୁଁ….ଜଗବନ୍ଧୁ ରଥଶର୍ମା….ମୋର ଚାରି ଝିଅରେ ଏକମାତ୍ର ପୁଅ ଦେବଦତ୍ତ ରଥଶର୍ମା ଆଜି ତାର ପୁଅ ହୋଇଚି….ମୁଁ ମିଠେଇ ବାଣ୍ଟିବି ନାହିଁ ? ଏକଥା ତା’ ପସନ୍ଦକୁ ଆସୁନି ଯେ, ଆହୁରି ମାଗୁଚି । ଶଳା-ଛୋଟଲୋକ….

 

ଜଗବନ୍ଧୁ କିନ୍ତୁ ଚୁପ୍ ହୋଇ ମେହେନ୍ତ୍ରାଣୀ ପାଖକୁ ଆସିଲେ…କହିଲେ…ହଇଲୋ, ଖାଲି ମିଠେଇ ମାଗୁଚୁ ? ଏଇ ସାମାନ୍ୟ ମିଠେଇ ? ମୋର ନାତି ହୋଇଚି ଜାଣିଲୁ....ଏମିତି ଏକୋଇଶା କରିବି ଯେ….

 

ମେହେନ୍ତ୍ରାଣୀର ମୁହଁ ବିକୃତ ହୋଇ ଉଠିଲା । ସେ ଗୁଣ୍ଡ ଗୁଣ୍ଡ ହୋଇ କହିଲା–ମିଠେଇ ମାଗିବି ନାହିଁ, ଆଉ କ’ଣ ମାଗିବି ସାନ୍ତେ ? ହାତୀ ନା ଘୋଡ଼ା– ? ଏମିତି ଦୁନିଆଯାକର ପୁଅ ହଉଚି ନାଆଁ…

 

ହଠାତ୍ ଜଗବନ୍ଧୁ ସ୍ଥିର ହୋଇଗଲେ ଏବଂ ନିର୍ବାକ୍‌ ଆଖିରେ ମେହେନ୍ତ୍ରାଣୀକୁ ଚାହିଁ ରହିଲେ । କଳାମଚମଚି ସେହି ଅପରିଚ୍ଛନ୍ନ ମୁହଁରୁ ଶାଣିତ ବିଦ୍ରୂପର ଚାହାଣୀ ତୀକ୍ଷ ତୀରପରି ଛୁଟି ଆସୁଚି । ସେ ତୀର ଠିକ୍ ଜଗବନ୍ଧୁଙ୍କ ଛାତିରେ ହୃତ୍‌ପିଣ୍ଡଠାରେ ଗଳିଚି । ଠିକ୍ ଲକ୍ଷ୍ୟରେ । ଛାର ମେହେନ୍ତ୍ରାଣୀ, କେଡ଼େ କଥା ନ କହିଲା । ଦୁନିଆଯାକର ପୁଅ ହେବା ଆଉ ତାଙ୍କ ପୁଅର ପୁଅହେବା କଅଣ ଏକା କଥା ? ଏକା କଥା ? ଓଃ-କେଡ଼େକଥା ନ କହିଲା–କେଡ଼େ କଥା । ଜଗବନ୍ଧୁଙ୍କ ମୁହଁରେ ଝପିଝପି ଝାଳ କଣ୍ଟି ଆସିଲା–ମନଟା ହଠାତ୍ କେମିତି ଖଟା ହୋଇଗଲା । ତାଙ୍କର ହୃଦବୋଧ ହେଲା–ତାଙ୍କର ସେହି ଖୁସିର, ଆନନ୍ଦର, ବିହ୍ୱଳତାର ପରିବ୍ୟାପ୍ତ ଆକାଶ ମେହେନ୍ତ୍ରାଣୀର ସେହି ତୀର୍ଯ୍ୟକ୍ ଆକ୍ଷେପର ତୀର ଆଗରେ ଏଡ଼େ ଟିକିଏ ହୋଇ ଅଟକି ରହିଚି ।

 

ଜଗବନ୍ଧୁ ହଠାତ୍ ମୁହଁ ଉଠାଇ ଝାଳ ପୋଛି ନେଲେ । ଦେଖିଲେ ମେହେନ୍ତ୍ରାଣୀ ଫେରି ଯାଉଚି । ସହସା ତାଙ୍କ ଛାତି ଭିତରେ କଣ ଗୋଟିଏ ଉଦ୍‌ବେଳ ହୋଇ ଉଠି ଭାଙ୍ଗି ପଡ଼ିଲା । ସେ ଡାକିଲେ–ଏଇ ଶୁଣ୍ ।

 

ମେହେନ୍ତ୍ରାଣୀ ଠିଆ ହେଲା । ଜଗବନ୍ଧୁ ତାର ନିକଟସ୍ଥ ହୋଇ, ନିଜର ଅନାମିକାରୁ ମୁଦିଟା ଟାଣି ବାହାର କରି ତା’ ଉପରକୁ ଫିଙ୍ଗି ଦେଇ କହିଲେ ନେ, ଏଇଟା ତୋର ମିଠେଇ ବଦଳରେ ପ୍ରାପ୍ୟ । ଦୁନିଆଯାକର ପୁଅ ହୁଏ-ମାତ୍ର କେବଳ ରଥଶର୍ମା ଘରୁ ଏମିତି ଦାନ ମିଳେ–ଯାଃ–

 

ବିଚରା ମେହେନ୍ତ୍ରାଣୀ ଏ ଘଟଣାରେ ଏକାନ୍ତ ଆଶ୍ଚର୍ଯ୍ୟ ହୋଇ ଉଠିଲା—ହାତରେ ଯେ, ତାର ସତରେ ମୁଦିଟା ଅଛି ଓ ଏହାକୁ ଯେ, ତାକୁ ନେବାକୁ ହେବ ଏକଥା ସେ ଜମା ବିଶ୍ୱାସ କରିପାରୁ ନ ଥିଲା । କିନ୍ତୁ ଯେତେବେଳେ ଦେଖିଲା ଯେ, ଜଗବନ୍ଧୁ ଚାଲିଗଲେଣି ଏବଂ ମୁଦିଟା ତାକୁ ସତରେ ନେବାକୁ ହିଁ ହେବ, ସେତେବେଳେ ସେ ବିସ୍ମୟ ପୁଲକରେ ମୁଦିଟାକୁ ସଯତ୍ନେ ବାନ୍ଧି ଫେରିବାକୁ ଲାଗିଲା ।

 

ଜଗବନ୍ଧୁ ମନ୍ତ୍ରବତ୍ ମୁଦିଟାକୁ ଫିଙ୍ଗି ସେଠାରୁ ଚାଲି ଆସିଲେ । ସେ ଉତ୍ତେଜିତ ହୋଇଛନ୍ତି, ସନ୍ଦେହ ନାହିଁ । ଆଉ ଏ ଉତ୍ତେଜନା ଆହତ ହେବାର ଉତ୍ତେଜନା । ସାମନ୍ୟ ମେହେନ୍ତ୍ରାଣୀ କ’ଣ ନ କହିଲା– ? ମୁଦିଟା ଦେଇ ସେ ଠିକ୍ କରିଚନ୍ତି, ଠିକ୍ କରିଛନ୍ତି । ସେ ବେଶ୍ ଦେଖେଇଚନ୍ତି ଯେ, ଦୁନିଆ ଯାହା–ସେ ତାହା ନୁହନ୍ତି–ଏକଥା ବର୍ତ୍ତମାନ ମେହେନ୍ତ୍ରାଣୀ ମର୍ମେ ମର୍ମେ ବୁଝିବଣି ଓ ସମସ୍ତଙ୍କୁ ନିଶ୍ଚୟ ବୁଝାଇବଣି । ମେହେନ୍ତ୍ରାଣୀକୁ ମୁଦି ଦେବା କଥା ନିଶ୍ଚୟ ସମସ୍ତେ ଜାଣିବେ । ନିଶ୍ଚୟ ସମସ୍ତେ ବୁଝିବେ ଯେ ସେ ଜଣେ ଅନନ୍ୟ ଲୋକ । ସତେ କ’ଣ ସେ ତାହା ନୁହନ୍ତି ? ତାଙ୍କପରି ଏତେ ନିର୍ଲୋଭ କାହାର ଅଛି ? ତାଙ୍କପରି ଏତେ ତ୍ୟାଗ କିଏ କରିଚନ୍ତି-? ସାରା ଜୀବନ ସେ ନିଜକୁ ଖଣ୍ଡ ଖଣ୍ଡ କରି କାଟିଚନ୍ତି, ପୁଅ ପାଇଁ, ଘର ପାଇଁ । ଏମିତି କରିଚି କିଏ ? ନିଶ୍ଚୟ ସମସ୍ତେ ଏହା ବୁଝିବେ ନିଶ୍ଚୟ– ? କିନ୍ତୁ ମୁଦିଟା ନ ଦେଇ ଆଉ କିଛି ଦେଇଥିଲେ-? ଆଉ କିଛି ? ମାନେ ସାମାନ୍ୟ କିଛି– ? ଦେବ ବୋଉ କ’ଣ ବିରକ୍ତ ହେବ ? ଗାଳିଦେବ ? କହିବ ହଇଏ, ତମେ ଏଡ଼େ ବେହିଆ ହେଲ ? କିନ୍ତୁ କାହିଁକି ସେ କହିବ ଏ କଥା ? ସେ ଗୃହସ୍ଥ, ଘରର ମୁରବୀ । ତାଙ୍କର ଇଚ୍ଛା ଯାହା-ସେ ତାହା ନିଶ୍ଚୟ କରିବେ । ଜଗବନ୍ଧୁ ପୁଣି ମନକୁ ମନ ଗୁଣିହେଲେ…ନାଃ–ମୁଦିଟା ଖୁବ୍ ପୁରୁଣା ହୋଇ ଯାଇଥିଲା । ହାତରେ ପିନ୍ଧି ପିନ୍ଧି ଏକଦମ୍ ଘୋରି ହୋଇ ଯାଇଥିଲା–ଏବଂ ସେଇଟା ବା କି ପ୍ରୟୋଜନରେ ଆସିଥାନ୍ତା ? ବିଚାରି ମେହେନ୍ତ୍ରାଣୀ ନେଲା, ନଉ-ଆହା ସେ ଯେ ନର୍କ ଘାଣ୍ଟୁଚି । ଦେବଦତ୍ତର ମୁହଁ ସହସା ତାଙ୍କ ଆଖିରେ ନାଚିଲା–ସେଇ ଦେବଦତ୍ତର ଆଜି ପୁଅ ହୋଇଚି–ମୁଦିଟା କେଡ଼େ ତୁଚ୍ଛ– ।

 

ଜଗବନ୍ଧୁ ହଠାତ୍ ଭାବିଲେ ତାଙ୍କର ଆନନ୍ଦକୁ ସେ ଯଦି ଆକାଶର ନୀଳିମାରେ ପରିବ୍ୟାପ୍ତ କରି ପାରନ୍ତେ….ଗଛର ଫୁଲେ ଫୁଲେ ଚହଟାଇ ରଖି ପାରନ୍ତେ ଆଉ….ଆଉ…ନାଃ ଆଉ କିଛି ଭାବି ହେଉନି…କିନ୍ତୁ କିଛି ଏକ କରିବାକୁ ହବ….ଅସାମାନ୍ୟ-ଅସାଧାରଣ–ଏମିତି କିଛି-ଏ ଯେ ତାଙ୍କର ଦଧିନଉତି । ତାଙ୍କର ଆଉ ଅଛି କଣ ? ସବୁ ସମ୍ପୂର୍ଣ୍ଣ ହୋଇଚି । ଅସମାନ୍ୟ ଏଇଠି କିଛି କରି ସେ ବିଦାୟ ନେବେ । ସେ ନାହିଁ ନଥିବା ଭୋଜି କରିବେ । ନାହିଁ ନଥିବା କାଙ୍ଗାଳି ଭୋଜନ ! ଯେମିତି କେତେ ଦିନକୁ କଥା ରହିବ ! ଜଗବନ୍ଧୁ ବୋଲି ଜଣେ ଥିଲା….ହେ ଜଗନ୍ନାଥ । ସବୁ ତମରି କୃପା । ସବୁ ତ ତମରି ଦାନ ! ତମକୁ ମୁଁ କଣ ଦେଇପାରେ ? କେବଳ ତୁଳସୀ ମଞ୍ଜରୀ ଖଚିତ ଶହେ ଆଠ ପଦ୍ମର ମାଳ ! ଏତିକି କେବଳ ଏତିକି ।

 

ଜଗବନ୍ଧୁ ପୁଝାରୀକୁ ବଜାରରୁ ପ୍ରଚୁର ପରିମାଣର ମିଠା ଆଣିବାକୁ ବରାଦ କରି, ଚାକରକୁ ପଦ୍ମଫୁଲ ପାଇଁ ପଠାଇଲେ । ତାପରେ ତାଙ୍କ ଦାଣ୍ଡରେ ଥିବା ନିଜ ହାତ ତିଆରି ବଗିଚାରୁ ଫୁଲ ତୋଳିବାକୁ ଲାଗିଲେ । ଆଜି ଠାକୁର ପୂଜା କେତେ ଡେରି ହୋଇଗଲାଣି–

 

ଜଗବନ୍ଧୁ ଫୁଲ ତୋଳୁ ତୋଳୁ ଦେଖିଲେ ତାଙ୍କର ସବୁଦିନର ସାଙ୍ଗ ଫକୀର ମହାପାତ୍ର ତାଙ୍କ ଘର ଆଡ଼କୁ ଆସୁଚି । ତାର ସେହି ଈଷତ୍ ତୀର୍ଯ୍ୟକ ଛୋଟ-ଆଖିଟା–କେଜାଣି କାହିଁକି ଏତେ ନାଲି ହୋଇଚି ।

 

ଫକୀର ମହାପାତ୍ର ପାଖକୁ ଆସି କହିଲା–କି ଭାଇନା ! ଆଜି ଏତେ ଡେରି କଣ ଚା’ ପର୍ବ ସରିଲାଣି ?

 

ଜଗବନ୍ଧୁ ଏ କଥାର ଉତ୍ତର ଦେଲେ ନାହିଁ । ଆନନ୍ଦ ଗଦ୍ ଗଦ୍ ହୋଇ କହି ଚାଲିଲେ–ହଁ, ହଁ, ଟିକେ ଡେରି ହୋଇଚି ଆଜି-ମାନେ-ମାନେ-ଆଜି ସକାଳେ–ଆମ ଦେବର ପୁଅଟିଏ ହୋଇଚି-ଯାଇଁଲ ପୁଅଟିଏ !

 

ଫକୀର ମହାପାତ୍ରର ଗୋଟିଏ ଆଖି ଈଷତ୍ ଛୋଟ । କେମିତି ଏକ ବିଦ୍ରୂପରେ ବିକୃତ ହେଲାଭଳି, ଜଣାପଡ଼େ ସେ ତୀର୍ଯ୍ୟକ୍ ଆଖିଟା । ଫକୀର ମହାପାତ୍ର ସେହି ତୀର୍ଯ୍ୟକ୍ ଆଖିରେ କଣେଇ ଚାହିଁ, ଜଗବନ୍ଧୁଙ୍କ କଥା ଆଦୌ ନ ଶୁଣିଲା ପରି କହିଲା ଜାଣିଲ ଭାଇନା, ଘରେ ମୋର ପଞ୍ଝାଏ ଲୋକ । ତିନିଟା ବୋହୂ । ତାଙ୍କର ଅନ୍ୟୁନ ପନ୍ଦରଟା ପିଲା । ତାଙ୍କର ପୁଣି ପନ୍ଦର କିସମର ଜଳଖିଆ । ପୁଣି ଦଳେ ଅଛନ୍ତି, କିଏ ଗ୍ଲାସ୍‌କୋ ଖାଇବ ତ କିଏ ଅମୁଲ୍ । କିଏ ପୁଣି ହର୍ଲିକ୍‌ସ । ମାଆମାନେ ତ ଏଇଥିରେ ବ୍ୟସ୍ତ….ଏ ବୁଢ଼ାହଡ଼ାକୁ ପଚାରେ କିଏ ? ମୁଁ ପଚାଶ ଥର ଦଇନି ହୋଇ କହିଲିଣି….ମାଆମାନେ, ମତେ ଭଲା ସେଇ ପିଲାଙ୍କ ସାଙ୍ଗରେ ଜଣେ ବୋଲି ଭାବ ! ଜାଇଁଲ ଭାଇନା…ତାଙ୍କ ପୋଷା ଜନ୍ତୁମାନଙ୍କ ସହ ମଧ୍ୟ ମୁଁ ଜଣେ ନୁହେଁ । ସକାଳୁ ମୁଣ୍ଡ ପିଟିଲେ ବି କପେ ଚା’ ମିଳିବ ନାହିଁ । ନାତିକୁ କହିଲି ଦୋକାନରୁ ଗ୍ଲାସେ ଆଣିଦେବାକୁ । ସେ ଛତରା ଏଡ଼େ ପାଟିକଲା-‘ଶଳା କି ଚା’ ଖୋର ହୋଇଚୁ ବେ’ । ନିଜେ ଯାଉନୁ ପିଇଆସିବୁ । ଜାଇଁଲ ଭାଇନା, ସେମାନେ ମୋର ବୋହୂ….ସେ ମୋର ନାତି….ୟାରି ନା ସଂସାର…ଆଉ ଏହି ସଂସାରର ସାରକଥା ହେଉଚି କେବଳ କଦର୍ଥନା କଦର୍ଥନା । ହେଃ….ହେଃ….ଫକୀର ମହାପାତ୍ର ହସିଲା ନାହିଁ-। କାନ୍ଦିଲା ନାହିଁ । ତାର ସ୍ୱର କିନ୍ତୁ, କେମିତି ଅଦ୍‌ଭୁତ, ଭୟଙ୍କର ଭାବରେ କଠିନହୋଇ ଉଠି ଅବା କାନ୍ଥରେ ଠକ୍ ଠକ୍ ବାଡ଼େଇ ହୋଇଗଲା ।

 

ଜଗବନ୍ଧୁ ଫୁଲ ଡାଲିଆ ହାତରେ ଧରି ସ୍ତବ୍‌ଧ ହୋଇ ରହିଗଲେ । ଫକୀର ମହାପାତ୍ରକୁ ଏକ ଆଖିରେ ଚାହିଁ ରହିଲାବେଳେ, ତାଙ୍କର ଉନ୍ମାଦନାର ନଦୀ ଯେମିତି ଶୁଖି ଯାଉଥିଲା । ତାଙ୍କ ଛାତିରେ ଯେମିତି କେଉଁଠି ପବନ ଅଟକିଗଲା । ଫକୀର କ’ଣ କହିଲା ? ତାଙ୍କର ଏତେ ବଡ଼ ଖୁସୀକୁ ଟିକେ ସମ୍ମାନ ତ ଦେଲା ନାହିଁ; ଅତି ସାଧାରଣ, ଦିନହୀନ ତୁଚ୍ଛ ଘଟଣାଟିଏ ପରି ସେ ତାକୁ ଉପେକ୍ଷା କରିଗଲା । ସେ କହିଲା ନାହିଁ, ସତେ ? ଆରେ ବାଃ…. ? ତୁମେ…ତୁମେ ଖୁବ୍ ଭାଗ୍ୟବାନ୍ । ଏସବୁ କିଛି କହିଲା ନାହିଁ ସେ । ବରଂ ନିହାତି ଅଳୀକ, ଅସତ୍ୟ ଭାବେ ତାକୁ ପ୍ରତିପାଦନ କରି….ଆଜିପରା ଦିନରେ କହିଗଲା ୟାରି ନା—ସଂସାର…ଆଉ ୟେ’ ସଂସାରର ସାରକଥା ହେଲା—କଦର୍ଥନା…ଇସ୍-ଏଇ ଭୟଙ୍କର କଥାଗୁଡ଼ାକ କ’ଣ ତାଙ୍କର ଏତେ ବଡ଼ ଆନନ୍ଦମୟ ଶୁଭ ସମ୍ବାଦର ପ୍ରତ୍ୟୁତ୍ତର ?

 

ତେବେ କ’ଣ ସତେ, ତାଙ୍କର ଆନନ୍ଦର ସାମ୍ରାଜ୍ୟକୁ ଲୁଣ୍ଠନ କରି, ତାଙ୍କୁ ଦରିଦ୍ର, ନିଃସ୍ୱ, ଉପହସିତ କରି ଛାଡ଼ିବା ପାଇଁ ମେହେନ୍ତ୍ରାଣୀ ସମେତ୍ ଫକୀର ମହାପାତ୍ରର ଏହା ଏକ ଭୀଷଣ ଷଡ଼ଯନ୍ତ୍ର ? ତାଙ୍କୁ ସମସ୍ତେ ବ୍ୟଙ୍ଗ କରିବାକୁ ଚାହାନ୍ତି ? ବିଦ୍ରୂପ କରିବାକୁ ଚାହାନ୍ତି ? ତାଙ୍କର ସୁଖ, ସୌଭାଗ୍ୟକୁ ହିଂସା କରି, ତାଙ୍କୁ ଅଯଥା କଷ୍ଟ ଦେବାଲାଗି ଏ କଅଣ ଏକ ଅଭିସନ୍ଧି ? ଜଗବନ୍ଧୁ ଫକୀର ମହାପାତ୍ରକୁ ପୁଣି ଚାହିଁଲେ । ତା’ ମୁହଁରେ ସତରେ ଅବା ତାଚ୍ଛଲ୍ୟ ଭର୍ତ୍ତି ହୋଇରହିଛି । ସେ ତାଚ୍ଛଲ୍ୟ ସତେ ଅବା ଚିତ୍କାର କରୁଛି । “ଭାଇନା, କଅଣ ପାଇଁ ଏତେ ସୁଖୀ ହେଉଚ ? କେଉଁ ଆନନ୍ଦ ପାଇଁ ମେହେନ୍ତ୍ରାଣୀକୁ ମୁଦି ଦେଇଚ ଓ ଏତେ ବଡ଼ ଭୋଜିର ପରିକଳ୍ପନା କରୁଚ ? ଯାହା ପାଇଁ କରିଚ ସେଇ ଦିନେ ବଡ଼ ହେବ । ତମ ପିଠିରେ ନିର୍ଦ୍ଧୁମ ମାଡ଼ କଷି କହିବ, ଯାଃ-ବୁଢ଼ା, ଦୋକାନରେ ଚା’ପିଇ ଆସିବୁ । ସେଇ ନାତି ପାଇଁ ତମର ଏତେ ଖୁସୀ ? ଭାଇନା ତମେ ଏଡ଼େ ନିର୍ବୋଧ… ! ଏ ସଂସାରର ସାରକଥା କେବଳ କଦର୍ଥନା, ତୁମ ପାଇଁ ସେ କଦର୍ଥନା ବଦଳିବ ନାହିଁ-।”

 

ଜଗବଂଧୁଙ୍କ ହାତରୁ ଫୁଲଡ଼ାଲାଟା ଖସିପଡ଼ିଲା । ସତେ କି ତାଙ୍କର ମୁଣ୍ଡଟା ଘୁରିଗଲା । ଚମକି ଉଠି ସେ ତତ୍‌କ୍ଷଣାତ୍ ଫୁଲଗୁଡ଼ିକ ଗୋଟାଇ ପକାଇଲେ କିଛି ନ ହେଲା ଭଳି ! ଝୁଣ୍ଟି ପଡ଼ିଲା ଭଳି ଅଭିନୟ କରି, ଭିତରେ ଭିତରେ ଗୋଟିଏ ମସ୍ତବଡ଼ ଦୀର୍ଘଶ୍ଵାସକୁ ଚପାଇ ଦେଇ ହସି ହସି ଫକୀର ମହାପାତ୍ରକୁ ଚାହିଁ କହିଲେ, “ଆଜି ଅନେକ ଡେରି ହୋଇ ଯାଇଚି ରେ ଫକୀର, ମୁଁ ଯାଏ ଠାକୁର ପୂଜା କରିବି । ତୁ ଏଇଠି ବସ୍ । କେବଳ ଚା’ ନୁହେଁ, ପ୍ରଚୁର ରାଜଭୋଗ ଆଣିଦେବି-। ମୋର ନାତି ହୋଇଚି ତୁ ମୁହଁମିଠା ଆଗ କର । କେତେ ଆଜି ଖାଇବୁ, ସେତେ ଦେବି ।” କହୁ କହୁ ସେ ହସି ଉଠିଲେ, କିନ୍ତୁ ସେ ହସର ଓଢ଼ଣୀ ତଳେ, ଏକ ଉଦ୍‌ଗତ ଅଶ୍ରୁର ଆଲୋଡ଼ନରେ ତାଙ୍କ ଛାତି ଚହଲି ଉଠିଲା କାହିଁକି ?

 

ଫକୀର ମହାପାତ୍ର ପାନକୁ ପାକୁଳେଇ କହିଲା…ସତେ ଏ ସକାଳୁ ସକାଳୁ ରାଜଭୋଗର ବ୍ୟବସ୍ଥା କରିଚ ଭାଇନା ?

 

ଜଗବଂଧୁ ଆଉ ତା ମୁହଁକୁ ଫେରି ଚାହିଁଲେ ନାହିଁ, ସେ ମୁହଁଟା ସତେ ଅବା ଭୟଙ୍କର ଆଉ କିଛି ତାଙ୍କୁ କହିବସିବ । ସେ ଫେରି ପଡ଼ିଲାବେଳେ ଫକୀର ମହାପାତ୍ରର ବାଃ-ବାଃ ଶବ୍ଦଟା ତାଙ୍କୁ ଏକ ତାଚ୍ଛଲ୍ୟ ହସ ଭଳି ଶୁଭିଲା ହେଃ…ହେଃ ହେଃ…… ।

 

ଜଗବଂଧୁ ମନ୍ତ୍ରବତ୍ ଘରକୁ ଆସି ଚାକର ହାତରେ ରାଜଭୋଗ ଫକୀର ମହାପାତ୍ର ପାଖକୁ ପଠାଇଦେଲେ । ବହୁ ଚେଷ୍ଟା କରି ପାଖକୁ ଯିବାକୁ ଆୟାସ କଲେ । ମାତ୍ର କେଜାଣି କାହିଁକି ତାଙ୍କ ପାଦ ଉଠିଲା ନାହିଁ…କାହିଁକି ଯାଇପାରୁ ନାହାନ୍ତି ବୋଲି ନିରେଖି ନିରେଖି ନିଜ ମନକୁ ଚାହିଁଲେ । କେତେ ନୀଚ, ଅବାନ୍ତର କଥାଟା ଭାବୁଚନ୍ତି ବୋଲି ନିଜକୁ ବାରମ୍ବାର ଧିକ୍‌କାର ଦେଲେ…ମାତ୍ର ପାରିଲେନି ପାଦେ ଆଗେଇ । ଏକ ଜଡ଼ତାରେ, ଗମ୍ଭୀରତାରେ ସ୍ତବ୍‌ଧ ହୋଇଗଲେ । ସତରେ କଣ ଫକୀର ମହାପାତ୍ର ତାଙ୍କୁ ବ୍ୟଙ୍ଗ କରିଚି; ତାଙ୍କ ଭବିଷ୍ୟତ ପ୍ରତି ଅନାସ୍ଥା ପ୍ରକାଶ କରିଚି ? କିନ୍ତୁ…କିନ୍ତୁ…ସେ କଣ ତ୍ରୁଟି କରିଚନ୍ତି… ? ପଛରେ ଛାଡ଼ି ଆସିଥିବା ସେଇ ତିରିଶି ବର୍ଷ…ନିଃଶ୍ଵାସ ନେବାକୁ ସେ ଫୁରୁସତ୍ ପାଇନାହାନ୍ତି । ଉପବାସ କଲା ପରି ତିରିଶି ବର୍ଷ ସେ ଗୋଟାଏ ନିଷ୍ଠାରେ କାଟି ଦେଇଚନ୍ତି । ତାଙ୍କ ପରି ଏତେ କରିଚି କିଏ ? ଏତେ ତ୍ୟାଗ, ଏତେ କଷ୍ଟ, ହସି ହସି ତାଙ୍କ ପରି ବହନ କରିଚି କିଏ ? ଦୁନିଆଯାକର ବାପା ପୁଅମାନଙ୍କୁ ମଣିଷ କରନ୍ତି । କିନ୍ତୁ ଏମିତି ଟୋପା ଟୋପା ରକ୍ତ ଢାଳିବ କିଏ ? ଜଗବଂଧୁ ସେମିତି ଭାବୁଥିଲେ ପଛ କଥା, ତିରିଶ, ଚାଳିଶ ବର୍ଷ ତଳର କଥା । ସେ ଗୋଟାଏ ଅତୀତ ଥିଲା…ନିଶା ଲାଗିଲା ପରି ସେ ଚାଲିଥିଲେ । ନିଜକୁ ଦେଖିବାକୁ ବେଳ ନ ଥିଲା, ଘରେ ସାମାନ୍ୟ କିଛି ଜମି । ସହରରେ କିରାଣୀ ଚାକିରୀ ଖଣ୍ଡିଏ । ସେଇଥିରେ ଚଳିବାକୁ ଆଠ ପ୍ରାଣୀ କୁଟୁମ୍ବ । ବାପା, ମା, ସ୍ତ୍ରୀ ସମେତ ଚାରୋଟି ଝିଅ । ଜଗବଂଧୁ ହତାଶ ହୋଇ ନ ଥିଲେ, ଜଗନ୍ନାଥଙ୍କ ଆଶ୍ରାକରି ଅଣ୍ଟାରେ ଲୁଗା ଭିଡ଼ିଥିଲେ । ଏସ୍:ଡ଼ି:ଓ: ଅଫିସ କାର୍ଯ୍ୟପରେ ରାତ୍ରିରେ ଗୋଟିଏ ଦୋକାନରେ ହିସାବ କାର୍ଯ୍ୟକରି ଉପାର୍ଜନ କରିଚନ୍ତି । ନନା ବୋଉ କାହାରି ପ୍ରତି ହେଳା କରିନାହାନ୍ତି, ହେଳା କରିଚନ୍ତି ଖାଲି ନିଜକୁ । ନନା ବୋଉ ଚାଲିଗଲେ । ସମାରୋହରେ ତାଙ୍କର ଶୁଦ୍ଧି କ୍ରିୟା କରିଚନ୍ତି । ମାପି ଚୁପି ଚଳିଚନ୍ତି । ଚାରିଟି ଝିଅଙ୍କ ଲାଗି, ପେଟରୁ କାଟି କେଡ଼େ କଷ୍ଟରେ ସେ ସୁନା କିଣିଚନ୍ତି । ଚାରୋଟି ଝିଅ ପରେ, ଯେଉଁମାନେ ସେ ଜାଣିଲେ ଯେ ପତ୍ନୀ ପୁଣି ସନ୍ତାନ-ସମ୍ଭବା, ସେଦିନ ମନେ ମନେ ଗୋଟିଏ ଅଦ୍ଭୁତ ବ୍ରତ ପାଳନ କରି ବସିଲେ ଜଗବଂଧୁ । ଏଇ ସନ୍ତାନ ଯଦି ପୁତ୍ରସନ୍ତାନ ହୁଏ, ତେବେ ଏହାକୁ ହିଁ ପତ୍ନୀ ପାଶରେ ରଖି ସେ ସନ୍ନ୍ୟାସ ଗ୍ରହଣ କରିବେ । ମନେ ମନେ ଦୃଢ଼ପରିକର ହୋଇ ଉଠିଲେ ସେ । ଯେଉଁ ଦିନ ପତ୍ନୀ ପ୍ରସବ କଷ୍ଟ ପାଇଲେ…ସେତିକିବେଳେ ଜଗବଂଧୁ ଠାକୁର ଘରେ ପଦ୍ମାସନରେ ବସି ମନପ୍ରାଣ ଦେଇ ଭଗବାନଙ୍କୁ ଡାକୁଥିଲେ । ସେଇ ପୁଅ ଦେବଦତ୍ତ ଜନ୍ମ ହେଲା-। ଜଗବଂଧୁ ଘର ଛାଡ଼ି ସନ୍ନ୍ୟାସୀ ହୋଇନାହାନ୍ତି ସତ, ମାତ୍ର ଘର ଭିତରେ କେତେ ବଡ଼ ସନ୍ନ୍ୟାସ-ସାଧନା ଆରମ୍ଭ କରିଚନ୍ତି, ସେ କଥା ଦେବବୋଉ ଛଡ଼ା ଜାଣିବ କିଏ ? ଆମିଷ ତ୍ୟାଗ କରିଚନ୍ତି ସେହିଦିନୁ…ଶୋଇବା ଘରୁ ତାଙ୍କର ବିଛଣା ଆଣି ଦାଣ୍ଡ ମେଲାରେ ପକାଇଚନ୍ତି ! କି ଶୀତ, କି ଖରା, କି ବର୍ଷା ସେ ସେଇଠି ଶୁଅନ୍ତି । ସକାଳେ ସଂଧ୍ୟାରେ ଗୀତାପାଠ ଓ ଠାକୁର ପୂଜା । ସେ ଗୃହରେ ଥିଲେ କେବଳ ପୁଅକୁ ମଣିଷ କରିବାକୁ । ଆଉ ଏଇ ପୁତ୍ରପ୍ରାପ୍ତିର କୃତଜ୍ଞତା ସ୍ୱରୂପ, ନିଜକୁ ସେ କଷ୍ଟ ପଥରେ ହସି ହସି ଛାଡ଼ି ଦେଇଥିଲେ । ଦେବଦତ୍ତ ଲାଗି ସେ ସବୁ କଷ୍ଟ କରିଥିଲେ-। ଦେବଦତ୍ତ ଜନ୍ମ ପରେ ଏଣିକି ସେ ଆଉ ସହରରେ ରହିଲେ ନାହିଁ । ସହରରେ ରହିବାଦ୍ୱାରା ଅଧିକା ଷାଠିଏ ଟଙ୍କା ଯେ ଖର୍ଚ୍ଚ ହଉଚି । ପ୍ରତ୍ୟହ ଦଶ ମାଇଲ ଯିବାଆସିବା କରି ଦେବଦତ୍ତ ଲାଗି ସେ ସେହି ଷାଠିଏ ଟଙ୍କା ସଞ୍ଚି ଲାଗିଲେ । ଆଜି ମନେ ପଡ଼ୁଛି, କେତେ ବର୍ଷା, କେତେ ଶୀତରେ, ସକାଳୁ ସେ ବାହାରି ପଡ଼ନ୍ତି । ବଡ଼ି ସକାଳୁ ଉଠି ଗାଧୋଇ ଆସି ଦେବବୋଉ କଣ ଗଣ୍ଡାଏ ଫୁଟେଇ ଦିଏ । ସେଇଆକୁ ନାକରେ କାନରେ ଗୁଞ୍ଜି ଦିନ ଆଠଟାରେ ଜଗବନ୍ଧୁ ବାହାରି ପଡ଼ନ୍ତି-। ଓଲଟା ପବନରେ ସାଇକେଲକୁ ପେଲି ପେଲି ଅଫିସର ପହଞ୍ଚିଲା ବେଳକୁ ତାଙ୍କର ଦମ୍ ଛୁଟିଥାଏ-। ତେବେ ବି ଟିକିଏ କ୍ଳାନ୍ତି ନ ଥାଏ । ଆଜି ମନେପଡ଼ୁଛି, କେତେ ଅନ୍ଧାର ରାତିରେ, ବର୍ଷା ପବନ ମାଡ଼ ଖାଇ, କଚଡ଼ା ଖାଇ, ସେ ଆସି ଗାଁରେ ପହଞ୍ଚନ୍ତି । ଦେବବୋଉ ବିରକ୍ତ ହୁଏ, ରାତିଟା କ’ଣ ରହି ଯାଇଥିଲେ ହୋଇ ନଥାନ୍ତା ? ଜଗବନ୍ଧୁ ହସନ୍ତି । ପୁଅକୁ ନ ଦେଖିଲେ ରାତିରେ ଜମା ନିଦ ହେବ ନାହିଁ । ସେଇ ଦେବଦତ୍ତର ଦୁଇ ବର୍ଷ ବୟସରେ ପ୍ରବଳ ଝାଡ଼ା ବାନ୍ତି ହେଲା । ମଫସଲ ଗାଁର ରାତ୍ରି । ଡାକ୍ତର ଆସିବ କେଉଁଠୁ, ଦେବବୋଉ ମୁଣ୍ଡ ପିଟି କାନ୍ଦୁଥାଏ । ଦେବଦତ୍ତ ଆଖି ଫିଟାଉ ନ ଥାଏ । ହଲଚଲ ବି ହେଉ ନ ଥାଏ । ଜଗବନ୍ଧୁ ସେଇ ଜଗନ୍ନାଥଙ୍କ ପାଖରେ ଅଧିଆ ପଡ଼ିଥାନ୍ତି । ହେ ଜଗନ୍ନାଥ, ସତରେ ଯଦି ଦେବଦତ୍ତର କିଛି ହୁଏ ତେବେ ମୁଁ ଜୀବନ ହାରିଦେବି ସେଥିପାଇଁ । ଦାୟୀ ହେବ ତମେ…ତମେ । ସକାଳକୁ ଦେବଦତ୍ତ ଭଲ ହେଲା । ଆଖିମେଲି ଚାହିଁଲା । ଏମିତି ଥରେ ନୁହେଁ, ଅନେକ ଥର ହୋଇଚି । ଦେବଦତ୍ତ ବଡ଼ ହେଲା….ପାଠ ପଢ଼ିଲା । ତାର ଖର୍ଚ୍ଚ ପାଇଁ ଜଗବନ୍ଧୁ କେତେ ନଗଣ୍ୟ ଭାବେ ଚଳିନାହାନ୍ତି ! ଖଣ୍ଡେ ଧୋତି ନ ଚିରିଲେ, ଆଉ ଖଣ୍ଡେ ସେ କେବେ କିଣନ୍ତି ନାହିଁ । ଦଶ ଥର ଢାଳି ନ ପଡ଼ିଲା ଯାଏ, ନୂଆ ଚଟିହଳେ ସେ ଆଣନ୍ତି ନାହିଁ । ଦେବବୋଉର ସବୁ ଗହଣାଗାଣ୍ଠି, ତାଙ୍କର ସବୁ କିଛି ଦେଇ ସେ ଦେବଦତ୍ତକୁ ବଡ଼ କରିଚନ୍ତି-। ସେଇ ଦେବଦତ୍ତ ଆଜି ଉଚ୍ଚ ଚାକିରୀ କରିଚି । ତା’ରି ପୁଅ ହୋଇଚି । ସେ ଖୁସୀ ହେବେ ନାହିଁ ? ଆନନ୍ଦିତ ହେବେ ନାହିଁ ? ଫକୀର ମହାପାତ୍ର ତାଙ୍କୁ ଏଥିପାଇଁ ବିଦ୍ରୂପ କରିବ ଆଉ ଏଇ ବିଦ୍ରୂପରେ ସେ ଭାଙ୍ଗି ପଡ଼ିବେ ? ଛିଃ, ଛିଃ….

 

ଭାବୁ ଭାବୁ ଜଗବନ୍ଧୁଙ୍କ ଆଖିରୁ ଧାର ଧାର ଲୁହ ବହିଗଲା । ସେ ଅଶ୍ରୁ ତିରିଶ ବର୍ଷର ସ୍ମୃତିଜଡ଼ିତ । ଅନେକ ମଇଳା ଯେମିତି ସେଥିରେ ଭାସି ଚାଲିଗଲା । ହଠାତ୍ ଉପର ମହଲାରୁ ଭାସି ଆସିଲା କୁଆଁ କୁଆଁ ରାବ । ଜଗବନ୍ଧୁଙ୍କ ଅନ୍ତର ଉତ୍‌କୀର୍ଣ୍ଣ ହୋଇଉଠିଲା ସେ କାନ୍ଦ ଶୁଣିବା ପାଇଁ । ତାଙ୍କୁ ଜଣାଗଲା, ସେହି କୁଆଁ କୁଆଁ କାନ୍ଦ ବେଳକୁ ବେଳ ଲଳିତ ମଧୁର ହୋଜ ଏକ ଉଦବେଳିତ ସ୍ରୋତସମ ତାଙ୍କ ଆଡ଼କୁ ଭାସି ଆସୁଚି । ସେ ସ୍ରୋତ ସବୁକୁ ଭସେଇଦେଇ ଯେମିତି ଡାକ ଦଉଚି, ଜେଜେ, ଜେଜେ, ଜେଜେ…. ।

 

ଜଗବନ୍ଧୁ ଅପୂର୍ବ ପୁଲକରେ ପୁଲକି ଉଠିଲେ । ସେ ପୁଲକ ତାଙ୍କ ଦେହରେ ପ୍ରାଣ ସଂଚାର କରିଗଲା ଅବା । ସେ ଫକୀର ମହାପାତ୍ରକୁ ସ୍ମରଣ କରି କହିଲେ, ଫକୀର, ତୁ ମତେ ବିଦ୍ରୂପ କରିପାରିବୁ ନାହିଁ । ମୁଁ ଜଗବନ୍ଧୁ ରଥଶର୍ମା । ନୈଷ୍ଟିକ ବ୍ରାହ୍ମଣ । ଜୀବନସାରା ମୁଁ ଯଜ୍ଞକୁଣ୍ଡ ଭଳି ହୁତ୍‌ହୁତ୍‌ ଜଳିଛି । ତାର ମୂଲ ଅବଶ୍ୟ ମୁଁ ପାଇବି । ମୋ ପୁଅ, ମୋ ନାତି, ମୋରି ପରି ହେବେ । ତୁ ଥରେ ନିଜକୁ ଚାହାଁ-ଦେଖ୍, ତୁ ଜୀବନସାରା ନିଜକୁ ଦେଖିଚୁ-ପିତା ମାତା ପୁତ୍ର କନ୍ୟା କାହାକୁ ଚାହଁନାହୁଁ । ମଦଖାଇ, ରକ୍ଷିତା ନେଇ ତୋ ଜୀବନ କଟିଚି । ଆଜି ତାରି ଫଳ ଭୋଗିଲାବେଳକୁ ତୁ ବଡ଼ ବଡ଼ ଦର୍ଶନ ବାହାର କରୁଚୁ ଯେ ସଂସାରର ସାର କଥା କଦର୍ଥନା ! ଆରେ, କୋଉ ମହାପୁରୁଷ କହିଛି ଏ କଥା ? ନିଜ ମାପକାଠିରେ ସମସ୍ତଙ୍କୁ ମାପୁଚୁ କାହିଁକି ? ତୁ କ’ଣ ମତେ ଦେଖିନାହୁଁ ? ମୋର ଏତେ ବଡ଼ ସାଧନାର ଫଳ ମୁଁ କଅଣ ପାଇବି ନାହିଁ ? ମୁଁ ଅଲବତ୍ ପାଇବି, ତୁ ଦେଖିବୁ…ଦେଖିବୁ !

 

ଉପର ମହଲାରୁ ଭାସି ଆସିଲା ପୁଣି ସେହି କୁଆଁ କୁଆଁ ଡାକ । ଜଗବନ୍ଧୁ ସେଇ ଆଡ଼କୁ ମୁହାଁଇଲେ । ଦେଖିଲେ, ଦେବଦତ୍ତ ସିଆଡ଼ୁ ଆସି କହୁଚି–ବାପା, ପୁଅ ସାଢ଼େ ନଅ ପାଉଣ୍ଡ ହୋଇଚି । ଆଉ ଲତା କହୁଚି ତାର ନାକଟା କୁଆଡ଼େ ଠିକ୍‍ ମୋରି ନାକ ପରି ହୋଇଛି ।

 

ପ୍ରବଳ ଖୁସିରେ ଦେବଦତ୍ତକୁ କୁଣ୍ଢାଇ ପକାଇ ଜଗବନ୍ଧୁ କହିଲେ, ସତେ… ?

 

ଦେବଦତ୍ତ ବାରଣ୍ଡାରେ ଠିଆ ହୋଇଥିଲା… ଆଜି ପୁଅର ଏକୋଇଶା… ସତେ କେଡ଼େ ଖୁସି ଲାଗୁଛି । ଅବଶ୍ୟ ଏ ଏକୋଇଶା ସେ ସ୍ୱୀକାର କରେନା । ମୂଳକଥା ହେଲା ପୁଅର ଉପସ୍ଥିତି ହଁ ତାକୁ ଖୁସି ଦଉଚି । ତାର ପୁଅ ହୋଇଚି, ଏହା ହଁ ତାର ଆନନ୍ଦ । ଚରମ ଆନନ୍ଦ । ଲତାକୁ ବିବାହ କରିବା ପାଇଁ, ତା’ର ବନ୍ଧୁଚାରି ଜଣଙ୍କୁ ଭିତରେ ଯେଉଁ ଛକାପଂଝା ପ୍ରତିଦ୍ୱନ୍ଦିତା ଚାଲିଥିଲା ସେଥିରେ ସେ ବିଜୟୀ ହୋଇଥିଲା ଲତାକୁ ପାଇ । ଆଜି ଏ ନବଜାତ ପୁତ୍ର ସେଇ ବିଜୟର ବୈଜୟନ୍ତୀ ହୋଇଯାଇଚି । ସତେ କି ଅନାସ୍ୱାଦିତ ତୃପ୍ତି.. କି ପୁଲକ.. କି ପ୍ରଶାନ୍ତ…ଆଃ ! ତାର ପୁଅ, ସେ ଲତାର ଗର୍ଭରୁ ଜନ୍ମ ଲଭିଛି, ଭାବିଲା ବେଳକୁ କେମିତି ଏଡ଼େ ନିବିଡ଼, ଏତେ ଅନ୍ତରଙ୍ଗ ଲାଗୁଚି । ସେଇ ପୁଅକୁ ସେ ମଣିଷ କରିବ । ଠିକ ମଣିଷ ପରି । ନିଜେ ଯେମିତି କଷ୍ଟରେ, ଦୈନ୍ୟରେ ଜର୍ଜରିତ ହୋଇ ପଡ଼ିଚି, ତା ପୁଅକୁ ସେ ସେମିତି ଚଳାଇବ ନାହିଁ । ଇସ୍ ପିଲାଦିନଟା, ସତେ ତାର କେଡ଼େ ଦାରିଦ୍ର୍ୟରେ କଟି ନାହିଁ । ବାପା ଭୀଷଣ କୃପଣ ଥିଲେ । ଭଲ ପ୍ୟାଣ୍ଟ ସାର୍ଟ ଖଣ୍ଡେ ସେ କିଣି ଦେଇ ନାହାନ୍ତି । କଲେଜ ନ ଗଲାଯାଏ ଚଟିହେଲେ ବି ଆଣି ଦେଇ ନାହାନ୍ତି । ଏମିତି କେତେ କେତେ କଷ୍ଟ, ସେ ସହିଚି । ଏ କଥାଗୁଡ଼ାକ ଲତାକୁ କହିବାକୁ ଲାଜ ଲାଗେ । ଖାଲି ଭାତ ଆଳୁଭର୍ତ୍ତା, କେଉଁଦିନ କ୍ଷୀର ଟିକିଏ ତ କେଉଁଦିନ ନାଇଁ । ଏମିତି ଖାଇ ଦୁଇ ମାଇଲି ଯାଇ ସ୍କୁଲକୁ, ତାର ମାଟ୍ରିକ୍ ପାଶ୍ ହୋଇଚି । ଅଥଚ ବାପା ଭାରି ଗର୍ବ କରନ୍ତି ଯେ, ପୁଅକୁ ମଣିଷ ପରି ମଣିଷ କରିଚନ୍ତି । ହୁଁ, ଛେନାଗୁଡ଼ ଗର୍ବ । ଏଇ ଖାଲି ଭାତ ଡାଲି ଗଣ୍ଡାଏ ଖାଇବାକୁ ଦେଇଦେଲେ ପୁଅ ମଣିଷ ହୋଇଯାଏ ? ବାପା ଦେଖିବେ, ମୋ ପୁଅକୁ ମୁଁ କିମିତି ମଣିଷ କରିବି । ହଁ, ପୁଅର ନାଁ କ’ଣ ଦେବା ? ବାପା ନିଶ୍ଚୟ କହିବେ, ରାଧାଗୋବିନ୍ଦ କିମ୍ବା ଦୁର୍ଗାପ୍ରସାଦ, ଅବା କୃଷ୍ଣଚନ୍ଦ୍ର ! ନାଃ…ଏସବୁ ଚଳିବନି । ଫାଲଗୁନୀ ଅଥବା ସ୍ନେହାଶିଷ ? ନା…ଏ ସବୁ ବି ମଧ୍ୟଯୁଗୀୟ । ବଙ୍ଗଳା ସାହିତ୍ୟରେ ଲତାର ଭଲ ଦଖଲ । ସେ ଖୁବ୍ ଭଲ ନାଁ ବାଛି ପାରିବ । ନଚେତ୍ ମୋର ବନ୍ଧୁ ମାନେ… ? ହଁ, ଆଜି ତ ସେମାନେ ଆସିବେ ! ସମସ୍ତଙ୍କୁ ସେ ଜଣାଇଥିଲା-ସମସ୍ତେ ଆସିବେ ବୋଲି ଜଣାଇଚନ୍ତି ଟେଲିଗ୍ରାମ୍ କରି । ବାଃ…ଭାରି ମଜାହେବ । ସେମାନେ ଆସିଲେ ଆଗ ଆମ ଦୁହିଁଙ୍କୁ ବେଢ଼ି ଖୁବ୍ ଥଟ୍ଟା କରିବେ । ସୋମେନ୍‌ଟା ବଡ଼ ବେହିଆ, ସେ’ତ ବେଶି ଥଟ୍ଟା କରିବ । ସେମାନଙ୍କ ଥଟ୍ଟାରେ ଲତା ଲାଜରେ ଝାଉଁଳିଯିବ । ସେ ଲାଜେଇ ଗଲେ, ତା ମୁହଁଟା କେଡ଼େ ଭଲ ଦିଶେ । ମୋର ବନ୍ଧୁମାନେ ଲତାର ସେହି ସୁନ୍ଦର ମୁହଁକୁ ଚାହିଁ ଚାହିଁ, ଭିତରେ ଭିତରେ ମତେ ନିଶ୍ଚୟ ହିଂସା କରିବେ । ଆଃ…ହିଂସା କରନ୍ତୁ ନା ! ଭାରି ହିଂସା କରନ୍ତୁ ଯେ, ଏହି ସୁନ୍ଦରୀ ନାରୀଟି ଏକାନ୍ତ ଭାବେ କେବଳ ମୋର ଏବଂ ଏହାରି ଗର୍ଭରୁ ମୋର ପୁଅ ଜନ୍ମ ନେଇଚି । ଓଃ, କେତେବେଳେ ହେଲା… ? ଦେବଦତ୍ତ ଚଞ୍ଚଳ ହୋଇ ଉଠିଲା-ତଥାପି ସେଇ ମିଠା ମିଠା ଭାବନାକୁ ଛାଡ଼ି ଆସିବାକୁ ମନ ହଉ ନ ଥିଲା । ମନେ ହଉଥିଲା ତା’ ଚାରି ପାଖରେ ଲତା ଗୋଟିଏ ସୁରଭିତ ପୁଷ୍ପ-ଭୂଷିତ ଲତା ଭଳି ଗୁଡ଼େଇ ହୋଇଯାଇଚି । ତା’ ଭିତରେ ଅଛନ୍ତି କେବଳ ସେମାନେ ତିନି ଜଣ-ଲତା, ସେ ଓ ପୁଅ । ଦୁନିଆ ବହୁତ ଦୂରରେ-

 

ଠିକ୍ ଏତିକିବେଳେ ତଳ ମହଲାରେ ଜଗବନ୍ଧୁ ଭାରି ବ୍ୟସ୍ତ ହୋଇ ପଡ଼ିଚନ୍ତି । ଆଜି ତାଙ୍କ ନାତିର ଏକୋଇଶା । ଏହା ହିଁ ତାଙ୍କ ଜୀବନର ଶେଷ ଉତ୍ସବ । ଆଜି ସେ ସବୁ ନିଗାଡ଼ି ଦେବେ । ସେଥିପାଇଁ ଦେବଦତ୍ତକୁ ସେ ଗୋଟିଏ ପଇସା ମାଗି ନାହାନ୍ତି । ବ୍ୟାଙ୍କରେ ଅଳ୍ପ କିଛି ଗଚ୍ଛିତ ଥିଲା–ତାକୁ ସେ ଉଠେଇ ଆଣିଚନ୍ତି । ଦେବବୋଉର ଖାଣ୍ଟି ସୁନାର ହଳେ ତାଇତ ଥିଲା, ଗୋଟାଏ ନୋଥ ଥିଲା–ତାକୁ ସେ ବିକ୍ରୀ କରିଚନ୍ତି–ତା’ ଛଡ଼ା, ଧାନ, ମୁଗ, ଯାହା ବଳକା ଥିଲା–ସବୁ ଦେଇଚନ୍ତି ବିକି । ବରାଦ କରିଚନ୍ତି, କେଉଁଠୁ ଭଲ ପାଲାବାଲା ଆସିବେ, କେଉଁଠୁ ଭଲ ଘିଅ, ଭଲ ଦହି ଆସିବ ! ଆଉ ପୁରୀର ପ୍ରସିଦ୍ଧ ଛେନା ଚକଟା, କେତେ କିଲୋ ହେଲେ ଚଳିବ ? ଘରେ କୁଣିଆ ଭର୍ତ୍ତି । ନାତିର ଏକୋଇଶା ତ ନୁହେଁ-ସତେ ଯେମିତି କା’ର ବାହାଘର ।

 

ଏଇସବୁ ନାନା ବ୍ୟସ୍ତତା ଭିତରେ ଜଗବନ୍ଧୁ ହଠାତ୍ ଦେଖିଲେ ଦେବଦତ୍ତର ଶୋଇବା ଘରେ କ’ଣ ସବୁ ଟେବୁଲ ସଜା ଚାଲିଚି । ତାଙ୍କ ମନର କୌତୂହଳ ହେଲା । ସେ ଯାଇଁ ଦେଖିଲେ-ସ୍ଥାନୀୟ ବିଶିଷ୍ଟ ହୋଟେଲର ତିନି ଜଣ ଖାନ୍‌ସମା ଡାଇନିଂ ଟେବୁଲ ସଜାଡ଼ିବାରେ ବ୍ୟସ୍ତ । ସେ ହଠାତ୍ କିଛି କହିବା ପୂର୍ବରୁ ଦେବଦତ୍ତ ଉଚ୍ଛ୍ୱସିତ ହୋଇ କହି ଉଠିଲା-ତମେ ଜାଣ ବାପା, ଆଜି ମୋର ଅନେକ ବନ୍ଧୁ ଆସିବେ । ଏମାନେ ମୋ’ ବିବାହକୁ ଆସିପାରି ନ ଥିଲେ, ତେଣୁ ଆଜି ନିଶ୍ଚୟ ଆସୁଚନ୍ତି । ଜଣେ ପଞ୍ଜାବରୁ, ଜଣେ ମହୀଶୂରରୁ ଓ ଜଣେ ଅନ୍ତରଙ୍ଗ ବନ୍ଧୁ ଫରେଷ୍ଟ ଅଫିସର ଆସୁଚି ନାଗାଲାଣ୍ଡରୁ । ଏମାନଙ୍କର ସବୁ ବ୍ୟବସ୍ଥା ମୁଁ ହୋଟେଲରେ କରିଥାନ୍ତି । ମାତ୍ର ଲତାର ଇଚ୍ଛା, ସେମାନଙ୍କୁ ସେ ଅଭ୍ୟର୍ଥନା କରିବ । ଆଉ ଏତେ ଛୋଟ ପିଲାକୁ ଛାଡ଼ି ସେ ତ ଯାଇ ପାରିବ ନାହିଁ, ତେଣୁ ଏଇ ଘରେ ସବୁ ବ୍ୟବସ୍ଥା କଲି । ତେବେ ତମେ ବ୍ୟସ୍ତ ହୁଅନା, ମୁଁ ତମକୁ ଜଞ୍ଜାଳରେ ପକାଉନି । ମୁଁ ହୋଟେଲେ ସହ କଂଟ୍ରାଂକ୍‌ଟ କରିଚି, ସେ ସବୁ ଯୋଗେଇଦବ । ହେଇ, ମେନୁଟା ଦେଖିଲ–ଏକା ନିଃଶ୍ୱାସକେ ଏତେ କଥା କହି ଦେବଦତ୍ତ ମେନୁର ଫର୍ଦ୍ଦ ଜଗବନ୍ଧୁଙ୍କ ହାତକୁ ବଢ଼ାଇଦେଲା–ମୂକ ନିର୍ବାକ୍ ହୋଇ ଜଗବନ୍ଧୁ ଦେଖିଲେ, ଲେଖା ହୋଇଚି କେତେ କ’ଣ ଓଃ…ଏ କ’ଣ…ଏ କ’ଣ…ମାଂସ ପଲାଉ, ଅଣ୍ଡାପୁଡ଼ିଂ, ମାଛ ଫ୍ରାଇ, ମାଂସ କେକ୍, ଚିକେନ୍‌ଚପ୍‌, ଭେଜିଟେବୁଲ୍ ସୁପ୍, ସାଲାଡ଼୍, ଆଃ… ପୁଣି…ହୁଇସ୍କି, ବିୟର, ରମ୍ ! ଓଃ…ଜଗବଂଧୁ ଆଉ ପଢ଼ି ପାରିଲେନି…କଣ କହିବାକୁ ଯାଉ ଯାଉ ତାଙ୍କ ପାଟି ଖନି ମାରିଗଲା…ତାଙ୍କୁ ଜଣାଗଲ–ସେ ଥଙ୍ଗଥଙ୍ଗ ହୋଇ କହୁଚନ୍ତି…ମାନେ…ମାନେ…ଏଇସବୁ ଅଣ୍ଡା, କୁକୁଡ଼ା ଆଜି ଏ ଘରେ ଖିଆ ହେବ-? ଆଜି ଯେ, ସତ୍ୟନାରାୟଣ ପୂଜା…

 

କଅଣ ? କି ପୂଜା ? ଦେବଦତ୍ତ ହଠାତ୍ ରାଗି ଉଠିଲା– ?

 

ସତ୍ୟନାରାୟଣ ପୂଜା ! ଏସବୁ ଅଣ୍ଡା, ମାଂସ ଘରେ ପଶିବ ନାହିଁ । ନାଇଁ…ନାଇଁ…ନାଃ… । ଜଗବଂଧୁ ବି ଉତ୍ତ୍ୟକ୍ତ ହୋଇ ଆସୁଥିଲେ ।

 

ନାଃ… ? ଦେବଦତ୍ତ ରାଗିଗଲା ସଂପୂର୍ଣ୍ଣ । କ’ଣ ଯେ ତୁମେ କହ ବାପା…ମୋର ଯେଉଁ ଅଣଓଡ଼ିଆ ବନ୍ଧୁ ମାନେ ଆସିବେ, ସେମାନେ କଅଣ ଖାଇବେ ? ତୁମର ଏଇ ଲୁଚି, ପାଏସ୍, ଛେନାଚକଟା ? ଯା…କି ଯେ ବୁଦ୍ଧି ତୁମର… ! ଅଲବତ୍ ମୋ ବ୍ୟବସ୍ଥା ରହିବ । ମୋର ଷ୍ଟାଟସ୍ ଜଗିବା ପାଇଁ, ନିଶ୍ଚୟ ଏହା ହେବ…ଦେଖିବି, ତୁମେ କେମିତ ନାଇଁ କରିବ । ଜଗବଂଧୁ ଦେବଦେତ୍ତର ଏତେ ରାଗ କେବେ ଦେଖି ନ ଥିଲେ । ତାର ସେ ରାଗ ଫଣ ଫଣ ମୁହଁ ଦେଖି ହଠାତ୍ ସେ ଦବିଗଲେ । କହିଲେ, ତୁ ମତେ ଏ କଥା ଆଗରୁ କହିଲୁ ନାହିଁ କାହିଁକ ? ମୁଁ ଏତେ ବ୍ୟବସ୍ଥା କିଛି ବି କରି ନ ଥାନ୍ତି । ଗୋଟିଏ ଘରେ କ’ଣ ଦୁଇ ଭାଗ ହୋଇ ଉତ୍ସବ ହେବ ?

 

ଏଥର ଦେବଦତ୍ତ ଆହୁରି ରାଗିଗଲା…କହିଲା–ଏହା ବି ତୁମେ ଆଶାକରି ବସିଚ ଯେ ଜୀବନ ସାରା ମୁଁ ତୁମକୁ ସବୁକଥା ଖାଲି ପଚାରି ପଚାରି କରିବି ? ମୁଁ ଏତେ ବଡ଼ ହେଲିଣି । ଚାକିରୀ କଲିଣି…ମୋ ବଂଧୁମାନଙ୍କୁ ନିମନ୍ତ୍ରଣ କରିବାର ସ୍ୱାଧୀନତା ମୋର ନାହିଁ ଯେ, ଏହା ମୁଁ ତୁମକୁ ପଚାରି କରନ୍ତି…ତମେ ଏକଥା କହିପାରୁଚ ବାପା ? ତୁମେ ଏଡ଼େ ମିନ୍…. ।

 

ଜଗବଂଧୁ ହାଁ କରି ଦେବଦତ୍ତକୁ ଚାହିଁଥିଲେ-କ୍ରୋଧରେ ଜର୍ଜରିତ ହୋଇ କି ଭୟାନକ ଦେଖା ଯାଉଚି ତାର ମୁହଁଟା । ନିଃଶ୍ଵାସଟା ଖୁବ୍ ଜୋରରେ ଆସି ତାଙ୍କ ଛାତିରେ ବାଡ଼େଇ ହେଉଚି-। ଦେବଦତ୍ତର ଏ ଭୀଷଣ ଚେହେରା ଜୀବନ ଯାକରେ ସେ ତ କେବେ ଦେଖି ନ ଥିଲେ ସେ ଏତେ ରାଗିପାରେ ? ଏତେ ଭୀଷଣ, ନିର୍ମମ-ଟାଣକଥା କହିପାରେ…ଇସ୍ ଏକଥା ଯେ, ତାଙ୍କର ଜମ୍ମା ଧାରଣା ବି ନଥିଲା ହେଇ ସେ ରାଗରେ ଦୁମ୍ ଦୁମ୍ ହୋଇ ଚାଲିଯାଉଚି ପାଟି ଶୁଣି ଏଇ ଯେ ଲତା ଚାଲି ଆସିଲାଣି… । ଦେବଦତ୍ତ ବେଶ୍ ହାତ ହଲାଇ ଲତାକୁ କହୁଚି…ଜଗବଂଧୁଙ୍କୁ ଶୁଣେଇ ଶୁଣେଇ…ଏ ଘର ମୋର…ମୋ’ରି କଥାରେ ଘର ଚାଲିବ…ଯିଏ ମୋ କଥା ନ ମାନି ପାରିବ, ସେ ଏ ଘରୁ ଯାଉ…ହଁ, ହଁ, ସେ ଏ ଘରୁ ଯାଉ…ମୁଁ କିଛି କହୁ ନାହିଁ ବୋଲି ଏକଦମ୍ ଏକଛତ୍ରବାଦ ! ନାଃ…ସେ ସବୁ ଆଉ ଚଳିବ ନାହିଁ…ଦେବଦତ୍ତ ଆହୁରି କ’ଣ କହିବାକୁ ଯାଉଥିଲା…ଲତା ତା’ଡେଣା ଧରି ଘରୁ ଭିତରକୁ ଟାଣି ନେଇଗଲା…… ।

 

ଜଗବଂଧୁ ସେମିତି ହାଁ କରି ଚାହିଁଛନ୍ତି ? କ’ଣ ସେ ଶୁଣୁଛନ୍ତି ? କ’ଣ ସେ ଦେଖୁଛନ୍ତି ? ଯିଏ ଏତେ ବଡ଼ ବଡ଼ କଥା କହିଗଲା…ସେ କିଏ ? ସେ କ’ଣ ଦେବଦତ୍ତ ? ତାଙ୍କର ଅଲିଅଳ ବିଶିକେଶନ ପୁଅ ଦେବଦତ୍ତ ? ତାଙ୍କର ସ୍ୱପ୍ନର, ସାଧନାର, ନିଷ୍ଠାର ପୁଅ ଦେବଦତ୍ତ ? ଜୀବନସାରା ସେଇ ଅଣ-ନିଃଶ୍ଵାସୀ ଦୌଡ଼, ସେଇ ଟୋପା ଟୋପା ରକ୍ତ କ୍ଷରଣ ଯା’ଲାଗି, ଏ କ’ଣ ସେଇ ଦେବଦତ୍ତ ? ନାଃ…ନାଃ…ହଁ…ହଁ… । ଜଗବଂଧୁଙ୍କ ମନରେ ଏକ ସଂଘର୍ଷର ଦୋଳନ । ସେଇ ସଂଘର୍ଷ ତାଡ଼ି ଦେଉଚି, ଏତେ ଦିନର, ଏତେ ଯୁଗର ସେଇ ଜମାବନ୍ଧା ବିଶ୍ୱାସର, ଭରସାର, ଶକ୍ତି ମୃତ୍ତିକାକୁ । ଛାତି ଭିତରେ ଭୂମିକମ୍ପ.. ପ୍ରବଳ…ଭୂମିକମ୍ପ…ମନ୍ଥି ଚକଟି ହୋଇ, ଘାଣ୍ଟି ହୋଇ ଯାଉଚି ପେଟ ଭିତରେ ବିଦୀର୍ଣ୍ଣ ହୋଇଚି ହୃତ୍‌ପିଣ୍ଡ । ସତେ କି ବାନ୍ତି ହୋଇଯିବ ! ଆଖିକୁ ଦିଶୁନାହିଁ କିଛି…ପୁଣି ଦିଶୁଚି କେତେ ଅସଂଲଗ୍ନ ଚିତ୍ର…ଚାରି ପାଖରେ ମାଛମରା ଶୂନଶାନ୍ ନିର୍ଜନତା…ପୁଣି ଶୁଭୁଚି ଏ କି କୋଳାହଳ… କାହାର ଶବ୍ଦ…ଏ ? ଓଃ, ଏ କି ପୀଡ଼ନ ! ଏ କି ଘୂର୍ଣ୍ଣନ… ! ମନେ ହଉଚି କଣ ଗୋଟାଏ, ଭୀଷଣ ଦାରୁଣ…ଅସ୍ତ୍ର, ତାଙ୍କ ଆତ୍ମାକୁ ଖୋଳି ଖୋଳି ସତେ କି ଏକ ଚେର ଓପାଡ଼ି ଫିଙ୍ଗି ଦେବାକୁ ନିର୍ମମ ହୋଇ ଉଠିଛି…ଅସହାୟଭାବେ ସେ ଖାଲି ସଂଘର୍ଷ କରୁଚନ୍ତି…ଚାରି ପାଖରେ ଏତେ ଲୋକ କିଏ ? ତାଙ୍କୁ ଦେଖି ହସୁଚନ୍ତି…ଏ କାହାର ଭୀଷଣ ମୁହଁ ? ସେ ମୁହଁରୁ ଝରୁଛି ଭୟାନକ ହସ, ହାଃ…ହାଃ…ହାଃ…କିଏ ହସୁଚି ? କିଏ ? ଦେବଦତ୍ତ ? ମୁଁ ଦେବଦତ୍ତ ନୁହେଁ…ମୁଁ ମହାକାଳ…ପୁଣି ବିଭତ୍ସ ହସର ଧ୍ୱନି…ଏ କିଏ ? ଫକୀର ? ଫକୀର ମହାପାତ୍ର ? ଓଃ…ତୁ ବି ଏଠି ? ତା’ ପରେ ପରେ ଆହୁରି କେତେ, ଆହୁରି କେତେ… ଓଃ…ଚିହ୍ନି ପାରୁନାହାନ୍ତି…ଜାଣି ପାରୁନାହାନ୍ତି-ଖାଲି ଅନ୍ଧାର…ତା ଭିତରେ ବିକୃତ, ଭୟଙ୍କର ଅଟ୍ଟହାସ…ଭୀଷଣ କଦାକାର ମୁହଁର ଭୃକୁଟୀ…ହେ ଭଗବାନ ! ଏଇ କ’ଣ ଏଇ କଅଣ ବିଶ୍ଵରୂପ ?

 

ଜଗବଂଧୁ ଅନେକ ବେଳାଯାଏ ପାରାପେଟ୍ ଉପରେ ମୁଣ୍ଡ ନୁଆଁଇ ରହିଗଲେ । ଅନେକ ବେଳଯାଏଁ, ତାଙ୍କର ମନେ ହେଉଥିଲା ତାଙ୍କର ମଥା ଉପରଦେଇ ଗୋଟାଏ ମସ୍ତବଡ଼ ଝଡ଼ ବୋହିଗଲା । ତାଙ୍କର ମନ, ଆଶା, କଳ୍ପନା, ଦର୍ଶନ, ବିଶ୍ଵାସ ଓ ଚିନ୍ତା ସବୁକୁ ଛିନ୍‌ଛତ୍ର କରି ସବୁ ଭାଙ୍ଗି ରୁଜି ସେ ଚାଲିଗଲା । ତା, ଧକ୍‌କାରେ ତାଙ୍କୁ ଅତ୍ୟନ୍ତ ଦୁର୍ବଳ ଅସହାୟ, କ୍ଳାନ୍ତ ଲାଗୁଚି ସତ ତଥାପି ନିଜକୁ ଖୁବ୍ ହାଲ୍‌କା ଲାଗୁଚି, ନିର୍ମଳ ଲାଗୁଚି । ଜୀବନସାରା ସେ ଏତେ ସଂଘର୍ଷ କରିଥିଲେ । କେଉଁ ସଂଘର୍ସ ତାଙ୍କୁ ଏତେ ନିର୍ମଳତା, ଏତେ ମୁକ୍ତି ଦେଇ ନ ଥିଲା–ଅନ୍ତଃସ୍ତଳରେ ଲାଗିଥିଲା ଯେଉଁ ଆଘାତ…ଝରୁଥିଲା ଯେଉଁ ପୂଯରକ୍ତ…ଟୋପା ଟୋପା ସେ ସବୁ ଝରିଗଲାଣି । ଏବେ ହାଲ୍‌କା ଲାଗୁଚି ନିଜକୁ । ହାଲ୍‍କା କେତେ ଦିଶୁଚି ଆଜିର ଏ ଆକାଶ-ଚତୁର୍ଦ୍ଦିଗରେ ପକ୍ଷୀର ସୁମଧୂର କାକଳି…ଭଲ ଲାଗୁଚି…କେତେ ଭଲ ଲାଗୁଚି । ଆଉ ଏଇ ଭଲ ଲାଗିବାରେ ଆଖିର ଅଶ୍ରୁ ଆସୁଚି, ଜକେଇ ଆସୁଚି କାହିଁକି ? ସେ ଅଶ୍ରୁ ଝରି ନ ଆସି ଦୁଇଟି ସ୍ଫଟିକ ବିନ୍ଦୁ ସଦୃଶ ତାଙ୍କ ଆଖିରେ ଲାଖି ରହିଲା । ଆଃ…ଅଶ୍ରୁର ପୁଣି ଏତେ ସ୍ଵାଦ ! ଏତେ ଉନ୍ମାଦନା ! ସାରା ଜୀବନ ଖାଲି ସେ ପାଇବା ଲାଗି ଲଢ଼ିଥିଲେ…କାନ୍ଦିଥିଲେ-ଆଜିସବୁ ହରାଇବା ଲାଗି ତାଙ୍କର ଅଶ୍ରୁ ଏତେ ପ୍ରଗାଢ଼, ଏତେ ରସାଳ ହୋଇ ଉଠିଚି । ଆହା-ହରାଇବାରେ ପୁଣି ଏତେ ସୁଖ !

 

ଜଗବନ୍ଧୁ ଧୀରେ ଧୀରେ ଉପର ମହଲ ବାରଣ୍ଡାରୁ ପାହାଚ ହୋଇ ତଳକୁ ଓହ୍ଲାଇ ଆସିଲେ । ହଁ, ସେ ଓହ୍ଲାଇ ଯିବେ ଏମିତି ଧୀରେ ଧୀରେ ଏ ଘରୁ, ଏ ପରିବାରରୁ…ମନରୁ…ପ୍ରାଣରୁ…ଚିନ୍ତାରୁ ଓ ଚେତନାରୁ ।

 

ଜଗବନ୍ଧୁ ତାଙ୍କର ଉପାସନା କକ୍ଷରେ ଜଗନ୍ନାଥଙ୍କ ପାଖରେ ଆଣ୍ଠୁ ମାଡ଼ି ବସି ଛଳଛଳ ଆଖିରେ କହିଲେ, ହେ ବନ୍ଧୁ ! ହେ ସଖା ! ଆଦ୍ୟ ଯୌବନରୁ ତୁମେ ହିଁ ହୋଇଚ ମୋର ଯାତ୍ରା ସଙ୍ଗୀ । ଜୀବନ ସାରା ମୁଁ ତମକୁ ଭଲ ପାଇଁ ଆସିଚି ଖାଲି ନିଜର କାମନା ପୂରଣ ଲାଗି । ମାତ୍ର ଆଜି ଯେଉଁ ଭଲ ପାଇବା ମୋର ତମପାଇଁ କୁଳୁକୁଳୁ ହୋଇ ବହି ଯାଉଚି, ତାହା ସବୁ କିଛି ନିଜର ହରାଇବାଲାଗି । ସେଦିନ ତମକୁ ଭଲ ପାଇବା ଭିତରେ ପ୍ରଚଣ୍ଡ ଆସକ୍ତି ଓ ‘ମୁଁ ତ୍ୱ’ ଜାଗି ରହିଥିଲା…ଆଜିର ଏହି ଭଲ ପାଇବାରେ ଅଛି ଏକ ସର୍ବହରା ଆକୁଳତା…ନିଜକୁ ଉତ୍ସର୍ଗ କରିଦବାର ଏକ ଅଧୀର ବ୍ୟାକୁଳତା । ମୋର ଏହି ନିସ୍ୱତାର, ଦୀନତାର, ବୁକୁଭରା ପ୍ରେମ ଗ୍ରହଣ କର ହେ ମହାପ୍ରେମିକ !

 

ଜଗବନ୍ଧୁଙ୍କ କଣ୍ଠ ଗଦ୍‌ଗଦ୍‌ ହୋଇ ଉଠିଲା…ତାଙ୍କର ଅନୁଭୂତ ହେଲା…ହସ୍ତପଦହୀନ ଜଗନ୍ନାଥ ତାଙ୍କୁ ଏକ ଗହୀର ଆଲିଙ୍ଗନରେ ବାନ୍ଧି ରଖିଛନ୍ତି । ଆଉ ସେ ନିଜେ ଧାର ଧାର ଅଶ୍ରୁରେ ଗୁଣୁଗୁଣୁ ହୋଇ କହୁଚନ୍ତି…ହେ ପରମ ବନ୍ଧୁ ! ତୁମର ପଥ ନାହିଁ…କିନ୍ତୁ ତମେ ହିଁ ଅନନ୍ତ ପଥିକ !

Image

 

ଲୟ-ବିଲୟ

 

ସନ୍ଧ୍ୟାବେଳର ଏହି ଥିରି ଥିରି ପବନରେ ଯେମିତି ଗୁଡ଼ାଏ ମହୁଭରା ସରାଗ ବୋଳି ହୋଇ ରହିଚି । ଆଜି ଯେ ତା’ର ଚତୁର୍ଥୀ, ଏଇ କଥାଟା ତାର ବନ୍ଧୁମାନେ ତାକୁ ବାରମ୍ବାର ସ୍ମରଣ କରାଇ ଦେଇଥିବାରୁ ବୋଧେ ଆଜିର ଏ ସନ୍ଧ୍ୟା । ତାର ସମୀର, ଆକାଶ, ପ୍ରକୃତି ସବୁ ତା’ ପାଇଁ ଏକ ନୂତନ ରୂପରେ ନିର୍ଦ୍ଧାରିତ ହୋଇ ଉଠିଚି । କେମିତି କେଜାଣି ସବୁ ଲାଗୁଚି ନୂଆ ନୂଆ । ଆଉ ସେ ନିଜେ ବି ଯେମିତି ନୂଆ ଅନୁଭବର ଏକ ନୂଆ ମଣିଷ ।

 

ଆଜି ତାର ଚତୁର୍ଥୀ ! ମାନେ ବିବାହର ଚତୁର୍ଥ ଦିନ । ଆଉ ଟିକିଏ ସିଧା କରି କହି ବସିଲେ ମଧୁଶଯ୍ୟା ! ଏଁ…ମଧୁ ଶଯ୍ୟା ? ବିବାହର ତେବେ କ’ଣ ତାର ସରିଗଲାଣି ? ହଁ ତ, ଆଶ୍ଚର୍ଯ୍ୟ ହବାର ବା କଣ ଅଛି ? ଏଇ ମାତ୍ର ଚାରି ଦିନ ତଳେ, କେତେ ବାଜା ବାଜିଲା, ବାଣ ଫୁଟିଲା, କେତେ ଭୋଜୀ ଭାତ, କେତେ ବନ୍ଧୁ ବାନ୍ଧବଙ୍କର ଗହଳ ଚହଳ ଲାଗିଲା । ସେ ନିଜେ ବି ବର ବେଶ ହୋଇ ପାଦରେ ଅଳତା ନାଇ ବେକରେ ଏତେଗୁଡ଼ାଏ କର୍ପୂର ଓ ଫୁଲର ମାଳ ଗଳେଇ, କାରରେ ବସି ବାହା ହବାକୁ ଗଲା । ଆଉ ସେହି ମଧ୍ୟରାତ୍ରିର ଗଭୀରତା ଭିତରେ, ହୋମ ଅଗ୍ନିର ସାମ୍ନାରେ, ଦରସିଝା ହୋଇ, ସେଇ ଅବଗୁଣ୍ଠନବତୀ ତନୁପାତଳୀ ଝିଅଟି, ଜ୍ୟୋତ୍ସାର ପାଣି ଗ୍ରହଣ କଲା । କାଲି ସେ ସସ୍ତ୍ରୀକ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରିଚି । ଆଉ ଆଜି ତାର ଚତୁର୍ଥୀ, ପ୍ରଥମ ମିଳନର ରାତ୍ରି । କାଲି ଯାହାର ପାଣିଗ୍ରହଣ କରିଥିଲା, ଆଜି ତାକୁ ନିକାଞ୍ଚନରେ ଇମିତି କ’ଣ ଖାଲି ଚାଲିବା, ଆଉ ଚାଲିବା ? କ’ଣ ଏଇ ଚାଲିବାର ଅର୍ଥ ? କ’ଣ ଏଇ ସ୍ୱପ୍ନର ଅର୍ଥ ? ଏଇ ଚାଲିବାର ଶେଷ କେଉଁଠି ? ଏମିତି ଚାଲି ଚାଲି ଶେଷ ପଥରେ ସେ କ’ଣ ପାଇବ ? ମଣି କାଞ୍ଚନ ? ହୀରା ନୀଳା ? କ’ଣ, କ’ଣ ? ...ଭେଟିବ, ଜୀବନ ମରଣର ସାଥୀ କରି, ସହଧର୍ମିଣୀ ଓ ସହକର୍ମୀଣୀ କରି, ଅର୍ଦ୍ଧାଙ୍ଗିନୀ କରି ।

 

ସହଧର୍ମିଣୀ ଆଉ ଅର୍ଦ୍ଧାଙ୍ଗିନୀ ? ଯାଃ-ଭାବିଲା ବେଳକୁ କେମିତି ଲାଜ ଲାଗୁଚି । ତାକୁ ପୁଣି ନିକାଞ୍ଚନରେ ଭେଟିବ ? ୟେ’ ତି ଆହୁରି ଅଡ଼ୁଆ କଥା । ସତେ, ଏ କଥା କଳ୍ପନା କଲାବେଳକୁ ହିଁ ଭାରି ଅଡ଼ୁଆ ଅଡ଼ୁଆ ଲାଗୁଚି । ଲାଜ ତ ତା’ ଠାରୁ ବେଶୀ ! ତଥାପି ମିଠା ମିଠା ଏକ କୌତୁହଳ, ଅନନୁଭୂତ ଏକ ଉତ୍କଣ୍ଠାର ମିଶାମିଶି ଏକ ନୂତନ ଚେତନା ତା’ରି କ୍ଳାନ୍ତ ମନରେ ସଞ୍ଚରି ଆସୁଚି ଖୁବ୍ ଧୀରେ ଧୀରେ ।

 

ନବେନ୍ଦୁ ନିଜର କୋଠାର ଛାତ ଉପରେ ଏକୁଟିଆ ବୁଲିବାରେ ଲାଗିଥିଲା । ଘଡ଼ିରେ ତାର ମୋଟେ ସାତଟା ପଇଁଚାଳିଶି । ସନ୍ଧ୍ୟାର ରଙ୍ଗ ଏପର୍ଯ୍ୟନ୍ତ ଲିଭିନାହିଁ । ଆକାଶଟା ଅସମ୍ଭବ ନେଳି । ଆଉ ତିଥିଟା ତ ନିଶ୍ଚୟ ଚତୁର୍ଦ୍ଦଶୀ, ସେଥିପାଇଁ ଆକାଶର ନୀଳିମାରେ ଏଇ ପରିପୂର୍ଣ୍ଣ ଚନ୍ଦ୍ରର ଉଦୟ ଏତେ ପ୍ରଦୀପ୍ତ । ଆକାଶ ଓ ପୃଥିବୀର ଅଙ୍ଗେ ଅଙ୍ଗେ ଜୋସ୍ନାର ପ୍ଲାବନ । କୋଠା ଛାତର ଶେଷାଂଶରେ ସେ ଯେଉଁ କାଠଚମ୍ପା ଗଛରେ କୁଞ୍ଜଲତାର ଲତାଟି ଲଟେଇ ଯାଇଥାଏ, ସେଥିରେ ବି ଆଜି ଅସମ୍ଭବ ଫୁଲର ଜୁଆର । କି ସୁନ୍ଦର, ମଧୁର ବାସ୍ନା ! ନବେନ୍ଦୁର ମନେହେଲା ଅତି ଉଦ୍ଦେଶ୍ୟମୂଳକ ଭାବେ ଏ ଆକାଶ, ପ୍ରକୃତି, ଫୁଲ ଓ ତାର ବାସ୍ନା, ଜ୍ୟୋସ୍ନାର ପ୍ଲାବନ ଭଳି, ତା’ ମନର ନୀଳ ପ୍ରାନ୍ତରରେ ଭିଜିଯିବା ପାଇଁ ଯେମିତି ନିବେଦିତ ହୋଇ ରହିଚି ।

 

ନବେନ୍ଦୁ କୋଠା ଛାତରେ ପଦଚାରଣ କରିବାରେ ଲାଗିଲା–ତଳ ମହଲାରେ କୋଳାହଳ ଲାଗିଚି । ପ୍ରୀତି ଭୋଜନ ପାଇଁ ନିମନ୍ତ୍ରୀତ ହୋଇ ଆସିଥିବା ବହୁ ଅତିଥିଙ୍କର ସମାଗମ ଘଟିଚି । ସେପାଖରେ ଗ୍ରାମ୍ଫୋନ ରେକର୍ଡ଼ରେ ବାଜୁଚି କ’ଣ ଗୋଟାଏ ସିନେମାର ଗୀତ । ଲାଗିଚି ଖୁବ୍ ଚହଳ । ନିଶ୍ଚୟ କୌଣସି କାର୍ଯ୍ୟର ଦାୟିତ୍ଵ ଦେବା ପାଇଁ ବାପା ତାକୁ ଖୋଜୁଥିବେ । ଆଉ ନ ପାଇ ବିରକ୍ତ ହେଉଥିବେ । ବାପାଙ୍କର ଏହି ବିରକ୍ତିକୁ ଦ୍ଵିଗୁଣ କରି ଭାଇ ଦାନ୍ତରଗଡ଼ି କହୁଥିବେ ଯେ, ବୁଢ଼ାଟିଏ ହେଲାଯାଏ ବି’ ତାର ଆଉ ଦାୟିତ୍ଵଜ୍ଞାନ ମୋଟେ ଆସିଲା ନାହିଁ । କିନ୍ତୁ ନୂଆବୋଉ ନିଶ୍ଚୟ ଭାବୁଥିବେ ଯେ, ତାଙ୍କର ଏ ଖିଆଲୀ ଦିଅରଟି ନିଶ୍ଚୟ ନିଜକୁ ହସଖୁସିରୁ ପୃଥକ୍ କରି, କିଛି ବହି ପଢ଼ା ପାଇଁ ତା’ର ନିର୍ଜନ ପଢ଼ାଘରେ ବସିଥିବ ।

 

ଆଜି, ଏଇ ମୁହୂର୍ତ୍ତରେ ସେ ସମସ୍ତଙ୍କୁ ଫାଙ୍କି ମାରିଚି । ସେ ବହି ପଢ଼ିନାହିଁ କି କୌଣସି କାମ ମଧ୍ୟ କରୁନାହିଁ । କେବଳ ଅନାବଶ୍ୟକ ଭାବେ ଏପାଖ ସେପାଖ ହଉଚି ଯାହାର କି ମୂଲ୍ୟ ମୋଟେ ନାହିଁ । ଏମିତି ସ୍ଵଭାବକୁ ସେ କେବେ ପ୍ରଶ୍ରୟ ଦେଇନାହିଁ । ପିଲାଦିନୁ ସେ ପୁସ୍ତକ କୀଟ । କାହିଁକି ହୋଇ ପାରିଲା, ତା’ର କାରଣ ଆଜି ବି ଖୋଜି ପାଏନା । ମାଟ୍ରିକ୍ୟୁଲେସନରେ ସେ ମେଧାବୀ ଛାତ୍ର ଥିଲା । ସେଇ ସୁଖ୍ୟାତିର ପ୍ରଭାବ ଏବଂ ଅଜଣା ଏକ ଅନୁରାଗ ତାକୁ ଅତ୍ୟଧିକ ପଠନପ୍ରିୟ କରି ତୋଳିଲା । କଲେଜ ଜୀବନରେ ସେ ଥିଲା ଆଦର୍ଶ ଛାତ୍ର-ପାଠ ପଢ଼ିବା ଛଡ଼ା ଅବସର ସମୟରେ ନାନାରକମର ବହି ପଢ଼ିବା ଥିଲା ତାର ଅନ୍ୟତମ ନିଶା । ତା’ ଛଡ଼ା ଆଉ ସେ କିଛି ଜାଣେ ନା । କଲେଜ ଯିବା, ଫେରିଲେ ଘରେ ବସି ରହି ପଢ଼ିବା ଏହାଛଡ଼ା ଆଉ ତାର କିଛି କାମ ନ ଥିଲା । ଆଉ କେହି ବନ୍ଧୁ ବି ନ ଥିଲେ । ଅତି ଅଦ୍ଭୁତ ଧରଣର ପିଲା ଥିଲା । ଆଜି ଅନେକଗୁଡ଼ାଏ ଭଲ ବହି ଉପହାର ମିଳିଥିଲା । ତାକୁ ପଢ଼ିବା ପାଇଁ ଯଦିଓ ସେ ଖୁବ୍ ଆଗ୍ରହାନ୍ୱିତ ହୋଇ ପଡ଼ିଥିଲା, ତଥାପି ସେ ତାକୁ ପଢ଼ିବାରେ ତତ୍ପର ହୋଇ ପାରିଲା ନାହିଁ । ସବୁ ଛାଡ଼ି ଦେଇ ସେ କୋଠା ଉପରକୁ ଚାଲିଆସିଲା । ଏଠି ନିର୍ଜନରେ ଠିଆ ହୋଇ ରହି, ନବବିବାହିତା ସ୍ତ୍ରୀର କଥା ଭାବିବାକୁ ଖୁବ୍ ଭଲ ଲାଗୁଚି । ଆଉ ଭାବିଲାବେଳେ ଦେହରେ ଗୋଟେ କମ୍ପନ ବି ଆସୁଚି । ଜୀବନରେ ସେ ମୋଟେ ଝିଅମାନଙ୍କର ସଂସ୍ପର୍ଶରେ ଆସି ପାରିନାହିଁ ବୋଲି ବୋଧହୁଏ, ଆଜି ପ୍ରଥମ କରି ତା’ ଜୀବନରେ ପ୍ରଥମ ନାରୀର ଭାବନା । ତାକୁ ଏତେ ସୁଖ, ଏତେ ପୁଲକ, ମିଠା ମିଠା ଏତେ କମ୍ପନ, ଅଭିନନ୍ଦ ଜଣାଉଛି ।

 

ନବେନ୍ଦୁ ଆକାଶକୁ ଚାହିଁଲା—ଖୁନ୍ଦି ହୋଇ ରହିଛି ଜ୍ୟୋତ୍ସ୍ନା ! ଜ୍ୟୋତ୍ସ୍ନା…ତା’ର ସ୍ତ୍ରୀର ନାମ ଯେ ଜ୍ୟୋତ୍ସ୍ନା—କି ଚମତ୍କାର ସାମ୍ୟ ? ଜ୍ୟୋତ୍ସ୍ନା ଏମିତି ଗୋରା, ଉଜ୍ଜ୍ୱଳ, ଏତେ ସୁନ୍ଦର ? ପକେଟରୁ ଫଟୋଟିଏ କାଢ଼ି ସେ ଦୁଇ ହାତର ଆଞ୍ଜୁଳାରେ ତୋଳି ଧରିଲା । ଏଇ ତ ଜ୍ୟୋତ୍ସ୍ନା ! ସତର ଅଠର ବର୍ଷର ଝିଅଟିଏ । ଅଳ୍ପ ଡେଙ୍ଗା, ଅଳ୍ପ ପାତଳ, କପାଳରେ ସରୁ କୁଙ୍କୁମର ଟୀକା । ବେଣୀ ଦୁଇଟି ପିଠିରେ ଲୋଟିପଡ଼ିଚି । ସରଳ, ପ୍ରାଣବନ୍ତ ଚେହେରା-ଆଜି କ’ଣ ତାକୁ ଏଇ ବେଶରେ ଭେଟିବ ? ଆଜି ସେ ଉଦ୍ଦେଶ୍ୟମୂଳକ ଭାବେ ବେଶ୍ ସଜ ହୋଇଥିବ । କପାଳରେ ଟିପି ଟିପି ଲବଙ୍ଗମରା ଚନ୍ଦନଟିପା, ମଝିରେ ବିନ୍ଦୁ ବିନ୍ଦୁ ସିନ୍ଦୂର, କେଶରେ ସିନ୍ଥି, ଦେହରେ ପ୍ରଚୁର ସ୍ଵର୍ଣ୍ଣାଭରଣ । ଶୁଭ୍ର ଦୁକୁଳର ଅବଗୁଣ୍ଠନ ଟାଣି, ବାସକ ଶଯ୍ୟାରେ ସେ ତାକୁ ପ୍ରତୀକ୍ଷା କରିଥିବ । ଅଗ୍ନିକୁ ସାକ୍ଷୀ ରଖି ଯାହାକୁ ସେ ଗ୍ରହଣ କରିଥିଲା । କୂଳଦୀପ ଛୁଇଁ ତାକୁ ସେ ପ୍ରେମ ବନ୍ଧନରେ ବାନ୍ଧି ରଖିବାକୁ ଶପଥ ନେବ । ସେ ହେବ ତାର ପ୍ରିୟା, ପତ୍ନୀ ସବୁ । ଦେହ ଓ ମନର ଅଧିକାରିଣୀ-। ଦୁହେଁ ସଂସାର କରିବେ, ନୀଡ଼ ରଚିବେ । ସେହି ଗତାନୁଗତିକ ପରମ୍ପରା । ବାପା, ବୋଉ, ଦାଦା, ଖୁଡ଼ୀ, ଭାଇ ଭାଉଜ, ଠିକ୍ ସେମିତି, ସେମିତି ? ହଁ, ତ ଜ୍ୟୋତ୍ସ୍ନା ତାର ସ୍ତ୍ରୀ–ତାକୁ ସେ ନେଇ ବୁଲିଯିବ, ସିନେମା ଯିବ, ରୋଗରେ ସେବା କରିବ, କାମରେ ସାହାଯ୍ୟ କରିବ । ଆଉ ସମସ୍ତଙ୍କ ଜ୍ଞାତସାରରେ ଏକତ୍ର ରାତ୍ରିଯାପନ ବି କରିବ । କେହି କିଛି କହିବେ ନାହିଁ । କହି ପାରିବେ ନାହିଁ । ଜ୍ୟୋତ୍ସ୍ନା ତା’ର ସ୍ତ୍ରୀ ! ତା’ ଉପରେ ତାର ଷୋଳ ଅଣା ହକ୍, ଷୋଳ ଅଣା !

 

ନବେନ୍ଦୁ ମନରେ କେମିତି ଏକ ଗର୍ବ ଆସି ତାର ମନକୁ ଯେମିତି ସ୍ଫୀତ କରାଇ ଦେଲା-। ତାର ମନେହେଲା ସେ ଗଡ଼ ଜିଣିଚି । ଜୀବନର ଚଲାବାଟରେ ଚାଲିଯିବାକୁ ମିଳିଯାଉଚି ବହୁତ ପ୍ରେରଣା, ବହୁତ ସମ୍ବଳ । ସେ ଆଉ ଏକାକୀ ନୁହେଁ ! ତାର ସ୍ତ୍ରୀ ଅଛି ! ଅଛି ରୂପ ଯୌବନ-। ନବେନ୍ଦୁର ମନେହେଲା ହଠାତ୍-ଏ ପୃଥିବୀ ଖୁବ୍ ସୁନ୍ଦର । ଏ ଆକାଶ ଖୁବ୍ ନୀଳ ! ଆଉ ସମ୍ମୁଖରେ ବିସ୍ତୃତ ଏଇ ଲମ୍ଵମାନ ପଥ । ସେ ଯେମିତି ଏକ ମଖମଲି ଫୁଲବିଛା ସରଣୀ ! ତା ଉପରେ ଥିରି ଥିରି ପାଦ-ପଦ ପକାଇ କିଏ ଆସୁଚି ଏ ଅବଗୁଣ୍ଠନବତୀ ନାରୀଟି ? ଜ୍ୟୋତ୍ସ୍ନା ? ସତେ ଜ୍ୟୋତ୍ସ୍ନା, ଅବଗୁଣ୍ଠନ ଫିଙ୍ଗି ଦେଇ ନବେନ୍ଦୁର ଦୁଇ ହାତକୁ ମୁଠେଇ ଧରି ସେ ଡାକୁଚି ! ଆସ ନବେନ୍ଦୁ ହାତ ଧର ମୋର ଅତିକ୍ରମ କରିବାକୁ ହେବ ଏ ସୁଦୂର ପଥ । ମନଭରି ଉପଭୋଗ କରିବାକୁ ହେବ ଏ ଜୀବନ । ଦେଖ ତୁ ନବେନ୍ଦୁ, ଏ ଆକାଶର ଟିକି ଟିକି ତାରା; ଅବନୀର ଛୋଟ ଛୋଟ ଫୁଲ, କେତେ ସୁନ୍ଦର ! ଆଉ ଏଇ ଜହ୍ନଫୁଟା ରାତିଟା ? ଜ୍ୟୋତ୍ସ୍ନା ନବେନ୍ଦୁକୁ ଦୁଇ ହାତରେ ଜଡ଼େଇ ଧରୁଛି । ଜ୍ୟୋତ୍ସ୍ନାର କଟିବେଷ୍ଟନ କରୁଛି । ନବେନ୍ଦୁ ଆଗକୁ ପାଦ ବଢ଼ାଉଚି । ଦୁହେଁ ଚାଲିଛନ୍ତି କଦମ୍ କଦମ୍ । ଦୁଇ ପାର୍ଶ୍ୱରେ ହସିଲା ପ୍ରକୃତି ଉପରେ ଶୀତଳ ଜହ୍ନ—ଭରା ଫସଲର । ପୂରିଲା ଶସ୍ୟକ୍ଷେତ୍ରର ଧାରେ ଧାରେ ଉତ୍‌ତଳା ତଟିନୀ ଉନ୍ମତ୍ତ ହୋଇ ବହି ଚାଲିଚି । ଦିନ ଘୁରୁଚି, ରାତି ଘୁରୁଚି । ଘୂରି ଯାଉଚି ବର୍ଷ, ମାସ, ବସନ୍ତ, ଗ୍ରୀଷ୍ମ । ଘୂରି ଯାଉଚି ସକାଳ ସନ୍ଧ୍ୟା । ଦୁହେଁ ଚାଲିଛନ୍ତି, ମାଇଲ୍ ମାଇଲ୍ । ଗୋଟିଏ ପୁରୁଷ ଓ ଗୋଟିଏ ନାରୀ, ଆଦମ୍ ଓ ଇଭ୍ ।

 

ଇମିତି କଣ ଖାଲି ଚାଲିବା ଆଉ ଚାଲିବା ? କ’ଣ ଏଇ ସ୍ୱପ୍ନର ଅର୍ଥ ? ଏଇ ଚାଲିବାର ଶେଷ । କେଉଁଠି ? ଆଉ ଏଇ ଲମ୍ବମାନ ପଥଶ୍ରମର ପାରିଶ୍ରମିକ କ’ଣ ? ଲଭ୍ୟ ବସ୍ତୁଟା କଣ ? ଏମିତି ଚାଲି ଚାଲି ଶେଷ ପଥରେ ସେ କଣ ପାଇବ ? ମଣି କାଞ୍ଚନ, ହୀରା, ନୀଳା, ? କ’ଣ କ’ଣ-?

 

ହଠାତ୍ କାହାର ବିକଟାଳ ହସରେ ନବେନ୍ଦୁ ଚମକିଗଲା । ଆଖି ଆଗରେ ନୂଆବୋଉ ଠିଆ ହୋଇଛନ୍ତି । ସେଇ ରୁଗ୍‌ଣ ଚେହେରା, କୋଟରଗତ ଚକ୍ଷୁ ! ମୁଖରେ ତାଙ୍କର ବିଦ୍ରୂପର ବିକୃତ ହସ । କଣ୍ଠରେ ତାଙ୍କର ତାତ୍ସଲ୍ୟ ଭରା ତୀବ୍ର ବ୍ୟଙ୍ଗୋକ୍ତି । ଲଭ୍ୟ ? ଏ ପଥଶ୍ରମର ଲଭ୍ୟ ପାଇବ ବୋଲି ତୁମେ ସ୍ୱପ୍ନ ଦେଖୁଛ ନବେନ୍ଦୁ ? ଫୁଲବିଛା ବାଟରେ ଏମିତି ଚାଲି ଚାଲି ତମେ ପୁଣି ମଜୁରୀ ପାଇବାର ଆଶା ରଖିଚ ? ତମେ ଏଡ଼େ ନିର୍ବୋଧ ନବେନ୍ଦୁ ! କ’ଣ ତମେ ଚାଲିଲ ? କେତେ ବାଟ ଚାଲିଲ ? ଏଇଠି ତମର ସବୁ ପଥଚଲା ଶେଷ ! ଆଉ ଆଗକୁ ତମେ ଯାଇ ପାରିବ ନାହିଁ, ଆଉ ଆଗକୁ କେହି ଯାଇ ପାରିନାହିଁ । ଏଇଠି ତମର ସବୁ ସ୍ୱପ୍ନ, ସବୁ କଳ୍ପନାର ପରିସମାପ୍ତି-। ମୁଁ ବି ଦିନେ ଏଇମିତି ଫୁଲବିଛା ବାଟରେ ଫୁଲ ରେଣୁ ଭଳି ଉଡ଼ି ଆସିଥିଲି । ପାଖୁଡ଼ା ପାଖୁଡ଼ା ବିକଶିତ କରି ପଦ୍ମଫୁଲଟି ପରି ମୁଁ କ’ଣ ତମ ଘରେ ଫୁଟି ଉଠି ନ ଥିଲି ? ଦିନେ କଣ ଏକ ଅତୁଟ ଆକର୍ଷଣରେ ତମ ଭାଇଙ୍କୁ ମୁଁ ବାନ୍ଧି ରଖି ନ ଥିଲି ? ଚାହିଁ ନ ଥିଲି ଏତେ ଶ୍ରମ ଶେଷରେ ଲଭିବି ଅମୂଲ୍ୟ ରତ୍ନ ? ମାତ୍ର ମୋର ସେ ନୀଳ ଆକାଶ କାହିଁ ? କାହିଁ ମୋର ସେ ମଧୁ ଯାମିନୀ ? ମୋର ସେ ସ୍ୱପ୍ନ ଭାଙ୍ଗିଚି ନବେନ୍ଦୁ । ଯୌବନ ଝରିଚି, ମନ ମଉଳିଚି । ପାଞ୍ଚ ପାଞ୍ଚଟି ପିଲା ସୃଷ୍ଟି କରି ମୁଁ ବିକୃତ ହୋଇଛି । କ’ଣ ମୁଁ କରୁଛି ତାଙ୍କର ! ମୁଁ ସେମାନଙ୍କୁ ତୁଷ୍ଟ କରି ପାରୁନି । ଚାରି ପାଖରେ ମୋର ସେମାନଙ୍କର ହଟ୍ଟଗୋଳ । ଖାଦ୍ୟ ଦିଅ, ବସ୍ତ୍ର ଦିଅ, ଯତ୍ନ ଦିଅ ! ମୁଁ ସେମାନଙ୍କୁ କିଛି ଦେଇ ପାରୁନାହିଁ । କିଏ ସାହାଯ୍ୟ କରିବ ମତେ ? ମୋ ପାଖରୁ ତମ ଭାଇଙ୍କର ସବୁ କାମ ସରିଯାଇଚି । ପାଞ୍ଚ ପାଞ୍ଚଟି ପିଲା ଜନ୍ମଦେଇ ମୁଁ ତାଙ୍କର ଅର୍ଥନୈତିକ ନିରାପତ୍ତାକୁ ଦୋହଲାଇ ଦେଇଛି । ତାଙ୍କୁ ଅଶ୍ରୁ ଅନାଟନ ଭିତରେ ବାନ୍ଧି ରଖିଚି । ଆଗକୁ ଯିବାକୁ ଆଉ ପଥ ନାହିଁ । ଏଇଠି ଖାଲି ଆର୍ତ୍ତନାଦ, ବ୍ୟର୍ଥତା, ହାହାକାର, ଅଶାନ୍ତ କ୍ରନ୍ଦନ । ଏ ଦୁନିଆର, ଏ ସଂସାରର ସାରକଥା ଏଇଆ । ପ୍ରତାରଣା, ଖାଲି ପ୍ରତାରଣା !

 

ଏକ ବିରାଟ ସୌଧ ଉପରୁ ନବେନ୍ଦୁ ଯେମିତି ତଳକୁ ଖସିପଡ଼ିଲା । ତାର ମନେ ହେଲା, ଚତୁର୍ଦ୍ଦିଗ ଭରି କେବଳ ଶୁଭୁଚି ନୂଆବୋଉଙ୍କର କଣ୍ଠସ୍ୱର, ସବୁ ପ୍ରତାରଣା ! ସବୁ ପ୍ରତାରଣା ! ତୁମେ ଦେଖ, ତୁମେ ଠକିଛ କି ନାହିଁ ? ତମର ଜ୍ୟୋତ୍ସ୍ନା କାହିଁ ? ତମ ସତ୍ତା ? ନବେନ୍ଦୁ ହତବାକ୍ ହୋଇଗଲା । ସବୁ ଫାଙ୍କି ? ଗୋଟେଇ ଧରିଥିବା ସବୁ ଜିନିଷ ସେ ହରେଇ ବସିବ ? ସବୁ ପାଇ ହରାଇ, ତଥାପି ସେ ବଞ୍ଚିଚି ବୋଲି ଗର୍ବ କରିବ ?

 

ନାଁ-ନାଁ ଗର୍ବ କରିବା ପାଇଁ ଆଉ କ’ଣ କୋଉଠି ରହୁଚି । ଆଉ କିଛି ତ ରହୁନାହିଁ । ଆଖି ଆଗରେ ନୂଆବୋଉଙ୍କର ରୁଗ୍‍ଣ ଚେହେରା ପରିଷ୍କାର ପ୍ରମାଣ ଦଉଚି, ଆଉ କିଛି ନାହିଁ । ବଞ୍ଚନା ସହ ବଞ୍ଚିବା ଛଡ଼ା ଆଉ ଅବଶିଷ୍ଟ କିଛି ନାହିଁ । ଧିକ୍ ଏ ମଣିଷ ! ଧିକ୍ ତାର ଏ ମନ ! ଛାୟାକୁ ଧରିବା ପାଇଁ ସେ ମାଇଲ ମାଇଲ ଧାଇଁ ଚାଲିଛି । କାହାକୁ ସେ ଧରୁଛି । କଣ ଧରିଚି ତାର ନୂଆବୋଉ-କଣ ଧରି ପାରିଚନ୍ତି ତାର ବାପା, ଭାଇ, ପିତାମହ, ପ୍ରପିତାମହ… ?

 

ନବେନ୍ଦୁର ଜଣାଗଲା ଛାତିରେ ତାର ପ୍ରବଳ ଯତ୍ନଣା ଆଖିରେ ତାର ନୀଳ କାଚର ସ୍ୱଚ୍ଛ ମଣିଟିକୁ ଧୂସର କରି ଦେଲାଣି । ମଧୁଯାମିନୀର ମଧୁ ମାୟା ବିବର୍ଣ୍ଣ ହେଲାଣି ! ସବୁ ଖାଲି ଦିଶୁଚି ଧୂସର ଧୂସର । ଧୂସର ଏକ ଧୃମ୍ର ମୁଣ୍ତଳୀର ଘୂର୍ଣ୍ଣନ ଭିତରେ ଘୂରି ଘୂରି ଆଶ ଜ୍ୟୋତ୍ସ୍ନା ତା’ ପାଦତଳେ କଚାଡ଼ି ହୋଇ ପଡ଼ୁଚି ବିକଳ, ବିକ୍ଷତ ଭାବରେ ! ତାର ମୁଖ, ଆଖି, ଚିବୁକ ସର୍ବତ୍ର ତମସାର ଛାୟା-ବିବର୍ଣ୍ଣ ଅଙ୍ଗଲତା ନୂଆବୋଉ ପରି ! ତେବେ କଣ ଜ୍ୟୋତ୍ସ୍ନା ବି ସେଇ ଜୀବନର ଏକ ଏକ ଅଙ୍କରେ ପଟ୍ଟ ପତନ କରି ଶେଷରେ ଏଇ ଧୂସର ହତାଶାର ଭୂମିକା ଗ୍ରହଣ କରି ବସିଲା-? ପଥ ତାର ରୁଦ୍ଧ । ଖାଲି ବ୍ୟର୍ଥତା, ଅଶ୍ରୁ, ହାହାକାର, ତୀବ୍ର ଜ୍ଵଳନ ! ନବେନ୍ଦୁକୁ ଶୁଣାଗଲା ଜ୍ୟୋତ୍ସ୍ନା ଯେମିତି ଚିତ୍କାର କରୁଚି କରୁଣ ସ୍ୱରରେ, “ମତେ ରଖି ପାରିବି ନବେନ୍ଦୁ ? ରଖି ପାରିବ ? ମୁଁ ଆଜି ସଂକ୍ରାମକ ରୋଗୀ-ମୋ ଦେହର ଶୋଣିତ ଗ୍ରନ୍ଥିର କୋଷେ କୋଷେ କର୍କଟ ରୋଗର ଜୀବାଣୁ ପଟୁଆର ଚଳାଇଚି । ଦେଖୁଚ ମୋର ଏ ଦେହକୁ ନବେନ୍ଦୁ, ଫୁଟିଲା ଫୁଲପରି ଏ ଦେହ ମୋର ଆଜି ପୂଜ, ରକ୍ତ ଓ ଯନ୍ତ୍ରଣାରେ ଜର୍ଜରିତ । ଏ ରୋଗ ମତେ ଟିକି ଟିକି କରି ଖାଇଯାଉଛି । ସେ ଏଇମିତି ମତେ ଶେଷ କରିଦେବ । ତମେ କଣ ମତେ ରଖି ପାରିବ ? ନା, ନା ଜୀବନସାରା ଏତେ ସ୍ଵପ୍ନ ଧରି, ଏତେ ଆଶା ଧରି କ’ଣ ମୁଁ ପାଇଲି ? ଏଇ ରୋଗ, ଏଇ ଯନ୍ତ୍ରଣା କ’ଣ ମୋର ଏତେ ସ୍ୱପ୍ନର ବିକଳ ପରିସମାପ୍ତି ? ସବୁ କଣ ଏଇମିତି ମିଥ୍ୟା, ଅଳୀକ । କେଉଁଦିନ ଆସିବ ସେ ଶେଷ ଦିନ, ମୃତ୍ୟୁ ? ଯନ୍ତ୍ରଣାର ହେବ ଅବସାନ ?

 

ମୃତ୍ୟୁ…ମୃତ୍ୟୁ… ??

 

ନବେନ୍ଦୁର ଚାରିପାଖରେ ଯେମିତି ଖାଲି ଅନ୍ଧାର, ବହଳ ଅନ୍ଧାର । ତାରି ଭିତରେ ଜ୍ୟୋତ୍ସ୍ନାର ବିକଳ ଆର୍ତ୍ତନାଦ । ମତେ ମୁକ୍ତି ଦିଅ, ଏ ଯନ୍ତ୍ରଣାରୁ ନେଇଯାଅ । ମାତ୍ର ଏମିତି ଯଦି ଏତେ ସହଜରେ ମୃତ୍ୟୁ ଆସନ୍ତା ତେବେ କାହିଁକି ଥାନ୍ତା ଏତେ ଅଶ୍ରୁ–ଏତେ ଦୁଃଖ ! ଏତେ ଯନ୍ତ୍ରଣା-। ତାତିଲା ଲୁହ କରେଇରେ ମାଛ ଭାଜିହେଲା ଭଳି ଏ ଜୀବନସାରା ମଣିଷ ଏମିତି ଭାଜି ହୁଏ । ତେବେ ବି ମୃତ୍ୟୁକୁ କେତେ ଡର, କେତେ ଆଶଙ୍କା ! ଏଇମୃତ୍ୟୁ….ଥରେ ତ ନୁହେଁ, ଦୁଇ ଦୁଇଥର ତା ଜୀବନରେ ଦାରୁଣ ସଂଘାତ ଦେଇ ଚାଲିଯାଇଚି । ବିସ୍ମୃତିର ଗହ୍ୱରରୁ ପ୍ରସ୍ତ ପ୍ରସ୍ତ ଆବରଣ ଖୋଲି ଜାଗୁଚି ସେଇ ଭୟାନକ ସ୍ମୃତି । ଦିନେ ସାନଭାଇ କୁନାକୁ ମୃତ୍ୟୁକୋଳରେ ଛାଡ଼ିଦେଇ ଆସିଥିଲା । ସେଦିନ ସେ ଜାଣିଥିଲା-କୁନା ଆଉ ନାହିଁ, ନାହିଁ, ନାହିଁ । ଆକାଶରେ ଧକ୍‌କା ଖାଇ ସେହି ନାହିଁର ପ୍ରତିଧ୍ଵନି ତା’ ପାଖକୁ ଫେରି ଆସିଥିଲା ।

 

ଆଉ ଏକ ମର୍ମାନ୍ତକ ଅପରାହ୍ନ । ମଶାଣି ଭୂଇଁରେ ସେଇ ଥାକ ଥାକ କାଠଗଦା ଉପରେ କେତେ ହୀନିମାନରେ ତା ବୋଉକୁ ଶୁଆଇ ଦେଲେ । ଯେଉଁ ଗୋରା ତକ ତକ ଦେହରେ ସୁନା ଗହଣା ଖଞ୍ଜିଦେଲେ ଲକ୍ଷ୍ମୀ ପ୍ରତିମା ପରି ଦେଖାଯାଏ ସେଇ ବୋଉ କେତେ ନାରଖାରରେ ସେଇ ଦୁନିଆରେ ଶେଷ ହୋଇଗଲା । ନିଆଁ ଉଠିଥିଲା ଆକାଶ ଛୁଇଁ ଲହ ଲହ ଜିହ୍ଵା ପ୍ରସାରଣ କରି । ଚାଟି ଦେଇଗଲା ତାର ବୋଉର ଦେହକୁ । ତୁଚ୍ଛ ହେଲା ସ୍ୱାମୀ-ପୁତ୍ର-ଘର-ସଂସାର-ସବୁ ପୋଡ଼ି ପାଉଁଶ ହେଲା–ମୁଠାଏ ପାଉଁଶ !

 

ଏତେବଡ଼ ଜୀବନ, ଏତେ ଅହମିକା, ଏତେ ଆସ୍ପର୍ଦ୍ଧା, ଏତେ ଗର୍ବ, ଆଦର୍ଶ, ଶିକ୍ଷାରୁଚିରେ ପରିଣତ ମୁଠାଏ ପାଉଁଶ । ତା ପରେ ସବୁ ଶୂନ୍ୟ । ଜଣେ ସବୁ ଛାଡ଼ି ଚାଲିଯା–ସେ ଜାଣେନାହିଁ ସେ କଣ ନେଲା କଅଣ ଦେଲା, କିଏ ନିନ୍ଦା କଲା-କିଏ ସ୍ତୁତି କଲା, କିଏ ମନ୍ଦିର ତୋଳି ସ୍ମୃତି ରଖିଗଲା । ସେ କିଛି ଜାଣେନା ।

 

ନବେନ୍ଦୁର ମନେ ହେଲା…ଚଉଦ ପନ୍ଦର ବର୍ଷ ତଳର ଚିତାଗ୍ନି ସେଇ ଲହ ଲହ ଜିହ୍ଵା ପ୍ରସାରଣ କରି ଊର୍ଦ୍ଧ୍ଵରୁ ଊର୍ଦ୍ଧ୍ଵକୁ ଉଠୁଛି । ବିଦ୍ରପ କରି ସେ ଯେମିତି ଚିତ୍କାର କରୁଚି । ରେ ମୂଢ଼ ଅନ୍ଧ ମାନବ କାହିଁ ତୋର ରକ୍ଷା କବଚ, କିଏ ରଖିବ ତତେ ? ନିମିଷ ନିମିଷ ଧରି, ନିଜକୁ ହଜେଇ ରଖି ମଧ୍ୟ ପାଇବା ଲାଗି ତୋର ଏତେ ଯୁଦ୍ଧ ! ଏତେ ହାଣକଟା ! ସଭ୍ୟତାର ଉତ୍‌ଥାନ ପତନ ଭିତରେ ଏତେ ତୋର ଅଶ୍ରୁ, ଶୋଣିତର ଇତିହାସ । ଖାଲି ଅହନ୍ତା ଈର୍ଷା ଗର୍ବରେ ଏତେ ପରାକ୍ରମଶୀଳ ତୁ ହୋଇଛୁ ! ଏତେ ଜ୍ଞାନ ଅର୍ଜନ କରିଚୁ ଉଦ୍ଭାବନ କରିଚୁ । ଭାତୃହତ୍ୟା, ମାତୃହତ୍ୟା ଆତ୍ମହତ୍ୟାର ବି ପ୍ରୟାସ କମ ନୁହଁ । ମାତ୍ର ମୋ କବଳରୁ କିଏ ରଖିବ ତତେ ? ତୋର ସେ ମହାଶୂନ୍ୟର ଅନ୍ତରୀକ୍ଷ ଯାନ ? ପରାକ୍ରମଶୀଳ ମାରଣାସ୍ତ୍ର । ନାଁ, କୃତ୍ରିମ ହୃଦଯତ୍ର ! ସବୁ ମୁଁ ପୋଡ଼ି ପାଉଁଶ କରିଦେବି । ନବେନ୍ଦୁ ଚାହିଁଥିଲା, ନିଆଁ ଊର୍ଦ୍ଧ୍ଵରୁ ଊର୍ଦ୍ଧ୍ଵକୁ ଉଠୁଚି ସେଇ ଇସ୍ପାତକୁ ଟାଣି ନେଲାପରି ସେ ଟାଣି ଟାଣି ନଉଚି ଏଇ ମଣିଷକୁ । ଏଇ ଶତ ସହସ୍ର ଖୋଳ ଭିତରେ ବିଭିନ୍ନ ପୃଥକ ପୃଥକ ଏକଇ ମଣିଷକୁ । ମୁକୁଟମଣ୍ଡିତ ରାଜଶିର, ପ୍ରଜ୍ଞାନନ ପଣ୍ଡିତ, ନିଃସ୍ୱ ନିପୀଡ଼ିତ, କୁଷ୍ଠବ୍ୟାଧିଗ୍ରସ୍ତ ସମସ୍ତ ମଣିଷର ପଟୁଆର ଚାଲିଚି ଦଳ ଦଳ ହୋଇ । ସମସ୍ତେ ଚାଲିଚନ୍ତି ଆଗପଛ ହୋଇ ଏକଇ ବାଟରେ । ଏକ ଆସନରେ । ଏଠି ତଫାତ୍ ନାହିଁ ନାରୀ ପୁରୁଷର, ଧନୀ ଗରିବର, ହାକିମ ଆଉ ଅଧସ୍ତନ କର୍ମଚାରୀର । ପଟୁଆର ଚାଲିଛି, ଚାଲିବ ।

 

ନବେନ୍ଦୁକୁ ଜଣାଗଲା, ସେଇ ନିଆଁ ଭିତରେ ଜ୍ୟୋସ୍ନା ଜଳି ଜଳି ଯାଉଚି । ତାର କରୁଣ ଆର୍ତ୍ତନାଦ ପବନର ସ୍ତରେ ସ୍ତରେ ମିଶି ମିଶି ଯାଉଚି, ସେ ଜ୍ୟୋସ୍ନାକୁ ରଖି ପାରୁନି । ସେ କଣ ତାର ଭାଇ ଓ ବୋଉକୁ ରଖି ପାରିଚି ? ଆଜି ବି ନିଜର ସ୍ତ୍ରୀକୁ ରଖିବ କେମିତି ? ଜ୍ୟୋସ୍ନା କହୁଚି, ଏଇ ଶେଷ ଦେଖା ନବେନ୍ଦୁ, ଆଉ ଭେଟାଭେଟି ହବାନି । ଯଦି ବା ପରଜନ୍ମ ସତ ହୁଏ; ଯଦିବା ପୁନଶ୍ଚ ଆମେ ପତିପତ୍ନୀ ଭାବେ ଏକାତ୍ର ହେଉ, ଆମେ କଣ ପରସ୍ପରକୁ ଜାଣିପାରିବ, ଚିହ୍ନି ପାରିବା ? ନା କିଛି ଆମେ ପାରିବାନି । ଏଇ ଶେଷ ଦେଖା, ମୁଁ ଚାଲିଲି, ବିଦାୟ…ବିଦାୟ… ?

 

ଲହ ଲହ ନିଆଁର ପ୍ରଜ୍ଜ୍ୱଳଣ ଭିତରେ ଜ୍ୟୋସ୍ନା ଶେଷ ହୋଇଗଲା । ଶେଷ ହେଇଗଲା ତାର, ଦେହ, ମନ, ପ୍ରାଣ, ଏଣିକି ସେ ରହିବ ନିର୍ଜୀବ ଫଟଟିଏ, ନିଶ୍ଚଳ ସ୍ମୃତିଟିଏ ହୋଇ । ଭୁଲରେ ବି କେଉଁଠି ଅତର୍କିତ ଭାବରେ ଦେଖା ହୋଇ ପାରିବ ନାହିଁ । ଗୋଟାଏ କମ୍ପାର୍ଟମେଣ୍ଟରେ ବସି ଏତେ ବାଟ ଆସିଲା ପରେ ଜ୍ୟୋସ୍ନା ଓହ୍ଲେଇଗଲା । ନବେନ୍ଦୁ, ନିଃସଙ୍ଗ, ନିପୀଡ଼ିତ କେତେଦିନ, କେତେଦିନ ? କେଉଁଠି ତାର ଇସ୍ପିତ ଷ୍ଟେସନ ?

 

ନବେନ୍ଦୁ କେମିତି କେଜାଣି ସ୍ଥିର ହୋଇଗଲା । ଗୋଟାଏ ଦୁଃଖ ତାକୁ ପାଷାଣ କରିଚି କି ଏକ ହତାଶା ତାକୁ ସ୍ତବ୍‌ଧ କରିଛି ସେ ଜାଣିପାରିଲା ନାହିଁ । ଖାଲି ଦେଖୁଥିଲା, ଗୋଟାଏ ଗୋଟାଏ ନାଟକ ଶେଷ ହେଇ ଯାଉଚି ପ୍ରତ୍ୟେହ ପ୍ରତ୍ୟେକ ଜୀବନରେ । ନିଜ ନାଟକର ସାରବତ୍ତା ମନେ ନ ରଖି ଏ ମଣିଷ ବାହାରର ନାଟକ ପାଇଁ ଏତେ ବ୍ୟସ୍ତ, ଏତେ ମତ୍ତ । ଏଇ ମଣିଷର ଜୀବନ, ଏକ ମହାନାଟକ । କେଇ ଘଣ୍ଟାର ଅଭିନୟ ମାତ୍ର : ତା’ ପରେ କେହି କାହାକୁ ଜାଣିନି, ଚିହ୍ନିନି । କ’ଣ କହେ ଶଙ୍କରାଚାର୍ଯ୍ୟ ଗ୍ରନ୍ଥାବଳୀର ସେହି ଶ୍ଳୋକ “କିଂ ଜନେନ, ଧନେନ ବାଜିଃ କରିଭଃ, ପ୍ରାପ୍ତେନ ରାଜ୍ୟେନ କିଂ ?” “କା ତବ କାନ୍ତା କାସ୍ତେ ପୁତ୍ରଃ ସଂସାରୋଽୟ ମତୀୟ ବିଚିତ୍ର-।” କୀଟ ପରି ସେହି ପୁସ୍ତକର ଛତ୍ରେ ଛତ୍ରେ ପଶି ତାର ସୁଧା ସେ ପାନ କରିଚି । ତଥାପି ସେ ଏତେ ଦୁର୍ବଳ, ଏତେ ମୂଢ଼, ଏତେ ଅନ୍ଧ ! ନା, ନା, ଆଜି ତାର ଚକ୍ଷୁ ଫିଟିଚି । ଏ ସଂସାର ମହାସମୁଦ୍ରରେ, ଭାସିଗଲାବେଳେ ଏଇ ତାକୁ କିଞ୍ଚିତ କୂଳ ଦିଶିଲାଣି । ସେ ଆଉ ଏ ଚକାଭଉଁରିରେ ଖେଳିବ ନାହିଁ-। ତାର ଶାଶ୍ଵତ, ଚିରନ୍ତନ ସୁଖ ଦରକାର । ଏକ ଆଦିଅନ୍ତହୀନ ସ୍ୱର୍ଗୀୟ ସୁଖର ଜୀବନ । ଯେଉଁଠି ବିରହର ତାପ ନାହିଁ, ମିଳନର ଶୀତଳତା ନାହିଁ, ହସ ଅଶ୍ରୁର ପାର୍ଥକ୍ୟ ନାହିଁ ! ଆନନ୍ଦର ଯିଏ ନିରାନ୍ଦନ । କେବଳ ଉତ୍‌ପ୍ଳାବିନୀ ସ୍ରୋତ ବହି ଚାଲୁଚି, ବହି ଚାଲୁଚି, କେଉଁଠିକି ଯିବ, କେତେଦୂର ଯିବ ? କେଉଁଠି ଶେଷ, କେଉଁଠି ସେ ଅଶେଷ ?

 

ନବେନ୍ଦୁର ମନେହେଲା, ତା’ ଉପରେ ଆକାଶ ନାହିଁ । ଚାରିପାଖରେ କିଛି ନାହିଁ । ନାହିଁ ଆଲୋକ, ନାହିଁ ଅନ୍ଧାର । କେବଳ ସ୍ଥିର ନିଶ୍ଚଳ ଧୂଳିକଣାଟି ଭଳି ସେ ଏକାକୀ ଏ ବିରାଟ ବିଶ୍ଵରେ-। ବୁକୁରେ ଏକ ଅଜଣା, ବିରାଟ କ୍ଷୁଧା–କିଏ ମେଣ୍ଟାଇବ କଣ୍ଠର ଏ ଅନନ୍ତ ତୃଷା । କି ସେ ମହାପୁରୁଷ ? ।’ ସମ୍ମୁଖରେ ନିଜକୁ ଉତ୍ସର୍ଗ କରି ସେ କହିବ, ହେ ଅନ୍ତରତମ, ମତେ ଧର, ମତେ ଆଲିଙ୍ଗନରେ ଭିଡ଼ିଧର । ମୁଁ ବହୁ ଯନ୍ତ୍ରଣା ପାଇଚି, ମୁଁ ବିକ୍ଷତ ହୋଇଚି । ମୋର ସବୁ ଜ୍ଵାଳା ଶୋଷିନିଅ, ଶୋଷିନିଅ, ହେ ପ୍ରିୟତମ ।

 

ନବେନ୍ଦୁ ହଠାତ୍ ପ୍ରକୃତିସ୍ଥ ହେଲା ଅବା, ତାକୁ ଜଣାଗଲା ତା’ ବାହୁରେ ଅନେକ ବଳ ! ଆକାଶ ପରିଷ୍କାର, ଉଜ୍ଜ୍ୱଳ । ପ୍ରଭାତୀର ଉପକଣ୍ଠରେ କଳକଣ୍ଠର ମୂର୍ଚ୍ଛନାରେ ଏ କାହାର ସଂଗୀତ ଗୁଞ୍ଜର ଉଠୁଚି । ଉପବନର ପୁଷ୍ପ ସ୍ତବକେ ସ୍ତବକେ ଏ କାହାର ରୂପ ଉକୁଟି ଉଠୁଚି । ନଦୀର ପ୍ରବାହମାନ ଛଳ ଛଳ ଜଳାଧାର ଭିତରେ କିଏ ଢଳ ଢଳ ହୋଇ ବହିଯାଉଚି । ନବେନ୍ଦୁ ଦୁଇହାତ ପ୍ରସାରଣ କଲା–ମତେ ନିଅ ମତେ ନିଅ ହେ ଅନ୍ତରତମ । ଅଙ୍ଗେ ଅଙ୍ଗେ ମୋର ସ୍ପର୍ଶ ଦେଇଯାଅ । ହେ ଅସ୍ପର୍ଶ ! ତମର ମହାସିନ୍ଧୁର ବିଶାଳ ବକ୍ଷରେ ବିନ୍ଦୁଟିଏ ପରି ମତେ ହଜେଇ ରଖ, ହଜେଇ ରଖ !

 

ରାତି ଦଶଟାରୁ କିଛି ଊର୍ଦ୍ଧ୍ଵ ହେବ ! ଘରର କୋଳାହଳ କମିଲାଣି । ନବେନ୍ଦୁର ଭାଉଜ, ନବେନ୍ଦୁକୁ ଡାକିବାକୁ ଯାଇ ଦେଖନ୍ତି, ନବେନ୍ଦୁ ନାହିଁ । ଏତେ ରାତିରେ, ଆଜି ପରା ରାତିରେ ନବେନ୍ଦୁ ଗଲା କୁଆଡ଼େ ? ଜ୍ୟୋସ୍ନାର ଶୋଇଲା ଘରେ ଯାଇ ଦେଖିଲେ, ଅଭିସାରିକା ବେଶରେ ଜ୍ୟୋସ୍ନା ଖଟ ବାଡ଼ରେ ମୁଣ୍ଡ ଦେଇ ଶୋଇ ପଡ଼ିଚି । ନବେନ୍ଦୁ ତ ନାହିଁ । ଘରର ଅନ୍ଦିକନ୍ଦି ଖୋଜା ସରିଲା । ନବେନ୍ଦୁ କେଉଁଠି ନାହିଁ । ରାତ୍ରି ଯାଇ ପ୍ରଭାତ ହେଲା । ବିତିଲା କେତେ ଦିନ, କେତେ ମାସ ! ନବେନ୍ଦୁ ତ ଫେରିଲା ନାହିଁ…… ?

 

ଏବେ ବି ସେହି କଥାର ପୁନରାବୃତ୍ତି କରି ଜ୍ୟୋସ୍ନା ନବେନ୍ଦୁକୁ ପରିହାସ କରେ, ତମକୁ କେଉଁ ବିଶ୍ୱାସ ? କେତେବେଳେ ଯେ ଦଗାଦେଇ ଚାଲିଯିବି, ତା’ କିଏ ଜାଣେ ? ଜ୍ୟୋସ୍ନାର ଏ କଥାରେ ନବେନ୍ଦୁ ଖାଲି ହସେ । ଜ୍ୟୋସ୍ନାକୁ ନେଇ ସାତ ବର୍ଷ ସେ ଘର କଲାଣି ! ପୁଅ ଝିଅ ହେଲେଣି । ପାଖରେ ତାର ସୁଖର ସଂସାର ବେଢ଼ି ରହିଛି । ତେବେ ବି ଏ କଥାରେ କେଉଁଠି କେମିତି ଖଟ୍‍କା ଲାଗେ । ସାତବର୍ଷ ତଳର ସ୍ମୃତି ଜାଗିଉଠେ । ସେଇ ଦୃଶ୍ୟ, ସେଇ ନିଆଁ, ଶଙ୍କରାଚାର୍ଯ୍ୟ ଗ୍ରନ୍ଥାବଳୀ । ସେ ଜ୍ୟୋସ୍ନାକୁ ଜାବୁଡ଼ିଧରି କହେ, ମତେ ଧର ଜ୍ୟୋସ୍ନା, ମତେ ଧର ! ତମକୁ ଛାଡ଼ି ମୁଁ କେଉଁଆଡ଼େ, କେଉଁଆଡ଼େ ବି ଯାଇପାରିବି ନାହିଁ । ମତେ କେହି ତମ ପାଖରୁ ନେଇ ପାରିବେ ନାହିଁ । ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ହେଲେ ବି ନୁହେଁ, ନୁହେଁ, ନୁହେଁ–

Image

 

ଅଶ୍ରୁ ମୁଖୀ

 

ସୁଦର୍ଶନର ସ୍ତ୍ରୀ ସେଦିନ କାନ୍ଦି କାନ୍ଦି ଯେଉଁ କାବ୍ୟଝଡ଼ ସୃଷ୍ଟି କରିଗଲା, ତାକୁ ଦେଖି ଚତୁଃପାର୍ଶ୍ୱରେ କେହି ଅଶ୍ରୁ ସମ୍ଭରଣ କରିପାରି ନ ଥିଲେ । ସେଇ ଗୋରା ତକ ତକ ସୁନ୍ଦରୀ ନାରୀଟି ଭୂଇଁ ସାଉଁଟି ତ କେବଳ କାନ୍ଦୁ ନଥିଲା, ସତେ କି ଲୁହର ସ୍ରୋତସ୍ୱିନୀଟିଏ ହୋଇ ବହିଯାଉଥିଲା । ସେ ବିକଳ କ୍ରନ୍ଦନ ଦେଖି ଗଛରୁ ପତ୍ର ଝରିବା ମଧ୍ୟ ଅସମ୍ଭବ ନୁହେଁ, ଆଉ ଚାରି ପାଖରେ ବେଢ଼ିଥିବା ସମସ୍ତେ ତ ମନପ୍ରାଣର ମଣିଷ ।

 

ଦୁନିଆରେ ସମସ୍ତେ ସୁଖୀ ନ ହେବା ଯେମିତି ସ୍ରଷ୍ଟାଙ୍କର ଏକ ଅପୂର୍ବ କଳା ପ୍ରବଣତା ଓ ସୌନ୍ଦର୍ଯ୍ୟବୋଧ, ସେମିତି ଅନେକ ନାରୀ ସ୍ଵାମୀ ସହ ସୁଖର ଜୀବନଯାପନକରି ନ ପାରି, ବିଧବା ହୋଇ, ମନକୁ ଆହୁରି ପ୍ରେମମୟ କରି ବଞ୍ଚିରହିବା ସେଇ ସ୍ରଷ୍ଟାଙ୍କର ରସବୋଧର ଅନ୍ୟତମ ନିର୍ଯ୍ୟାସ । ମାତ୍ର ଏହାକୁ ଠିକ୍ ଏଇପରି ଉପଲବ୍‌ଧି କରିବାର ବ୍ୟାପକ ଦୃଷ୍ଟି ତ ସମସ୍ତଙ୍କର ନାହିଁ ! ସମସ୍ତେ ଏହାକୁ କହନ୍ତି ଦୁର୍ଭାଗ୍ୟ । ଅଥବା ନିଜର କୌଣସି ପାପର ଫଳ ସେ ଭାଗ୍ୟ ନେଇ ଅନେକ ନାରୀ ବିଧବା ହୁଅନ୍ତି । ଅର୍ଦ୍ଧ ବୟସରେ, ରୋଗରେ ସଢ଼ି କିଏ ମରେ, କିଏ ବା ମରେ ଦୁର୍ଘଟଣାରେ । ଆଉ ବି ତ କେହି କେହି ପ୍ରଥମ ରାତ୍ରିରେ, ସ୍ୱାମୀର ମୁଖଦର୍ଶନ କରିବା ପୂର୍ବରୁ ବିଧବା ହୁଏ । ଏମିତି ଅନେକ ଘଟଣା ପ୍ରତ୍ୟହ ଘଟୁଛି । ମାତ୍ର ସୁଦର୍ଶନର ସ୍ତ୍ରୀ ପାଇଁ ଏ ଘଟଣାଟା ଯେମିତି ସମୟରୁ ବିଚ୍ଛିନ୍ନ । ଏକ ସ୍ଥିର, ପ୍ରଜ୍ଜ୍ୱଳିତ ଅଗ୍ନିର ସ୍ତମ୍ଭ । ରାତି ରାତି ଧରି ମୁମୂକ୍ଷୁ, ସ୍ୱାମୀର ଶଯ୍ୟାଧାରେ ବସି, ଆସନ୍ନ ବୈଧବ୍ୟକୁ ଚିନ୍ତା କରୁ କରୁ ସେ ବିଧବା ହୋଇନି, ଗୋଲାପଶଯ୍ୟାରେ ଶୋଇ, ଆକଣ୍ଠ ସୁଧା ପାନ କଲା ପରେ, ସହସା, କେଉଁ ଧୂସର ମରୁଭୂମିର ଡହକ ବାଲିରେ ନିଜକୁ ଆବିଷ୍କାର କଲା ପରି ଏ ବୈଧବ ତାର ଅନାହୂତ, ଅଭାବିତ ଓ ଚମକପ୍ରଦ ।

 

ସୁଦର୍ଶନ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ ।

 

ସୁଦର୍ଶନ ମହାନ୍ତି, ପଞ୍ଚତିରିଶି ବର୍ଷର ଯୁବକ । ବେଶ୍ କାଣ୍ଟ ଛାଣ୍ଟ ଚେହେରା । ମୁହଁରେ ଗଠନ ଯଦିଓ ସୁନ୍ଦର ନୁହେଁ, ତଥାପି ଆଖି ଦୁଇଟି କି ଏକ ଅବ୍ୟକ୍ତ ଭାବରେ ଭାରି କମନୀୟ ! ସେ ଆଖି ଦୁଇଟି ଯେତିକି ସ୍ଥିର, ସେତିକି ସରଳ; ସେତିକି ଉଦାର । ସେଇ ଆଖି ଦୁଇଟିର ସମସ୍ତ ପ୍ରଭାବ ତା ଚରିତ୍ରର ପ୍ରତିଟି ପାଖୁଡ଼ାକୁ ଅବା ମୁକୁଳିତ କରିପାରିଥିଲା । ସେ ସୁଦର୍ଶନ ମହାନ୍ତି । ବିଚାର ବିଭାଗୀୟ ମାଜିଷ୍ଟ୍ରେଟ । ସେଇ ଶେଷକୁ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିପାରେ-!

 

ଏ ଦାରୁଣ ଦୁଃସମ୍ବାଦରେ ଛୋଟ ସହର ସାରା ଚାଞ୍ଚଲ୍ୟ ଖେଳିଗଲା । ଶୁଣୁ ଶୁଣୁ ତାର ଚିହ୍ନାଅଚିହ୍ନା ସବୁ ଲୋକେ, ଗୁଣ ବାହୁନିବାରେ ଲାଗି ରହିଲେ । ଅଫିସ୍ ପାଖ ପାନଦୋକାନୀ ପାନ ଭାଙ୍ଗୁ ଭାଙ୍ଗୁ ବ୍ୟସ୍ତ ହେଲା—ଆହା, କାଲି ସଞ୍ଜରେ ସେ ପାନ ଖାଇଥିଲେ । ଜଳଖିଆ ଦୋକାନୀ କହିବାକୁ ଲାଗିଲା, ତା’ ଦୋକାନରେ ଛେନା ପୋଡ଼ପିଠାକୁ ବାବୁଙ୍କର ଭାରି ଶ୍ରଦ୍ଧା । ଏମିତି କଣ କଲେ ? ନାନା ମୁଖରେ ନାନା କଥା ଫୁଟିଉଠିଲା । ଯିଏ ଯାହା କହିପାରିଲା, ପୋଲିସ୍ ଅନୁସନ୍ଧାନ କରିଗଲା, ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁଦର୍ଶନ, ନିଜ ମୃତ୍ୟୁ ରହସ୍ୟର କି ସୂତ୍ର ବା’ ଛାଡ଼ି ଯାଇଥାନ୍ତା ? ସେ ଲେଖିଥିଲେ–ମୋ’ ମୃତ୍ୟୁରେ କେହି ଦାୟୀ ନୁହେଁ; ବାସ୍ ଏତିକି । ଏତିକିରେ ତା’ର ମୃତ୍ୟୁର ସବୁ ରହସ୍ୟର ସୁସ୍ଥ ସମାଧାନ ହୋଇଗଲା ।

 

ସୁଦର୍ଶନ ମରିଗଲା । ତାର ଦେହ ପୋଡ଼ି ପାଉଁଶ ହୋଇଗଲା । ଅନେକ ଦିନ ଧରି ଲୋକାମୁଖରେ ସେଇ ଗୁଜବଟା ଲାଗିରହିଲା । କ’ଣ ହେଲା ? କାହିଁକି ୟା ହେଲା ? ବେଳେ ବେଳେ ସଂଧ୍ୟାର ଚା ମଜଲିସ୍‌ରେ ସେଇ ହୁଏ ଗପ । କିଏ କହେ ସବ୍‌ଜାନ୍ତା ଭଙ୍ଗୀରେ, ଆହା ଜାଣି ନା ତମେ, ସେ ଯେ’ ପ୍ରଚୁର ଲାଞ୍ଚ ଖାଏ, ଦୁର୍ନୀତିରେ ବୁଡ଼ିଥିଲା । କ’ଣ କରନ୍ତା ଆଉ ? ଧରାପଡ଼ି ଅପଦସ୍ଥ ହେବା ଆଗରୁ ସେ ବାଟ କାଟିଦେଲା । କି ସୁନ୍ଦର ବ୍ୟବସ୍ଥା ! ଏବେ ସ୍ତ୍ରୀ-ପୁତ୍ର ସେହି ଧନ ନେଇ ଆନନ୍ଦରେ ରହନ୍ତୁ ।

 

ଆଉ କେହି ସେ କଥା କାଟିଦିଏ । ନାଁ, ମୋଟେ ନୁହେଁ । ସୁଦର୍ଶନକୁ ସେ ଜାଣେ ଭଲ ରକମ । ତାର ପ୍ରଚୁର ସମ୍ପତ୍ତି ଅଛି । ଗାଁରୁ ଧାନ ବିକା ଟଙ୍କା ଆସେ । ପୁରୀରେ ଗୋଟାଏ କୋଠା; ସେଠୁ ଭଡ଼ା ଆସେ । ତାର ଆଦୌ ଅଭାବ ନାହିଁ ବୋଲି ତମେ ଯୁକ୍ତି ଦବ ଯେ ସେ ଲାଞ୍ଚ ଖାଇ ଭଲରେ ଚଳେ ? ସେ ଖୁବ୍ ସଚ୍ଚୋଟ । ହେଲେ…..

 

ଆଉ କେହି ଏଇ ହେଲେ ପାଖରୁ ଆରମ୍ଭ କରେ-ଲୋକଟା କେଡ଼େ ପୋତାମୁହାଁ ଦେଖିଚ ? ଏଇ ତଳକୁ ମୁହଁପୋତିବା ଓ ଝିଅମାନଙ୍କୁ ଆଦୌ ନ ଚାହିଁବା ଲୋକଗୁଡ଼ାକ କିନ୍ତୁ ଅସଲ ଚୁପ୍‍ସଇତାନ ! ମୋର ଦୃଢ଼ ବିଶ୍ୱାସ, ଘଟଣାଟା ନିଶ୍ଚୟ ଏକ ନାରୀଘଟିତ ବ୍ୟାପାର । ସେ ଆଦୌ ସଚ୍ଚରିତ୍ର ନୁହେଁ ।

 

କେହି ଏ ଘଟଣାକୁ ସମର୍ଥନ କରେ, କେହି କରେ ନାଁ; ଆଉ କିଏ କହେ, ଘଟଣା ପୂରାପୂରି ପାରିବାରିକ । ସ୍ତ୍ରୀ ସହ ମନାନ୍ତର, ବଡ଼ ଧରଣର ମନାନ୍ତର । ଆଉ କିଛି ନୁହେଁ, ଆଉ କିଛି ନୁହେଁ ।

 

ଅନେକ ଦିନ ପର୍ଯ୍ୟନ୍ତ ଏ ଗୁଜବଟା ରହି ପରେ ପରେ ମିଳେଇଗଲା । ସୁଦର୍ଶନ ପାଇଁ ସଂସ୍କାର କରି, ତା’ ଲାଗି ମଥାରେ ପିନ୍ଧିଥିବା ସିନ୍ଦୂର, ହାତର କାଚ, ଦେହର ଭୂଷଣ ଓ ଜୀବନର ସୌଭାଗ୍ୟ ସବୁକୁ ସୁଦର୍ଶନର ଚିତାରେ ଜାଳିଦେଇ ଚିରଦିନ ଲାଗି ତା’ ଠୁ ମୁକ୍ତ ହୋଇ ମଧ୍ୟ, ତାର ପ୍ରିୟତମା ପତ୍ନୀ ନିହାରିକାର ମନେହେଉଥିଲା-ସୁଦର୍ଶନର ଜଞ୍ଜାଳ, ତାର ପ୍ରେମ, ପତିତ୍ୱ କେଉଁଠୁ ସେ ମୁକ୍ତ ହୋଇପାରିନି । ସୁଦର୍ଶନ ତାକୁ ଆହୁରି ନିବିଡ଼ଭାବେ ବାନ୍ଧି ରଖିଚି । ପୂର୍ଣ୍ଣତା ଠାରୁ ଶୂନ୍ୟତା ଏତେ ଗଭୀର ଭାବମୟ ହୁଏ କେମିତି ?

 

ନିଷ୍ଠୁର ସୂର୍ଯ୍ୟାଲୋକର ଔଜ୍ଜ୍ୱଲ୍ୟ ଭିତରେ; ରାତ୍ରିର ଛାୟାନ୍ଧକାର ଭିତରେ ନିହାରିକା ଯେତେବେଳେ ନିଜକୁ ଦେଖେ, ତାର ସିନ୍ଦୂରହୀନ ସୀମନ୍ତ, ଚୁଡ଼ିହୀନ ହାତ, ସାଧା ଧଳାର ସେ ଲୁଗାର ସେହି କାଙ୍ଗାଳିନୀ ବେଶକୁ ଲକ୍ଷ୍ୟକରେ । ତାର ବି ଇଚ୍ଛା ହୁଏ, ସେ ବି ବେକରେ ରଶି ଲଗାଇ କଡ଼ିରୁ ଝୁଲି ପଡ଼ନ୍ତା । ସେ ବଞ୍ଚନ୍ତା କାହିଁକି ଆଉ ? ଅହରହ ପ୍ରଶଂସା କରୁଥିବା ଏହି ଦେହଟାକୁ ଅସାର ତ ନୁହଁ, ଉପେକ୍ଷା ବି ସେ କରିଯାଇଚି । ଏ ସୀମନ୍ତ ଯଦି ଆରକ୍ତ ନ ହୁଏ, ଏ ସୁନ୍ଦର ହାତ ଯଦି ରୁଣୁଝୁଣୁ କାବ୍ୟ ସୃଷ୍ଟି ନ କରେ, କି ମୂଲ୍ୟ ତେବେ ବଞ୍ଚିରହିବା ଏହି କାଙ୍ଗାଳି ବେଶରେ ।

 

ପରମୁହୂର୍ତ୍ତରେ ଅଙ୍ଗସଜ୍ଜାର ଏକ ଚପଳ ଭାବାବେଶ କଟିଯାଇ ନିଜକୁ କିମିତି ସ୍ଥିର ଓ ଗଭୀର କରିପକାଏ । ଧୀରେ ଧୀରେ ଯେମିତି କେହି ତାକୁ ଗଭୀରରୁ ଆହୁରି ଗଭୀରକୁ ଟାଣିନେଇଯାଏ । ତଳକୁ ତଳକୁ । ନିହାରିକା ଶୂନ୍ୟଦୃଷ୍ଟିରେ ଚାହିଁରହେ ଅନେକ ମୁହୂର୍ତ୍ତ । ନୀରବରୁ ନୀରବତର ହୁଏ ସତ୍ତା । ସେଠି ବେଦନା, କ୍ଷତ, କି ଜ୍ୱାଳା ନିହାରିକାକୁ କେମିତି କଅଣ କରିପକାଏ-! ସେ ସୁଦର୍ଶନକୁ ଭାବୁ ଭାବୁ ଦୀର୍ଘଶ୍ୱାସ ଛାଡ଼େ । ଜଣେ ଜଣେ ଲୋକ ଥାଆନ୍ତି, ସେ ଖୁବ୍ ମନ ନେଇ ଜାଣନ୍ତି । ସୁଖ ଦେଇ ଜାଣନ୍ତି, ଆନନ୍ଦରେ ଅଣନିଃଶ୍ଵାସୀ କରିପକାନ୍ତି । ଅଥଚ ନିଜେ ଟିକେ ବି ଖୁସି ହୁଅନ୍ତି ନାଇଁ ସେଇ ଲୋକଟା, ସେଇ ଲୋକଟା ସୁଦର୍ଶନ । ଆଜି ଯାଏଁ ସେ ତାକୁ ଅମୃତ ପିଆଉଥିଲା । ଆଉ ଆଜି, ଆଜି ପରିଷ୍କାର ହୋଇଗଲା, କେତେ ଦୁଃଖୀ ସେ, କେତେ ଦୁଃଖୀ । ଯିଏ ଗୁଲିଗୁଲିଆ ପୁଅଝିଅ ଓ ସ୍ତ୍ରୀର ବନ୍ଧନ ଛିଣ୍ଡାଇ ମୃତ୍ୟୁ ବରେ, କେତେ ଦୁଃଖୀ ସେ ! କେତେ ଦୁଃଖୀ !

 

ପାଗଳିନୀ ପରି ନିଜକୁ ବଡ଼ ଅସ୍ଥିର କରିପକାଏ ନିହାରିକା । ନାଁ, ନାଁ ତମେ ଫାଙ୍କି ପାର ନା, ତମେ ଫାଙ୍କି ପାର ନା, ଦି ପଦ ଲେଖି, ତମେ ଏ ଦୁନିଆକୁ, ଏ ଲୋକଙ୍କୁ ଭୁଲାଇପାର । ମାତ୍ର ମୋତେ ? ତମର ନିହାରକୁ ? ଯେଉଁ ନିହାର, ତମ ମନର ସମସ୍ତ ମଧୁକୁ ଶୋଷିନେଇ ଜାଣିଛି, ଯିଏ ତମ ମନପ୍ରାଣ ଆତ୍ମାରେ ରନ୍ଧ୍ରେ ରନ୍ଧ୍ରେ କୀଟ ପରି ଘୂରିବୁଲୁଚି, ତମେ ତାକୁ ଫାଙ୍କିପାରିବ ନାହିଁ, କେବେ ନୁହଁ, ତମେ ତାକୁ କହିବ; ନିଶ୍ଚୟ କହିବ । କାହିଁକି ତମେ ୟା କଲ ? କଣ ତମେ ଚାହୁଁଥିଲ ? ତମ ମନରେ କ’ଣ ଏମିତି ଦୁଃଖ ଥିଲା ଯେ ତମେ ଶେଷକୁ ଆତ୍ମହତ୍ୟା କରିଦେଲ ? ଆଜି ମୁଁ ନିଶ୍ଚୟ ଶୁଣିବି । ନିଶ୍ଚୟ ତମଠୁ ଏ କଥା ଆଦାୟ କରିବି । ନିଶ୍ଚୟ, ନିଶ୍ଚୟ ।

 

ବାୟାଣୀ ପରି ନିହାରିକା ଧାଇଁଗଲା । ଲୁଗା ଖସି ପଡ଼ିଚି, କେଶ ଆଲୁଳାୟିତ । ଧଳା ଛେଦାଲୁଗା ସାଙ୍ଗକୁ ଭୂଷଣହୀନ ଅବସନ୍ନ ଦେହ ଏକ ଉଦାସ ଗୋଧୂଳିର ଧୂସର ଛାୟା ପରି ଖାଁ ଖାଁ କରି ଉଠୁଥିଲା । ସେ ଯାଇ ସେଇ ନୀରବ କୋଠରୀରେ ଛିଡ଼ାହେଲା; ଯେଉଁ କୋଠରୀରେ ସୁଦର୍ଶନର ଏକ ବଡ଼ ଫଟୋ ଟଙ୍ଗା ଯାଇଥିଲା । ସେଇ ଫଟୋ ପାଖରେ ଅଜାଡ଼ି ହୋଇ ପଡ଼ିଲା ନିହାରିକା । ମତେ ସୁଖୀ କରିବା ଲାଗି, ନିଜର ସର୍ବସ୍ଵ ଦେବା ଲାଗି ତମେ ସବୁବେଳେ କହ, ଆଉ ସେଥିପାଇଁ କଣ ମତେ ଅଶ୍ରୁର ଏକ ଅସରା ନଦୀ କରି ଦେଇଗଲ ?

 

ସୁଦର୍ଶନର ବଡ଼ ଫଟୋଟି ସେମିତି ଗମ୍ଭୀର ଓ ନିର୍ଲିପ୍ତ ହୋଇ ଝୁଲୁଥିଲା । ସେଇ ଅସୁନ୍ଦର ମୁହଁର ସେହି ସୁନ୍ଦର କଳା କଳା ଆଖି ଦୁଇଟି । ସେହି ପ୍ରଥମ ଦିନର ଚାହାଣି ଭଳି କେମିତି ଏକ ଅବ୍ୟକ୍ତ ଆବେଗରେ ଛଳ ଛଳ ହୋଇ ଉଠିଲା । ଫଟୋଟିକୁ ନିର୍ନିମେଷ ନୟନରେ ଚାହିଁରହିଲା ନିହାରିକା ଅନେକ ବେଳଯାଏ । ପରେ ତାକୁ କାନ୍ଥରୁ ଆଣି ଦୁଇ ହାତରେ ଆଖି ସାମ୍ନାରେ ତୋଳି ଧରିଲା-କହ, କାହିଁକି ଏତେ କପଟ କରି ଗଲ ? କହ, କ’ଣ ତମର ଦୁଃଖ ଥିଲା-? ନଚେତ୍, ନଚେତ୍ ମୁଁ ପାଗଳ ହେଇଯିବି, ମୁଁ ଧ୍ଵଂସ ହୋଇଯିବି ! କହ କ’ଣପାଇଁ, କ’ଣ ପାଇଁ-?

 

ଫଟୋଟା ତ ଉତ୍ତର ଦେଲା ନାହିଁ, ବରଂ ଜଣାଗଲା, ତାର ଏକ ମାୟା-ମୁଗ୍‌ଧ ସ୍ପର୍ଶରେ ନିହାରିକା ଅଭିଭୂତ ହୋଇ ଉଠୁଚି । ତାର ପ୍ରତି ଅଙ୍ଗପ୍ରତ୍ୟଙ୍ଗ ଭରା ଯେମିତି ଏକ ଭିଜା ଭିଜା ଅନୁଭୂତିର ନିର୍ଯ୍ୟାସ । ସୁଦର୍ଶନ ତାକୁ ବାନ୍ଧି ରଖିଚି, କେଡ଼େ ମମତାରେ ସତେ ସେ ଆଖି ତୋଳି ପୁଣି ଗଭୀର ଭାବେ ନିରୀକ୍ଷଣ କଲା । ସେଇ ଢଳ ଢଳ ଆଖି ଦୁଇଟି । ଆଖି ଦୁଇଟିର ଅତଳ ବିନ୍ଦୁଟି ପର୍ଯ୍ୟନ୍ତ ତୀକ୍ଷ୍‌ଣ ତୀରଟିଏ ପରି ଗଳିଯିବା ପାଇଁ ନୀହାରିକା ଯେମିତି ଉନ୍ମୁଖ ହୋଇଉଠିଲା-। ସେ ଧୀରେ ଧୀରେ ବୁଡ଼ୁଥିଲା ଆଚ୍ଛନ୍ନ ହେଲା ଭଳି । ଶୂନ୍ୟତା ସତେ ଏତେ ଶ୍ରୀମନ୍ତ, ଏତେ ପ୍ରାଣବନ୍ତ ହୁଏ କେମିତି ?

 

ପ୍ରଥମ ଦିନ ରାତିରେ ସେ ତାର ଅବଗୁଣ୍ଠନ ଅପସାରି କହିଥିଲେ, ନିହାରିକା, ଭାରି ସୁନ୍ଦରୀ ତମେ ! ତମ ପାଇଁ ମୁଁ ଏକାନ୍ତ ଅଯୋଗ୍ୟ । ତେବେ ବି ମୁଁ ତମକୁ ସୁଖୀ କରିବି । ମୋର ସର୍ବସ୍ଵ ଦେଇ ମୁଁ ତମକୁ ସୁଖରେ ରଖିବି ।

 

ଜଣେ ଜଣେ ଲୋକ ଥାଆନ୍ତି, ସେମାନେ ନିଜକୁ ଏତେ ହୀନ ଭାବନ୍ତି କାହିଁକି ? କାହିଁକି ଭାବିଲା ସୁଦର୍ଶନ ସେ ନିହରିକାର ଅଯୋଗ୍ୟ ବୋଲି । ଦେଖିବାକୁ ସେତେ ଭଲ ନୁହେଁ, ଏଇ କ’ଣ ସେହି ହୀନ ମନୋଭାବର ମୂଳ ? ମଣିଷର ରୂପକୁ ନେଇ, ମନପୂରାଇ ହୁଏ ? ସୁଖ ପାଇ ହୁଏ ? କାହିଁକି ତେବେ ସେ କହିଲା ଏ କଥା ? ସେଇ କଥାକୁ ସେ ପାଳନ କରି ଆସିଚି; ଅକ୍ଷର ଅକ୍ଷର କରି ବାର ବର୍ଷ ଧରି । ନିହରିକାର ଦେହ ମନ ପ୍ରାଣ ତ କେବଳ ନୁହେଁ, ନିମିଷ ନିମିଷ ଧରି ଫୁଟି ଉଠୁଥିବା ସମସ୍ତ ଖିଆଲ, ତୃଷା, ଆବେଗକୁ ବଡ଼ ସରାଗରେ ସେ ସାର୍ଥକ କରିଚି-। ସେ କେବଳ ତାର ସ୍ଵାମୀ ନୁହେଁ । ସେ ସ୍ୱାମୀଠାରୁ ଅନେକ; ବିପୁଳ ! ସେ ସବୁ ଅନୁଭୂତିର ଊର୍ଦ୍ଧ୍ଵରେ ।

 

ମାସ ମାସ ଧରି ବାପଘରେ ରହି, ଫେରିଆସି, ନିହାରିକା ଯେବେ କ୍ଷମା ମାଗେ, ସ୍ଵଭାବସୁଲଭ ହସରେ ନିହାରିକାକୁ ଭସେଇ ଦେଇ ସେ କହେ, ୟେ’ କଣ ଏକ ଅପରାଧ ଯେ କ୍ଷମା ଚାହୁଁଚ ? ତମର ଯଦି ଆନନ୍ଦ ହେଲା, ସେ ଆନନ୍ଦରେ ମୁଁ ବି ହକଦାର । ଅବଶ୍ୟ ବିଚ୍ଛେଦ ମୁଁ ଭୋଗିଚି ଖୁବ୍ । ତଥାପି ଭଲପାଇବା ତ କେବଳ ଭୋଗସର୍ବସ୍ଵ ନୁହେଁ…

 

କେତେ ସୁନ୍ଦର କଥା ସେ କହି ଜାଣୁଥିଲା ? ଏମିତି ସସ୍ନେହ କଥାରେ, ପ୍ରଲୁବ୍‌ଧ କରି ରଖିବା ଲୋକ ଖୁବ୍ କମ୍ ଦେଖିଚି ନିହାରିକା । ମନ କଥା ସେ ଜାଣେ ଖୁବ୍ ଅସମ୍ଭବ ଭାବେ । କେଉଁଦିନ ନିହାରିକାର କ’ଣ ମନହୁଏ, ସେ କଥା ସତେ ସେ ଜାଣେ କେମିତି ? ଟିକିଏ ମୁହଁ ଶୁଖାଇ ବସିଲେ, ରାଣ ନିୟମ ପକାଇ କ’ଣ ହେଲା ବୋଲି ଅଥୟ କରିଦିଏ । ସତରେ କ’ଣ ନିହାରିକାର କିଛି ଦୁଃଖ ଥାଏ ଜାଣି ଜାଣି ମିଛରେ ସେ ମୁହଁଶୁଖାଇ ବସେ ? ଖାଲି ସୁଦର୍ଶନର ଆକୁଳତାକୁ ଲୋଭ କରି । ସୃଷ୍ଟିର ବୈଚିତ୍ର୍ୟ ତ ଏଇ । ଯିଏ କଣିକାଏ ଜଳ ଚାହେଁ, ତା’ଲାଗି ମରୁଭୂମି ଅସରା ହୋଇ ରହେ । ଯିଏ ଅଗାଧ ପୁଷ୍କରିଣୀରେ ପଦ୍ମ ପରି ଖେଳୁଥାଏ, ତାର ତୃଷାର ଶେଷ ନାହିଁ । ସୁଦର୍ଶନର ମତକୁ ଆହୁରି ଆହୁରି ନିଗାଡ଼ି ନିଃଶେଷି ନେବା ପାଇଁ ଲୋଭ କରି କରି ବାରମ୍ବାର ନିହାରିକା ରୁଷି ବସୁଥିଲା । ଅଭିମାନ କରୁଥିଲା । କଥା କହୁ ନ ଥିଲା ।

 

ସେଥର ପୁଅ ଏକୋଇଶାକୁ ଦବାନବା କଣ ଟିକିଏ ଊଣା ହେଲା ବୋଲି ଶାଶୁ ଖୁଣୀ ଥିଲେ । ସେତିକିରେ ସାରାଦିନ କାନ୍ଦିଥିଲା ନିହାରିକା । ଖୁଡ଼ୀଶାଶୁ, ଯାଆ, ନଣନ୍ଦଙ୍କ ସାମ୍ନାରେ ନିହାରିକାର ହାତ ଧରିପକାଇ ସୁଦର୍ଶନ କହିଥିଲା, କ’ଣ ହେଲା ନିହାର୍‍ର ? କାହିଁକି କାନ୍ଦୁଚ ? କିଏ କ’ଣ କହିଲା ? ଅପ୍ରସ୍ତୁତ ହୋଇ ସେଠୁ ଛାଟିପିଟି ହୋଇ ପଳାଇଥିଲା ନିହାରିକା । ଖୁଡ଼ୀଶାଶୁଙ୍କ ମୁହଁ ମୋଡ଼ା, ଯା’ଙ୍କର ବଙ୍କାହସ, ସବୁ ସେ ଦେଖିଚି । ସୁଦର୍ଶନ ସିନା ହୁଣ୍ଡାଟାଏ, କିଛି ଜାଣିପାରେ ନା ।

 

ସତରେ କିଛି ସେ ଜାଣିପାରେ ନି । ଅଥଚ ସେଇ ହୁଣ୍ଡା ଲୋକଟା କେତେ ବିଶ୍ଵସ୍ତ । ସାନ ଭଉଣୀକୁ ଗୋଟିଏ ସୁନାହାର ଦେଇଥିଲା ନିହାରିକା । ଏ କଥା ତା’ ବୋଉ-ବାପାଙ୍କୁ କେବେ କହିନି ସୁଦର୍ଶନ । ନିହାରିକାକୁ ଶାଶୁ ଯାଆଙ୍କ କବଳରୁ କେତେ ସେ ରକ୍ଷାକରିଛି ରାତିରାତି ଧରି ଗପିଚି ଜୀବନର ଗପ, ଟିକିନିଖି, ପିଲାଦିନେ ପଇସା ଚୋରୀ, କଲେଜ ଜୀବନରେ ବୋଉର କାନଫୁଲ ଚୋରୀ ସବୁ କହିଛି ସୁଦର୍ଶନ । ମାଟ୍ରିକ ପଢ଼ିଲାବେଳେ ଥରେ କେଉଁ ଝିଅ ଉପରକୁ ଗୋଟାଏ ପ୍ରେମ ଚିଠି ଫୋପାଡ଼ି ଥିଲା, ସେ କଥା ବି ବାଦ୍ ଦେଇ ନି । ଏକୁ କହିଲା ପରେ ଉଦାସ ଭଙ୍ଗୀରେ କହିବ, ନିହାର, ଏସବୁ ଶୁଣି ରାଗିଲ କି ? ଘୃଣାକଲ କଣ ମତେ ?

 

ବାରବର୍ଷ ବିବାହିତ ଜୀବନରେ ଏମିତି ଅନେକ ଅନେକ ଘଟଣା ନିହାରିକାର ମନ ଆଲବମ୍‌ରେ ଗୋଟି ଗୋଟି ଖଞ୍ଜାହୋଇ ରହିଛି । ଆହା, ଆଜି ତ ସେଗୁଡ଼ିକ ଏକ ସୁରଭିତ ଉପବନ ହୋଇଯାଇଚି ।

 

ବେଳେ ବେଳେ ସେ ଅନ୍ୟମନସ୍କ ହୁଏ । ଭାବପ୍ରବଣ ବି । କ’ଣ ଭାବେ କେଜାଣି ? ଅନେକ ସମୟ ଚୁପ୍ ହୋଇ ବସେ । ସେଇ ବେଳର ଉଦାନ ଚେହେରା ନିହାରିକାକୁ ଭାରି ଭଲ ଲାଗେ । ସେ ପାଖକୁ ଗଲେ, ସୁଦର୍ଶନ ତା’ର ଶାଢ଼ୀର ଅଞ୍ଚଳରେ ନିଜର ମୁହଁ ଲୁଚାଇ କହେ, ‘ନିହାର, ତମ ପାଖରେ ମୁଁ ନିଜକୁ ଛୋଟ ଶିଶୁଟିଏ ପରି ଉତ୍ସର୍ଗ କରିଚି । ତମେ ମତେ ଲାଳନ କର-। ଆଶ୍ରୟ ଦିଅ ।’

 

କ’ଣ ୟାର ଅର୍ଥ ? ହାୟ, ହାୟ, ଏଡ଼େ ହୁଣ୍ଡାଟାଏ ଥିଲା ତାରି କପାଳକୁ; କିନ୍ତୁ ସେ ଲୋକଟା କେତେ ସୁଖ ନ ଦେଇଚି, ସେଇ ଅସୁନ୍ଦର ଚେହେରାର ନିଭୃତ ମନଟା କେତେ ସୁନ୍ଦର ନୁହେଁ ! ସେଇ ସୌନ୍ଦର୍ଯ୍ୟ ତ ନିହାରିକାକୁ ବାନ୍ଧି ରଖିଚ ଏତେ ଦୃଢ଼ଭାବେ ।

 

ଅଫିସରୁ ଫେରି ପିଲାଙ୍କୁ ଧରି ଆଗ ସେ ଗୁଡ଼ାଏ ଖେଳିବ । କାହାକୁ କାନ୍ଧରେ, କାହାକୁ ପିଠିରେ ଧରି ଏପାଖ ସେପାଖ ହେବ । ନିହାରିକା ବିରକ୍ତ ହୁଏ । କି ଅଜବ ଲୋକ ତମେ ! ସେଇ ସକାଳୁ ଯାଇଛ ଯେ ଏ ଯାଏଁ ଭୋକ ହଉନି ? କେତେ ଡାକୁଚି ମୁଁ, ଶୁଭୁନି ? ହସି ହସି ଉତ୍ତର ଦିଏ ସୁଦର୍ଶନ, ଏମାନଙ୍କୁ ଦେଖିଲେ ପେଟ ପୂରିଯାଉଚି, ଭୁଲିଯାଉଚି ଯେ ମୋର କ୍ଷୁଧା ଅଛି, ବିଶ୍ୱାସ କର ନିହାର, ସତରେ !

 

ସେଇ ଲୋକଟା, ସଦା ଆନନ୍ଦର, ସଦା ହସଖୁସୀର, କ’ଣ ତା’ର ହେଲା ? କ’ଣ ହେଲା ସତେ ?

 

ସେଇ ଦିନଟା….ହଁ, ସେଇ ଦିନଟା ତା ସମୟରୁ ବିଚ୍ଛନ୍ନ, ସବୁଦିନ ପରି ସେ ଦିନଟା ତ ମୋଟେ ନୁହେଁ, ନୁହେଁ, ନୁହେଁ । ଅଫିସରୁ ଫେରିଲେ ଦାଣ୍ଡରୁ ସେ ଡାକେ । ସେଥିପାଇଁ କେତେ ବିରକ୍ତ ନ ହୁଏ ନିହାରିକା ? ସେ ଦିନ ଆଉ ଡାକ ଶୁଭିଲାନି, ରୋଷେଇ ଘରେ, ଅଶ୍ଵସ୍ତି ଲଭିଲା ନିହାରିକା । ଏ ଯାଁ ଫେରିନି ସୁଦର୍ଶନ ? କ’ଣ ସାଢ଼େଚାରି ହୋଇ ନାହିଁ ?

 

ଘଣ୍ଟା ଦେଖିବାକୁ ଶୋଇଲା ଘରକୁ ଆସି ଚମକିପଡ଼ିଲା ନିହାରିକା । ଅଫିସରୁ ଫେରି ପୋଷାକ ନ ବଦଳାଇ, ଚେଆରରେ ମୁହଁ ଶୁଖାଇ ବସିଚି ସୁଦର୍ଶନ । ନିହାରିକା ପାଖକୁ ଯାଇ ପଚାରିଲା, ଏମିତି କାହିଁକି ବସିଛ ? ସୁଦର୍ଶନ ସେମିତି ଛେପ ଢୋକି କହିଲା–କିଛି ନୁହଁ । ନୂଆ କେଶ୍‌ଟାଏ ଆସିଚି, ସେଇ କଥା ଭାବୁଥିଲି ।

 

ନିହାରିକା ରୋଷେଇଘରକୁ ଚାଲିଆସିଲା ଜଳଖିଆ ନେବା ପାଇଁ । ଜଳଖିଆ ଆଣି ସୁଦର୍ଶନ ସାମ୍ନାରେ ଥୋଇଦେଇ ପୁଣି ରୋଷେଇଘରକୁ ଚାଲିଗଲା ନିହାରିକା । ଆଃ ! ରହିଥାନ୍ତା ହେଲେ ! ଠିଆ ହୋଇଥାନ୍ତା ହେଲେ ପାଖରେ, କାହିଁକି ସେ ଚାଲିଆସିଲା ? ତରକାରିକୁ ପାଣି ମରିଯାଇଥିଲା, ପୋଡ଼ି ଯାଇଥାନ୍ତା । ତରକାରିକୁ ପୋଡ଼ିବାକୁ ନ ଦେଇ ନିଜ ଜୀବନକୁ ସେ ପୋଡ଼ି ଦେଇ ଆସିଲା ସେଇ ମୁହୂର୍ତ୍ତରୁ…ସେଇ ମୁହୂର୍ତ୍ତରୁ…କାହିଁକି ୟା କଲି ! କାହିଁକି ଚାଲି ଆସିଲି ସତେ-! ଟିକେ ହେଲେ ଥାଆନ୍ତି ପାଖରେ । ଖୁସୀ ଗପ କରିଥାନ୍ତି । ମନ ଭୁଲାଇଥାନ୍ତି ତାର । ହାତ ଧରି ବଗିଚାକୁ ଟାଣିଥାନ୍ତି, ଜବରଦସ୍ତ ସିନେମା ନେଇଥାନ୍ତି । ପିଲାମାନଙ୍କୁ ଆଣି ତା’ ଚାରିପାଖରେ ବେଢ଼ାଇ ରଖିଥାନ୍ତି । ହସି ନ ଥାନ୍ତା ସେ ? ଖୁସୀ ହୋଇ ନ ଥାନ୍ତା ? ମୁଁ ତ ମନ ଖରାପ କଲେ ସେ ଏମିତି ମୋ’ ପଛେ ପଛେ ଛାଇ ପରି ରହି ମତେ ହସାଏ, କୁତୁକୁତୁ କରେ । ଠିକ୍ ସେମିତି ତାକୁ ହସେଇଥାନ୍ତି ମୁଁ । ମୁହିଁ ଚଣ୍ଡାଳୁଣୀ ସବୁ ସାରି ଦେଇ ବସିଲି । ତାକୁ ମନଦୁଃଖ ଅବସ୍ଥାରେ ଏକା ଛାଡ଼ି ଆସିଲି । ମୁଁ କିମିତି ଜାଣନ୍ତି କହ ? ମୁଁ ତ ଜାଣିଥିଲି ମୋର ସେଇ ଚେନାଏ ଅଞ୍ଚଳକୁ ଅଝଟ ଶିଶୁପରି ସେ ଜୋରରେ ମୁଠେଇ ଧରିଚି । ମୁଁ କିମିତି ଜାଣନ୍ତି ତାକୁ ତୁଚ୍ଛ କରି ସେ ଛାଡ଼ି ଚାଲିଯିବ !

 

ରୋଷେଇଘରୁ ଫେରିଲାବେଳକୁ ସେ ଖାଇ ସାରିଥିଲେ । ପିଲାଙ୍କୁ ଖୋଜିଲେ ନାହିଁ । ଚୁପ୍‌କିନା ଚାଲିଗଲେ । ସବୁଦିନ ତ ସେ କ୍ଳବକୁ ଯାଇ ରାତି ନଅଟାରେ ଆସନ୍ତି । ଆଜି କ୍ଳବକୁ ଗଲେ କି କୁଆଡ଼େ ଗଲେ, ମୁଁ ବା ପଚାରନ୍ତି କାହିଁକି ? ଠିକ୍ ସମୟରେ ଫେରିଲେ । ଖାଇବାକୁ ଦେଲି । ଖାଇ ବସିଲେ ସେମିତି ଉଦାସ ହୋଇ । ସବୁଦିନ ପରି ପଚାରିଲେ ନାଇଁ, ତମେ ଖାଇବ ନି ? ହୁଏ ତ ଆଉ ପଚାରିବା ଦରକାର ନ ଥିଲା । ଠିକ୍ ସେତିକିବେଳକୁ ସାନ ପିଲାଟା କାନ୍ଦି ଉଠିଲା ରାହାଧରି ସତରେ କ’ଣ ସେ ଦିନ ବିଧାତା ମୋ’ ଲାଗି ସବୁ ଅଘଟଣ ସୃଷ୍ଟି କରିଥିଲା ? ପୁଅକୁ ବୁଝେଇ ଶୋଇ ପକାଇବାକୁ ମୁଁ ଚାଲି ଆସିଲି । ପୁଅକୁ ଶୁଆଉ ଶୁଆଉ କେତେବେଳେ ଶୋଇପଡ଼ିଚି ମୁଁ ଏଡ଼େ ନିଦରେ ଯେ ସେ ନିଦ ଆଉ ଭାଙ୍ଗିଲା ନାହିଁ…. ।

 

ସାରା ରାତି କେମିତି ଶୋଇଲି ସତେ ଏଡ଼େ ନିଦରେ ? ନ ହେଲେ ମୁଁ ତ ତାକୁ ଭୁଲେଇ ରଖିପାରିଥାନ୍ତି; ଗପ କହି କହି ତାକୁ ଶୁଆଇ ଦେଇଥାନ୍ତି । ଏଡ଼େ ନିଦରେ ମୁଁ ଶୋଇଲି । ସେ ଘରେ ସେ କେତେ ବାଡ଼େ ପିଟି ହୋଇଚନ୍ତି । ଗଣ୍ଠି ଆଣ୍ଠୁ ହାଡ଼ ସବୁ ଛିଡ଼ି ଯାଇଛି । କେତେ ଚିତ୍କାର କରିଚନ୍ତି । ମୁଁ କିଛି ଜାଣିଲି ନାହିଁ କେମିତି ଜାଣନ୍ତି ? ବିଧାତା ତ ମତେ ସେଦିନ ପାଷାଣ କରି ଦେଇଥିଲା । କେବଳ ମୋରି ପାଇଁ, ମୋ’ରି ଅସାବଧାନତା ପାଇଁ ସେ ସିନା ୟା କରି ବସିଲେ… !

 

ନିହାରିକା ଦୃଷ୍ଟି ତୋଳି ଫଟୋଟିକୁ ଚାହିଁଲା । ଆଖିର ଲୁହରେ ସେଇଠି ବୁଡ଼ିଗଲାଣି । ସେମିତି ସେ ଚାହିଁ ଚାହିଁ କହିଲା, “କେତେ କଥା ଲୋକେ କହୁଛନ୍ତି, କେତେ ମନଜଳା କଥା । ବିଶ୍ଵାସ କର, ସେମାନଙ୍କ କଥା ମୁଁ କିଛି ଶୁଣୁନି, ମୁଁ ତମକୁ କେବେ ଅବିଶ୍ଵାସ କରୁନି । ସେମାନଙ୍କ କଥା ମୁଁ ଶୁଣିବି କାହିଁକି ? ମୋ’ଠାରୁ କ’ଣ ବେଶି ଜାଣନ୍ତି ସେମାନେ ତମକୁ ? ତଥାପି…ତଥାପି… ଏଇଠି ଛାତିରେ ମୋ’ କଣ୍ଟା ଲାଗିଯାଇଚି, କାଢ଼ି ହଉନି । ତମ ଜ୍ଵାଳାଠୁ ମୋ’ ଜ୍ଵାଳା ଯେ ଅଧିକ ଅତ୍ୟଧିକ ।”

 

ସେଦିନ ତମ ଭାଇ ଓ ସାଙ୍ଗ କେତେ ଜଣ ଆସିଥିଲେ, ତମ କଥା କେତେ ଟିକି ନିଖି ପଚାରିଲେ ମତେ । ତମେ ସରକାରୀ ଟଙ୍କା ଆତ୍ମସାତ କରିଥିଲ କି ନାହିଁ, ଅଫିସ କାର୍ଯ୍ୟରେ କୌଣସି ଅସଂଗତି ସୃଷ୍ଟି କରିଥିଲ କି ନାହିଁ । ପଚାରି ପଚାରି ବ୍ୟସ୍ତ କରିଦେଲେ ମତେ । ସେ ଦୃଢ଼ଭାବେ କହିଲେ, କିଛି ରହସ୍ୟ ନିଶ୍ଚୟ ଅଛି । ସେଥିରେ ଜୋର ଦେଲା, ମୋ ଭଉଣୀ ମନିକା । ସେ କ’ଣ କହିଲା ଜାଣ ? ସେ କହିଲା–ଅପା ଭାଇ ତତେ ନିଃସ୍ଵାର୍ଥ ଭାବେ ଏତେ ଭଲପାଉଥିଲେ କାହିଁକି ? ତତେ ଏତେ ସୁଖୀ କରିବାକୁ କହୁଥିଲେ । କାହିଁ କି ? ହୁଏ ତ ତା’ ପଛରେ ତାଙ୍କର ଏକ ମସ୍ତ ବଡ଼ ଦୁର୍ବଳତା ଥିଲା ।

 

ଓଃ…କ’ଣ କହିବି ସେ କଥା…ସେ କହିଲା ମଣିଷର ମନ କଥା । କେତେ ଚମତ୍କାର ମନ ବିଶ୍ଳେଷଣ କରିଦେଲା । ରାଗ ଲାଗିଲା ମତେ, ତମେ ନାହଁ ବୋଲି ତମକୁ ଅପମାନ ଦବ ସେ ? ପୁଣି ହସ ମାଡ଼ିଲା…କାନ୍ଦ ବି ତା’ ଠାରୁ ଅଧିକ । ବାର ବର୍ଷ ମୁଁ ତମ ସାଙ୍ଗେ ଏକାଠି ଚଳିଚି, ମୁଁ ତମକୁ ଜାଣି ନି ? ସେ ପୁଣି କହିବ ତମକୁ… । ହୁଁ, ଏଡ଼େ ସତୀ ସେ ?

 

ତୁମେ ବିଶ୍ୱାସ କର । ତମକୁ କେତେ ବିଶ୍ୱାସ କରୁଚି ମୁଁ ଆଜି । କିଛି କଥା କାହାରି ଶୁଣୁନି । ତମେ କେତେ ଭଲ, କେତେ ମହତ୍, କେଡ଼େ ଉଦାର ! ତମର ବର୍ତ୍ତମାନରେ କେତେ ବୁଝୁଚି ମୁଁ । ବେଳେ ବେଳେ ତମର ହୁଣ୍ଡାପଣ ଯୋଗୁଁ କେତେ ଚିଡ଼େ ମୁଁ । ରାଣ ଅଛି, ଆଜି କିଛି ମୁଁ ଚିଡ଼ୁନି । ଆଜି ସବୁ ତମର ମତେ ଏତେ ଭଲଲାଗୁଚି । ମୁଁ ଏଇ ଭଲ ଲାଗିବା ଭିତରେ ସାରା ଜୀବନ ବିତାଇ ଦେବି । ତଥାପି…ତଥାପି ଏଇଠି କ’ଣ ଛାତିରେ ଅଟକି ଯାଇଚି । ଭୀଷଣ କଷ୍ଟ, ତମେ ରକ୍ଷାକର ମତେ । ଏ କଷ୍ଟ ଆଉ ସହି ପାରିବି ନାଇଁ । ଏ ଧୂଳି ତମେ ପରିଷ୍କାର କରିଦିଅ ।

 

ନିହାରିକା ସେମିତି ସୁଦର୍ଶନକୁ ଚାହିଁଥିଲା । ତାକୁ ଜଣାଗଲା, ତା’ଆଖିର ପଲକ ପଡ଼ୁଚି ଉଠୁଚି । ସେ ବାରମ୍ବାର ତାକୁ ମିଟି ମିଟି କରି ଚାହୁଁଚି । ସେ କ’ଣ ଅଳ୍ପ ଅଳ୍ପ ହସୁଚି ? କହୁଚି କି ସେ କିଛି ? ଏଁ, ହଁ, କିଛି ସେ କହୁଚି । ଖୁବ୍ ଅସ୍ପଷ୍ଟ ଭାବେ । କ’ଣ ସେ କହୁଚି ?

 

ହଠାତ୍ କେମିତି ଚମକି ପଡ଼ିଲା ନିହାରିକା । ହଠାତ୍ କେହି ଯେମିତି ଆସି ତା’ମନକୁ ଧରି ଧକ୍‌କା ଦେଇ ଦୋହଲାଇ ଦେଇଗଲା । ତାକୁ ଜଣାଗଲା କି ଏକ ଆବେଗରେ ସେ ଥର ଥର ହେଉଚି । ସେ ସୁଦର୍ଶନ ଫଟୋକୁ ପୁଣି ଚାହିଁଲା । ପୁଣି ସେହି ଅଳ୍ପ ହସ, ଅସ୍ପଷ୍ଟ କଥା । ଓଃ…ନିହାରିକା ଫଟୋଟିକୁ ଆଣି କାନ୍ଥରେ ଝୁଲାଇ ଦେଲା । ଆସ୍ତେ ଆସ୍ତେ ଘୁଞ୍ଚିଆସିଲା ଦୂରକୁ । ଏମିତି ଚାହୁଁଚି କାହିଁକି ? ଏ ତ ମୁହୂର୍ତ୍ତକ ତଳର ଚାହାଣୀ ନୁହେଁ । ନାଁ, ଏମିତି ନିରେଖିଲା ଭଙ୍ଗୀରେ ଚାହଁ ନା, ଏମିତି ବଙ୍କା କଥା କୁହନା ସ୍ପଷ୍ଟ କୁହ, ସ୍ପଷ୍ଟ ଚାହଁ ମତେ । କହ; ମତେ ସନ୍ଦେହ କରିଚ ? ମୋର ଅତୀତ ତମର ପ୍ରଶ୍ନବାଚୀ ହୋଇଚି ? କୁହ ଠିକ୍ ନୁହେଁ, ଠିକ୍ ନୁହେଁ ଏ କଥା ? ତେବେ ଏତେ ଛଳନା କଲ କାହିଁକି ? କାହିଁକି ଏତେ ବଡ଼ କଥାକୁ ମନରେ ଚପାଇ ରଖିଦେଲ । କାହିଁକି ପଚାରିଲ ନାହିଁ ମତେ କିଛି ? କାହିଁକି ତମେ କହିଲ ନାହିଁ ଯେ ନିହାର ତମେ କୁହ… ।

 

ନାଁ ତମେ ପ୍ରତିଶୋଧ ନେଇଚ, ତମେ ଠିକ୍ ଦଣ୍ଡ ଦେଇ ଜାଣିଚ । ବିଚାର ବିଭାଗୀୟ ସୁଦକ୍ଷ ମାଜିଷ୍ଟ୍ରେଟ ତମେ ନାଁ, ତମର ସ୍ତ୍ରୀ ହୋଇ ତମଠୁ କେମିତି ଅନ୍ୟାୟ ବିଚାର ଅଶାକରନ୍ତି ? ତମେ ମତେ ଠିକ୍ ଦଣ୍ଡ ଦେଇଚ, ନିଜକୁ ମାରି ମୋ’ ଉପରେ ତମେ ଠିକ୍ ପ୍ରତିଶୋଧ ନେଇଚ, ତଥାପି ଅବୁଝା ମନ ଅସ୍ଥିର ହେଉଚି, ତମେ ଥରେ ମତେ କିଛି କହିଲ ନି କାହିଁକି ?

 

ନିହାରିକା ଢୁ ଢୁ କରି ମୁଣ୍ଡ ପିଟିଦେଲା ସୁଦର୍ଶନର ନିର୍ଜୀବ ଫଟୋ ଉପରେ । ଝଣ ଝଣ କରି ସବୁ କାଚ ଝରିପଡ଼ିଲା । ଧାର ଧାର ରକ୍ତରେ ତାର ଶାଢ଼ି ଭିଜିଗଲା, ସମ୍ଭାଳି ନ ପାରି ସେ ତଳେ କଚାଡ଼ି ପଡ଼ିଲା ।

 

ସୁଦର୍ଶନ ମୃତ୍ୟୁର ଆଘାତ ତେବେ ବି ଯେଉଁମାନଙ୍କ ମନରୁ ଲିଭି ନ ଥିଲା, ସେ ତାର ଅଧ୍ୟାପକ ବନ୍ଧୁ ଚନ୍ଦ୍ରଶେଖର ଓ ତାଙ୍କର ପତ୍ନୀ ନିରୁପମା ।

 

ସବୁ ଦିନ ପରି ସେଦିନ ମଧ୍ୟ ଚନ୍ଦ୍ରଶେଖର କହିଲେ, କିଛି କହିଲାନି ନିହାରିକା ? କହିଲା ନାଇଁ ଯେ ଦୁହିଁଙ୍କୁ ମଧ୍ୟରେ ଏକ ବଡ଼ ଧରଣର ମନାନ୍ତର ଘଟିଥିଲା ?

 

ନିରୁପମା ସବୁଦିନ ପରି କହିଲେ…ନାଁ, କିଛି ମନାନ୍ତର ତାଙ୍କର ହୋଇ ନ ଥିଲା । ସେଇଆ ଭାବି ଭାବି ନିହାରିକା ଆଜି ପାଗଳ ହେବାକୁ ବସିଲାଣି ।

 

ଦୀର୍ଘଶ୍ଵାସ ଛାଡ଼ି ଚନ୍ଦ୍ରଶେଖର କହିଲେ…ସୁଦର୍ଶନର କେଉଁଠି କିଛି କଳଙ୍କ ନ ଥିଲା । ସରକାରୀ କର୍ମକ୍ଷେତ୍ରରେ, ଜମିବାଡ଼ିରେ ଅବା ପରିବାରରେ, ଦୁଃଖ ତ କିଛି ନ ଥିଲା, ଅଥଚ ଏତେ ଭଲ ଲୋକଟା…

 

ନିରୁପମା ହସିଲା । କହିଲା–ଗୋଟିଏ ଲୋକକୁ ଖୁବ୍ ଭଲ ବୋଲି କହିବା ତ ସବୁ ଦିନ ପାଇଁ ଯଥେଷ୍ଟ ନୁହେଁ ।

 

ଚନ୍ଦ୍ରଶେଖର କହିଲେ-କାହିଁକି ନୁହେଁ ? ପନ୍ଦର ବର୍ଷ ଧରି ମୁଁ ତାକୁ ଦେଖିଆସୁଚି । ଏତେ ଖୋଲା ନିଷ୍କପଟ ପିଲା…

 

ନିରୁପମା କହିଲା…ପନ୍ଦର ବର୍ଷର ବନ୍ଧୁତା ଥାଇପାରେ । ପଚାଶ ବର୍ଷର ବି ହେଉ, ତଥାପି ବନ୍ଧୁତା ସେ ପାଖେ କିଛି ଅଛି…ବନ୍ଧୁତ୍ୱରେ ମନ, ପ୍ରେମ, ଶ୍ରଦ୍ଧା ଜଡ଼ିତ ଥାଏ, ଚେତନା ତ ନୁହେଁ ।

 

ଚନ୍ଦ୍ରଶେଖର କହିଲେ…ଆଉ କିଛି ମାନେ… ?

 

ନିରୁପମା କହିଲା–ସୁଦର୍ଶନକୁ ମୁଁ ଜାଣେ…ସେ ଭାଇଙ୍କର ସାଙ୍ଗ । ତମେ ଜାଣ, ତା ପାଇଁ ଗୋଟାଏ ଝିଅ ଆତ୍ମହତ୍ୟା କରିଥିଲା ?

 

କ’ଣ ତମେ କହୁଚ ? ଚନ୍ଦ୍ରଶେଖର ବିସ୍ମିତ ।

 

ନିରୁପମା କହିଲା…ବିଶ୍ଵାସ କର ମତେ, ସବୁ ସତ କହୁଚି । ଯା’ କାହାକୁ କହି ନ ଥିଲି, ନିହାରିକାକୁ ତ ମୋଟେ ନୁହେଁ । ଝିଅଟା ଅନ୍ତସତ୍ତ୍ଵା ହୋଇଥିଲା । ତାର ଅବାଞ୍ଛିତ ମାତୃତ୍ଵ ପ୍ରତି ସୁଦର୍ଶନ ଯେତେବେଳେ ଚରମ ଉଦାସୀନତା ଓ ଅସହାୟତା ଦେଖାଇଲା…କ’ଣ କରନ୍ତା ସେ ଝିଅଟି ଆଉ ? ସୁଦର୍ଶନର ବାପା ବଡ଼ଲୋକ । ଟଙ୍କା ଦେଇ ସେ କେତେକଙ୍କ ମୁହଁ କିଣିନେଲେ…ସମସ୍ତେ ଜାଣିଲେ ସନ୍ଧ୍ୟାରେ ଗାଧୋଇବାକୁ ନଦୀକୁ ଯାଇ ଗୋଡ଼ ଖସି ଝିଅଟା ବୁଡ଼ିମଲା । ମାତ୍ର ତାର ବାପା, ମା ? ସୁଦର୍ଶନ ନିଜେ ? ସେମାନଙ୍କୁ କ’ଣ ବିଶ୍ୱାସ କରିବାକୁ କେବେ କଷ୍ଟ ହେବ ନି ଯେ ଝିଅଟାର ଗୋଡ଼ ସତରେ ଖସିଚି ଓ ସେ ବୁଡ଼ି ମରିଚି ?

 

ଚନ୍ଦ୍ରଶେଖର ସ୍ତମ୍ଭୀଭୂତ ହୋଇ ବସିଥିଲେ । କହିଲେ, ହେଇପାରେ, ତା’ ସହ ଏ ଆତ୍ମହତ୍ୟାର ସମ୍ବନ୍ଧ କ’ଣ ଥାଇପାରେ ?

 

କାହିଁକି ନ ଥାଇପାରେ ? ମୋର ତାହାହିଁ ମନେହୁଏ ।

 

ଚନ୍ଦ୍ରଶେଖର ହସିଉଠିଲେ । କହିଲେ, ବଡ଼ ବୋକି ତମେ । ଏହା ଯଦି ଦୁଃଖ ହୁଏ ତେବେ ତ ଝିଅଟା ମରିବା ସାଙ୍ଗେ ସାଙ୍ଗେ ମରିଥାନ୍ତା । ପନ୍ଦର ବର୍ଷ ପରେ, ଘରସଂସାର କରି, ପୁଅଝିଅର ବାପ ହୋଇ, ଏତେ ସୁଖରେ, ସେଦିନର ଘଟଣା ପାଇଁ ଆତ୍ମହତ୍ୟା କରିବା ବଡ଼ ଅସମ୍ଭବ !

 

ଏଥର ନିରୁପମା, ହସିଲା-କହିଲା, ଅସମ୍ଭବ କାହିଁକି ? ସେ ତ ଝିଅଟାକୁ ଭଲପାଉ ନ ଥିଲା ଯେ ଝୁରି ହେଇ ମରିଥାନ୍ତା ! ସେ କିଛି ଗୁଣ୍ଡାମି କରିଥିଲା । ତେଣୁ ସେ ଝିଅଟାର ମୃତ୍ୟୁକୁ ସେମିତି ଗୁଣ୍ଡାମିରେ ଉଡ଼େଇ ଦେଇଚି ସାମନ୍ୟ ବୋଲି ଭାବି । ମାତ୍ର ଯେତେବେଳେ ବୟସ ବିତିଚି ଓ ମନର ଚପଳତା କମି ଆସିଚି ଧୀରେ ଧୀରେ, ସେତେବେଳେ ସେଇ ସାମନ୍ୟ ଘଟଣା, ଏକ ଅସାମାନ୍ୟ ଆଘାତ ହୋଇ ରହିଚି ତାର ଅବଚେତନରେ ।

 

ଚନ୍ଦ୍ରଶେଖର କହିଲେ, ଏମିତି ଅତୀତ ଅନେକଙ୍କର ମଧ୍ୟ ଅଛି ।

 

ନିରୁପମା କହିଲା–ଥିବ, ମାତ୍ର ପ୍ରତ୍ୟେକ ମନର ତ ସ୍ୱତନ୍ତ୍ରତା ଅଛି । ଗଭୀର ଆଘାତକୁ ମନ ଭିତରେ ଚପେଇ ରଖିଲେ…ତାର ଏକ ଆଭ୍ୟନ୍ତରୀଣ ପ୍ରତିକ୍ରିୟା ଖୁବ୍ କାମ କରେ…ଫଳତଃ ସେ ପ୍ରତିକ୍ରିୟା ଜୀବନର ଫାଙ୍କେ ଫାଙ୍କେ ଇତସ୍ତତଃ ହୋଇ ପ୍ରକାଶ ପାଏ । କେହି ସମ୍ଭାଳି ନେଲେ ବି ବିଶୃଙ୍ଖଳ ହୁଅନ୍ତି । ଯିଏ ସମ୍ଭାଳି ପାରେ ନାଁ, ସେ ସରିଯାଏ ।

 

ଟିକିଏ ରହି ପୁଣି ସେ କହିଲେ, ଦିନର ଗତି ସହ, ତାର ମନର ଗତି ବି ଚାଲିଛି । ଭିତରେ ଭିତରେ ସେ ପ୍ରତିକ୍ରିୟା ଯେତିକି ତୀବ୍ର ହୋଇଚି, ବାହାରେ ସେ ତାକୁ ଢାଙ୍କିବା ପାଇଁ ସେତିକି କ୍ଷିପ୍ର ହୋଇଚି । ସେଥିପାଇଁ ତ, ସ୍ତ୍ରୀକୁ ବେକରେ ଫୁଲମାଳ ପରି…ଝୁଲାଇ ରଖିଥିଲା…ସେଇଥିପାଇଁ ତ ସ୍ତ୍ରୀକୁ ଏତେ ବେଶି ଭଲ ପାଉଥିଲା-ହୁଏ ତ ବିଚରା ଭାବୁଥିଲା, ଅନ୍ତରାଳରେ ସବୁ ରଖିଦେବ…କିନ୍ତୁ ନିଆଁ ଯଦି ମନରେ ଲାଗେ…ଆଉ ନିଭିବାର ପ୍ରଶ୍ନ ଉଠେ ନାଁ, ସେଇ ନିଆଁ ଯେତେବେଳେ ତାର ସମ୍ପୂର୍ଣ୍ଣ ସତ୍ତାକୁ ଆଚ୍ଛନ୍ନ କରି ଦେଇଚି ଓ ସେ ଏକାନ୍ତ ଅସହାୟ ହୋଇ ଉଠିଚି…ସେତେବେଳେ ଅଗତ୍ୟା…

 

ଚନ୍ଦ୍ରଶେଖର ଆଶ୍ଚର୍ଯ୍ୟ ଆଖିରେ ନିରୁପମାକୁ ଚାହିଁଥିଲେ । କହିଲେ, ଏଇଟା ମନବିଶ୍ଲେଷଣ ହୋଇପାରେ । ମାତ୍ର ମନବିଶ୍ଳେଷଣର ସତ୍ୟତା ତ ମଣିଷ ଜୀବନର ମାପକାଠି ନୁହେଁ ?

 

ଦୀର୍ଘଶ୍ୱାସ ଛାଡ଼ି ନିରୁପମା କହିଲା–ତା କାହିଁକି ହେବ ? ମୁଁ ଖାଲି ଅନୁମାନ କରୁଚି ସିନା… !

 

ତା’ ପରେ ଆଉ କିଛି କଥାବାର୍ତ୍ତା ହେଲା ନାହିଁ । ଚୁପ୍ ହୋଇ ବସି ଚନ୍ଦ୍ରଶେଖର ଭାବୁଥିଲେ ସୁଦର୍ଶନ କଥା, ସେହି ସ୍ନେହଶୀଳ ପିତା, ଅନୁଗତ ସ୍ୱାମୀ ଓ ସଦାନନ୍ଦବନ୍ଧୁ ସୁଦର୍ଶନର କଥା ।

 

ନିରୁପମା ଭାବୁଥିଲା–ନିହାରିକାର କଥା । କାନ୍ଦି କାନ୍ଦି ଯିଏ ଲୁହର ନଦୀ ହୋଇ ବହିଯାଇଥିଲା । ଆଃ ! କି ପ୍ରକାଣ୍ଡ ବିଶ୍ୱାସରେ ସେ କହୁଥିଲା-ସେ କେତେ ସଚ୍ଚୋଟ…କେତେ ଭଲ…ମୋଠୁ ତାଙ୍କୁ ବେଶି କିଏ ଜାଣେ ତଥାପି….ତଥାପି…

Image

 

ନଦୀ ନାମ ନିରଞ୍ଜନା

 

କାର୍ତ୍ତିକ ଶୁକ୍ଳ ଦଶମୀ ଦିନ ପ୍ରତ୍ୟୁଷ ପାଞ୍ଚଘଣ୍ଟା ସତଚାଳିଶ ମିନିଟରେ ଶୁଦ୍ଧ ସ୍ନାନ ଯୋଗ ଥିବାରୁ ନିରଞ୍ଜନା ନଦୀ ତଟରେ ବିପୁଳ ଜନସମାଗମ ହୋଇଥିଲା । ପବିତ୍ର ନଦୀଜଳରେ ବୁଡ଼ ପକାଇବା ଅପେକ୍ଷା ଆଉ ଯେଉଁ ଆକର୍ଷଣ ସମଗ୍ର ଜନତାକୁ ବିହ୍ୱଳିତ କରି ରଖିଥିଲା ତାହା ହେଲା, ନଦୀ ବନ୍ଧର ବିରାଟ ଅଶ୍ୱତ୍‌ଥ ବୃକ୍ଷ ତଳେ ଏକ ମହାଯୋଗୀ ସନ୍ନ୍ୟାସୀଙ୍କର ଦର୍ଶନ ଲାଭ ।

 

ପ୍ରାୟ ଏକ ମାସରୁ କିଛି ଊର୍ଦ୍ଧ୍ଵ ହେବ ଉତ୍ତର ଆଡ଼ୁ ଜଣେ ମହାନ୍ ଜଟାଧାରୀ ସନ୍ନ୍ୟାସୀ ଆସି ଏହି ନଦୀ ତୀରରେ ଅବସ୍ଥାନ କରୁଥିଲେ । ଦେଖିବାକୁ ଦୀର୍ଘ ଦେହ, ଉଜ୍ଜ୍ୱଳ କାନ୍ତି, ଦେହରେ କଷାୟ ବସ୍ତ୍ର । ସାରାଦିନ ସାରା ରାତି ଧ୍ଵନି ଜାଳି ସେ ଅର୍ଦ୍ଧ ନିମୀଳିତ ନେତ୍ରରେ ଧ୍ୟାନ ମଗ୍ନ ରହୁଥିଲେ । ଏଠାରେ ଅବସ୍ଥାନ କଲାଦିନୁ ତାଙ୍କୁ କେହି ଆହାର କରିବା ଓ ନିଦ୍ରାଯିବା ଦେଖିନାହିଁ । ସେ କାହା ସହ ବାକ୍ୟ ବ୍ୟୟ କରନ୍ତି ନାହିଁ, ଅଥଚ ପ୍ରତିଟି ପ୍ରଣିତ ବ୍ୟକ୍ତିଙ୍କୁ ସେ ହାତଟେକି ଆଶୀର୍ବାଦ କରନ୍ତି ଓ ବିଭୂତି ବିତରଣ କରନ୍ତି । ଦର୍ଶନକାଳରେ ଯେ କେହି ବ୍ୟକ୍ତି ଯାହାକି ଯାଗଜ୍ଞା କରିଥାନ୍ତି, ସେ ଏହି ମଧୁବାବାଙ୍କ ଦତ୍ତ ସେହି ପବିତ୍ର ବିଭୂତି ସେବନାନ୍ତେ ସେହି ମନସ୍କାମ ପୂର୍ଣ୍ଣ ହେବାର ଖବର ସହସ୍ର ତୁଣ୍ଡରେ ପ୍ରଚାରିତ ହୋଇଯାଇଚି । କେହି କେହି ଦୁରାରୋଗ୍ୟ କବଳରୁ ମୁକ୍ତ ହେବା କେହି ସଂପୂର୍ଣ୍ଣ ଆଶା ହରାଇଥିବା ବସ୍ତୁ ପ୍ରାପ୍ତ ହେବାର ଏହି ଅଲୌକିକ ଘଟଣା ଗ୍ରାମ ଗ୍ରାମାନ୍ତରେ ଚହଳ ସୃଷ୍ଟି କରିଛି; ଫଳରେ ଅଗଣିତ ସ୍ତ୍ରୀ ପୁରୁଷ ଧାଡ଼ି ବାନ୍ଧି ସାଧୁବାବାଙ୍କ ଦର୍ଶନାର୍ଥେ ଚାଲିଚନ୍ତି ।

 

ନିର୍ଜନ ନଦୀ ତୀରର ସେହି ପରିତ୍ୟକ୍ତ ଉପତ୍ୟକା, କେଉଁଠି ପଣସ ଓ ପୋଲାଙ୍ଗ ତୋଟାର ନିବିଡ଼ ଛାୟା ଚତୁର୍ଦ୍ଦିଗକୁ ଆଚ୍ଛାଦିତ କରିଥାଏ, ସେଠି ଆଜି ସୃଷ୍ଟି ହୋଇଚି କୋଳାହଳ । ବୁଡ଼ ଉପଲକ୍ଷେ ବସି ଯାଇଚି କେତେଟା ଉଠା ଚା’ ଦୋକାନ । ପାନ ଫଳ ଦୋକାନ । ନବମୀ ଦିନରୁ ଆରମ୍ଭ ହୋଇଚି ଲୋକ ଗହଳି । ନାଲି ଗୋଡ଼ି ବିଛା କଙ୍କରିତ ରାସ୍ତାରେ ଧୂଳି ଉଡ଼ାଇ ଚାଲିଗଲାଣି କେତେକ ରିକ୍‍ସା ଓ କେଇଟା ପ୍ରାଇଭେଟ ବସ୍ ।

 

ଅପରାହ୍ନର ନାରଙ୍ଗୀ ଖରାରେ ପହଁରିଲାପରି, ଦୋଳାୟିତ ଗତିରେ ଶେଷ ବସ୍‌ଟି ଆଗେଇ ଚାଲିଥିଲା । ଶେଷ ବସ୍ ଯୋଗୁଁ ସାମାନ୍ୟ ଭିଡ଼ ହୋଇଚି । ଭିଡ଼ ସତ୍ୱେ ବି ଲୋକଙ୍କ ଭିତରେ ଖୁସି ଭାବର ଉତ୍ତେଜନା ଲାଗି ରହିଚି । କେହି ଜଣେ ‘ଥକ୍‌କା ମନ ଚାଲଯିବା’ ଗୀତ ସହ ଖଞ୍ଜଣିମାଡ଼ ଆରମ୍ଭ କରି ଦେଇଛି ।

 

ବସ୍‍ର ଏକପାର୍ଶ୍ଵର ଝରକା ପାଖରେ ବୈରାଗୀ ରାୟ ନାନକ ସେହି କ୍ଷୀଣକାୟ କଳାରଙ୍ଗର ବ୍ୟକ୍ତି, ବସ୍ ଭିତରର ସବୁ ଉତ୍ତେଜନା ଓ ଚହଳପ୍ରତି ନିର୍ଲିପ୍ତ ଭଙ୍ଗୀରେ ବସି ରହି ବାହାରକୁ ଗଭୀର ଦୃଷ୍ଟିରେ ଚାହିଁଥା’ନ୍ତି । ଚାହାଣୀ ଭଳି ମୁହଁର ଗାମ୍ଭୀର୍ଯ୍ୟରେ ମଧ୍ୟ ଗଭୀରତାର ପ୍ରଚ୍ଛନ୍ନ ପ୍ରଲେପ । କଳା କଟି କଟି ଓଠ ଦୁଇଟା ପାଙ୍କରେ ସିଗାରେଟଟା ମଧ୍ୟ ଏକ ବିଶେଷ ଭଙ୍ଗୀରେ ସ୍ୱତନ୍ତ୍ରତା ରକ୍ଷା କରୁଚି । ଅଥଚ ଆଶ୍ଚର୍ଯ୍ୟର କଥା ଯେ, ଏହି ଚାହାଣୀ ଓ ପ୍ରବୀଣ ଗାମ୍ଭୀର୍ଯ୍ୟ ସହ ତାଙ୍କ ଚେହେରା ଓ ପୋଷାକର ଆଦୌ ସାମଞ୍ଜସ୍ୟ ନାହିଁ । ଦେହଟା ଯେମିତି କଳା, ସେମିତି ରୋଗା, ନକ ନକ ବେକରେ ଦେହ ତୁଳନାରେ ଅତି ବଡ଼ ମୁଣ୍ଡଟା ନିହାତି ଅଖାଡ଼ୁଆ ଦିଶୁଥାଏ । ସେମିତିକା, ଅଧା ମଇଳା ଟ୍ରାଉଜର ଉପରେ, ମାନ୍ଧାତା ଅମଳର ଗୋଟାଏ କଳାକୋଟ ନିହାତି ଅଘଟଣ ଦିଶୁଥାଏ । ମାତ୍ର ଏସବୁ ପ୍ରତି ଖାତିର ନକରି ଗୋଡ଼ ଉପରେ ଗୋଡ଼ ନଦି ସେ ବେଶ୍ ବେପରୁଆ ଭଙ୍ଗୀରେ ସିଗାରେଟ ଖାଉଥା’ନ୍ତି ।

 

ତାଙ୍କର ଅତି ପାଖରେ ପ୍ରାୟ ତାଙ୍କ ଉପରକୁ ଆଉଜିଲା ପରି, ଦାଶରଥିବାବୁ ଭିଡ଼ ଯୋଗୁଁ ବଡ଼ ସଙ୍କୁଚିତ ହୋଇ ବସିଥା’ନ୍ତି । ସେ କିନ୍ତୁ ବୈରାଗୀ ରାୟଙ୍କର ସମ୍ପୂର୍ଣ୍ଣ ବିପରୀତ–ଦେହଟା ଅସମ୍ଭବ ମୋଟା । ଉଦର ଅତ୍ୟଧିକ ସ୍ଫୀତ । ମୁଣ୍ଡ ଚନ୍ଦା । ଦେହରେ ପରିଷ୍କାର ଟେରିଲିନ୍ ପୋଷାକ । ହାତରେ ଘଣ୍ଟା ଓ ମୁଦି । ସମଗ୍ର ଚେହେରାରୁ ଆଭିଜାତ୍ୟର ସୂଚନା ମିଳୁଛି । ଅଥର ଓଠ କଣରେ ସର୍ବଦା ଲାଗିଥିବା ସ୍ଵଭାବ ସୁଲଭ ସେହି ଅଦ୍ଭୁତ ପ୍ରକାରର ପାଣିଚିଆ ହସଟା, ନିରୀହ ଆଖି ଦୁଇଟା ତାଙ୍କର ଏତେବଡ଼ ଚେହେରାକୁ ଯେମିତି ବେଢ଼ଙ୍ଗ କରି ଦଉଚି । ବିରାଟ ଦେହକୁ ଯଥାସମ୍ଭବ ସଙ୍କୁଚିତ କରି ସେ ଦୀର୍ଘ ଶ୍ୱାସ ଛାଡ଼ୁଥା’ନ୍ତି ।

 

ବସ୍‌ଟା ହଠାତ୍ ଏକ ଗଡ଼ାଣିରୁ ଗଡ଼ିଗଲା । ଦାଶରଥିବାବୁ ସମ୍ପୂର୍ଣ୍ଣଭାବେ ବୈରାଗୀବାବୁଙ୍କ ଉପରେ ଢଳି ପଡ଼ିଲେ । ବୈରାଗୀ ବାବୁ ଓଃ, ହୋ ବୋଲି କହି ମୁଣ୍ଡ ଆଉଁସିଲା ବେଳେ, ଦାଶରଥିବାବୁ ସିଧା ହୋଇ ବସି ସେମିତି ପାଣିଚିଆ ହସି କହିଲେ…ଆଜ୍ଞା, ଆପଣଙ୍କ ନାମଟା କଣ, କହିଲେ, ଯାଃ-ଭୁଲିଗଲି ।

 

ବାହାରକୁ ସେମିତି ଗଭୀର ଦୃଷ୍ଟି ଫିଙ୍ଗି, ବେପରୁଆ କଣ୍ଠରେ କହିଲେ ବୈରାଗୀବାରୀ…“ବୈରାଗୀ ରାୟ ।

 

ଦାଶରଥି ବାବୁ ଏଥର ଆଉ ଟିକିଏ ପାଖକୁ ଘୁଞ୍ଚିଆସି, ଅଳ୍ପ ଅଳ୍ପ ହସି କହିଲେ, ବୁଝିଲେ ନାଁ ରାୟବାବୁ, ଆପଣ ଯେ’ ଏତେ ପତଳା ହୋଇଚନ୍ତି, ତାହା ଏହି ବସ୍ ଭିତରେ ହିଁ ଯଥାର୍ଥ କାର୍ଯ୍ୟରେ ଆସୁଚି । ଦେଖନ୍ତୁ ତ, କେତେ ଅଳ୍ପ ଜାଗାରେ ଆପଣ ବସିଚନ୍ତି, ଆଉ ମୁଁ ସେତକ ନପାରି, ମୋର ଊର୍ଦ୍ଧ୍ଵ ଶ୍ଵାସ ଉଠିଲାଣି ।

 

ବୈରାଗୀବାବୁ ତାଙ୍କର ତୀର୍ଯ୍ୟକ ଦୃଷ୍ଟି, ଦାଶରଥିବାବୁଙ୍କ ମେଦବହୁଳ ଶରୀର ଉପରେ ନ୍ୟସ୍ତ କରି, ମୃଦୁ ହସି କହିଲେ, ଠିକ୍ କହିଛନ୍ତି ।

 

ଦାଶରଥିବାବୁ ଉତ୍ସୁକିତ ହୋଇ, ରୁମାଲରେ ବିଞ୍ଚି ହଉ ହଉ ରାୟବାବୁଙ୍କ ମୁହଁକୁ ଚାହିଁଥା’ନ୍ତି । ଏତେବଡ଼ ମୁଣ୍ଡ ସହ ରୋଗା ଦେହ ଓ ସେହି ଅଘଟଣ ପୋଷାକ ଭିତରେ ସୁଦ୍ଧା, ତାଙ୍କର ସିଗାରେଟ ଟାଣିବାର ଉଦ୍ଧତ ଭଙ୍ଗୀଟା କେଜାଣି କାହିଁକି ତାଙ୍କୁ ଭଲ ଲାଗୁଥାଏ । ସେ ତତ୍‌କ୍ଷଣାତ୍‌ ନିଜ ପକେଟରେ ହାତ ଗଳାଇ ସିଗାରେଟ ଖୋଜିଲେ ।

 

ସେତେବେଳେ ‘ଥକା ମନ ଚାଲି ଯିବା’ ଗୀତ ସରିଯାଇଚି । ଖଞ୍ଜଣି ମାଡ଼ ବନ୍ଦ ହୋଇ ଯାଇଚି । ଖୁନ୍ଦାଖୁନ୍ଦି ହୋଇ ବସିଥିବା ଲୋକମାନେ ସାଧୁବାବାଙ୍କ ଆଲୋଚନାରେ ବ୍ୟସ୍ତ । କିଏ କହୁଚି ସେ ବହୁତ ଜରୁରୀ କାର୍ଯ୍ୟ ଛାଡ଼ି ଆସିଚି, କିଏ କହୁଚି ବ୍ୟବସାୟ ନଷ୍ଟ କରି ଆସିଚି, କିଏ କହୁଚି, ବାବା ଚାହିଁଲେ ସେ ଦଶହଜାର ମଧ୍ୟ ଖର୍ଚ୍ଚ କରି ତାଙ୍କ ରହିବାର ସ୍ଥାୟୀ ବନ୍ଦୋବସ୍ତ କରି ଦବ । ସିଗାରେଟରେ ଏକ ଜୋର ଟାଣ ଦେଇ ଧୂଆଁ ଛାଡ଼ୁ ଛାଡ଼ୁ, ଦାଶରଥିବାବୁ ଚତୁର୍ଦ୍ଦିଗକୁ ଥରେ ଚାହିଁନେଲେ, ତା’ ପରେ ରାୟବାବୁଙ୍କୁ ଚାହିଁ କହିଲେ, ଜାଣିଲେ ଆଜ୍ଞା, ଆଜିକାଲି ସମାଜରେ ଦୁନୀତି, ଅନ୍ୟାୟ, ପାପାଚାର ଯେତିକି ପରିମାଣରେ ବଢ଼ୁଚି, ଅନ୍ୟପକ୍ଷରେ ଲୋକମାନଙ୍କ ମନର ଈଶ୍ୱର ବିଶ୍ୱାସ ଓ ଧର୍ମଭାବ ମଧ୍ୟ ସେତିକି ବଢ଼ୁଚି । କ’ଣ କହୁଚନ୍ତି ?

 

ରାୟବାବୁ ତାଙ୍କ ସିଗାରେଟରେ ଶେଷ ଟାଣି ଦେଇ, ତାକୁ ବାହାରକୁ ଫିଙ୍ଗି ଦଉ ଦଉ ଏକ ପ୍ରବୀଣ ଚାହାଣୀ ହାଣି କହିଲେ, ଧର୍ମଭାବ କହିଲେ ଆପଣ କ’ଣ ବୁଝନ୍ତି ଶୁଣେ ?

 

ଦାଶରଥିବାବୁ କହିଲେ, ଧର୍ମଭାବ ମାନେ, ମାନେ, ମାନେ ଏଇଯେ ଆଜିକାଲି ଗ୍ରାମେ ଗ୍ରାମେ ସହରେ ସହରେ ସତ୍‌ସଙ୍ଗ ଅନୁଷ୍ଠାନ ଗଢ଼ି ଉଠୁଚି, ଦିବ୍ୟଜୀବନ ସଂଘ ପ୍ରତିଷ୍ଠିତ ହେଉଛି । ସାହି ସାହିରେ ଅନ୍ତତଃ ମାସକୁ ଥରେ ସଂଘବଦ୍ଧ ଭାବେ ଗୀତାରାମାୟଣ ହେଉଛି । ପ୍ରତି ସହରରେ, ପ୍ରତି ମାସରେ ଅନ୍ତତଃ ଥରେ ଲେଖା ଧର୍ମ ସଭା ହେଉଚି । ରାଜନୈତିକ ନେତାମାନେ ମଧ୍ୟ ଆଧ୍ୟାତ୍ମିକତା ବିଷୟରେ ସାରଗର୍ଭକ ଭାଷଣ ଦେଇ, ଲୋକଙ୍କୁ ଉଦ୍‌ବୁଦ୍ଧ କରୁଚନ୍ତି । ତା’ ଛଡ଼ା ଆଜ୍ଞା, ଆଜିକାଲି ଘରେ ଘରେ ଭକ୍ତ । ସତ୍ୟସାଇ ବାବା, ଶିବାନନ୍ଦ, ରାମକୃଷ୍ଣ ଏସମସ୍ତ ଗୁରୁଙ୍କ ଭକ୍ତ ଆଜିକାଲି ଅତ୍ୟଧିକ । ଏହାକୁ ଧର୍ମ ଭାବ ଛଡ଼ା ଆଉ କ’ଣ କହିବା ?

 

ଖୋଲି ଯାଇଥିବା କୋଟ୍‍ର ବୋତାମ ଲଗାଉ ଲଗାଉ, ନିଜର ବିରାଟ ମୁଣ୍ଡଟି ହଲାଇ ରାୟବାବୁ କହିଲେ, ଠିକ୍ କହିଚନ୍ତି । ଆଜି ଘରେ ଘରେ ଲୋକମାନେ ଭକ୍ତ ହୋଇ ଉଠିଚନ୍ତି, କାହିଁକି ନାଁ ଆଜିକାଲି ପ୍ରାତ୍ୟହିକ ଜୀବନରେ ଶାନ୍ତି ଆଦୌ ନାହିଁ । ଆମେ ସବୁ ଯୁଗୋଚିତ ପ୍ରୟୋଜନ ଅନୁସାରେ କାମନାର ବିପୁଲତାରେ ବଡ଼ ବେଶୀ ଅଶାନ୍ତ ଓ ବିଭ୍ରାନ୍ତ । ଆମର ପ୍ରାଣେ ପ୍ରାଣେ ପାଇବାର ଆଶା ଓ ନପାଇବାର ହାହାକାର ଚାରିପାଖର ଆର୍ଥିକ, ନୈତିକ, ସାମାଜିକ ସଂକଟରେ ଚାପି ହୋଇ ଆମ ଅନ୍ତରାଳରେ ଆମେ ଏକାନ୍ତ ନିଃସହାୟ । ମନୁଷ୍ୟ ଯେତେବେଳେ ସଂପୂର୍ଣ୍ଣ ନିଃସହାୟ ହୋଇପଡ଼େ, ସେତେବେଳେ ସେ କାହା ନିକଟରେ ନିଜକୁ ଉତ୍ସର୍ଗ କରିବାକୁ ବ୍ୟାକୁଳ ହୋଇ ଉଠେ । ଏହା ଏକ ମନସ୍ତାତ୍ତ୍ୱିକ ସତ୍ୟ । ଆଜି ବହୁ ଅଂଶରେ ଲୋକମାନେ ଯେ କୌଣସି ମହାପୁରୁଷଙ୍କ ଭକ୍ତ ହୋଇ ପୂଜା କରୁଚନ୍ତି । ମୋର ମନେହୁଏ, ଏହା ପଛରେ ଅଛି-ଏକ ଶୂନ୍ୟତା, ଏକ ପ୍ରକାଣ୍ଡ ନିଃସହାୟତା ।

 

ଦାଶରଥିବାବୁ ବିସ୍ମୟରେ ଅବାକ୍ ହୋଇ ରାୟବାବୁଙ୍କୁ ଚାହିଁଥିଲେ । ରାୟବାବୁଙ୍କର କଥା ଗୁଡ଼ା ତାଙ୍କୁ ନିହାତି ମିଥ୍ୟା ମନେହେଲା ନାହିଁ । ତାଙ୍କର ହୃଦ୍‌ବୋଧ ହେଲା–ତାଙ୍କର କଷ୍ଟର୍ଜିତ ଏତେ ବିପୁଳ ସମ୍ପତ୍ତି, ଏତେବଡ଼ ମେଦବହୁଳ ଶରୀର ଅଭ୍ୟନ୍ତରରେ ସତରେ ସେ ବଡ଼ ଅସହାୟ । କାହାର ନିର୍ଭୟ ଆଶ୍ରୟ ପାଇଁ ନିଜ ଅନ୍ତଃକରଣରେ ସେ ଯେ ଦୁଇବାହୁ ବଢ଼ାଇ ବ୍ୟାକୁଳ ଭାବେ ଚାହିଁଚନ୍ତି, ରାୟବାବୁ ଅତି ଅସମ୍ଭବ ଭାବେ ସେହି କଥା ଆବିଷ୍କାର କରି ତାଙ୍କୁ କହି ପକାଇଚନ୍ତି । ସେ ସେମିତି ପାନ ଚୋବାଉ ଚୋବାଉ ଗମ୍ଭୀର ଭାବେ କହିଲେ, ଆପଣ ଆଜ୍ଞା, କ’ଣ କରନ୍ତି ?

 

ବେପରୁଆ ଭଙ୍ଗୀରେ ମୃଦୁ ହସି ରାୟବାବୁ କହିଲେ, କିଛି ନାଇଁ ।

 

କିଛି ନାଇଁ ମାନେ ?

 

ମାନେ କିଛି କରେ ନାହିଁ ।

 

ଫେର୍ ?

 

ରାୟବାବୁ ଏଥର ମୁଣ୍ଡଟେକି ଚାହିଁ କହିଲେ ଫେର୍ ? ମାନେ କେମିତି ଚଳେ, ଏଇଆ କହୁଚନ୍ତି ତ ? ଦେଖନ୍ତୁ ଆଜ୍ଞା, ମୁଁ ଜଣେ ଲୋକ, ମନୁଷ୍ୟର ନ୍ୟୁନତମ ପ୍ରୟୋଜନରେ ମୁଁ ପରିତୃପ୍ତ-। କେଜାଣି କାହିଁକି ଆଜ୍ଞା, ପିଲାଦିନୁ ନିଜର ନାଁ ଏଇ ‘ବୈରାଗୀ’ ଉପରେ ଜୋର୍ ଦେଇ ଜୀବନ ସହ ତା’ର ସାମଞ୍ଜସ୍ୟ ରଖିବା ଲାଗି, ଖିଆଲରେ, ବୁଡ଼ିଗଲି । ଗାଁରେ ଜମିବାଡ଼ି ଅଛି, ହେଲେ ମୁଁ ସେସବୁ ପ୍ରତି ବଡ଼ ନିର୍ଲିପ୍ତ । ସେ ସବୁ ସ୍ତ୍ରୀ ବୁଝାବୁଝି କରନ୍ତି । ଏକମାତ୍ର ପୁତ୍ର କଲେଜରେ ପଢ଼ୁଚି । ତା’ କଥା ମଧ୍ୟ ସ୍ତ୍ରୀ ବୁଝନ୍ତି । ମୁଁ ଖାଲି କଟକରୁ ପୁରୀ, କଲିକତାରୁ ଲକ୍ଷ୍ନୌ, ଋଷିକେଶରୁ ହରିଦ୍ୱାର ଏମିତି ବୁଲିଥାଏ ।

 

ମନ୍ତ୍ର ମୁଗ୍‌ଧ ପରି ଦାଶରଥିବାକୁ ଶୁଣୁଥାଆନ୍ତି । ଅପଲକ ଆଖିରେ ଚାହିଁଥାନ୍ତି । ରାୟବାବୁ ଲୋକଟା ଯେମିତି ଦିଶୁଚି, ତାକୁ କେହି ଏକ ଶାଢ଼ୀ ବିକା ଫେରିବାଲା ଅବା କାନଟଣା, ନାକଟଣା ଶସ୍ତା ଔଷଧ କମ୍ପାନୀର ଏଜେଣ୍ଟ ଛଡ଼ା ଆଉ କିଛି କହିବ ନାହିଁ । କିନ୍ତୁ ସତରେ ଲୋକଟାକୁ ସେମିତି ମନେ ହୁଏନା । କଥାରେ ତାର ବହୁତ ପ୍ରବୀଣତା ଅଛି । ହୁଏତ ଅନେକ ଜାଗା ବୁଲିଚି ଦେଖିଚି, ଆଉ ସେ ନିଜେ ଖାଲି ସ୍ତ୍ରୀର ଫରମାସ୍ ଶାଢ଼ି ଗହଣା କରୁ କରୁ ଜୀବନର ଅଧେ ବିତାଇ ଦେଲେ ।

 

ରାୟବାବୁ ପଚାରିଲେ–ଆପଣ କ’ଣ କରନ୍ତି ? ବ୍ୟବସାୟ ଅଛି ବୋଧହୁଏ ?

 

ସେମିତି ପାଣିଚିଆ ହସ ହସି ଦାଶରଥି ବାବୁ କହିଲେ…ମୁଁ ଆଜ୍ଞା କିଛି କରେନା । ବଡ଼ ଧରଣର ବ୍ୟବସାୟ ଅଛି–ହେଲେ ମୁଁ ଆଉ ସେଥିରେ ପଶେନା ପୁଅମାନେ ସବୁ ବୁଝାବୁଝି କରନ୍ତି-। ସେମାନେ ବଡ଼ ହେଲେଣି ।

 

ରାୟବାବୁ କହିଲେ…ଆପଣ ଭାଗ୍ୟବାନ୍ ।

 

ସେମିତି ହସି ହସି ଦାଶରଥିବାବୁ କହିଲେ…ହଁ…ଆଜ୍ଞା । ସବୁ ଭଗବାନଙ୍କ ଦୟା । କହୁ କହୁ ହଠାତ୍ ତାଙ୍କ ଛାତି ଥରି ଉଠିଲା ଓ ସେ କାହିଁକି କେଜାଣି ଅନ୍ୟମନସ୍କ ହୋଇ ଉଠିଲେ ।

 

ବସ୍ ଧାଇଁ ଚାଲିଥିଲା । ସେମିତି ଅନ୍ୟମନସ୍କ ଭାବେ ଦାଶରଥିବାବୁର ରାୟବାବୁକୁ ଚାହିଁଥିଲେ–ରାୟବାବୁଙ୍କର ସେହି ଗଭୀର ଦୃଷ୍ଟି, ବାହାରେ ହଜିଯାଇଚି ସେମିତି ଏକ ବିଶିଷ୍ଟ ଭଙ୍ଗୀରେ; ସତେକି ସେ ଏହି ବସ୍ ଓ ତାର ପରିବେଶ, ଶୂନ୍ୟ ବାୟୁମଣ୍ଡଳର ସ୍ତରସ୍ତର ଭେଦି ଅତି ଊର୍ଦ୍ଧ୍ଵରେ କିଛି ଏକ ଖୋଜିବାରେ ନିମଗ୍ନ ରହିଚି ।

 

ଦାଶରଥିବାବୁ ଦୀର୍ଘଶ୍ୱାସ ଛାଡ଼ିଲେ ।

 

ଅବଶେଷରେ ବସ୍ ଆସି ନିର୍ଦ୍ଦିଷ୍ଟ ଜାଗାରେ ପହଞ୍ଚିଲା । ହା-ହଲ୍ଲା କରି ଲୋକମାନେ ଠେଲାପେଲାରେ ଓହ୍ଲାଇ ନଦୀ ତୀରର ସେହି ଅସ୍ଥାୟୀ ବଜାର ଆଡ଼େ ଆଗେଇ ଚାଲିଲେ । ଏଥିପୂର୍ବରୁ ଆଉ କେତୋଟି ବସ୍ ଓ ରିକ୍‌ସା ଆସି ଗହଳ ସୃଷ୍ଟି କରିଚି । ଦାଶରଥିବାବୁ ଓ ରାୟବାବୁ ମଧ୍ୟ ନିଜ ନିଜ ବ୍ୟାଗ ଧରି ଓହ୍ଲାଇଲେ ।

 

ସେତେବେଳକୁ ଅପରାହ୍ନର ନାରଙ୍ଗୀ ଖରା, ଈଷତ୍ ଲୋହିତ ରଙ୍ଗ ନେଇ ନଦୀର ବୀସ୍ତୀର୍ଣ୍ଣ ବାଲୁକା ଶଯ୍ୟା, ତଟଭୂମିର ଶ୍ୟାମଳ ଅରଣ୍ୟ ଶ୍ରୀଉପରେ ଅଭିନଦ ଶିଳ୍ପ ସୃଷ୍ଟି କରିଛି । ପଶ୍ଚିମାକାଶରେ ସୂର୍ଯ୍ୟ ରତରତ । ରାୟବାବୁ ନିଜ ଟ୍ରାଉଜର ପକେଟରେ ହାତପୁରାଇ, ଅନ୍ୟମନସ୍କ ଭାବେ ରତରତ ସୂର୍ଯ୍ୟଙ୍କୁ ଚାହିଁ ଆଗୋଉଥିବା ବେଳେ, ପଛରୁ ଦାଶରଥିବାବୁ ଡାକିଲେ—ଟିକେ ଶୁଣନ୍ତୁ ।

 

ରାୟବାବୁ ଅଟକିଲେ । ଦାଶରଥିବାବୁ ପାଖେଇ ଆସି କହିଲେ, ଆସନ୍ତୁ ନା, ଟିକେ ଚା ‘ଖାଇବା । କିଛି ଗପବି ହେବ । ଗପ ଶୁଣିବା ଆଜ୍ଞା ମୋର ବଡ଼ ନିଶା ।

 

ରାୟବାବୁ କହିଲେ–ତେବେ ଚାଲନ୍ତୁ, ପୋଲାଙ୍ଗ ଗଛ ତଳର ସେ ଏକୁଟିଆ ଦୋକାନଟିକୁ । ସେ ଜାଗାଟା ବେଶ୍ ନିରୋଳା ଅଛି । କୋଳାହଳ ମୋର ଆଦୌ ସହ୍ୟ ହୁଏନା ।

 

ଉତ୍ସାହିତ ହୋଇ ଦାଶରଥିବାବୁ କହିଲେ, ହଁ, ହଁ, ଚାଲନ୍ତୁ ।

 

ଦୁହେଁ ଆସି ସେ ପୋଲାଙ୍ଗ ଗଛ ପାଖର, ଏକପାଖିଆ ଚା’ ଦୋକାନରେ ପହଞ୍ଚିଲେ । ଏପାଖରେ ଗହଳ ନାଇଁ, ଚାରିପାଖରେ ନିର୍ଜନତାରେ ନଦୀକୁଳିଆ ସନ୍ଧ୍ୟା ପବନ ଆହୁରି ମିଠା ବୋଳି ଦଉଚି । ଭଙ୍ଗା ବେଞ୍ଚର ଧୂଳି ରୁମାଲ୍‌ରେ ଝାଡ଼ୁ ଝାଡ଼ୁ ଦାଶରଥିବାବୁ ଦୁଇଟା ଚା’ ର ବରାଦ ଦେଲେ ।

 

ଚା’ ଆସିଲା । ଢୋକେ ଖାଇ ଦାଶରଥିବାବୁ କହିଲେ, ଆପଣ କ’ଣ ନଦୀରେ ବୁଡ଼ ପକାଇବାକୁ ଆସୁଚନ୍ତି ନାଁ…ସାଧୁବାବାଙ୍କ ଦର୍ଶନ…

 

ରାୟବାବୁ ଚା’ କୁ ଫୁଙ୍କୁ ଫୁଙ୍କୁ କହିଲେ, ସ୍ନାନ କରିବାର ମୋର ଆଗ୍ରହ ନାହିଁ; କିନ୍ତୁ ବାବାଙ୍କ ଆଦେଶ ଅମାନ୍ୟ କରିବାର ସାଧ୍ୟ ନାହିଁ ।

 

ବୁଝି ପାରିଲି ନାହିଁ ଆଜ୍ଞା, କାହାର ଆଦେଶ ?

 

ରାୟବାବୁ ହସି କହିଲେ, ବୁଝିବେ କ’ଣ ? ଏଇ ସାଧୁବାବାଙ୍କ ଆଦେଶ… ମାନେ....ସ୍ୱପ୍ନାଦେଶ । ....ସେ କହିଲେ, ରାୟ, ତୁମେ ଯଦି ନିରଙ୍ଗନା ନଦୀର ଶୁଦ୍ଧ ସ୍ନାନକୁ ନ ଆସ, ମୁଁ ଅବଶ୍ୟ ମନକଷ୍ଟ କରିବି ।

 

ଦାଶରଥିବାବୁଙ୍କ ଆଖି ବିସ୍ମୟରେ ବିସ୍ଫାରିତ ହୋଇ ଉଠିଲା….. । ସେ ବୁଝିଲେ, ଏ ରାୟ ସାମାନ୍ୟ ଲୋକ ନୁହେଁ । ବ୍ୟାକୁଳ କଣ୍ଠରେ ସେ କହିଲେ, ଆପଣ ତେବେ ଏହି ସନ୍ନ୍ୟାସୀଙ୍କୁ ଆଗରୁ ଦେଖିଚନ୍ତି ? ସେ ଆପଣଙ୍କୁ ଜାଣନ୍ତି ଭଲ ରକମ୍ ?

 

ଶେଷ ଚା’ ତକ ଏକା ଢୋକକେ ନିଃଶେଷ କରି, ସଶବ୍ଦେ ଗ୍ଲାସ୍‍ଟାକୁ ବେଞ୍ଚ ଉପରେ ରଖୁ ରଖୁ ରାୟବାବୁ କହିଲେ, ଖାଲି କ’ଣ ଦେଖୁଚ ? ଦୁଇ ବର୍ଷ ତାଙ୍କର ନିବିଡ଼ ସାନିଧ୍ୟ ପାଇଚି । ନଚେତ୍ ମୁଁ କିଏ ନାଁ ଏ ନଦୀକୂଳ କିଏ ?

 

ଆହୁରି ପାଖକୁ ଘୁଞ୍ଚିଆସି ଦାଶରଥିବାବୁ କହିଲେ, ମୁଁ ଶୁଣିଚି ଆଜ୍ଞା, ବଦ୍ରିନାଥରେ ୟାଙ୍କର ମଠ ଅଛି ଓ ସେଠି କେତେଟା ତରୁଣୀ ମାତା ମଧ୍ୟ ଅଛନ୍ତି ?

 

କାନରେ ଦୁଇହାତ ଦେଇ ରାୟବାବୁ କହିଲେ—ଆଃ—ଚୁପ୍ କରନ୍ତୁ, ଚୁପ୍ କରନ୍ତୁ, —ଏମିତି ପାପ କଥା ମୁହଁରେ ଧରିବେ ନାହିଁ । ଲୋକେ କ’ଣ ନ କହନ୍ତି ? ସଜମାଛରେ ପୋକ ପକାନ୍ତି । ମୁଁ ନିଜେ ଋଷିକେଶରେ ଦୁଇବର୍ଷ ବାବାଙ୍କ ପାଖରେ କଟାଇଛି ।

 

ପୂର୍ବରୁ ଏହି ସାଧୁବାବାଙ୍କର ଅଦ୍ଭୁତ ଖ୍ୟାତି ଶୁଣି, ଦାଶରଥିବାବୁଙ୍କର ପ୍ରକାଣ୍ଡ ଭକ୍ତି ଜନ୍ମିଥିଲା । ବର୍ତ୍ତମାନ ରାୟବାବୁଙ୍କର ମୁହରୁ ଏକଥା ଶୁଣି ତାଙ୍କର ଉତ୍କଣ୍ଠା ଦ୍ଵିଗୁଣିତ ହେଲା । ସେ କହିଲେ, ରାୟବାବୁ, ମତେ ଏହି ମହାନ୍ ସନ୍ନ୍ୟାସୀଙ୍କର ଅଲୌକିକ ଶକ୍ତି କଥା କିଛି କହନ୍ତୁ । କହନ୍ତୁ ଆପଣଙ୍କର ଋଷିକେଶ ଓ ହରିଦ୍ୱାରର ଅନୁଭୂତି-ଶୁଣିବାକୁ ମୋ ମନ ବଡ଼ ଚଞ୍ଚଳ ହେଲାଣି ।

 

ରାୟବାବୁ ହସି କହିଲେ…..ଦେଖୁଚି, ଆପଣ ମତେ ଛାଡ଼ିବେ ନାହିଁ । କିନ୍ତୁ ଏ ବିଷୟରେ କିଛି କ’ଣ କହି ହୁଏ ? ଏସବୁ କେବଳ ଉପଲବ୍‌ଧି, ବିମୁକ୍ତ ଉପଲବ୍‌ଧି ।

 

ଦାଶରଥିବାବୁ ଅଧୀର ହୋଇ କହିଲେ…ସେଇଥିରୁ ମତେ କିଛି କହନ୍ତୁ ।

 

ରାୟବାବୁ ଏଥର ସଜାଡ଼ି ହୋଇ ବସି କହିଲେ, ଦେଖନ୍ତୁ ଦାଶରଥିବାବୁ, ସାଧୁ ବାବାଙ୍କର ଯେଉଁ ଅଲୌକିକ ଶକ୍ତିକଥା ଆପଣ ପଚାରୁଛନ୍ତି, ସେ ଶକ୍ତି ତାଙ୍କର ଅଶେଷ ସାଧନା ସାଧ୍ୟ ଯୋଗ ଲବ୍‌ଧ ଶକ୍ତି । ସେ ଶକ୍ତିକୁ ମ୍ୟାଜିକ ଦେଖାଇଲା ଭଳି, ଲୋକକୁ ଆଶ୍ଚର୍ଯ୍ୟ କରିବା ଲାଗି, ପରିବେଷଣ କରାହଉ, ଏହା ତାଙ୍କର ଇଚ୍ଛା ନୁହେଁ । ସେ ଚାହାନ୍ତି ସେହି ଶକ୍ତିର ଉପଯୁକ୍ତ ପ୍ରୟୋଗ ଯାହା ପ୍ରକୃତରେ ଜଗତର ମଙ୍ଗଳ କରିବ । ଏହି ସାଧୁବାବା ଯେଉଁ ଶକ୍ତି ଲାଭ କରିଚନ୍ତି ସେଥିରେ ତାହାଦ୍ୱାରା ସେ ପ୍ରାୟ ତିରିଶ ବର୍ଷ ହେବ ନିଦ୍ରା ଆହାର ତ୍ୟାଗ କରିଚନ୍ତି, ତେବେ ବି ତାଙ୍କ ସ୍ୱାସ୍ଥ୍ୟ ଅତୁଟ ଅଛି । ସମାୟିକ ତୃଷା ଚରିତାର୍ଥ କରିବା ଲାଗି ସେ କେବଳ ନାକ ବାଟେ ପାଣି ପିଇଥା’ନ୍ତି ।

 

ଏଁ……ନାକ ବାଟେ ?

 

ରାୟବାବୁ କହିଲେ…ହଁ, ନାକବାଟେ…ଠିକ୍ ପ୍ରଣାଳୀରେ ଅଭ୍ୟାସ କଲେ ଏହା ସମସ୍ତେ ପାରିବେ-ଏହା ସ୍ୱାସ୍ଥ୍ୟ ପକ୍ଷେ ହିତକର ।

 

ଦାଶରଥିବାବୁ କହିଲେ, ଆପଣ ବାବାଙ୍କର ପରମ କୃପା ଲାଭ କରିଚନ୍ତି । ଋଷିକେଶରେ କେତେଦିନ ଥିଲେ ?

 

ରାୟବାବୁ ସେମିତି ପ୍ରବୀଣ ଭଙ୍ଗୀରେ କହିଲେ, ମୁଁ ଦୁଇବର୍ଷ ଋଷି କେଶର କଟାଇଛି । ଅବଶ୍ୟ ମଝିରେ ମଝିରେ ଘରକୁ ଆସିଥାଏ; ସେଥିପାଇଁ ବାବା କହନ୍ତି, –ଦେଖ ରାୟ, ମନକୁ ସମ୍ପୂର୍ଣ୍ଣ ମୁକ୍ତ କର; ନ ହେଲେ ତୁମେ ସେ ପରମାର୍ଥର ସ୍ପର୍ଶ ପାଇବ ନାହିଁ । ଏଇ ଯେ ତୁଷାରବୃତ ନରାଧିରାଜ ହିମାଳୟ ଦେଖୁଚ, କଳନାଦିନୀ ଗଙ୍ଗା ଦେଖୁଚ, ଚତୁଃପାର୍ଶ୍ଵର ଏ ଯେତେ କମନୀୟ ସ୍ନିଗ୍‌ଧ ପରିବେଶ, ଏହା କି ତମ ମନରେ କିଛି ଅପାର୍ଥବ ସ୍ପନ୍ଦନ ଆଣେ ନାଁ ? କାହିଁକି ନାଁ, ତମର ମନ ମୁକ୍ତ ନୁହେଁ । ତୁମେ ବିଷୟ ଲାଳସାରେ ଜର୍ଜରିତ । ଏସବୁ ଛାଡ଼, ମନକୁ ମୁକ୍ତ କର ! ନିଜ ଭିତରେ ଯେ ଶକ୍ତି ଲୁକକାୟିତ ଅଛି, ତାକୁ ବାହାର କର । ଭଗବାନ୍‌ଙ୍କ ଆଡ଼କୁ ନିଜକୁ ଉନ୍ମୁକ୍ତ କରି ରଖ, ତେବେ ଜାଣିବ ମାନବ ଜୀବନର ସାର୍ଥକତା କେଉଁଠି ।

 

ରାୟବାବୁ ଟିକିଏ ଦମ୍ ନେଇ କହିଲେ, ତା’ପରେ ଆଜ୍ଞା, ଖୁବ୍ ଚିନ୍ତା କରିଛି । ଏ ମୋହ କାହିଁକି ? ଏ ମାୟା କ’ଣ ପାଇଁ ? ବାପା ଯେ ବୈରାଗୀ ନାମ ଦେଇଥିଲେ; ତାର ସାର୍ଥକତା ଭୁଲି, ସାମାନ୍ୟ ଜମି ଘରକୁ ବେଢ଼ି ନିଜକୁ ଭୁଲିଚି କାହିଁକି ? ବାବା ଠିକ୍ କହିଛନ୍ତି, ଏ ମନର ମୁକ୍ତି ଆବଶ୍ୟକ-ମୁକ୍ତି ଆବଶ୍ୟକ । ସେଉଠୁ ମନରେ ବଳ ଆସିଚି । ଘରକୁ ନ ଯିବାର ନିଦାରୁଣ ପ୍ରତିଜ୍ଞା କରି ବାବାଙ୍କ ଚରଣରେ ନିଜକୁ ହଜେଇ ଦେଇଚି । ତାଙ୍କର ସେବା କରିଛି, ଧ୍ୟାନ କରିଛି, ଗଙ୍ଗା ତୀରରେ ବୁଲିଲା ବେଳେ ତା’ର ପ୍ରତିଟି ଢ଼େଉସହ, ଏ ମନର ଢ଼େଉକୁ ମିଶାଇ ଦେଇଚି । ପ୍ରଭାତର ରୌଦ୍ରରେ, ସନ୍ଧ୍ୟାର ରଙ୍ଗୀନତାରେ, ରାତ୍ରିର ଉଜ୍ଜଳ ଚନ୍ଦ୍ରାଲୋକରେ, ଉଦ୍ଭାସିତ ତୁଷାର ଶୁଭ୍ର ହିମାଦ୍ରୀକୁ ଅପଲକ ଆଖିରେ ଚାହିଁ ଆତ୍ମବିସୃତ ହୋଇଚି । ଯେତେବାର ଦେଖିଚି ସେତେବାର ସେ ମତେ ନୂଆ ନୂଆ ସଙ୍କେତ ଦେଇଚି । ଏକ ଅଭିନବ, ଅନୁଭବ, ଏକ ସୂକ୍ଷ୍ମ ଉପଲବ୍‌ଧ, ଏକ ଅନନ୍ତ ଐଶ୍ୱର୍ଯ୍ୟର ବିଭୂତିରେ, ଏ ମନ ପରିପୂର୍ଣ୍ଣ ହୋଇ ଯେତେବେଳେ ଗାଇ ଉଠିଚି, ରେ ଆତ୍ମନ୍ ! ଜୀବନର ନିଦ୍ରା ପରିହର, ଫେଡ଼ି ଚିନ୍ତାର ଲୋଚନ, କର କର ନିରୀକ୍ଷଣ…ରାୟବାବୁ ଖୁଁ ଖୁଁ ହୋଇ କାଶି ଉଠିଲେ ।

 

ସେତେବେଳକୁ ଦାଶରଥିବାବୁଙ୍କ ମନ ପ୍ରାଣ ସିକ୍ତ ହୋଇଗଲାଣି, ଲୋକ ଟାଙ୍କୁରି ଉଠିଲାଣି… । ସେ ତନ୍ମୟ ଭାବରେ ପୂରଣ କଲେ, କର କର ନିରୀକ୍ଷଣ, ନିଃଶବ୍ଦେ ଜୀବନ ସ୍ରୋତ ଧାଉଁଚି କିପରି–

 

ରାୟବାବୁ ହସି ଉଠି କହିଲେ…ଆଜ୍ଞା, ଠିକ୍ ଏଇଠି ହୋଇଯାଏ ରସ ଭଙ୍ଗ !

 

ଏ…ରସ ଭଙ୍ଗ ? ମାନେ… ?

 

ମାନେ…ଠିକ୍ ସେତିକିବେଳେ ମିଳିଯାଏ…ସୁଦୂର ଗାଁରୁ ଅର୍ଦ୍ଧାଙ୍ଗୀନୀଙ୍କର ବିରହ ବ୍ୟଥା ସମ୍ବଳିତ ଚିଠି । ଯଥା ସମ୍ଭବ କାବ୍ୟିକ ଭାଷା ଭିତରେ ପ୍ରେମକୁ ଓଭର ଲୋଡ଼ କରି ସେ ଲେଖିଥାନ୍ତି–ପ୍ରିୟତମ, ସେ ଦିନୁ ଯେ’ ଗଲଣି…ବିଷୟ ସମ୍ପତ୍ତି ଚୁଲିକୁ ଯାଉ, ମୁ କି ତୁମର ମନେପଡ଼େ ନାଁ ? ଅହୋରାତ୍ର ମୁଁ ତୁମକୁ ଚିନ୍ତା କରୁଚି, ତମେ—ତମେ ନିପଟ ଶଠ, ନଟନାଗର ହୋଇ ଆଉ କା’ ପ୍ରେମରେ ବନ୍ଧା ପଡ଼ିଚ….ଛେପ ଢୋକି ରାୟବାବୁ କହିଲେ, ଜାଇଁଲେ ଆଜ୍ଞା…ଏମିତି ଚିଠି ପଢ଼ି ଆଉ କିଏ ସନ୍ନ୍ୟାସୀ ଆଶ୍ରମରେ ରହିପାରେ ? ଜାଇଁଲେ ଦାଶରଥି ବାବୁ, ଯାବତ ମୋହ ମାୟା, ସ୍ଖଳନ, ବନ୍ଧନର ହେତୁ ଏ ପ୍ରପଞ୍ଚ ମାଇକିନା ଜାତିଟା ।

 

ଦାଶରଥି ବାବୁ ମୁଣ୍ଡ ହଲାଇ ହଲାଇ କହିଲେ, ଠିକ୍ ଠିକ୍ ଆଜ୍ଞା । ମୁଁ ସହସ୍ର ବାର ଏକଥା ସ୍ଵୀକାର କରିବି । ଏଥି ଭିତରେ ସନ୍ଧ୍ୟା ଗଡ଼ିଯାଇଚି । ତାର ଛାୟାନ୍ଧକାର ଚତୁର୍ଦ୍ଦିଗକୁ ଆଚ୍ଛନ୍ନ କରି ରଖିଚି । ଚା’ ଦୋକାନର ଲଣ୍ଠନଟି ମିଞ୍ଜି ମିଞ୍ଜି ଜଳୁଚି । ସେପାଖ ଦୋକାନମାନଙ୍କରେ ପାଟିତୁଣ୍ଡ, ବିକାକିଣା ଚାଲିଚି । ନଦୀ ବକ୍ଷର ତରଙ୍ଗିତ ଅନ୍ଧକାରକୁ ଚାହିଁ ଚାହିଁ ରାୟ ବାବୁ କହିଲେ, ଯାଇଁଲେ ଆଜ୍ଞା, ସେଇଠୁ ଘରକୁ ଯାଏ । ନ ଯାଇ ଆଉକି ଚାରାଥାଏ । ସ୍ତ୍ରୀକୁ ବୁଝାଶୁଝା କରେ । ପୁଣି ଚାଲି ଆସେ….ମନରେ ଯେ ନିଶାଲାଗିଚି–ମୁକ୍ତି ପାଇବାର ନିଶା ।

 

ଦିନେ ବାବା ଡାକି କହିଲେ, ରାୟ, ମୁଁ ଗଭୀର ଧ୍ୟାନରେ ମଗ୍ନ ରହିବି । ହୁଏତ ଅନିର୍ଦ୍ଦିଷ୍ଟ କାଳଯାଏ । ତମେ ବାହାରର ସବୁ ଦେଖାଶୁଣା କରିବ । ହୁସିଆର, ମୋର ଧ୍ୟାନ କକ୍ଷକୁ କେବେହେଁ ଯିବ ନାହିଁ କିମ୍ବା କାହାକୁ ଛାଡ଼ିବ ନାହିଁ । ମୁଁ ଆଜ୍ଞା ପାଳନ କରିବି ବୋଲି କହିଲି । ଧ୍ୟାନରେ ବାବା ନିମଗ୍ନ ରହିଲେ ।

 

ଏକୁଟିଆ ସବୁ ବୁଝାଶୁଝା କରେ । ଗଣ୍ଡିଏ ଖାଏ ଓ ନିର୍ଦ୍ଧୁମ ବୁଲେ । ଏଥି ଭିତରେ ଘର ଭୁଲିଯାଇଚି । ସ୍ତ୍ରୀକୁ ଭୁଲିଯାଇଚି । ମୋ ପାଖରେ ଅଭିନବ ମାୟାଜାଲ ବିସ୍ତାର କରିଚି ନଗାଧିରାଜ ହିମାଳୟ । ତାକୁ ନେଇ ମୋର ନିତ୍ୟ ନବୀନ ବିଚିତ୍ର ଅନୁଭବ ମତେ ଆକୁଳ କରିଚି । ମାସେ କଟି ଯାଇଚି । ମନରେ ଉତ୍କଣ୍ଠା ବଢ଼ିଚି । ବାବା କ’ଣ ଆଉ ଏ ଯୁଗର ବାଲ୍ମୀକି ବୋଲାଇଲେ ? ଦିନେ ସମ୍ଭାଳି ରହିପାରିଲି ନାହିଁ, ପଶିଗଲି ସେ ଘରକୁ ।

 

କ’ଣ ଦେଖିଲେ ଆଜ୍ଞା, କ’ଣ ଦେଖିଲେ ?

 

ରାୟ ବାବୁ କହିଲେ, କଣ ଦେଖିଲି…ସେ କ’ଣ ଭାଷାରେ କହିହୁଏ । ଦାଶରଥି ବାବୁ, ସେ କି ଅପୂର୍ବ ଅପରୂପ, ଚମକପ୍ରଦ ଦୃଶ୍ୟ । କକ୍ଷଦ୍ଵାରା ଉଜ୍ଜ୍ୱଳ ଆଲୋକ ଉଦ୍ଭାସିତ ହୋଇ ଉଠିଚି-। ଆଖି ମୋର ମୁଦି ହୋଇଗଲା । ସେହି ଅତ୍ୟଜ୍ଜ୍ୱଳ ଆଲୋକର ଦୀପ୍ତିରେ । ଆଖି ମଳି ମଳି ପୁଣି ଯେତେବେଳେ ଚାହିଁଲି ଦେଖିଲି ବାବାଙ୍କର ନିର୍ଲିପ୍ତ, ଗମ୍ଭୀର, ମୁଖମଣ୍ଡଳ ଚତୁଃପାର୍ଶ୍ୱରେ ଗୋଲାକାର ଏକ ତେଜିୟାନ୍ ଅଗ୍ନି ପିଣ୍ଡ । ସେଥିରୁ ଅସଂଖ୍ୟ ଅଗ୍ନି କଣିକା ଛିଟିକିପଡ଼ି ଘରସାରା ବୁଣି ହୋଇ ଯାଇଚି…ଆଉ…

 

ଆଉ ଫେର୍ କ’ଣ ଆଜ୍ଞା ?

 

ମୁଦ୍ରିତ ନୟନ…ଶୁଭ୍ର ଜଟାଧାରୀ ସେହି ମହାମାନ୍ୟ ସାଧୁ ବାବା ଭୂମିରୁ ପ୍ରାୟ ଏକ ଫୁଟ ଊର୍ଦ୍ଧ୍ଵକୁ ଉଠି ଆସି…ସେମିତି ଶୂନ୍ୟରେ ନିର୍ବିକଳ୍ପ ସମାଧିରେ ବୁଡ଼ି ଯାଇଚନ୍ତି ।

 

ଏଁ ସଂପୂର୍ଣ୍ଣ ଶୂନ୍ୟରେ… ?

 

ହଁ, ଚଟାଣର ଏକ ଫୁଟ ଊର୍ଦ୍ଧ୍ଵରେ ପଦ୍ମାସନରେ ସେ ସେମିତି ଶୂନ୍ୟରେ ହଁ ଉପବେଶନ କରିଚନ୍ତି । ଦେହରୁ ଯେଉଁ ଜ୍ୟୋତି ଝଟକ ଉଠୁଚି, ସେ ଜ୍ୟୋତି ଶତ ଶତ ସୂର୍ଯ୍ୟର ଔଜଲ୍ୟଠାରୁ ସହସ୍ର, ଚନ୍ଦ୍ରର ଜ୍ୟୋସ୍ନାଠାରୁ ଏତେ ବେଶୀ ଗରୀୟାନ ଓ ମାୟା ମୁଗ୍‌ଧ ହୋଇ ଉଠିଚି । ସେହି ଉତ୍‌ପ୍ଳାବିନୀ ଆଲୋକଧାରା ସମ୍ମୁଖରେ ଯୁଗ ଯୁଗର ଘନୀଭୂତ ଅନ୍ଧକାର, ମୁଁ କ’ଣ କେବେ ତିଷ୍ଠି ପାରନ୍ତି ? ମନେହେଲା ଏକ ମଧୁର ସଂଘର୍ଷରେ…ଏକ ତୀବ୍ର ଆଲୋଡ଼ନରେ, ଅଭୁତ ଘୂର୍ଣ୍ଣନରେ ମୋର ସମସ୍ତ ଅବୟବ ମାନପ୍ରାଣ, ଭାଙ୍ଗି ରୁଜି ଯେମିତି ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇ ଯାଇଚି । ମୋ ଭିତରୁ ଉଲ୍ଲମ୍ଫନ ଦେଇ ଆତ୍ମ ପ୍ରକାଶ କରୁଚି ଏକ ପ୍ରକାଣ୍ଡ ଜଳପ୍ରପାତ । ସଙ୍ଗୀତମୟ ଏକ ଅପୂର୍ବ କଳକଳ ଧ୍ୱନିରେ ସେ ସେହି ଆଲୋକ ଧାରା ସହ ଖେଳି ଯାଇଚି, ମିଶିଯାଇଚି । ସେହି ପ୍ରବହମାନ ସ୍ରୋତରୁ ଲକ୍ଷ ଲକ୍ଷ ତରଙ୍ଗ ଫୁଟି ଛିଡ଼ିକି ପଡ଼ୁଚି । ସେ ତରଙ୍ଗରୁ ଅର୍ବୁଦ ଅର୍ବୁଦ ଜଳକଣା ସୃଷ୍ଟି ହୋଇ ଚତୁର୍ଦ୍ଦିଗକୁ ପ୍ଲାବନ କରୁଚି । ତା’ ପରେ–ତା’ ପରେ କଣ ହେଲା ମୁଁ ଜାଣିପାରିଲି ନାହିଁ । ସଂପୂର୍ଣ୍ଣ ଜ୍ଞାନ ହରାଇ ବସିଲି । ପରେ ମୋର ଯେତେବେଳେ ଜ୍ଞାନ ହେଲା ସେତେବେଳେ ମୁଁ ଶୁଣିଲି, ମୁଁ ପାଞ୍ଚ ଦିନ ଅଚେତ ହୋଇ ପଡ଼ିଥିଲି । ବାବାଙ୍କର ସେ ଯେ ଦିବ୍ୟ ସିଦ୍ଧିର ମୂର୍ତ୍ତି ମୁଁ ଦେଖିଲି ତାକୁ କି ମୁଁ ସହ୍ୟ କରିପାରନ୍ତି କେବେହେଲେ ? ବାବାଙ୍କ କରୁଣାରୁ…ତାଙ୍କର ଶ୍ରଦ୍ଧା ଓ ପ୍ରେମରୁ ମୁଁ କ୍ଷମା ଲାଭ କଲି…ସୁସ୍ଥ ହେଲି…

 

ଦାଶରଥି ବାବୁ ରାୟ ବାବୁଙ୍କ ହାତ ଦୁଇଟା ଧରିପକାଇ କହିଲେ, ଆପଣ ମହାପୁଣ୍ୟବାନ୍ । ବାବା ତ ଭଗବାନଙ୍କ ଅବତାର । ଆପଣ ତାଙ୍କର ଚରଣକୃପା ଲାଭ କରିଚନ୍ତି ।

 

ଦାଶରଥି ବାବୁଙ୍କର ଏ କୌଣସି କଥାକୁ ଗୁରୁତ୍ୱ ନ ଦେଇ ରାୟ ବାବୁ ଧଡ଼ାସ୍ କରି ଉଠି ପଡ଼ିଲେ ଚମକିଲା ପରି । ତା’ପରେ ସେ ହାତ ଛଡ଼ାଇ ବିନା ବାକ୍ୟବ୍ୟୟରେ କ୍ଷିପ୍ର ଗତିରେ ଅନ୍ଧାର-ତରଙ୍ଗ ଭିତରେ ମିଶିଗଲେ ।

 

ହଠାତ୍ ଦାଶରଥି ବାବୁ କିଛି ଭାବି ପାରିଲେ ନାହିଁ । ରାୟ ବାବୁ ଏମିତି ଚାଲିଯିବେ ସେ ଜାଣି ନ ଥିଲେ । ତାଙ୍କୁ ଏମିତି ସହଜରେ ଛାଡ଼ି ଦେବା ତାଙ୍କର ଆଦୌ ଇଚ୍ଛା ନଥିଲା । ସେ ସାଧୁବାବାଙ୍କ ପ୍ରତି ତାଙ୍କର ଅଚଳ ଭକ୍ତି, ଅଗାଧ ବିଶ୍ଵାସ । ଏହି ରାୟବାବୁଙ୍କୁ ମାଧ୍ୟମ କରି ସାଧୁବାବାଙ୍କ କରୁଣା ପାଇଁ ତାଙ୍କ ମନ ବ୍ୟାକୁଳ ହୋଇ ଉଠିଲା । ସେ ନିଜର ଭାରି ଦେହଟିକୁ ଯଥାସମ୍ଭବ କ୍ଷିପ୍ର କରି, ରାୟବାବୁଙ୍କର ସନ୍ଧାନ କଲେ, କିନ୍ତୁ ପାଇଲେ ନାହିଁ । ଅଗତ୍ୟା ସକାଳକୁ ପ୍ରତୀକ୍ଷା କରି ରହିଲେ ।

 

ପ୍ରଭାତରେ ଲୋକମାନେ ଯଥାରୀତି ସ୍ନାନ କରି ବାବାଙ୍କ ଦର୍ଶନାର୍ଥେ ଚାଲିଥାନ୍ତି । ଦାଶରଥି ବାବୁ ମଧ୍ୟ ସ୍ନାନ କରି ରାୟଙ୍କୁ ଖୋଜିବାରେ ବ୍ୟସ୍ତ । ନ ହେଲେ ଯେ ବାବାଙ୍କ ଦର୍ଶନ ଓ କୃପାଲାଭ ହେବନି । କେତେ ଆଶାରେ ସେ ଆସିଚନ୍ତି । ମାତ୍ର ତାଙ୍କୁ କେଉଁଠି ନ ପାଇ ସେ ନିରାଶରେ ନଦୀବନ୍ଧରୁ ତଳକୁ ଗଡ଼ି ପଡ଼ିଲାବେଳେ ହଠାତ୍ ଦେଖିଲେ ରାୟ ବାବୁ ଗଛ ମୂଳେ ଠିଆହୋଇ ବିଷର୍ଣ୍ଣ ଭାବେ କଣ ଚିନ୍ତା କରୁଛନ୍ତି । ସେ ଧାଇଁ ଯାଇ ତାଙ୍କୁ କୁଣ୍ଢାଇ ପକାଇ କହିଲେ, କେତେ ଖୋଜିଲିଣି ଆପଣଙ୍କୁ । ଆପଣ ମତେ ରକ୍ଷା କରନ୍ତୁ ।

 

ବିସ୍ମିତ ହୋଇ ରାୟ ବାବୁ କହିଲେ, କ’ଣ ହୋଇଚି ?

 

ବ୍ୟାକୁଳ କଣ୍ଠରେ ଦାଶରଥି ବାବୁ କହିଲେ, ମୋର ଆଜ୍ଞା ଜୀବନସାରା ବଡ଼ ଦୁଃଖ । ମୁଁ ନିଃସନ୍ତାନ–ସେଇଆ ଭାବି ଭାବି ସ୍ତ୍ରୀ ସମ୍ପୂର୍ଣ୍ଣ କ୍ଷୀଣ ହେଲେଣି । ଶୁଣିଲି, ବାବାଙ୍କ କୃପା ପାଇଲେ, ତାଙ୍କ ବିଭୂତି ସେବନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହେଉଚି । ମୋ ଦୁଃଖ ଆଜ୍ଞା ତାଙ୍କୁ ଟିକେ ଜଣାନ୍ତୁ, ମତେ ଦୟା କରନ୍ତୁ-କହୁ କହୁ ସେ ରାୟ ବାବୁଙ୍କ ପାଦ ଧରିବାକୁ ନଇଁ ପଡ଼ିଲେ ।

 

ରାୟ ବାବୁ ଦୁଇ ପାଦ ପଛକୁ ଘୁଞ୍ଚି ଆସି ସେମିତି ନିର୍ବାକ ହୋଇ ଠିଆ ହୋଇଗଲେ ।

 

ଦାଶରଥି ବାବୁ ଯେତେବେଳେ ରାୟ ବାବୁଙ୍କ ହାତ ଟାଣି ଟାଣି କହିଲେ, ଆଜ୍ଞା ଚାଲନ୍ତୁ, ମତେ ଟିକେ ଦୟା କରନ୍ତୁ…ମୋ’ ପ୍ରତି ବାବାଙ୍କ ଦୃଷ୍ଟି ଆକର୍ଷଣ କରାନ୍ତୁ । ସେତେବେଳେ ରାୟ ବାବୁ ସେମିତି ନିର୍ବିକାର ଭାବେ, ନୀର୍ଲିପ୍ତ ଚାହାଣୀରେ ଚାହିଁ କହିଲେ…ମୋତେ ବାବା ଟିକେ ବି ଚିହ୍ନନ୍ତି ନାଇଁ…ଜାଣନ୍ତି ନାହିଁ !

 

ଆଶ୍ଚର୍ଯ୍ୟରେ ଦାଶରଥି ବାବୁ ଅବାକ୍ ହୋଇ ଯାଇଥିଲେ । ସେ କହିଲେ, କାଲି ଯେ ଏତେ କଥା କହୁଥିଲେ ।

 

ସେମିତି ଶୂନ୍ୟଦୃଷ୍ଟିରେ ରାୟ ବାବୁ କହିଲେ–ସେ ସବୁ ମିଛ ।

 

ଏଁ, ମିଛ ? କି ଭୟଙ୍କର ମିଛ ।

 

ରାୟ ବାବୁ ତାଙ୍କର ବିଷଣ୍ଣ ମୁହଁରେ ଏକ ବିକ୍ଷୁବ୍‌ଧ, ଅଥଚ ଗହୀର ହସ ଫୁଟାଇ କହିଲେ…ଆପଣ ବି ମିଛ କହୁଚନ୍ତି-କହିଚନ୍ତି ଆପଣଙ୍କର ବଡ଼ ବଡ଼ ପୁଅ ଅଛନ୍ତି ।

 

ଲଜ୍ଜିତ ହୋଇ ଦାଶରଥି ବାବୁ କହିଲେ…ହଁ, କହିଛି; କିନ୍ତୁ ଏତେ ଜୀବନ୍ତ ମିଥ୍ୟା…ସେମିତି ନିର୍ଲିପ୍ତ, ମର୍ମାନ୍ତିକ ଚାହାଣୀରେ ରାୟ ବାବୁ କହିଲେ, ଆପଣ ପଦେ ମିଛ କହିଚନ୍ତି…ଆଉ ମୁଁ କହିଚି ସହସ୍ର ପଦ । ତଫାତ୍ କିଛି ନାଇଁ । ସବୁ ଏକା କଥା । ସମ୍ଭବତଃ ଆମେ ସମସ୍ତେ ଆଜି ଏଇ ମିଥ୍ୟାରେ ହିଁ ବଞ୍ଚି ରହିଛେ । ବଞ୍ଚିବାକୁ ସୁଖ ପାଇଚେ ଅଥବା ବାଧ୍ୟ ହୋଇଚେ । କାହିଁକି ନା ଆମର କାମନା ଓ ପ୍ରାପ୍ତିର ସାମଞ୍ଜସ୍ୟ ନାହିଁ । ଆମର ପରିକଳ୍ପନା ଓ ପରିଚାଳନାରେ ସାମଞ୍ଜସ୍ୟ ନାହିଁ । ଆମର କଥା ଓ କାର୍ଯ୍ୟର ସାମଞ୍ଜସ୍ୟ ନାହିଁ । ଆମର ଅଶାନ୍ତ ଆତ୍ମା ବିକଳ ହୋଇ ଶାନ୍ତି ଖୋଜୁଚି । ସେ ଶାନ୍ତି ମିଥ୍ୟା ଛଡ଼ା ଆମକୁ ଦବ କିଏ ?

 

ଦାଶରଥି ବାବୁ ହାଁ କରି ଚାହିଁ ଥିଲେ…

 

ରାୟ ବାବୁ ସେମିତି ଶୂନ୍ୟ ଦୃଷ୍ଟିରେ ଉଦାସ ସ୍ୱରରେ କହିଲେ…ବିଶ୍ୱାସ କରନ୍ତୁ, ଯାହା କହିଛି ଉଦ୍ଭଟ କିଛି ନୁହେଁ । ସେ ସବୁ ମୋର ଦିନ ଦିନର ଆବଦ୍ଧ ସ୍ୱପ୍ନ…ସେ ସବୁ ମୋର ଅତଳ ମନର ବିଫଳ ପ୍ରସ୍ତୁତି । ଅସୀମ ଆକାଶର ତୃଷ୍ଣା ନେଇ ଜୀବନକୁ ମୁଁ କଳ୍ପନାରେ ଗଢ଼ିଥିଲି ଏକ ପ୍ରକାର ! ବାସ୍ତବରେ ମୁଁ ହୋଇଗଲି ଆଉ ପ୍ରକାରେ । ଗଙ୍ଗା ଓ ହିମାଦ୍ରୀର ସେ ଦୁରନ୍ତା ସ୍ୱପ୍ନ…ସେ ରାଶି ରାଶି ଉନ୍ମୁକ୍ତ ଚିନ୍ତା…ଆତ୍ମ-ଅନ୍ୱେଷଣର ସେ ଗଭୀର ଭାବାବେଗ ନେଇ ମୁଁ ଦାର୍ଶନିକ ହେଲି ନାହିଁ…ହେଲି ଯୁଦ୍ଧଖୋର ସୈନିକ । ଜୀବନ-ଯୁଦ୍ଧରେ ରକ୍ତାକ୍ତ ହୋଇ ବି ମୁଁ ଜିତି ପାରିଲି ନାହିଁ । ହାରି ଗଲି…ହାରି ଗଲି…ରାୟ ବାବୁଙ୍କ ସ୍ୱର କମ୍ପି ଉଠିଲା….ସେ ପୁଣି ରୁଦ୍ଧକଣ୍ଠରେ କହିଲେ-ମୁଁ ଆଜି ଆମ ସରକାରଙ୍କର ଜଣେ ଛଟେଇ ସ୍ଵଳ୍ପଭୋଗୀ କର୍ମଚାରୀ ! ପାଞ୍ଚବର୍ଷ ହେବ ବେକାର ହୋଇ ଘୂରି ବୁଲୁଛି । ପାଞ୍ଚଟି ପିଲାଙ୍କ ତୁଣ୍ଡରେ ଅନ୍ନ କଣିକାଏ ଦବାର ସାମର୍ଥ୍ୟ ମୋର ନାହିଁ… । ଆଜି ମୋ ପିଲାଙ୍କ ତୁଣ୍ଡରେ ଅନ୍ନପାଇଁ ଆଉ ଲଜ୍ଜା ନାହିଁ…ଧର୍ମ ନାହିଁ…ବିବେକ ନାହିଁ… । ସେଥିପାଇଁ ଗହଳି ହୋଇଥିବା ଟ୍ରେନ ବସରେ…ମେଳା ମହାତ୍ସବରେ ବାସ୍ତୁହରା ପରି ମୁଁ ଘୁରିବୁଲେ…କାରଣ ଯଦି କରିପାରେ କିଛି ଉପାର୍ଜନ…ଯଦି କରିପାରେ…ଚୋରୀ, ଚୋରୀ… ! କହୁ କହୁ ରାୟ ବାବୁ ସେଇ ହାତରେ ମୁହଁ ଗୁଞ୍ଜି ଭୋ ଭୋ କାନ୍ଦି ଉଠିଲେ ।

 

ଦାଶରଥୀ ବାବୁ ଥକ୍‌କା ହୋଇ ଚାହିଁ ଦେଖୁଥିଲେ… ରାୟ ବାବୁଙ୍କୁ । କାଲି ଅପରାହ୍ନରେ ଯିଏ ବେପରୁଆ ଭାବେ, ଜୀବନ ପ୍ରତି ସମ୍ପୂର୍ଣ୍ଣ ନିର୍ଲିପ୍ତ ରହିଥିଲା…ଆଜି ସେ ଜୀବନ ଜ୍ୱାଳାରେ କେତେ ଜର୍ଜରିତ, କେତେ ଦୁଃସ୍ଥ, କେତେ ଅସହାୟ ଅଥଚ ସେ ଆଜି ହୋଇ ପଡ଼ିଛି ଏକ ଅଦ୍ଭୁତ ସମଷ୍ଟି । ସତ ଓ ମିଛର, ଆଲୋକ ଓ ଅନ୍ଧକାରର, ମୁକ୍ତି ଓ ବନ୍ଧନର ।

 

ଦାଶରଥି ବାବୁ ସେମିତି ଚାହିଁଥିଲେ.. ନିରଞ୍ଜନା ନଦୀର ବାଲୁକା ଶଯ୍ୟାରେ ପ୍ରଭାତର ରୌଦ୍ର ଝଲମଲ କରି ଉଠୁଥିଲା… ।

Image

 

Unknown

ନିର୍ଯ୍ୟାସ

 

ଏମିତି ବେଳେ ବେଳେ ସେ ରୋଗ ବାହାରେ । ଚତୁର୍ଦ୍ଦିଗରେ ଏକ ଅଚାନକ ପ୍ଲାବନ ବ୍ୟାପି ଗଲା ପରି ଜଣାପଡ଼େ । ସେଇ ଆର୍ଦ୍ରତାରେ ଭିଜିଯାଏ, ସତେ କି ଏ କୋଠରୀ, କବାଟ, ଝରକା ସବୁ । ନିଜର ସତ୍ତା ଦ୍ରବି ଆସେ ଧୀରେ ଧୀରେ ଆଚ୍ଛନ୍ନ ହେଲା ଭଳି । କେତେଦୂର ଦେଖାଯାଏ ଏକ ରକ୍ତ-ଲୋହିତ ବିନ୍ଦୁ ! ତା’ ଭିତରୁ ମୁକ୍ତି ଲିଭି ଆସେ ଏକ ନୃତ୍ୟଶୀଳ ଅଙ୍ଗ । ସେ ନୃତ୍ୟର ଛନ୍ଦ ନାହିଁ, ଲୟ ନାହିଁ, ତାଳ ନାହିଁ, ବିନ୍ୟାସ ନାହିଁ । ତେବେ ବି ସେ ଏକ ନୃତ୍ୟ, ଅନେକ ଅଲିପିର ଲିପି, ଅନେକ ଭାବର ଭାଷା, ଅନେକ ଶିଳ୍ପରସର ପ୍ରତୀକ । ଟିକି ଟିକି ହସ୍ତପଦର ଚପଳ ଦୁଷ୍ଟାମୀ । ଏକ ପେଲବ ପଦ୍ମକଢ଼ର ଅଙ୍ଗ-ଦୋଳନ । ସେ ଛବିଟି ଢଳି ଢଳି ପାଖକୁ ଆସି ପୁଣି ଦୂରେଇ ଯାଏ । ସତେ କି ବିଦ୍ରୁପ କରେ, ନେଇ ପାରିବୁ ? ମତେ ନେଇ ପାରିବୁ ? ସଂକୁଚିତ ଦୁର୍ବଳ ବାହୁ ପ୍ରସାରିତ ହୁଏ । ଆ-ଆ-ଧନ ମୋ ! ଆ-ଆ’– । ତା’ ପରେ ସେ ପ୍ରସାରିତ ବାହୁ ଭିତରକୁ ଖପ୍ କରି ଡେଇଁପଡ଼େ । ଏକ ପ୍ରଗଢ଼ ଆଲିଙ୍ଗନ ଭିତରେ ଜଡ଼ି ରହେ କେଇ ମୁହୂର୍ତ୍ତ । ମନେହୁଏ, ଏ ବିପୁଳ ଅନୁଭବ ଭିତରେ, ବିନ୍ଦୁଟିଏ ପରି କେଉଁଠି ଛପି ଗଲାଣି, ଅଥବା ଏ ଅନୁଭବର ପ୍ରତି ରେଣୁ ଭେଦି ସେ ଯେମିତି ବିଶ୍ଵମୟ ହୋଇ ଉଠିଛି । ଅନବଦ୍ୟ, ଆତ୍ମବିସ୍ତୃତ ଏ ସତ୍ୟ । ୟା’ ଠାରୁ ଦ୍ଵିତୀୟ ନାହିଁ ଯେମିତି ।

 

ପର ନିମିଷରେ କିନ୍ତୁ ଏ ରୋଗ, ଏଇ ଭିଜା ଭିଜା ଅନୁଭୂତି । ଛଳ ଛଳ ହୋଇ ବହିଯାଉଥିବା ଏଇ ସାବଲୀଳ ସତ୍ତା, କାହାର ଆହ୍ଵାନରେ, ବାସ୍ତବତାର ରୁକ୍ଷ ପରିବେଶ ଭିତରେ, ବେଶ୍ କଠିନ ଓ ସଙ୍କୁଚିତ ହୋଇ ଉଠେ । ସେଇ ମୁକ୍ତ ଗବାକ୍ଷ ତଳେ, ଦାମି ଖଟ ଉପରେ ମନ୍ଦାକିନୀ ପୁଣି ନିଜକୁ ଆବିଷ୍କାର କରି ବସନ୍ତି । ଚାରି ପାଖରେ ସେହି ଔଷଧ ଶିଶି, ବରଫଥଳି, ଫଳ ଓ ପଥ୍ୟାପଥ୍ୟର ଉପଚାର । ଚାରି ପାଖରେ ଖାଁ ଖାଁ ନିର୍ଜନତାର ଅଥଳ ସମୁଦ୍ର । ତା’ ଭିତରେ ଏଇ ଜଡ଼ ବସ୍ତୁର ଉପଦ୍ୱୀପରେ, ସେ ଯେମିତି ନିର୍ବାସିତ ଏକମାତ୍ର ମଣିଷ-ନିଜର ଦୁଃଖ, କ୍ଷୋଭ, ହାହାକାରର ଏକମାତ୍ର ଶ୍ରୋତ ଓ ଦର୍ଶକ କ୍ରମଶ ବି ଜଡ଼ ହୋଇ ଆସୁଚନ୍ତି ।

 

ସେହି ସାମୟିକ ଚିତ୍ତ ଚାଞ୍ଚଲ୍ୟ ପରେ ଯିଏ ତାଙ୍କ ସମ୍ମୁଖରେ ଠିଆ ହୋଇ ରହେ, ସେ ତାଙ୍କର ସ୍ୱାସ୍ଥ୍ୟ-ଦାୟିତ୍ଵ ନେଇଥିବା ପରିଚାରିକା । ତାଙ୍କର ଦିନଗୁଡ଼ିକ ଏମିତି ପରିଚାରକ ଓ ପାରିଚାରିକାମାନଙ୍କ ଗହଣରେ ବିତିଥାଏ । ଠାକୁର ପରି ସେବା ପାଇ ପାଷାଣ ହୋଇ ସେ ବସିଥାନ୍ତି । ସ୍ୱାମୀ ସଦାନନ୍ଦ ନିଜର ଆଇନ ବ୍ୟବସାୟ ବ୍ୟତୀତ ଆଉ କିଛି ଜାଣନ୍ତି ନାହିଁ । ଏକମାତ୍ର କନ୍ୟା ମୀନାକ୍ଷୀ ଉଚ୍ଚ ଶିକ୍ଷାପାଇଁ ଲଣ୍ଡନ ଯାଇ ଏ ପିଚିଶ ଛବିଶ ଦିନ ହେବ ଫେରିଚି । ତେବେ ବି ବାହାରେ ତା’ର ବହୁତ କାମ-ବହୁତ ବୁଲା । ଘରେ ରହିବାକୁ ସେ ସୁଖ ପାଉନି, ତେଣୁ ମନ୍ଦାକିନୀ ଅଗତ୍ୟା ଏଇ ଚାକର-ଚାକରାଣୀଙ୍କ ସାହାଯ୍ୟରେ ଚଳିଥାନ୍ତି । ସେ ଦିନ ମଧ୍ୟ ସେ ଚାକରାଣୀକୁ ଔଷଧ-ପାତ୍ର ଧରି ଠିଆ ହୋଇଥିବାର ଦେଖିଲେ । ଔଷଧତକ ତା ହାତରୁ ନେଇ ଢକଢ଼କ କରି ପିଇ ଦେଇ ପଚାରିଲେ-ମୀନା ଫେରି ନାହିଁ ?

 

ନାଁ– !

 

ନାଁ-ନାଁ-ନାଁ-ସେଇ ନିଦାରୁଣ ଉତ୍ତର ଛଡ଼ା ଆଉ ଯେମିତି କାହା ମୁହଁରେ କିଛି ନାହିଁ । ଏଇ ଚାକର-ଚାକରାଣୀଗୁଡ଼ାକ ବି ତାଙ୍କୁ କଷ୍ଟ ଦୁଃଖ ଦେବାପାଇଁ ଷଡ଼୍‌ଯନ୍ତ୍ରରେ ସଂପୃକ୍ତ । ତାଙ୍କୁ ହିଁ ମାରିବାପାଇଁ, ନିର୍ଜନତାରେ ପୋଡ଼ିବାପାଇଁ, ସ୍ୱାମୀ ଓ ଝିଅ ସହିତ ଏମାନଙ୍କର ବି ଏତେ ଷଡ଼୍‌ଯନ୍ତ୍ର–ହଁ, ତାଙ୍କୁ ସମସ୍ତେ ଦୁଃଖ ଦେବାକୁ ଚାହାନ୍ତି-ତାଙ୍କୁ ଏମିତି ଜୀବିତ ଅବସ୍ଥାରେ ଛଟପଟ କରାଇବାକୁ ଚାହାନ୍ତି—ତା’ ନ ହେଲେ କାହିଁକି ତାଙ୍କର ବାରଣସତ୍ତ୍ୱେ ମୀନା ଲଣ୍ଡନ ଯାଇଥାନ୍ତା ଓ ସ୍ୱାମୀ ତାକୁ ଜିଦ୍ କରି ପଠାଇଥାନ୍ତେ ?

 

ମନ୍ଦାକିନୀ ଦୀର୍ଘଶ୍ଵାସ ଛାଡ଼ିଲେ । ଏତେ ବଡ଼ କୋଠାଟା ନିର୍ଜନ ଖାଁ—ଖାଁ— । ଧନରତ୍ନର ଅଭାବ ନାହିଁ । କେଉଁଥିରେ ବା କ’ଣ ତାଙ୍କର ଅଭାବ ଅଛି । କଲିକତାରୁ ଡାକ୍ତର ଆଣି ସ୍ୱାମୀ ଚିକିତ୍ସା କରାଉଛନ୍ତି । ଲଣ୍ଡନ ନେଇଯିବେ ବୋଲି ଝିଅ ଜ୍ଵାଇଁ ଅଳି କରିଥିଲେ । ତେବେ ବି ଏତେ ନିଃସ୍ୱ-ଏତେ ତୁଚ୍ଛ-ମାଟି ଓ ଗୋଡ଼ିଠାରୁ ଏତେ ନଗଣ୍ୟ–। ଏକମାତ୍ର ପ୍ରାଣାଧିକା କନ୍ୟା ଏଇ ମୀନାକ୍ଷୀ; ତାଙ୍କର ଦୁଇଟି ଆଖି-କଲିଜାର ଏକ ଅଂଶ । କେତେ ନିନ୍ଦା କେତେ ଅପବାଦ, କେତେ ଅଶ୍ରୁ ଓ କେତେ ଲାଞ୍ଛନା ପରେ ସେ ତାକୁ ଲଭିଚନ୍ତି ! ସେ ତା’ର ମାଆ—ଦୁନିଆଁର ସବୁ ନାରୀ ଏମିତି ମା’ ହୁଅନ୍ତି । ମାତ୍ର ସେ ଏତେ ସାଂଘାତିକ ହେଲେ କାହିଁକି ? ସବୁ ମାଆ ଝିଅମାନଙ୍କୁ ପର ଘରକୁ ପଠାଇ ନିଶ୍ଚିନ୍ତ ହୁଅନ୍ତି, ମାତ୍ର ଛ’ବର୍ଷ ପାଇଁ ପଢ଼ାଇବାକୁ ବିଦେଶ ପଠାଇ ସେ ବିଛଣା ଧରିଲେ କାହିଁକି ? ମନ୍ଦାକିନୀ ଆଜି ବି ଏହାର କାରଣ ବୁଝି ପାରନ୍ତି ନାହିଁ । କେତେ ଚିଠି କେତେ ଟେଲିଗ୍ରାମ୍ ପରେ ମୀନାକ୍ଷୀ ଫେରିଚି, ମାତ୍ର ସତେ କ’ଣ ତାଙ୍କର ମୀନାକ୍ଷୀ ଫେରି ଆସିଚି ? ସେଇ ତାଙ୍କର ପିଲା-ବେଳର, ପଢ଼ିଲା-ବେଳର ମୀନାକ୍ଷୀ ? ଛାତି ଉପରେ ଲୋଟିପଡ଼ି ଯିଏ ଅଳି କରେ, ସାମାନ୍ୟ କଥାରେ ଯିଏ ଅଭିମାନ କରେ, ୟା’ ଖାଇବିନି, ତା’ ଖାଇବିନି ବୋଲି ଯିଏ ଅଝଟ ଲଗାଏ, ସେଇ ମୀନାକ୍ଷୀ ବର୍ଷ ଛ’ଟାରେ କେତେ ବଦଳିଗଲା ? ସେଇ ମୀନାକ୍ଷୀ ଏମ୍.ଏ. ପଢ଼ିଲାଯାଏ ତ ତା’ର ସେଇ ଅଳି, ସେଇ ଅଝଟ, ସେଇ ଦୁଷ୍ଟାମି ଛାଡ଼ି ନ ଥିଲା–। ଆଜି ଏଇ ବାହାରକୁ ଯାଇ ଏତେ ଗମ୍ଭୀରତା ଶିଖିଗଲା ! ପଚିଶ ଦିନ ହେବ ଆସିଲାଣି, କେତେବେଳେ ଆସେ, ପଚାରେ, ପଦେ କଥା-କେମିତି ଅଛୁ ବୋଉ ? ଭଲ ଲାଗୁଚି ? ହଉ, ଶୋଇପଡ଼ । ବାସ୍, ଏଇ କେତୋଟି କଥା । ମୁଖସ୍ଥକରା ସଂଳାପ ପରି ସେ ପ୍ରୟୋଗ କରି ଫେରିଯାଏ । ପଚାରିବାର କଥା ବୋଲି । ଯେମିତି ପଚାରନ୍ତି ସାଇ ପଡ଼ିଶା, ଚାକର ପୂଝାରୀ, ସେଇମିତି ପଚାରେ ମୀନାକ୍ଷୀ-ଯାହାକୁ ସେ ପୃଥିବୀର ସବୁ ସନ୍ତାନଙ୍କଠାରୁ ଆହୁରି ଊର୍ଦ୍ଧ୍ଵରେ ରଖିଥିଲେ ? ମୀନାକ୍ଷୀ ଫେରିଲେ ସେ ଭଲ ହୋଇ ଉଠିବେ ବୋଲି କଳ୍ପନା କରିଥିଲେ, ମାତ୍ର ତାହା ଆଜି ଭୁଲ୍ । ପ୍ରକାଣ୍ଡ ଭୁଲ୍ ! ମୀନାକ୍ଷୀ ଫେରିଚି ଆଜି ଖାଲି ଏକ ଶୁଷ୍କ ସାନ୍ତ୍ୱନା ହୋଇଛି, ତା’ ଛଡ଼ା ଆଉ କିଛି ନୁହେଁ ।

 

ମନ୍ଦାକିନୀଙ୍କର ଛାତି ଥରାଇ ଦୀର୍ଘଶ୍ଵାସ ବାହାରିଗଲା; ବାହାରେ ମଧ୍ୟାହ୍ନର ପ୍ରଜ୍ଜ୍ୱଳିତ ଖରା ନଇଁ ଆସୁଚି । କାହା ଘରକୁ ନିମନ୍ତ୍ରିତ ହୋଇ ଖାଇବାକୁ ଯାଇଚି ଏବେ ବି ମୀନାକ୍ଷୀ ଫେରି ନାହିଁ । ବିଳାତଫେରନ୍ତା ଝିଅ ତାଙ୍କର-ଆଉ କ’ଣ ତାଙ୍କ କାନି ତଳେ ଲୁଚି ରହନ୍ତା ? ତେବେ ବି ଏ ମନ ମାନେନା…ସେ ଭାବନ୍ତି, ମୀନାକ୍ଷୀ ତାଙ୍କ ପାଖେ ରାହନ୍ତା-ପୁଣି ସେମିତି ଦୁଷ୍ଟାମି କରନ୍ତା । କ୍ଷୀରବଢ଼ାରୁ ସର କାଢ଼ି ସେମିତି ଲୁଚେଇ ଖାଇଦିଅନ୍ତା । ଟ୍ରଙ୍କ ଫିଟାଇ ଲୁଚେଇ ଲୁଚେଇ ଟଙ୍କା ନେଇଯାଆନ୍ତା । ଖାଇବାରେ ଟିକେ ଡେରି ହେଲେ ଥାଳି ଫିଙ୍ଗନ୍ତା, ଆଉ ସେ ତାକୁ ବୁଝାଇଶୁଝାଇ ଖୁଆଇ ଦିଅନ୍ତେ…

 

ନାଃ…ଏ ସବୁ କିଛି ନାହିଁ…ମୀନାକ୍ଷୀ ପୂରା ବଦଳିଗଲା । ଏବେ ଖାଇବାକୁ ଡାକିଲେ ବି ସେ ଆସୁ ନାହିଁ । କେତେ ତା’ର ମନଲାଖି ଖାଦ୍ୟ ତିଆରି କରିବାପାଇଁ ସେ ପୁଝାରୀକୁ ନିର୍ଦ୍ଦେଶ ଦେଲେଣି । କୌଣସିଥିରେ ତା’ର ଆଗ୍ରହ ନାହିଁ, ସ୍ପୃହା ନାହିଁ । ଗମ୍ଭୀର ଗମ୍ଭୀର ଭାବ । ପଚାରିଲେ କେତେ ଥରରେ ଉତ୍ତର ଆସୁଚି । ଓଃ…ଗଲା-ତାଙ୍କର ସବୁ ଶୂନ୍ୟ ହୋଇଗଲା । ମୀନାକ୍ଷୀ ତାଙ୍କୁ ନିଃସ୍ୱ…ଦରିଦ୍ର କରିଦେଲା–

 

ମନ୍ଦାକିନୀ ଝରକାପାଖେ ଚାହିଁଥିଲେ—ରାଜରାସ୍ତାରେ କୋଳାହଳ—ନିଜ ନିଜର କର୍ମ-ଅଭିମୁଖରେ, ଉଲ୍ଲାସରେ ଆଗେଇଚି ଧାଡ଼ିବନ୍ଧା ମଣିଷର ସ୍ରୋତ । ସେ ଏମିତି ଦିନେ ଧାଇଁଥିଲେ ପ୍ରବଳ ଉନ୍ମାଦନାରେ । ମୀନାକ୍ଷୀକୁ ନେଇ ତାଙ୍କର ପୃଥିବୀ କେତେ ବିଶାଳ, କେତେ ମୁଖର ହୋଇପଡ଼ିଥିଲା ? ଏଇ ମୀନାକ୍ଷୀକୁ ସୁଖରେ ରଖିବାପାଇଁ, ତା’ର ଅଳି-ଅର୍ଦ୍ଦଳି ସହିବାପାଇଁ, ତାଙ୍କର ଦିନରାତି କେମିତି ଏକାକାର ହୋଇ ଯାଉଥିଲା–ସେ କଥା ଏତେ ବେଶୀ ଯେ, ଆଜି ବି ଭାବି ହୁଏ ନାହିଁ । ସେଇ ଝିଅ ଛ’ବର୍ଷ ତାଙ୍କୁ ଛାଡ଼ି ଦେଇଗଲା ଅନ୍ଧ ଓ ଛୋଟା କରି, ଅକର୍ମଣ୍ୟ କରି । ସେ ଆଜି ଆଉ କ’ଣ କରିବେ କା’ପାଇଁ ?

 

ମନ୍ଦାକିନୀ ନିଜଭିତରେ ବଡ଼ ଅସ୍ଥିର ହେଲେ । ଛ’ ବର୍ଷ ପରେ, ମୀନାକ୍ଷୀ ତାଙ୍କର ଫେରିଚି, ତାଙ୍କର ଏ ରୁଗ୍‌ଣ କୋଳକୁ । ସ୍ୱର୍ଗରୁ ପାରିଜାତ ଆକାଶରୁ ତାରା କି ସେ ଆଣିଦେଇ ପାରନ୍ତେ ନାହିଁ ? ଅଳି କରି ମାଗନ୍ତା ନାହିଁ ମୀନାକ୍ଷୀ ? ନା, ନା, ସେ ମାଗୁ ବା ନ ମାଗୁ ଆଜି ତା’ ପାଇଁ ସେ ସବୁ କରି ରଖିବେ, ନିଜ ହାତରେ, ନିଜର ଏଇ ଦୁର୍ବଳ ଦେହରେ । କାହାପାଇଁ ସେ ଦୁର୍ବଳ ହେଲେ ? କାହାପାଇଁ ସେ ବିଛଣା ଧରିଲେ ? ତାଙ୍କୁ କ’ଣ ରାନ୍ଧି ଆସେ ନା । ଆଜି ସେ ମୀନାକ୍ଷୀପାଇଁ ତା’ର ମନଲାଖି ଖାଦ୍ୟସାମଗ୍ରୀ ସଜାଡ଼ି ରଖିବେ । ଦୁଧ ଆଉଟି ସର ପକାଇ ସାଇତି ରଖିବେ । ଆଜି ସେ ତା’ର ସବୁ ବ୍ଲାଉଜ୍, ଶାଢ଼ି ସଫା କରି ଇସ୍ତ୍ରୀ ଦେବେ । ଫେରିଲେ ଜବରଦସ୍ତ ଅଟକାଇ ରଖି ମୁଣ୍ଡ ବାନ୍ଧି ଦେବେ । କବରୀରେ ମାଳ ମାଳ ଫୁଲ ଗୁନ୍ଥି ଖଞ୍ଜି ଦେବେ । କୋଳରେ ଧରି ଜହ୍ନମାମୁଁ ଦେଖାଇ ଆଜି ଯଦି ସେ ତାକୁ ଖୁଆଇ ଦିଅନ୍ତେ–ଆଃ…ଛ’ବର୍ଷ, ଛ’ବର୍ଷର ଏହି ତୃଷ୍ଣା-ପର୍ବତପ୍ରମାଣ ଜମାଟ ବାନ୍ଧି ରହିଚି । ସେ ରୁଦ୍ଧ ପିପାସା ଆଜି ସ୍ରୋତସ୍ୱିନୀ ତଟିନୀ ପରି ଉତ୍‍ପ୍ଲାବିନୀ—ମୀନାକ୍ଷୀକୁ କୋଳକରି ସେ ଖୁଆଇ ଦିଅନ୍ତେ—ସେ ଖାଦ୍ୟ ସରନ୍ତା ନାହିଁ । ଆଖିରେ ପଲକ ପଡ଼ନ୍ତା ନାହିଁ । ଯୁଗ—ଯୁଗପାଇଁ ।

 

ନିଜର ଭାବନାଭିତରେ ମନ୍ଦାକିନୀ ମୀନାକ୍ଷୀର ପଢ଼ା ଘରକୁ ଚାଲିଆସିଥିଲେ । ଓଃ, କେଡ଼େ ଅସନା ହେଇଚି ଏ ଘର ! ସତେ ତ, ଛ’ବର୍ଷ ତାଙ୍କ ପାଦ ଏ ଘରେ ପଡ଼ି ନାହିଁ । ମୀନାକ୍ଷୀ ଆଜି ଫେରିଚି, ଏ ଘରେ ଚଳୁଚି କେମିତି ? ମନ୍ଦାକିନୀ ସଜାଡ଼ିବାକୁ ଆଗଭର ହେଲେ । ଖଟ, ଆଲନା, ଟେବୁଲ୍ ସବୁ ବିପର୍ଯ୍ୟସ୍ତ । ଥାକ ଥାକ ବହି ସଜାଡ଼ି ଦେଲେ । ଶାଢ଼ି କୁଞ୍ଚି କରି ଆଲନାରେ ସାଇତି ରଖିଲେ । ବିଛଣାଟା ଝାଡ଼ି କାନ୍ଥ ଝାଡ଼ିବାବେଳକୁ ଖସିପଡ଼ିଲା ଏକ ଫଟ । ମନ୍ଦାକିନୀ ତୋଳି ଧରିଲେ ଫଟୋଟି । ମୀନାକ୍ଷୀର । ସେଇ ଫ୍ରକ୍‌ପିନ୍ଧା ବୟସର । ଆଜିର ଏଇ ଗୁରୁଗମ୍ଭୀରା, ଲଣ୍ଡନ ଫେରନ୍ତା ମୀନାକ୍ଷୀ ଦିନେ ଏମିତି ଥିଲା । ଫ୍ରକ୍ ପିନ୍ଧିଥିଲା । ଡବଲ୍ ବେଣୀ ଛାଡ଼ୁଥିଲା । ସ୍କିପିଙ୍ଗ୍ ଖେଳି ଖାସେ ଡେଉଁଥିଲା । ଦୁଷ୍ଟାମି କରୁଥିଲା । ମନ୍ଦାକିନୀଙ୍କର ମନେ ହେଲା–ସେଇ ଫଟୋଭିତରେ ଯେମିତି ଏବେ ବି ସ୍କିପିଙ୍ଗ୍ ଡେଉଁଚି । ଖାଇବାକୁ ଡାକିଲେ ମୋଟେ ଆସୁ ନାହିଁ । ମନ୍ଦାକିନୀ ଛାତିରେ ଫଟୋଟିକୁ ଜାବୁଡ଼ି ଧରିଲେ । ଏକ ଅକଥନୀୟ ଅନୁଭବ । ଆଖି ବୁଜି ହେଇଆସୁଚି । ଚାରିପାଖରେ ସତେକି ଏକ ନୀଳ ସମୁଦ୍ର । ତା’ର ଜଳ କେତେ ନୀଳ, କେତେ ଶୀତଳ ସେ କଳି ପାରୁ ନାହାନ୍ତି । କେବଳ ତାଙ୍କର ସତ୍ତା ଦବି ଆସୁଚି ଧୀରେ ଧୀରେ…ତା’ ଭିତରେ ଶୁଭୁଚି ଯେମିତି ଗୋଠଫେରା ଧେନୁର ଘଣ୍ଟି ଘାଘୁଡ଼ି, ସେଇ ବଂଶୀ ଧ୍ଵନି । କେଉଁ ବନରେ…..କେଉଁ ପୁଳିନରେ ।

 

(୨)

 

ସେ ଏମିତି ପାଖକୁ ଆସେ । ଭାବିବାକୁ ଭଲ ଲାଗେ । ଦେହରେ ଶିହରଣ ଆସେ-ଆଖିରେ ମାୟା ଲାଗେ-ପାଂଶୁଳ ହେଲେ ବି ସେ ଅତୀତ ।

 

ଶାଶୁଙ୍କର କେତେ ଗଞ୍ଜଣା, ଯାଆଙ୍କ ଟାହିଟାପରା, ନଣନ୍ଦର ପରିହାସ, ସର୍ବୋପରି ସ୍ୱାମୀଙ୍କର ସେଇ ଅସହ୍ୟ ଉଦାସୀନତାକୁ ଜବାବ୍ ଦେଇ ଏଇ ମୀନାକ୍ଷୀ ଆସିଥିଲା, କୋଳ ଉଜ୍ଜ୍ଵଳ କରି, ଜୀବନ ଉଜ୍ଜ୍ୱଳ କରି-ବାର ବର୍ଷର ବିବାହିତ ଜୀବନରେ ହୋଇଥିଲା ଏଇ ବିଳମ୍ବିତ ଚନ୍ଦ୍ରୋଦୟ—

 

ମନ୍ଦାକିନୀଙ୍କପାଇଁ ମୀନାକ୍ଷୀ କ’ଣ ଥିଲା ସେ କଳନା ବି କରି ପାରନ୍ତି ନାହିଁ । ଶାଶୁ କହନ୍ତି, ଆହା ପୁଅଟିଏ ହେଇଥାନ୍ତା କି ! ଯାଆ ସେ କଥାରେ ଦୁଆ ଦିଅନ୍ତି । ଆଉ ସ୍ୱାମୀ ? ତାଙ୍କ କଥା କିଛି ଜଣା ପଡ଼େ ନାହିଁ । ବାକି ମନ୍ଦାକିନୀ-ସେ ଦେଖନ୍ତି ମୀନାକ୍ଷୀକୁ-ପୁଅ ହୋଇଥିଲେ କ’ଣ ଅଧିକ ଆଉ ହେଇଥାନ୍ତା ! ତାଙ୍କ ହୃଦୟ ଏତେ ଉଦ୍‌ବେଳ ହୋଇ ଉଠେ-ସେ ଭାବନ୍ତି ମୀନାକ୍ଷୀ ପୁଅ ନୁହେଁ, ଝିଅ ବି ନୁହେଁ । ସେ କି ଏକ ଦୁର୍ଲଭ ରତ୍ନ, ଯା’ର ଆଦି ଅନ୍ତ ନାହିଁ, ତାଙ୍କ ହାତରେ ଖସି ପଡ଼ିଚି ! ତା’ର ତୁଳନା ନାହିଁ ।

 

ମୀନାକ୍ଷୀକୁ ନେଇ ମନ୍ଦାକିନୀଙ୍କର ଜୀବନସ୍ରୋତ ଏଥର ଆତ୍ମକୈନ୍ଦ୍ରିକ ହୋଇ ଉଠିଲା । ଶାଶୁ, ଶଶୁର, ସ୍ୱାମୀ, ଏଣିକି ସମସ୍ତଙ୍କୁ ଉପେକ୍ଷା କରି ସେ ମୀନାକ୍ଷୀକୁ ଖାଲି ଗଢ଼ି ଲାଗିଲେ । ସେଇ ଯେମିତି ତାଙ୍କର ସବୁ ସ୍ୱପ୍ନ, ସବୁ ଶ୍ରମ, ସବୁ ସାଧନା ।

 

ସେଇ ଶିଶୁଟି ହାତ ଗୋଡ଼ ହଲେଇ ଖେଳେ । ଅସ୍ପଷ୍ଟ ଭାଷାରେ ଗୁଣୁ ଗୁଣୁ ହୁଏ । ଅବୋଧ ହସରେ ଉଲ୍ଲସିତ ହୁଏ । ମନ୍ଦାକିନୀ ଦେଖନ୍ତି । ଆଖିରେ ପଲକ ପଡ଼େ ନାହିଁ । ପରକ୍ଷଣରେ ଆଖି ତାଙ୍କର ମୁଦି ହୋଇ ଆସେ । ଦୁଇ ବାହୁରେ ସେ ତାଙ୍କ ଛାତିରେ ଆଶ୍ଲେଷି ନିଅନ୍ତି; ତାଙ୍କ ଛାତିରେ ମିଶିଯାଏ ଶିଶୁଟି, ତାକୁ ଭସାଇ ନେଇ, ତାଙ୍କ ଆଲିଙ୍ଗନର ଆକୁଳତା ଯେମିତି ଦିଗ୍‌ବିଦିଗ ଛୁଟି ଚାଲେ ଗୀତ ଗାଇ “ଜଗତର ଶିଶୁ ଆସ ଆସ ମୋର କୋଳେ ।”

 

ଆଲୋକ କ’ଣ ? ଆନନ୍ଦ କ’ଣ ? ଭଗବାନ କ’ଣ ? ନିଜର ସାଧନାରେ ଯେଉଁ ଆନନ୍ଦ ନିଜକୁ ଆତ୍ମ-ବିସ୍ତୃତ କରାଏ, ଏକରୁ ଅନେକ ସତ୍ତା ମଧ୍ୟରେ ବିଲୀନ କରାଏ, ଏକ ଅପାର୍ଥିବ ପୁଲକ ଓ ସ୍ପନ୍ଦନ ଆଣିଦିଏ, ସେଇ ତ ଯଥାର୍ଥରେ ଭଗବାନ ସତ୍ୟ ଓ ସୁନ୍ଦର ।

 

ମୀନାକ୍ଷୀ ଥିଲା ତାଙ୍କର ସାଧନା । ସେ ଭାବନ୍ତି ଏହାହିଁ ତ ଈଶ୍ୱରପ୍ରାପ୍ତିର ଏକ ସୋପାନ । ଭାବନ୍ତି ତ ନାହିଁ, ଭାବି ହେଇଯାଏ ଛାଆଁ କୁ । ସେ ଦରୋଟି କଥା, ଠୁକୁ ଠୁକୁ ଚାଲି ଓ ଅବୋଧ ଭାଷାରେ ମନ୍ଦାକିନୀ ନିଜକୁ ଭୁଲନ୍ତି । ତାଙ୍କର ମନେହୁଏ ସେହି ଦ୍ଵାପର ଯୁଗର ମାୟାଧର ଶ୍ରୀକୃଷ୍ଣ, ଏଇ ଅକିଞ୍ଚନ ନାରୀର ମନରେ ଅସଂଖ୍ୟ କଲ୍ଲୋଳ ସୃଷ୍ଟି କରିବାକୁ ଯେମିତି ଏରୂପ ପରିଗ୍ରହ କରିଚନ୍ତି । ତାଙ୍କର ସେଇ ଜନ୍ମ ଉହାଡ଼ରେ କଂସ-ବଧର ଅଭିସନ୍ଧି ପଛରେ, ଯଶୋଦା-ପ୍ରାଣର ସେହି ଆକୁଳ ଆବେଗ, ଅଶ୍ରୁ ଉଲ୍ଲାସର-ଉତ୍‌ଥାନ ପତନ କ’ଣ ବିଶେଷ ଉଲ୍ଲେଖନୀୟ ନୁହେଁ ? ସେ ଭୁଲନ୍ତି ନିଜକୁ । ଭୁଲନ୍ତି ବି ମୀନାକ୍ଷୀ, ତାଙ୍କର କନ୍ୟାର ସତ୍ତାକୁ, କେବଳ ସେହି ଅନନ୍ତ ନୀଳରେ ନୀଳିମ ଶ୍ରୀକୃଷ୍ଣଙ୍କୁ ଯେମିତି ସେ କୋଳରେ ବାନ୍ଧି ରଖିଚନ୍ତି । ଏ ଉଲ୍ଲାସ, ଏ ଅନୁଭବ ଏତେ ପ୍ରବଳ ହୁଏ ଯେ, ସେ ଭାବନ୍ତି, ସେ ଶ୍ରୀକୃଷ୍ଣଙ୍କୁ ଧରିଚନ୍ତି କି ତାଙ୍କ ପାଖରେ ନିଜେ ସମର୍ପିତ ହୋଇଚନ୍ତି ତା’ ଯେମିତି ସେ ଜାଣି ପାରୁ ନାହାନ୍ତି ।

 

ଏମିତି ଗୋପନରେ ମୀନାକ୍ଷୀକୁ ନେଇ ମନ୍ଦାକିନୀ ବଡ଼ ଭାବପ୍ରବଣ ହୋଇ ଉଠନ୍ତି । ସକଳ ଦୃଷ୍ଟିର ଅନ୍ତରାଳରେ ଏକ ଅଧୀର ଆବେଗ-ସ୍ରୋତ ତାଙ୍କ ଜୀବନକୁ ଆର୍ଦ୍ର କରି କେଉଁଆଡ଼େ ଯେ’ ବହି ଚାଲେ ତା’ ସେ ବୁଝି ପାରନ୍ତି ନାହିଁ, କଳନା ମଧ୍ୟ କରି ପାରନ୍ତି ନାହିଁ । ଦିନ ଯାଏ ରାତି ପାହେ ସେହି ଠୁକୁଠୁକୁ ଚାଲୁଥିବା ଶିଶୁଟି ବଡ଼ ହୁଏ, ପାଠ ପଢ଼େ ।

 

ମୀନାକ୍ଷୀ ଫ୍ରକ୍ ଛାଡ଼ି ଶାଢ଼ୀ ପିନ୍ଧିଲା । ସ୍କୁଲ ଛାଡ଼ି କଲେଜରେ ପଢ଼ିଲା । ସର୍ବୋଚ୍ଚ ଡିଗ୍ରୀ ହାସଲ କଲା; ମାର୍ଜିତ ରୁଚି, ପରିଚ୍ଛନ୍ନ ସ୍ୱଭାବ ତା’ର ଚପଳତାକୁ ଆହୁରି ସୁନ୍ଦର କଲା । ମନ୍ଦାକିନୀ ତା’ର ଏହି ରୂପାନ୍ତରକୁ ଲକ୍ଷ୍ୟ କରନ୍ତି, ମାତ୍ର ମୀନାକ୍ଷୀର ଯେଉଁ ଚରମ ରୂପାନ୍ତର ତାଙ୍କ ଅନ୍ତରର କୋଷେ କୋଷେ ଚିତ୍ରିତ ହୋଇ ରହିଚି, ତାକୁ ଅନୁଧ୍ୟାନ କଲାବେଳେ ସେ ଆତ୍ମବିସୃତ ହୋଇ ଉଠନ୍ତି । ସେ ହୁଏ ତାଙ୍କ ନିଃସଙ୍ଗ ଜୀବନର ନିର୍ଜନତାର ପରିପୂରକ ।

 

ସେହି ମୀନାକ୍ଷୀ ଦିନେ ଆସି ଘରେ ବିପ୍ଳବ ସୃଷ୍ଟି କଲା । ସେ ତା’ର ପଢ଼ାସାଥି ବୈକୁଣ୍ଠକୁ ବିବାହ କରିବାକୁ ସ୍ଥିର କରି ସାରିଚି…ଏଥିରେ ଅମତ ହେଲେ…ସେ ଦିନ ମନ୍ଦାକିନୀ ଶୈଳଚୂଡ଼ାରୁ ଖସି ପଡ଼ିଥିଲେ; ତାଙ୍କର ସବୁ ଉଦାସୀନ ସରଳତାକୁ ବିଦ୍ରୁପ କରି ମୀନାକ୍ଷୀର ବିପ୍ଳବ ଗର୍ଜନ କରୁଥିଲା । ମୀନାକ୍ଷୀ ବଡ଼ ହୋଇଚି । କେତେ ପାଠ ପଢ଼ିଚି । କେତେ ଜ୍ଞାନ ଅର୍ଜନ କରିଚି । ସେ ବି ଆଜି ବିବାହପାଇଁ ପରିପୂର୍ଣ୍ଣ ବୟସରେ ପହଞ୍ଚିଛି, ତେବେ ବି, ତାକୁ ସେ ସେହି ବଂଶୀବାଦନ, ନୀଳ ସମୁଦ୍ର ଭିତରେ ବାନ୍ଧି ରଖିଥିଲେ ? ଉଲ୍ଲସିତ ହେଉଥିଲେ ?

 

ମୀନାକ୍ଷୀ ବୈକୁଣ୍ଠ ସହ ଏ ଭିତରେ ଖୁବ୍ ମିଶିବାକୁ ସେ ଲକ୍ଷ୍ୟ କରିଛନ୍ତି, ମାତ୍ର ତା’ର ପରିଣତି ଯେ ଏହା ହେବ ସେ କଳ୍ପନା ବି କରି ନ ଥିଲେ । ସେଇ ଚଷମାପିନ୍ଧା ଗମ୍ଭୀର ସ୍ୱଭାବରେ ସାବନା ରଙ୍ଗର ଟୋକାଟା….ଶେଷକୁ ସେଇ, ସେଇ ତାଙ୍କର ପ୍ରାଣର ଝିଅକୁ ଛଡ଼ାଇ ନେଇଯିବ ? ନାଁ-ନାଁ-ଅସମ୍ଭବ, ଅସମ୍ଭବ । ମନ୍ଦାକିନୀ ଚିତ୍କାର କରି ଉଠିଲେ–ତାଙ୍କର ମନେ ହେଲା–ଚାପଡ଼ା ମାରି ସେ ବୈକୁଣ୍ଠକୁ ଶାସନ କରନ୍ତେ–ଦୁଷ୍ଟ ! ଝିଅକୁ ମୋ’ର ନେଇଯିବାକୁ ତୋ’ର ଏଡ଼େ ଆସ୍ପର୍ଦ୍ଧ-

 

କିନ୍ତୁ ପର ନିମିଷରେ ମନ୍ଦାକିନୀ ପ୍ରକୃତିସ୍ତ ହୁଅନ୍ତି । ଛିଃ, ଛିଃ, କାହିଁକି ସେ ଏମିତି କହିଲେ । ମୀନାକ୍ଷୀ କ’ଣ ଭାବିଥିବ ମନରେ ! ନାଁ, ନା ତା’ ଇଚ୍ଛା ପୁର୍ଣ୍ଣ ହେଉ, ସେ ସୁଖୀ ହେଉ, ସେ ପଛେ ମରନ୍ତୁ ଏମିତି ଏକୁଟିଆ-ତିଳ ତିଳ ଅବିଞ୍ଚନ ହୋଇ ।

 

ତାହାହିଁ ହେଲା । ମୀନାକ୍ଷୀର ବିବାହ ବୈକୁଣ୍ଠ ସହ ହୋଇଗଲା । ବିବାହ ପରେ ଅଳ୍ପ କିଛି ଦିନ ରହି ଦୁହେଁ ଗବେଷଣାପାଇଁ ଲଣ୍ଡନ ଚାଲିଗଲେ । ଥରେ-ଅଧେ ଦେଖିବାର ସୁଖରୁ ମନ୍ଦାକିନୀ ଦୀର୍ଘ ଛ’ବର୍ଷପାଇଁ ବଞ୍ଚିତା ହେଲେ । ତା’ପରେ ସେହି ସୁଦୀର୍ଘ ମରୁଯାତ୍ରା ! ଏଡ଼େ ବଡ଼ ଘରେ ଚାକର ପୂଝାରୀମେଳରେ ମନ୍ଦାକିନୀ ଏକା ଏକା ।

 

ବେଳେ ବେଳେ ଭାତ ବଢ଼ା ହେଲାଣି ବୋଲି ପୂଝାରୀ ଡାକିଗଲେ ମନ୍ଦାକିନୀ ମୀନାକ୍ଷୀକୁ ଡାକିବାପାଇଁ ତା’ ପଢ଼ା ଘରେ ପଶିଯାନ୍ତି । ସେମିତି ରାତିରେ ଶୋଇଲା ବେଳେ, ହଠାତ୍ ଶୀତ ହେଲେ ଚାଦର ଘୋଡ଼ାଇ ଦେବାକୁ ବ୍ୟସ୍ତ ହୋଇ ଦେଖନ୍ତି ପାଖରେ କେହି ନାହିଁ । ଦିନେ ଦିନେ ମୀନାକ୍ଷୀ ଖୁବ୍ ଭଲ ପାଉଥିବା ଖାଦ୍ୟ ପ୍ରସ୍ତୁତ ପାଇଁ ପୁଝାରୀକୁ ବରାଦ ବ୍ୟସ୍ତ ହୋଇ ଦେଖନ୍ତି ପାଖରେ କେହି ନାହିଁ । ଦିନେ ଦିନେ ମୀନାକ୍ଷୀ ଖୁବ୍ ଭଲ ପାଉଥିବା ଖାଦ୍ୟ ପ୍ରସ୍ତୁତ ପାଇଁ ପୁଝାରୀକୁ ବରାଦ ଦେଇ ପଛରେ ଭୁଲ୍ ହୋଇଗଲା ବୋଲି ନାହିଁ କରି ଆସନ୍ତି–ଦିନ ସରେ ନାହିଁ । ନିଦ୍ରା ଆସେ ନାହିଁ । ମନ୍ଦାକିନୀ ଭାବନ୍ତି–ତାଙ୍କୁ ବିଦ୍ରୂପ କରି ମୀନାକ୍ଷୀର ସେ ଫଟୋଟି ହସୁଚି ! ଛିଗୁଲଉଚି ।

 

ଚିଠି ଯାଏ, ଚିଠି ଆସେ । ମନ୍ଦାକିନୀ ଖଣ୍ଡେ ଚିଠି ପାଇଲେ କୋଡ଼ିଏ ଥର ପଢ଼ନ୍ତି । ଏପାଖ ସେପାଖ କରନ୍ତି । ଛାତିରେ ଜାବୁଡ଼ି ଧରନ୍ତି । ଆଖିରୁ ଲୁହ ଗଡ଼େ ଅବାଧ୍ୟ ହୋଇ । ଛାତିରୁ ଉଠିଯାଉଥିବା ଦୀର୍ଘଶ୍ଵାସ ଯେମିତି କହେ, ତୁ କିଛି ଜାଣିଲୁ ନାହିଁ ମା’, କିଛି ବୁଝିଲୁ ନାହିଁ !! ତା’ପରେ ସେହି ଆର୍ଦ୍ରତା–ସେଇ…ଭିଜା ଭିଜା ଅନୁଭୂତି ।

 

ମୀନାକ୍ଷୀ ଚିଠି ପଠାଏ କେତେ ପ୍ରକାରର କଥା ଲେଖି । ଲଣ୍ଡନ ପରି ସହରର କଥା । ତା’ କଥା । ପଢ଼ାପଢ଼ି କଥା । ସେ ଚିଠିରେ ଲେଖିଥିଲା-ମୁଁ ଏଠି ଗୋଟେ ବଡ଼ ଫ୍ଲାଟ୍ କିଣି ନେବାର ବ୍ୟବସ୍ଥା କରିଚି ବୋଉ । ତା’ହେଲେ ଆମକୁ ଏଠି ସବୁଦିନ ରହିବାକୁ ହେବ । ବାପା ଓ ତୁ ନିଶ୍ଚୟ ଆସିବ, ଏ ଉତ୍ତୀର୍ଣ୍ଣ ବୟସରେ ତମଠାରୁ ଅଲଗା ରହିବାକୁ ମୋର ଟିକେ ବି ଇଚ୍ଛା ନୁହେଁ । ତୁ ନିଶ୍ଚୟ ଆସିବୁ ବୋଉ !!

 

ସଦାନନ୍ଦ ହସନ୍ତି–କହନ୍ତି, ଦେଖିଲ, ପୁଅ ସିନା ନାହିଁ, ନ ହେଲେ ଏ ଝିଅଟା ସାତଟା ପୁଅଠୁଁ ବଳେ । ଆମ ଉତ୍ତୀର୍ଣ୍ଣ ବୟସରେ ଆମକୁ ପାଖେ ପାଖେ ରଖିବାକୁ ସେ କେତେ ବ୍ୟଗ୍ର । ତମେ ଯିବ ନାଁ ମୀନାବୋଉ ? ଲଣ୍ଡନ ?

 

ଲଣ୍ଡନ କ’ଣ କେଉଁଠି ସେ ଜାଣି ନ ଥିଲେ । ଝିଅ ନ ଯାଏ ନାଁ ସେ ତାହା ନ ଶୁଣନ୍ତି । ସ୍ୱାମୀ ତାଙ୍କୁ ଜୀବନରେ କେତେ’ଠା ବୁଲାଇ ଦେଖାଇଛନ୍ତି । ହେଲେ ଏଇ ଲଣ୍ଡନ ଯିବାଟା ବାକି ଅଛି । ମନ୍ଦାକିନୀ ମୁହଁ ମୋଡ଼ନ୍ତି । ଜୀବନର ବଡ଼ଦାଣ୍ଡରେ ଖଞ୍ଜଣି ବଜାଇ କୈବଲ୍ୟ କଣିକାଟିଏ ପାଇଁ ଯିଏ ନିରିମାଖି ହୁଏ–ସେ କ’ଣ ବୁଝିବ ଏଇ ଲଣ୍ଡନ ?

 

ଗବେଷଣା ? ଉଚ୍ଚ ଡିଗ୍ରୀର ମୂଲ୍ୟ ?

 

ମୀନାକ୍ଷୀ ଯେ ଲଣ୍ଡନ ଯାଇଚି । ଉଚ୍ଚଶିକ୍ଷା ପାଇ ଲେଉଟିଲେ ଖୁବ୍ ବଡ଼ ପାହ୍ୟାର ଚାକିରି ମିଳିବା ଅସମ୍ଭବ ନୁହେଁ । ଏ କଥା କହି ସଦାନନ୍ଦ ଭାରୀ ଗର୍ବକରନ୍ତି । ସେ ସିନା ପର୍ବତ ପ୍ରମାଣ ପଇସା ଉପାର୍ଜନ କରିଚନ୍ତି, ହେଲେ କ୍ଷମତା ମିଳିଛି କେଉଁଠୁ ? ଝିଅ-ଜ୍ଵାଇଁ ଦୁହେଁ ତାଙ୍କର ବଡ଼ ପାହ୍ୟାର ରହିବେ, ଅଫିସର ହେବେ । ମନ୍ଦାକିନୀଙ୍କୁ ମଧ୍ୟ ଗର୍ବ କରିବାପାଇଁ ସଦାନନ୍ଦ ଭାରୀ ଉଦବୁଦ୍ଧ କରାନ୍ତି । ତାଙ୍କର କଥା ଶୁଣି ମନ୍ଦାକିନୀଙ୍କ ଛାତି ଫୁଲିଉଠେ । ସତେ ତ, ତାଙ୍କରି ଝିଅ । କେତେଆଡ଼େ ତା’ ନାଁ ପଡ଼ିବ । ହେଲେ, ପର ନିମିଷରେ ତାଙ୍କୁ ଯେମିତି କିଏ ବ୍ୟଙ୍ଗ କରେ । କ’ଣ ପାଇଁ ଏ ଗର୍ବ–କ’ଣ ପାଇଁ ସତେ ? କ’ଣ ସେ ରଖିଚନ୍ତି ? ମନ୍ଦାକିନୀ ଦେଖନ୍ତି, ମୀନାକ୍ଷୀ ଦୂରରେ, ବହୁ ଦୂରରେ–ତା’ର ଶିକ୍ଷା, କୃତି ସବୁ ଦୂର ! କେବଳ ସେ ନିଜେ ତାଙ୍କ ପାଖରେ ବିକ୍ଷିପ୍ତ ହୋଇ ଠିଆ ହୋଇଚନ୍ତି, ଏତେ ବଡ଼ କୋଠାର ପ୍ରାଚୁର୍ଯ୍ୟତଳେ ଏକ ନଗଣ୍ୟ ଧୂଳିକଣାଟି ଭଳି ଅସହାୟ ହୋଇ, ତାଙ୍କୁ ତ କେହି ସ୍ୱାମୀଙ୍କ ଅର୍ଥ ଅବା ଝିଅର ଶିକ୍ଷା, ତାଙ୍କର ସୌଭାଗ୍ୟ ରକ୍ଷା କରି ପାରୁ ନାହାନ୍ତି । ସେ ନିଜକୁ ଆହୁରି ତନ୍ନ ତନ୍ନ ଦେଖନ୍ତି । ଓଃ, କେତେ ଭୀଷଣ, କେତେ କରୁଣ, ଅଥଚ କେତେ ଗଭୀର ତାଙ୍କର ଏଇ ସତ୍ତା–କାହା ସହିତ ତାଙ୍କର ମେଳ ରହୁନି, ସବୁ ବେଖାପ ହୋଇ ଯାଉଚି । ଛାଟି ପିଟି ହୋଇ ସେ ସେଠାରୁ ଚାଲିଆସନ୍ତି-ମାତ୍ର କେଉଁଠିକି ? ଚାରିପାଖରେ କେବଳ ଶୂନ୍ୟତା-ଚରମଶୂନ୍ୟତା-ଶୂନ୍ୟତାରୁ ପୁଣି ଅନ୍ୱେଷଣ–ତା’ପରେ ? ତା’ପରେ ନିରୂପାୟ ମନ ଉନ୍ମୁକ୍ତ କରେ ସେହି ଗନ୍ତାଘରର ଦ୍ୱାର । ଆଗେଇ ଆସେ ସେହି ନୃତ୍ୟଶୀଳ ତନୁଟି । ନାଚି ନାଚି, ଢଳ ଢଳ, ଅଭିନବ ରୂପଲାବଣ୍ୟ…ଠୁକୁ ଠୁକୁ ସେ ଆଗେଇ ଆସେ । ଦୁଇହାତର ବନ୍ଧନୀଭିତରେ ତାକୁ ତୋଳି ଧରନ୍ତି, ମାତ୍ର କାହିଁ କିଏ ? ସେ ଭାସି ଭାସି ଦୂରକୁ ଯାଉଚି ଛୁଗୁଲଉଚି ସତେକି-ନେଇପାରିବୁ ? ନେଇ-ପାରିବୁ ? ନେଇପାରିବୁ ? ହାତ ବଢ଼ାଇ ପୁଣି ସେ ଧାଆଁନ୍ତି । ପାଇଚି, ପାଇଚି, ତତେ, ଏଇ ଅକଳନ ଆଗୁଳତାଭିତରେ, ଏଇ ଆଲିଙ୍ଗନର ଦିଗନ୍ତସ୍ପର୍ଶ ପିପାସା-ଭିତରେ….ପାଇଚି, ପାଇଚି ଆଃ…

 

ନିଜର ଏଇ ଉତଥାନ-ପତନ ଭିତରେ ଅବଲିଳାକ୍ରମେ ସେ କିପରି ବିଛଣା ଧରିଲେ, ଏକଥା ସେ ଜାଣନ୍ତି ଆଉ ଜଣେ ମନର ସେହି ନିର୍ଜନ ପୃଥିବୀ–ଯେଉଁଠି ଅପରାହ୍ନଣର ଖରା ମଳିନ ପଡ଼ିଚି । ଜଳିବା ଓ ଜାଳିବାର ଉଦ୍ଦାମତା ନାହିଁ । ସବୁ ସ୍ଥିର, ତଥାପି ସେ ସ୍ଥିରତାକୁ ଯିଏ କମନୀୟ କରନ୍ତା…ସେ....ସେ କାହିଁ ?

 

ମନ୍ଦାକିନୀଙ୍କୁ କି ରୋଗ ହୋଇଥିଲା ଏ କଥା କେହି ଜାଣିଲେ ନାହିଁ । ସ୍ଵାମୀ ଭାବନ୍ତି, ମନ୍ଦାକିନୀର କ’ଣ ଏତେ ଶୀଘ୍ର ବାର୍ଦ୍ଧକ୍ୟ ଆସିଗଲା ? ଚାକର-ପୁଝାରୀ ବିସ୍ମିତ ହୁଅନ୍ତି; ଡାକ୍ତର ଆସି ଦାମି ଦାମି ଓଷଦ ବରାଦ କରନ୍ତି । ଏସବୁ ଭିତରେ ମନ୍ଦାକିନୀଙ୍କ ସତ୍ତା କେଉଁଠି ଛପିଯାଏ, ପ୍ରତିଦିନ ସଦାନନ୍ଦ ଯେତେବେଳେ ତାଙ୍କୁ ପଚାରନ୍ତି, କିପରି ଅଛ ? ସେ ପ୍ରଶ୍ନର ଉତ୍ତର ହୁଏ-ମୀନା ଫେରିବ କେବେ ?

 

ସଦାନନ୍ଦ ହତାଶ ହୁଅନ୍ତା । ମନ୍ଦାକିନୀଙ୍କର ବାଚାଳତା ପ୍ରକାଶ ପାଇଲାଣି । ଧାଆଁନ୍ତି ଡାକ୍ତର ପାଖକୁ, ଡାକ୍ତର ଆସନ୍ତି । ତାଙ୍କୁ ଦେଖି ମନ୍ଦାକିନୀ କହନ୍ତି–ଡାକ୍ତର, ତମେ ଏତେ ଏତେ ପାଠ ପଢ଼ିଚ, ଏ ଦେହର ଟିକିନିଖି ସବୁ ଖବର ଜାଣିଚ, ମାତ୍ର ତମେ କେବେ ନିର୍ଜନ ଅପରାହ୍ନଣରେ ଶ୍ରୀକୃଷ୍ଣଙ୍କ ବଂଶୀବାଦନ ଶୁଣିଚ ? ବ୍ରଜଧୂଳି ଅଙ୍ଗରେ ବୋଲି, ତମେ କେବେ ମାତାଲ୍ ହୋଇଚ ? ଯଶୋଦାଙ୍କ ପ୍ରତୀକ୍ଷାର ସ୍ପନ୍ଦନକୁ ତମେ କେବେ ମାପି ପାରିଚ ? ନାଁ-ନାଁ ତମେ ପାରନା–ତମେ ସେସବୁ କିଛି ପାରନା….

 

ସଦାନନ୍ଦ ଭାରୀ ବ୍ୟସ୍ତ ହୁଅନ୍ତି । ଝିଅକୁ ଚିଠି ଲେଖନ୍ତି । ଉତ୍ତର ଲେଖେ ବୈକୁଣ୍ଠ, ମୀନା ଭଲ ଅଛି । ସେ ଏବେ ମା’ ହୋଇ ସାରିଚି । “ରୋଜି” ଅବିକଳ ତା ମାଆର ଚେହେରା ନେଇ ଆସିଚି । ସେ ଦୁହେଁ ସେଠାରେ ଉଚ୍ଚ ବେତନରେ ଚାକିରି ପାଇଚନ୍ତି । ତେଣୁ ନିକଟରେ ଫେରିବାର ପ୍ରଶ୍ନ ଉଠୁନାହିଁ ।

 

ଏମିତି ଛ’ ବର୍ଷ କଟିଗଲା । ମୀନାକ୍ଷୀ ଫେରିଲା ନାହିଁ । ଦିନେ ଏକ ଚରମ-ପତ୍ରର ଉତ୍ତରସ୍ୱରୂପ ଅଗତ୍ୟା ଆସିଲା ମୀନାକ୍ଷୀ, ମାତ୍ର ଏକା–ବୈକୁଣ୍ଠ ରୋଜିକୁ ଛାଡ଼ିଲା ନାହିଁ । ସେଦିନଟା ପାଇ ମନ୍ଦାକିନୀଙ୍କର କି ବ୍ୟାକୁଳ ପ୍ରତୀକ୍ଷା, ମାତ୍ର ତାଙ୍କର ମୀନାକ୍ଷୀ ଟିକେ କଥାରେ ରୁଷି ବସୁଥିଲା, ଅଳି କରୁଥିଲା । ଅଝଟିଆ ମୀନାକ୍ଷୀ-କାହିଁ ?

 

ପୁଝାରୀ ଚାକର ବିସ୍ମିତ ହୋଇ ଉଠୁଚନ୍ତି । ମନ୍ଦାକିନୀ ଆଜି ରୋଷେଇ ଘରେ ପଶିଛନ୍ତି-। ଆଜି ସେ ରାନ୍ଧିବେ । ମନ୍ଦାକିନୀଙ୍କ ଦେହରେ ଯେମିତି ଭାରି ବଳ । ମୀନାକ୍ଷୀ ପାଇଁ ଆଜି ସେ ରାନ୍ଧିବେ । ଛ’ବର୍ଷ ପରେ ମନ-ରୁଚକ ତାକୁ ଖାଇବାକୁ ଦେବେ । ମୀନାକ୍ଷୀ କ’ଣ କ’ଣ ଖାଇବାକୁ ଭଲ ପାଏ, ମନ୍ଦାକିନୀ ତା’ର ତାଲିକା କରୁଥିଲେ । ଆଉ ତାକୁ ହିଁ ରାନ୍ଧିବାକୁ ପ୍ରସ୍ତୁତ ହେଉଥିଲେ । ଏଇ କେତେ ଦିନ ହେବ ଖାଲି ବାହାରେ ନିମନ୍ତ୍ରଣ ଖାଇ ଆସୁଚି ମୀନାକ୍ଷୀ । ଆଜି ଆସିଲେ କାନ ମୋଡ଼ି ନିଶ୍ଚୟ ଶାସନ କରିବେ । ଏତେ ବୁଲିଲେ, ଦେହ ଭଲ ରହିବଟି ? ଆଜି ମୋ ସାଙ୍ଗେ ତୁ ଖାଇବୁ । ମୁଁ ନିଜେ ତତେ ଖୋଇ ଦେବି । ନିଜେ ।

 

ଝାଳନାଳ ହୋଇ ମନ୍ଦାକିନୀ ରୋଷଘରୁ ଦାଣ୍ଡଘର ଖାଲି ଏପାଖ ସେପାଖ ହେଉଥିଲେ-। ରାତି ନ’ଟାରୁ ଊର୍ଦ୍ଧ୍ଵ ହେଲାଣି ନିଶ୍ଚୟ । ତେବେ ବି ମୀନା ଫେରୁ ନାହିଁ । ସ୍ୱାମୀ ଅଫିସ୍ ଘରେ ନିଶ୍ଚିନ୍ତା । କେତେ ଡେରି !

 

ହଠାତ୍ ତାଙ୍କର ସମସ୍ତ ଉଦ୍‌ବେଗକୁ ବଢ଼ାଇ ବାହାରେ ଗାଡ଼ି ରହିବାର ଶବ୍ଦ ହେଲା । ମନ୍ଦାକିନୀ ଧାଇଁଗଲେ, ମୀନାକ୍ଷୀ ଅବଶଭାବେ, ଚାଲି ଆସୁଛି । ମୁହଁ ବିବର୍ଣ୍ଣ । ସତେ କି ଲୁହ ଢଳ ଢଳ, ଗୋରା ଦେହ ଝାଳେଇ ଯାଇ ମଳିନ ଦିଶୁଚି । ମନରେ ସରାଗ ନାହିଁ । ମନ୍ଦାକିନୀ ତାକୁ କୁଣ୍ଢେଇ ପକାଇଲେ । କେତେ ଡେରି କଲୁ ମା ! ତା’ପରେ ପୁଝାରୀ ଉଦ୍ଦେଶ୍ୟରେ ଡାକ ପକାଇଲେ, ଆରେ ବଢ଼ାବଢ଼ି କର, ମୀନା ଆସିଲାଣି । ମୀନାର ମୁହଁଟିକୁ ତାଙ୍କ କାନିରେ ପୋଛିବାର ଉଦ୍ୟମ କରୁଛନ୍ତି, ମୀନାକ୍ଷୀ ମା’ଠାରୁ ଖସି ଚାଲିଗଲା କହି କହି–ଦେହ ଭଲ ନାଇଁ ବୋଉ, କିଛି ଖାଇବି ନି ।

 

ମନ୍ଦାକିନୀ ସ୍ତବ୍‌ଧ ହୋଇ ଠିଆ ହୋଇଗଲେ, ଏଁ ଖାଇବ ନି ? ଦିନଯାକ କା-ଲାଗି ଏତେ ଶ୍ରମ କରିଚି ? କା’ଲାଗି ? ଦେହ ଭଲ ନାହିଁ ? ଯୋଉ ବୁଲା ସେଥିରେ କ’ଣଦେହ ଭଲ ରହିବ । ମନ୍ଦାକିନୀ ବ୍ୟସ୍ତ ହୋଇ ସ୍ଵାମୀଙ୍କ ପାଖକୁ ଗଲେ । ତାଙ୍କୁ ହଲାଇ ଦେଇ କହିଲେ, ତମେ କିଛି ଜାଣିବ ନି, କିଛି ବୁଝିବ ନି, ମୀନାର ଦେହ ଭଲ ନାହିଁ । ତମେ ଯାଅ, ଶୀଘ୍ର ଡାକ୍ତର ଡାକିବି । ମୁଁ ଯାଏଁ, ଦେଖେଁ–କ’ଣ ତା’ର ହେଉଚି ।

 

ସ୍ୱାମୀଙ୍କର ଆଉ କୌଣସି କଥାକୁ ଅପେକ୍ଷା ନକରି ମନ୍ଦାକିନୀ ମୀନାକ୍ଷୀର କୋଠରୀ ଭିତରକୁ ପଶିଗଲେ ।

 

ଯାହା ଦେଖିଲେ ସେଥିରେ ସେ ବିସ୍ମିତ ହୋଇ ଉଠିଲେ । ଟେବୁଲ୍ ଉପରେ ମୁଣ୍ଡ ଥୋଇ ବସିଚି ମୀନାକ୍ଷୀ । ବୋଧେ ଖୁବ୍ ଅସ୍ପଷ୍ଟ ଭାବେ କାନ୍ଦୁଛି । ମୁଣ୍ଡ ବୋଧହୁଏ ତା’ର ଖୁବ୍ ବିନ୍ଧୁଚି କି କ’ଣ । ମନ୍ଦାକିନୀ ପାଖକୁ ଗଲେ । ମୀନାକ୍ଷୀର ମୁଣ୍ଡଟିକୁ ଦୁଇ ହାତରେ ତୋଳିଧରି କହିଲେ, କ’ଣ ହେଲା ମା’ ? ମୁଣ୍ଡ ବିନ୍ଧୁଚି ? ଦେହ ଭଲ ନାହିଁ ? ମାଆର ଛାତିକୁ ଆଉଜିପଡ଼ି ମୀନାକ୍ଷୀ ଏଥର କାନ୍ଦି ଉଠିଲା ଅସ୍ଥିର ହୋଇ । ଝିଅର ଏହି ବିକଳ କାନ୍ଦ ଦେଖି ମନ୍ଦାକିନୀ ସ୍ତବ୍‍ଧ ହୋଇଗଲେ । ତାକୁ ନିବିଡ଼ଭାବେ ଆଶ୍ଲେଷି ଧରି କହିଲେ, କାହିଁକି କାନ୍ଦୁଚୁ ମା, କହ, କହ-

 

ମୀନାକ୍ଷୀ କିଛି ଉତ୍ତର ଦେଲା ନାହିଁ । ବରଂ ବେଶୀ ବେଶୀ କାନ୍ଦିବାକୁ ଲାଗିଲା । ସତେ କି ଏକ ରୁଦ୍ଧ ଉଚ୍ଛ୍ୱାସ ଫାଟି ପଡ଼ିଲା । ମୀନାକ୍ଷୀର ମୁଣ୍ଡ ସାଉଁଳୁ ସାଉଁଳୁ ମନ୍ଦାକିନୀ ଦେଖିଲେ ଟେବୁଲ ଉପରେ ଖଣ୍ଡିଏ ଫଟୋ ଓ ଚିଠି । କା’ର ? ଚିଠିଟି ବୈକୁଣ୍ଠର ଆଉ ଫଟୋଟି ରୋଜିର । ଅବିକଳ ମୀନାର ପ୍ରତିଚ୍ଛବି । ସେଇ ମୁହଁ, ସେଇ ଆଖି, ସେଇ ନାକ । କି ଏକ ଆଶଙ୍କା କରି ମନ୍ଦାକିନୀ ଚିଠିଟି ଉଠେଇ ନେଲେ । ଅଳ୍ପ ଲେଖା, “ରୋଜି ତମକୁ ଭାରୀ ଖୋଜୁଚି ମୀନା । ତାକୁ ଛାଡ଼ି ତମେ କେମିତି ଅଛ ? ସେ କି ତମର ଟିକେ ମନେ ପଡ଼ୁନି ?”

 

ବୈକୁଣ୍ଠର ଏ ଲେଖା ଓ ମୀନାକ୍ଷୀର ଏହି ଆକୁଳ ଅଶ୍ରୁ ପାଖରେ ମନ୍ଦାକିନୀ ବ୍ୟସ୍ତ ହୋଇଥିଲେ କି ବିସ୍ମିତ ହୋଇଥିଲେ, କିଛି ଯେମିତି ଜାଣି ପାରୁ ନ ଥିଲେ । ଏକ ଅବ୍ୟକ୍ତ ଅନୁଭବ ତାଙ୍କ ଛାତି ଭିତରେ ରୁଦ୍ଧ ହେଇ ଆସୁଥିଲା । ମୀନାକ୍ଷୀର ଅଶ୍ରୁ ଓ ରୋଜିର ଅନ୍ୱେଷଣ ଯେପରି ମନପ୍ରାଣରେ କେମିତି ଏକ ଅନାନୁଭୂତି ଦୁଃଖର ଉଚ୍ଛ୍ୱାସକୁ ଭରି ଦେଉଥିଲା । ସେ ଶୁଣିଲେ, ମୀନାକ୍ଷୀ ଅଶ୍ରୁ ଗଦଗଦ କଣ୍ଠରେ କହୁଚି, ରୋଜି ମତେ ଭାରୀ ଖୋଜୁଚି ବୋଉ । ଆଉ ମୁଁ କ’ଣ ତାକୁ ଖୋଜୁନାହିଁ ? ଆଜି ଅବିକଳ ରୋଜି ପରି ଏକ ଝିଅକୁ ଦେଖି…

 

ମୀନାକ୍ଷୀର କଥା ଅଧା ରହିଗଲା–ଏକ ଅଭିନବ ଚେତନାରେ ଏକ ନୂତନ ପୃଥିବୀର ଉନ୍ମୋଚନ ଯେପରି ମନ୍ଦାକିନୀଙ୍କ ସାମନାରେ ହୋଇଗଲା । ସେଇ ନବ ଆଲୋକର ଔଜ୍ଜ୍ୱଲ୍ୟ ପାଖରେ ସେ ନିଜକୁ ଏକାନ୍ତ ନ୍ୟୁନ କରି ଦେଖିଲେ–ଛିଃ, ଛିଃ, ସେ କେଡ଼େ ନିର୍ବୋଧ, କେତେ ସ୍ୱାର୍ଥପର । ନିଜର କଥା ଛଡ଼ା କେବେ ସେ ମୀନା କଥା ଭାବି ନାହାନ୍ତି । ତାଙ୍କର ମନେ ହେଲା, ସେ ଅପରାଧୀ, ଗୁରୁତର ଅପରାଧୀ ।

 

ଟେବୁଲ ଉପରେ ରୋଜିର ସେହି ହସ ହସ ଫଟୋଖଣ୍ଡିକ ଥୁଆ ହୋଇଚି । ତାରି ଆଡ଼କୁ ଚାହିଁ ମୀନାକ୍ଷୀ ଅଶ୍ରୁ ଝାରୁଛି । ମନ୍ଦାକିନୀଙ୍କର ହୃଦବୋଧ ହେଲା, ତାଙ୍କର ଜୀବନବ୍ୟାପୀ ସାଧନା, ସ୍ନେହ, ପ୍ରେମ, ଅଶ୍ରୁଉଚ୍ଛ୍ୱାସ ସବୁ ଆଜି ରୂପାନ୍ତରିତ ହୋଇଚି ଏକ ନୂଆ ଆଲୋକରେ । ରୋଜିର ସେହି ଆଖିରେ ଭୁବନଭୁଲା ହସର ସ୍ରୋତ ଉତପ୍ଲାବିନୀ । ସୃଜି ଯାଉଚି ଚତୁର୍ଦ୍ଦିଗରେ ସେହି ପ୍ଲାବନ…ଯା’ ଭିତରେ ଶୁଭେ ସେହି ବଂଶୀବାଦନ, ସେହି ମୟୂରଚୂଳିଆ ଶ୍ରୀକୃଷ୍ଣ ଅନନ୍ତ ନୀଳରେ ନୀଳ-ଭାସୁଚନ୍ତି ସେମିତି, ଠିକ୍ ସେମିତି, ନିତ୍ୟ ନୂତନ ।

 

ମନ୍ଦାକିନୀ ମୀନାକ୍ଷୀକୁ କୋଳେଇ ନେଲେ । ତା’ ମୁହଁରେ ଘନ ଘନ ଚୁମା ଦେଲେ । ସେ ପୁରୁଣା-ସେ ଆଉ ମା’ ନୁହଁନ୍ତି । ଯଥାର୍ଥରେ ମାଆ ମୀନାକ୍ଷୀ ।

Image

 

ଉପାଖ୍ୟାନ

 

ଆଗେଇ ଚାଲିଥିବା ପାଦ ଦୁଇଟି ଏକାନ୍ତ ଅବଶ ହୋଇ ଅଟକିଗଲା ସତେ କି ! ଆଉ ଟିକିଏ ଯେମିତି ଆଗେଇବାର ଅଥବା ପଛେଇବାରେ ସାମର୍ଥ୍ୟ ତା’ର ନାହିଁ । ଗୋଡ଼ ତା’ର ପଙ୍ଗୁ ହୋଇଯାଇଚି । ଆଖି ତା’ର ସ୍ଥିର ହୋଇଯାଇଚି, ଏକ ଚମକଭରା ବିସୟ କେବଳ ନୁହେଁ, ଏକ ଚରମ ଚାଞ୍ଚଲ୍ୟ ତା’ର ସମଗ୍ର ସତ୍ତାକୁ ଦୋହଲାଇ ଦଉଚି । ଛାତିର ସ୍ପନ୍ଦନ ଦ୍ରୁତରୁ ଦ୍ରୁତତର ହୋଇଉଠୁଚି । ତଥାପି ସେ ଚାହିଁଚି, ସେମିତି ଚାହିଁଚି । ବିଶ୍ୱାସ କରି ପାରୁ ନି, ତଥାପି ଚାହିଁଛି-ସେହି ଜରାଜୀର୍ଣ୍ଣ ଖପରଲି ଘରଟିକୁ । ଏ କି ଅଭାବିତ ଆବିଷ୍କାର ।

 

ଅପରାହ୍ନଣ ଫୁଟିଛି । ଠିକ୍ ଏକ ବିକଶିତ ଫୁଲର ସାଦୃଶ୍ୟ ନେଇ ନାରଙ୍ଗୀ ଖରାର ଟୁକୁରା ଟୁକୁରା ପାଖୁଡ଼ା ସବୁ ମେଲେଇ ରହିଚି ସର୍ବତ୍ର । ତା’ ଦେହର ନିବିଡ଼ ଭାବେ ଲୋଟି ଖେଳି ପବନଟା ମଧ୍ୟ ଜଣାପଡ଼ୁଛି ନାରଙ୍ଗୀ, ନାରଙ୍ଗୀ ।

 

ଗଙ୍ଗାତୀରର ଅନତିଦୂରରେ, ରାସ୍ତା କଡ଼ରେ ସେହି ଜୀର୍ଣ୍ଣଶୀର୍ଣ୍ଣ ଖପରଲି ଘରଟି । ତା’ର ସାମ୍ନାରେ କ୍ଵଚିତ୍ ଦୂରତ୍ୱ ରଖି ସେହି ତଥାକଥିତ ଯୁବକଟି ପଦଚାରଣା କରୁଚି ଖୁବ୍‍ ଅସ୍ଥିରଭାବେ । ଦୃଷ୍ଟି ତା’ର ବିସ୍ମୟ ବିମୂଢ଼ । ମନରେ ତା’ର ସନ୍ଦେହ । ସେ ଅବ୍ୟବସ୍ଥିତ । ନିତାନ୍ତ ଚପଳ ତରୁଣଟିଏ । ଅଙ୍ଗ ଗଠନର ସୌନ୍ଦର୍ଯ୍ୟ ତା’ର ସାବଲୀଳତା ରକ୍ଷା କରିଚି ବଡ଼ ସୁଢ଼ଳଭାବେ-। ଯୌବନ ତାକୁ ଉଗ୍ର ନ କରି କରିଛି ନମ୍ର, କମ୍ର । ମୁହଁ ତା’ର ମଳିନ ଦିଶୁଚି । କେଶ ବିପର୍ଯ୍ୟସ୍ତ । ମୁହଁରେ ଅଯତ୍ନବର୍ଦ୍ଧିତ ଶ୍ମଶ୍ରୁଗୁଚ୍ଛ । ଜଣାପଡ଼ୁଛି ସେ ବିବ୍ରତ, କିନ୍ତୁ ଜଣାଯାଉ ନାହିଁ ସେ ମୂର୍ଖ, ଅଶିକ୍ଷିତ ଅବା କେଉଁ ଏକ ଗ୍ରାମୀଣ ମଣିଷ ଭଳି । ମଳିନ ହେଲେ ବି ଦେହରେ ତାର ଦାମି କନାର ପୋଷାକ । ମଣିବନ୍ଧରେ ଘଡ଼ି, ଡାହାଣ ହାତ ଅନାମିକାରେ ଚିକ୍ ଚିକ୍ କରୁଛି ଧଳା ପଥରବସା ମୁଦିଟିଏ । କଲିକତା ଆସିବା ଏ ତା’ର ନୂଆ ନୁହେଁ । ଥରେ ଆସିଥିଲା, ଖରାଛୁଟିରେ-। ସାଙ୍ଗମେଳରେ ଫୁର୍ତ୍ତି କରିଥିଲା । ଏଥର କିନ୍ତୁ କଲିକତା ଆସିବା ଦ୍ଵିତୀୟ ବାର । ମୁହୂର୍ତ୍ତକର ବ୍ୟଥା-। ସହାନୁଭୂତି ଓ ବେଦନାର ଗୁରୁଭାର । ତା’ ସହ ମିଶି ରହିଚି ଏକ ଅନ୍ତିମ ଅଶ୍ରୁଳ ନିବେଦନର କର୍ତ୍ତବ୍ୟଜଡ଼ିତ ତାଡ଼ନା ।

 

ଯୁବକଟି ସ୍ଥିରଚକ୍ଷୁରେ ସେହି ଘରକୁ ଚାହିଁଲା । ସେହି ଖପରଲି ଘରଟି ଅତିଜୀର୍ଣ୍ଣ, ଶୀର୍ଣ୍ଣ ହୋଇଯାଇଛି । କାନ୍ଥଟି ଯଦିଓ ଧଳା, ତଥାପି ମଇଳା ଲାଗି ଲାଗି ତାହା ଧୂସର ଦିଶିଲାଣି । ଠାଏ ଠାଏ ଚୂନ ଛାଡ଼ି ଖଣ୍ଡିଆ ହୋଇ ଯାଇଚି । ଘରସଂଲଗ୍ନ ଅଣଓସାରି ବାରଣ୍ଡା । ଚିକ୍‌କଣ ସିମେଣ୍ଟରେ କଳା ରଙ୍ଗ ଦିଆଯାଛି । କଡ଼େ କଡ଼େ ତା’ର ଯୁଇ ଓ ଆଇଁଷକାତରବୁଦି ବୁଦିକା ଫୁଲଗଛ । ବାଁ ପଟରେ ଗୋଟେ ଚମ୍ପା ଗଛ । ଗୋଟା କେତେଟା ଚମ୍ପାଫୁଲ ଫୁଟି ଚଉଦିଗକୁ ମହକିତ କରୁଛି । ଘରଟିର ଦରଜା ବନ୍ଦ । ଝରକା ମଧ୍ୟ ବନ୍ଦ । ସେଇ ଅଣଓସାରି ବାରଣ୍ଡାର କାନ୍ଥରେ ଢାଉ ରଙ୍ଗରେ ଲେଖାଯାଇଛି ଚମ୍ପାକଢ଼ି ।

 

ଚମ୍ପାକଢ଼ ଚମ୍ପାକଢ଼ି । ଏଇଠି ଯେମିତି ଯୁବକଟିର ନିଃଶ୍ୱାସ ବନ୍ଦ ହୋଇଯାଉଛି । ମନ ଫାଟିପଡ଼ୁଛି । ପ୍ରଚଣ୍ଡ ଇଛା ଜାଗି ଉଠୁଛି, ତା’ର ଅନୁସନ୍ଧିତ୍ସାକୁ ସେ ସ୍ପଷ୍ଟ କରିଦିଅନ୍ତା । ଏଇ ଘର, ତା’ର ରୁଦ୍ଧ ଦରଜା ଓ ବାତାୟନ, ଏଇ ବୁଦି ବୁଦି ଫୁଲଗଛ, ସବୁକୁ ଘାଣ୍ଟିଚକଟି ଛିନ୍‌ଛତ୍ର କରି କାହାକୁ ସେ ବାହାର କରି ଆଣନ୍ତା । ରହସ୍ୟମୟ କୁହେଳୀ ଅପସାରି ନିରୋଳା ସୂର୍ଯ୍ୟାଲୋକରେ ଠିଆ କରାଇ ରଖନ୍ତା ।

 

ଯୁବକଟି ସେମିତି ପଦଚାରଣା କରୁଥିଲା ଓ ଘରଟିକୁ ଚାହୁଁଥିଲା, ଚିନ୍ତାରେ ମୁଣ୍ଡ ହଲାଉଥିଲା । ମନେ ମନେ କିଛି ସିଦ୍ଧାନ୍ତ ନେଇ, ପୁଣି ସନ୍ଦିହାନ ହେଉଥିଲା । ତା’ର ନାମ ସୁରେନ୍ଦ୍ର ବୋଲି ସବୁ ସୁରେନ୍ଦ୍ର କ’ଣ ସେ ? ଚମ୍ପାକଢ଼ି, ଚମ୍ପା ଗଛ । ଏ ତ ତା’ର ଅନ୍ଵେଷଣର ଶୀର୍ଷ ନୁହେଁ । ତା’ର ଲୋଡ଼ା, ହଳଦିଆ କୋଠା । ମୟୂରକଣ୍ଠୀ ରଙ୍ଗ ପର୍ଦ୍ଦ । ଆଉ…ଆଉ…ନାଁ, ନାଁ-ଏପାଖ ଓ ସେପାଖ ।

 

ସୁରେନ୍ଦ୍ରନାମିତ ଯୁବକଟି ହାତରେ ଝୁଲାଟାକୁ ମୁଠେଇ ଧରିଲା ଓ ଗଙ୍ଗାକୂଳ ଆଡ଼େ ଆସ୍ତେ ଆସ୍ତେ ଚାଲିଲା । ଗଙ୍ଗା କୂଳରେ ଲାଗିଛି ସେହି ସର୍ବକାଳୀନ ଅପରାହ୍‍ଣର ଦୃଶ୍ୟ । ବହୁ ଲୋକ, ବହୁ ଧର୍ମ, ବହୁ ସଂସ୍କୃତିର ସମାବେଶ । କିଏ ହସୁଚି, କିଏ କାନ୍ଦୁଚି, କିଏ ଉଦାସ ଆଖିରେ ଦିଗନ୍ତକୁ ଚାହିଁ ରହିଛି । କିଏ ମନ୍ତ୍ର ପାଠ କରି ସ୍ନାନ କରୁଛି । ଆଉ କିଏ ଜୀବନର ଗୁରୁଭାର ସହି ନ ପାରି ନିରୋଳାରେ ଚାହୁଁଛି ବିସର୍ଜ୍ଜନ । ବିଚିତ୍ର ଏ ପୃଥିବୀ ଓ ବହୁ ବିଚିତ୍ର ଏଇ ମଣିଷର ମନ, ତା’ର ଆବେଗ ଓ ହାହାକାର ।

 

ସୁରେନ୍ଦ୍ର ଥକ୍‌କା ହୋଇ ଚାହିଁ ରହିଥିଲା–ସମ୍ମୁଖରେ ଏହି କଳ କଳ ଜଳର ସ୍ରୋତ, ଅପରାହଣର ଖରା ଓ ସେ ଖରାର ମିଠା ବୋଳି ହୋଇଥିବା ମୃଦୁ ମନ୍ଦ ପବନ । ପାର୍ଶ୍ଵରେ ଏତେ କୋଳାହଳ, ତା’ର ଚାଞ୍ଚଲ୍ୟକର ଅସ୍ଵସ୍ତିକୁ ଘୁଞ୍ଚାଇ ପାରିଲା ନାହିଁ । ସେ ଜଣେ ଲୋକକୁ ପଚାରିଲା…ସେ ଘରଟା କା’ର ? କହିପାରିବ ?

 

ଲୋକଟି ଅବଜ୍ଞାର ହସ ହସିଲା । କ’ଣ ଦେଖିପାରୁନାହିଁ ? ସେଟା ଯେ’ ଚୁଡ଼ିର ଦୋକାନ ।

 

ସୁରେନ୍ଦ୍ର ବିସ୍ଫାରିତ ଚକ୍ଷୁରେ ପୁଣି ଚାହିଁଲା-ସତେ ତ ଚୁଡ଼ି ଦୋକାନ । ରୁଦ୍ଧ ଦରଜା ଖୋଲା ଯାଇଛି । ଥାକ ଥାକ ପଟାଗୁଡ଼ିକରେ ଚୂଡ଼ି ସବୁ ସଜା ହୋଇ ରହିଛି । ହୁଏତ କେହି ଜଣେ ଏହାର ମାଲିକ ଥିବ । ଜୀବିକା କରିଛି ଚୁଡ଼ିର ବ୍ୟବସାୟକୁ । ମାତ୍ର ଏଇ ଚମ୍ପା ଗଛ ଓ ଏହି ଚମ୍ପା କଢ଼ି ଲେଖା, ଏଇଟା କ’ଣ ? ଏଇଟା କ’ଣ ହୋଇପାରେ ?

 

ସୁରେନ୍ଦ୍ର ବିଚଳିତ ହେଲା । ମୁଣ୍ଡ ଟାଇଁ ଟାଇଁ ବିନ୍ଧି ଉଠୁଛି । ସାରାଦିନ ସେ ଅଭୁକ୍ତ । ଆଉ ବଳ ନାହିଁ । ଆଉ କିଛି ସେ ସ୍ଥିର କରି ପାରୁନି । ହାତରେ ସମୟ ମଧ୍ୟ କମ୍, ସନ୍ଧ୍ୟା ହେବାକୁ ଆଉ ବେଶୀ ଡେରିନାହିଁ । ତା’ପରେ ବିସର୍ଜନ, ହଁ, ବିସର୍ଜନ । ମତେ କ୍ଷମା କର–ମୁଁ ପାରିଲି ନାହିଁ, ମୁଁ ଅଧମ, ମୁଁ ଅଯୋଗ୍ୟ ।

 

ସୁରେନ୍ଦ୍ର ଯେତେବେଳେ ପ୍ରକୃତିସ୍ଥ ହେଲା, ସେତେବେଳେ ଦେଖିଲା ନିଜ ଅଜାଣତରେ ସେ ଆସି ସେଇ ଖପରିଲେ ଘରଟିର ବାରଣ୍ଡାରେ ଠିଆ ହୋଇଛି । ତା’ ମନର ସବୁ ଆନ୍ଦୋଳନ, ସବୁ ଚାଞ୍ଚଲ୍ୟ ସତ୍ତ୍ୱେ ସେ ଆସି ଠିକ୍ ତା’ର ଲକ୍ଷ୍ୟ ଜାଗାରେ ପହଞ୍ଚିଛି । ଏ ଆକର୍ଷଣ କାହିଁକି, କ’ଣ ପାଇଁ, ସେ ଜାଣେ । ଏ ଆକର୍ଷଣ ଏବଂ ଆବେଗ ଏମିତି ଏକ ବସ୍ତୁ ଯେ ମନୁଷ୍ୟ ତା’ପାଖରେ କେତେ ଛୋଟ, କେତେ ଅସହାୟ ହୋଇ ଉଠେ ।

 

ସେଇ ବାରଣ୍ଡାରେ ଠିଆ ହୋଇ ସୁରେନ୍ଦ୍ର ଘରଟିକୁ ତନ୍ନ ତନ୍ନ କରି ଅନୁଧ୍ୟାନ କରୁଥିଲା-

 

ହଠାତ୍ ଭିତରୁ ବାହାରି ଆସିଲେ ଜଣେ ବର୍ଷିୟସୀ ମହିଳା । ସୁରେନ୍ଦ୍ର ଦୃଷ୍ଟି ତୋଳି ତାଙ୍କୁ ଚାହିଁ ରହିଲା । ଆଖିରେ ଆଉ ପଲକ ପଡ଼ିଲା ନାହିଁ ଯେମିତି । ସେ ସେମିତି ଏକା ଆଖିରେ ଚାହିଁଥାଏ । କେତେ ସୁନ୍ଦର ସତେ । ବୟସ ନିଶ୍ଚୟ ପଚାଶ କିମ୍ବା କିଛି ଉଣା ଅଧିକ ହେବ । ତଥାପି ଦେହର ସୌନ୍ଦର୍ଯ୍ୟ ତା’ର କମନୀୟତାକୁ ଯଥାସମ୍ଭବ ଅଖଣ୍ଡ ରଖିପାରିଛି । ପାନପତ୍ର ପରି ମୁହଁ, ତପ୍ତ କାଞ୍ଚନ ବର୍ଣ୍ଣର ରଙ୍ଗ, ଆଖି ଦୁଇଟି ଯେମିତି କାଳର କୌଣସି ସ୍ପର୍ଶକୁ ଭ୍ରୂକ୍ଷେପ କରୁନାହିଁ-। ଯୌବନରେ ସେ ଯେ ଭୁବନମୋହିନୀ ସୁନ୍ଦରୀ ଥିଲେ, ଏଥିରେ ଆଉ ତିଳେମାତ୍ର ସନ୍ଦେହ ନାହିଁ-

 

ଏଥର ତା’ର ଭାବନାକୁ ଭାଙ୍ଗି ସେହି ମହିଳା ଜଣକ କହିଲେ, ଚୁଡ଼ି ନବ ପୁଅ ? ମାପ ଆଣିଛ ? ଆସ ଭିତରକୁ ଆସ ।

 

ଯନ୍ତ୍ରଚାଳିତ ପରି ସୁରେନ୍ଦ୍ର ତା’ ପଛେ ପଛେ ଚାଲିଲା । କ’ଣ କହିବ କହିବ ବୋଲି କଣ୍ଠ ତାହାର ଫିଟି ପାରୁ ନ ଥିଲା ।

 

ଚୁଡ଼ିର ପସରା ଖୋଲି ଦେଇ ଏଥର ମହିଳା ଜଣକ କହିଲେ, ହେଇ ଦେଖ, ଏ ଚୁଡ଼ି ମୁଠାକ । ମେହେନ୍ଦି ରଙ୍ଗର ବଜାରକୁ ନୂଆ ଆସିଛି । ବୋହୂ ପାଇଁ ନବ ନାଁ । ତା’ର ମେହେନ୍ଦିକରା ହାତକୁ ବେଶ୍ ମାନିବ ।

 

ସୁରେନ୍ଦ୍ର ସେମିତି ଚାହିଁଚି ।

 

ଆଚ୍ଛା, ଏ ମୁଠାକ ଦେଖ ତ । କଳା ରଙ୍ଗ ଉପରେ କିଛି କିଛି ଜରି କାମ ହୋଇଛି । ୟାର ଚାହିଦା ମଧ୍ୟ ବଜାରରେ କିଛି କମ୍ ନୁହେଁ, ସବୁ ନାଚ ଥିଏଟରରେ ଏହି ଚୁଡ଼ି ପିନ୍ଧିଥିବା ନାୟିକା ଦେଖିବ, ବୋହୂ ମୋ’ର ଗୋରା ତ ? ତା’ ହେଲେ ଏ ଚୁଡ଼ି ମୁଠାକ ତ ଚମତ୍କାର ମାନିବ ।

 

ଏ ଦୁଇଟା ତେବେ ପସନ୍ଦ ହେଲାନି, ନାଁ ? ଆଚ୍ଛା, ଏ ମୁଠାକ ଦେଖ ତ, ଆସମାନି ରଙ୍ଗର ସରୁ ପ୍ଲେନ ଚୁଡ଼ି । ଅଭିଆଡ଼ୀ ଝିଅମାଙ୍କର ଏ ଚୁଡ଼ିକୁ ଆଦର ବେଶୀ, ଦାମ୍ ମଧ୍ୟ ଖୁବ୍ କମ୍-

 

ସୁରେନ୍ଦ୍ରର ମୁହଁ ଗମ୍ଭୀର ହୋଇ ଉଠିଚି । ମୁଣ୍ଡ ବଥେଇ ଉଠୁଛି, କେଉଁଠିକି ଆସିଛି ସେ-? ଆଉ କ’ଣ ମଧ୍ୟ ଶୁଣୁଛି ? କେତେ ଆଶାରେ ସେ ଆସିଥିଲା । ତା’ର ଲୋଡ଼ା ହଳଦିଆ କୋଠା ମୟୂରକଣ୍ଠୀ ପର୍ଦ୍ଦା । ଆଉ….ଆଉ….

 

ମହିଳା ଜଣକ ସୁରେନ୍ଦ୍ରକୁ ଦୃକ୍‌ପାତ ନ କରି, ତା’ର ପସରାକୁ ଗୋଟେଇ ନେଇ କହିଲା….ଏସବୁ ତେବେ ପସନ୍ଦ ହେଲାନି, ନୁହେଁ ? ତେବେ ଏଇଟା ଦେଖ ତ, ସୁନା ଚୁଡ଼ି ପରି ଝଟକୁଛି । ତା’ ଉପରେ ଇମିଟେସନ ପଥର ଖଚିତ ହୋଇଛି । ଏଇଟା ଏକଦମ୍ ଲେଟେଷ୍ଟ ଡିଜାଇନ୍ । ଅବଶ୍ୟ ଦାମ୍ ଟିକେ ବେଶୀ ପଡ଼ିବ । ତେବେ ବ୍ୟସ୍ତ ହୁଅନା ପୁଅ । ମୁଁ ଲାଭଖୋର ବ୍ୟବସାୟୀ ନୁହେଁ । ଖାଲି ପେଟପାଟଣା ପାଇଁ ।

 

ସୁରେନ୍ଦ୍ର ଏଥର ତା’ର ସମସ୍ତ ଶକ୍ତି ଖଟାଇ, ମନ ପ୍ରାଣ ଓ ଚିନ୍ତାକୁ ଏକାଠି କଲା । ଶକ୍ତ ହୋଇ କହିଲା–ନାଁ ମା, ମୁଁ ଚୁଡ଼ିପାଇଁ ଆସିନି ।

 

ଏଁ ଚୁଡ଼ିପାଇଁ ଆସିନୁ ? ଆଉ ତେବେ କି କାମ ତୋ’ର ଏଠି ଅଛି ? ମହିଳା ଜଣକ ରାଗରେ ଗର ଗର ହୋଇ ମେଲେଇ ରଖିଥିବା ସମସ୍ତ ଚୁଡ଼ିର ପସରାକୁ ଯଥାସ୍ଥାନ କରିବାରେ ତତ୍ପର ହେଲା ।

 

ସୁରେନ୍ଦ୍ର ମହିଳାକୁ ସେମିତି ଚାହିଁ, ନିଜକୁ ଆହୁରି ଦୃଢ଼ କଲା । ଏବେ ବି ସେହି ରୁଦ୍ଧ ଦରଜାରେ କରାଘାତ । ଶୁଭୁଛି ତାକୁ ଉନ୍ମକ୍ତ କରିବାକୁ ହେବ, ହେବ, । ସେ ଅବଶେଷରେ କହିଲା, ଗୋଟିଏ କଥା ପଚାରିବି, କହିବ ?

 

ଚୁଡ଼ିବାଲୀ ନାରୀଟି ଏଥର ଆଖି ଉଠାଇ ସୁରେନ୍ଦ୍ରକୁ କଟମଟ କରି ଚାହିଁଲା । ସୁରେନ୍ଦ୍ରର ଆଖି ସହ ତା’ର ଆଖି ମିଶିଗଲା । ସେ ଯେମିତି ସହସା ଚମକି ପଡ଼ିଲା । ଏ ଚମକ କାହିଁକି ? ଏ ଲୋକ କିଏ ? ଚୁଡ଼ି କିଣନ୍ତି ସମସ୍ତେ…ମାତ୍ର କଥା, କଥା କିଏ ପଚାରେ ? ଏ ଲୋକଟା…ଏ…ଲୋକଟା…

 

ସୁରେନ୍ଦ୍ର ଦେଖିଲା…ସେଇ କଳା ଭଅଁର ପରି ଢଳଢଳ ସେହି କାଳଜୟୀ ଆଖି ଦୁଇଟି, ଓଃ କି ଉଜ୍ଜ୍ଵଳ, କି ତୀକ୍ଷ୍‌ଣ, କି ମହିମାମୟ । ସେ ପୋଡ଼ି ଯିବନ ତ ଆଉ ।

 

କିନ୍ତୁ ସେ ଧୈର୍ଯ୍ୟ ଧରିଲା…ସହସା କହି ଉଠିଲା—ଆଚ୍ଛା, ଏଇଠି ଚମ୍ପାକଳି ଲେଖା ଯାଇଚି କାହିଁକି ? ଏଇଟା କ’ଣ କାହାର ନାମ ?

 

ଭୂମିକମ୍ପ ହୋଇ ନାହିଁ, ବିସ୍ପୋରଣ ହୋଇନାହିଁ, ଝଡ଼ ବି ଉଠି ନାହିଁ, ତଥାପି ଏକ ବିପର୍ଯ୍ୟୟ ନିମିଷକରେ ଘଟିଗଲା । ମହିଳା ଜଣକର ସମଗ୍ର ଅଙ୍ଗଲତାକୁ ବେଢ଼ି ସେ ବିପର୍ଯ୍ୟୟ ଯେମିତି ସ୍ୱର ତୋଳି ଉଠିଲା । ସେ ଅବଶ ହୋଇ ବସିପଡ଼ିଲା । ତା’ ମୁହଁ, ହାତ, ଓଠ ସର୍ବତ୍ର ଯନ୍ତ୍ରଣାର ଛାପ ଫୁଟି ଉଠିଲା । ଏହା ଯଦି ରଙ୍ଗମଞ୍ଚର ଦୃଶ୍ୟ ହୋଇଥାନ୍ତା, ତେବେ କରୁଣ ସ୍ୱରରେ ବାଜି ଉଠିଥାନ୍ତା ନେପଥ୍ୟେ ସାହାନାଇ । ସୁରେନ୍ଦ୍ର ମହିଳାଟିର ଏତାଦୃଶ ଅବସ୍ଥା ଦେଖି ବିସ୍ମୟରେ ହତବାକ୍ ହୋଇଗଲା । କିଛିକ୍ଷଣ ତଳର ହସ ହସ ନାରୀଟି ଯେ କ୍ଷଣକ ପରେ, ଏକ ଅଶ୍ରୁ-କାବ୍ୟରେ ନାୟିକା ଭଳି ଏତେ ଭାବବିହ୍ୱଳା ହୋଇଉଠିବ, ଏ ଯେମିତି ତା’ର ଧାରଣାର ବାହାରେ ଥିଲା ।

 

ତଥାପି କି ଏକ ଉତ୍ତେଜନାରେ ସେ କହିଲା…ତମକୁ ଯଦି ଆଘାତ ଦେଇଥାଏ କ୍ଷମା କରିବ । ତଥାପି ଜାଣିବାର ଦରକାର ପଡ଼ୁଚି । କହ, ଏ ଚମ୍ପାକଳି କ’ଣ ତୁମର ନାମ ?

 

ଏ କଥାରେ ଚୁଡ଼ିବାଲି ନାରୀଟି ଝଡ଼ବେଗରେ ଉଠି ପଡ଼ିଲା । ସୁରେନ୍ଦ୍ର ପାଖକୁ ଚାଲିଆସି ତା’ ମୁହଁକୁ ମଟମଟ କରି ଚାହିଁ କହିଲା, କେଉଁ ସ୍ତ୍ରୀ ଲୋକର ନାମ ଚମ୍ପାକଢ଼ି, କି ଗୋଲାପ କଢ଼ି ହେଲା, ସେକଥା ଜାଣିବା ତମପରି ପୁରୁଷର ଦରକାର ନାହିଁ । ତମେ ଠକ, ତମେ ସଇତାନ । ଚାଲିଯା ଏଠୁ, ଚାଲିଯା……

 

ଚୁଡ଼ିବାଲି ନାରୀଟିର ଏହି ଭର୍ତ୍ସନାରେ ସୁରେନ୍ଦ୍ର ଆନନ୍ଦିତ ହୋଇ ଉଠିଲା; ସେ ଯେମିତି ପଥ ଖୋଜି ପାଇଲା । ସେ ଉନ୍ମାଦନାରେ ଅଧିର ହୋଇ ସେହି ବର୍ଷିୟସୀ ନାରୀଟିକୁ, ତା’ରସେହି ବିସ୍ଫାରିତ,ସମୁଦ୍ର ନୀଳ ଆଖିର ଗଭୀରତାକୁ ଚାହିଁ ଗଦ ଗଦ କଣ୍ଠରେ କହିଲା, ମତେ ଭର୍ତ୍ସନା କର, ମାତ୍ର କହ, ତମେ କ’ଣ ସେଇ, ସେଇ ଚମ୍ପାକଢ଼ି ।

 

ଚୁଡ଼ିବାଲି ସ୍ତ୍ରୀ ଲୋକଟିର ଆଖିରେ ସେପର୍ଯ୍ୟନ୍ତ ଆଶ୍ଚର୍ଯ୍ୟର ଏକ କମନୀୟ ରଙ୍ଗ ମାଖି ହୋଇ ରହିଥିଲା । ତା’ର ସବୁ କ୍ରୋଧ, ଜିଜ୍ଞାସା, ଚାଞ୍ଚଲ୍ୟ ହେତୁ…ଏ ଲୋକଟା…ଏ ଲୋକଟା.. କିଏ-କିଏ ?

 

ସୁରେନ୍ଦ୍ର ସେମିତି ଗୁଣୁ ଗୁଣୁ ହେଉଥିଲା…ଆବେଗର ଉନ୍ନଦାନରେ ।

 

ଏଥର ସ୍ତ୍ରୀ ଲୋକଟି ତା’ର ସବୁ ଭାବକୁ କାନ୍ଦଣାର ନିର୍ଯ୍ୟାସରେ ରାସାଣିତ କରି କହିଲା–କିଏ ତମେ ? କିଏ ତମେ ? ସତ କହ, କାହିଁକି ମୋ’ ହୃତ୍‍ପିଣ୍ଡରେ ଚମକ ଲଗାଇଛ ।

 

…ତମେ କ’ଣ..ତିରିଶି ବର୍ଷ ତଳର …ସେଇ ଉପଗଳିର…

 

…ଓଃ ତମେ କିଏ, କୁହ, କୁହ,

 

…ସେଇ ଯେଉଁ ହଳଦିଆ କୋଠା… ଝରକାରେ ମୟୁରକଣ୍ଠୀ ରଙ୍ଗର ପର୍ଦ୍ଦା…ଦ୍ୱାର ଦେଶରେ ଏକ ନର୍ତ୍ତକୀର ଛବି ।

 

…ଓଃ….ଓଃ…

 

….ସେ କୋଠରୀ ଏକ ରଙ୍ଗମଞ୍ଚ ପରି ସଜ୍ଜିତ ଥିଲା । ରାତ୍ରିରେ ସେଦିନ ଭୀଷଣ ବର୍ଷା…ବଜ୍ର ଓ ବିଜୁଳି । କେହଁ ଜଣେ ପଥଚାରୀ ନେଇଥିଲା ଆଶ୍ରୟ ।

 

ଓଃ ବନ୍ଦ କର,ବନ୍ଦ କର ।

 

ସେ ମାଗିଥିଲା ଆକୁଳରେ ମୁନ୍ଦାଏ ପାଣି । ଏତେ ବଡ଼ ବର୍ଷା ରାତିରେ କି ତୃଷା ଥିଲା ସତେ ।

 

ଓଃ….କୁହନା, କୁହନା ଆଉ କିଛି ।

 

ସୁରେନ୍ଦ୍ରର ମନ ଭିଜି ଯାଇଥିଲା ସମ୍ପୂର୍ଣ୍ଣ । ସହସା ତାକୁ ଆଲିଙ୍ଗନରେ ବାନ୍ଧିରଖି ଚୁଡ଼ିବାଲି ନାରୀଟି କହିଲା, ଓଃ ତମେ, ତମେ । ତୁମେ ପୁଣି ଫେରି ଆସିଚ । କେତେ ବର୍ଷ ପରେ, କେତେ ଯୁଗ ପରେ । ଏଇ ଦେଖ, ଚାହଁ ମୁଁ ଯେ ବୁଢ଼ୀ ହୋଇ ଗଲିଣି ।

 

ମହିଳା ଜଣକ ଏହି ଅତର୍କିତ ଆଲିଙ୍ଗନ ଓ ଭାବାବେଗ ଭିତରେ ଏକାନ୍ତ ଲଜ୍ଜିତ ଓ ଅପ୍ରତିଭ ହୋଇ ଉଠିଲା । ଲଜ୍ଜା ତାକୁ ଆକଣ୍ଠ ଗ୍ରାସ କରି ଆଖିରେ ବ୍ୟଥା, ବେଦନାର ଏକ ସମନ୍ଵୟ ସୃଷ୍ଟି କରିଗଲା । ନିଜକୁ ଏକାନ୍ତ ଅପରାଧୀ ମନେ ହେଲା ତା’ର । ତଥାପି ସେହି ନାରୀଟିର ଏ ବିପୁଳ ଆବେଗ ଓ ରସାବେଗକୁ କାଟିଦେଇ ସେ ନିଜକୁ ମୁକ୍ତ କରିପାରିଲା ନାହିଁ ।

 

ଅନେକ ବେଳ କଟିଗଲା….ନାରୀର ଆଖିରୁ ଧାର ଧାର ଅଶ୍ରୁ ଝରି ବହି ଚାଲିଥାଏ । ସେ ଅଶ୍ରୁରେ ସୁରେନ୍ଦ୍ର ଛାତିର ଅନେକାଂଶ ଆର୍ଦ୍ର ହୋଇଉଠୁଚି । ଏଥର ସୁରେନ୍ଦ୍ର ବହୁ କଷ୍ଟରେ ନିଜକୁ ଆୟତ୍ତ କରି ମୁକ୍ତକଲା ଓ କହିଲା…କ୍ଷମା କର ମତେ । ମୁଁ ସେହି ପଥଚାରୀ ପ୍ରବୀର ଦାସ ନୁହେଁ । ମୁଁ….ମୁଁ….

 

ଏଥର ସେ ଭାବବିହ୍ୱଳା ନାରୀଟିର ଆର୍ତ୍ତ ଚିତ୍କାର ଚତୁଃପାର୍ଶ୍ଵକୁ କରୁଣାକ୍ତ ତାଙ୍କ କରି ତୋଳିଲା ।

 

ସୁରେନ୍ଦ୍ର କହିଲା, ବିଶ୍ଵାସ କର । ମୁଁ ତାଙ୍କର ପୁଅ ସୁରେନ୍ଦ୍ର ଦାସ । ତାଙ୍କଠାରୁ ଆଦେଶ ପାଇ ଆସିଚି ।

 

ଚୁଡ଼ିବାଲି ନାରୀଟିର କ୍ଷଣକ ପୂର୍ବର ସେହି ଉନ୍ନୟତା କିପରି କରୁଣ ହୋଇ ଉଠିଲା । ସେ ତା’ର ମୁଖ, ଆଖି ସର୍ବତ୍ର ଚହଟି ଗଲା । ସୁରେନ୍ଦ୍ରର କଥା ଶୁଣୁ ଶୁଣୁ ସେ ଅସ୍ଥିର ହୋଇ ତାକୁ ଚାହିଁ ରହିଲା । ତାର ଆଖିରେ ପଲକ ପଡ଼ିଲା ନାହିଁ । ସେ କେବଳ ଗୁଣୁ ଗୁଣୁ ହୋଇ କହିବାକୁ ଲାଗିଲା, ତମେ ତାଙ୍କ ପୁଅ, ତାଙ୍କ ପୁଅ । ଓଃ, ସେ ତେବେ ସଂସାର କରିଚନ୍ତି । ସେ ପୁଣି କି ଆଦେଶ ଦେଇଛନ୍ତି ସୁରେନ୍ଦ୍ର ?

 

ତାପରେ ସେ ସୁରେନ୍ଦ୍ରର ପାଖକୁ ଚାଲି ଆସିଲା । ସୁରେନ୍ଦ୍ରର ମୁହଁକୁ ମନ ଭରି ଦେଖି ଦେଖି ତେବେ ବି ଯିମିତି ତୃପ୍ତି ଆସିଲା ନାହିଁ । ଆଃ, ଅବିକଳ ସେଇ ନାକ, ଉନ୍ନତ କପାଳ । ସୁରେନ୍ଦ୍ରର ମଥାଟିକୁ ଛାତିରେ ଧରି ସେ ସାଉଁଳିବାକୁ ଲାଗିଲା । ଗୁଣୁଗୁଣୁ ସ୍ୱରରେ କହିବାକୁ ଲାଗିଲା, ତମେ ତାଙ୍କ ପୁଅ, ତାଙ୍କ ପୁଅ, ଆଉ ମୋ ପୁଅ କ’ଣ ନୁହେଁ ? ମତେ କ୍ଷମା କର ସୁରେନ୍ଦ୍ର, କେତେ ବଡ଼ ଭୁଲ ମୋର ହୋଇଗଲା । ତମର ମୁହଁ, ତମର କଥା, ସବୁ ତ ଠିକ୍ ସେମିତି-। ତାଙ୍କର ସ୍ମୃତି ମୋ ଭିତରେ ଏତେ ଜୀବନ୍ତ ଯେ ମୁଁ ଜମା ଜାଣି ପାରିଲି ନାହିଁ । ଏ ଭିତରେ ତିରିଶି ବର୍ଷ ବିତି ଯାଇଛି । ମୁଁ ସିନା ବୁଢ଼ୀ ହୋଇଛି, ହେଲେ ମୋ ଭିତରେ ତ ସେହି ଝିଅଟି ଏବେ ବି ତା’ର ସ୍ତୁପ ସ୍ତୁପ କ୍ଷୁଧା ତୃଷାକୁ ଜମେଇ ରଖି ଜଣକୁ ଚାହିଁ ବସିଛି । ମୁଁ ତ କେବଳ ତା’ର ଆଖି, ତା’ର ମନ ନେଇ ତମକୁ ଦେଖିଥିଲି ସୁରେନ୍ଦ୍ର ।

 

ମହିଳା ଜଣକ କାନ୍ଦୁଥିଲା…କଇଁ କଇଁ ହୋଇ ଆଖିରେ ଅଞ୍ଚଳ ଦେଇ । ଓଃ, କି ଭୁଲ ହୋଇଗଲା । ସୁରେନ୍ଦ୍ର କ’ଣ ବୁଝିବ, ବୁଝିପାରିବ, ଏଇ ତିରିଶ ବର୍ଷର ପ୍ରତିକ୍ଷାର ଜ୍ଵାଳା, ଯନ୍ତ୍ରଣା ଆଶାର ଆବେଗ ଓ ହତାଶାର ଆର୍ତ୍ତନାଦ । ତିରିଶ ବର୍ଷ ତଳେ, ସେଇ ଘରେ, ସେଇ ଝିଅଟି ଓଃ…

 

ସେତେବେଳେ କେତେ ଜଣ ବ୍ୟକ୍ତି ନାରୀ-ବ୍ୟବସାୟ ଚଳାଇ ବେଶ ଲାଭବାନ୍ ହୋଇଉଠିଥାନ୍ତି । ଏହି ନିଶା ତାଙ୍କୁ ଜୋରରେ ଘାରିଥାଏ । ଓଡ଼ିଶାର ପୁରପଲ୍ଲୀରୁ ଝିଅମାନଙ୍କୁ ଭୁଲେଇ, ଚୋରାଇ, କଲିକତାର ବେଶ୍ୟାଳୟରେ ବିକ୍ରି କରି ସେମାନେ ବିପୁଳ ଅର୍ଥ ଉପାର୍ଜ୍ଜନ କରୁଥିଲେ । ଓଡ଼ିଶାର କେଉଁ ସୁଦୂର ଗାଁରେ, ନୀଳ ପାହାଡ଼ ତଳେ, କେତକୀ ପାଖୁଡ଼ା ପରି ବିକଶିତ ହୋଇଥିବା ସେଇ କଅଁଳ ମନର ଝିଅଟି ହୋଇଥିଲା ସେହି ବ୍ୟବସାୟର ଅନ୍ୟତମ ଶିକାର । ନିଜର ଗାଁ ମାଟି, ବନ୍ଧୁ ପରିଜନ, ସମସ୍ତଙ୍କୁ ତ୍ୟାଗକରି ସେ ବନ୍ଦିନୀ ହେଲା ମହାନଗରୀର ଏହି ବେଶ୍ୟାଳୟରେ ।

ପ୍ରଥମ କେତେ ଦିନ ଖୁବ୍ ଅସହଯୋଗ କରିଥିଲା ଝିଅଟି । ଆଃ, କେତେ ସ୍ୱପ୍ନ ସେ ଦେଖିଥିଲା ସତେ । ଗାଁ ମାଟିର ପାଣି ପବନ, ପଶୁ ପକ୍ଷୀ ଓ ଫୁଲର ପରାଗ ନେଇ ତା’ ମନକୁ ସେ ସଜାଡ଼ିଥିଲା, କେତେ ନିଖୁଣଭାବେ । ସୁଦୂର ଭବିଷ୍ୟତକୁ ସେ ଆଙ୍କି ଯାଇଥିଲା ମନର ସମସ୍ତ ଶିଳ୍ପ ରସଦେଇ । ସେ ସ୍ୱପ୍ନ ତ ସଫଳ ହେଲା ନାହିଁ । ଶେଷକୁ ଭାଗ୍ୟରେ ଥିଲା ଏଇ ବେଶ୍ୟାଳୟରେ ବନ୍ଦିନୀ ହେବାକୁ ।

ତିନି ଚାରି ଦିନ ସେ ଝିଅଟି କାନ୍ଦିଲା, ରୁଷିଲା, ଖାଇଲାନି, ଶୋଇଲା ନାହିଁ; କିନ୍ତୁ ଚାରି କାନ୍ଥ ଭିତରେ ସେ ଯେ ବନ୍ଦିନୀ, ମୁକ୍ତିର ଉପାୟ କାହିଁ ? ଶେଷକୁ ତା’ ଉପରେ ଆରମ୍ଭ ହେଲା ଚାବୁକ ମାଡ଼, ପିଠିରୁ ରକ୍ତ ଝରିଲା, ନୋଳା ଫାଟିଲା । ଚାରି ପାଖରେ ଜଗିଥାନ୍ତି ସମସ୍ତେ, ଯେମିତି ମରି ମଧ୍ୟ ପାରେନା । କେତେ ସହନ୍ତା ସେ ଆଉ ? ବାଧ୍ୟ କରି ତାକୁ ଗହଣା ପିନ୍ଧାଇ ଦିଆଗଲା, ଝିଲିମିଲି ଶାଢ଼ୀ ପିନ୍ଧାଇ ଦିଆଗଲା । ଏକ ସୁସଜ୍ଜିତ କୋଠରୀରେ ଛାଡ଼ି ଦେଇ ବାହାରୁ କବାଟ କିଳା ହୋଇଗଲା । ଏ ସବୁ ଭିତରେ ଝିଅଟି ସମ୍ପୂର୍ଣ୍ଣ ପଥର ହୋଇଯାଇ ଥିଲା । ସେ ଖାଲି ଭାବୁଥିଲା, ଆହା, ବିବାହ କରିଥିଲେ ସେ ମଧ୍ୟ ଏମିତି ଶାଢ଼ୀ, ଗହଣାରେ ସଜ୍ଜିତ ହୋଇଥାନ୍ତା ! ଏମିତି ଏକ କୋଠରୀରେ କାହାକୁ ଚାହିଁବସିଥାନ୍ତା…କିନ୍ତୁ କିଏ ଆସିବ ତା’ କୌମାର୍ଯ୍ୟର ପ୍ରଥମ ଅତିଥି ହୋଇ ଆଜି ? କିଏ ଶୁଣାଇବ ଆଜି ପ୍ରଥମ ପ୍ରେମର ବେଣୁ ଧ୍ଵନି ? ସିଏ କ’ଣ ଦେଇ ପାରିବ ଏକ ଅଚ୍ଛେଦ୍ୟ ନିବିଡ଼ ବନ୍ଧନ !

ଝିଅଟିର କୋମଳ ମନ, ଶାଢ଼ୀ ଗହଣାର ପ୍ରାଚୁର୍ଯ୍ୟ ଭିତରେ, ଫୁଲବିଛା ଶଯ୍ୟା ଉପରେ ଟିକି ଟିକି ହୋଇଯାଉଥିଲା । ଅବଶେଷରେ ଯିଏ ଆସିଲେ ସେ କଳା ମଚ ମଚ ଏକ ବିରାଟକାୟ ବ୍ୟକ୍ତି । ବୟସ ଚାଳିଶ ପଞ୍ଚଚାଳିଶ । ଖୁବ୍ ଧନୀ ବୋଧହୁଏ । ଦେହରେ ଦାମି ଧୋତି ପଞ୍ଜାବୀ, ହାତରେ ଓଜନିଆ ସୁନାମୁଦି । କଳାପାହାଡ଼ ପରି ସେ ଭୀମକାୟ ବ୍ୟକ୍ତିଟା ତା ପାଖକୁ ବୀର ଦର୍ପରେ ମାଡ଼ି ଆସିଲା । ପ୍ରତିବାଦ କରୁ କରୁ ସେ ଦୁଇ ହାତରେ ତାକୁ ସମ୍ପୂର୍ଣ୍ଣ ଟେକି ନେଲା । ସେ କ’ଣ ବୁଝନ୍ତା କେବେ ନାରୀ ଆଖିର ଅଶ୍ରୁ ମୂଲ୍ୟ ? ସେ ତ ଜାଣେ, କର୍ମବହୁଳ ଜୀବନ ଭିତରେ ନାରୀ ଏକ ବିଳାସ, ଫୁର୍ତ୍ତି ।

ତା’ ପରେ କେତେ ଆସିଛନ୍ତି, ଯାଇଛନ୍ତି । ବ୍ୟର୍ଥ ହୋଇଛି ସବୁ ନିବେଦନ, ସବୁ ଅଶ୍ରୁ । କେହି ତା’ କଥାକୁ ଶୁଣି ନାହାନ୍ତି । ନିଜ ନିଜର କାମନା ଚିରତାର୍ଥ କରି ନେଇଚନ୍ତି ଢଳି ଢଳି । ଘୃଣାରେ ସ୍ପନ୍ଦନହୀନ ହୋଇ ଉଠିଚି ଝିଅଟି । ନିଜକୁ କରୁଣ ଆଖିରେ ଚାହିଁ ଚାହିଁ ସେ ଅଶ୍ରୁ ଢ଼ାଳିଛି-। ତା’ ପରେ ସବୁ ହୋଇ ଯାଇଛି ଗତାନୁଗତିକ ।

ସେ ଦିନ ଗୋଟିଏ ସଞ୍ଜ । ମାଟି ଓ ଆକାଶରେ ଶ୍ରାବଣର ଅଭିସାର । ସଂଗୀତର ଆଳାପ ଭଳି, ବର୍ଷାର ସ୍ୱର କ୍ରମେ କ୍ରମେ ଗାଢ଼ ହୋଇ ଉଠୁଥିଲା । ଝିଅଟି ସେଦିନ ଝରକାବାଟେ ଚାହୁଁଥିଲା । ତା’ର ସଙ୍ଗିନୀମାନେ ସେତେବେଳକୁ ନିଜ କୋଠରୀରେ ଦୟିତମାନଙ୍କ ମନୋରଞ୍ଜନ କରିବାରେ ତତ୍ପର ହୋଇ ଉଠିଥାନ୍ତି । ସେ କେବଳ ଦେଖୁଥାଏ, ସଙ୍ଗୀତମୟ ବର୍ଷାର ପତନ । ଏମିତି ବର୍ଷା ଝରେ, ତା’ର ପ୍ରିୟ ଗାଁ । ମାଟିରେ । ଆମ୍ବ ମହୁଲ ବଣ ଉପରେ ନେସି ହୋଇଯାଇ ଥାଏ କଳା ମେଘ । ଝର ଝର ବର୍ଷାର ସେହି ଉଦାସ ମୁହୂର୍ତ୍ତ । ତା କୁମାରୀ ମନରେ ଦେଇଯାଏ, ଏକ ବୁଝି ହେଉ ନ ଥ‌ିବା ବେଦନାର ସ୍ପର୍ଶ । ସେଇ ଗାଁର ସେଇ ଘରେ, ଭାଉଜ ତା’ର ଭାତ ରାନ୍ଧୁଥିବ । କେତେଟା କାନ୍ଦୁରା ଛୁଆ ଏପାଖ ସେପାଖ ହେଉଥିବେ । ମିଞ୍ଜି ମିଞ୍ଜି ଲଣ୍ଠନ ଆଲୁଅରେ, ତା’ ମୁଣ୍ଡର ଅଳକା, ବେଣୀର ରୂପା ଫୁଲ ଚିକ୍ ଚିକ୍ କରୁଥ‌ିବ ।

ସେ ବି ରାନ୍ଧୁଥାନ୍ତା ବସି । କେତେଟା କାନ୍ଦୁରା ଛୁଆଙ୍କ ଗହଳିରେ ସେ ବି ତ ନିଜକୁ ଖୋଜି ପାଆନ୍ତା ନାହିଁ । ନତୁବା ଏମିତି ଖାଲି ଝରକାପାଖେ କାହାକୁ ଚାହିଁ ବସିଥାନ୍ତି । ହେଲେ ? ନ ଆସିଥାନ୍ତା ପଛେ କେହି । ସେ କିନ୍ତୁ ଚାହିଁଥାନ୍ତା, ଚାହିଁଥାନ୍ତା । ସେ ଚାହିଁବାରେ କେତେ ପୁଲକ, କେତେ ତୃପ୍ତି, ସେ ଆନନ୍ଦ କ’ଣ ଦେଇ ପାରିବେ ଏଇ ଦେହଭୋଗୀର ଦଳ । ଏଇ ପଲ ପଲ ଶ୍ଵାନ ଶୃଗାଳ ।

ବାହାରେ ବର୍ଷା, ଘନ ଘୋର ବର୍ଷା । ରହି ରହି ବିଜୁଳି ମାରୁଚି, ଠିକ୍ ସେଇ ସମୟରେ ଶୁଭିଲା ଦାଣ୍ଡଦ୍ଵାରରେ ଠିକ୍ ଠିକ୍ ଶବ୍ଦ । ପ୍ରଥମେ ସେ ଶବ୍ଦକୁ ଜାଣି ଜାଣି ଉପେକ୍ଷା କଲା ଝିଅଟି । ତା’ପରେ ପୁଣି ଯେତେବେଳେ ଘନ ଘନ ଶବ୍ଦ ଶୁଭିଲା, ସେ ସେତେବେଳେ ଯାଇ ଦ୍ଵାର ଉନ୍ମୁକ୍ତ କଲା ।

ଦ୍ଵାରଦେଶରେ ଉପସ୍ଥିତ ଜଣେ ବଳିଷ୍ଠ ଯୁବକ । ଯୁବକ ମୁହଁକୁ ଚାହିଁ ହଠାତ୍ ତଳକୁ ମୁହଁ ପୋତିଲା ଝିଅଟି । ସହସା ଫେରିପଡ଼ିଲା ।

ପଛରୁ କହିଲା ଯୁବକଟି–ବାହାରେ ବର୍ଷା ଓ ବିଜୁଳି, ମୁଁ ଟିକିଏ ଆଶ୍ରୟ ଚାହେଁ । ତା’ର ଏ କଥାରେ କେବଳ ବିନମ୍ରତା ନୁହେଁ, ଆନ୍ତରିକତାର ସ୍ପର୍ଶ ପାଇଲା ଝିଅଟି । ଏଇ କେତେ ଦିନ ଭିତରେ, କେହି ତ ଏମିତି ନମ୍ର ଭାବରେ କିଛି ଚାହିଁ ନାହାନ୍ତି । କେବଳ ପଇସାର ଦାବୀ, ଦାବୀରେ ତାକୁ ନିଜସ୍ଵ କରିଦେଇଚନ୍ତି ।

ବିହ୍ଵଳ ଦୃଷ୍ଟି ତୋଳି ସେ ଚାହିଁଲା ଆଗନ୍ତୁକର ମୁହଁକୁ । କହିଲା ଆଶ୍ରୟ ଚାହଁ; କିନ୍ତୁ କିଏ ଦବ ଆଶ୍ରୟ ?

ଯୁବକଟି ଏଥର କହିଲା, ତେବେ ମୁଁ ଯାଉଛି । ସତକୁ ସତ ସେ ଫେରିପଡ଼ିଲା । ସେତିକିବେଳେ ଝଲସି ଉଠିଲା ବିଜୁଳି । ଝିଅଟି ଦେଖିଲା, ଯୁବକଟି ସମ୍ପୂର୍ଣ୍ଣ ଭିଜି ଯାଇଚି । ସେ ଆଗେଇ ଯାଇ ତା’ର ପଥ ରୁଦ୍ଧ କଲା ।

ଏଥର ଯୁବକଟି କହିଲା–ବାଟ ଛାଡ଼, ମୁଁ ଯିବି ।

ଝିଅଟି କହିଲା–ମୁଁ ଅନ୍ୟମନସ୍କା ଥିଲି, ମତେ କ୍ଷମା କର ।

ଯୁବକଟି ବିସ୍ମିତ ହୋଇ ଚାହିଁଲା । ଝିଅଟିର ଅନ୍ୟମନସ୍କତାର କାରଣ କ’ଣ ହୋଇପାରେ, ବୁଝିପାରିଲା ନାହିଁ । ସେ ଫେରିବାକୁ ଉଦ୍ୟତ ହେଲା । ଝିଅଟି ଏଥର ପ୍ରାୟ ସାମ୍ନା ହୋଇ କହିଲା, ମତେ ଅପରାଧ୍ଵନୀ କରନ୍ତୁ ନାହିଁ । ଆସନ୍ତୁ ।

ବାହାରେ ବର୍ଷା ଓ ବିଜୁଳି । ଯୁବକଟି କ୍ଷଣକାଳ ଚୁପ୍ ରହିଲା । ପରେ କହିଲା, ଚାଲ, ରହିବାକୁ ହେବ, ସତରେ ।

 

ଝିଅଟିର ଅନୁସରଣ କଲା ଯୁବକଟି ।

 

ପ୍ରତୀକ୍ଷିତ କୋଠରୀଟି ସୁସଜ୍ଜିତ, ଯଥେଷ୍ଟ ବେଶୀ । ନୀଳ ବିଜୁଳି ଆଲୋକ ଘରକୁ ଆଲୋକିତ କରୁଛି । ବାହାରେ ବର୍ଷା । ଝରକାବାଟେ ତା’ର ସ୍ପର୍ଶ ଆସୁଚି । ମୟୂରକଣ୍ଠୀ ରଙ୍ଗର ଜାଲି ପର୍ଦ୍ଦା । ସମ୍ପୂର୍ଣ୍ଣ ଭିଜିଗଲାଣି । ତେବେ ବି ଝିଅଟି ଝରକା ବନ୍ଦ କରୁ ନାହିଁ । ଯୁବକଟି ଭାବୁଥିଲା; ଝିଅଟି ହୁଏତ ବର୍ଷାକୁ ଖୁବ୍ ଶ୍ରଦ୍ଧା କରେ ।

 

ନିମିଷକରେ ଏକ ଶୁଖିଲା ଲୁଗା ଆଣି ଆଗନ୍ତୁକକୁ ଦେଲା ଝିଅଟି । ତା’ ପରେ ସେ ଫେରିଗଲା ।

 

ଆର୍ଦ୍ର ହୋଇଥିବା ସାମରିକ ପୋଷାକଗୁଡ଼ିକୁ ବଦଳି, ଶୁଖିଲା ଲୁଗାଟା ପିନ୍ଧିଲା ଯୁବକ । ତା’ପରେ ଚେୟାରରେ ବସି ଘରର ଚତୁର୍ଦ୍ଦିଗରେ ଦୃଷ୍ଟି ଖେଳାଇଲା ।

 

ଝିଅଟି କେତେବେଳେ ଆସି ଖଟ ବାଡ଼ ଧରି ଠିଆହେଲା । ତା’ ଲାଗି ଯୁବକଟିର ବ୍ୟବହାର ସମ୍ପୂର୍ଣ୍ଣ ନୂଆ । ଫଳରେ ସେ ବେଶି ଲଜ୍ଜା ପାଇଚି । ଯୁବକଟି ବସି ବସି ସବୁଆଡ଼େ ଦେଖୁଥାଏ ଏବଂ ମଝିରେ ମଝିରେ ଝିଅଟିକୁ ଚାହୁଁ ଥାଏ । ନହନହକା ପାତଳୀ ଝିଅଟିଏ । କେଡ଼େ ପିଲାଳିଆ ସରଳ ମୁହଁଟି । ଆଖି ଦିଓଟି କେଡ଼େ ନିରୀହ । ରାତିପିନ୍ଧା ସରୁ ଧଳା ଲୁଗାଟିଏ ପିନ୍ଧିଚି । କେଶ ଅଯତ୍ନ । ଦେହରେ ଭୂଷଣର ପ୍ରାଚୁର୍ଯ୍ୟ ନାହିଁ । ମୁହଁରେ ପ୍ରସାଧନର ପରିପାଟୀ ନାହିଁ । ତଥାପି ତ କେଡ଼େସୁନ୍ଦର ଦିଶୁଚି ।

 

ଝିଅଟି କଣେଇ କଣେଇ ଯୁବକଟିକୁ ଚାହୁଁଥାଏ । ଯଥାସମ୍ଭବ ଯୁବକଟିର ଉପସ୍ଥିତକୁ ଅଧ୍ୟୟନ କରୁଥାଏ । ଏ ଯେ’ ବ୍ୟତିକ୍ରମ, ଏ ଯେ ବ୍ୟତିକ୍ରମ; କିନ୍ତୁ ଏ ବ୍ୟତିକ୍ରମ କାହିଁକି ? ଏ ଘଟଣା ଆଉ ଦୁର୍ଘଟଣା ନୁହେଁ ତ ?

 

ଅନେକ ସମୟ ବିତିବା ପରେ ଯୁବକଟି ପ୍ରଶ୍ନ କଲା-ଆଉ କାହାକୁ ଦେଖୁନି ଯେ’.....ତମର ବାପା ମା, ଭାଇଭଉଣୀ ସବୁ କ’ଣ ଶୋଇଲେଣି ? ମତେ ଆଶ୍ରୟ ଦେବାଯୋଗୁଁ ସେମାନେ ତମକୁ କିଛି କହିବେ ନାହିଁ ତ ?

 

ଆଗନ୍ତୁକର ଏହି କଥାରେ ଝିଅଟିର ତ ନିଶ୍ଚୟ କାନ୍ଦିବାର କଥା । ସତକୁ ସତ, ସେ ଖଟ ବାଡ଼ରେ ମୁହଁ ରଖି କାନ୍ଦିବାକୁ ଲାଗିଲା । ଯୁବକଟିର ପ୍ରଶ୍ନ ତା’ର ମର୍ମ ସ୍ଥଳରେ କୁଠାରାଘାତ କରିଚି ।

 

ଝିଅଟିକୁ କାନ୍ଦିବାର ଦେଖି ଆଗନ୍ତୁକ ବଡ଼ ଅପ୍ରତିଭ ହେଲା, କହିଲା–କାନ୍ଦିଲ କାହିଁକି ? ଏଥିରେ କାନ୍ଦିବାର କ’ଣ ଅଛି ?

 

ଝିଅଟି କିଛି କହିଲାନି । ବରଂ ବେଶୀ ବେଶୀ କାନ୍ଦିବାକୁ ଲାଗିଲା । ଯେଉଁମାନେ ଆସନ୍ତି, ସେମାନେ ନିଜର କ୍ଷୁଧା ଚରିତାର୍ଥ କରନ୍ତି, କିନ୍ତୁ ଏ ଲୋକ ଆଶ୍ରୟ ଚାହୁଚି, ଏକ ବେଶ୍ୟା ପାଖରେ । ପଚାରୁଛି ବାପା ମା’ଙ୍କ କଥା । ଯନ୍ତ୍ରଣାଠାରୁ ସହନୁଭୂତିର ଯନ୍ତ୍ରଣା ଯେ ବେଶୀ ତୀବ୍ର ।

 

ଝିଅଟିର ଏତାଦୃଶ କାନ୍ଦ ଦେଖି ଯୁବକଟି ବଡ଼ ବ୍ୟଥିତ ହେଲା । ସେଇ ବ୍ୟସ୍ତତାରେ ସେ ବିଚଳିତ ହୋଇ ଘରସାରା ପଦଚାରଣା କରିବାରେ ଲାଗିଲା । ତା’ର ଇଚ୍ଛା ହେଉଥିଲା, ପାଖକୁ ଯାଇ ତା’ର ଅଶ୍ରୁ ସେ ପୋଛି ଦିଅନ୍ତା । ସେ ଆଖିକୁ ଅଶ୍ରୁ ଯେ’ ଆଦୌ ମାନୁ ନାହିଁ । ତଥାପି ସେ ତା’ କରିପାରିଲା ନାହିଁ ।

 

ହଠାତ୍ ପାଖ ଘରୁ ମଦ ଗ୍ଲାସର ଟୁଣଟାଣ ଶବ୍ଦ ଶୁଭିଲା । ଅଶ୍ଳୀଳ କଣ୍ଠର ଗୀତ ଶୁଭିଲା-। ନିଲଜ୍ଜ ବିକଟାଳ ହସ ବି ଶୁଭିଲା । ଏ ସବୁ ଶୁଣି ଆଗନ୍ତୁକଟିର ବିସ୍ମୟର ଶେଷ ରହିଲା ନି । ସେ କହିଲା, ସେ ଘରେ ସବୁ କିଏ ?

 

ଝିଅଟି ପ୍ରଥମେ କିଛି କହିଲା ନାହିଁ, ପୁନରାୟ ଯେତେବେଳେ ଯୁବକଟି ପ୍ରଶ୍ନ କଲା–ସେତେବେଳେ ଲଜ୍ଜାରେ, ଦୁଃଖରେ, ଅପମାନରେ ଅସ୍ଥିର ହୋଇ କୁଣ୍ଠିତ କଣ୍ଠରେ କହିଲା, ଆଉ କିଛି ପଚାରନ୍ତୁ ନାହିଁ । ଏ ଘର ଗଣିକାର । ଆଉ ମୁଁ ଜଣେ, ମୁଁ ଜଣେ ଗଣିକା ।

 

ଆଗନ୍ତୁକଟି ସ୍ତବ୍‌ଧ ହୋଇଗଲା । ଏ ଗୋଟାଏ ଗଣିକାର ଘର ! ଆଉ ସେ ଆଶ୍ରୟ ନେଇଚି ସେଇ ଗଣିକା ପାଖରେ ? ଏ ଯେମିତି ତା’ର ବିଶ୍ୱାସରେ ବାହାରେ । ସେ ଏକ ଲୟରେ ସେ ଝିଅଟିକୁ ଚାହିଁଲା । କେତେ ସାଧାସିଧା ଝିଅଟିଏ । କେଡ଼େ ସରଳତାର କୁଣ୍ଠିତ ଚାହାଣି । କିନ୍ତୁ ସେ ଜଣେ ବେଶ୍ୟା । ସେ ଜଣେ ବେଶ୍ୟା, ଏ କଥା ଭାବିଲା ବେଳକୁ ତାକୁ ଭୀଷଣ କଷ୍ଟ ହେଉଥିଲା ।

 

ଯୁବକଟିର ଏହି ନିବିଡ଼ ନିରନ୍ଧ୍ର ଚାହାଣିର କାରଗାର ଭିତରେ ଝିଅଟି ସମ୍ପୂର୍ଣ୍ଣ ଅପ୍ରତିଭ ହୋଇ ଉଠିଲା । ଲାଳସାଭରା ଅଶ୍ଳୀଳ ଚାହାଣିର ତୀରକୁ ସେ ଦେହର ଲୋମେ ଲୋମେ ନିର୍ଲଜ୍ଜଭାବେ ତୋଳି ନେଇଚି ଅଥଚ ଯୁବକଟିର ଏହି ଅବ୍ୟକ୍ତ ଚାହାଣିରେ ରହିବାକୁ ତାକୁ ଆସୁଚି ଏକାନ୍ତ ଲଜ୍ଜା । ସେ କୁଣ୍ଠିତ ପଦରେ ଘରଛାଡ଼ି ଚାଲିଆସିବାକୁ ଉଦ୍ୟତ ହେଲା ।

 

ଆଗନ୍ତୁକ ଡାକିଲା ପଛରୁ–ଶୁଣ ।

 

ଆଉ କିଛି ପଚାରିବେ ? ଝିଅଟିର କାନ୍ଦିବା ସ୍ୱର ।

 

ଯୁବକଟି କହିଲା…ତମେ ଏଠୁ ମୁକ୍ତି ଚାହଁ ନା ?

 

ଯୁବକଟିର ଏ କଥାରେ ଝିଅଟି ଉତ୍ତେଜିତ ହୋଇ ଉଠିଲା । କହିଲା, ଚାହିଲେ ବା ମୁକ୍ତି ଆମକୁ ଦବ କିଏ ? ମୃତ୍ୟୁଛଡ଼ା ମୁକ୍ତି ଆମର ନାହିଁ, କେତେ ଥର ବିଷ ଖାଇଚି, ବେକରେ ଦଉଡ଼ି ବାନ୍ଧିଛି । ଏ ଦେହରେ ଏତେ ବିଷ ଯେ ସେ ମୃତ୍ୟୁକୁ ମଧ୍ୟ ନିହତ କରୁଛି ।

 

ଯୁବକଟି ସେହି ତନୁପାତଳୀ ଝିଅଟିର ଏହି ଓଜସ୍ୱିନୀ କଥାଗୁଡ଼ିକ ମାନପ୍ରାଣ ଦେଇ ଶୁଣି ଯାଉଥିଲା । ତା’ ଆଖିକୁ ସେମିତି ଚାହିଁ ରହିଥିଲା । କେତେ ଝିଅ ସେ ଦେଖିଚି ଜୀବନରେ । ଯେଉଁମାନଙ୍କୁ ନେଇ ସେ କେବଳ ଫୁର୍ତ୍ତି କରିଛି । ସାମାରିକ ଜୀବନର ବ୍ୟସ୍ତତା ଭିତରେ, ଲାଳସା ଛଡ଼ା କେବେ କୌଣସି ନାରୀ ପ୍ରତି ତା’ର ଆଲୋଡ଼ନ ତ ଦେଖି ନ ଥିଲା; କିନ୍ତୁ ଆଜି ଏଇ ଝିଅଟି, ଅତି ସାଧାରଣ ଝିଅଟି ତା’ ଲାଗି ମମତା ଜାଗୁଛି କାହିଁକି ? କାହିଁକି ମନେ ହେଉଛି ଏ ଆପଣାର, ଆପଣାର ।

 

ଝିଅଟି ସେମିତି କାନ୍ଦୁଥିଲା । ଆଗନ୍ତୁକ ତା’ ପାଖକୁ ଯାଇ ସ୍ନେହାର୍ଦ୍ର କଣ୍ଠରେ କହିଲା..ତମେ କାନ୍ଦନା, ତମ ଆଖିରେ ଅଶ୍ରୁ ସାଜେନା–

 

ଯୁବକଟିର ଏ କଥାରେ ଝିଅଟି ଆହୁରି ଆଘାତ ପାଇଲା । ଆଜିପର୍ଯ୍ୟନ୍ତ ଯେତେ ଯେତେ ଅତିଥି ଆସିଚନ୍ତି, ଏ’ ତା’ର ବ୍ୟତିକ୍ରମ । କଥାର ବ୍ୟବହାରରେ । ବହୁ ଦିନର ନୀରବ ମନ ତା’ର ଯେମିତି ବିଦ୍ରୋହୀ ହୋଇ ଉଠିଲା । ସେ ତତକ୍ଷଣାତ୍ କହିଲା, ନାରୀର ହସ ଉପଭୋଗ କରିବାର ଅଭ୍ୟାସ ଯା’ର ପ୍ରବଳ, ସେ କେବେ ଅଶ୍ରୁର ଦାମ୍ ବୁଝେ ?

 

ଝିଅଟିର ଏ କଥାରେ ଯୁବକର ମନ ଆହତ ହେବା କଥା । ତଥାପି ସେ ରାଗ କଲାନି-। ସେ କହିଲା, ତମେ ଯେତେ ଆଘାତ ଦେବ ଦିଅ, ଯେତେ ଭର୍ତ୍ସନା ମତେ କର; କିନ୍ତୁ ମୁଁ ଆଜି ନୂଆ ଭାବେ ନିଜକୁ ଦେଖୁଚି । ପଙ୍କ ଭିତରେ ତମେ ପଙ୍କଜ ଫୁଟିଛ ! ଏଭଳି ଫୁଲକୁ ମୁଁ ଉପେକ୍ଷା କରିପାରେ ନା ।

 

ଝିଅଟି ତୀର୍ଯ୍ୟକ୍ ଚାହାଣି ହାଣି ଉତ୍ତେଜନାରେ ଥରି ଥରି କହିଲା, ଗଣିକା ବୋଲି ଜାଣିବା ପରେ, ପ୍ରଶଂସା କରିବାଲାଗି ସାହାସ ହେଲା ନାଁ ?

 

ଯୁବକଟି ସ୍ତବ୍‌ଧ ହେଲା…କହିଲା…ଜଣେ ଆଘାତ ଦେବାକୁ ତୁମେ ସୁଖ ପାଅ । ମତେ ଖୁସୀ ଲାଗୁଛି ଯେ, ଏମିତି ଆଘାତ କୌଣସି ଗଣିକା ଦେଇ ପାରନ୍ତି ନାଇଁ, ଦେଇ ଜାଣନ୍ତି ନାଇଁ ମଧ୍ୟ ।

 

ତା’ପରେ ସେ ଅସ୍ଥିର ଭାବେ ଘରସାରା ପଦଚାରଣା କରିବାରେ, ଲାଗିଲା ଟିକିଏ ପରେ ଝିଅଟିର ସାମ୍ନା ହୋଇ କହିଲା–ଶୁଣ, ମୁଁ ତମକୁ ମୁକ୍ତି ଦେବି ?

 

ତମେ ମୁକ୍ତି ଦେବ ?

 

ହଁ, ହଁ, ମୁଁ ତମକୁ ମୁକ୍ତି ଦେବି । କେବଳ ମୁକ୍ତି ତ ନୁହେଁ, ମୁଁ ତମକୁ ସମ୍ମାନ ଦେବି । ମୁଁ ତମକୁ ବିବାହ କରିବି ।

 

ତା’ର ଏ କଥାରେ ଅଶ୍ରୁମୁଖୀ ଝିଅଟି ଚମକି ପଡ଼ିଲା…କି ଆଶ୍ଚର୍ଯ୍ୟ କଥା ଶୁଣୁଛି ସେ । କେତେ ଲୋକଙ୍କୁ କେବଳ ଏଇ ବେଶ୍ୟାଳୟରୁ ମୁକ୍ତି ପାଇଁ ସେ ଅନୁନୟ କରିଛି । କେହି ତା’ କଥା ଭ୍ରମରେ ବି ଶୁଣି ନାହାନ୍ତି ? ଏ ଲୋକଟା କହୁଛି ବିବାହ କରିବ ? ଏ କଥା କ’ଣ କେବେ ସତ ହୋଇପାରେ ? ମିଥ୍ୟା, ମିଥ୍ୟା ଏସବୁ । ସେ ଯୁବକ ମୁହଁକୁ ଚାହିଁଲା । କହିଲା ବିବାହ ? ସେ କ’ଣ ଏତେ ସହଜ ଓ ଶସ୍ତା ? ଆଜି ହୁଏତ ମୋ ଲାଗି ମନରେ କିଛି ସହାନୁଭୂତି ଆସୁଚି, ସେଇ ଉତ୍ତୋଳନାର ପ୍ରେରଣାରେ କହୁଚ ବିବାହ କରିବ; କିନ୍ତୁ ଯେତେବେଳେ ଏ ଭାବାବେଗ କଟିଯିବ, ଏ ଉତ୍ତେଜନାର ହ୍ରାସ ପାଇବ, ଆଦର୍ଶର ଏ ମୁଖା ଖସିପଡ଼ିବ, ସେତେବେଳେ କ’ଣ ନେଇ ମୁଁ ତମ ପାଖରେ ଠିଆହେବି ? ଆଜିର ଏଇ ଅବସ୍ଥା କ’ଣ ତା’ଠାରୁ ଭଲ ନୁହେଁ ?

 

ମନଦେଇ ଯୁବକଟିଏ ଏ ଯୁକ୍ତି ଶୁଣୁଥିଲା । ତନ୍ମୟ ମଧ୍ୟ ହେଉଥିଲା । ଏଭଳି ଝିଅକୁ ସେ କେମିତି ନରକକୁଣ୍ଡରେ ଛାଡ଼ିଯାଅନ୍ତା ?

 

ସେ ପାଖକୁ ଆସି କହିଲା, ତମେ ଆଦୌ ବିଶ୍ଵାସ କରିବ ନାହିଁ । ଏହା ସ୍ୱାଭାବିକ ମଧ୍ୟ; କିନ୍ତୁ ମୁଁ କେମିତି ତମର ବିଶ୍ୱାସ ଜନ୍ମାଇବି ଭାବି ପାରୁନି । ମୁଁ ଯୁଦ୍ଧ ବିଭାଗରେ କାମ କରିଚି ପନ୍ଦର ବର୍ଷ । ମାରପିଟ୍ ଜାଣିଛି । ଗୋଲାବାରୁଦ ସହ ଖେଳିଛି । ମୁଁ ଆଦର୍ଶ ବୁଝେ ନା କି ଖୁବ୍ ଏକ ନାଁ କରିବାର ପ୍ରଲୋଭନ ମଧ୍ୟ ମୋର ନାହିଁ । ତମ ପାଇଁ ଦୟା ନୁହେଁ, ମୋ ମନ ଭିତରେ ଶ୍ରଦ୍ଧା ସୃଷ୍ଟି ହୋଇଚି । ଯୁଦ୍ଧରେ ଥିଲାବେଳେ, ମୁଁ ଅନେକ ନାରୀଙ୍କୁ ନଷ୍ଟ କରିଚି; କିନ୍ତୁ କେବେ କାହାକୁ ସଂପୂର୍ଣ୍ଣ କରି ନାହିଁ । କେଜାଣି କାହିଁକି ତମକୁ ଦେଖିଲା ପରେ ସେହି ବ୍ୟାକୁଳତା ମନେ ମନେ ନିଶା ପରି ଘାରି ଉଠିଚି । ମୁଁ ତମକୁ ବିବାହ କରିବି ନିଜର ପ୍ରୟୋଜନରେ ।

 

ନିଜର ପ୍ରୟୋଜନ….. ? ଏ ଅଭାବିତ କଥାଗୁଡ଼ିକ ଝିଅଟିର ମନରେ ହଜି ଯାଇଥିବା ମଳୟର ସ୍ପର୍ଶ ଭଳି ଏକ ଗଭୀର କମ୍ପନ ସୃଷ୍ଟି କରିଗଲା ।

 

ଯୁବକଟି ପୁଣି କହିଲା, ବିଶ୍ୱାସ କର ମତେ, ବିଶ୍ୱାସ କର । ମୁଁ ସତରେ ସର୍ବହରା । ତମେ ମତେ ଆଶ୍ରୟ ଦିଅ । ତା’ର ଏହି ଗଦଗଦ୍ କଣ୍ଠସ୍ୱର ଶେଷକୁ ଥରି ଥରି ଉଠିଲା । ଚନ୍ଦ୍ରିକାଧୌତ ଏକ ତୃଷିତ ଚକୋରୀ ପରି ଝିଅଟି ତା’ର ମୁଖଚନ୍ଦ୍ରକୁ ଏକ ଲୟରେ ଚାହିଁ ରହିଲା ।

 

ଯୁବକଟି ଏଥର କହିଲା–ଭାରି ଶୋଷ ! ମନ୍ଦାଏ ପାଣି ଦେଇପାରିବ ?

 

ଏଇ ଘନ ଘୋର ବର୍ଷା ରାତିରେ ଯୁବକଟିର ଏହି ଆଭାବିତ ତୃଷାକୁ ଝିଅଟି କ’ଣ ବୁଝି ପାରି ନ ଥିଲା ସତେ ? ସେ ଧାଇଁ ଯାଇଁ ହାଲ୍‍କା ନୀଳ ରଙ୍ଗର କାଚ-ଗ୍ଲାସରେ ପାଣି ଆଣି ବଢ଼ାଇଦେଲା ।

 

ଜୀବନସର୍ବସ୍ୱ ହୋଇ ଯିଏ ତାକୁ ନିଜର କରିବାକୁ ବ୍ୟଗ୍ର, ଦୀର୍ଘ ଅନ୍ଧକାର ପରେ ଯିଏ ଆସୁଛି ତା’ରି ପ୍ରିୟତମ ସୂର୍ଯ୍ୟ ହୋଇ, ସେଇ ସୂର୍ଯ୍ୟର ଅଭ୍ୟର୍ଥନା ପାଇଁ ଉପଯୁକ୍ତ କ’ଣ ଏଇ ମନ୍ଦାଏ ପାଣି ?

 

ବହୁ ଦିନୁଁ ହରାଇ ବସିଥିବା ସ୍ପନ୍ଦନଗୁଡ଼ିକ ସହସା ଗୋଟି ଗୋଟି ହୋଇ ତା’ର ସମଗ୍ର ସତ୍ତାରେ କୋଳାହଳ କରି ଯେମିତି ଜାଗି ଉଠିଲେ । ଗୁଣୁଗୁଣୁ ଗୁଞ୍ଜନରେ ସେ ଯେମିତି କହି ଉଠିଲେ…..ମନ୍ଦାଏ ସ୍ଵଚ୍ଛ ପାଣି ପରି ମୁଁ ନିବେଦିତ ହୋଇ ରହିଚି । ମୁଁ ସହସ୍ର ରାତ୍ରିର ଅନ୍ଧକାର, ହେ ସୂର୍ଯ୍ୟ, ତମ ଉଜ୍ଜ୍ୱଳ ବକ୍ଷରେ ମତେ ଲୁଚାଇଦିଅ ।

 

ଯୁବକଟି ପାଣି ନଉ ନଉ ଗ୍ଲାସଟିକୁ ଜଡ଼ାଇ ଧରିଥିବା ତା’ର ସେହି ସରୁ ସରୁ ଆଙ୍ଗୁଠିଗୁଡ଼ିକୁ ଚାହିଁ ମନକୁ ମନ କହିଦେଲା, ଆଃ, କି ସୁନ୍ଦର ଆଙ୍ଗୁଠିଗୁଡ଼ିକ ସତେ ! ମୁଠାଏ ଚମ୍ପାକଢ଼ି ଅବା ?

 

ତା’ପରେ ଟିକିଏ ଢୋକଗିଳି ସେ କହିଲା, ଏ ଆଙ୍ଗୁଠିଗୁଡ଼ିକୁ ଟିକେ ସ୍ପର୍ଶ କରିବାର ଅନୁମତି ଦେବ ?

 

ଯୁବକଟିର ଏ କଥାରେ ଝିଅଟିର ମୁହଁ ଏକ ଅନୁପମ ରଙ୍ଗରେ ରଙ୍ଗିନ୍ ହୋଇ ଉଠିଲା । କେଜାଣି କାହିଁକି ଆଖି ତା’ର ଲଜ୍ଜାରେ ନଇଁଗଲା । ସେ ତା’ର ହାତ ବଢ଼ାଇ ଦେଲା କି ଯୁବକଟି ତା’ର ହାତ ତୋଳିନେଲା, ସେ ତାହା ମୋଟେ ଜାଣିପାରିଲା ନାହିଁ । କେବଳ ଅନୁଭବ କରୁଥିଲା ଯୁବକଟିର ପାଞ୍ଚ ଆଙ୍ଗୁଠି ଭିତରେ ତା’ର ପାଞ୍ଚ ଆଙ୍ଗୁଠି ଛନ୍ଦି ହୋଇ ରହିଚି । ସେଇ ଆଙ୍ଗୁଠିଗୁଡ଼ିକ ମଧ୍ୟଦେଇ ତା’ର ସମଗ୍ର ଦେହରେ ତଡ଼ିତ୍-ପ୍ରବାହ ଖେଳିଗଲା । ସେ ବୁଝିପାରିଲା ନାହିଁ, ନିର୍ଲ୍ଲଜ୍ଜ ଗଣିକା ଜୀବନରେ, ଏ ଆବେଗକୁ ସେ ଲୁଚାଇଥିଲା କେଉଁଠି ? ତାହା ଏଇ ଯୁବକର ସାମାନ୍ୟ ସ୍ପର୍ଶରେ, ସ୍ରୋତ ସମ ବହିଯିବାକୁ ଉନ୍ମୁଖ ହୋଇ ଉଠୁଚି କାହିଁକି ?

 

କେତେବେଳେ ପରେ ଯୁବକଟି ହାତଛାଡ଼ି କହିଲା, ମତେ ବିଶ୍ୱାସ କର । ମୁଁ ତମକୁ କଥା ଦଉଚି, ମୁଁ ନିଶ୍ଚୟ ତମକୁ ମୁକ୍ତି ଦେବି । ଘରେ ମୋର ଏକମାତ୍ର ମାଆ । ମୁଁ ତାକୁ ଭଲଭାବେ ଜାଣେ । ସେ ମୋ ସୁଖ ପାଇଁ ସବୁ କିଛି କରିନେବ । ମୁଁ କେବଳ ତା’ଠୁ ଆଶୀର୍ବାଦ ନେଇ ଫେରିବି । ସସମ୍ମାନ ତମକୁ ମୋର ଘରଲକ୍ଷ୍ମୀ କରି ବରି ନେବି । ତମେ ବିଶ୍ୱାସ କର । ମୁଁ ପ୍ରବୀର ଦାସ । ମୁଁ ଯାହା କହେ, ତାହା ହିଁ କରେ ।

 

ଝିଅଟି ହଠାତ୍ କହିଲା, ଶପଥ କର ! କଥା ରଖିବ !

 

ଯୁବକଟି ସାଙ୍ଗେ ସାଙ୍ଗେ କହି ଉଠିଲା, ହଁ ଶପଥ କଲି ! କଥା ରଖିବି । ରଖିବି ।

 

ବର୍ଷା ଛାଡ଼ି ଯାଇଥିଲା । ଯୁବକଟି ସେଇ ଭିଜା ରାତ୍ରିର ନିବିଡ଼ତା ଭିତରେ ହଜିଗଲା ଏକ ମଉଳା ନକ୍ଷତ୍ର ଭଳି । ତା’ର ପଥକୁ ଚାହିଁ ଚାହିଁ ଝିଅଟି ଭାବୁଥିଲା, ହେ ଶେଷ ରାତ୍ରିର ଅତିଥି ! ତମର ଜୟ ହେଉ ! ଜୟ ହେଉ !

 

ୟା’ପରେ ପରେ ଝିଅଟିର ଜୀବନଯାତ୍ରାରେ ଏକ ନୂତନ ଛନ୍ଦ ଜାଗି ଉଠିଲା । ବହୁ ଦିନର ସୁପ୍ତ ନାରୀତ୍ଵ ଜାଗି ଉଠି ତାକୁ ନାନା ସ୍ୱପ୍ନରେ, ଅଧୀର, ଆକୁଳ କରି ତୋଳିଲା । ଅନେକ ସମୟରେ ସେ ଝରକା ପାଖରେ, ଅଯତ୍ନ ବେଶରେ ଚାହିଁ ରହେ । ତା ମାନସ-ଶିଳ୍ପୀର ତୂଳିମୁନରେ, ସେ ଆଙ୍କି ରଖେ କେତେ ନୂତନ ଆଲେଖ୍ୟ । ଝିଅଟି ଗୋପନରେ ଅଭିଭୂତ ହୋଇ ଉଠେ, ସୂର୍ଯ୍ୟମୁଖୀ ଭଳି ଏକ ଧ୍ୟାନରେ ଚାହିଁ ରହେ ।

 

କିନ୍ତୁ ମିଥ୍ୟା, ସବୁ ମିଥ୍ୟା ? କଣ୍ଟ ଦିନ ଶେଷ ହୋଇଗଲା । ଶେଷ ହୋଇଗଲା କେତେ ଦିନ, ମାସ; କିନ୍ତୁ ଶେଷ ହେଲା ନାହିଁ ସେ ଝିଅର ଉତ୍କଣ୍ଠା, ତା’ର ଅପେକ୍ଷା, ତା’ ମନ ଭିତରେ ସ୍ଵପ୍ନ ଓ ଗୋପନ ଆଲେଖ୍ୟ । ଯେତିକି ଯେତିକି ଦିନ ଯାଏ, ସେତିକି ସେତିକି ଝିଅଟି ଅସ୍ଥିର ହୋଇ ଉଠେ । ଏମିତି ହୁଏ, ଉଡ଼ିଯିବାଲାଗି ତା’ର ସମଗ୍ର ସତ୍ତା ଉତ୍ତେଜିତ ହୋଇ ଉଠେ । ମନର ପକ୍ଷୀ ଆକାଶ ତଳେ ଉଡ଼ିଯାଏ ଯୋଜନ ଯୋଜନ । ତରଙ୍ଗ ତରଙ୍ଗ ଚାହାଣି ନେଇ ସେ ଖୋଜିଯାଏ ନିଘଞ୍ଚ ବନାନୀ, ଶ୍ୟାମ ଉପତ୍ୟକା, ନୀରବ ପଲ୍ଲୀ, ମୁଖର ଲୋକାଳୟ । ଏତେବଡ଼ ପୃଥିବୀ ତା ଟିକିନିକି ଡେଣାରେ ଲୁଚିଯାଏ; କିନ୍ତୁ ସେଇ ତା’ର ସୂର୍ଯ୍ୟ । ସେହି ଶଠ ପୂରୁଷ, ତା’ର ସନ୍ଧାନ ମିଳେନା । ସେ ବ୍ୟର୍ଥତାରେ ବ୍ୟାକୁଳ ଚିତ୍‍କାର କରେ । ତମେ ଏ ପୃଥିବୀଠାରୁ ବଡ଼ । ଆକାଶ ହୁଁ ସୁଦୂର । ତମକୁ ମୁଁ ଧରି ପାରୁ ନାହିଁ, ଧରି ପାରୁ ନାହିଁ ।

 

ବିତିଗଲା ଦୀର୍ଘ ଛ’ମାସ । ଚାହିଁ ଚାହିଁ ଝିଅଟି ମୁକ ବଧିର ହୋଇଗଲା । ମନର ଗୋଟା ଗୋଟା ତନ୍ତ୍ରୀ ଟିକି ଟିକି ଛିଡ଼ିଗଲା ।

 

ବେଳେ ବେଳେ ସେ ନିଜକୁ ନିଜେ ଚିଡ଼ି ଉଠେ । ତା’ର ମନ ହୁଏ ନିଜକୁ ନିଜେ ସେ ହାଣିଦିଅନ୍ତା, ମାରିଦିଅନ୍ତା । ନିଜର ମନ ଉପରେ ତା’ର ଭୟାନକ କ୍ରୋଧ ହୁଏ, ଆଃ ଏ ମନଟା ମାରି ପୋଡ଼ି ପାଉଁଶ ହୋଇ ଯାଆନ୍ତା ନାହିଁ ? ଏହି ରାଗ ଓ ବିରକ୍ତ ସବୁବେଳେ ମଧ୍ୟ ରହି ପାରେ ନା । ନାନା ବିପର୍ଯ୍ୟୟ ଭିତରେ ନିଜପ୍ରତି ତା’ର ଅନନ୍ତ କରୁଣା ବି ସୃଷ୍ଟି ହୁଏ । ନିଜକୁ ଚାହିଁ ଚାହିଁ ତା’ର ଦୀର୍ଘଶ୍ଵାସ ଉଠେ । ଏତେ ବଡ଼ ପୃଥିବୀରେ ଏତେ ଲୋକ ଗହଳିରେ, ଗୋଟାଏ ଗଣିକାର ଏହି ତୀବ୍ର ଅନ୍ତର୍ଜ୍ୱଳନ ଏକ ଅନାଦୃତ ସ୍ୱପ୍ନର ହତାଶା । କେତେ ଟିକିଏ, କେତେ ତୁଚ୍ଛ ହୋଇ କୁଆଡ଼େ ଲୁଚିଯିବ । କିଏ କ’ଣ କେବେ ବୁଝି ପାରିବ, ଏ ଅଶ୍ରୁ, ତା’ର ନଦୀ । ଏ ଭାବ ତା’ର କାବ୍ୟ । ଏ ମନ ତା’ର ଏକ ନିଃସଙ୍ଗ ଆକାଶର ସୀମା ନେଇ କେବଳ ଆର୍ତ୍ତନାଦ କରୁଛି ? ଏହା ଭାବୁ ଭାବୁ ସେ ଆତ୍ମହରା ହୋଇଉଠେ । ଗୁଣୁ ଗୁଣୁ ହୋଇ କହେ, ମୁଁ ଯେ’ ଅସ୍ତ ଲଗ୍ନର କାରୁଣ୍ୟ-। ହେ ସୂର୍ଯ୍ୟ, ତମପାଇଁ ମୁଁ ହାତ ବଢ଼ାଉଛି କାହିଁକି ମୋର ସାମ୍ମୁଖ ଯେ ଅନ୍ଧକାର । କହୁ କହୁ ସେ ତା’ର ନିଜର ସେହି ଚମ୍ପାକଢ଼ି ସମ ଆଙ୍ଗୁଠିଗୁଡ଼ିକୁ ସାଉଁଳି ସାଉଁଳି ବାରମ୍ବାର ଚୁମା ଦିଏ-

 

ଗୋଟିଏ ମିଥ୍ୟା ପ୍ରତିଶ୍ରୁତି ସେ ଝିଅଟି ମନରେ ଯେଉଁ ବୀଜ ରୋପଣ କରିଥିଲା, ସେ ବୀଜଟି ତା’ ମନର ସବୁ ରସକୁ ଶୋଷି ଶୋଷି ନୀରବରେ, ଗୋପନରେ ବଢ଼ିବାକୁ ଲାଗିଲା । ଦିନଦିନର ଅନୁଭୂତି ଅଶ୍ରୁ, ବେଦନା କାମନାରେ ପୁଷ୍ଟହୋଇ ଅବଲୀଳାକ୍ରମେ ସେ ଏକ ବିରାଟ ବନସ୍ଵତିର ଆକାର ଧାରଣ କଲା । ତା’ ଚେର ଯେତିକି ଗଭୀରକୁ ପ୍ରବେଶ କଲା, ତା’ର ଶୀର୍ଷ ସେତିକି ଶାଖା, ପ୍ରଶାଖା ମେଲି ବିସୃତ ହୋଇ ପଡ଼ିଲା । ସେଇ ବନସ୍ପତି ହୋଇ ଉଠିଲା, ସେଇ ଗଣିକା ଝିଅଟିର ସମ୍ପୂର୍ଣ୍ଣ ସଂସାର । ତା’ର ସର୍ବସ୍ଵ ! ତା’ ଭିତରେ ସେ କେତେଘର ସଜାଡ଼ିଛି କେତେ ଗୃହିଣୀ ହୋଇଛି କେତେ ରାଗ-ରୁଷା, ଅଭିମାନର ମିଶ୍ରରାଗ ତୋଳିଛି ତା’ ବହି-ଦୃଷ୍ଟିରେ ସମ୍ପୂର୍ଣ୍ଣ ଅଜ୍ଞାତ ରହିଗଲା ।

 

ଶେଷକୁ ସେ ନିଜକୁ ମୁକ୍ତ କରି କଲିକତାର ରେଳପଥକୁ ଓହ୍ଲାଇ ଆସିଲା । ମନ ଭିତରେ ସେଇ ସଂସାରର ଭାରକୁ ବହନ କରି, ସୁଦୂର ପ୍ରିୟତମ ଉଦ୍ଦେଶ୍ୟରେ ଦୁଇ ହାତ ଯୁକ୍ତକରି କହିଲା, ପ୍ରବୀର ଦାସ । ତମେ କେଉଁଠି ଅଛ ତା’ ଜଣେ ନା; କିନ୍ତୁ ତମକୁ ବିଶ୍ୱାସ କରିଥିଲା ବୋଲି ଆଜି ତମର ଶଠତାକୁ ବେକରେ ଅଳଙ୍କାର କରି ଝୁଲାଇ ରଖିଚି । ତମର ପ୍ରତାରଣାର ସମସ୍ତ ମିଠାକୁ ମୁଁ ଚାଟି ଚାଟି ଏ ଧମନୀର ରକ୍ତେ ରକ୍ତେ ମିଶେଇ ଦେଇଛି । ଏ ଗଣିକା ଜୀବନରେ ସେ ହିତ ଏକ ଉତ୍ତୁଙ୍ଗ ମନ୍ଦିର । ତୁମର ଶଠତା ଆଜି ନିଦାରୁଣଭାବେ ମତେ ବଞ୍ଚାଇ ରଖିଚି, କହି କହି, ମହାନଗରୀର ଲୋକରଣ୍ୟ ଭିତରେ ସେ ନିଜକୁ ହଜାଇଦେଲା ।

 

ଦୁଇ ଆଣ୍ଠୁରେ ମୁହଁ ମାଡ଼ିବସି ସେହି ଚୁଡ଼ିବାଲୀ ନାରୀଟି କାନ୍ଦୁଥିଲା । ପାଷାଣ ପ୍ରତିମା ପରି ମଧ୍ୟ ସମଗ୍ର ଦେହଟା କେମିତି ଅଶ୍ରୁମୟ ଆଦ୍ରତାରେ ଛଳଛଳ ହୋଇ ଉଠିଲା । ସେ କେତେବେଳେକେ ମୁଣ୍ଡ ଉଠାଇ କହିଲା…ସେ ଝିଅଟି ମରିଛି ସୁରେନ୍ଦ୍ର । ତା’ ଜାଗାରେ ଯିଏ ଆତଯାତ ହେଉଚି ସେ ଜଣେ ସାଧାରଣ ନାରୀ । ଦୁନିଆରେ ତା’ର କେହି ନାହିଁ । ସେ ଚୁଡ଼ି ବିକି ପେଟ ପୋଷେ । ସନ୍ଧ୍ୟାରେ ଗଙ୍ଗା ସ୍ନାନ କରି ଭଗବାନଙ୍କୁ ପ୍ରାର୍ଥନା କରେ । ତା’ ପାଖକୁ ତମ ବାପା କି ଖବର ଦେଇଛନ୍ତି ସୁରେନ୍ଦ୍ର ?

 

ସୁରେନ୍ଦ୍ର ଥଙ୍ଗ ଥଙ୍ଗ ହେଲା, କହିଲା…ବାପା ଠକିଛନ୍ତି ସତ; କିନ୍ତୁ ସାରା ଜୀବନ ସେ ତମକୁ ମନେ ରଖିଛନ୍ତି । ସାରା ଜୀବନ ସେ ଅନୁତାପ କରିଛନ୍ତି । ନିଜର ମିଥ୍ୟା ପ୍ରତିଶ୍ରୁତିର ଉତ୍‍ପୀଡ଼ନରେ ସେ କଷ୍ଟ ସହିଛନ୍ତି ଅନେକ, ତଥାପି ସେ ତ ସମ୍ପୂର୍ଣ୍ଣ ଦୋଷୀ ନୁହନ୍ତି, ତାଙ୍କର ପରିସ୍ଥିତି…

 

ସୁରେନ୍ଦ୍ରର ଏ କଥାରେ ନରୀଟିର ଦୁଇ ଆଖି ବିସ୍ଫାରିତ ହେଇ ଉଠିଲା…ଏକ ଅବ୍ୟକ୍ତ ଭାବ ତା’ର ମନକୁ ଆଛନ୍ନ କରିଦେଲା । ସେହି ବିପୁଳ ବନସ୍ପତି କେମିତି ଏକ କମ୍ପନରେ ତାର ସବୁ ଶାଖା ପ୍ରଶାଖାକୁ ଚହଳାଇ ଦେଲା । ସେ ନାରୀଟି ସଜଳ ଚକ୍ଷୁରେ ଚାହିଁ କହିଲା….ତମ ବାପାଙ୍କ ପାଖକୁ ମତେ ଟିକେ ନବ ? ପଦେ କଥା ମୋର ବାକୀ ଅଛି । ସେତିକି କହି ଫେରି ଆସିବି ।

 

ଏ କଥାରେ ସୁରେନ୍ଦ୍ର ଅତ୍ୟନ୍ତ ବିକଳ ହୋଇ ଉଠିଲା । ଆଖିର ଅଶ୍ରୁ ପୋଛୁ ପୋଛୁ ସେ କହିଲା…ବାପା ନାହାନ୍ତି ମା…ସେ ଇହଲୀଳା ସାଙ୍ଗ କରିଛନ୍ତି ।

 

ଏଥର ଚିତ୍କାର ନୁହେଁ, ସ୍ୱୀକାର ମଧ୍ୟ ନୁହେଁ, ଏକ ସ୍ତବଧତାରେ ସେମିତି ସ୍ଥିର ହୋଇ ବସି ରହିଲା ନାରୀଟି । ଏଇ କେତେ ସମୟ ଧରି, ତା’ ମନରେ ଯେତେ ବାତ୍ୟା ଆଲୋଡ଼ନ ସୃଷ୍ଟି କରିଗଲା, ତା’ ମନକୁ ଯେତେ ଉଦ୍ଧାର କରିଗଲା । ତା’ର ଚରମ ପରିଣତି ଏମିତି ଏକ ସ୍ତବ୍‍ଧତାରେ ହିଁ ଘଟିଗଲା; ଏସ୍ତବ୍‌ଧତାର ଏହି ଆରମ୍ଭ ଏଇ ଶେଷ ।

 

ସୁରେନ୍ଦ୍ର ପୁଣି କହିଲା…ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ତମର କଥା ହିଁ କହୁଥିଲେ । ତାଙ୍କର ଦିନ-ଲିପିରୁ ତାଙ୍କର ଗୋପନତମ ଇଚ୍ଛାର ସନ୍ଧାନ ପାଇଁ ତାଙ୍କ ଶେଷ ବାର୍ତ୍ତା ଜଣାଇବା ସକାଶେ ମୁଁ ସାରା କଲିକତା ତମକୁ ଖୋଜି ଲାଗିଲି । ଶେଷକୁ ଯେ ପାଇଲି ତାହା ତାଙ୍କ ମନର ଫଳ । କହୁ କହୁ ସେ ଝୁଲାରୁ ଏକ ତାମ୍ରପାତ୍ର ବାହାର କରି କହିଲା…ସେହି ବିରାଟ ଶରୀରର ଶେଷାବିଶେଷ ୟା’ରି ଭିତରେ ସଞ୍ଚିତ ଅଛି । ଆଉ ଅଳ୍ପ ସମୟରେ ଏହାର ହେବ ବିସର୍ଜ୍ଜନ । ପିତୃଇଚ୍ଛାର ସାଧନ କରି ମୁଁ ହେବି ମୁକ୍ତ ।

 

ଦୁଇଟି ପ୍ରସାରିତ ହାତ ସେ ତାମ୍ରପାତ୍ରକୁ ତୋଳିନେଲା । ଏକ ଶରୀର ମନୁଷ୍ୟର ସ୍ପର୍ଶ ଭଳି ସେ ପାତ୍ରଟିର ଏତେ ଉଷ୍ମତା ଏତେ ପ୍ରାଣମୟତା ଥିଲା ! ଯେ ବ୍ୟକ୍ତି ଜୀବିତାବସ୍ଥାରେ ମଧ୍ୟ ଏହି ନାରୀଟିର ବାହୁବନ୍ଧନୀ ଭିତରେ ରହିପାରି ନ ଥିଲା, ତା’ର ଶେଷ କାମନାକୁ ସାର୍ଥକ କରି, ତା’ର ଭସ୍ମପାତ୍ର ସେହି ନାରୀଟିର ହାତରେ ଆଞ୍ଜୁଳି ଭିତରେ ସତେକି ଜୀବଦାନ ପାଇଁ ଉଠିଲା । ଚୁଡ଼ିବାଲୀ ନାରୀଟି ଶିହରି ଉଠି ଦେଖିଲା….ସେହି ସାମରିକ ପୋଷାକପିନ୍ଧା ବିଶାଳଦେହ ଯୁବକଟି ତାକୁ ବାନ୍ଧି ରଖିଚି ଏକ ଶେଷହୀନ ଆଲିଙ୍ଗନରେ ।

 

ତା’ର ମଥା ଝାଙ୍କି ଖୁବ୍ ଜୋରରେ ତଳେ ପଡ଼ି ଯାଉ ଯାଉ, ସେ ଅଟକି ଗଲା-ସୁରେନ୍ଦ୍ରର ହାତରେ ।

Image

 

ଧୂସର ଆକାଶ

 

ଖାଇବା ଘରୁ ଲିନା ପାଟିକରି ଉଠିଲା, ବୋଉ ଲୋ, ଭାଇ ଅଧାଖିଆରୁ ଉଠିଗଲେ । (ବିକାଶର ଖାଇବା ତା’ ପରିବାରରେ ଏମିତି ଏକ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିଚି ବୋଲି ତା’ର ଛୋଟ ଭାଇ ଭଉଣୀ ସବୁ ଜାଣି ସାରିଥିଲେ । ତେଣୁ ତା ଖାଇବାରେ ଟିକେ ବ୍ୟତିକ୍ରମ ଦେଖିଲେ ସମସ୍ତେ ବୋଉ ଆଗରେ ସାଙ୍ଗେ ସାଙ୍ଗେ କହିଦବାକୁ ଆଦୌ ଭୁଲିଯାଉ ନ ଥିଲେ ।)

 

ସୌଦାମିନୀ ସେତେବେଳେ ରୋଷେଇ ଘରେ କି ଏକ ସଫେଇ କାର୍ଯ୍ୟରେ ବ୍ୟସ୍ତ ଥିଲେ । ଲୀନାର ପାଟି ଶୁଣି ଛାଞ୍ଚୁଣି ମୁଠାଏ ଫୋପାଡ଼ି ଦେଇ ତର ତର ହୋଇ ଆସି ଦେଖନ୍ତି ତ କଥାଟା ପୂରା ସତ । ଅଧାଖିଆରୁ ଉଠିଯାଇଚି ବିକାଶ । ଅଧେ ଭାତ ବି ଖାଇନାହିଁ ।

 

ସୌଦାମିନୀ ବିସ୍ଫାରିତ ଆଖିରେ ସେହି ଅଇଁଠା ଥାଳିଟାକୁ ହିଁ ଚାହିଁ ରହିଥିଲେ । ସତେ କି ତାଙ୍କର ଆୟାସଲବ୍‌ଧ କିଛି ଏକ ପ୍ରାପ୍ତି ନିମିଷକେ ହରାଇ ବସିଚନ୍ତି । ସକାଳୁ କପେ ଚା ଛଡ଼ା କିଛି ଖାଇ ନ ଥିଲା ବିକାଶ । ସେଥିପାଇଁ ସେ କେତେ ଯତ୍ନରେ ଆଳୁ ପୋଟଳ ରସା, କୋଶଳାଶାଗ, ସନ୍ତୁଳା, ଭେଣ୍ଡି ଖଟା ଓ କଦଳୀ ଚପ୍ କରି ବିକାଶର ମନଲାଖି ବ୍ୟଞ୍ଜନ କରିପାରିଚନ୍ତି ବୋଲି ମନେ ମନେ ଖୁସି ହେଉଥିଲେ । ମାତ୍ର ନାଁ, ସେ ସବୁ ଭୁଲ୍, ଏ ସମସ୍ତର ସଂଯୋଗରେ ବିକାଶ ତା’ର ଖାଇବା ଖାଇପାରି ନାହିଁ । ଏ ଚାରିଟି ଥାଳିଆ ପାଖରେ ଆଉ ଏକ ଥାଳିଆର ଅଭାବ ଅନୁଭବ କରି ସେ ଅଧାଖିଆରୁ ଉଠିଯାଇଚି ।

 

ସୌଦାମିନୀ କ’ଣ ଜାଣନ୍ତି ନାହିଁ ସେହି ଥାଳିଆଟା ହେଉଚି ମାଛ ତରକାରୀର… ? ଏବଂ କେଡ଼େ ମାଛପ୍ରିୟ ବିକାଶ ?

 

ସୌଦାମିନୀ ଏକ ଅସ୍ଥିର ବ୍ୟସ୍ତତାରେ ବିକାଶ କୋଠରୀକୁ ଧାଇଁଗଲେ । ବିକାଶ ସେତେବେଳକୁ ପ୍ୟାଣ୍ଟ୍ ସାଟ୍ ପିନ୍ଧିସାରି ଜୋତାର ଫିତା ବାନ୍ଧୁଥିଲା । ସୌଦାମିନୀ ତାକୁ ଲକ୍ଷ୍ୟ କରି କହିଲେ ଜମା ତ୍ ଖାଇଲୁ ନାହିଁ ରେ ! ମାଛ ଆଜି ମିଳିଲା ନାହିଁ । କ’ଣ କରିଥାନ୍ତି କହିଲୁ ?

 

ବିକାଶ ଏଥର ମୁହଁ ଉଠାଇ ଚାହିଁ କହିଲା, ନାହିଁ ବୋଉ, ମାଛ ହେଲାନି ବୋଲି କ’ଣ ମୁଁ ଖାଇଲି ନାହିଁ ? ଆଜି କାହିଁ କି ଭୋକ ନାହିଁ, ତୁ ଏଥିପାଇଁ ଏତେ ବ୍ୟସ୍ତ ହେଉଚୁ କାହିଁକି ?

 

(ସେ ଏତେ ବ୍ୟସ୍ତ ହେଇଚନ୍ତି କାହିଁକି ? ସତେ ତ, କିମିତି ଜାଣନ୍ତେ ଏହାର ଏକ ନିର୍ଦ୍ଦିଷ୍ଟ ଅର୍ଥ ! ଆଉ ବିକାଶ ଜାଣିବ କିମିତି ?)

 

ବିକାଶ ସାଇକେଲ କାଢ଼ି କଲେଜ ଯିବାକୁ ଉଦ୍ୟତ ହେଲା । ତା’ ପଛରେ କହି କହି ଦାଣ୍ଡଦ୍ଵାର ପର୍ଯ୍ୟନ୍ତ ଗଲେ ସୌଦମିନୀ, “ଆଜି ଚାରିଟା କେବଳ କୁଆଡ଼େ ଯିବୁନି, ସିଧା ଘରକୁ ଆସିବୁ, ହେଲା ? ମୁଁ ଯେମିତି ହେଲେ ଅଣ୍ଡା ବା ମାଂସ ମଗାଇ ଜଳଖିଆ କରି ରଖିଥିବି, ନିଶ୍ଚୟ ଆସିବୁ, ହେଲା ?”

 

ବିକାଶ ଯାଉ ଯାଉ କହିଲା, ହଁ, ହଁ, ନିଶ୍ଚୟ ଆସିବି, ତୁ ବ୍ୟସ୍ତ ହେବୁ ନାହିଁ । ତା’ ପରେ ସେ ସାଇକେଲରେ ଉଠି ଚାଲିଗଲା ।

 

ସେ ଚାଲିଗଲା ପରେ ସୌଦାମିନୀ ଘରକୁ ଆସିଲେ । ରୀନା, ଲୀନା ଓ ମଣ୍ଟୁକୁ ଖାଇବାକୁ ଦେଲେ । ସେମାନେ ଖାଇ ସ୍କୁଲକୁ ଚାଲିଗଲେ । ଘର ହେଲା ନିର୍ଜନ । ସୌଦାମିନୀ ଏଥର ତାଙ୍କ କାମରେ ଲାଗିଗଲେ । ବାସନକୁସନ ସବୁ ମଜାମଜି ସରିଲା । ଘରଦ୍ୱାର ଧୁଆଧୋଇ ସରିଲା । ତା’ ପରେ ଆହୁରି ଥରେ ସେ ସ୍ନାନ କରିବାକୁ ଗଲେ । ତା’ ପରେ ଅଧଘଣ୍ଟାଏ ଠାକୁର ଘରେ ପୂଜାପୂଜି ଓ ଗୀତାପାଠ । କିଛି ଅଶ୍ରୁଳ ଗାମ୍ଭୀର୍ଯ୍ୟ ଓ ଆକୁଳ ମିନତି ।

 

ଏମିତି ସବୁଦିନର ସେହି ଗତାନୁଗତିକ ନିତ୍ୟକର୍ମ ଶେଷ ହେଲା । ଭାତ ଆଣି ଖାଇ ବସିଲେ ସୌଦମିନୀ । ଖାଇସାରି ପାନଡ଼ାଲା ଆଣି ପାନ ଭାଙ୍ଗି ବସିଲେ । ଖଣ୍ଡେ ପାନ କଳରେ ଜାକି ବିଶ୍ରାମ କରିବାକୁ ସେ ଖଟ ଉପରକୁ ଗଲେ । କିନ୍ତୁ କି ଏକ ଅବ୍ୟକ୍ତ ଅସ୍ଵସ୍ତି ତାଙ୍କୁ ବିଶ୍ରାମ ଦେଇ ପାରିଲା ନାହିଁ । ସେ ବ୍ୟସ୍ତ ହୋଇ ସେ ଘରୁ ଏଘର ହୋଇ ବିକାଶ କୋଠରୀରେ ପଶିଲେ-। କିଛି ସମୟ ଠିଆ ହୋଇ ବିକାଶ ଖଟ ଉପରେ ବିଶ୍ରାମ ନେବାର ଚେଷ୍ଟା କଲେ । ମାତ୍ର ନାଁ–ଗୋଡ଼େଇ ଗୋଡ଼େଇ ସେହି ଅସ୍ଵସ୍ତି ତାଙ୍କ ପଛରେ ଧାଇଁଚି । କ’ଣ ହେଲା ? ଖୋଜିହେଲା ପରି ସେ ନିଜକୁ ପ୍ରଶ୍ନ କଲେ । କାହାଠୁ କ’ଣ ବା’ ସେ ଛଡ଼େଇ ଆଣିଲେ ? କାହାକୁ କ’ଣ ବା ଦେଇ ଦେଲେ ? କ’ଣ ବା ତାଙ୍କର ହଜିଗଲା ? ରହି ରହି ମନ ଭିତରେ କି ଏକ ବ୍ୟଥା, ଏମିତି ନିଦାରୁଣ ଦଂଶନ କରୁଚି କାହିଁକି ?

 

ଛୋଟ ଗୋଟିଏ ନିଆଁର ଝୁଲ । ଜ୍ଵଳନ୍ତ ଅଗ୍ନି ଉତ୍ପାତ ପରି ସେ କିଛି ଭସ୍ମ କରି ଦେଉ ନାହିଁ । ରହି ରହି ଖୁବ୍ ତୀକ୍ଷଣ, ଅଥଚ ଛଟପଟ କରାଉଛି । ସ୍ପଷ୍ଟ ଭାବରେ, ସେ ତା’ର ଦହନ କ୍ରିୟା ଆରମ୍ଭ କରି ଦେଇଚି । ଚେଙ୍ଗି ଦେଉଚି ।

 

ଏ ଅସ୍ଥିରତା କାହିଁକି ? ଏ ରୁଦ୍ଧ ଦହନ ମଧ୍ୟ କେଉଁଥିପାଇଁ ?

 

ବିକାଶ ଖାଇଲାନି, ଏଇ କ’ଣ ତାର ଏକ ସ୍ପଷ୍ଟ ଓ ନିର୍ଦ୍ଦିଷ୍ଟ କାରଣ ? କେବଳ ଏଇଥିପାଇଁ ତାଙ୍କର ଏତେ ଗୋପନ-ଅନ୍ତର୍ଦାହ ? ଏହା ପଛରେ ଆହୁରି କିଛି ଯୋଡ଼ାଯୋଡ଼ି ଇତିହାସ ନାହିଁ ? ମନା କଲେ ବି ଯେଉଁ ଇତିହାସ, ଏକ ବିରାଟ କ୍ୟୁ ପରି ତାଙ୍କର ମନର ଦୁଆରରେ ବିକ୍ଷୋଭ ପ୍ରଦର୍ଶନ କରି ବସିବ, ତାଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ବାଢ଼ି ବସିବ, ସେ ସବୁ କିଛି ନାହିଁ ?

 

ବିକାଶ ଖାଇଲା ନି ବୋଲି ମନ ଖରାପ କରିବା ଅସ୍ୱାଭାବିକ ନୁହେଁ । ଅବାନ୍ତର ମଧ୍ୟ ନୁହେଁ । ମାଆ ସେ, ଜନ୍ମଦାତ୍ରୀ । ସେମିତି ବି ମନ ଦୁଃଖ କରନ୍ତି, ପ୍ରକାଶ, ପ୍ରଭାସ ନ ଖାଇଲେ, ରୀନା, ଲୀନା, ମଣ୍ଟୁ ନ ଖାଇଲେ । ମାତ୍ର ବିକାଶ ପ୍ରତି ମନସ୍ତାପ ଓ ଅନ୍ୟ ପିଲାଙ୍କ ପାଇଁ ମନସ୍ତାପରେ ପ୍ରଭେଦ ନାହିଁ ? ଅନେକ, ଅନେକ, ତଫାତ୍ । ଏକଥା ସେ ଛାତିରେ ହାତ ଦେଇ କହିପାରିବେ ।

 

ସୌଦାମିନୀ ସେମିତି ଶୋଇ ରହି ଛାତର କଡ଼ି ଓ ବରଗାଗୁଡ଼ିକୁ ଚାହିଁ ରହିଥିଲେ । ମନ ଭିତରେ ଅଚାନକ ସେହି କ୍ଷୁଦ୍ର ଅଗ୍ନି କଣାର ବିତ୍ପାତ ଆରମ୍ଭ ହେଲେ ଆଉ ସାରା ଦିନ ପରିତୃପ୍ତର ସତ୍ତା ପାଇବା ଦୁରାଶା ମାତ୍ର । ଏମିତି ନିର୍ଜନ ଅବକାଶ ଭିତରେ କେଜାଣି କାହିଁକି ସେହି ଲୀଳା ଆରମ୍ଭ ହୁଏ । ଯେଉଁ ଭାବନାଗୁଡ଼ିକୁ ଦୁର୍ଭାବନା ଆଖ୍ୟା ଦେଇ ସାରା ଦିନ ସେ “ଦୂର ଦୂର ମାର ମାର” କରି ଘଉଡ଼ାଇ ଘଉଡ଼ାଇ ରଖିଥାନ୍ତି ସେହି ଭାବନାଗୁଡ଼ିକୁ ସତେ ଯେମିତି ଖୋଜି ଖୋଜି ଏହି ନିର୍ଜନ ଅବକାଶ ଭିତରେ ମନ ଭିତରେ ସାଉଁଟି ରଖିବାକୁ ସେ ସୁଖ ପାଆନ୍ତି ।

 

ସୌଦାମିନୀ ସେମିତି ଶୂନ୍ୟ ଦୃଷ୍ଟିରେ ଛାତକୁ ଚାହିଁ ରହିଥିଲେ । ମାତ୍ର ତାଙ୍କର ପ୍ରକୃତ ଗଭୀର ଦୃଷ୍ଟି ଯେମିତି ତନ୍ନ ତନ୍ନ ହୋଇ ଘୁରୁଥିଲା, ତାଙ୍କ ମନର ବିଶାଳ ଉପତ୍ୟକାର ବାରବାର ମଥାପିଟୁ ଥିବା ସେହି ଉତ୍‍ଥାଳ ଜଳ-ତରଙ୍ଗର ପ୍ରତି ରେଣୁ ରେଣୁରେ ।

 

ତା’ପରେ ଏକ ଉନ୍ମୋଚନ, ଅଧ୍ୟୟନ ଏବଂ ପରିଶେଷରେ ଆତ୍ମଜ୍ଵଳନ ସହ ଅଶ୍ରୁ ବିସର୍ଜନ ! ନିରୁପାୟ ଅସ୍ଥିରତା…

 

ବିକାଶ ତାଙ୍କର ବଡ଼ ପୁଅ । ତାଙ୍କ ନାରୀ ଜୀବନର ପ୍ରଥମ ସ୍ୱପ୍ନ । ପ୍ରଥମ ପୁଲକ, ପ୍ରଥମ ସାର୍ଥକତା । ତାଙ୍କ କୋଳ ମଣ୍ଡନ କରି ସେ ତାଙ୍କୁ ଅନାସ୍ୱାଦିତ ମାତୃତ୍ଵ ପ୍ରଦାନ କରିଥିଲା । ଶିଶୁ ସନ୍ତାନର ମୁଖକୁ ଚାହିଁ, ହସକୁ ଚାହିଁ, କେମିତି ଅଭିଭୂତ ହେବାକୁ ହୁଏ ସେ କଥା ପ୍ରଥମ ଶିଖାଇଥିଲା ବିକାଶ । ତେଣୁ ପ୍ରଥମ ସନ୍ତାନ ଭାବରେ, ସେ ଅନ୍ତ-ଚିପୁଡ଼ି ସମସ୍ତ ସୋହାଗ ରସକୁ ନିଃଶେଷି ନେଉଥିଲା । ସେ ବସିଲେ, ଉଠିଲେ ଖେଳିଲେ, ସବୁବେଳେ ଛାଇପରି ରହୁଥିଲେ ମା’ । ବିକାଶର ହସରେ ସୂର୍ଯ୍ୟୋଦୟର ଦୃଶ୍ୟ ଦେଖନ୍ତି ସେ । ଚାହାଣିରେ ତା’ର ଫୁଟିଲା-ପଦ୍ମର ଢଳଢ଼ଳ ଛବି ତାଙ୍କୁ ଆତ୍ମହରା କରାଏ । ସୌଦାମିନୀ ତନ୍ମୟ ହୁଅନ୍ତି । ଚୁମ୍ବନ ପରେ ଚୁମ୍ବନ ଦେଇ ବିକାଶ ଭିତରେ ନିଜକୁ ହରାଇ ବସନ୍ତି । ତାଙ୍କର ମନେ ହୁଏ ବିକାଶ ଭାରି ବିରାଟ, ଭାରି ବିଶାଳ । ଏତେ ଆବେଗ, ଏତେ ଆକୁଳତା ଦେଇ ଛାତିରେ ଜାକି ଧରିଲେ ବି ଯେମିତି ଆହୁରି ବିକାଶ ବାକି ରହି ଯାଉଛି ।

 

ବିକାଶ ଯେ କେବଳ ସୌଦାମିନୀଙ୍କ ରଙ୍କନିଧି ଓ କୋଳ-କନ୍ଦୁକ ହୋଇ ରହିଥିଲା, ଏମିତି ନୁହେଁ । ତା’ ବାପାଙ୍କର ସେ ଥିଲା ଏକ ପ୍ରକାଣ୍ଡ ସ୍ୱପ୍ନ । ବିଶାଳ ପରିକଳ୍ପନା । ସୌଦାମିନୀ ବିକାଶର ହସ-କୌତୁକରେ ଯେତିକି ମୁଗ୍‌ଧ ହୋଇ ଦିନ ବିତାନ୍ତି, ସ୍ୱାମୀ ତାଙ୍କର ବିକାଶକୁ ନେଇ ସେତିକି ଯୋଜନା ପ୍ରସ୍ତୁତ କରନ୍ତି । ତେଣୁ ଏହି ପିଲାବେଳୁ, ବିକାଶର ଲାଳନପାଳନରେ ଅଭିନବତ୍ଵ ଜାଗି ଉଠେ । ତା’ରି ଖାଇବା ପିଇବା, ପୋଷାକ-ପରିଚ୍ଛଦ ସବୁଥିରେ ଏହି ଅଭିନବତ୍ଵ-ତାଙ୍କୁ ତାଙ୍କ ପରିବାରରେ ପୃଥକ ଭାବେ ସଜାଡ଼ି ରଖେ । ତା’ପାଇଁ ସବୁ ଦାମୀ ପୋଷାକ, ଦାମୀ ଖାଦ୍ୟ, କେଉଁଥିରେ ତାର ବାପା ତ୍ରୁଟି ରଖନ୍ତି ନାହିଁ । ଆଉ ସୌଦାମିନୀ, ତାଙ୍କରି ସେହି ଅତୁଳ ସ୍ନେହ ଦାନରେ କ’ଣ ତ୍ରୁଟି ରଖି ପାରନ୍ତେ ? ବରଂ ଏ ଦାନ ନିବିଡ଼ରୁ ନିବିଡ଼ ତମ ଓ ରସାଳରୁ ରସ-ପ୍ରଗାଢ଼ ହୋଇ ତାଙ୍କୁ ବେଶୀ ବିମୋହିତ କରେ ।

 

ମାତ୍ର ବିକାଶକୁ ନେଇ ସୌଦାମିନୀଙ୍କର ସେହି ଏକକ ତନ୍ମୟିତ ସ୍ୱପ୍ନ…ଦୀର୍ଘଜୀବୀ ହୋଇ ପାରିଲାନି । ସେ ସ୍ୱପ୍ନ ଭାଗ ଭାଗ ହୋଇଗଲା । ଏକାଗ୍ରତା ଭାଙ୍ଗିଗଲା । ମନ ଚହଲି ଗଲା-। ସୌଦାମିନୀ ଦେଖିଲେ, ବୁଝିଲେ, ବିକାଶକୁ ଚାରି ବର୍ଷ ପରେ । କ୍ରମେ ଦେଢ଼ ବର୍ଷ ଅନ୍ତରରେ ଭଗବାନ ତାଙ୍କୁ ଆହୁରି ପାଞ୍ଚଟି ସନ୍ତାନ ଦାନ କରି ସାରିଲେଣି । ସୌଦାମିନୀଙ୍କର ମନେହୁଏ, ଏଇ ପାଞ୍ଚଟା ଛୁଆଙ୍କ ଜଞ୍ଜାଳରେ ସାରୁଚନ୍ତି ବୋଲି ବିକାଶ ଯେମିତି କହୁଚି, ବୋଉ, ତୁ ମତେ ଆଉ ଭଲ ପାଉନୁ, ଗେଲ କରୁନୁ, ପାଖରେ ଶୁଆଉନୁ… । ମୁଁ ତୋ ପାଖେ ଶୋଇବି ବୋଉ, ତୋ କୋଳରେ ।

 

ସୌଦାମିନୀ ଆଖି ବୁଜି ନୀରବ ରହିଯାନ୍ତି । ସ୍ଵାମୀଙ୍କ ପାଖେ ଶୋଇଥିବା ବିକାଶର ସେହି ନୀରବ ମୁଖରେ ଚୁମ୍ବନ ପରେ ଚୁମ୍ବନ ଅଜାଡ଼ି ଦିଅନ୍ତି । ତାପରେ ଫେରି ଆସନ୍ତି । ସେଇ ଛୋଟ ଛୋଟ କାନ୍ଦରା ଛୁଆଙ୍କ ଗହଳିକୁ । ବିକାଶର ବାପା କିନ୍ତୁ ସୌଦାମିନୀଙ୍କ ପରି ଏତେ ବିଚଳିତ ମନରେ ରହିପାରନ୍ତି ନାହିଁ । ବିକାଶକୁ ନେଇ ତାଙ୍କର ପରିକଳ୍ପନା ଯାହା ଥିଲା, ତାକୁ ସେ ଆହୁରି ଉଜ୍ଜ୍ୱଳ କରିବାକୁ ଚେଷ୍ଟା କରନ୍ତି । ବିକାଶ କେମିତି ସର୍ବୋଚ୍ଚ ଶିକ୍ଷା ପାଇବ, ବିଦେଶରୁ ନାଁ କରି ଫେରିବ, ଏହି ଆଶାରେ, ଆଉ ପାଞ୍ଚଟା ଛୁଆଙ୍କୁ ଉପେକ୍ଷା କରି, ବିକାଶର ଶିକ୍ଷାର ମୂଳଦୁଆକୁ ଉନ୍ନତ, ଶକ୍ତି କରିବାର ସମସ୍ତ ଚେଷ୍ଠାରେ ସେ ନିଜକୁ ବୁଡ଼ାଇ ରଖନ୍ତି । ବିକାଶ ମଧ୍ୟ ବାପାଙ୍କ ପ୍ରେରଣା ଓ ଯତ୍ନରେ, ତା’ର କୃତିତ୍ୱ ଦେଖାଇ ଚାଲେ । କ୍ଲାସରେ ଫାଷ୍ଟ ହୁଏ । ତାର ବାପା, ବିକାଶ ପାଠପଢ଼ାର ଭଲ ଲକ୍ଷଣ ଦେଖି, ତାଙ୍କର ପରିକଳ୍ପନାକୁ ଆହୁରି ପରିବର୍ଦ୍ଧିତ କରନ୍ତି । ଅନ୍ୟାୟ ଭାବେ ବିକାଶକୁ ଅନ୍ୟ ପାଞ୍ଚଟା ପିଲାଠାରୁ ପୃଥକ କରି ରଖନ୍ତି, ଖାଦ୍ୟରେ, ବସ୍ତ୍ରରେ, ସ୍ନେହରେ । ଅନ୍ୟାୟ ବୋଲି ଭାବିଲେ ମଧ୍ୟ ଯେମିତି ବିକାଶକୁ ସେ ସାଧାରଣ ସ୍ତରକୁ ଖସାଇ ଆଣି ପାରନ୍ତି ନାହିଁ ।

 

କିନ୍ତୁ ଅକସ୍ମାତ…ସେଦିନ । ଓଃ, ସେ କି ଭୟାନକ ଦିନ, ତାଠାରୁ ବଳି ଆହୁରି ଦୁର୍ଦ୍ଦିନ କ’ଣ ଥାଇପାରେ ନାରୀ ଜୀବନରେ ? ଅଚାନକ, ବିନା ବତାସରେ, ତାଙ୍କ ସଂସାରଦୀପ ଲିଭିଗଲା-। ଜୀବନ ହୋଇଗଲା ଗାଢ଼ ଅନ୍ଧକାର । ସେହି ଅନ୍ଧାର ଭିତରେ ଛ’ଟା ପିଲାଙ୍କୁ ସାଉଁଟି ଧରିବାକୁ ବିକଳ ହୋଇ ସୌଦାମିନୀ ହାତ ବଢ଼ାଇଲେ; କିନ୍ତୁ ତାଙ୍କ ହାତଟାକୁ ବିକାଶ ମୁଠେଇ ଧରିଚି, ତାର ସବୁ ଶକ୍ତି ଦେଇ । ତେର ବର୍ଷର ପୁଅ ବିକାଶ । ତାର ଛୋଟ ବାହୁ ବଢ଼ାଇ ମାଆକୁ ଆଶ୍ଳେଷି ରଖୁଛି ।

 

ବିକାଶ ହାତର ସେହି ଦୁର୍ବଳ ବନ୍ଧନରେ ସୌଦାମିନୀ କାନ୍ଦିପାରି ନ ଥିଲେ । ଆଶ୍ଵସ୍ତ ବି ହୋଇ ପାରୁ ନ ଥିଲେ । ସମ୍ମୁଖରେ ପ୍ରଚଣ୍ଡ ହୋଇ, ଠିଆ ହୋଇଥିଲା ବଞ୍ଚି ରହିବାର ଆହ୍ଵାନ । ଛ’ଟି ପିଲାଙ୍କୁ ବଞ୍ଚାଇ ରଖିବାର ନିର୍ମମ ଦାବିର ଆହ୍ଵାନ । ନିଜର କିଛି ଶିକ୍ଷା ନ ଥିଲା, କିଛି ଏକ ଚାକିରୀ କରିବା ପାଇଁ । ସ୍ୱାମୀଙ୍କର ଯାହା ସଞ୍ଚିତ ଓ ଇନ୍‌ସୁରେନସ ଥିଲା ତାହା ନିକଟଲଭ୍ୟ ନ ହେଲେ ମଧ୍ୟ ଅତି କ୍ଷୁଦ୍ର । ଟଙ୍କା କେଇ ହଜାର ମାତ୍ର । ସେଥିରେ କ’ଣ ଛ’ଟା ପିଲା ମଣିଷ ହୁଅନ୍ତି ! ଗାଁ କଣ ସେ ଜାଣନ୍ତି ନାହିଁ କିମ୍ବା ଭୂସମ୍ପତ୍ତି ମଧ୍ୟ ତାଙ୍କର କିଛି ନାହିଁ ।

 

ଏହିଭଳି ଅବସ୍ଥାରେ ପାଖରେ ଠିଆ ହୋଇ ଭାଇ ପିଠି ଆଉଁସି କହିଥିଲେ, ମୁଁ ବଞ୍ଚିଥିଲା ଯାଏଁ ତୋ ପିଲାଙ୍କର ହଇରାଣ ଦେଖିବି ନାହିଁ । ମୋ ଘରେ ଶାଗ ଭାତ ଖାଇଲେ ବି ସେମାନେ ମାମୁଁ ପାଖରେ ରହିବେ । ଦାଣ୍ଡକୁ ସୁନ୍ଦର, ତତେ ସୁନ୍ଦର ।

 

ଭାସିଗଲା ବେଳେ କୁଟା ଖିଅଟିକୁ ଆଶ୍ରା କଲାଭଳି ସୌଦାମିନୀ ଆଶ୍ଵସ୍ତ ହୋଇଥିଲେ-। ଭାଇଙ୍କ ସଂସାରରେ ନିଜର ଭଙ୍ଗାସଂସାରକୁ ମିଶାଇ ଦେଇଥିଲେ । ଭାଇଙ୍କ ଅବସ୍ଥା ମଧ୍ୟ ସ୍ୱଚ୍ଛଳ ନୁହେଁ । ସାମାନ୍ୟ ଜଣେ ହେଡ଼କ୍ଲର୍କ ସେ । ପୁରୀରେ ଚାଳଘର ଖଣ୍ଡିଏ କରି ଅନ୍ତତଃ ଘରଭଡ଼ା ଦେବାର ଦୁଃଖକୁ ମୁକ୍ତି ପାଇଚନ୍ତି । ଚାରୋଟି ପିଲା ନେଇ, ଦୁଃଖ ସୁଖର ସଂସାର ତାଙ୍କର । ତାଙ୍କର ସଂସାରରେ, ତାଙ୍କର ଛ’ଟା ପିଲାଙ୍କୁ ସେ ଭର୍ତ୍ତି କରିଦେଲେ । ସବୁ କେମିତି ଅକଡ଼ିଆ, ଅକଡ଼ିଆ ହୋଇଗଲା । ତାଙ୍କର ଇଚ୍ଛା ହେଲା ଭାଇଙ୍କୁ ପଚାରନ୍ତେ, ଏହା ଦାଣ୍ଡକୁ ସୁନ୍ଦର, ମତେ ସୁନ୍ଦର, ମାତ୍ର ତମର ଅନାଟନକୁ ? ଆର୍ଥିକ ଅବସ୍ଥାକୁ, କହ ଭାଇ, ସୁନ୍ଦର ? ସୁନ୍ଦର ତ-?

 

ଭାଇଙ୍କର ସ୍ୱଳ୍ପ ଆୟ । ସେଥିରେ ଦଶଟି ଛୁଆ ସମେତ ତେର ଚଉଦ ପ୍ରାଣୀ କୁଟୁମ୍ବ । ତେଣୁ ଖୁବ୍ ସଯତ୍ନ ଓ କଠୋର ଭାବରେ ଖର୍ଚ୍ଚ କରାଯାଏ ଏବଂ ସେହି ଆୟକୁ ଚାହିଁ ମାମୁଲି ଧରଣର ଖାଦ୍ୟ ବ୍ୟବସ୍ଥା । ସାଧାରଣ, ଭାତ ତରକାରୀ । ସୌଦାମିନୀ ଏସବୁ ଦେଖନ୍ତି । ଶାଗ ଭାତ ଖାଇ ପିଲାଏ ତାଙ୍କର ବଢ଼ୁଚନ୍ତି । ସ୍ୱାମୀ ତାଙ୍କର ଏକ କମ୍ପାନୀରେ ଜଣେ ଅଫିସର ଥିଲେ । ଉଚ୍ଚ ବେତନ ପାଉଥିଲେ । ସାଧାରଣ ଖର୍ଚ୍ଚ ଅନ୍ୟମାନଙ୍କ ପାଇଁ ହେଲେ ବି ବିକାଶ ପାଇଁ କେତେ ଖର୍ଚ୍ଚ ହେଉଥିଲା ! ବିକାଶ କେତେ ଉଚ୍ଚ ସ୍ତରରେ ଥିଲା । ବେଶ, ପୋଷାକ, ପରିପାଟୀ । ଦୁଇ ଦୁଇଟା ଟିଉସନ ମାଷ୍ଟର । ଭାଇଙ୍କ ସଂସାରରେ ପିଲାଙ୍କର ଏହି ଅବସ୍ଥା । ବିଶେଷ କରି ବିକାଶକୁ ଚାହିଁଲାବେଳକୁ ସୌଦାମିନୀ ମୂକ ନିର୍ବାକ୍ ହୋଇ ଯାଆନ୍ତି । ତାଙ୍କର ମନେହୁଏ ସେ ଯେମିତି ଅନ୍ଧ ହୋଇ ଯାଇଚନ୍ତି । କିଛି ଦେଖି ପାରୁ ନାହାନ୍ତି, କିଛି ଜାଣିପାରୁ ନାହାନ୍ତି । ବିକାଶକୁ ଚାହିଁଲାବେଳକୁ ସେ ନିଜକୁ ନିସ୍ପନ୍ଦ ଓ ନିଷ୍ପ୍ରାଣ କରି ରଖିବାକୁ ଚେଷ୍ଟା କରନ୍ତି । ଏମିତି ଅସ୍ଵସ୍ତିରେ ତାଙ୍କର ରାତି ପାହେ, ଦିନ ଯାଏ । ସୌଦାମିନୀ ଭୁଲି ଯିବାକୁ ଚେଷ୍ଟା କରନ୍ତି, ଏକଦା ତାଙ୍କର ସ୍ୱାମୀ ଥିଲେ । ସେ ଏକ ଐଶ୍ୱର୍ଯ୍ୟମୟ ସଂସାରରେ ତାଙ୍କୁ ବାନ୍ଧି ରଖିଥିଲେ । ସୌଦାମିନୀ ଦମ୍ଭ ଧରନ୍ତି, ସେ ସବୁ ଭୁଲି ଯିବେ । ସେ ସବୁକୁ ମନେପକେଇବାକୁ ଏତେ ଟିକେ ଦୁର୍ବଳତା ବି ସେ ରଖିବେ ନାହିଁ । ତାଙ୍କ ପାଇଁ ଅତୀତ ମିଥ୍ୟା; ସତ୍ୟ ଆଜିର ଏହି ଅବସ୍ଥିତ । ଏହି ଜ୍ଵଳନ । ସେହି ଲହ ଲହ ନିଆଁକୁ ଆଲିଙ୍ଗନ କରି ସେ କହିବେ, ପୋଡ଼ି ଯା, ପୋଡ଼ି ଯା, ମୁଁ ଯେ ପଥର ହୋଇ ଯାଇଚି, ପଥର !!

 

କିନ୍ତୁ ଏଇ ଶପଥ, ଏହି ଦାରୁଣ ଦମ୍ଭୋକ୍ତିର ମୂଲ୍ୟ କେତେ ? ଦାୟିତ୍ୱ କେତେ ? ମୁହୂର୍ତ୍ତକର ଭାବପ୍ରବଣତା । ବେଦନାର ଗହୀରତାରୁ ତା’ର ଉତ୍ପତ୍ତି । ସେ ରହେ କିଛି ସମୟ ମନକୁ, କର୍ମକୁ ଆବୃତ୍ତ କରି, କେଉଁଠି ଟିକେ ଫାଙ୍କ ଦେଖିଲେ, ବିନ୍ଦୁଟିଏ ପରି ରନ୍ଧ୍ର ରହିଗଲେ, ଧାଇଁଆସେ ସେହି ଦୁର୍ବଳତା-ମନ୍ଥନ କରିବାକୁ ତାଙ୍କର ମନସମୁଦ୍ରକୁ-ଖିନଭିନ୍ କରିବାକୁ, ତାଙ୍କର ସବୁ ଧୈର୍ଯ୍ୟ, ଧାରଣାକୁ ।

 

ଭାଇଙ୍କ ସଂସାରର ସବୁ ଦାୟିତ୍ୱ ସେ ନେଇଥିଲେ । ଚାକରାଣୀକୁ ବହିଷ୍କାର କରି ନିଜେ ବାସନମଜା, ପାଣିକଢ଼ା, ଗୁହାଳ ପୋଛାଠାରୁ ଆରମ୍ଭ କରି ରୋଷେଇବାସ ଓ ପିଲା ଜଞ୍ଜାଳ ପର୍ଯ୍ୟନ୍ତ କଳ ପରି ସବୁ କରି ଯାଉଥିଲେ । ସତେ କି ନିଶାରେ ସେ ସବୁ କରିଯାଉଚନ୍ତି ଏବଂ ଏହାଦ୍ୱାରା ଭାଇଙ୍କ ଋଣ କିଞ୍ଚିତ ପରିଶୋଧ ହେବ । ଏଇ ଭାବନାର ଦୋଦୁଲ୍ୟମାନ ଅବସ୍ଥାରେ ସୌଦାମିନୀ ଭାଉଜଙ୍କୁ ରାଣୀ କରି ବସାଇ ନିଜେ ସବୁ କରିଯାନ୍ତି । ଖାଇଲାବେଳେ ସବୁ ପିଲାଏ ଧାଡ଼ି ହୋଇ ବସନ୍ତି । ବିକାଶ ଭାରି ମାଛପ୍ରିୟ । ମାଛ ଟିକିଏ ହେଲେ ସେ ସ୍ୱସ୍ତିରେ ଗଣ୍ଡିଏ ଖାଇଦିଏ । ବିଶେଷ କରି ପେଟ ମାଛର ଭଜା ଖାଇବାକୁ ତାର ଅସମ୍ଭବ ଲୋଭ । ସ୍ୱାମୀ ଥିଲାବେଳେ କେତେବା ସେ ନ ଖାଇଚି; କିନ୍ତୁ ସେଇ ମାଛ ତରକାରୀ ଦେଖିଲେ, ପେଟ ମାଛର ଭଜା ଦେଖିଲେ, ସୌଦାମିନୀ ସ୍ଥିରହୋଇ ରହିଯା’ନ୍ତି । ତାଙ୍କର ମନେହୁଏ ତାଙ୍କର ଧୈର୍ଯ୍ୟ ନିଷ୍ଠା ସବୁ ଭୁଷୁଡ଼ି ପଡ଼ିଚି, ସେ ଦୁର୍ବଳ ହୋଇଚନ୍ତି; ଏକାନ୍ତ ଦୁର୍ବଳ । କି ଏକ ଭବନାରେ ଉନ୍ମତ୍ତ ହୋଇ ବାଛି ପେଟ ମାଛର ଭଜାତକ ଧରି ସେ ବିକାଶ ପାଖକୁ ଚାଲି ଆସନ୍ତି । ମାତ୍ର ତାକୁ ଦେଲାବେଳକୁ ତାଙ୍କ ହାତ ଯେମିତି କୋଲ ମାରିଯାଏ, ଗୋଡ଼ ଭାଙ୍ଗି ପଡ଼େ, କ’ଣ ଭାବି ସେ ଚଟକରି ଫେରି ପଡ଼ି ସବୁ ମାଛ ଭଜାତକ ଭାଇଙ୍କ ଥାଳିରେ ଅଜାଡ଼ି ଦିଅନ୍ତି । ତା’ପରେ ଧାଇଁଯାଇ ରୋଷେଇ ଘରେ ନିଶ୍ଵାସ ମାରନ୍ତି । ଦପ୍ ଦପ୍ ଛାତିକୁ ଦୁଇ ହାତରେ ଚାପି ଧରନ୍ତି । ଘନଘନ ବୋହୁଥିବା ଝାଳକୁ ପୋଛି ବସନ୍ତି ।

 

ଏମିତି ତାଙ୍କର ମାନସିକ ଉତ୍‌ଥାନ ପତନ ଭିତରେ ବିତିଗଲା କେଇଟି ବର୍ଷ । ବିକାଶ ସେ ବର୍ଷ ମାଟ୍ରିକ୍‍ ପାସ କଲା । ପୁଅର ଏହି କୃତିତ୍ୱରେ ମନଭରି କାନ୍ଦିଥିଲେ ସୌଦାମିନୀ । ତା’ର ଉଚ୍ଚଶିକ୍ଷା ପାଇଁ କିପରି ପଦକ୍ଷେପ ସେ ନେବେ-ଏହା ହିଁ ଭାବିବା ଅବସ୍ଥାରେ, ଏକ ଅଚାନକ ପ୍ରସ୍ତାବରେ ବିକାଶ ତାକୁ ସ୍ତମ୍ଭାଭୂତ କରିଦେଲା । ସେ କହିଲା, ଏକ ବେସରକାରୀ ସ୍କୁଲରେ ଶିକ୍ଷକତା ପାଇଁ ଦରଖାସ୍ତ ଦେଇଥିଲା । ଏ ଭିତରେ ତା’ର ନିଯୁକ୍ତିପତ୍ର ଆସିଯାଇଛି । ଦରମା ଶହେ ତିରିଶ । ବୋଉଠୁଁ ଅନୁମତି ପାଇଲେ ସେ ସେଥିରେ ଯୋଗ ଦେବ ଏବଂ ଅଲଗା କରି ଅଳ୍ପ ଭଡ଼ାରେ ଏକ ଘର ଦେଖିଛି, ମାମୁଁଙ୍କୁ କହି ଛୋଟ ଭାଇଭଉଣୀମାନଙ୍କୁ ନେଇ, ଏଥର ସେ ଅନ୍ୟତ୍ର ରହିବ ।

 

ଏ କଥା ଶୁଣି ସୌଦାମିନୀ ସ୍ତମ୍ଭୀଭୂତ ହୋଇଗଲେ । ତାଙ୍କୁ ବିଶ୍ୱାସ କରିବାକୁ ଭୀଷଣ କଷ୍ଟ ହେଉଥିଲା ଯେ ଯେଉଁ ପ୍ରାଚୁର୍ଯ୍ୟ, ବିଳାସ, ଆଡ଼ମ୍ବର ଭିତରେ ବିକାଶର ଶୈଶବ ଗଠିତ ହୋଇଥିଲା, ଉଚ୍ଚଶିକ୍ଷାର ମୂଳଭିର୍ତ୍ତି ପଡ଼ିଥିଲା, ତା ଉପରେ କ’ଣ ଦିନ ଦିନ ଧରି ବିକାଶ ଏହି କଳ୍ପନାକୁ ଗଢ଼ି ରଖୁଥିଲା । ଯେଉଁ ବିକାଶର ଖାଇବା, ରହିବାର ଅସ୍ୱଚ୍ଛଳତା ସଂପର୍କରେ ଏହି କେତେ ଦିନ ହେବ ଭାବିଭାବି ସେ ଗୋପନ ଅନ୍ତର୍ଦାହରେ ପୋଡ଼ିଜଳି ଯାଉଥିଲେ, ସେହି ଦିନଗୁଡ଼ିକ କଣ ବସି ବସି ବିକାଶ ଏଇଆ ଭାବୁଥିଲା । କେଉଁଦିନ ସେ ନିଜ ଗୋଡ଼ରେ ଠିଆ ହେବ ଏବଂ ତା ଭାଇଭଉଣୀ ଓ ମା’ଙ୍କୁ ନେଇ ଅନ୍ୟତ୍ର ରହିବ । ମାମୁଁଙ୍କ ଉପରେ ଏତେ ବଡ଼ ବୋଝ ଲଦି ଆଉ ରହିବ ନାହିଁ । ସୌଦାମିନୀଙ୍କର ମନେ ହେଲା, ସତର ବର୍ଷ ତଳେ, ଯିଏ ତାଙ୍କ କୋଳରେ ଏତେ ଟିକିଏ ହୋଇ ଲୀଳା ରଚୁଥିଲା ଆଜି ତା’ ପାଖରେ ସେ କେତେ ଛୋଟ ହୋଇଚନ୍ତି । ସେ ଆଜି ଆଉ ତାର ମାଆ ନୁହଁନ୍ତି । ବିକାଶ ତାଙ୍କର ବାପା ହୋଇଯାଇଚି ।

 

ଶେଷରେ ବିକାଶ କଥା ହିଁ ରହିଲା । ବିକାଶ ଜିଦ୍‌ରେ ମାମୁଁ ବାଧା ଦେଇ ପାରିଲେ ନାହିଁ । ବିକାଶ ସ୍କୁଲରେ ଶିକ୍ଷକତା କଲା । ରାତି କଲେଜରେ ପାଠ ପଢ଼ିଲା । ପାଞ୍ଚଟି ଭାଇଭଉଣୀ ବିଧବା ମା’ର ଦାୟିତ୍ୱ ମୁଣ୍ଡକୁ ନେଲା ।

 

ସେହିଦିନଠୁ ଆଜିକୁ କେତେ ବର୍ଷ ବିତିଗଲାଣି । ସତର ବର୍ଷର ପୁଅ ବିକାଶ ପଚିଶ୍‍ ବର୍ଷର ଯୁବକ ହେଲାଣି । ନିଜ ଚେଷ୍ଟାରେ ସେ ଏମ୍. ଏ. ପାଶ୍‌କରି କଲେଜରେ ଅଧ୍ୟାପକ ହେଲାଣି; କିନ୍ତୁ ଏଇ ଅଧ୍ୟାପକ ହେବା କ’ଣ ଥିଲା ବିକାଶ ବାପାଙ୍କର ବିରାଟ ପରିକଳ୍ପନା ? ସବୁ ଲେଉଟି ଗଲା । ବିତିଗଲାଣି ଦୀର୍ଘ ଆଠ ବର୍ଷ । ଏଇ ଦୀର୍ଘ ଆଠ ବର୍ଷ ଆମେ ତ୍ସର୍ଗର ଆତ୍ମତ୍ସର୍ଗର ଏକ ଜ୍ଵଳନ୍ତ ଅଧ୍ୟାୟ ସୃଷ୍ଟି କରିଯାଇଚି ବିକାଶ । ସେଇ ଆଲୋକମୟ ପୃଷ୍ଠାଗୁଡ଼ାକ ଲେଉଟାଇଲେ ସୌଦାମିନୀଙ୍କ ଆଖି ବୁଜି ହୋଇଯାଏ । ସତେକି ସେହି ଅମାପ ଔଜଲ୍ୟକୁ ତାଙ୍କ ଆଖି ସହିପାରୁ ନାହିଁ, ଚାହିଁପାରୁ ନାହିଁ, ପୋଡ଼ି ଯାଉଚି, ଜଳି ଯାଉଚି । ଆଖିବୁଜି ସେ ଶୋଇ ରହିବାର ଚେଷ୍ଟା କରନ୍ତି ।

 

ଭାଇଙ୍କ ପରିବାରରୁ ମୁକ୍ତ ହୋଇ ସୌଦାମିନୀ ଯେ ଭାବିଥିଲେ ସେ ନିଶ୍ଚିନ୍ତ ହେବେ ତା ହେଲେ ନାହିଁ । ବିକାଶ ମୁଣ୍ତରେ ଏତେ ବଡ଼ ଦାୟିତ୍ୱ ଲଦି ଦେଇ ନିଶ୍ଚିନ୍ତ ହୋଇ ପାରିଲେ ନାହିଁ । ଅଥଚ ବିକାଶ ତାଙ୍କୁ ନିଶ୍ଚିନ୍ତ କରିଥିଲା । ବିକାଶ ତାଙ୍କର ଯୋଗ୍ୟ ପୁଅ । ତାର ବୁଦ୍ଧି ବଡ଼ ଗଭୀର ପୁଣି ବଡ଼ ପ୍ରଖର । ଭାଇ ଭଉଣୀଙ୍କ ପ୍ରତି ଶ୍ରଦ୍ଧା ତାର ଅପରିସୀମ । ଛୋଟ ଭାଇ ଭଉଣୀଙ୍କୁ ଉପଯୁକ୍ତ ଶିକ୍ଷା ଦେବାଲାଗି ସେ ଅଣ୍ଟା ଭିଡ଼ିଚି । ସେମାନଙ୍କର ଭଲ ଖାଇବା, ଭଲ ପିନ୍ଧିବା ପ୍ରତି ସତର୍କ ଦୃଷ୍ଟି ଦେଇ ଆସିଚି । ମାଆର ସେବାଯତ୍ନର ଅଭାବ ରଖି ନାହିଁ । ଭାଇ ଭଉଣୀଙ୍କ ପ୍ରତି ଶ୍ରଦ୍ଧା, ସ୍ନେହ ଓ ଅର୍ଥବ୍ୟୟରେ କାର୍ପଣ୍ୟ ସେ ପ୍ରକାଶ କରିନାହିଁ । ଅଥଚ ନିଜପ୍ରତି ? ନିଜପ୍ରତି ବଡ଼ ଉଦାସୀନ ସେ । ସାଧାରଣ ପୋଷାକ, ପରିଚ୍ଛଦ, ସାଧାରଣ ଘଡ଼ି, ସାଇକେଲ । ସବୁ ସାଧାସିଧା, ସରଳ । ଖାଇବା ମଧ୍ୟ ତଦ୍ରୁପ । ଭଲ ଭଲ ଜିନିଷ କି ମାଛ, ଅଣ୍ଡା, ବିକାଶ ପାଇଁ ସାଇତି ରଖି ତାକୁ ଏକାନ୍ତରେ ଦିଅନ୍ତି ସୌଦାମିନୀ । ମାତ୍ର ବିକାଶ ଟିକିଏ ଖାଇ, ସବୁ ଭାଇଭଉଣୀଙ୍କ ପାଇଁ ଛାଡ଼ିଯାଏ । ସତେକି ଦୁନିଆର କୌଣସି ଚିଜ ପ୍ରତି ତାର ଆକର୍ଷଣ ନାହିଁ ।

 

ଏଇଗୁଡ଼ାକ ଦେଖିଲେ ସୌଦାମିନୀଙ୍କ ମନ ଭିତର ବଥେଇ ଉଠେ । ପ୍ରାଣର ତନ୍ତ୍ରି ଗୁଡ଼ାକ ବିନ୍ଧି ଉଠେ । ଅନ୍ୟ ପିଲାଙ୍କଠାରୁ ଯେତିକି ସେ ବିକାଶକୁ ଉଚ୍ଚରେ ସ୍ୱତନ୍ତ୍ର ଆସନରେ ରଖନ୍ତି, ଜାଣି ଜାଣି ବିକାଶ ସେ ଆସନରୁ ତଳକୁ ଖସିଯାଏ; କିନ୍ତୁ କାହିଁକି ? ବିକାଶର ବନ୍ଧୁମାନଙ୍କୁ ସେ ଦେଖନ୍ତି । କେତେ ଫିଟ୍‍ଫାଟ୍‍ ପିଲାସବୁ ଭଳି ଭଳି ଦାମିକା ପୋଷାକ ପିନ୍ଧନ୍ତି । ପାନ, ସିଗାରେଟ, ସିନେମା, ଥିଏଟର, ପିକନିକ କେତେ କିସମର ଖର୍ଚ୍ଚ । ସେମାନେ ସମସ୍ତେ କହନ୍ତି, ସେମାନଙ୍କ ଟଙ୍କା ସେମାନଙ୍କ ହାତ ଖରଚ ଓ ବେଶ ପରିପାଟିକୁ ନିଅଣ୍ଟ । ମାସିକ ସାଢ଼େ ତିନିଶ ଟଙ୍କା ସେ ଏମିତି ଧୂଆଁ ପରି ଶୂନ୍ୟରେ ମିଶାଇ ଦିଅନ୍ତି । ଅଥଚ ବିକାଶ ? ସେଇ ଟଙ୍କାରେ ସେ ଆଠପ୍ରାଣୀ କୁଟୁମ୍ବ ପୋଷେ । ଭଉଣୀ ଦୁହିଁଙ୍କ ପାଇଁ ଦାମୀ ଦାମୀ ଶାଢ଼ୀ ଆଣି ଦିଏ । ଭାଇମାନଙ୍କ ପାଇଁ ଭଲ ଭଲ କନାର ସାର୍ଟ । ନିଜ ପାଇଁ ଆଣିବାକୁ କହିଲେ ଚୁପ ରହେ । କହେ ମୋର ଚଳୁଛି ଯେ, ଅଚଳ ହେଲେ ଅଣାଯିବ ।

 

ଇଏ ସବୁ କଅଣ କେବଳ ଉଦାସୀନତା ଅଥବା ଆଦର୍ଶବାଦ ? ସଭ୍ୟତା ଓ ପରିବେଶ ଭିତରେ ଦେହଘଷି ଆଗେଇ ଗଲାବେଳେ ଟିକେ ମନ ଢଳୁନାହିଁ ? ଏଇ କଅଣ ଏକ ଜିଦ୍‍ ? ଜୀବନକୁ ବାଜି ରଖିବାର ଏକ ପ୍ରବଳ ଝୁଙ୍କ ?

 

ସୌଦାମିନୀ ଘର ଗୋଟାକର କାମ କରନ୍ତି, ବୁଲନ୍ତି, ବସନ୍ତି ସତ; ମାତ୍ର ଏସବୁର ନେପଥ୍ୟରେ ଯେ ତାଙ୍କର ଆତ୍ମା ବିକାଶ ପାଇଁ କ୍ରନ୍ଦନ କରି ଉଠୁଥାଏ, ଏକଥା କେହି ଜାଣିପାରନ୍ତି ନାହିଁ । ସେ କାନ୍ଦ, ସେ ବ୍ୟଥା, ସେହି ନିଦାରୁଣ ଯତ୍ନଣାର ଜ୍ଵାଳା କେବଳ ସେଇ ବୁଝନ୍ତି ।

 

ସେଥର ଏକ ବାହା ତିଥିରେ ବିକାଶର ତିନି ଜଣ ସାଙ୍ଗ ବିବାହ କଲେ । ନିମନ୍ତ୍ରଣ ହୋଇ ଯାଇଥିଲା ବିକାଶ । ବିଭାଘରୁ ଫେରିଲା ପରେ ଜଣେ ସାଙ୍ଗ ତାଙ୍କର ମାଆ ସୌଦାମିନୀଙ୍କୁ କହିଲା–ବିକାଶ ବିଭାଘର କରୁନାହଁ ମାଉସୀ ? କ’ଣ ପାତ୍ରୀ ମିଳୁନାହିଁ ? ଏ କଥାରେ ଚମକି ଯାଇଥିଲେ ସୌଦାମିନୀ । ତେବେ ବହୁ ଦିନୁ ଯେଉଁ କଥାଟାକୁ ମନ ଭିତରେ ଭାବି ଭାବି ସେ ଖାଲି ରଖିଚନ୍ତି, ବିକାଶକୁ କହି ପାରିନାହାନ୍ତି, ସେଇ କଥା କ’ଣ ବିକାଶ ତା ବନ୍ଧୁ ଆଗରେ କହିଚି ଓ ବୋଉ ଆଗରେ କହିବାପାଇଁ ପ୍ରବର୍ତ୍ତାଇଛି ? ଏ କଥା ମିଛ ହୋଇପାରେ ବୋଲି ସେ ଭାବିବେ ମଧ୍ୟ କାହିଁକି ?

 

ସୌଦାମିନୀ ନିଜ ଅନ୍ତଃକରଣରେ ପୁଣି ସେଇ ମନ୍ଥନ ଅନୁଭବ କଲେ । ବିକାଶକୁ ପଚିଶ ବର୍ଷ ହେଲାଣି, ଅଥଚ ତା ବିବାହର ଯୋଗାଡ଼ ସେ କରୁନାହାନ୍ତି, ଏ କଥା ଯେ ସେ ଭାବିନାହାନ୍ତି, ଏହା ନୁହେଁ । ପଚାରିବେ ପଚାରିବେ ବୋଲି ପଚାରି ପାରିନାହାନ୍ତି । ଆଜି ସେ ନିଶ୍ଚୟ ପଚାରିବେ, ନିଶ୍ଚୟ ।

 

ମାଆ ମୁହଁରୁ ପ୍ରସ୍ତାବ ଶୁଣି ବିକାଶ ହସିଉଠିଲା । କହିଲା, ତୁ କ’ଣ ପାଗଳ ହେଲୁ ବୋଉ ? ରୀନା ଓ ଲୀନାକୁ ଦେଖିପାରୁନାହୁଁ ? ସେମାନଙ୍କର ବିବାହ, ପ୍ରକାଶର ପାଠପଢ଼ା ଶେଷ ନ ହେଲାଯାଏଁ ମତେ କହିବୁ ନାହିଁ । ମୁଁ ପାତ୍ର ଖୋଜୁଚି, ତୁ ଲୀନାର ବିବାହ ଆୟୋଜନ କର ।

 

ଏ କଥା ଶୁଣି ସୌଦାମିନୀ ସ୍ତବ୍‌ଧ ହୋଇଥିଲେ ! ସେ ଆଶା କରିଥିଲେ ବିକାଶ ହୁଏତ ରାଜି ହୋଇଯିବ । ମାତ୍ର ବିକାଶ ଏ କ’ଣ କହିଲା ? ଭଉଣୀ ଦୁହିଁଙ୍କ ବିବାହ ନ ହେବାଯାଏଁ ସେ ବିବାହ କରିବ ନାହିଁ ! ଖାସ୍ ସେଇମାନଙ୍କ ପାଇଁ ସତେକି ସେ ବିବାହ କରିପାରୁନି । ଇଏ କ’ଣ ଭଉଣୀ ଭାଇଙ୍କପ୍ରତି ସ୍ନେହ, ଆଗ୍ରହ, ଅଥବା ଅନୁଗ୍ରହ ? ଅଥଚ…ନିଜପ୍ରତି ନିରୁପାୟ ଦୁର୍ଜେୟ-ଅଭିମାନ ? ଆଉ ସୌଦାମିନୀଙ୍କ ପ୍ରତି କ’ଣ ନୁହେଁ ଏକ ତୀକ୍ଷ୍‌ଣ ତୀର ? ଏକ ଆକ୍ଷେପ ?

 

ସେଇଦିନଠାରୁ ସୌଦାମିନୀଙ୍କର ମନର ସୂକ୍ଷ୍ମ ତନ୍ତ୍ରୀ ସବୁ ଗୋଟା ଗୋଟା ହୋଇ ଛିଡ଼ିଗଲା । ମନ ଓ ମସ୍ତିଷ୍କରେ ଏକ ବିସ୍ଫୋରଣ ଘଟିଗଲା । ମାନସିକ ଭାରସାମ୍ୟ ସେ ହରାଇ ବସିଲେ । ପରେ ପରେ ତାଙ୍କର ହୃଦ୍‌ବୋଧ ହେବାକୁ ଲାଗିଲା, ବସିଲେ ଉଠିଲେ, ଗଲେ ଅଇଲେ ବିକାଶ ତାଙ୍କୁ ବ୍ୟଙ୍ଗ କରୁଚି, ଥଟ୍ଟା କରୁଚି, ଦୟା କରୁଚି, ଅନୁଗ୍ରହ କରୁଚି । ଓଃ…

 

ସୌଦାମିନୀ ବିଛଣାରୁ ଉଠି ପଦଚାରଣା କରିବାରେ ଲାଗିଲେ । କଅଣ ସେ ଭାବୁଚନ୍ତି-? ଏଗୁଡ଼ାକ କାହିଁକି ସେ ଭାବୁଚନ୍ତି ? ଦୁନିଆରେ ଅନେକ ପୁଅ ମଧ୍ୟ ବିକାଶ ପରି ପରିସ୍ଥିତି ଓ ଅବସ୍ଥାରେ ଜଡ଼ିତ ଅଛନ୍ତି । ସମସ୍ତଙ୍କର ମା କ’ଣ ଏମିତି ଭାବୁଚନ୍ତି ? ଏମିତି ମାନସିକ ଶାନ୍ତି ନଷ୍ଟ କରି ଆତ୍ମଲାଞ୍ଛନାର ଶରବ୍ୟ ହେଉଚନ୍ତି ? ନା-ନାଁ ମିଛ, କେହି ଏମିତି ଭାବୁ ନ ଥିବେ । ତାଙ୍କର ଏମିତି ଭାବିବା ଭୁଲ, ଅନ୍ୟାୟ, ଦୁର୍ବୁଦ୍ଧି । ବିକାଶ ପରି ପୁଅ ଏପରି ଭାବି ନ ପାରେ । ନ ପାରେ-ନାଁ-ନାଁ ।

 

ହଁ, ହଁ କହି ଯେମିତି କିଏ ଚିତ୍କାର କରି ଉଠିଲା । ସୌଦାମିନୀ ଚମକି ଚାହିଁଲେ । କାନ୍ଥରେ ବିକାଶର ଡିଗ୍ରୀଅଣା ଫଟୋ । ବ୍ୟଙ୍ଗଭରା ଚାହାଣିରେ ବିଦ୍ରୂପ କରୁଚି, ଅଗ୍ନିର କଣିକା ପରି ସେଇ ଆଖି ଦୁଇଟି । ସତେକି ଛିଗୁଲେଉଛି । ତୁ ମତେ ନଷ୍ଟ କରି ଦେଇଛୁ, ମୋ ଜୀବନ ମାଟି କରି ଦେଇଚୁ-ଛ’ ଛଟା ଛୁଆ ଜନ୍ମ ଦେଇ ମୋ ମୁଣ୍ଡରେ ଲଦିଦେବାକୁ ତୋର କି ଅଧିକାର ଅଛି ବୋଉ ? ଏଥିପାଇଁ କ’ଣ ପିଲାଦିନେ ମତେ ଏତେ ଗେଲବସର କରିଥିଲୁ ? ମୋ ଭବିଷ୍ୟତପାଇଁ ଏତେ ବଡ଼ ଯୋଜନା ପ୍ରସ୍ତୁତ କରିଥିଲୁ ? ମୁଁ ଏମିତି ନିଜକୁ ଧ୍ୱଂସ କରିଦେବି । ନଷ୍ଟ କରିଦେବି । ମୋର ଆଉ କୌଣସି ଆଶା ଅବଶିଷ୍ଟ ନାହିଁ । କୌଣସି ସମ୍ଭାବନା ନାହିଁ ।

 

ସୌଦାମିନୀ ନିଜ ଭାବନା ଭିତରେ ନିଜେ ଶିହରି ଉଠିଲେ । ବିକାଶର ଫଟୋକୁ ସେ ଯେମିତି ମୁଣ୍ଡ ଉଠାଇ ଚାହିଁପାରୁ ନାହାନ୍ତି; ବିକାଶର ଏହି ନିର୍ଜୀବ ଫଟୋକୁ ସେ ଏତେ ଭୟ କରୁଚନ୍ତି ? ଯାହାକୁ ଜନ୍ମ ଦେଇଚନ୍ତି, ଏଡ଼ୁଟିରୁ ଏଡ଼େଟିଏ କରି ବଢ଼ାଇଚନ୍ତି, ତାକୁ ସେ ଭୟ କରୁଚନ୍ତି ।

 

ଏ ଭୟ ଅନେକ ଦିନୁ ତାଙ୍କୁ ଗ୍ରାସ କରି ଆସିଲାଣି । ଅବଶ୍ୟ ବେଳେ ବେଳେ ସେ ଯେ’ ସ୍ଵାଭାବିକ ଅବସ୍ଥାରେ ରହୁନାହାନ୍ତି ଏହା ନୁହେଁ । ଅନେକ ସମୟରେ ଏଇ ନିସ୍ତେଜତା ଓ ଭାବାନ୍ତର ତାଙ୍କୁ ମେସିନ୍ କରି ରଖିଚି । ବିକାଶକୁ ସେ କାହିଁକି ଭିନ୍ନ ଓ ଉନ୍ନତ ଦୃଷ୍ଟିରେ ଦେଖିବାକୁ ଆରମ୍ଭ କରିଚନ୍ତି । ସତେକି ଏ ପରିବାରର ଇଷ୍ଟଦେବ ବିକାଶ । ତା ପାଖରେ ଆଉ ପାଞ୍ଚଟା ପୁଅଝିଅଙ୍କୁ ସେ ସମାନ କରିପାରନ୍ତି ନାହିଁ । କିନ୍ତୁ କାହିଁକି ? ଗେହ୍ଲାରେ ? ନା ବଡ଼ପୁଅ ଭାବରେ ? ସେ ଜାଣନ୍ତି ତା’ ନୁହେଁ । ସେ ତାହା କରନ୍ତି ଭୟରେ-ମନର ଗ୍ଳାନିରେ । ଏକ ଦୁରନ୍ତ ଅଭିମାନରେ ତାର ସୁଖପାଇଁ ଆଉ ପିଲାଙ୍କର ଜୀବନ ମାଟି କରିବାକୁ ମଧ୍ୟ ସେ ପ୍ରସ୍ତୁତ । ସେଥିପାଇଁ ସକାଳୁ ସନ୍ଧ୍ୟାଯାଏ ବିକାଶ କିପରି ଭଲ ଖାଇବ, ଭଲରେ ରହିବ, ସୁଖୀ ହେବ, ଏଥିପାଇଁ ଆପ୍ରାଣଚେଷ୍ଟା କରନ୍ତି ସୌଦାମିନୀ । ତଥାପି ଯେମିତି ତାଙ୍କର ପରିତୃପ୍ତି ଆସେ ନାହିଁ । ତାଙ୍କର ମନେହୁଏ ଆହୁରି ବାକି ରହିଯାଉଚି ବିକାଶକୁ ଖୁସି କରିବାକୁ । ତେଣୁ ସେ ନାନା ପ୍ରକାର ପଦକ୍ଷେପ ଗ୍ରହଣ କଲେ । ବିକାଶର ଅଜ୍ଞତାରେ ବ୍ୟୟ-ସଂକୋଚକରି ତାର ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିବାକୁ ତତ୍ପର ହୋଇ ଉଠିଲେ । ଅନ୍ୟ ପିଲାଙ୍କୁ ସାଧାରଣ ଖାଦ୍ୟ ଦେଇ, ବିକାଶପାଇଁ ମାଛ, ମାଂସ, ସୁଖାଦ୍ୟ ବାଢ଼ି ରଖିଥିଲେ । ତେବେ ବି ଯେମିତି ତୃପ୍ତି ନାହିଁ । ସେ ତ ଅନେକ ବାଟ ଉଠିପଡ଼ି ଆଗେଇଲେଣି, ସେ ତୃପ୍ତି କେତେ ବାଟରେ ସତେ ?

 

କାନ୍ଥ ଘଣ୍ଟାରେ ଠନ୍ ଠନ୍ ହୋଇ ବାଜିଲା ତିନି । ସୌଦାମିନୀ ପ୍ରକୃତିସ୍ଥ ହେଲେ । ଆଉ ଟିକକ ପରେ ବିକାଶ ଫେରିବ । ଦଶଟାବେଳେ ମୋଟେ ସେ ଖାଇ ପାରିନାହିଁ । ତାକୁ ସେ କହିଚନ୍ତି ଚାରିଟା ବେଳେ ଆସିବାକୁ, ଜଳଖିଆ କରି ରଖିଥିବେ ବୋଲି ଆଗେ ସବୁବେଳେ ପିଲାଙ୍କ ସାଙ୍ଗେ ସାଙ୍ଗ ହୋଇ ବିକାଶ ପଖାଳ ଖାଏ । ଆଜିକାଲି ସୌଦାମିନୀ ସେ ଧାରା ବଦଳାଇ ଦେଲେଣି । ବିକାଶ ପାଇଁ କିଛି ନା କିଛି ଭଲ ଜଳଖିଆ ସଜାଡ଼ି ରଖନ୍ତି । ଅନ୍ୟ ପିଲାମାନେ ଖାଇଚନ୍ତି ବୋଲି କହି ଭୁଲେଇ ଦିଅନ୍ତି । ବିକାଶର ମଧ୍ୟ ସନ୍ଦେହର ଅବକାଶ ନ ଥାଏ । ତଥାପି କିଛି ସେ ଛାଡ଼ିଯାଏ । ମାତ୍ର ବୋଉର ଭାଇପ୍ରତି ଏହି ପକ୍ଷପାତିତାକୁ ସବୁ ପିଲାଏ ଜାଣିଥିଲେ । ସମସ୍ତେ ବୋଧେ ବୁଝୁଥିଲେ, ଭାଇ ଏ ଘରର ମୁରବୀ-ବଡ଼ ପୁଅ, ତେଣୁ ବୋଉର ବେଶୀ ସ୍ନେହଶ୍ରଦ୍ଧାର ପାତ୍ର ।

 

ସୌଦାମିନୀ ତାଙ୍କ ମଧ୍ୟମପୁତ୍ର ପ୍ରଭାସକୁ ଡାକି ବଜାରକୁ ଅଣ୍ଡା ଓ ମିଠା ଆଣିବାକୁ ପଠାଇଲେ । ଏଣିକି ସବୁଦିନ ସେ ବିକାଶ ପାଇଁ ଅଣ୍ଡା ଆଣି ଅପରାହ୍ନର ଜଳଖିଆ ପ୍ରସ୍ତୁତ କରିବେ-। ତାର ଦରମାର ଅଧେ ତାର ସ୍ୱାଚ୍ଛନ୍ଦ୍ୟରେ ଖର୍ଚ୍ଚ କରିବେ । ବାକି ଅଧେ ସଞ୍ଚୟ କରି ତାର ବିଭାଘର କରିବେ । ପ୍ରକାଶ, ପ୍ରଭାସ ସମସ୍ତେ କଲେଜ ମାଡ଼ିଲେଣି । ଏଣିକି ତାଙ୍କର ପଢ଼ା ବନ୍ଦ ହେଉ । ବିକାଶ ପରି ନିଜଗୋଡ଼ରେ ସେମାନେ ନିଜେ ଠିଆହେବାକୁ ଶିଖନ୍ତୁ । ପିତୃହୀନ ହେବାର ଦୁଃଖ ଏକା ବିକାଶ ଭୋଗିବ କାହିଁକି ? ସେ ଦୁଃଖ ବାଣ୍ଟି ହୋଇଯାଉ ।

 

ପ୍ରଭାସ ଅଣ୍ଡା ଓ ମିଠା ନେଇ ଫେରିଲା । ଚାରିଟାଯାକ ଅଣ୍ଡା ଆମଲେଟ୍ ତିଆରି କଲେ ସୌଦାମିନୀ । ଲୁଚି ଛାଣିଲେ । ଚୁନିଚୁନି ଆଳୁ ଭାଜିଲେ । ସକାଳର ପୋଟଳ-ଆଳୁ ରସାକୁ ଆହୁରି ଥରେ ଗରମ କଲେ । ପ୍ଲେଟରେ ମଲାଇ ଚପ୍ ସଜାଡ଼ି ରଖିଲେ । ବିକାଶର ବାଟଚାହିଁ ବାରିରୁ ଦାଣ୍ଡ, ଦାଣ୍ଡରୁ ବାରି ହେବାରେ ଲାଗିଲେ । ତା’ପରେ ଡେରି ଦେଖି ଠାକୁରଘରେ ସଞ୍ଜ ବଳି ବସିଲେ ।

 

ଏମିତି ବିତିଗଲା କେତେ ମୁହୂର୍ତ୍ତ । ହଠାତ୍ ରୀନା ଡାକ ପକାଇଲା–ବୋଉ, ବୋଉ, ମଣ୍ଟୁ ସବୁ ସାରିଦେଲା ।

 

ସୌଦାମିନୀ ନ ଶୁଣିଲା ପରି ରହିଲେ । କାରଣ ସାନ ପୁଅ ମଣ୍ଟୁ ଭଉଣୀ ସାଙ୍ଗରେ ଭାରି କଳି ଲଗାଏ । ତା ବହି ଚିରିଦିଏ । ଲୁଗାରେ ସ୍ୟାହି ଢାଳିଦିଏ । ଏହିପରି ଏକ ଦୁଷ୍ଟାମି ଭାବି ସୌଦାମିନୀ ଚୁପ୍ ହୋଇଥିଲେ । ମାତ୍ର ରିନାର ପୁନରାୟ ଡାକରେ ସେ ବ୍ୟସ୍ତହୋଇ ଯାଇ ଯାହା ଦେଖିଲେ, ସେଥିରେ ସ୍ତମ୍ଭୀଭୂତ ହୋଇ ରହିଗଲେ । ପ୍ଲେଟରେ ଥିବା ମଲାଇଚପ୍ ଓ ଅଣ୍ଡାର ଆମଲେଟ ସବୁ ଅଧା ଖାଇସାରିଲାଣି ମଣ୍ଟୁ । ବୋଉକୁ ସାମନାରେ ଦେଖି ମଧ୍ୟ ସେ ତାର ଖାଇବାରୁ ବିରତ ହେଉନାହିଁ । ମଣ୍ଟୁ ତାଙ୍କର ସର୍ବ କନିଷ୍ଠ ତେର ବର୍ଷର ପୁଅ । ସେ ବା’ କଣ ବୁଝନ୍ତା ।

 

ତଥାପି ସୌଦାମିନୀ ତା କାନଧରି କହିଲେ, ଦୁଷ୍ଟ ! ସବୁ ଖାଇଦେଲୁ । ମୋତେ ମାଗି ନ ଥାନ୍ତୁ ? ଭାଇ ଏଇନେ ଖାଇବେ କଣ ?

 

ମଣ୍ଟୁ ଏଥର ଖତେଇ ହେଇ କହିଲା, ଖାଲି ଭାଇ, ଭାଇ, ଭାଇ; ସେଇ ସବୁ ଖାଇବେ । ସେଇ ଖାଲି ତୋର ପୁଅ । ଆମେ ଆଉ ତୋ ପୁଅ ନୋହୁଁ ? କହ ବୋଉ, ଆମେ ତୋ ପୁଅ ନୁହଁ-?

 

ମଣ୍ଟୁର ଏହି କଥାରେ ସୌଦାମିନୀଙ୍କ ଆଖିରୁ ଧାର ଧାର ଅଶ୍ରୁ ବର୍ଷଣ ହେବାକୁ ଲାଗିଲା–ସେ ଭାବିପାରିଲେ ନାହିଁ, କେମିତି ମଣ୍ଟୁକୁ କହି ବୁଝାଇବେ ଯେ’ ମଣ୍ଟୁର । ମାଆର ସ୍ନେହ ସବୁ ସନ୍ତାନମାନଙ୍କ ପାଇଁ ଏକ ନିର୍ମଳ ଆକାଶ ପରି ସ୍ୱଚ୍ଛ ଓ ବିସ୍ତୀର୍ଣ୍ଣ । କିନ୍ତୁ କାହିଁକି ? କାହିଁକି ମୁଁ ବିକାଶକୁ ଏମିତି ଭାବି ବସିଲି । ଏ କ’ଣ ଅପରାଧ ? ଗୁରୁତର ଅପରାଧ ?

 

ଦାଣ୍ଡ ଦ୍ୱାରରେ କବାଟ ଠକ୍ ଠକ୍ ହେଲା । ରୀନା ଯାଇ କବାଟ ଖୋଲିଦେଲା । ଧାଇଁଆସି କହିଲା “ବୋଉ ଲୋ, ଭାଇ ଓ ତାଙ୍କ ସାଙ୍ଗ ଜଣେ ଆସିଲେଣି ।”

 

ସୌଦାମିନୀ ସେମିତି ଥକ୍‌କା ହୋଇ ଚାହିଁଥିଲେ–ଥରେ ମଣ୍ଟୁ ହାତରେ ଥିବା ଶୂନ୍ୟ ପ୍ଲେଟକୁ ଓ ଥରେ ରୀନା ମୁହଁକୁ । ସେ କଣ କରିବେ କିଛି ଭାବିପାରୁ ନ ଥିଲେ । ସକାଳେ ଦୃଢ଼ ଜବାବ ଦେଇଥିଲେ ଅଣ୍ଡା ବା ମାଂସ ଆଣିବାକୁ । ନଳା ପାଖରେ ଅଣ୍ଡାର ଖୋଳ ବି ବିକାଶ ଦେଖିପାରିବ । ଅବଶ୍ୟ ସେ କିଛି କହିବ ନାହିଁ, ଖାଇଦେଇ ଚାଲିଯିବ, ମାତ୍ର ସୌଦାମିନୀ ନିଜକୁ କଣ କହି ବୁଝାଇ ବସିବେ ? କେମିତି ସେ ତୃପ୍ତି ପାଇବେ ?

 

ବିକାଶ ଡାକ ଦଉଚି–ବୋଉ, ଆମ ଦୁଇ ଜଣଙ୍କ ପାଇଁ ଜଳଖିଆ ଆଣ ।

 

ସୌଦାମିନୀ ସେମିତି ଠିଆ ହୋଇଛନ୍ତି ନିର୍ବାକ୍, ନିସ୍ପନ୍ଦ ଭାବରେ । ସତେ କି ପାଦ ଦୁଇଟି ଶୃଙ୍ଖଳିତ । ସେ ବନ୍ଦୀ । ମୁକ୍ତି ପାଇପାରୁ ନାହାନ୍ତି, ଯାଇପାରୁନାହାନ୍ତି, କିଏ ତାଙ୍କୁ ବନ୍ଦୀ କରିଚି ? କିଏ ତାଙ୍କୁ ଏଇ ସାଧା ଜଳଖିଆ ନେଇ ବିକାଶ ପାଖକୁ ନ ଯିବାକୁ ଦୁଇ ବାହୁରେ ଅଟକାଇ ରଖିଚି ? ଗଲେ ବା କିଏ କଣ କରିଦେବ ? କଣ ଅଶୁଦ୍ଧ ହୋଇଯିବ ? ତେବେ ଏ ଭୟ କାହିଁକି ? ଏ ନିସ୍ତେଜତା, ଏ ଅଥର୍ବତା କାହିଁକି ?

 

ସୌଦାମିନୀ କଣ ବିକାଶକୁ ଡରନ୍ତି ନା ତାର ଅର୍ଥକୁ, କ୍ଷମତାକୁ ? ତାର ରୋଜଗାରକୁ-? ଆଦର୍ଶକୁ ? କାହାକୁ ଡରନ୍ତି ସେ ?

 

ସୌଦାମିନୀ ସେମିତି ମୂକ ହୋଇ ଅନେକ ସମୟ ଠିଆ ହୋଇ ରହିଲେ । ଆଖିର ଧାର ଧାର ଲୁହ ବୋହି ତାଙ୍କର ବସନ ସିକ୍ତ ହେଲା । ସେହି ଅଶ୍ରୁ ଉଚ୍ଛ୍ୱାସ ଭିତରେ ହଠାତ୍ ତାଙ୍କର ମନେହେଲା–ବିକାଶ ଧାଇଁଆସି ତାଙ୍କୁ ଆଲିଙ୍ଗନ କରିନଉଚି ଏବଂ କହୁଛି, ବୋଉ, ମୁଁ ବଦଳିଗଲି ନା ତୁ ବଦଳି ଗଲୁ ? କହ, ବୋଉ !!

Image